କୋଣାର୍କ ୧୬୫ତମ ସଂଖ୍ୟା

 

 

 

 

 

 

 

 

 

୧୬୫ତମ ସଂଖ୍ୟା କୋଣାର୍କ-୨୦୧୩

ଓଡ଼ିଆ ସାହିତ୍ୟ ଏକାଡେମୀ

 

କୋଣାର୍କ

ତ୍ରୈମାସିକ ସାରସ୍ୱତ ମୁଖପତ୍ର

 

ଉପଦେଷ୍ଟା

ଶ୍ରୀ ସାତକଡ଼ି ହୋତା

 

ସମ୍ପାଦକ ମଣ୍ଡଳୀ

ଶ୍ରୀ ଗିରି ଦଣ୍ଡସେନା

ଡକ୍ଟର ବିଜୟାନନ୍ଦ ସିଂହ

ଶ୍ରୀ ବିଜୟ କୁମାର ନାୟକ

 

ସୌଜନ୍ୟ ସମ୍ପାଦକ :

ଡକ୍ଟର ବିଜୟ କୁମାର ଶତପଥୀ

ଶ୍ରୀ ଅମରେଶ ପଟ୍ଟନାୟକ

 

ପ୍ରକାଶକ

ଓଡ଼ିଶା ସାହିତ୍ୟ ଏକାଡେମୀ

 

ଏକାଡେମୀ କର୍ତ୍ତୃକ ସର୍ବସତ୍ତ୍ୱାଧିକାର ସଂରକ୍ଷିତ । ରଚନାରେ ପ୍ରକାଶିତ ମତାମତ ଲେଖକଙ୍କ ନିଜସ୍ୱ ।

 

 

ସୂଚୀ

 

୧.

ସମ୍ପାଦକୀୟ

 

 

୨.

ନାଟ୍ୟକାର ଅନନ୍ତ ପଟ୍ଟନାୟକ : ଏକ ନାଟକୀୟ ବିସ୍ମୟ

:

ସୁବୋଧ ପଟ୍ଟନାୟକ

୩.

ଅନନ୍ତ ପଟ୍ଟନାୟକ ଆସିଛନ୍ତି ରହିବେ

:

ରମାକାନ୍ତ ରଥ

୪.

ସବୁ ସ୍ଲୋଗାନ, ଇସ୍ତାହାରର ଊର୍ଦ୍ଧ୍ୱରେ - ସେ ‘ଅନନ୍ତ’

:

ସୀତାକାନ୍ତ ମହାପାତ୍ର

୫.

ବିପ୍ଳବୀ, ମାର୍କ୍ସବାଦୀ ଓ କ୍ରାନ୍ତିକାରୀ କବି ଅନନ୍ତ ପଟ୍ଟନାୟକ

:

ଅବନୀ କୁମାର ବରାଳ

୬.

ପ୍ରଗତିଶୀଳ ଆନ୍ଦୋଳନର ପ୍ରବକ୍ତା କବି ଅନନ୍ତ ପଟ୍ଟନାୟକ

:

ପଠାଣି ପଟ୍ଟନାୟକ

୭.

ଅନନ୍ୟ ଅନନ୍ତ

:

ବିଭୂତି ପଟ୍ଟନାୟକ

୮.

ଓଡ଼ିଆ ଭାଷା - ସାହିତ୍ୟ ଓ ଅନନ୍ତ ପଟ୍ଟନାୟକ

:

ବରେନ୍ଦ୍ର କୃଷ୍ଣ ଧଳ

୯.

ଭବଘୂରା ଶବ୍ଦ ବାଜିକର : କବି ଅନନ୍ତ ପଟ୍ଟନାୟକ

:

ଫନୀ ମହାନ୍ତି

୧୦.

କବି ଅନନ୍ତ ପଟ୍ଟନାୟକଙ୍କ ନାଟ୍ୟରଚନା ଏକ ମୁଗ୍ଧ ଅନୁଭବ

:

ହରିହର ମିଶ୍ର

୧୧.

ଅନନ୍ତ ପଟ୍ଟନାୟକ-ଗଳ୍ପ-ମାନସ : ଭିନ୍ନ ଦୃଷ୍ଟି ଓ ଭିନ୍ନ ଦିଗନ୍ତ

:

ବୈଷ୍ଣବ ଚରଣ ସାମଲ

୧୨.

ଅନନ୍ତ କବି-ମାନସ ପ୍ରଗତିକାମୀ, ଦରଦୀ ଅଥବ ବିପ୍ଳବୀ

:

ମୁରଲୀଧର ସାମଲ

୧୩.

ବିଶ୍ୱଦୃଷ୍ଟି : ସାମ୍ୟ ଓ ସଂଗ୍ରାମର ଅନନ୍ତ ଅଭୀପ୍‌ସା

:

ପ୍ରସନ୍ନ କୁମାର ମହାନ୍ତି

୧୪.

ମରିନାହିଁ ସେତ ମରଣଜୟୀ

:

ଗିରିବାଳା ମହାନ୍ତି

୧୫.

ଆଲୋଚକ ଅନନ୍ତ ଅନନ୍ତ ଅନ୍ୱେଷଣ : ସାହିତ୍ୟରେ, ଜୀବନରେ

:

ଶୈଳଜ ରବି

୧୬.

ଅନନ୍ତ ପଟ୍ଟନାୟକଙ୍କ କଥାସାହିତ୍ୟ

:

କୈଳାସ ପଟ୍ଟନାୟକ

୧୭.

ଅନନ୍ତଙ୍କ ଅନେକ ଅସ୍ମିତା

:

ଅଭିରାମ ବିଶ୍ଵାଳ

୧୮.

ଅନନ୍ତ ପଟ୍ଟନାୟକଙ୍କ ନାଟକ ‘ରାବଣ’

:

ନଟବର ଶତପଥୀ

୧୯.

କଥାକାର ଅନନ୍ତ ପଟ୍ଟନାୟକ

:

ଶକୁନ୍ତଳା ବଳିଆରସିଂହ

୨୦.

ଅନନ୍ତ ପଟ୍ଟନାୟକଙ୍କ କାବ୍ୟିକ ଭାଷାର ଭୂଗୋଳ

:

ସନ୍ତୋଷ ତ୍ରିପାଠୀ

୨୧.

ଜୀବନ-ମୁକ୍ତ-ଦରଦୀ ବିପ୍ଳବୀ କବି ଅନନ୍ତ ପଟ୍ଟନାୟକ

:

ଅପୂର୍ବ ରଂଜନ ରାୟ

୨୨.

ଓଡ଼ିଆ ପ୍ରଗତିବାଦୀ ସାହିତ୍ୟର ଜ୍ଵଳମାନ ଅଗ୍ନିଶିଖା ବିପ୍ନବୀ କବି ଅନନ୍ତ ପଟ୍ଟନାୟକ

:

ଶିଶିର ବେହେରା

୨୩.

କବି ଅନନ୍ତ ପଟ୍ଟନାୟକ

:

ନିର୍ମଳା କୁମାରୀ ମହାପାତ୍ର

୨୪.

ରକ୍ତକଇଁ ଓ ଶରତର ଶୁଭ୍ରସକାଳ : ଅନନ୍ତ ପଟ୍ଟନାୟକ କବିତା

:

ବିଜୟ କୁମାର ଶତପଥୀ

୨୫.

ଲୁହାର ଲୁହା, କୋଇଲାର କୋଇଲା

:

ହରପ୍ରସାଦ ଦାସ

୨୬.

ଅନନ୍ତ ଜୀବନ

:

ବିଜୟାନନ୍ଦ ସିଂହ

 

***

 

ସମାଚାର ପଞ୍ଜୀକରଣ (କେନ୍ଦ୍ରୀୟ) ନିୟମ ୧୯୫୬ ଅଷ୍ଟମ ଅଧିନିୟମ ଅନୁଯାୟୀ ମୁଦ୍ରଣ ଓ ପୁସ୍ତକ ଅଧିନିୟମର ୧୯ଡି ଧାରା-ବି ଅନ୍ତର୍ଗତ ‘କୋଣାର୍କ’ ନାମକ ସାରସ୍ୱତ ପତ୍ରିକାର ସତ୍ତ୍ୱ ଆଦି ସମ୍ୱନ୍ଧୀୟ ବିବରଣୀ ।

 

ଚତୁର୍ଥ ପ୍ରପତ୍ର (ନିୟମ-୮ ଦ୍ରଷ୍ଟବ୍ୟ)

 

୧.

ପତ୍ରିକାର ନାମ

କୋଣାର୍କ

୨.

ପଞ୍ଜୀକରଣ ସଂଖ୍ୟା

ଆର.ଏନ୍.୪୦୪୭/୫୮

୩.

ଭାଷା

ଓଡ଼ିଆ

୪.

ପ୍ରକାଶନର ଆବର୍ତ୍ତତା

ତ୍ରୈମାସିକ

୫.

ମୂଲ୍ୟ

ଟ ୩୦/- (ତିରିଶ ଟଙ୍କା)

୬.

ପ୍ରକାଶକଙ୍କ ନାମ

ଶ୍ରୀ ବିଜୟ କୁମାର ନାୟକ

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ସଚିବ, ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର-୧୪

୭.

ମୁଦ୍ରାକରଙ୍କ ନାମ

ଶ୍ରୀ ଜଗଦୀଶ ପଣ୍ଡା

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ଓଡ଼ିଶା ପ୍ରିଣ୍ଟିଂ ୱାର୍କ ମହମଦିଆ ବଜାର, କଟକ-୨

୮.

ସମ୍ପାଦକଙ୍କ ନାମ

ଶ୍ରୀ ବିଜୟ କୁମାର ନାୟକ

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ଓଡ଼ିଶା ସାହିତ୍ୟ ଏକାଡେମୀ ଭୁବନେଶ୍ୱର-୧୪

୯.

ମୁଦ୍ରଣ ସ୍ଥାନ

ଓଡ଼ିଶା ପ୍ରିଣ୍ଟିଂ ୱାର୍କ ମହମଦିଆ ବଜାର, କଟକ-୨

୧୦.

ସତ୍ତ୍ୱ

ଓଡ଼ିଶା ସାହିତ୍ୟ ଏକାଡେମୀ

ସଂସ୍କୃତି ଭବନ, ରାଜ୍ୟ ସଂଗ୍ରହାଳୟ ପରିସର ଭୁବନେଶ୍ୱର-୧୪

 

ମୁଁ ଶ୍ରୀ ବିଜୟ କୁମାର ନାୟକ, ସଚିବ, ଓଡ଼ିଶା ସାହିତ୍ୟ ଏକାଡେମୀ ଏତଦ୍ଦ୍ୱାରା ଘୋଷଣା କରୁଛି ଯେ ଉପରୋକ୍ତ ବିବରଣୀ ମୋର ଜ୍ଞାନ ଓ ବିଶ୍ୱାସମତେ ସତ୍ୟ ଅଟେ ।

 

 

ଶ୍ରୀ ବିଜୟ କୁମାର ନାୟକ

ସଚିବ

ଓଡ଼ିଶା ସାହିତ୍ୟ ଏକାଡେମୀ

 

***

 

ସମ୍ପାଦକୀୟ

ଓଡ଼ିଆ ସାହିତ୍ୟରେ କବି ଅନନ୍ତ ପଟ୍ଟନାୟକ ହେଉଛନ୍ତି (୧୯୧୨-୧୯୮୭) ପ୍ରଗତିବାଦର ସେହି ନାନ୍ଦୀକାର ଯାହାଙ୍କର କାବ୍ୟାଦର୍ଶରେ ବିପ୍ଲବ ସହ ସ୍ଵପ୍ନ ଓ ଅଙ୍ଗୀକାରର ସାର୍ଥକ ସମନ୍ଵୟ ଘଟିଛି । ତାଙ୍କର ସଂଗ୍ରାମୀ କାବ୍ୟାଦର୍ଶ ଗଢ଼ି ଉଠିଥିଲା ବିଭିନ୍ନ ଆନ୍ଦୋଳନର ପଟ୍ଟଭୂମିରେ । ତେଣୁ ଅନନ୍ତଙ୍କ କାବ୍ୟ ଚିନ୍ତାକୁ ତାଙ୍କର ସଂଘାତମୟ ଜୀବନଠାରୁ ଆଦୌ ବିଚ୍ଛିନ୍ନ କରି ଦେଖିହୁଏ ନାହିଁ । ଗଡ଼ଜାତ ଆନ୍ଦୋଳନ, କୃଷକ ଓ ଶ୍ରମିକ ଆନ୍ଦୋଳନର ପୁରୋଭାଗରେ ଥାଇ ପୁଣି ଇଂରେଜ ରାଜ ବିରୁଦ୍ଧରେ ସଂଗଠିତ ଗଣଶକ୍ତିକୁ ମୁକ୍ତିର ମହାମନ୍ତ୍ରରେ ଦୀକ୍ଷିତ କରିବାକୁ ଯାଇ ସେ ଅଜସ୍ର ଅଗ୍ନିବର୍ଷୀ କବିତାର ଝଙ୍କାର ଶୁଣାଇଛନ୍ତି ।

 

୧୯୨୦ ମସିହା ପରବର୍ତ୍ତୀକାଳରେ ଉତ୍କଳର କାବ୍ୟକାନନରେ ଝଙ୍କୃତ ଜାତୀୟତାବାଦ, ମାନବବାଦ, ପ୍ରକୃତିପ୍ରୀତି ଓ ସର୍ବୋପରି ରୋମାଣ୍ଟିକ ପ୍ରବଣତାର ମିଶ୍ରିତ ରାଗିଣୀ ୧୯୩୦ ମସିହା ପରେ ଧୀରେ ଧୀରେ ଯେପରି ପ୍ରଗତିବାଦୀ ଚିନ୍ତା ଓ ଚେତନାର ଆଭିମୁଖ୍ୟକୁ ଗ୍ରହଣ କରି ନେଇଥିଲା ଓ ୧୯୩୫-୩୬ ମସିହା ବେଳକୁ ଏହା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିଲା, ସେ କ୍ଷେତ୍ରରେ ଅନନ୍ତ ପଟ୍ଟନାୟକଙ୍କର ମହତ୍ତ୍ଵପୂର୍ଣ୍ଣ ଅବଦାନ ନିହିତ । ‘ନବଯୁଗ ସାହିତ୍ୟ ସଂସଦ’, ‘ଆଧୁନିକ’ ପତ୍ରିକା ସହିତ ଜଡ଼ିତ ଅନନ୍ତଙ୍କର ପ୍ରିୟ ସାଥୀ ଥିଲେ କମରେଡ଼ ଭଗବତୀ ଚରଣ ପାଣିଗ୍ରାହୀ । ଏ ଦୁହିଁଙ୍କ ସହିତ ଅନନ୍ତଙ୍କ ସାନଭାଇ ଗୁରୁଚରଣ, ବିଶ୍ଵନାଥ ପଶାୟତ, ବୈଦ୍ୟନାଥ ରଥ, ଗୋକୁଳ ମୋହନ ରାୟ ଚୂଡ଼ାମଣି, ଶରତ ପଟ୍ଟନାୟକ ପ୍ରଭୃତିଙ୍କ ସଙ୍ଗଠିତ ଉଦ୍ୟମରେ ଓଡ଼ିଶାର ସାହିତ୍ୟ, ସଂସ୍କୃତି, ରାଜନୀତି ସମାଜ ବ୍ୟବସ୍ଥା ସର୍ବୋପରି ଜନଗଣର ଚିନ୍ତା ଓ ଚେତନା ପ୍ରଗତିବାଦୀ ଦୃଷ୍ଟିଭଙ୍ଗୀକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତି ହୋଇ ରହିଥିଲା ଏକାଳରେ ।

 

ମାର୍କ୍ସବାଦୀ ଦର୍ଶନ ଦ୍ଵାରା ଶାଣିତ ଓ ଅନୁପ୍ରେରିତ ଏହି ଦୃଷ୍ଟିଭଙ୍ଗୀ ସକଳ ସ୍ଥବିରତାକୁ ପରିହାରକରି ନୂତନ ସୂର୍ଯ୍ୟୋଦୟର ଯେଉଁ ବନ୍ଦନା ଗୀତିଗାନ କରିଛି ତାହା ଅନନ୍ତ ପଟ୍ଟନାୟକଙ୍କର ୧୯୩୪ ମସିହାରୁ ୧୯୩୬ ମସିହା ମଧ୍ୟରେ ‘ନବଭାରତ’, ‘ଆଧୁନିକ’ ପ୍ରଭୃତି ପତ୍ରିକାରେ ପ୍ରକାଶିତ କବିତାଗୁଡ଼ିକରୁ ଜଣାଯାଏ । ‘ନବଯୁଗ ସାହିତ୍ୟ ସଂସଦ’ର ଆଦ୍ୟ ଅଧିବେଶନରେ ଅନନ୍ତଙ୍କ ‘ଉଦ୍‌ବୋଧନୀ’ ସଙ୍ଗୀତ ଯାହା ମାଳତୀ ଚୌଧୁରୀଙ୍କ କଣ୍ଠରେ ରୂପ ପାଇଥିଲା (ନବୀନଯୁଗର ତରୁଣ ଜାଗରେ, ଜାଗ ବନ୍ଧନହରା/ବକ୍ଷ ଶୋଣିତେ ଲକ୍ଷ ଜୀବନେ ଖେଳାଅ ଆଲୋକ ଧାରା । ଛିନ୍ନ କରରେ ବନ୍ଧନ ରାଜି, କ୍ରନ୍ଦନ ହେଉ ଶେଷ/ଲୁପ୍ତ ହେଉରେ ଜାତି, ଉପଜାତି, ଖଣ୍ଡିତ ଶତଦେଶ) । ତାହା ମଧ୍ୟରେ ଯଥାର୍ଥ ଭାବରେ ଧ୍ଵନିତ ଆଗାମୀ ସକାଳର, ନୂତନ ଯୁଗର ବାର୍ତ୍ତା ଓ ସେଇ ସକାଳକୁ, ତାର ବାର୍ତ୍ତାକୁ ଆଣି ପହଞ୍ଚାଇବା ଦିଗରେ ସଙ୍ଗଠିତ ଯୁବଶକ୍ତି ଉଦ୍ଦେଶ୍ୟରେ ଦୃପ୍ତ ଆହ୍ଵାନ ।

 

ଅନନ୍ତ ପଟ୍ଟନାୟକ ନବଯୁଗର ମାନ୍ତ୍ରିକ । ତାଙ୍କ କବିତାର ମନ୍ତ୍ର ଧ୍ଵନିରେ ହଟିଯାଏ କାଳ ରାତ୍ରିର ପ୍ରସ୍ତ, ପ୍ରସ୍ତ ଅନ୍ଧାର, ପ୍ରାଚୀ ଗଗନରେ ଲୋହିତ ଆଭା ଉକୁଟି ଉଠେ । ଆକାଶ, ପବନ, ମାଟି ସବୁଠି ଯେମିତି କିଏ ବୁଣି ଦେଇଯାଏ ମୁକ୍ତିର ଆଲୋକ ଧାରା । ତାଙ୍କ କବିତାଗୁଡ଼ିକର ଶବ୍ଦ ଶକ୍ତି ଅସାମାନ୍ୟ, ଚମତ୍କାର ମଧ୍ୟ ସେଗୁଡ଼ିକର ଶୈଳୀ ଚାତୁରୀ । ନବ ଜୀବନର ଛନ୍ଦ ଗାନରେ ମୁଖର, ମୁକ୍ତିର ସନନ୍ଦ ପାଠରେ ତତ୍ପର ଅନନ୍ତ କବିସତ୍ତା ଅନ୍ତହୀନ ଜୀବନର ଉପସାନା କରି ଆସିଛି ଶ୍ରଦ୍ଧାର ସହ । ତାଙ୍କର ସେହି କବି ସତ୍ତା ଉପଲବ୍ଧି କରିଛି ଯେ ବିପ୍ଲବ ଜନ୍ମ ନିଏ ସ୍ନେହ, ପ୍ରେମ ଓ ଶ୍ରଦ୍ଧାରୁ । କ୍ରୋଧ କିମ୍ବା ଦ୍ଵେଷ ବା ଈର୍ଷାରୁ ନୁହେଁ । ଅନନ୍ତଙ୍କ ସ୍ନେହୀମନ ସେଥିପାଇଁ ବିଶ୍ଵର ଅଗଣିତ ସର୍ବହରାର ଦୁଃଖ ଓ ଯାତନାକୁ ବୁଝିଛି । ସମ୍ବେଦନଶୀଳ ହୋଇଛି ସେମାନଙ୍କ ସମସ୍ୟା ପ୍ରତି । ଗାଇଛି ସଙ୍ଗୀତ ସର୍ବହରାର ଆନ୍ତର୍ଜାତୀୟତାକୁ ନେଇ ।

 

ବିଦ୍ରୋହର ରାଗିଣୀ ଛୁଟାଇ ସାମ୍ୟବାଦର ଗାଥା ଗାଇବା ସହ ଅନନ୍ତଙ୍କ କବିମାନସ ବିଶ୍ଵ ବୁକୁରେ ଆତଙ୍କ ଆଣିଥିବା ଫାସିବାଦ ବିରୋଧୀ ମନୋଭାବକୁ ମଧ୍ୟ ତାଙ୍କର କବିତାଗୁଡ଼ିକରେ ପ୍ରକଟ କରିଛନ୍ତି । ବିଶ୍ୱଯୁଦ୍ଧର ଘନଘଟା ଆଣୁଥିବା ଫାସିଷ୍ଟ ଶକ୍ତିକୁ ପରାହତ କରିବା ପାଇଁ ଆହ୍ଵାନ ଦେବା ସଙ୍ଗକୁ ସେ ଶାନ୍ତିର କପୋତକୁ ଉଡ଼ାଇ ଦେଇଛନ୍ତି ତାଙ୍କର କବିତା ଗୁଡ଼ିକରେ (‘ଶାନ୍ତିଶିଖା’ ସଂକଳନ) ବିଶ୍ଵର କଲ୍ୟାଣ ସାଧନ ନିମିତ୍ତ । ‘ତର୍ପଣ କରେ ଆଜି’, ‘ରକ୍ତ ଶିଖା’, ‘ଛାଇର ଛିଟା’, ‘ଅଲୋଡ଼ା ଲୋଡ଼ା’ , ‘ଶାନ୍ତି ଶିଖା’, ‘ଅବାନ୍ତର’ (କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ), ‘ସୂତ୍ରଟିଏ ସୁକୃତି’ର ପ୍ରଭୃତି କବିତା ସଂକଳନର କବି ଅନନ୍ତ ସାହିତ୍ୟର ଅନ୍ୟାନ୍ୟ ବିଭାଗରେ ହାତଦେଇ ସଫଳ ମଧ୍ୟ ଦେଇଛନ୍ତି । ଗଳ୍ପ ସଂକଳନ ‘ଚଢ଼ା ଉତ୍ତରା’, ନାଟକ- ‘ଚିରି ଅନ୍ଧାର ରାତି’, ‘ରାବଣ’, ‘ପଞ୍ଚଶୀଳ’ ଓ ତାଙ୍କର ଅନେକ ଶିଶୁ କବିତା ଏହାର ଦୃଷ୍ଟାନ୍ତ । ଯେଉଁ କେତେକ ପ୍ରବନ୍ଧ ଓ ସମାଲୋଚନା ସେ ଲେଖିଛନ୍ତି ସେଥିରେ ରହିଛି ପ୍ରଗତିଶୀଳ ଦୃଷ୍ଟିଭଙ୍ଗୀର ପରିପ୍ରକାଶ ।

 

ଏହି ପ୍ରଖ୍ୟାତ କବି ତଥା ସାରସ୍ଵତ ସାଧକଙ୍କର ଜନ୍ମ ଶତବାର୍ଷିକୀ ପାଳନ କରିଥିଲା ଓଡ଼ିଶା ସାହିତ୍ୟ ଏକାଡେମୀ । ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଡ଼ିଟୋରିୟମରେ ତାଙ୍କ ସାରସ୍ଵତ ସାଧନାର ବିବିଧ ଦିଗ ଉପରେ ବିଶିଷ୍ଟ ବିଦ୍ଵାନ ଓ ଗବେଷକମାନେ ସେମାନଙ୍କର ଲିଖିତ ପ୍ରବନ୍ଧଗୁଡ଼ିକରେ ଆଲୋକପାତ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ସେହି ପ୍ରବନ୍ଧଗୁଡ଼ିକ ସମେତ ଅନନ୍ତଙ୍କ ସାରସ୍ଵତ ଦିଗବଳୟର ବର୍ଣ୍ଣିଳ ଦିଗ ସମ୍ପର୍କରେ ଆଉ କେତେକ ପ୍ରବନ୍ଧ ଏକତ୍ର କରି ଏକାଡେମୀର ମୁଖପତ୍ର ‘କୋଣାର୍କ’ର ଏକ ସ୍ୱତନ୍ତ୍ର ସଂଖ୍ୟା ଅନନ୍ତ ପଟ୍ଟନାୟକଙ୍କ ସମ୍ପର୍କରେ ପ୍ରକାଶ କରିବା ପାଇଁ ସିଦ୍ଧାନ୍ତ ନିଆଯାଇଥିଲା ।

 

ଆନନ୍ଦର କଥା ସେହି ସିଦ୍ଧାନ୍ତ ଫଳପ୍ରସୂ ହୋଇଛି । ଆଶାକରେ ‘କୋଣାର୍କ’ର ଏହି ସ୍ଵତନ୍ତ୍ର ସଂଖ୍ୟାଟି ବିଦ୍ଵାନ, ପଣ୍ଡିତ, ଗବେଷକ ଓ ଅନନ୍ତ ପ୍ରେମୀ ସୁଧୀ ପାଠକ ସମାଜ ଦ୍ଵାରା ଆଦୃତ ହେବ ।

 

 

ସମ୍ପାଦନ ମଣ୍ଡଳୀ ତରଫରୁ

ଡକ୍ଟର ବିଜୟ କୁମାର ଶତପଥୀ

ସୌଜନ୍ୟ ସମ୍ପାଦକ

 

ନାଟ୍ୟକାର ଅନନ୍ତ ପଟ୍ଟନାୟକ : ଏକ ନାଟକୀୟ ବିସ୍ମୟ

ସୁବୋଧ ପଟ୍ଟନାୟକ

 

ଜୁନ୍‌ ୧୨ ତାରିଖ ୧୯୧୨ ପହିଲି ରଜ ..........

 

‘‘ମୁଁ ଏଇ ଜନ୍ମିଲି ଆରେ, ନୀଳାଚଳ ରକ୍ତାଚଳ ଆଜି ମୁଁ ଏଇ ଜନ୍ମିଲି ଆରେ ବ୍ୟର୍ଥତାରେ କଣ୍ଟକିତ, ସ୍ଵର୍ଣ୍ଣ ଫେଣି କୁସୁମେ କୁସୁମେ । ସ୍ନେହସିକ୍ତ ସାୟାହ୍ନର ହିମନ୍ତ ଉଷୁମେ କେତେ ଚୂର୍ଣ୍ଣ ଦିବସର ବାଲିବନ୍ତ ଚୂଳେ ଯୁଗାବ୍‍ଧୀର କୂଳେ, ମୁଁ ଏଇ ଜନ୍ମିଲି......’’

 

ଅନନ୍ତ ପଟ୍ଟନାୟକଙ୍କୁ ଶହେ ବର୍ଷ ପୂରିଲା..... ଏବେ ସେ ଶତାବ୍ଦୀ ପୁରୁଷ, କାରଣ ସେ ନଥାଇ ବି ଅଛନ୍ତି । ଅଛନ୍ତି କୋଟି କୋଟି ମଣିଷର ହୃଦୟରେ; ଯେଉଁ ମଣିଷଙ୍କ ପାଇଁ ସେ ଚିରକାଳ ସଂଗ୍ରାମ କରିଥିଲେ, ଚିରକାଳ ଯେଉଁ ମଣିଷଙ୍କ ପାଇଁ ତାଙ୍କର ହୃଦୟ ବ୍ୟଥିତ ହେଉଥିଲା ଏବଂ ଚିରକାଳ ଯେଉଁ ମଣିଷର ଜୟଗାନ କରି ଆସିଛନ୍ତି ।

 

ସୌଭାଗ୍ୟର ବିଷୟ ସେଇ ମହାନ୍‌ କାବ୍ୟ ସ୍ରଷ୍ଟା, ସଂଗ୍ରାମୀ ପୁରୁଷ, ପ୍ରଜା ଆନ୍ଦୋଳନର ଅନ୍ୟତମ ନାୟକ, ସ୍ଵାଧୀନତା ସଂଗ୍ରାମର ଜ୍ଵଳନ୍ତ ଅଗ୍ନି ପିଣ୍ଡ, ସମାଜବାଦୀ ଚିନ୍ତାଧାରାର ଆଦ୍ୟ ଘୋଷକ ତଥା ସାମ୍ୟବାଦୀ ଚିନ୍ତା ଓ ଚେତନାର ସେନାପତି ଅନନ୍ତ ପଟ୍ଟନାୟକଙ୍କୁ ଅତି ନିକଟରୁ ଦେଖିବାର ସୁଯୋଗ ମିଳିଥିଲା ତାଙ୍କ ଜୀବନର ଅପରାହ୍ନରେ । ଏକ ଶାନ୍ତ ସରଳ, ମିଷ୍ଟଭାଷୀ ମେଳାପୀ ଓ ନାତୁଣୀମାନଙ୍କ ସହ ଖେଳିବା ସମୟରେ, ଆତ୍ମ ପ୍ରଚାରଠାରୁ ବହୁ ଦୂରରେ ନିଜର ସୃଜନ ପ୍ରତିଭା ସମ୍ପର୍କରେ ସମ୍ପୂର୍ଣ୍ଣ ନୀରବ ଓ ଉଦାସୀନ ଏଇ ପ୍ରଚଣ୍ଡ ପ୍ରତିଭାବାନ ମହାନାୟକଙ୍କୁ ଦେଖିଲେ କେହି ବି କହି ପାରିବନି, ଏ ହେଉଛନ୍ତି ସେଇ ବିସ୍ଫୋରିତ, ସଂଗ୍ରାମୀ ପୁରୁଷ ଯିଏ ନିଜ ଜୀବନକୁ ନିଜ ସୃଷ୍ଟିକୁ ନେଇ ବହୁ ପରୀକ୍ଷା ନିରୀକ୍ଷା କରିଛନ୍ତି । କିଏ ତାଙ୍କୁ ବୋହେମିଆନ, ଜିପସି, ଭବଘୁରା, ତୁରତୁରିଆ, ଅଶାନ୍ତ, ଅଥୟ ପରି ବିଶେଷଣରେ ସମ୍ବୋଧିତ କରିଥିଲେ ବି ସେତେବେଳେ ନ ଥଲା ତାଙ୍କ ପାଖରେ ସମୁଦ୍ରର ଉତ୍ତାଳ ତରଙ୍ଗ ବରଂ ଏକ ଶାନ୍ତ, ସ୍ନିଗ୍ଧ ଓ ଶୀତଳ ହୃଦୟ ଯାହାକି ସମୁଦ୍ରର ଗଭୀରତମ ପ୍ରଦେଶରେ ହିଁ ଅନୁଭବ କରିହୁଏ । ସେଇ ସମୟରେ ଆକାଶବାଣୀର ବସନ୍ତ ମହାନ୍ତି ମୋ ସହିତ ଅନନ୍ତଙ୍କ ଏଇ ଅନ୍ତରଙ୍ଗତା ଯୋଗୁଁ ବାରମ୍ବାର ଆସି ଅନୁରୋଧ କରନ୍ତି; ତାଙ୍କର ଏକ ଇଣ୍ଟରଭ୍ୟୁ ପ୍ରସ୍ତୁତ କରିବା ଲାଗି ଆକାଶବାଣୀରେ ପ୍ରଚାର ଉଦ୍ଦେଶ୍ୟରେ । ଯେତେଥର ମୁଁ ତାଙ୍କୁ ଅନୁରୋଧ କରିଛି ସେ ଏଡ଼ାଇ ଯାଇଛନ୍ତି ଚତୁରତାର ସହିତ, ‘ହେ ମୁଁ କ’ଣ ଲେଖିଛି । ମୁଁ ଗୋଟେ କି ଇଣ୍ଟରଭ୍ୟୁ ଦେବି । ତମେ ସେ ସବୁରେ ପଶ ନାହିଁ ।’ ଅଗତ୍ୟା ମୋ ବାଧ୍ୟ ବାଧକତାରେ ଆଠ ଦଶ ଥର ଚେଷ୍ଟା ପରେ ସେ ବସନ୍ତଙ୍କୁ କିଛି କହିଲେ ଯାହାର ଆଦ୍ୟ ନ ଥିଲା କି ଅନ୍ତ ନ ଥଲା । ଏପରିକି ତାଙ୍କ ସାହିତ୍ୟ ସୃଜନ ଓ ନୀରବଚ୍ଛିନ୍ନ ସଂଗ୍ରାମର ଉତ୍ତରଣ କାଳରେ ମଧ୍ୟ ସେ ନିଜର କବିତା ଓ ଆଲୋଚନାକୁ ମଧ୍ୟ ବିଭିନ୍ନ ଛଦ୍ମ ନାମରେ ଲେଖିଛନ୍ତି । ଏହାର ଅର୍ଥ ହେଲା ଲେଶମାତ୍ର ଅହଂକାର ତାଙ୍କୁ ଗ୍ରାସ କରି ନଥିଲା ।

 

ସେଇ ବାଦାମବାଡ଼ି ବସାରେ ଥିଲାବେଳେ ଜୁନ୍‌ ୧୯୮୭ ପଚିଶ ତାରିଖରେ ଦେହାବସାନ ଘଟିଲା ଏଇ ମହାମାନବର । ଭାଗବତରେ ଅଛି :- ‘‘ପ୍ରାଣୀର ଭଲମନ୍ଦ ବାଣୀ, ମରଣ କାଳେ ତାହା ଜାଣି ।’’

 

ଲୋକାରଣ୍ୟ ହେଇଗଲା ସେ କ୍ଷୁଦ୍ର ଅଞ୍ଚଳଟି ତାଙ୍କର ଶ୍ରଦ୍ଧାଳୁ, ଶୁଭେଚ୍ଛୁ, ସାହିତ୍ୟିକ, ରାଜନୈତିକ ନେତା । ତାଙ୍କର ବନ୍ଧୁ, ସ୍ତାବକ ଓ ସମ୍ପର୍କୀୟମାନଙ୍କ ଭିଡ଼ରେ । ତା’ପରେ ସତୀ ଚଉରା ଅନନ୍ତ ତାଙ୍କର ଜୀବଦ୍ଦଶାରେ ଯାହା ପାଇ ନ ଥିଲେ, ଯାହା କରିବାକୁ ଦେଇ ନଥିଲେ, ଯେଉଁ ଚର୍ଚ୍ଚା ଆଲୋଚନା ତାଙ୍କ ବିଷୟରେ ହୋଇନଥିଲା, ତାହା ଆରମ୍ଭ ହେଇଗଲା । ଅର୍ଥାତ୍‌ ଏଇ ପଚିଶ ବର୍ଷରେ ହିଁ ଅନନ୍ତଙ୍କ ଚିନ୍ତା ଚେତନାର ଅନ୍ୱେଷଣ, ଅନୁଶୀଳନ, ଅନୁଚିନ୍ତନ ଓ ଉନ୍ମେଷ ଘଟିଛି ତାଙ୍କର କାଳଜୟୀ ସାହିତ୍ୟ ସର୍ଜନାର ମୂଲ୍ୟାୟନ ଆଉ ସମୀକ୍ଷାରେ । ଏମିତି ହଜାରେ ବର୍ଷ ଧରି ଚାଲିଥି‌ବ ତାଙ୍କର କାଳଜୟୀ ସୃଷ୍ଟିକୁ ନେଇ ଯାହାର କେବେ ଅନ୍ତନାହିଁ । ସୁଖର କଥା ତାଙ୍କର ଦେହାବସାନ ପରେ ସୃଷ୍ଟି ହେଲା ‘କବି ଅନନ୍ତ ପଟ୍ଟନାୟକ ସ୍ମୃତି ସଂସଦ’ । ବିଗତ ଚବିଶ ବର୍ଷ ଧରି ତାଙ୍କର ସାହିତ୍ୟ କୃତୀର ସଂକଳନ ଏବଂ ତାଙ୍କର କୃତୀର ଦିଗଦିଗନ୍ତ ସମ୍ପର୍କରେ ଆଲୋଚନା, ପର୍ଯ୍ୟାଲୋଚନା କରି ଏ ଯାବତ୍ ସଂସଦ ଯେଉଁ ସବୁ ନିଷ୍କର୍ଷରେ ଉପନୀତ ହୋଇଛି ଓ ଯେଉଁ ସବୁ କୃତୀକୁ ସଂଗ୍ରହ କରି ତାଙ୍କ ରଚନା ସମଗ୍ରକୁ ଲୋକଲୋଚନକୁ ଆଣିଛି ତା’ର ଶ୍ରେୟ ଯିବ ତାଙ୍କର ସୁପୁତ୍ର କବି ଅମରେଶ ପଟ୍ଟନାୟକଙ୍କୁ । ତାଙ୍କ ସହିତ ଘନିଷ୍ଠଭାବେ ଜଡ଼ିତ ଏବଂ ତାଙ୍କ ଜୀବନଧାରା ସହିତ ଓତଃପ୍ରୋତ ଭାବେ ସମ୍ପୃକ୍ତ ଅଧ୍ୟାପକ ଅବନୀକୁମାର ବରାଳ ତାଙ୍କର ଜୀବନୀ ଗ୍ରନ୍ଥ ଲେଖି ଅନନ୍ତଙ୍କ ବହୁ ଅନ୍ଧକାର ଦିଗନ୍ତ ସମ୍ପର୍କରେ ଆଲୋଚନା କରି ଆଗାମୀ ପୀଡ଼ିକୁ ଅନନ୍ତଙ୍କୁ ଭଲ କରି ଚିହ୍ନିବା ପାଇଁ, ଜାଣିବା ପାଇଁ, ତାଙ୍କର ଜୀବନ କ୍ରମକୁ ବୁଝିବା ପାଇଁ ବହୁ ମୂଲ୍ୟବାନ ତଥ୍ୟକୁ ସ୍ଥାନିତ କରିଛନ୍ତି, ‘ଆସିଚି ମୁଁ ଆସିଚି’ରେ (ଯାହା ପ୍ରକାଶିତ ହୋଇଛି ୨୦୦୪ ଶ୍ରୀଗୁଣ୍ଡିଚା ଅବସରରେ ।) ସେହିପରି ଅନନ୍ତ ପଟ୍ଟନାୟକ ରଚନା ସମଗ୍ରକୁ ସଂପାଦନା କରି ଏଯାବତ ଚତୁର୍ଥଭାଗ ପର୍ଯ୍ୟନ୍ତ ପ୍ରକାଶିତ କରିଛନ୍ତି ଶ୍ରୀ ଅମରେଶ ପଟ୍ଟନାୟକ ।

 

ଅନନ୍ତ ପଟ୍ଟନାୟକଙ୍କ ସମ୍ପର୍କରେ ଏତିକି ଭୂମିକା ଦେବାର ଆବଶ୍ୟକ ପଡ଼ିଲା ଯଦିଓ ମୁଁ ତାଙ୍କର ନାଟକ ସମ୍ପର୍କରେ କିଛି ଆଲୋକପାତ କରିବା ପାଇଁ ଏ ଲେଖାଟି ଲେଖୁଛି । ଅନନ୍ତ ତାଙ୍କର ଜୀବନ କାଳ ମଧ୍ୟରେ ବହୁ ସୃଜନ କର୍ମ କରିଛନ୍ତି । ତାହା ଯେତିକି ବୈଚିତ୍ର୍ୟମୟ ସେତିକି ରହସ୍ୟାବୃତ । ତେବେ ତାଙ୍କ ସମଗ୍ର ନାଟକ କୃତୀ ‘ଅନନ୍ତ ପଟ୍ଟନାୟକ ରଚନା ସମଗ୍ର’ର ତୃତୀୟ ଭାଗରେ ପ୍ରକାଶିତ । ଯାହା ପ୍ରକାଶିତ ହୋଇଛି ୨୦୦୦ ମସିହାରେ । ଏହି ନାଟକ ବିଶେଷାଙ୍କରେ ପ୍ରକାଶିତ ହୋଇଛି, ତିନୋଟି ନାଟକ ‘ରାବଣ’, ‘ଚିରି ଅନ୍ଧାର ରାତି’ ଓ ‘ମୃଚ୍ଛ କଟିକ’-। ନାଟକ ମୃଚ୍ଛକଟିକ କବି ଶୁଦ୍ରକଙ୍କର ସଂସ୍କୃତ ନାଟକର ଅନୁବାଦ ହୋଇଥିବାବେଳେ ‘ରାବଣ’ ଓ ଚିରି ଅନ୍ଧାର ରାତି ଦୁଇଟି ନାଟକ ତାଙ୍କର ମୌଳିକ କୃତୀ । ରାବଣ ନାଟକ ସମ୍ପର୍କରେ ପ୍ରଥମ ନାଟ୍ୟ ସମୀକ୍ଷା ହୋଇଥିଲା ୨୦ ଜୁନ୍‌ ୧୯୯୯ରେ ସମାଲୋଚକ ସମୀକ୍ଷକ ଡକ୍ଟର ରମେଶ ପ୍ରସାଦ ପାଣିଗ୍ରାହୀଙ୍କ ଦ୍ଵାରା । ‘ରାବଣ’ ସାଂସ୍କୃତିକ ଅପ ରହସ୍ୟ କରଣର ପ୍ରଥମ ଦସ୍ତାବିଜ ଭାବରେ ସେ ଯେଉଁ ଆଲୋଚନା କରିଛନ୍ତି ତାର ନିଷ୍କର୍ଷ ନିହିତ ତାଙ୍କ ଆଲୋଚନାର ଶେଷ କେଇ ଧାଡ଼ିରେ ‘‘ଶତାବ୍ଦୀଟି ସରିବା ପୂର୍ବରୁ ଆମକୁ ହୁଏତ ବୁଝିବାକୁ ହେବ ସାମାଜିକ ନ୍ୟାୟ ଓ ଚାରିତ୍ରିକ ଶୁଦ୍ଧତା ବୋଲି କିଛି ନାହିଁ । ରାମ ଓ ରାବଣମାନେ ସଫଳତାର ସହ ସହାବସ୍ଥାନ କରୁଛନ୍ତି ।”

 

ତେବେ ଅନନ୍ତ ପଟ୍ଟନାୟକଙ୍କ କୃତୀ ଓ ସୃଜନଶୀଳତା ଯେମିତି ରହସ୍ୟାବୃତ୍ତ ତାର ଅପରହସ୍ୟ କାରଣ ହୁଏତ ଏତେ ସହଜ ନୁହେଁ । ନାଟକର ରଚନା କାଳ ୧୯୪୦ ଭାବେ ଚିହ୍ନିତ କରାଯାଇଛି । ୧୯୪୦ର ସମସାମୟିକ ନାଟ୍ୟ ପରିବେଶକୁ ଆଲୋଚନାର ପରିସର ମଧ୍ୟକୁ ଆଣିବାର କୌଣସି ଆବଶ୍ୟକ ନାହିଁ । କାରଣ ଯେଉଁ ସଂଘର୍ଷମୟ ପରିବେଶରେ ଅନନ୍ତ ପଟ୍ଟନାୟକ ସେଇ ସମୟରେ ଥିବେ ବୋଧହୁଏ ବନ୍ଦୀ ଭାବରେ ସେ ସମୟରେ ସେ ନାଟ୍ୟଜଗତ ସହ ଆତ୍ମିକ ହେବାର କୌଣସି ସମ୍ଭାବନା ନାହିଁ । ନେହେରୁଙ୍କଠାରୁ ଆରମ୍ଭ କରି ଗୋପବନ୍ଧୁଙ୍କ ପର୍ଯ୍ୟନ୍ତ ବନ୍ଦୀଶାଳାରେ ଥାଇ ଯେଭଳି ଉଚ୍ଚକୋଟିର ସୃଷ୍ଟି କରିଛନ୍ତି, ଅନନ୍ତ ସେହିପରି ଢେଙ୍କାନାଳ ଜେଲ୍‌ରେ ଓ କଟକ ବା ଅନୁଗୁଳ ଜେଲ୍‌ରେ ଥିଲାବେଳେ ଏହି ନାଟକଟି ଲେଖିଥିବେ । କାରଣ ପରିବେଶ ଦୃଷ୍ଟିରୁ ଓଡ଼ିଶା ସ୍ଵତନ୍ତ୍ର ପ୍ରଦେଶ ହେବାର ପରବର୍ତ୍ତୀ ସମୟ ଓ ପ୍ରଜାମଣ୍ଡଳ ଆନ୍ଦୋଳନ ତଥା ସ୍ଵାଧୀନତା ସଂଗ୍ରାମର ପ୍ରସ୍ତୁତିର ଆଦ୍ୟକାଳ ବୈପ୍ଳବିକ ଚେତନାରେ ଉଦ୍‌ବୁଦ୍ଧ ଜଣେ କବି ନାଟକଟିଏ କାହିଁକି ଲେଖିଲା । ତାହା ହୁଏତ ଏକ ପ୍ରଶ୍ନ ହୋଇପାରେ । ତେବେ ଅନନ୍ତ ବହୁ ବିଭାଗକୁ ଏକାଦି କ୍ରମେ ନିୟନ୍ତ୍ରଣ କରିପାରୁଥିବା ଦୃଷ୍ଟିରୁ ନାଟକ ସର୍ଜନା କ୍ଷେତ୍ରରେ ଏକ ପରୀକ୍ଷା ନୀରିକ୍ଷା କରିବା ପାଇଁ ଭାବିଥାଇ ପାରନ୍ତି । ଦୁଃଖର କଥା ଏଇ ଦୁଇଟି ନାଟକ ମଞ୍ଚର ଆଲୋକ ଦେଖି ନାହାନ୍ତି । କେବଳ ‘ରାବଣ’ ନାଟକଟି ବେତାର ନାଟକ ରୂପେ ପ୍ରଚାରିତ ହୋଇଛି ଆକାଶବାଣୀ କଟକରୁ । ତେବେ ‘ରାବଣ’ ନାଟକରେ ଯେଉଁ ଚିରନ୍ତନ ବାର୍ତ୍ତାଟି ଅଛି ଓ ଅନନ୍ତଙ୍କ ଆଦର୍ଶବାଦର ଯେଉଁ ଶୈଳୀ ଓ ଶିଳ୍ପକଳାର ସଂଯୋଜନା ହୋଇଛି ତାହା ତାଙ୍କ ସଂଳାପ ରଚନା ଓ ଚରିତ୍ର ଚିତ୍ରଣରେ ବେଶ ପରିପୁଷ୍ଟ । ନାଟକଟିଏ ପୁସ୍ତକ ଆକାରରେ ପ୍ରକାଶିତ ହେଲେ ତାହା ହେଇଯାଏ ସାହିତ୍ୟ । ତେଣୁ ସମୀକ୍ଷକମାନେ ଏହାର ସାରସ୍ଵତ ସର୍ଜନା ଦୃଷ୍ଟିରୁ କେତେଦୂର ସଫଳ ତାହା ବିଚାର କରିବେ । ଚାରିଟି ଅଙ୍କରେ ବିଭକ୍ତ ରାବଣ ନାଟକ ସେଇ ପୌରାଣିକ ପୃଷ୍ଠଭୂମିରେ ଲିଖିତ, ଯେତେବେଳେ ସୀତାଙ୍କୁ ରାବଣ ଚୋରି କରି ନେଇ ଅଶୋକ ବନରେ ରଖିଛି ଏବଂ ରାମ ଲକ୍ଷ୍ମଣ ଆସିଛନ୍ତି ରାବଣକୁ ପରାସ୍ତ କରି ସୀତାଙ୍କୁ ଉଦ୍ଧାର କରିଛନ୍ତି । ରାମାୟଣର ଏଇ ଆଖ୍ୟାନ ପ୍ରସ୍ତାବନାରୁ ବୁଝିହୁଏ ରାମାୟଣର ସବୁ ଚରିତ୍ରମାନଙ୍କ ସହିତ ଅନନ୍ତଙ୍କର କେତେ ଆମ୍ମୀୟତା ଥିଲା, ତେବେ ଏଭଳି ଏକ ପୌରାଣିକ ଆଖ୍ୟାନକୁ ଭିତ୍ତି କରି ସେ ଯେଉଁ ଶୈଳୀରେ ଚରିତ୍ରମାନଙ୍କୁ ଉପସ୍ଥାପନ କରିଛନ୍ତି ତାହା ପୌରାଣିକ ନାଟକ ଭଳି ଅମିତ୍ରାକ୍ଷର ଛନ୍ଦରେ ନୁହେଁ ବରଂ ଲୋକ ଉପାଦାନରେ ସମଗ୍ର ନାଟକ ଭରପୁର ଓ ସେତେବେଳର ସାମାଜିକ ପୃଷ୍ଠଭୂମିର ଏକ ସଫଳ ସ୍ୱାକ୍ଷର ।

 

ଚତୁର୍ଥ ଦୃଶ୍ୟରେ ଲଙ୍କାର ରାଜପଥରେ ଲକ୍ଷ୍ୟ କରନ୍ତୁ ଗୋଟିଏ ମେହେନ୍ତର ଆଉ ଗୋଟିଏ ସ୍ତ୍ରୀ ଲୋକ ଭିତରେ ଏ ସଂଳାପକୁ…….

 

ମେହେନ୍ତର : ଲଙ୍କାରେ କ’ଣ ଦିଅଁ ଦେବତା ପୂଜା ଅଛି କି ? ବ୍ରାହ୍ମଣତ ମଦ ଖାଇ ଗଡ଼ଗଡ଼ଉଛନ୍ତି । ରାଜାଠୁଁ ଆରମ୍ଭ କରି ଯେତେ ଧନୀ ବଡ଼ବଡ଼ୁଆତ ଠାକୁର ମାନୁ ନାହାନ୍ତି । ଖାଇବାକୁ ନ ମିଳୁ ପଛେ ମଣିଷ ଛୁଇଁ ଦେଲେ ଗାଧେଇ ଦଉଡ଼ୁଛନ୍ତି.... ହାଣ୍ଡିରେ ଖାଏ ଗୋଡ଼ରେ ପଡ଼ିଲେ ଗାଧୋଇ ଯାଏ ......। ରାବଣ ରାମଙ୍କୁ ରାମ ନ କହି ରାଘବ ବୋଲି ସମ୍ବୋଧନ କରୁଛି । ପ୍ରଥମ ଦୃଶ୍ୟରେ ରାବଣ ମନ୍ତ୍ରୋଚାରଣ କରି ଯଜ୍ଞରେ ଆହୁତି ଦେଉଛି ।

 

ରାବଣ : ବ୍ରାହ୍ମଣ କେତେଦିନ ଆଉ ଏଭଳି ଯନ୍ତ୍ରଣା ଦେଉଥିବ । ସ୍ରଷ୍ଟା ତୁମେ କୋଟି କୋଟି ନରନାରୀଙ୍କୁ ନିଜର କେଉଁ ଆନନ୍ଦମୟ ମୁହୂର୍ତ୍ତରେ ସୃଷ୍ଟି କରି କେତେଦିନ ଏପରି ବୁଭୁକ୍ଷୁ, କୀଟାନୁକୀଟ କରି ରଖିଥିବ ? ଜୀବଜଗତରେ ତୁମର ସବୁଠାରୁ ସୁମହତ ସୃଷ୍ଟି ମାନବକୁ କେତେଦିନ ପଶୁପରି ଚାଳିତ କରୁଥିବ । ଲଙ୍କାର ଏ କୋଟି କୋଟି ଅଧିବାସୀଙ୍କୁ ଯଦି କ୍ଷମତା ନ ଦେଲ, ମନୁଷ୍ୟ ହେବାକୁ ଯଦି ଶକ୍ତି ନ ଦେଲ, ଚତୁଃପାର୍ଶ୍ଵର ଅବସ୍ଥା ବିରୁଦ୍ଧରେ ଛିଡ଼ା ହୋଇ ଲଙ୍କାକୁ ସଭ୍ୟତା ଓ ସମ୍ପଦରେ ସମୃଦ୍ଧ କରିବାକୁ, ତେବେ ମତେ କାହିଁକି ତା’ର ଅଧିପ କରି ମୁକୁଟ ପିନ୍ଧାଇଲ ଇତ୍ୟାଦି । ସମୟ ଦୃଷ୍ଟିରୁ ଯଥା ସମ୍ଭବ ସଂକ୍ଷିପ୍ତ ଆଲୋଚନା କରିବା ପାଇଁ ନାଟକର ସାମଗ୍ରିକ ସମୀକ୍ଷା କରିବାର ସୁଯୋଗ ହୁଏତ ସମ୍ଭବ ନୁହେଁ । ତେବେ ରାବଣ ନାଟକ ଆହୁରି ଅନେକ ସାରସ୍ଵତ ସମୀକ୍ଷାର ଅପେକ୍ଷା ରଖେ ।

 

ଅନନ୍ତଙ୍କର ଏଇ ପ୍ରତିଭା ସମ୍ପର୍କରେ ହୁଏତ ତାଙ୍କୁ ଦେଇଥିଲା ‘ସପ୍ତଶଯ୍ୟା’ ଚଳଚିତ୍ରର କାହାଣୀ, ଚିତ୍ରନାଟ୍ୟ ସଂଳାପ, ଗୀତ ଓ ସହ ନିର୍ଦ୍ଦେଶନାର ସୁଯୋଗ । ଏହା ଏକ ବିରୋଧାଭାଷ । ସ୍ଵର୍ଗତ ଭୀମ ସିଂ ଓଡ଼ିଆ ଚଳଚିତ୍ରର ଅଜ୍ଞାତ ଅଧ୍ୟାୟ ଲେଖି ସେଥିରେ ‘ସପ୍ତ ଶଯ୍ୟା’ ସମ୍ପର୍କରେ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଲକ୍ଷଣୀୟ । ଗ୍ରାମର ଉନ୍ନତି ପାଇଁ ଓ ଗ୍ରାମବାସୀଙ୍କୁ ଆଧୁନିକ ସଭ୍ୟତାର ଘିଅ ମହୁ ଚଖାଇବା ପାଇଁ ସ୍ଵପ୍ନ ଦେଖୁଥିବା ଜଣେ ବିତ୍ତଶାଳୀ ଦରଦୀ ମଣିଷର ଅନୁଚର ଅମଣିଷମାନେ ଶିଳ୍ପ ପ୍ରତିଷ୍ଠା ନାଁରେ ସବୁଜ ବନାନୀ ଧ୍ଵଂସକରି ପଲ୍ଲୀର ଶାନ୍ତ ସରଳ ପରିବେଶକୁ କିପରି ଅଶାନ୍ତ ଓ ଉଦ୍‌ବେଳିତ କରିପାରନ୍ତି, ଅର୍ଥ ବଳରେ ଜଗତକୁ ବଳି ଦିଆଯାଇପାରେ ନୀତିରେ କିପରି ନୀରିହ ଶ୍ରମିକ ଓ ବୁଭୁକ୍ଷୁ ଜନତାଙ୍କୁ ଶୋଷଣ ଓ ନିର୍ଯ୍ୟାତିତ କରିପାରନ୍ତି ଏବଂ ତା’ର ପ୍ରତିବାଦରେ ଶ୍ରମିକ ଓ ଜନତାର ମିଳିତ ଶକ୍ତି କିପରି ‘ଜନତାର ମୃତ୍ୟୁ’ ନାହିଁ ବୋଲି ଜବାବ ଦେଇ ପାରେ ଏହି ସାମ୍ୟବାଦୀ ଚିନ୍ତାଧାରା ଉପରେ ଗଢ଼ି ଉଠିଛି ‘ସପ୍ତ ଶଯ୍ୟାର’ କାହାଣୀ । ସାମାଜିକ ବିଷୟ ବସ୍ତୁକୁ ଚଳଚ୍ଚିତ୍ରାୟିତ କରିବାରେ ଏହା ଥିଲା ପ୍ରଥମ ପ୍ରଚେଷ୍ଟା ଓଡ଼ିଶାରେ । ଓଡ଼ିଶାର ଗାଉଁଲି ଗୀତକୁ ପ୍ରଥମ ଥର ପାଇଁ ଚଳଚ୍ଚିତ୍ରରେ ସ୍ଥାନ ଦେଇଥିଲେ ଅନନ୍ତ ପଟ୍ଟନାୟକ ଓ ଏହାର ଆଠଟି ଯାକ ଗୀତ ଲେଖିଥିଲେ ଯାହାର ସଂଗୀତ ନିର୍ଦେଶକ ଥିଲେ ବାଳକୃଷ୍ଣ ଦାଶ ।

 

ଲକ୍ଷ୍ୟ କରନ୍ତୁ ଗୀତଗୁଡ଼ିକୁ :-

 

‘‘ରଙ୍ଗି ଧାନ କିଏ ଲୁଟି ନେଇଛିଲୋ

ବାଟରେ ପଡ଼ିଚି ଚଷୁ

ଗାଁ ମାଇପେ ଲୋ ହୁଳ ହୁଳିଦିଅ

ମୋ ଭାଇ ବେଦୀରେ ବସୁ ।’’

‘‘ଠିଆ ପୁଚି ନାରଙ୍ଗ

ଗୋଡ଼ ଦିଟା ସାରଙ୍ଗ’’ ଇତ୍ୟାଦି.....

 

ଚିତ୍ରଟି ୧୯୫୦ ମସିହାରେ ଆରମ୍ଭ ହୋଇ ମୁକ୍ତି ଲାଭ କରିଥିଲା ୧୯୫୧ ଶେଷଭାଗରେ । ଏହାର ପ୍ରଯୋଜକ ଢେଙ୍କାନାଳ ରାଜା ନୀନି ସାହେବ ଓରଫ ଶେଷ ପ୍ରତାପ ସିଂ ଦେଓ । ନୀନି ସାହେବଙ୍କ ସାଙ୍ଗରେ ସାକ୍ଷାତ କାଳରେ ଭୀମ ସିଂ ତାଙ୍କୁ ପଚାରିଥିଲେ ତାଙ୍କ ରାଜ ପରିବାରର ଶତ୍ରୁ ରୂପେ ବିବେଚିତ ଅନନ୍ତ ପଟ୍ଟନାୟକଙ୍କୁ ଚଳଚିତ୍ରରେ ନିଆ ଯାଇଥିଲା କେମିତି ? ସେ କହିଥିଲେ ସେ ଯଦିଓ ସେତେବେଳେ ଢେଙ୍କାନାଳର ଷ୍ଟେଟ୍‌ ଅଫିସର ଭାବେ କାମ କରୁଥିଲେ ଅନନ୍ତ ପଟ୍ଟନାୟକ ତାଙ୍କର ବା ତାଙ୍କ ପରିବାରର ଶତ୍ରୁ ନ ଥିଲେ । ଥିଲେ ଇଂରେଜ ସରକାରଙ୍କର-। ତେଣୁ ତାଙ୍କର ସୃଜନଶୀଳ ପ୍ରତିଭାରେ ଆକୃଷ୍ଟ ହୋଇ ସେ ଅନନ୍ତ ପଟ୍ଟନାୟକଙ୍କୁ ସପ୍ତଶଯ୍ୟାର କାହାଣୀ ଲେଖିବାର ଦାୟିତ୍ୱ ଦେଇଥିଲେ ।

 

ଅନନ୍ତ ପଟ୍ଟନାୟକଙ୍କ ଅନ୍ୟ ଏକ ନାଟକ ଯାହାକି ଅନନ୍ତ ରଚନା ସମଗ୍ରରେ ଦ୍ୱିତୀୟ ନାଟକ ଭାବରେ ସ୍ଥାନିତ, ତା’ ହେଲା ‘ଚିରି ଅନ୍ଧାର ରାତି’, ଏହା ମଧ୍ୟ ମଞ୍ଚର ଆଲୋକ ଦେଖି ପାରି ନାହିଁ ।

 

ଅଧ୍ୟାପକ ଅବନୀ କୁମାର ବରାଳ ନାଟକ ପୂର୍ବରୁ ‘‘ଚିରି ଅନ୍ଧାର ରାତିରି ଗ୍ରୀନ ରୁମ୍‌’’ ନାମରେ ଯେଉଁ ଭୂମିକା ଲେଖିଛନ୍ତି ସେଥିରୁ ଜଣାପଡ଼େ ତାହା ହେଲା- ସେ ନିଜେ ‘ଚିରି ଅନ୍ଧାର ରାତି’ର ନାମକରଣ କରିଥିଲେ ଏବଂ ଅନନ୍ତ ପଟ୍ଟନାୟକଙ୍କ କବିତାର ଧାଡ଼ିରୁ ଉଠାଇଛନ୍ତି ବୋଲି ସ୍ୱୀକାର ମଧ୍ୟ କରିଛନ୍ତି । ‘ଚିରି ଅନ୍ଧାର ରାତି’ ନାଟକରେ ନାଟକୀୟତା ଅପେକ୍ଷା ସଂଳାପର ଭାଷା ଓ ଚାତୁରୀ ଅଭିନବ । ‘ଇପ୍‌ଟା’ ଦ୍ୱାରା ମଞ୍ଚସ୍ଥ ହେବାକୁଥିବା ଏଇ ନାଟକ ପୋଲିସ୍‌ ଅନୁମତି ନ ଦେବାରୁ ସବୁ ପ୍ରସ୍ତୁତି ସତ୍ତ୍ୱେ ମଞ୍ଚସ୍ଥ ହୋଇ ପାରିଲା ନାହିଁ । ୧୯୫୬ ମସିହାରେ କଥା ଇଏ ।

 

ସେ ଯାହାହେଉ ‘‘ଚିରି ଅନ୍ଧାର ରାତି’’ର ପ୍ରକାଶନ ପରେ ହୁଏତ ନାଟକକୁ ମଞ୍ଚସ୍ଥ କରିବା ପାଇଁ କୌଣସି ନାଟ୍ୟ ସଂସ୍ଥା ଆଗେଇ ଆସି ପାରନ୍ତି ବା ସମୀକ୍ଷକମାନେ ତାଙ୍କର ନାଟ୍ୟ ସମୀକ୍ଷାରେ ଅନନ୍ତ ପଟ୍ଟନାୟକଙ୍କୁ ଏକ ନୂଆ ପରିଚୟରେ ପରିଚିତ କରାଇ ପାରନ୍ତି । କିନ୍ତୁ ଯେଉଁ ତିନୋଟି ନାଟକ ବିଷୟରେ ଚର୍ଚ୍ଚା କରା ହେଉଛି ତାହା ନିଶ୍ଚିତ ରୂପେ କାଳଜୟୀ ନାଟକ ଏବଂ ଓଡ଼ିଆ ନାଟକ କ୍ଷେତ୍ରରେ ନିଶ୍ଚିତ ରୂପେ ଏକ ନୂତନ ସମ୍ଭାବନା ଓ ଐତିହାସିକ ଦସ୍ତାବିଜ୍‌ ।

 

ନାଟକ ସମ୍ପର୍କରେ ଏକ ଦୀର୍ଘ ଆଲୋଚନା ହୁଏତ ପାଠକମାନଙ୍କୁ ବିରକ୍ତିକର ହୋଇପାରେ ତେଣୁ ସମଗ୍ର ଆଲୋଚନାକୁ ଏଇଠି ଶେଷ କରି ମୁଁ ସେଇ ପ୍ରବାଦ ପୁରୁଷଙ୍କୁ ଶତ କୋଟି ପ୍ରଣାମ ଜଣାଉଛି । ତାଙ୍କର ସମସ୍ତ ରଚନା ସେ ଯୁଗ ଯୁଗ ପାଇଁ ଆଲୋଚନା ପର୍ଯ୍ୟାଲୋଚନା ପାଇଁ ସମାଲୋଚକ ବିଦଗ୍ଧ ପାଠକଙ୍କୁ ଖୋରାକ ଯୋଗାଇବ ଏ ବିଶ୍ଵାସ ମୋର ଅଛି । ଶେଷରେ ଗଙ୍ଗାଜଳର ଗଙ୍ଗାପୂଜା କରି ମୁଁ ତାଙ୍କ ସମଗ୍ର ସୃଷ୍ଟିକୁ ପ୍ରଣାମ କରୁଛି ।

 

ମୁଁ କେବେ ଯିବି ମରି

ମନରୁ ମନେ ଉଡ଼ି...

x      x      x

ମଣିବ ନାହିଁ ମତେ

ତେଜିଲି ଦେହ ଭୂଇଁ

ବୁଲି‌ଲି ମୁହୁଁ ମୁହେଁ ଓଠକୁ ଓଠ ଛୁଇଁ

x      x      x

ମୋ ଲାଗି ଯଦି କେବେ - ଟୋପିଏ ଶ୍ରମ ଜଳ

ଯାହାର ହେଉ ପଛେ - ମରମୀ ମାୟାରଚେ

ହେବତ ପାଥେୟ ମୋ

ଓଷାର ଆଶାଫଳ ।

 

ଖାନନଗର, କଟକ-୧୨

***

 

ଅନନ୍ତ ପଟ୍ଟନାୟକ ଆସିଛନ୍ତି ରହିବେ

ରମାକାନ୍ତ ରଥ

 

ବକ୍ତୃତା ଦେବା ପାଇଁ ନୁହେଁ, ଅନନ୍ତ ପଟ୍ଟନାୟକଙ୍କୁ ସମ୍ମାନ ନିବେଦନ କରିବା ପାଇଁ ଏଠାକୁ ଆସିଲି । ସମ୍ମାନ ଦେବା ଆରମ୍ଭ କରିଥିଲି ମୁଁ କଲେଜରେ ପଢ଼ୁଥିବାବେଳେ, କବି ହେବି ବୋଲି ଆଶା କରୁଥିବାବେଳେ । ସେତେବେଳେ ତାଙ୍କର କେତୋଟି କବିତା ପଢ଼ି ଚକିତ ହୋଇଯାଇଥିଲି । ‘‘ଆସିଚି ମୁଁ ଆସିଚି’’ ସେପରି ଗୋଟିଏ କବିତା ।

 

ମୁଁ ଧ୍ଵଂସ କରିବି

ବତ୍ସହରା ନାରୀର ଦଗ୍ଧ ଚକ୍ଷୁର ଜ୍ଵାଳା,

ମୁଁ ବର୍ଷିବି

ସହସ୍ରଧାର ଅଶ୍ରୁର ଏକ ବିନ୍ଦୁ ।

ଲୌହଗର୍ଭ ଧରିତ୍ରୀର ନାଭିପଦ୍ମ ଓଟାରି

ମୁଁ ଆସିଚି,

ତାର ଆତ୍ମା ଶୋଷଣ କରି ମୁଁ ଆଣିଚି ସ୍ତନ୍ୟ ।

ନାରି ! ତୁମର ସ୍ତନାଗ୍ରଚୂଡ଼ାରେ ଟଳମଳ କରୁ

କ୍ଷୀରାବ୍‍ଧିର ବୀଚି ।

 

ସେତେବେଳେ ଏପରି କବିତା ମୋର ସାଧ୍ୟାତୀତ ବୋଲି ବୁଝି ତାଙ୍କ ପ୍ରତି ସମ୍ମାନବୋଧ ଅନୁଭବ କରିଥିଲି । ସମ୍ମାନ କାହାକୁ ଦିଆଯାଏ ? ତମଠାରେ ନଥିବା ଗୁଣ ଓ ଦକ୍ଷତା ଯାହା ପାଖରେ ଥାଏ ତାଙ୍କୁ । ଆଜିବି ଏପରି କବିତା ମୋର ସାଧ୍ୟାତୀତ, ତେଣୁ ଆଜିବି ସେ ମୋର ସମ୍ମାନନୀୟ ।

 

ତାଙ୍କ କବିତାର ଭାଷା ଯୋଗୁଁ ଅନନ୍ତ ପଟ୍ଟନାୟକ ଅନନ୍ୟ । ଆଧୁନିକ ବୋଲି ଅଭିହିତ ହେବାକୁ ଇଚ୍ଛୁକ ଅନେକ କବି ପୂର୍ବବର୍ତ୍ତୀ ସାହିତ୍ୟର, ଜନଜୀବନର ଭାଷାଠାରୁ ଦୂରେଇ ରହନ୍ତି । ଅନନ୍ତ ପଟ୍ଟନାୟକଙ୍କର ସେ ଦ୍ୱିଧା ନ ଥିଲା, ପୂର୍ବବର୍ତ୍ତୀ ଭାଷାସମ୍ଭାରକୁ ସେ ଗୋଟାପଣେ ଆଦରି ନେଇଥିଲେ । ଯେଉଁ କବିତାରେ ‘‘ବର୍ଣ୍ଣାଳିପୁରେ ଯେ ହାତ ନଚାଏ ବର-ବର୍ଣ୍ଣିନୀ ବିଭା’’ ପରି ଅଭିବ୍ୟକ୍ତି ଅଛି, ସେଥିରେ ମଧ୍ୟ ଅଛି-

 

ଚୁପ୍‌କର, ଚୁପ୍‌କର

ମୋବଟ୍‌ବାଜିଲା କପାଳେ କପାଳେ

ଠକ୍ ଠକ୍

ପରି ଅଭିବ୍ୟକ୍ତି ।

 

କବିତାରେ ଆମର ଗ୍ରାମାଞ୍ଚଳର ଭାଷାକୁ ସ୍ଥାନିତ କରିବା ତାଙ୍କର ଥାଉ ଏକ ବୈଶିଷ୍ଟ୍ୟ ଯେଉଁ ଭାଷାରେ ଆଧୁନିକ କବିତା ଲେଖାଯାଇ ପାରିବ ନାହିଁ ବୋଲି ଆମେ ଭାବୁଥିଲୁ ଓ ଏବେବି ଭାବୁଛୁ, ଅନନ୍ତ ପଟ୍ଟନାୟକ ତାଙ୍କର ନିଃସନ୍ଦେହଭାବେ ଆଧୁନିକ କବିତାରେ ସେ ଭାଷା ବ୍ୟବହାର କରିଛନ୍ତି, ତାର ଉପଯୋଗୀତା ପ୍ରମାଣିତ କରିଛନ୍ତି । କେତୋଟି ଉଦାହରଣରୁ ଜଣାପଡ଼ିବ ଯେ ଏ ଭାଷାକୁ କବିତାକୁ ଟାଣିଓଟାରି ଅଣାଯାଇନାହିଁ, ଏ ଭାଷା ବ୍ୟତିରେକେ କବି ଯାହା କହିବାକୁ ଚାହିଁଥିଲେ କହିପାରିନଥାନ୍ତେ, କବିତା ଏତେ ଲଳିତ ହୋଇ ନଥାନ୍ତା ।

 

ଦି’ପୋଷ ଲୁହରେ            ମରମ ପୋଷେକି

ବତୁରାଇ ଦେଲି ଛାଟି,

ସତେ ମିତଣିଲୋ            ତୋ ହସ-ଉଷୁମେ

ଗଜୁରି ଉଠିବ ମାଟି ।

x      x      x

(ସାରେ ବି ପରାଣବୁହା)

ନଈରେ ପଡ଼ିଛି            କଳାଡ଼ଅଁର ଲୋ

ଘାଉଁରି ଯାଉଚି ନାଆ,

କିଏ ମୋଡ଼ିଦିଏ            ଏ ଦିଗେ ସେଦିଗେ

କିଏ ଲୋକ କାହାର ସାହା ।

(ଚଲା ବଉଦରେ)

ଏଇ ନାଗେ ମୋର            ଯାଉଁଳି ବେତ ଲୋ

କାଳିସୀ ଲାଗିଲା ମତେ,

ହାଡ଼େ ହାଡ଼େ ବାଜୁ            ଯୋଡ଼ି ନାଗରା ଲୋ

ଉଡ଼ୁ ଉଡ଼ୁ ମୋର            ଧୂଳି ଗାଗରା ଲୋ

ଝରି ଝରି ପଡ଼ୁ ପଥେ,

କାଳିସୀ ଲାଗିଲା ମତେ ।

(କାଳିସୀ ଲାଗିଲା ମତେ)

 

ଅନନ୍ତ ପଟ୍ଟନାୟକଙ୍କ କବିତା ତାଙ୍କର ବାମପନ୍ଥୀ ଚେତନାପ୍ରସୂତ ବୋଲି ଧାରଣାଟିଏ ପ୍ରତିଷ୍ଠିତ ହୋଇଛି । ତାହା କେତେକାଂଶରେ ସତ, କିନ୍ତୁ ସେତିକି ତାଙ୍କର କବିପଣର ସମ୍ପୂର୍ଣ୍ଣ ବିବରଣୀ ନୁହେଁ । ମୋ ଦୃଷ୍ଟିରେ ସେ ଓଡ଼ିଆ କବିତାରେ ଅତିବାସ୍ତବବାଦ (Surrealism) ର ପ୍ରମୁଖ ପୁରୋଧା । ଏ ଚେତନା ଉପରେ ଆଧାରିତ କବିତାରେ କାବ୍ୟପୁରୁଷ ନିଜ ସହିତ ପରିଚିତ ହେବାକୁ ଚେଷ୍ଟା କରେ । ସେ ବୁଝିଥାଏ ଯେ ସେ ତା ଚାରିପାଖରେ ଯାହା ଦେଖୁଛି, ନିଜ ଭିତରେ ଯେଉଁ ଆଶା, ହତାଶା, ଆବେଗ ଅନୁଭବ କରୁଛି, ତାର ଯାହା ଅଛି ସେ କେବଳ ସେତିକି ନୁହେଁ । ତା ପାଇଁ ସ୍ଵପ୍ନ ଓ ତଥାକଥିତ ସତ୍ୟ ଭିତରେ କିଛି ଫରକ୍‌ ନାହିଁ । ଅନେକ ପରସ୍ପର ସହିତ ମେଳଖାଉନଥିବା ଉପାଦାନଙ୍କର ସମ୍ମିଶ୍ରଣରେ ନିର୍ମିତ ବାସ୍ତବତାକୁ ଆତ୍ମସ୍ଥ କରିବା ପାଇଁ ସେ ନିଜକୁ ପ୍ରସାରିତ କରେ । କଲାବେଳେ ସେ ଯାହା କହେ ତାହା ଗତାନୁଗତିକ ସଙ୍ଗତିସମ୍ପନ୍ନ ଭାଷା ନୁହେଁ, ସେ ଭାଷା ଆମର ନିତିଦିନିଆ ସଂସାରରେ ପ୍ରଚଳିତ ଭାଷାଠାରୁ ଅଲଗା । ତାର ନିବାସ ‘‘ଶବ୍ଦହୀନ କ୍ରନ୍ଦନର କୋଳେ’’, “ମରଣାର୍ତ୍ତ ଜୀବନ-ଗୌରବେ’’ । ସେ ଯାଏ ‘‘ନିଷ୍କାମ କାମନାମୟ’’ ରାସ୍ତାରେ ତାର ପ୍ରିୟ ଲୋକଙ୍କୁ ଭେଟିବାକୁ । ତାର ‘ସେପାଖେ ଖଡ଼୍ଗ, ଏପାଖେ ଅଶ୍ରୁଧାରା, ପଶ୍ଚାତେ ନାଚେ ମରୁ ।’’ ସେ ‘‘ଶବର ସଂସାର ପରେ ଶସ୍ୟର ସାଗର ସୃଜି” ଚାଲିଥାଏ । ଏପରି ଜଣେ କଣ କେଉଁ ମତବାଦ ଭିତରେ ସ୍ଥିର ହୋଇ ରହିବା ଲୋକ ? ତା ପାଇଁ ‘‘ଗାନ୍ଧୀବୁକୁର ରକତ ଧାର, ଲେନିନ୍‌ ଆଖିର ଲୋହିତ ଗାର’’ ଏକାକଥା, ଏକାକଥା ମାର୍କସ-ପ୍ରଦର୍ଶିତ ମାର୍ଗରେ ବିପ୍ଳବ ଓ ଗାନ୍ଧୀଙ୍କର ସତ୍ୟ, ଅହିଂସା, ମୈତ୍ରୀ ମାର୍ଗରେ ବିପ୍ଳବ । ତାର ମେଳଅମେଳ ବାଛବିଚାର ନାହିଁ, କିଛି ଛାଡ଼ିଦେଲେ ସେ ଅପରିପୂର୍ଣ୍ଣ ରହିଯିବ ।

 

ଆଶ୍ଚର୍ଯ୍ୟଜନକ ଶବ୍ଦବିନ୍ୟାସ ଅନନ୍ତ ପଟ୍ଟନାୟକଙ୍କ କାବ୍ୟଶୈଳୀର ଏକ ବିଶିଷ୍ଟ ଗୁଣ । ସେ ଶବ୍ଦ ସବୁ ଆମର ଅପ୍ରତ୍ୟାଶିତ ହେଲେ ବି ଉଦ୍ଭଟ ନୁହନ୍ତି, ସେଗୁଡ଼ିକୁ ବାଦ୍‌ ଦେଲେ ତାଙ୍କର ବକ୍ତବ୍ୟ ଅପ୍ରକଟ ରହିଯାଇଥାନ୍ତା, ‘‘କାମିଜ୍‌ର ଛିଦ୍ରରେ ଉନ୍ନିଦ୍ର ଫୁଲର ସ୍ଵପ୍ନ’’ ପରି ଚିତ୍ରକଳ୍ପ ସହିତ ଆମେ ପରିଚିତ ହୋଇ ପାରି ନଥାନ୍ତୁ । ଏ ଚିତ୍ରକଳ୍ପଟି ଉଦ୍ଭଟ ନା ଏଥିରେ ତାର ବିଧ୍ଵସ୍ତ ସଂସାରରେ ତଥାପି ଆଶା ହରାଇନଥିବା ଜଣକର କଥା କୁହାଯାଇଛି ? ସିଦ୍ଧ କବିମାନେ ହିଁ ଏପରି କବିତା ଲେଖିପାରନ୍ତି, ସିଦ୍ଧକବିମାନେ ହିଁ ନିଜର କବିପଣର ଆସ୍ଫାଳନ ନ କରି ତା ପ୍ରତି ସନ୍ଦିହାନ ହୁଅନ୍ତି । ଅନନ୍ତ ପଟ୍ଟନାୟକ ତାହାହିଁ କରିଛନ୍ତି, କହିଛନ୍ତି-

 

ଆପଣାକୁ ଆପେ ପଚାରି ମରୁଛି

କି ଗୀତ ଗାଇ

ବେଳେବେଳେ କିଆଁ କବିତା ଲେଖେଁ ମୁଁ

କି ଲାଭ ପାଇଁ ?

 

କବିତା ଲେଖି ଅନନ୍ତ ପଟ୍ଟନାୟକଙ୍କର ଲାଭ ନ ହେଲା ନାହିଁ, ଆମର ଖୁବ୍‍ ଲାଭ ହେଲା, କବିତା ସତରେ କଣ ଆମେ ଜାଣିପାରିଲୁ ।

 

 

ଭି-୫୦, ଖାରବେଳ ନଗର,

ଭୁବନେଶ୍ୱର

 

***

 

ସବୁ ସ୍ଲୋଗାନ, ଇସ୍ତାହାରର ଊର୍ଦ୍ଧ୍ୱରେ - ସେ ‘ଅନନ୍ତ’

ସୀତାକାନ୍ତ ମହାପାତ୍ର

 

‘‘କୁଡ଼ୁଆର ଶୂନ୍ୟ ପେଟ ତଳୁ

ନିର୍ଲେପ ନୟନ ତା’ର ଖୁଣ୍ଟୁଥାଏ ଖାଲି ଧୂଳିକୀର୍ଣ ନିର୍ମାଲ୍ୟ କଣିକା ।’’

 

ଶ୍ରଦ୍ଧେୟ ବିଜୟ, ତମ ଚିଠି ପାଇ ଖୁସି ହେଲି, ‘‘କୋଣାର୍କ’’ ଅନନ୍ତ ପଟ୍ଟନାୟକଙ୍କ ଉପରେ ବିଶେଷ ସଂଖ୍ୟାଟିଏ ବାହାର କରୁଛ । ୧୯୮୭ରେ ଏକାଡେମୀ ସୁନ୍ଦର ସ୍ମରଣିକାଟିଏ ଛାପିଥିଲା-ସେଥିରେ ଛୋଟ ପ୍ରବନ୍ଧଟିଏ ଥିଲା ମୋର - ଶୀର୍ଷକ ‘ଧୂଳିର ଫୁଲ ମହକ’ ।

 

ଆଜି ତମ ଚିଠି ଆସିଲା ଦୁଇଦିନ ପରେ ପୁଅ ପାଖକୁ ୨ ମାସ ପାଇଁ କାନାଡ଼ା ଯାଉଛି ସସ୍ତ୍ରୀକ । ଅନନ୍ତ ବାବୁଙ୍କ କବିତାର ମହକ ଅନନ୍ତ ବ୍ୟକ୍ତିତ୍ୱ, ବିପ୍ଲବୀ ଚେତନା, ଓଡ଼ିଆ କାବ୍ୟ ସାହିତ୍ୟକୁ ଅବଦାନ ଓ ତାଙ୍କ ଯୋଗୁଁ କବି ଓଡ଼ିଆ କାବ୍ୟ ଶୈଳୀ ଓ ଛନ୍ଦରେ ହୋଇଥବା ବୈପ୍ଳବିକ ପରିବର୍ତ୍ତନ - ଏ ସବୁ ବିଷୟ କହିବିନି, ଏ କଥା ବହୁଚର୍ଚ୍ଚିତ ଓ ସମୟ ବି ନାହିଁ । କେବଳ ଲେଖୁଛି ଯୋଡ଼ିଏ ଛୋଟ ବିଷୟ । ପ୍ରଥମଟି ହେଉଛି ଅବିସ୍ମରଣୀୟ ରେଲ ଯାତ୍ରା ବିଷୟରେ; ଏବଂ ଦ୍ୱିତୀୟଟି ଶିଶୁଲେଖାର ଶିଶୁସ୍ନେହୀ, ଶିଶୁ-ପ୍ରେମୀ ବିପ୍ଳବର ଧ୍ୱଜାଧାରୀ କବିଙ୍କ ବିଷୟରେ ।

 

ଭୋପାଳରେ ମଧ୍ୟପ୍ରଦେଶ ସରକାରଙ୍କ ତରଫରୁ ଚାର୍ଲସ କୋରିଆ ସ୍ଥପତିଙ୍କ ଦ୍ଵାରା ଡିଜାଇନ ହୋଇଥିବା ସୁନ୍ଦର ‘ଭାରତଭବନ’ ଇନ୍ଦିରା ଗାନ୍ଧୀ ଉଦ୍‌ଘାଟନ କରୁଥାନ୍ତି । ସେ ଉପଲକ୍ଷେ ଅନୁଷ୍ଠିତ ହେଉଥିବା ସର୍ବଭାରତୀୟ କବି ସମ୍ମିଳନୀରେ ଅନ୍ୟମାନଙ୍କ ସହ ଅନନ୍ତ ପଟ୍ଟନାୟକ ଓ ମୁଁ ନିମନ୍ତ୍ରିତ ହୋଇଥାଉ । ଭାରତଭବନ ସେତେବେଳର ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଅର୍ଜୁନ ସିଂ ଏବଂ ସଂସ୍କୃତି ବିଭାଗ ସେକ୍ରେଟାରୀ ଅଶୋକ ବାଜପେୟୀଙ୍କ ପ୍ରଚେଷ୍ଟାରେ ନିର୍ମିତ ହୋଇଥାଏ । ସେ ବିଷୟରେ ଏଠି ଏତିକି କହିଲେ ଯଥେଷ୍ଟ ହେବ ଯେ ‘ଭାରତଭବନ’ ପରେ ପରେ ଭାରତୀୟ ସାଂସ୍କୃତିକ ଅନୁଷ୍ଠାନ ଭିତରେ ସମୁଚ୍ଚ ସ୍ଥାନ ଅଧିକାର କଲା ଓ ପ୍ରସିଦ୍ଧ ଲାଭ କଲା-। ଭାରତଭବନର ଯୋଜନା କାଳ ଭିତରେ ମୁଁ ତାଙ୍କ ଉପଦେଷ୍ଟା ସମିତିରେ ଥିଲି ।

 

ଅନନ୍ତ ବାବୁ, ଶ୍ରୀମତୀ ପଟ୍ଟନାୟକ (ନୀରଦ ପ୍ରଭା) ମୁଁ ଓ ମୋ ସ୍ତ୍ରୀ ଏକାଠି ଭୋପାଳ ରେଳଯାତ୍ରା କଲୁ । ଚାରିଜଣ ଯାତ୍ରୀ ଏକାଠି ବଗିଲେ । ରାତିରେ ଟ୍ରେନ ବଦଳେଇବାକୁ ହେଲା ‘ବୀଣା’ ଜଙ୍କସନ୍‌ରେ । ଟ୍ରେନରେ ଆମେ ଗୋଟିଏ ପରିବାର ହୋଇଗଲୁ । ସାହିତ୍ୟ, କବିତା, ନାନାଜାତି ଗପସପରେ ଅନନ୍ତବାବୁ ମନ କିଣିନେଲେ । ଦୀର୍ଘଯାତ୍ରା ଓ ‘ବୀଣା’ ଜଙ୍କସନ୍‌ରେ ଆର ଟ୍ରେନକୁ ଅପେକ୍ଷା କରିବାରେ କଷ୍ଟ ଲାଗିଲାନି । ଭୋପାଳରେ ଆମକୁ ସ୍ଵାଗତ କଲେ ସଂସ୍କୃତି ବିଭାଗ ଓ ଭାରତଭବନର ଅଧିକାରୀ । ଏକା ହୋଟେଲରେ ଦୁଇଟି ପାଖାପାଖି ରୁମରେ ରହିଲୁ । ତିନି ଦିନର ଅନେକ କାର୍ଯ୍ୟକ୍ରମ ଥିଲା ଉଦ୍‌ଘାଟନ ଉତ୍ସବରେ । ତନ୍ମଧ୍ୟରୁ ମୁଖ୍ୟକବିତା ପାଠୋତ୍ସବରେ ଅନନ୍ତବାବୁ ଓ ମୁଁ ତିନି ତିନୋଟି କବିତା ପଢ଼ିଲୁ । ଆଗରୁ ହିନ୍ଦୀ ଓ ଇଂରେଜୀ ଅନୁବାଦ ପ୍ରସ୍ତୁତ ହୋଇଥାଏ । ଓଡ଼ିଆ କବି ଦିବଂଗତ ଦୀପକ ମିଶ୍ର ଆମ ସହିତ ମଧ୍ୟ ଯୋଗ ଦେଇଥିଲେ ଏବଂ କବିତା ପଢ଼ିଥିଲେ ।

 

କବିବନ୍ଧୁ ଅନନ୍ତ ପଟ୍ଟନାୟକ । ତାଙ୍କୁ ମୁଁ ଅଜସ୍ରଶ୍ରଦ୍ଧା ଓ ସମ୍ମାନ କରେ । ସେ ମୋତେ ସ୍ନେହଶୀଳ ଚକ୍ଷୁରେ ସବୁବେଳେ ଦେଖି ଆସିଥାନ୍ତି । ‘ଛାଇର ଛିଟା’ ମୋ ଉପରେ ପଡ଼ି ସାରିଥାଏ । ନିଜେ ଭଗବତୀ ପାଣିଗ୍ରାହୀ, କାଳିନ୍ଦୀ ପାଣିଗ୍ରାହୀ ଏବଂ ବାମପନ୍ଥୀ ସାହିତ୍ୟିକ ଗୋଷ୍ଠୀ ଭିତରେ ଥିଲେ ମଧ୍ୟ ତାଙ୍କର ସ୍ଵତନ୍ତ୍ର ବେପରୁଆଭାବ ଓ ନିଜକୁ ଆଗଧାଡ଼ିରେ ରଖିବାର ପ୍ରବୃତ୍ତିହୀନତା ମୋତେ ବରାବର ଆକର୍ଷିତ କରିଥାଏ । ସେଇ ରେଲଯାତ୍ରା, ସେଇ ଭୋପାଳ ରହଣି ମୋର ସବୁଦିନ ପାଇଁ ମନେ ରହିବ । ଅନନ୍ତ ବାବୁଙ୍କୁ ଅତି ପାଖରୁ ଦେଖିବା ଓ ଚିହ୍ନିବା ପାଇଁ ସେଇଟା ଥିଲା ଅପୂର୍ବ ସୁଯୋଗ । ସେଇ ଅବିନ୍ୟସ୍ତ ଅଲରା ବାଳ, ଓଠରେ ସଦା ସର୍ବଦା ବିଡ଼ି, ମୁହଁରେ ଅପୂର୍ବ ବିଭା ଏ ସବୁ ପାଖରୁ ଦେଖିପାରିଥିଲି । ପରସ୍ପରର ପରିବାର କଥା ଅନେକ ଗପିଥିଲୁ । ଅମରେଶର କବିତା, ଗୁରୁଚରଣ ବାବୁଙ୍କ ରାଜନୀତି ଓ ସାହିତ୍ୟ ମୋସବୁ ପିଲାମାନଙ୍କ କଥା - ସବୁ ଆଲୋଚନା ପରିସରକୁ ଆସିଥିଲା ସେଇ ଅନ୍ତରଙ୍ଗ ପରିବେଶର ସପ୍ତାହଟିକୁ । ବୀଣାପାଣି ମହାନ୍ତି (ବୀଣା) ପ୍ରାୟ ସବୁବେଳେ ଗପସପ ଭିତରକୁ ଆସୁଥିଲା । ସେ ତ ମୋ କ୍ଳାସମେଟ୍‌ । ତା’ ଭାଷାରେ ଅନନ୍ତ ବାବୁ ନିଜ ଭିତର ଲୋକ । ଶିଶୁଲେଖା ପତ୍ରିକା ସମ୍ପାଦନା ଦାୟିତ୍ଵ ସେ ନେଇଥିଲେ ଏବଂ ସେଥିରେ ଥବା ନାନା ବାଧାବିଘ୍ନ କଥା ସବୁବେଳେ ଆମେ ଦୁହେଁ କଥା ହେଉଥିଲୁ । ବଡ଼ ନିରୋଟ ସତ୍ୟବାଦୀ, ଦୃଢ଼ମନା ଅନନ୍ତବାବୁ ମଝିରେ ମଝିରେ ଶିଶୁଲେଖା ଦାୟିତ୍ୱ ଛାଡ଼ିବାକୁ ଚାହୁଁଥିଲେ । କିନ୍ତୁ ଯେତେ ଦିନ ଚଳେଇଥିଲେ ମୁଁ ତାଙ୍କ ସହ ଏକାଠି ବସିଛି, ଏକାଠି ସମସ୍ୟା ସମାଧାନର ପନ୍ଥା ଖୋଜିଛୁ । ପତ୍ରିକାଟି ଯେମିତି ସର୍ବାଙ୍ଗସୁନ୍ଦର ହେବ ସେଥିପାଇଁ ସେ ବହୁତ ସମୟ, ଧୈର୍ଯ୍ୟ ଓ ଆନ୍ତରିକତା ସହ କାର୍ଯ୍ୟ କରିବା ମନେପଡ଼ୁଛି । ରିଜିଓନାଲ କଲେଜ ସାମ୍ନାରେ ଶିଶୁଲେଖା ଅଫିସ୍‌ଠୁଁ ତାଙ୍କ ନିଜ ଘର, ସବୁଠିଁ ଶିଶୁଲେଖା ଆଲୋଚନା କରିଛୁ । ‘ଶିଶୁଲେଖା’ର ସମ୍ପାଦକ ଅନନ୍ତ ପଟ୍ଟନାୟକ ସବୁଦିନେ ସ୍ମଣୀୟ ହୋଇ ରହିବେ । ଠିକଣା ଗଳ୍ପ, କବିତା, ରଙ୍ଗୀନ, ଚିତ୍ରସଜ୍ଜା ଏସବୁ ମିଶି ଶିଶୁଲେଖାକୁ ଗୋଟେ ନିର୍ଦ୍ଦିଷ୍ଟ ସ୍ଥାନ ଦେଲା ଶିଶୁସାହିତ୍ୟ କ୍ଷେତ୍ରରେ । ‘ଶିଶୁଲେଖା’କୁ କେବଳ ବଞ୍ଚେଇ ରଖିବା ନୁହେଁ ତାକୁ ନୂଆ ରୂପ ରଙ୍ଗରେ ସଜିତ କରିବା ତାଙ୍କର ସ୍ଵପ୍ନ ଥିଲା । ‘ଶିଶୁଲେଖା ଆପଣ ଛାଡ଼ି ପାରିବେନି, କାରଣ ଆପଣ ଶିଶୁଙ୍କୁ ଏତେ ଭଲ ପାଆନ୍ତି’’ ଥରେ କହିଥିଲି । ଉତ୍ତରରେ ତାଙ୍କ ସୁନ୍ଦର ହସଟିକୁ ଭୁଲି ପାରିବିନି ଆଜୀବନ ।

 

ମନେ ପକେଇ ଦେଇଥିଲି ତାଙ୍କର କେଇଟି ଧାଡ଼ି :-

 

‘‘ବେଲୁନ୍‌ଟିଏ ଦେଏ ଲୋ ମାଆ

ବେଲୁନ୍‌ଟିଏ ଦେଏ !

ଦୁଃଖେ ଗୋଳା ହସରୁ ପଛେ

ନେଏ ଲୋ ଟିକେ ନେ ।’’

 

କହିଲି ‘ଶିଶୁଲେଖା’ ଆପଣଙ୍କ ହାତରେ ‘‘ବେଲୁନ୍‌ଟିଏ’’ ଶିଶୁଙ୍କ ପାଇଁ । ଲେଖିକା ବୀଣାପାଣି ତାଙ୍କୁ ଭାଇ ଡାକୁଥିବାରୁ ମୁଁ ବି ଅଧିକାଂଶ ସମୟରେ ଭାଇ ଡାକୁଥିଲି । ସେ ସାଦରେ ଗ୍ରହଣ କରିଥିଲେ ସେ ଡାକ ।

 

ଆମ କାବ୍ୟ ପରମ୍ପରାର ସେ ଏକ ବିସ୍ମୟ ଉଦ୍ରେକକାରଣ ସ୍ରଷ୍ଟା । ତାଙ୍କ କବିତା ‘‘ମୃତ୍ୟୁ ହେ ତୁମେ ଆସିଛ ସେ ଦିନ ଜୟ ଗୌରବେ ହସି’’, ମୃତ୍ୟୁକୁ ଅପାଂକ୍ତେୟ କରି ସାରିଥିଲ ମୃତ୍ୟୁର ଜୟଗୌରବ ମଳିନ ପଡ଼ି ସାରିଥିଲା ୧୯୮୭ ପୂର୍ବରୁ ।

୨୧, ସତ୍ୟନଗର, ଭୁବନେଶ୍ୱର

***

 

କୋଣାର୍କ ୧୬୫ତମ ସଂଖ୍ୟା

ବିପ୍ଳବୀ, ମାର୍କ୍ସବାଦୀ ଓ କ୍ରାନ୍ତିକାରୀ କବି ଅନନ୍ତ ପଟ୍ଟନାୟକ

ଅବନୀ କୁମାର ବରାଳ

 

କବି ଅନନ୍ତ ପଟ୍ଟନାୟକଙ୍କର କବିତା ଓ ସାହିତ୍ୟ, ଅର୍ଦ୍ଧ ଶତାବ୍ଦୀଠାରୁ ଉର୍ଦ୍ଧ୍ୱ ସମୟ କାଳର ଓଡ଼ିଆ ସାହିତ୍ୟର କାବ୍ୟିକ ଇତିହାସ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ସୃଷ୍ଟିର ସମୟ କ୍ରମରେ ସଜାଇ ରଖିଲେ, ଜଣେ ସ୍ଵାଧୀନତା ପୂର୍ବ ୧୯୨୫ଠାରୁ ପରବର୍ତ୍ତୀ ୧୯୮୭ ପର୍ଯ୍ୟନ୍ତ ସମୟକାଳ, ସୁଦୀର୍ଘ ଛଅ ଦଶନ୍ଧିର ଓଡ଼ିଶାର, ତଥା ଭାରତବର୍ଷର ସମସାମୟିକ ବିଚାରଧାରା, ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ବିକାଶ ବା ଅବକ୍ଷୟର ସ୍ପଷ୍ଟଚିତ୍ର ପାଇପାରିବ-। ମାତ୍ର ସେଥିପାଇଁ, ତାଙ୍କର କୌଣସି କବିତା ସଂକଳନର ପ୍ରକାଶକାଳକୁ, ସେଥିରେ ସଂକଳିତ କବିତାମାନଙ୍କର ସମୟକାଳ ବୋଲି ଗ୍ରହଣ କଲେ ବିଭ୍ରାନ୍ତି ଦେଖାଦେବ । କାରଣ, ତାଙ୍କର ଅଧିକାଂଶ କବିତା ସଂକଳନ ସମୟାନୁକ୍ରମ ଅନୁଯାୟୀ ସଂକଳିତ ନୁହେଁ । ଏପରିକି ୧୯୩୫ ଠାରୁ ୧୯୪୦ ମଧ୍ୟରେ ରଚିତ ବା ପ୍ରକାଶିତ କବିତା, ଷାଠିଏ ବା ଅଶୀଦଶକରେ ପ୍ରକାଶିତ ସଂକଳନମାନଙ୍କରେ ସ୍ଥାନିତ ହୋଇଛି । ଏପରିକି ଅଧୁନା ବିଲୁପ୍ତ ‘ରକ୍ତଶିଖା’ର କବିତା ବା ‘ଶାନ୍ତିଶିଖା’ରେ ପ୍ରକାଶିତ କବିତାମାନଙ୍କ ପରି, ଏକ ଭାବକ୍ରମରେ ସମ୍ପାଦିତ ମଧ୍ୟ ନୁହନ୍ତି । ‘ଶାନ୍ତିଶିଖା’ରେ ସଂକଳିତ ବିଶ୍ୱଶାନ୍ତି, ନିରସ୍ତ୍ରୀକରଣ, ନବ୍ୟ ସାମ୍ରାଜ୍ୟବାଦ, ଯୁଦ୍ଧଖୋର ଆମେରିକା ବିରୁଦ୍ଧରେ ପ୍ରକାଶିତ କବିତାମାନଙ୍କ ବାହାରେ ମଧ୍ୟରେ ଅନନ୍ତଙ୍କର ଶାନ୍ତି ସପକ୍ଷରେ ଯୁଦ୍ଧ ବିରୋଧର ପ୍ରଚୁର କବିତା, ଭିନ୍ନ ଭିନ୍ନ ସମୟରେ ପ୍ରକାଶିତ ହୋଇଛି ଏବଂ ବିଭିନ୍ନ ସଂକଳନମାନଙ୍କରେ ସ୍ଥାନିତ ହୋଇଛି । ଅନନ୍ତଙ୍କର କବିତା ସଂକଳନଗୁଡ଼ିକ ସମୟାନୁକ୍ରମିକ ନ ହୋଇଥିଲେ ମଧ୍ୟ, ଏବଂ ସଂକଳିତ କବିତାମାନଙ୍କରେ ପ୍ରାୟତଃ ରଚନାକାଳ ଉଲ୍ଲିଖିତ ନ ହୋଇଥିଲେ ମଧ୍ୟ, ସେମାନଙ୍କୁ ଏକ ସୂତ୍ରରେ ଗୁମ୍ପିତ କରିଛନ୍ତି, ତାଙ୍କର ଜୀବନର ଦର୍ଶନ ଓ ଆଦର୍ଶ ତଥା ତାଙ୍କର ଭାଷାର ଯାଦୁଗରୀ ଏବଂ ଶବ୍ଦ ସଂଯୋଜନାରେ ବୈଚିତ୍ର୍ୟ ଏବଂ ସ୍ଵାତନ୍ତ୍ର୍ୟ, ଯେଉଁଥିରେ ଅନନ୍ତ ହିଁ ନିଜର ପଟାନ୍ତର ।

 

କବି ଅନନ୍ତ ପଟ୍ଟନାୟକ ତାଙ୍କର ନିଜର ଲେଖନୀର, ‘ସାହିତ୍ୟ : ଅଭିବ୍ୟକ୍ତି’ରେ, କବି ଓ କବିତା ସମ୍ପର୍କରେ ଉଲ୍ଲେଖ କରିଛନ୍ତି ଯେ, ‘‘ଯେଉଁ ସମାଜର, ଯେଉଁ କାଳର ବେଷ୍ଟନୀରୁ ଉଦ୍‌ଭୁତ ସେମାନେ, ଠିକ୍‌ ସେହି ସମାଜ ଆଉ କାଳର ଆର୍ଥନୀତିକ, ରାଜନୈତିକ, ବୈଜ୍ଞାନିକ, ମନସ୍ତାତ୍ତ୍ୱିକ ଆଦି ଯାବତୀୟ କ୍ରିୟା ପ୍ରକ୍ରିୟା ଆଉ ଘଟଣାରେ ପ୍ରଭାବିତ ଓ ପ୍ରଚଳିତ ହୋଇଥାଆନ୍ତି ।’’ ତାଙ୍କ ମତରେ ‘‘ଯେଉଁମାନେ ବିଚାରନ୍ତି, କବିତାର ଆୟୁଷ୍କାଳ ନାହିଁ, ତାହାର ପ୍ରକାଶର ଅଭିବ୍ୟକ୍ତିର ଆବଶ୍ୟକତା ନାହିଁ ସେମାନେ ବିଚାରିବା ଉଚିତ, ପ୍ରତ୍ୟେକର ଜୀବନରେ ଏଭଳି ଏକ ମୁହୂର୍ତ୍ତ ଆସେ, ଯେତେବେଳେ କବିତାର ସ୍ଵତଃସ୍ଫୂର୍ତ୍ତି ହୁଏ ।’

 

ତାଙ୍କ ନିଜ ଭାଷାରେ ତାଙ୍କର ବା ଅନ୍ୟ କବିର, ‘xxxକବିତାରେ ଚେତନାର ବିଦ୍ୟୁତ୍‌ ଅଛି, ଆଣବିକ ଶକ୍ତିର ସ୍ଫୂର୍ତ୍ତି ଅଛି, ଏହାର ରୀତିରେ, ରୂପରେ ବୈଚିତ୍ର୍ୟ ଅଛି । ଗ୍ରାହକ ଆଉ ଗ୍ରାହୀକାର ସମାଜରେ ଜୀବନର ବୈଚିତ୍ର୍ୟ ଭଳି - ସମରେ ବିଷମ ବା ବିଷମରେ ସମ, ବହୁ ରୂପିଣୀ ହୋଇ ବହୁରୂପୀ ଚିତ୍ତକୁ ମୋହିତ କରେ, ଆନନ୍ଦ ଦିଏ, ତତାଏ, ମତାଏ, ହସାଏ, ଭସାଏ, ବୁଡ଼ାଏ, ଉଡ଼ାଏ, ମାରେ, ଜୀଆଏxxx’’ । ‘‘ବିଦ୍ୟୁତ୍‌ ଚୁମ୍ବକର କ୍ଷେତ୍ରଭଳି ପ୍ରତ୍ୟେକ ହୃହୟରେ, ସେ ଯେତେ ନିର୍ମମ ହେଉ ପଛେ, ଚାତୁର୍ଯ୍ୟମୟୀ ରଶ୍ମୀର ଶିଖା । କେଉଁଠି ଏହା ସାଗା, ଗାଥା, ସନେଟ୍‌, ଚୌପଦୀ (ମୁକ୍ତକ, ମାତ୍ରାବୃତ୍ତ) - କେଉଁଠି ଭକ୍ତିମୂଳକ, ଭଜନମୂଳକ ଗୀତିର ତୁଳସୀ କି ବିଶ୍ଵର ମଞ୍ଜରୀ ହୋଇ, ଚେରୀର ଗୁଚ୍ଛ, ଅଶ୍ୱତ୍‌ଥ କି ଓକ୍‌ରପଲ୍ଲବ ହୋଇପାରେ’’। ‘‘ଦେଶକାଳର ପ୍ରଭେଦ ଅନୁସାରେ କେଉଁଠି ଏହା କୌତୁକମୟ, କ୍ରୀଡ଼ାମୟୀ, ଲାବଣ୍ୟମୟୀ, ଲଜ୍ଜାରୁଣା ତ୍ରସ୍ତ ଆଉ ଚକିତା, କେଉଁଠି ଅବା ପାଶ୍ଚାତ୍ୟ ଆଉ ପ୍ରାଚ୍ୟର ସମନ୍ଵୟରେ ରୁଚି ଆଉ ଅର୍ଦ୍ଧ ରୁଚିରେ ବିଚିତ୍ରା । ମାତ୍ର ସବୁବେଳେ, ସବୁଠାରେ ଏହା ଜୀବନର ନିର୍ଯ୍ୟାସ । ସେହି ଜୀବନର ଉପାଦାନ, ଆତ୍ମାର ଆଧେୟ-।’’ xxx

 

କବି ଅନନ୍ତ ପଟ୍ଟନାୟକଙ୍କର ସାହିତ୍ୟ ସୃଷ୍ଟି ଯେପରି ଭାବରେ, ତାଙ୍କ ନିଜର ଭାଷାରେ, ‘‘ଯେଉଁ କାଳର ବେଷ୍ଟନୀ ଭିତରୁ ଉଦ୍‌ଭୁତ, ସେହି ସମୟରେ ସାମାଜିକ, ରାଜନୈତିକ, ଅର୍ଥନୈତିକ, ମନସ୍ତାତ୍ତ୍ୱିକ, ବୈଜ୍ଞାନିକ କ୍ରିୟା-ପ୍ରକ୍ରିୟା ଓ ଘଟଣାବଳୀ ଦ୍ୱାରା ପ୍ରଭାବିତ ଓ ପ୍ରଚାଳିତ”, ସେହିପରି ତାଙ୍କର କବିତାବଳୀ ଓ ସାହିତ୍ୟ ସୃଷ୍ଟିର କ୍ୟାନ୍‌ଭାସ୍‌ ବିଶାଳ, ବ୍ୟାପକ, ବିରାଟ ଓ ବୈଚିତ୍ର୍ୟମୟ ଏବଂ ଚଳଚଞ୍ଚଳ । ତାଙ୍କର କବିତାମାନଙ୍କର ବୈଚିତ୍ର୍ୟମୟୀ, ବର୍ଣ୍ଣିଳ ରୂପ ଭିତରେ, ବିଭିନ୍ନ ବର୍ଣ୍ଣର ଭଳିକି ଭଳି ସେଡ଼୍‌କୁ, ନିରିଖି ନିରିଖି ଦେଖିଲେ କିନ୍ତୁ ମିଳିବେ, ଏଇ ମାଟି, ପାଣି, ପବନ, ସମାଜର ମଣିଷ । କେତେବେଳେ ସେ ଶିଶୁ ହୋଇ ଦରୋଟି ଭାଷାରେ, ‘‘ବେଲୁନ୍‌ଟିଏ ଦେଏ ଲୋ ମାଆ ବେଲୁନ୍‌ଟିଏ ଦେଏ’’ ବୋଲି ଡାକେ ତ, କେତେବେଳେ କିଶୋର/କିଶୋରୀଟିଏ ହୋଇ, ଗାଇ ଉଠେ, ‘‘ତୁମରି ଲୁହରୁ ଜନମ ଆମ, ତୁମରି ତ ଆମେ ସପନ ଫୁଲ । ତୁମର ହସର ପାଖୁଡ଼ା ମେଲୁ - ତୁମ ସାଧନାର ମହକ ମୂଲ’’, -କେତେବେଳେ ଅବା ‘‘ପ୍ରୀତିବଛାଳି’’ ହୋଇ ଜୀବନ-କ୍ଷେତରେ ମାଡ଼ିଥିବା ‘‘କଥାର କୋଦୁଅ କେତେକୁ’’ ନଇଁପଡ଼ି ଖେଳୁଆ ପକାଏ, ପୁଣି କେତେବେଳେ, ‘‘ମେଘକନ୍ୟାର କୁନ୍ତଳ କେରି କେରି’’କୁ ‘‘ଉନ୍ମାଦ ବୁକେ ବରିନିଅ ତାକୁ ପ୍ରାଣେ’’ ବୋଲି ଆବେଗରେ ଗାଇ ଉଠେ । ଶାନ୍ତି ପାଇଁ ଦୁର୍ବାର ଯୁଦ୍ଧର ଯୋଦ୍ଧା ଭାବରେ ପୃଥିବୀର ନବସାମ୍ରାଜ୍ୟବାଦୀ ଯୁଦ୍ଧଖୋର ଶକ୍ତିକୁ, ବିଶ୍ଵର ଅଗଣନ ଶାନ୍ତି ଯୋଦ୍ଧାଙ୍କର ଆହ୍ୱାନ ଶୁଣାଏ, ମଣିଷର ମହାଜାଗରଣର ସ୍ରୋତରେ, ‘‘ଝଡ଼ିଯାଏ, ଝଡ଼ିଯିବେ, ଝଡ଼ି ପୋକ ପରି ତୁମ ଗୋଳିଗୋଳା ଫୁଟାଳୀ ।’’ - କାରଣ ‘‘ଆମେ ଆଜି ମାତିଲୁଣି - ପ୍ରୀତି-ତାପେ-ତାତିଲୁଣି ।’’ କବି କେତେବେଳେ, ‘‘ଅନ୍ତନାଡ଼ି ମୋ ଦୁହିଁ ଓଟାରି ମୁଁ - କଥାଟିଏ ଗାଏ - କଥାଟିଏ ଗାଏ ବସି’’ - ଗାଈ, ମଣିଷ ଜାତିର ନବଜାଗରଣରେ ଉନ୍ମତ୍ତ ହୋଇ ଗାଇ ଉଠେ ।

 

x      x      x

‘‘ଆଜି ଆନନ୍ଦ, କେଡ଼େ ଆନନ୍ଦ ମୋର-

ତୁମେ ଯେ ଶୁଣିଚ ଯୁଗ ଆହ୍ଵାନ ।

ମୋର ଆହ୍ୱାନ

ତୋଳିଛ ଆକାଶେ ମୈତ୍ରୀର ଗାନ

ତୁମ ପଟୁଆରେ, ଚାଲିଛି ମୁହିଁ ଯେ

x      x      x

କିଏ ମୁହିଁ, କିଏ ମୁହିଁ ।

ନିତି ତାରୁଣ୍ୟର ତୃଷାରେ ତୃଷାରେ

ମୁହିଁ କି ଖେଳୁନି

ତୁମ ଭବିଷ୍ୟ ଛୁଇଁ !’’

 

ଅନନ୍ତ ପଟ୍ଟନାୟକ ଶିଶୁଶ୍ରେଣୀର ଅବୋଧ ବାଳକ, ବାଳିକାଙ୍କ ପାଇଁ ତାଙ୍କ ମନଭୁଲାଣିଆ କବିତା/ସାହିତ୍ୟ ସୃଷ୍ଟିଠାରୁ ଆରମ୍ଭ କରି, ଉପାଧ୍ୟୁତ୍ତର ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ କବିତା ଲେଖିଛନ୍ତି-ସାହିତ୍ୟ ସୃଷ୍ଟି କରିଛନ୍ତି । ଅନନ୍ତଙ୍କର କବିତା ମାଟ୍ରିକ ପୂର୍ବଶ୍ରେଣୀଠାରୁ ମାଟ୍ରିକ ଶ୍ରେଣୀରେ, ଆଇ.ଏ. ବା +୨ ଶ୍ରେଣୀରେ, ବି.ଏ. କ୍ଲାସରେ, ବି.ଏ. ଅନର୍ସରେ, ଉପାଧ୍ୟୁତ୍ତର ଶ୍ରେଣୀରେ ପାଠ୍ୟ ଭାବରେ ରହିଆସିଛି । ଏବେ ମଧ୍ୟ ରହିଛି । ସେଥିସହିତ ସେ ଲେଖିଛନ୍ତି କାନ୍ଧରେ ନାଲିପତାକା ପକାଇ ଅବା ଫେଷ୍ଟୁନ ଧରି ଗାଇ ଗାଇ ଯାଉଥିବା ଚାଷୀ ପାଇଁ, ମଜ୍‌ଦୁର ପାଇଁ, ପ୍ରଜାମଣ୍ଡଳ ଆନ୍ଦୋଳନରେ ଗୀତ ହେବା ପାଇଁ, କୃଷକ ସମ୍ମିଳନୀଠାରୁ ଛାତ୍ର, ଯୁବ, ସାହିତ୍ୟ ସମ୍ମିଳନୀରେ ପ୍ରାରବ୍ଧ ସଙ୍ଗୀତ ଭାବରେ ଗୀତ ହୋଇ ଦିଗ୍‌ନିର୍ଦ୍ଦେଶ କରିବା ପାଇଁ କବି ଗାଇ ଉଠିଛନ୍ତି-

 

‘‘ମୁଲକ ଯାକର ମାଲିକ, ଚାଷୀ

ତୋଳିଧର ତୋର ପତାକା ଆସି,

ମଜୁରୀଆ, କୁଲି ହେ ଉପବାସୀ

ତୋଳିଧର ତୋର ପତାକା ଆସି,

ତୋହରି ରକତେ ଲାଲ,

ଚାଲରେ ଚାଲରେ ଚାଲ’’

x      x      x

 

କିମ୍ବା ଗାଇଛନ୍ତି –

‘‘ଆମେ ମୂଲିଆର ଜାତି ଜାଗିବୁଁ

ମରୁଛୁ ତ ନିତି ଭୋକ ଉପାସରେ

ଥରେ ହେଲେ ଶିର ତୋଳିବୁ

ଆମ ହାଡ଼ମାଂସେ ଯେ ଗଢ଼ିଲେ କୋଠା

ଆମ ଲହୁ ଶୋଷି ଯେ ବା ହେଲେ ମୋଟା

(ସେଇ) ଜମିଦାର, ସାହୁକାର କୁଳ

ଆଣ୍ଟପଣ ସବୁ ସାରିବୁ ।’’

x      x      x

 

କବି ଅନନ୍ତ ପଟ୍ଟନାୟକଙ୍କର ନିଜ ସାନଭାଇ ପରି ଅତିପ୍ରିୟ ଗୋବିନ୍ଦ ଚନ୍ଦ୍ର ମହାନ୍ତି ଲେଖିଛନ୍ତି, ‘‘ଆଜିର ନବୀନ ବଂଶଧରଙ୍କ ପାଖରେ ବୁଢ଼ୀମା କାହାଣୀ ପରି ଲାଗିପାରେ । ମାତ୍ର ୧୯୩୫/୩୬ରେ ସାରା ଭାରତ ପରି ଓଡ଼ିଶାର ସ୍ଵାଧୀନତା ସଂଗ୍ରାମରେ ଆଉ ଏକ ବଳିଷ୍ଠ ସଂଗ୍ରାମର ସ୍ରୋତ ଆସି ସାମିଲ ହେଲା । ଜମିଦାର, ମଠ ମହାନ୍ତ- ଗୌନ୍ତିଆ, ସର୍ବରାକାର, ମକଦ୍ଦମଙ୍କ ଜମିଦାରୀରେ ବ୍ରିଟିଶ ବାହୁଛାୟା ତଳେ ମଧ୍ୟଯୁଗୀୟ ବର୍ଗର ଅତ୍ୟାଚାର, ଲୁଣ୍ଠନ, ଶୋଷଣ, ଧର୍ଷଣ, ହତ୍ୟାକାଣ୍ଡ, କର ଟକିସ, ମାଗୁଣି, ବେଠି, ବେଗାରୀ ! ମନେ ଅଛି କବି ଅନନ୍ତଙ୍କ ଗାନ- ’’

 

‘‘ଜୀବନ ଧରି ହେ, ଢାଳିଲୁ ରକ୍ତ ତୋଳିଲୁ ସଉଧମାଳା-

ଆମରି ଲାଗିରେ ଶାସନ ଶକ୍ତ ଆମେଇ ସର୍ବହରା ।

‘‘ଝାଞ୍ଜି ପବନ ସହିରେ ସଘନ ଗହୀରେ ରୋଇଲୁ ଧାନ ।

ବରଷା କାଦୁଅ ଚକଟି କେତେରେ ଖୀନ୍ନ କରିଲୁ ପ୍ରାଣ ।

x      x      x

ଆମେଇ ଗଢ଼ିଲୁ ବନ୍ଧୁକ ତୋପ ତରବାରୀ ଆମ ପାଇଁ,

ଆମେଇ ତୋଳୁରେ କାରାର ପ୍ରାଚୀର ବନ୍ଧନ ଗୀତି ଗାଇ

x      x      x

ପ୍ରାପ୍ୟ ଆମର ନେବୁରେ ମୁକର ଆମେ ଶ୍ରମିକର ଜାତି,

ଫୁଟାଇବୁ ଆଜି ରକ୍ତ ପ୍ରଭାତ ଚିରି ଅନ୍ଧାର ରାତି ।’’

 

ଅନନ୍ତଙ୍କ ଏ ଗୀତଟିକୁ ଚୁଙ୍ଗୀଧରି ବୋଲି ବୋଲି କୃଷକ ଆନ୍ଦୋଳନର କର୍ମୀମାନେ ଗାଁ ଗାଁରେ ବୁଲି ଆସିଲେ, ଲୋକଙ୍କ ଭୟ ଭାଙ୍ଗୁଥିଲା- ସଭା ସମିତିକୁ ଆସୁଥିଲେ ।’’

 

ଢେଙ୍କାନାଳ ପ୍ରଜାବିଦ୍ରୋହର ନାୟକ ବୀର ବୈଷ୍ଣବ ପଟ୍ଟନାୟକ ଅନନ୍ତଙ୍କର ସ୍ମୃତିଚାରଣ କରି ଲେଖିଛନ୍ତି, ‘‘ଢେଙ୍କାନାଳ ଆନ୍ଦୋଳନକୁ ଯେଉଁ ବୈପ୍ଳବିକ ଗୀତଗୁଡ଼ିକ ବଳଶାଳୀ କରାଉଥିଲା, ସେ ଗୀତ ସବୁ ପ୍ରାୟ ଅନନ୍ତବାବୁ ଲେଖିଥିଲେ ଓ ସେ ଗୀତଗୁଡ଼ିକୁ ମାଳତୀଦେବୀ ନିଜେ ବୋଲୁଥିଲେ । ଢେଙ୍କାନାଳ ଆନ୍ଦୋଳନରେ କେବଳ ଲାଲ ଝଣ୍ଡାର ଗୀତ ବୋଲା ଯାଉଥଲା ଏବଂ ସମାଜବାଦ ଓ ସାମ୍ୟବାଦର ଆଦର୍ଶମୂଳକ ଗୀତ ବୋଲାଯାଉଥିଲା- ’’

 

---‘‘ଅନନ୍ତବାବୁ ଯଦିଓ ମୋଗଲବନ୍ଦୀର ଲୋକ ଥିଲେ, ସେ କିନ୍ତୁ ଢେଙ୍କାନାଳ ଆନ୍ଦୋଳନ ବେଳେ, ପ୍ରଜାମାନଙ୍କ ସାଙ୍ଗେ ଢେଙ୍କାନାଳ ଭିତରେ ରହି ପ୍ରଜାମାନଙ୍କୁ ସଙ୍ଗଠିତ କରି ଦମ୍ଭ ସାହସ ଦେଉଥିଲେ । ସେଥିପାଇଁ ଅନନ୍ତବାବୁଙ୍କୁ ଢେଙ୍କାନାଳ ରାଜା ୨ ବର୍ଷ ପର୍ଯ୍ୟନ୍ତ ଜେଲ୍‌ରେ ରଖିଥିଲେ-। xxx ‘‘ଗୋଟିଏ କଥା ଅଛି- - - ‘‘ଗୀତ ଲୋକଙ୍କୁ ଏକଜୁଟ୍‌ କରେ ।’’ ମୁଁ ତାଙ୍କର ବିପ୍ଳବୀ ଜ୍ଵାଳାମୟୀ ଗୀତଗୁଡ଼ିକ ବୋଲିବାକୁ ଭାରି ଭଲ ପାଏ ଏବଂ ତାଙ୍କରି ଗୀତଗୁଡ଼ିକ ମୁଁ ହଜାର ହଜାର ଲୋକଙ୍କ ଆଗରେ ବୋଲି, ଲୋକମାନଙ୍କୁ ଉନ୍ମାଦିତ କରାଇଛି । xxx (ଅନନ୍ତ ବାବୁଙ୍କ ସଙ୍ଗେ ମୋର ସମ୍ପର୍କ : ବୈଷ୍ଣବ ପଟ୍ଟନାୟକ : ନୂଆ ଦୁନିଆ ସ୍ମୃତି ବିଶେଷାଙ୍କ ୫.୭.୧୯୮୭) ।’’

 

କବି ଅନନ୍ତ ପଟ୍ଟନାୟକ ଭାଷାର ଯାଦୁଗର । ଶବ୍ଦ ସଂଯୋଜନାରେ, ସମଗ୍ର ସମସାମୟିକ ଓଡ଼ିଆ ସାହିତ୍ୟରେ, ସେଇ ହିଁ ତାଙ୍କର ନିଜର ପଟାନ୍ତର । ଅନ୍ୟ କୌଣସି ସମାନ୍ତରାଳ କବି, ମୋ ଗୋଚରରେ ବା ଆଲୋଚକମାନଙ୍କ ମଧ୍ୟ ଗୋଚରରେ ନଥିବେ, ଯିଏ ଅତ୍ୟାଧୁନିକ, ଏପରିକି ସାମୟିକ ରାଜନୈତିକ ଆନ୍ତର୍ଜାତୀୟ ଭାବଧାରା ପ୍ରକାଶ କରିବା ପାଇଁ କବିତାରେ ସମ୍ପୂର୍ଣ୍ଣ ଗ୍ରାମ୍ୟ, ଗାଁ ଗହଳର ମଣିଷଙ୍କର ତୁଣ୍ଡର ଶବ୍ଦ ବ୍ୟବହାର କରନ୍ତି ବା କରୁଥିଲେ-। ଅନେକ ଦିନ ଧରି ଲକ୍ଷ୍ୟ କରିଛି, କବି ବେଳେବେଳେ ଗୋଟିଏ ଶବ୍ଦ, ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ଶବ୍ଦ ଆବିଷ୍କାର କଲାଭଳି ମନକୁ ଆଣି ବ୍ୟବହାର କରିବା ପାଇଁ ଘଣ୍ଟା ଘଣ୍ଟା ଧରି କାଗଜରେ ଗୁରେଇ ତୁରେଇ ଲେଖନ୍ତି । ତାଙ୍କର ଶବ୍ଦଗୁଡ଼ିକ ଗାଁ ଗହଳର ମଣିଷଙ୍କର, ଝିଅ-ବୋହୂ ଭୂଆଷୁଣୀଙ୍କର ତୁଣ୍ଡର ଶବ୍ଦ । ଚଳନ୍ତି ଭାଷାରୁ ଛଣା ହୋଇ ଆସିଥାଏ ସେ ଶବ୍ଦ ରାଜି ।

 

ଯେମିତି ‘ଅନିସା’, ‘ପ୍ରୀତି ବଛାଳି ଲୋ’, ‘ଖେଳୁଆ ପକାତୁ ନଇଁ’, ‘ଘରେ ଘରେ ଭରିଦେଲ କେତେ ଘା’ ଘୀଉଡ଼’, ‘ମେଘ କନ୍ୟାର କୁନ୍ତଳ କେରିକେରି’, ଅବା ‘‘କା’ ବାସି ପୀରତିରେ ଲୁହର ଲୁଣ-ରୁଆ । ଭୋକର ଛିଗୁଲାରେ ଛଇଳି ଛାଏଁ ଛାଏଁ’’, ‘‘ଗଡ଼ିଯାଏ ତୁମ ଖଡ଼ିଗୋଟାଳି, ‘ଝଡ଼ିଯିବେ ଝଡ଼ିପୋକ ପରି....’ ‘‘ବାଦଶାହୀ ବ୍ୟଥା, ବରା ଗୁଲୁଗୁଲା ମୟ’’ ‘‘ଏଇ ଶରତର ସକାଳ ଉଖାରିଦେଲି’’, ‘ବିହନ ଓଳିଆ ଓରିହାଖିଆ ମୋ ଓରିହା ଖିଆ.... ପୋକରା କଥାର ମାନ’’.... ଇତ୍ୟାଦି ଅସଂଖ୍ୟ ଦୃଷ୍ଟାନ୍ତ ଦିଆଯାଇପାରେ ।

 

ଆହୁରି ସ୍ପଷ୍ଟ ଭାବରେ କହିଲେ, କବି ଅନନ୍ତ ତାଙ୍କ କାବ୍ୟ ସୃଷ୍ଟିର ଏକ ଅପରୂପ ବୈଭବ ଓ ବୈଚିତ୍ର୍ୟ ଭାବରେ, ଗାଁ ଗହଳର ଚାଷୀ-ମୂଲିଆ-ହଳିଆ, ବୋହୁ, ଝିଅ, ଭୂଆଷୁଣିଙ୍କର ମୁହଁର ଭାଷାରେ ବିଭବକୁ ଏକ ବିଶେଷ ଭଙ୍ଗୀ ଭାବରେ ଅତ୍ୟାଧୁନିକ ଭାବ ବ୍ୟକ୍ତ କରିବାରେ ସକ୍ଷମ କରି ବ୍ୟବହାର କରିଛନ୍ତି । ଏପରି ଶବ୍ଦ ଖୋଜି ଲୋଡ଼ି ବ୍ୟବହାର କରିବା, ତାହା ପୁଣି ସମାନ୍ତରାଳ ଭାବରେ ଅତ୍ୟାଧୁନିକ ଆନ୍ତର୍ଜାତିକ ରୂପକଳ୍ପ, ଚିତ୍ରକଳ୍ପ ବଖାଣିବାରେ ସାର୍ଥକ ଭାବରେ ବ୍ୟବହାର କରିବା ଯେପରି ଆୟାସ ସାଧ୍ୟ, ସେପରି କଷ୍ଟସାଧ୍ୟ । ସାମଗ୍ରିକ ଭାବରେ ଜଣେ ଓଡ଼ିଶାର ପୁରପଲ୍ଲୀର, ଗାଁ ଗହଳର ମଣିଷକୁ ଟିକିନିଖି ଭାବରେ ନଜାଣିଲେ ଏ ଭାଷା ବିଭବ ଆୟତ୍ତ କରିବା ସମ୍ଭବ ନୁହେଁ ।

 

କବିଙ୍କର ଅସଂଖ୍ୟ କବିତାରେ, ଏହି ବାଚନଭଙ୍ଗୀ, ଶବ୍ଦ ବ୍ୟଞ୍ଜନା ଓ ରୂପକଳ୍ପମାନ ଚିତ୍ରାୟିତ ହୋଇଛି । ତାହା ପୁଣି ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଆନ୍ତର୍ଜାତୀୟ ଘଟନା ସହିତ, ପ୍ରାଚୀନ ଚିତ୍ରକଳ୍ପର ସମନ୍ଵୟରେ -ଯେପରି, ମିଳିତ ଜାତିସଂଘ ବ୍ୟବହାର ନ କରି, ‘‘ଫିକା ପଡ଼େ ତୁମ ରାଜ ମଥାମଣି’’ କବିତାର କବି ଲେଖିଛନ୍ତି –

 

‘‘ଜାତି - ପଞ୍ଚର - ପାଲାରେ ପକାଇ,

ଆଖିରେ ତ ଲୁହ ଆଣିଲ ଜକାଇ,

ଡାକି କହୁଁ ଆମେ ଆହେ ଆତତାୟୀ ।

ଛାଡ଼ ଯମ-ତୀତି, ଆଣ ପ୍ରୀତିରୀତି ।

(ତାହା) ତୁମର ଆମର, ସାରା ଦୁନିଆର - ଶାନ୍ତିର ପଥ ଖୋଲିବ ।’’

(ଫିକା ପଡ଼େ ତୁମ - ଶାନ୍ତିଶିଖା)

କିମ୍ବା ‘ତୁମେ ଜାଣିଛ କି ?’ କବିତାରେ,

xxx ‘‘ସାରା ଦୁନିଆରେ ସେ ଯେ ସବାଖିଆ

ତା’ର ଜୟମାଳି ଜପି ମରୁଥାଅ !

xxx

‘‘ତୁମ ଶିରା-ପଟୁକାରେ ହୀରା ଖଚେ,

ତୁମେ ବୁଲ ଦୁନିଆରେ ଭାତ ମାଗି

xxx ତା’ର ବେଉସା ବଢ଼ାଇ, ତୁମ ଘରେ

ତୁମେ ମୁର୍‌ଦାର, ସେ ଯେ ଦରବାରୀ ।’’ (ଶାନ୍ତଶିଖା)

 

ନବ୍ୟ ଉପନିବେଶବାଦ, ସାମ୍ରାଜ୍ୟବାଦ ତଥା ଜଗତୀକରଣ/ଉଦାରୀକରଣର ଶୋଷଣର ଭୟାବହତା ବର୍ଣ୍ଣନା କରିବାକୁ କବି ‘ସବାଖିଆ’ ‘ଶିରା-ପଟୁକା’ ‘ବେଉସା ବଢ଼ାଇ’ ଶବ୍ଦ ତିନୋଟି ବ୍ୟବହାର କରିଛନ୍ତି ।

 

‘‘ନାଚେ ମୁଁ ନାଚେ-

ବୈଦେଶିକ ନୃତ୍ୟରେ ଫକ୍‌ସଟ୍ରଟ୍ର ତାଳେ ତାଳେ,

ସପ୍ତକନ୍ୟାର ସହ ସପ୍ତର୍ଷିର କ୍ରୀଡ଼ାର ମତ୍ତତାରେ -

ଓହ୍ଲାଏ ମୁଁ ଯେତେବେଳେ ଧରିତ୍ରୀକୁ,

ତତ୍ତ୍ୱରେ ଆଶାର - ଚେତନାରେ ଉଦ୍ଦୀପ୍ତ

ନିଜର ଶବାଧାରକୁ, କଫିନ୍‌କୁ ନ ଦେଇ କଣ ବହେ ନାଁ ମୁଁ ।

 

ଅନେକ ସମୟରେ, କବିଙ୍କର ଜୀବନାଦର୍ଶ, ତାଙ୍କର ଜୀବନ ସଂଗ୍ରାମ ଏବଂ ସମାଜ ପାଇଁ ଶୋଷିତ ମଣିଷଙ୍କ ସହିତ ଏକାକାର ହୋଇ କରିଥିବା ସଂଗ୍ରାମରୁ ତାଙ୍କୁ ବିଚ୍ଛିନ୍ନ କରି କେତେକ ଆଲୋଚକ ତାଙ୍କୁ ଭିନ୍ନ ଦୃଷ୍ଟିରେ ଦେଖିଥିବା ଲେଖକ ଲକ୍ଷ୍ୟ କରିଛି । ତାଙ୍କର ଭାଷା-ବୈଚିତ୍ର୍ୟ ଅନାଲୋଚିତ ହୋଇ ରହିବାର ଜାଣିଛି । ତାଙ୍କ କବିତାଗୁଡ଼ିକର ସମୟ କାଳ ଓ ସେ ସମୟରେ ଘଟଣାମାନ ସହିତ ଅସମ୍ପୃକ୍ତ ରହି ତାଙ୍କୁ ବ୍ୟବଚ୍ଛିନ୍ନ କରି ଭୁଲ୍‌ ସିଦ୍ଧାନ୍ତରେ ପହଞ୍ଚିଥିବା ଜାଣିଛି । ତେଣୁ ଏ କିଞ୍ଚିତ ଆଲୋଚନା କରିବା ଉଚିତ ମଣୁଛି ।

 

ଓଡ଼ିଶାର ସୁବିଖ୍ୟାତ ସାହିତ୍ୟିକ ଗୋପୀନାଥ ମହାନ୍ତି, ଅନନ୍ତଙ୍କର ଭାଷା ବିଭବ ଓ ଶବ୍ଦଚୟନ ଚାତୁରୀ ଓ ଶାବ୍ଦିକ ଯାଦୁଗରୀ ବର୍ଣ୍ଣନା କରି ଲେଖିଛନ୍ତି ‘‘କି ପ୍ରକାର କବିତା ସେ ! ତା’ ତୁଣ୍ଡରେ ଯେମିତି କି ଭାଷାର ଡ଼ୁଡ଼ୁମା ! ଅଜାଡ଼ି ହୋଇ ପଢ଼ୁଥିବ, ତା’ ଉପରେ, ତା’ ଉପରେ ତା’ ଉପରେ । କୋଉଠୁ ପାଏ ସେ ଶବ୍ଦ ! କିଏ ତାକୁ ଦିଏ... ? xxx ଅନନ୍ତ ପଟ୍ଟନାୟକ ଏପରି ନାନା ଶବ୍ଦ ଆଣିଛନ୍ତି, ତାକୁ ଯୋଡ଼ିଛନ୍ତି । ଆଉ ତାକୁ ନିଜ ଭାବ ପ୍ରେରଣାରେ ନୂତନ କାବ୍ୟ ରୂପ ଦେଇଛନ୍ତି । ଯେଉଁଭଳି କାବ୍ୟରୂପ କେହି କେବେ ଦେଇନଥିଲେ । ତା’ର ଭାଷାର ବିଶିଷ୍ଟତା ଏଇଠି ।’’

 

‘‘ଗୋଟିଏ ଗୋଟିଏ ଶବ୍ଦ ଯେ ଏତେ ପ୍ରକାରର ଭାବଚିତ୍ର ଭାବରୂପ ମନକୁ ଆଣିବ ଯେ, ମନକୁ ମଣିଷକୁ ଅଭିଭୂତ କରିଦିଏ ! ଠାଏ ଗୋଟିଏ ଚଷାଘରର ବୋହୂକୁ ଲକ୍ଷ୍ୟ କରି ସେ ଲେଖିଛନ୍ତି-

 

‘ଉଗୁଜା ଧାନର କା’ ହୃଦୟ କଣିକାଏ –

 

ଏଇ ଗୋଟିଏ ଧାଡ଼ିକୁ ବୁଝାଇବାକୁ ହେଲେ, ମତେ ଲାଗୁଛି କୋଡ଼ିଏ ପୃଷ୍ଠା ଲାଗିବ । ୟା’ ଭିତରେ ଯେତେ ଭାବ ରହିଗଲା ! ‘ଉଗୁଜା ଧାନ’-ସେ ଯେତେ ତାତି ସହିଛି, ତାକୁ ଯେତେ ଆଉଟୁ ପାଉଟୁ କରାହୋଇଛି, ଯେଉଁପରି ଭାବରେ ଏଇସବୁ ନାନା ଚାପ, ନାନା ତାତି, ୟା’ରି ଫଳରେ ସେ ଯେପରି ଭାବରେ ବଦଳି ଯାଇଛି, ଏଇ ଯୋଉ ଝିଅଟି-ସେ ଝିଅଟି ଯେ ଭଲ ପାଉଚି ! ସେଇ ଯୋଉ ଚାଷୀଟି-ତାଙ୍କ ସମୁଦାୟ ସାମାଜିକ ପରିସ୍ଥିତି, ତାଙ୍କ ଦୁଃଖ ଭିତରେ ଆନନ୍ଦ ପାଇବା ପାଇଁ ଯୋଉ ଅପରୂପ କୌଶଳ-ଏସବୁ ଯାକ ତହିଁରେ ରହିଗଲା । ଆଉ ତାକୁ ବିଛେଇ ବସିଲେ ଆହୁରି ବହୁତ କଥା ତହିଁରୁ ବାହାରିବ । ଏଇ ଯେଉଁ ଏତେଗୁଡ଼ିଏ ‘ଇମେଜ୍‌’ ରହିଗଲା ଗୋଟିଏ ଧାଡ଼ିରେ । ଅଳ୍ପକେ କହିଲେ ବହୁତ ରହିଛି ତା’ ଭିତରେ । କବି ଜୟଦେବଙ୍କ ଭାଷା ସଂସ୍କୃତରେ, ଆଉ ଏ କବି ଅନନ୍ତ ପଟ୍ଟନାୟକ, ଗାଉଁଲୀ ଓଡ଼ିଆରେ ! ଉପାୟ ଏକା, ବାଛି ବାଛି ଶବ୍ଦ ଆଣି ! ଶବ୍ଦମାନଙ୍କର ଯେ ସ୍ଵର, ସେଇ ସ୍ୱର ସଙ୍ଗୀତ-ତାକୁଇ ମିଶାଇବା । ତା’ ଭିତରୁ ବାହାରିବ ଧ୍ଵନି, କାରଣ, ଯା’ ଲେଖାନାହିଁ, ଅଥଚ ଯା’ ତା ଭିତରେ ଅର୍ଥ ରହିଛି । ନିହିତ ରହିଛି......’’ xxx

 

କବିଙ୍କ ଭିତରେ ଲୁଚି ରହିଥିଲା ପ୍ରଚଣ୍ଡ ରସିକତା ଓ ରୋମାଣ୍ଟିକ ଭାବାଳୁତା । ସେ ରୋମାଣ୍ଟିକ ଭାବାଳୁତା ସବୁବେଳେ କବିଙ୍କୁ ଭବିଷ୍ୟତ ସ୍ଵପ୍ନରେ ବିଭୋର କରିଛି । କବି ପ୍ରଚଣ୍ଡ ଆଶାବାଦୀ, ଅଧିକାଂଶ କବିତାରେ କବିଙ୍କର ଦମ୍ଭୋକ୍ତି ଓ ଆଶାବାଦ/ସ୍ଵପ୍ନ ରୂପାୟିତ ହୋଇଛି, ଶ୍ରେଣୀ ବିହୀନ, ମାଲିକ ମୂଲିଆ ବିହୀନ, ସାମ୍ରାଜ୍ୟବାଦୀ ଶୋଷଣର ‘ବଣିକ-ରାଜୁତି’ବିହୀନ, ବିଶ୍ଵଶାନ୍ତିରେ ଉଦ୍‌ଭାସିତ ଏକ ସମାଜ ଭବିଷ୍ୟତରେ ଆସିବ ହିଁ ଆସିବ । ସେହି ଅନାଗତ ଭବିଷ୍ୟତର ନୂତନ ସମାଜ ଗଠନ ପାଇଁ କବି ସର୍ବସ୍ୱ ଉଜାଡ଼ କରିଦେବା ପାଇଁ ଆଗଭର-ନିଜର ଶେଷ ରକ୍ତବିନ୍ଦୁକୁ ମଧ୍ୟ ଅଧୀରରେ ଝରିଯିବା ପାଇଁ ଗାଇଛନ୍ତି ।

 

ସମାଜବାଦ ପାଇଁ, ଶାନ୍ତି ପାଇଁ, ସାମ୍ରାଜ୍ୟବାଦ ବିରୋଧରେ ଯୁଦ୍ଧ କରୁଥିବା ସେନାନାୟକ ମଧ୍ୟ ବେଳେବେଳେ ଏକାନ୍ତରେ ନିଜର ପ୍ରେୟସୀ ଧରାକୁ-ଏ ଧରା ଦେବା ଜୀବନର ବ୍ୟତିକ୍ରମ । ଯେଉଁ କବିର କଣ୍ଠ ଓ କଲମରୁ ଝରିଛି,

 

‘‘ଝରିଯା ଲହୁମୋ, ଝରିଯା ପୁଲକେ, ଜନ୍ମଭୂମିର ଜୀବନ ପଥେ

ଜଂଜିର ଶତ ଖସୁ ମୋ ଜାତିର, ଚଳୁ ସେ ମାତିରେ ସୃଜନ ରଥେ-

ଅଥବା

‘‘ସକଳ ଗଲେ ଗୋ ଯୁଗଳ ଆମେ କି ରହିବା ?

ଧ୍ୱଂସର ତଳେ ପ୍ରୀତିର କମଳ ବୋହିବା ?

xxx

‘‘ସଖୀଲୋ ଶ୍ରବଣୁ ଫିଙ୍ଗ ତୋ ଫୁଲ କଳିକା,

ନୁହ ତୁହି ଆଉ ପ୍ରଣୟିନୀ ପୁରବାଳିକା

ଖୋଲିଦେ ତୋର ସ୍ୱର୍ଣ୍ଣଭୂଷଣ, ରୂପସୀ

ସାଞ୍ଜୁରେ ଶୋହେ ଶାନ୍ତିର ରଣେ ଝଲସି’’ ।

 

ସେହି କବି ଅନନ୍ତଙ୍କର ଅନ୍ତର ଭିତରେ ରୋମାଣ୍ଟିକ ଭାବାଳୁତା ଯେ ଭରପୁର ହୋଇ ରହିଛି ତା’ର ପ୍ରମାଣ କବିଙ୍କର ବହୁ କବିତାର ଛତ୍ରେ ଛତ୍ରେ । ଯେଉଁ କବି ବିପ୍ଳବ କରେ, ଉଦଗ୍ର ଚେତନାରେ ଡାକ ଦିଏ :-

 

ଆମ ହାଡ଼ମାଂସେ ଯେ ଗଢ଼ିଲେ କୋଠା

ଆମ ଲହୁ ଶୋଷି ଯେ ବା ହେଲେ ମୋଟା

ସେଇ ଜମିଦାର, ସାହୁକାର ଦଳ

ଆଣ୍ଟପଣ ସବୁ ଭାଙ୍ଗିବ !-

 

ସେହି କବି, ଲଜ୍ଜାବତୀ ପ୍ରେୟସୀକୁ ଗଭୀର ରାତ୍ରୀରେ ମିଥ୍ୟା ବିନୟ ପରିହାର କରି ଏକାନ୍ତ ହେବା ପାଇଁ ଅତ୍ୟନ୍ତ ଆବେଗପୂର୍ଣ୍ଣ ଭାବରେ ଗାଏ-

 

‘‘ପ୍ରେମ ସୁଧାରସେ ସିକ୍ତ କରଗୋ, ଅନ୍ତର ମୋର ସଜନୀ

ଆଜି ଗଭୀର ହେଲାଣି ରଜନୀ

xxx

ଯଉବନ ଖେଳ ସରେ ନାଁ ଗୋ ସଖି !

ସରେ ନାଁ ଗୋ କେଭେଁ ସଲୀଳା

ନିଭେ ନାହିଁ କେବେ ବାସନା - ଅନଳ

ଥରେ ଯେବେ ହୃଦେ ଜଳିଲା ।

xxx

ଦେହ ଗଲେ ସଖି ଯାଏ କଳପନା

ତୁଟେ ଲୋକ ସକଳ ପ୍ରେମ ଆଳାପନା

ଏ ଜୀବନ ପରେ ଜୀବନ ନାହିଁ ଗୋ

ଜୀବନ ସରିତେ ହଜନି

ଗଭୀର ହେଲାଣି ରଜନୀ !

xxx

ସଚକିତ ହେଉ ଧରଣୀ

ଖୋଲ ଆଖି ପ୍ରିୟା, ଗଭୀର ହେଲାଣି ରଜନୀ ।’’

 

ମୋ ଆଖି ଆଗରେ ଏବେ ବି ଭାସି ଯାଉଛି, ବିଡ଼ି ଟାଣି ଟାଣି, ନୂଆବୋଉଙ୍କୁ ଛିଗୁଲେଇ ଏ କବିତାଟିକୁ ଦୋହରାଇ ଆମ ଆଗରେ ପଢ଼ିଲାବେଳେ, ନୂଆବୋଉଙ୍କର ସେ କପଟରାଗ ଓ ଠାରରେ ନପଢ଼ିବା ପାଇଁ ଅନୁରୋଧ କରିବା । କବିତାଟିରେ ଯେଉଁ ସୁମଧୁର ଓ ସାର୍ବଜନୀନ ଆବେଗ ରହିଛି ଏବଂ ଅନନ୍ତୀୟ ଭାଷାବିଭବର ଯେଉଁ ଯାଦୁକରୀ ରହିଛି ସେଥିପାଇଁ, ନୂଆବୋଉଙ୍କର (ଅନନ୍ତଙ୍କ ସହଧର୍ମିଣୀ ଶ୍ରୀମତୀ ନୀରଜପ୍ରଭା ପଟ୍ଟନାୟକ) ବାରଣ ସତ୍ତ୍ୱେ ‘କିଞ୍ଚିତ’ର ପ୍ରଥମ ସଂସ୍କରଣ ପାଇଁ ପାଣ୍ଡୁଲିପି ତିଆରି ହେଲାବେଳେ ଜାଣିଶୁଣି ମୁଁ ସଂଯୁକ୍ତ କରିଦେଇଥିଲି, ଏ ଛୋଟିଆ ରୋମାଣ୍ଟିକ କବିତାଟିର ଶ୍ରାନ୍ତକ୍ଳାନ୍ତ ଚାଷୀଟିର ଏକ ଅପରୂପ ରୂପକଳ୍ପ ପ୍ରକାଶ କରିଛନ୍ତି କବି । ମାପିଚୁପି ସତେକି ଶବ୍ଦଗୁଡ଼ିକ ଗୁମ୍ଫିତ କରିଛନ୍ତି । କବିତାଗୁଡ଼ିକର ନିଜସ୍ଵ ବକ୍ତବ୍ୟକୁ ଆହୁରି ସ୍ପଷ୍ଟ ଭାବରେ ଚିତ୍ରାୟିତ କରେ ତାଙ୍କର ଶବ୍ଦ ସଂଯୋଜନା ଯାହା ନିଜେ ନିଜେ ବିମୂର୍ତ୍ତ ହୋଇ କଥା କୁହେ । ତାଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ସଂଖ୍ୟା ‘ନୂଆ ଦୁନିଆ’ରେ ତାଙ୍କର ଅତି ପ୍ରିୟ ସାନଭାଇ ଶ୍ରୀଯୁକ୍ତ ଗୁରୁଚରଣ ପଟ୍ଟନାୟକ ଶ୍ରଦ୍ଧା ନିବେଦନ କରି ଲେଖିଥିଲେ- ‘‘ସେ ଏହି ସମାଜର ପାଣି, ପବନ, ମାଟିରେ, ତା’ରି ଶକ୍ତି ଦୁର୍ବଳତାକୁ ନେଇ ଗଢ଼ା, ତାକୁଇ ଧରି ତାଙ୍କର ସୃଷ୍ଟି-। ନାହିଁ ସେଠି ସ୍ଵର୍ଗୀୟ ଭାବର ଅବ୍ୟକ୍ତ ମହିମା କି ନାରକୀୟ ଲୀଳାର ଅସହ୍ୟ ଯନ୍ତ୍ରଣାର ଭାବ । ସାଧାରଣ ଲୋକଙ୍କୁ ସେ ନିଜର ଗୁରୁ କରିଛନ୍ତି । ସେଇମାନେ ହୋଇଛନ୍ତି ତାଙ୍କର ଶିକ୍ଷାର ଗୁରୁ-ସୃଷ୍ଟିର ଆଧାର ଓ ସାହିତ୍ୟର ଉଦ୍ଦେଶ୍ୟ । ତେଣୁ ପ୍ରତ୍ୟେକଟି ମତ, ନୀତି, ବ୍ୟକ୍ତି ଯା’ ଦ୍ଵାରା ସେ ପ୍ରଭାବିତ ତାଙ୍କ ଋଣ ସ୍ଵୀକାର କରିବାରେ ସେ ଟିକିଏ ପଶ୍ଚାତ୍‌ପଦ ନୁହିଁନ୍ତି ।’’

 

‘‘ତାଙ୍କର ଶିକ୍ଷାର ପରିଧୀ ଯେତେ ବ୍ୟାପକ ତାଙ୍କ ସୃଷ୍ଟିର ପରିସର ସେମିତି ବିସ୍ତୃତ । ଏପରି କୌଣସି ବିଷୟ ବା ସମସ୍ୟା ନାହିଁ, ଯାହାକୁ ସେ ସ୍ପର୍ଶ କରିନାହାନ୍ତି । ଗାଁର ଅତି ଅବହେଳିତ ନିରନ୍ନ ଲୋକଠାରୁ ରାଜା, ପୁଞ୍ଜିପତିଙ୍କ ପର୍ଯ୍ୟନ୍ତ, ବନ୍ୟା, ମରୁଡ଼ିଠାରୁ ମୁକ୍ତି, ସାମ୍ୟ, ମୈତ୍ରୀ ଓ ବିଶ୍ଵଶାନ୍ତି ପର୍ଯ୍ୟନ୍ତ, ସ୍ଥାନୀୟ କ୍ଷେତ୍ରରୁ ଆନ୍ତର୍ଜାତୀୟ ସ୍ତରଯାଏଁ, ଶିଶୁଙ୍କଠାରୁ ବୃଦ୍ଧଙ୍କ ପର୍ଯ୍ୟନ୍ତ ସବୁ ବୟସର ଲୋକଙ୍କ ପାଇଁ ଗୀତ, କାବ୍ୟ, କବିତା, ଗଳ୍ପ, ପ୍ରବନ୍ଧ, ଅନୁବାଦ, ନାଟକ ଆଦି ସାହିତ୍ୟର ପ୍ରତ୍ୟେକଟି ପ୍ରକୋଷ୍ଠ ଭିତରେ ପ୍ରବେଶ କରିଛନ୍ତି, ଏବଂ ଓଡ଼ିଆ ସାହିତ୍ୟର ସମ୍ପଦର ଆହରଣ ଭିତରେ ସେ ସମୃଦ୍ଧ କରିଛନ୍ତି ସେହି ସାହିତ୍ୟର ଶବ୍ଦର ଭଣ୍ଡାରକୁ ତା’ର ଭାଷାର ଶୈଳୀ ଆଉ ଭାବର ବିଭବକୁ । କେବଳ ରହିଯାଇଛି ଉପନ୍ୟାସ । ସେ ତାକୁ ରଖିଥିଲେ ବୋଧହୁଏ ଶେଷକୁ । ତାଙ୍କର ପରିକଳ୍ପନା ଥିଲା, ଦୀର୍ଘ ୫୦ ବର୍ଷ ଧରି ସେହି ଇତିହାସର ଘଟଣାବହୁଳ ପରିବର୍ତ୍ତନ ଧାରାକୁ ଭବିଷ୍ୟତର ଆଭିମୁଖ୍ୟ ଭିତରେ ମାନବର ରୂପ ପ୍ରଦାନ କରିବା-। ସେ ଦିଗରେ ପ୍ରାଥମିକ ଉଦ୍ୟମ କେବଳ ନୋଟ୍‌ରେ ହିଁ ରହିଗଲା ।

 

‘‘ବାହାରେ ରହି ସାଧାରଣ ଜୀବନ ପ୍ରତି ଦୟା, ଅନୁକମ୍ପା ପ୍ରଦର୍ଶନ/ବୌଦ୍ଧିକ ବିଚାରର ବିଚକ୍ଷଣତା କିମ୍ବା ମାନବିକତାର ବିମୂର୍ତ୍ତ ଧାରଣା ତାଙ୍କର ସାହିତ୍ୟିକ ପ୍ରତିଭାକୁ ପରିପୁଷ୍ଟ କରିନାହିଁ-। ଜୀବନ ସହିତ ଅତୁଟ ସମ୍ପର୍କ, କାୟିକ, ମାନସିକ ଓ ତାତ୍ତ୍ୱିକ ଭାବେ ସେହି ଇତିହାସ ସୃଷ୍ଟିକାରୀ ଶ୍ରମଜୀବିଙ୍କ ସଂଗ୍ରାମ ଭିତରେ ତାଙ୍କ ସାହିତ୍ୟିକ ପ୍ରତିଭାର ବିକାଶ ଘଟିଛି । ତାହା ହିଁ ତାଙ୍କୁ ସତେଜ ଅମଳିନ, ଜୀବନ୍ତ ଆଉ ଅଭ୍ରାନ୍ତ କରି ରଖିଛି । ଆଉ ସେହି ମାର୍କ୍ସବାଦୀ ମତାଦର୍ଶ, ଯା’ର ଦୃଷ୍ଟି ଦ୍ଵାରା ତାଙ୍କ ସୃଷ୍ଟିର ପଥ ସଦା ନିୟନ୍ତ୍ରିତ ।

 

‘‘xxx- ଅନନ୍ତ କେବଳ ଜଣେ କବି, ଲେଖକ ନୁହନ୍ତି । ସେ ଜଣେ ସଂଗ୍ରାମୀ-ସମାଜସେବୀ । ତାଙ୍କର ସେହି ସେବା ଓ ସଂଗ୍ରାମ ନିଜର ସ୍ଵାର୍ଥ ପାଇଁ ନୁହେଁ । ତା’ ଲୋକ ସାଧାରଣ, ଶ୍ରମଜୀବି ଶ୍ରେଣୀ - ସମଗ୍ର ମାନବଜାତିର କଲ୍ୟାଣ ପାଇଁ । ତେଣୁ ତାଙ୍କୁ ଗୋଟିଏ ଦିଗରୁ ଦେଖିଲେ ଭୁଲ୍‌ ହେବ-ତାଙ୍କର ଏକ ସାମଗ୍ରିକ ମୂଲ୍ୟାୟନ ଆବଶ୍ୟକ xxx’’

 

xxx ‘‘ଅନନ୍ତ ସାହିତ୍ୟ ରାଜ୍ୟରେ କେବଳ ଏକ ନୂତନ ଯୁଗର ସନ୍ଧାନ ଦେଇ ନାହାନ୍ତି, ନୂତନ ସୃଷ୍ଟି କରିବାର ମାର୍ଗ ଦର୍ଶାଇବା ସହିତ, ଛାଡ଼ି ଯାଇଛନ୍ତି, ସେହି ସାହିତ୍ୟିକ ଜୀବନର ଏକ ନୂତନ ଦିଗନ୍ତ-ନିଜ ଜୀବନର ଆଦର୍ଶ ଦ୍ଵାରା । ଯେଉଁ ସାହିତ୍ୟରେ-

 

-

ଅନ୍ଧ ବିଶ୍ୱାସ ସହିତ ସାଲିସ ନାହିଁ ।

-

ବିଜ୍ଞାନର ମାର୍ଗରୁ ବ୍ୟତିକ୍ରମ ନାହିଁ ।

-

ନିଜର ମତାଦର୍ଶରୁ ବିଚ୍ୟୁତି ନାହିଁ ।

-

ପ୍ରଗତିଶୀଳ ସାହିତ୍ୟ ପରମ୍ପରାରୁ ସ୍ଫଳନ ନାହିଁ ।

-

କାହାର ସ୍ତୃତି, କାହାର ନିନ୍ଦା ବା ନିଜର ଆତ୍ମ ପ୍ରଶଂସାରେ କଲମ ମୁନରେ କାଳିମାର ସ୍ପର୍ଶ ନାହିଁ । xxx’’ (ନବଯୁଗ ସାହିତ୍ୟ ସଂସଦର ମୁଖପତ୍ର ‘ଆଧୁନିକ’ର ବିଜ୍ଞାପନରେ କବି ଲେଖିଥିଲେ)

 

ଓଡ଼ିଶାର ଚିନ୍ତା, ଚେତନାରେ ବୈପ୍ଲବିକ ପରିବର୍ତ୍ତନର ପ୍ରବର୍ତ୍ତକ- ‘‘ନବଯୁଗ ସାହିତ୍ୟ ସଂସଦ’’ର ପ୍ରଥମ ଅଧିବେଶନ କଟକ ରାମଚନ୍ଦ୍ରଭବନଠାରେ ତା. ୨୯.୧୧.୧୯୩୫ରିଖଠାରୁ ତା. ୦୪.୧୨.୧୯ ୩୫ରିଖ ପର୍ଯ୍ୟନ୍ତ ଛଅଦିନ ବ୍ୟାପୀ ବସେ । ତାହାର ଉଦ୍‌ଘାଟନୀ ଅଧିବେଶନରେ ସଭାପତି ଆସନ ଅଳଙ୍କୃତ କରିଥିଲେ ସର୍ବମାନ୍ୟ କବି/ସାହିତ୍ୟିକ କାଳୀଚରଣ ପାଣିଗ୍ରାହୀ । କବି ଅନନ୍ତ ପଟ୍ଟନାୟକ, ନବଯୁଗ ସାହିତ୍ୟ ସଂସଦର ଓ ‘ଆଧୁନିକ’ ପତ୍ରିକାର ପୁରୋଧା ଭାବରେ ସେହି ଉତ୍ସବ ଉପଲକ୍ଷେ ରଚିତ ଓ ମାଳତୀ ଚୌଧୁରୀଙ୍କ ଦ୍ୱାରା ସ୍ଵର ସଂଯୋଜିତ ତଥା ମାଳତୀ ଚୌଧୁରୀ, ଅଶୋକ ରାଓ ଓ ଖୋକନ ଜୋଆରଦାରଙ୍କ ଦ୍ୱାରା ସମ୍ମିଳିତ କଣ୍ଠରେ ଗାନ ହୋଇଥିବା ଗୀତ ସେ ଦିନର ଅଧିବେଶନରେ କେବଳ ନୁହେଁ ସଦାନବୀନ ପ୍ରାଣରେ ନବୀନଯୁଗର ତରୁଣ ପ୍ରାଣରେ ଝଙ୍କୃତ ଓ ଅନୁରଣିତ ହୋଇରହିଛି-

 

‘‘ନବୀନ ଯୁଗର ତରୁଣ ଜାଗରେ, ଜାଗ ବନ୍ଧନ ହରା,

ବକ୍ଷଶୋଣିତେ ଲକ୍ଷ ଜୀବନେ ଖେଳାଅ ଆଲୋକଧାରା–

ଛିନ୍ନ କରରେ ବନ୍ଧନରାଜି, କ୍ରନ୍ଦନ ହେଉ ଶେଷ,

ଲୁପ୍ତ ହେଉରେ ଜାତି, ଉପଜାତି, ଖଣ୍ଡିତ ଶତଦେଶ

ମହାମାନବର ଶଙ୍ଖ-ଶବଦେ ଶମୁରେ ଦୁଃଖ ଜ୍ୱାଳା

ଜାଗ ବନ୍ଧନହରା.....’’

 

ଏହି ପରିପ୍ରେକ୍ଷୀରେ ଉତ୍କଳ ସାହିତ୍ୟ ସମାଜର ହୀରକଜୟନ୍ତୀ ଉତ୍ସବ ଉପଲକ୍ଷେ ଉତ୍କଳ ସାହିତ୍ୟ ସମାଜର ସଭାପତି ଭାବରେ କବି ଅନନ୍ତ ପଟ୍ଟନାୟକଙ୍କ ଅଭିଭାଷଣର କିଛି ଅଂଶ ଏଠାରେ ଉପସ୍ଥାପନା କରିବା ବୋଧହୁଏ ଅପ୍ରାସଙ୍ଗିକ ବା ଅବାନ୍ତର ହେବ ନାହିଁ । ତାଙ୍କ ଭାଷାରେ-: ‘‘ସାହିତ୍ୟ ମନୁଷ୍ୟ ପାଇଁ । ମନୁଷ୍ୟ ସାହିତ୍ୟ ପାଇଁ । ସାହିତ୍ୟର ସ୍ରଷ୍ଟା ମନୁଷ୍ୟ,- ମନୁଷ୍ୟର ସ୍ରଷ୍ଟା ପୁଣି ସାହିତ୍ୟ । ଏଣୁ ସାହିତ୍ୟର ପରିବେଷକ ଯେଉଁମାନେ ସେମାନଙ୍କ ସଂରକ୍ଷଣ, ପ୍ରତିପାଳନ, ବିକାଶ ସାଧନ କ’ଣ ଜାତିର କାର୍ଯ୍ୟ ନୁହେଁ ? ‘ଯନ୍ତ୍ର’ର, ‘ଗୃହପାଳିତ’ ପଶୁର ସଂରକ୍ଷଣ ହୁଏ ଏ ସମାଜରେ, କିନ୍ତୁ ସାହିତ୍ୟିକ ଉପେକ୍ଷିତ । ଅଥଚ ପରୋକ୍ଷରେ ଆଲୋଚନାରେ ବା ବିଦ୍ରୁପ ଛଳରେ ସମାଜ ଦାବୀ ରଖେ ସାହିତ୍ୟିକ ଉପରେ, ଲେଖକ ଉପରେ ! ଲେଖକ ଯଦି ରୁଗ୍‌ଣ ହୁଏ ତାହାର କ୍ରୋଧ, ନୈରାଶ୍ୟ, ବ୍ୟର୍ଥତା, ପଳାୟନପରତା ବା କାଳାନୁସଙ୍ଗ ଆଳରେ ଯୌନ-ବିକୃତି ପ୍ରଭୃତି ସଂକ୍ରମିତ ହେବ ନାହିଁ ! ହେଉ ନାହିଁ କି ସମାଜରେ ? ସମାଜର, ଜାତିର, ରାଷ୍ଟ୍ରର ଦାୟିତ୍ଵ ଯେପରି ଲେଖକ-ପ୍ରତିପାଳନ ପ୍ରତିପୋଷଣ, ଲେଖକନ ସୃଷ୍ଟି-ସେହିପରି ପ୍ରତ୍ୟେକ ପ୍ରବୀଣ ଓ ନବୀନ ଲେଖକ ପକ୍ଷରେ ଅବଧାରଣୀୟ ନୁହେଁ କି ତାହାର ଅନ୍ନମୁଠିକ ଆହରଣଠାରୁ ଆରମ୍ଭ କରି ଶିକ୍ଷା ଲାଭ ପର୍ଯ୍ୟନ୍ତ-ସେ ସମସ୍ତ ସମ୍ଭବ ହୋଇଛି ସମାଜ ସକାଶେ-ସେ ଦାୟୀ ସମାଜ ପାଖରେ ଜାତି ପାଖରେ ! ସ୍ଵତଃ ସେ ବରଣ କରି ନେଇଛି ଲେଖିବାର ଦାୟିତ୍ଵ । ଜୀବିକାର୍ଜନ ପାଇଁ ନୁହେଁ କେବଳ । ଏହି ଦୃଷ୍ଟିରେ ହିଁ ପୂର୍ବସୂରୀମାନେ ସାହିତ୍ୟ ରଚନା କରିଛନ୍ତି, ପଥ ନିର୍ମାଣ କରିଯାଇଛନ୍ତି ବୋଲି ସିନା ସେ ଆଜି ନିଜ ‘ପ୍ରତିଭା’ର ‘ସଂଗଠନ’ ଲାଗି କ୍ଷେତ୍ର ପାଉଛି କେତେକାଂଶରେ ! ପୁଣି ତାହାର ଆତ୍ମଦର୍ଶନ, ଆତ୍ମପ୍ରଚାର କାହା ପାଖରେ କାହା ଲାଗି ? ତାହାର ଆତ୍ମାରେ କ’ଣ କୋଟି କୋଟି ଆତ୍ମାର ନିର୍ଯ୍ୟାସ ନାହିଁ-ଅତୀତର ବର୍ତ୍ତମାନର ପୁଣି ସମ୍ଭାବନାମୟ ଭବିଷ୍ୟତର ବସ୍ତୁସାପେକ୍ଷିକତା (ଅବ୍‌ଜେକ୍‌ଟିଭିଟି) ଲେଖକର ଆତ୍ମସାପେକ୍ଷିକତା (ଅବ୍‌ଜେକ୍‌ଟିଭିଟି)ର ପରିପନ୍ଥୀ କି ? ଗୋଟିଏ ଆରଟିର ବିନାଶକ କି ?’’

 

--

‘‘ସାହିତ୍ୟିକ ‘‘ଆତ୍ମସାପେକ୍ଷିକତା’’ର ଆବରଣରେ ରହି ଲେଖକ ଯଦି ସମାଜ ଅକଲ୍ୟାଣରେ ଲିପ୍ତ ହୁଏ, ସାଧାରଣ ଅପରାଧୀ ଯେପରି ସମାଜବିରୋଧୀ କାର୍ଯ୍ୟ ପାଇଁ ଦଣ୍ଡିତ ହୁଏ, ସେ କାହିଁକି ସେପରି ହେବ ନାହିଁ ଜନତାର ଦରବାରରେ ? ଯଦି ସୃଜନଶୀଳତାର ଦ୍ୱାହି ଦେଇ ଅନୈତିକତା, ଅରାଜକତା, ହିଂସା, ଅସୂୟା, ମାନବିକତା-ବିରୋଧୀ ରଚନାରେ ନିମଗ୍ନ ରହେ ବା ତାହା ପ୍ରଚାର କରେ ତାହା ଘୋର ଦୋଷାବହ ହେବ ନାହିଁ କି?’’

--

‘‘ଆମର ସମ୍ମୁଖରେ ସମସ୍ୟା ଅନେକ - ସମସ୍ୟାହୀନ ଜୀବନ ବା କି ଜୀବନ, ସାହିତ୍ୟ ବା କି ସାହିତ୍ୟ ? ପ୍ରତି ଯୁଗରେ ଉତ୍‌ପଦ୍ୟମାନ ସମସ୍ୟାଗୁଡ଼ିକ ଘେନି ତ ଜୀବନର ସୌନ୍ଦର୍ଯ୍ୟ, ସାହିତ୍ୟର ସୌନ୍ଦର୍ଯ୍ୟ ରସୋତ୍ତୀର୍ଣ୍ଣତା ? ଆମର ପ୍ରମୁଖତମ ସମସ୍ୟାଗୁଡ଼ିକ ମଧ୍ୟରୁ କେତୋଟି ହେଉଛି –

--

‘‘ଓଡ଼ିଆ ଭାଷାର ‘‘ସମୀକରଣ’’- ଶୈଳୀରେ, ବିନ୍ୟାସରେ, ଉପସ୍ଥାପନରେ ଆଞ୍ଚଳିକ ରୁଚି ଓ ସଂସ୍କୃତିର ବୈଶିଷ୍ଟ୍ୟଗୁଡ଼ିକର ସମାହାରୀକରଣ - କୋଶଳ ସାହିତ୍ୟ ଅନୁଷ୍ଠାନ, କଳିଙ୍ଗ ସାହିତ୍ୟ ଅନୁଷ୍ଠାନ ଭଳି ବିଭିନ୍ନ ଆଞ୍ଚଳିକ ଅନୁଷ୍ଠାନଗୁଡ଼ିକ ମଧ୍ୟରେ ସଂଯୋଗ ସୃଷ୍ଟି - ଏ ବିଜ୍ଞାନଭିତ୍ତିକ ଶିଳ୍ପୀଶ୍ରୟୀ ଯୁଗରେ ବହୁ ଭାଷାଭାଷୀଙ୍କର ଅନିବାର୍ଯ୍ୟ ସଙ୍ଗମରେ ସ୍ଵତଃ ସୃଜନୀୟମାନ ଭାଷା ଓ ସାହିତ୍ୟର ଗୁଣାନ୍ତର ଓ ରୂପାନ୍ତରର ମୂଲ୍ୟାୟନ ଓ ସ୍ଵାଗତୀକରଣ-।’’

--

‘‘ଉପାନ୍ତ ଅଞ୍ଚଳରେ ଆମ ଭାଷା ଓ ସାହିତ୍ୟର ପ୍ରଚାର ଓ ପ୍ରସାର-ବିଭିନ୍ନ ଆଦିବାସୀ ବା ହରିଜନ ଭାଷାଗୁଡ଼ିକ ମଧ୍ୟରେ ଯୋଗସୂତ୍ରୀ ଭାଷାରୂପେ ଓଡ଼ିଆର ପ୍ରବର୍ତ୍ତନ (ଏହା ଯଦି ନ କରାଯାଏ ଅନ୍ୟ ଭାଷାଭାଷୀମାନେ ଏହାର ସୁଯୋଗ ନେବା ଅସମ୍ଭବ ନୁହେଁ) ।’’

--

‘‘ଭାରତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଆ ସାହିତ୍ୟର (‘‘ସୃଜନଶୀଳ’’ ବର୍ତ୍ତମାନ ସାହିତ୍ୟର ଓ ବିଭବମୟ ଅତୀତ ସାହିତ୍ୟର) ବିସ୍ତୃତ ପ୍ରଖ୍ୟାପନା ।’’

--

‘‘ପ୍ରାଥମିକ ଶିକ୍ଷାସ୍ତରରୁ ସାହିତ୍ୟ ଅଧ୍ୟୟନ ଅଧ୍ୟାପନା ଉପରେ ଯଥୋଚିତ ଗୁରୁତ୍ଵ ଆରୋପ-ନିରକ୍ଷରତା ଦୂରୀକରଣ - ଗ୍ରନ୍ଥାଗାର ପ୍ରତିଷ୍ଠା ।’’

-

‘‘ବ୍ୟାପକ ଭାବରେ ବେସରକାରୀ ଓ ସରକାରୀ ମିଳିତ ବା ଏକକ ଉଦ୍ୟମ ଯୋଗେ ବିଜ୍ଞାନ, ରାଜନୀତି, ଅର୍ଥନୀତି ପ୍ରଭୃତି ବିଷୟକ ପୁସ୍ତକ, ପତ୍ରପତ୍ରିକା ପ୍ରକାଶନର ବ୍ୟବସ୍ଥା ।’’

--

‘‘ସରକାରୀ କ୍ଷେତ୍ରରେ ଓଡ଼ିଆ ଭାଷାର ବାସ୍ତବ ଭାବରେ କାର୍ଯ୍ୟକାରୀ ପ୍ରଚଳନ ।’’

--

‘‘ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଯେଉଁ ବିଭାଗସବୁ ଏବେ ମଧ୍ୟ ଅଙ୍କୁରାବସ୍ଥାରେ ବା ଶୀର୍ଣ୍ଣକାୟ ହୋଇ ରହିଛି (ଯେପରି ଶିଶୁସାହିତ୍ୟ, ହାସ୍ୟରସାତ୍ମକ ସାହିତ୍ୟ), ସେଗୁଡ଼ିକର ରଚନା ଓ ପ୍ରକାଶନ ।’’

-

‘‘ଶାସ୍ତ୍ରୀୟ ବା ‘ଦୁର୍ଗମ’ ଅଭିଜାତ ସାହିତ୍ୟ ସହିତ ସୁସ୍ଥ ସମାଜ – ସଚେତନ - ସାମନ୍ତତାନ୍ତ୍ରିକ, ବାଣିଜ୍ୟାଶ୍ରୟୀ, ପୁଞ୍ଜତାନ୍ତ୍ରିକ ସାହିତ୍ୟ ନୁହେଁ - ସମାଜବାଦୀ ସୁଗମ ସାହିତ୍ୟର ରଚନା ଓ ପ୍ରକାଶନ ।’’

 

‘‘ଲେଖକର ସଂଗଠନ ଟ୍ରେଡ଼୍‌ ୟୁନିୟନ ଭଳି ହୋଇ ନ ପାରେ । ତଥାପି ସବୁଠାରୁ ବଳି ‘ଗଣତାନ୍ତ୍ରିକ’ ଆପାତ ଦୃଷ୍ଟିରୁ ଶିଥିଳ, କିନ୍ତୁ ଦୃଢ଼ ସନ୍ନିବଦ୍ଧ ତା’ର ଅଦୃଶ୍ୟ ସଂଗଠନ - କାରଣ ତା’ର ସଙ୍ଗଠନ ପର୍ଯ୍ୟବସିତ ତାହାର ଆଦର୍ଶରେ, ମାନବିକ ଚେତନା ଓ କାମନାରେ- ‘ବାସ୍ତବତା’ର ଗୁଣାନ୍ଵୟନ ଓ ରୂପାନ୍ତର ସୃଷ୍ଟିରେ । ଏହି ସଙ୍ଗଠନ ପ୍ରଖର, ବ୍ୟାପକ ଓ ଶକ୍ତିଶାଳୀ ହୋଇପାରିବ - ଏହି ସାହିତ୍ୟ ସମାଜର ପ୍ରତିଷ୍ଠାର ପୂର୍ବସୂରୀମାନଙ୍କ ପ୍ରଦର୍ଶିତ ସଂଘବଦ୍ଧ ସାଧନାର ପନ୍ଥା ଅନୁସରଣରେ ସମବେତ ଭାବରେ ।’’ xxx

 

ତାଙ୍କର ସେହି ଭାଷଣ, କହିବାକୁ ଗଲେ, ଉତ୍କଳ ସାହିତ୍ୟ ଧମାଜର ହୀରକଜୟନ୍ତୀ ଅବସରରେ, ଓଡ଼ିଶା ପାଇଁ, ଓଡ଼ିଆ ସାହିତ୍ୟ ପାଇଁ ଏକ ଇସ୍ତାହାର । ସାହିତ୍ୟିକମାନଙ୍କ ପାଇଁ ଏକ ଦିଗ୍‌ଦର୍ଶନ । ଓଡ଼ିଆ ସାହିତ୍ୟର ଉପସ୍ଥିତ ସମସ୍ୟା ଓ ତା’ର ଯଥାର୍ଥ ସମାଧାନ/ସିଦ୍ଧାନ୍ତ ଦିଗରେ କର୍ତ୍ତବ୍ୟର ଏକ ସୁଚିନ୍ତିତ, ନିର୍ଦ୍ଦିଷ୍ଟ ସଂକେତ ।

 

ତାଙ୍କ ବକ୍ତବ୍ୟରେ କବି, ମନୁଷ୍ୟ ଓ ସାହିତ୍ୟ, ସାହିତ୍ୟ ଓ ସମାଜ, ସାହିତ୍ୟ ଓ ସାହିତ୍ୟିକ/ଲେଖକ, ସେଥିସହିତ ସାହିତ୍ୟ ସୃଷ୍ଟିରେ ବସ୍ତୁ ସାପେକ୍ଷତା (objectivity) ବା ବ୍ୟକ୍ତି ସାପେକ୍ଷତା (subjective) ରେ ସମସ୍ତଙ୍କର ଦ୍ଵନ୍ଦାତ୍ମକ ଚରିତ୍ର ପ୍ରତି ପ୍ରତ୍ୟେକଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି । ଯାହାକି ସମସ୍ତ ବିବାଦର ଏକ ବିକଳ୍ପହୀନ ମାର୍ଗ । ସାହିତ୍ୟ ଜୀବନର ସେହି ମୌଳିକ ନୀତି ଓ ଚରିତ୍ରକୁ ପ୍ରକାଶ କରିବା ସହିତ ନିର୍ଦ୍ଦିଷ୍ଟ ସ୍ଥାନ, କାଳ, ଅବସ୍ଥାରେ ତା’ର ସୁନିର୍ଦ୍ଦିଷ୍ଟ ପ୍ରୟୋଗର ଅପରିହାର୍ଯ୍ୟତାକୁ ଆଲୋଚନା ମଧ୍ୟ କରିଛନ୍ତି କବି । ଉପସ୍ଥାପିତ କରିଛନ୍ତି ଓଡ଼ିଆ କ୍ଷେତ୍ରରେ ଭାଷାର ସମୀକରଣ, ତା’ର ବୈଶିଷ୍ଟ୍ୟର ସମାହାରୀକରଣ ଓ ତା’ର ବିକାଶ ଦିଗରେ ବୈଜ୍ଞାନିକ ଦୃଷ୍ଟି ଓ ଭାଷାମାନଙ୍କ ସଂଗମର ସୃଜନଶୀଳତାର ସ୍ଵାଗତିକରଣ ପ୍ରତି ତା’ର ଦୃଷ୍ଟାନ୍ତକୁ ସ୍ପଷ୍ଟ କରି ଥୋଇଛନ୍ତି । ସାହିତ୍ୟରେ ବିଭିନ୍ନ କ୍ଷେତ୍ର, ବିଭିନ୍ନ ବିଭାଗ ଏବଂ ଆନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ବିଚାର ଧାରା ପ୍ରତି ପ୍ରୟୋଗର ନିର୍ଯ୍ୟାସ ନେଇ କହିଛନ୍ତି; ‘‘କଲ୍ୟାଣବୋଧ ଓ ଆନନ୍ଦବୋଧ ଏଇ ଦୁଇଟିର ସମନ୍ୱିତ ରସାନ୍ୱିତ ବିଚିତ୍ର ଭାବକର୍ମର ଧାରା ସମୃଦ୍ଧ ଏକ ମହିମାମୟ - ସାହିତ୍ୟିକ ସଙ୍ଗଠନ ଆମର ସଂକଳ୍ପ ହେଉ ।’’

 

‘‘ଅନ୍ୟାୟ, ଅକଲ୍ୟାଣ ଯାହା, ତାହା ବିରୁଦ୍ଧରେ ସଂଗ୍ରାମ କରି ତୁରନ୍ତ ଦୁର୍ବାର ଗତିରେ ଅଗ୍ରସର ହେଉ ସାହିତ୍ୟ ଆମର।’’—

 

ସାହିତ୍ୟ ଓ ଲେଖକ ପ୍ରତି ଅନନ୍ତ ପ୍ରଦର୍ଶିତ ସେହି ଚେତନା ଓ ଚେତାବନୀର ଅନ୍ୟ ବିକଳ୍ପ ନାହିଁ । ସେମାନେ ଯେତେ ମୁଖର ହୁଅନ୍ତୁ, ଯେତେ ଅମଡ଼ା ମାଡ଼ିଲେ ବି ଶେଷରେ ସେହି ଅପରିହାର୍ଯ୍ୟତା ବ୍ୟତୀତ ତାଙ୍କର ଅନ୍ୟ କୌଣସି ଗତି ନାହିଁ - ଉପାୟ ନାହିଁ - କାରଣ ତାହା ହିଁ ମାନବର କ୍ରାନ୍ତି, ପ୍ରଗତି ଓ ପଲ୍ଲବିତ ମାନବତାର ଏକମାତ୍ର ପଥ !

 

୪୩, ଭୌମନଗର, ଭୁବନେଶ୍ୱର-୧

 

***

 

ପ୍ରଗତିଶୀଳ ଆନ୍ଦୋଳନର ପ୍ରବକ୍ତା କବି ଅନନ୍ତ ପଟ୍ଟନାୟକ

ପଠାଣି ପଟ୍ଟନାୟକ

ଜୀବନ ପଞ୍ଜି

ଓଡ଼ିଆ ସାହିତ୍ୟରେ ପ୍ରଗତିବାଦୀ ଆନ୍ଦୋଳନ, ଗଡ଼ଜାତ ଆନ୍ଦୋଳନ, ଛାତ୍ର ଆନ୍ଦୋଳନ, କୃଷକ ଆନ୍ଦୋଳନର ଅନ୍ୟତମ ସାରଥୀ ଥିଲେ କବି ଅନନ୍ତ ପଟ୍ଟନାୟକ । ମହାତ୍ମାଗାନ୍ଧୀଙ୍କ ଆହ୍ୱାନରେ ସ୍ଵାଧୀନତା ଆନ୍ଦୋଳନ ଓ ଲେଲିନ୍‌ଙ୍କ ଆଦର୍ଶରେ ସାମ୍ୟବାଦୀ ଆନ୍ଦୋଳନରେ ମଧ୍ୟ ସେ ଅଂଶ ଗ୍ରହଣ କରିଥିଲେ । ଏହି ପ୍ରଥିତଯଶା ସାରସ୍ଵତ ସାଧକଙ୍କର ଜୀବନପଞ୍ଜି ଥିଲା ଅତ୍ୟନ୍ତ ଦୁର୍ବିସହ । ଅବିଭକ୍ତ ପୁରୀ ଜିଲ୍ଲାର ଚଣାହାଟ ଗ୍ରାମରେ ଏକ ସମ୍ଭ୍ରାନ୍ତ ଜମିଦାର ପରିବାରରେ କବି ଅନନ୍ତ ଜନ୍ମଗ୍ରହଣ କରିଥିଲେ ୧୯୧୨ ମସିହା ଜୁନମାସ ବାର ତାରିଖରେ ପିତା ଜୟକୃଷ୍ଣ ଓ ମାତା ମହାଦେଈଙ୍କ କୋଳମଣ୍ଡନ କରି । ମାତ୍ର ଚାରି ବର୍ଷ ବୟସବେଳେ ସେ ହେଲେ ପିତାମାତା ଛେଉଣ୍ଡ । ପିଉସା ସତ୍ୟବାଦୀ ଓ ପିଉସୀ ବସନ୍ତକୁମାରୀଙ୍କ କୋଳରେ ପ୍ରତିପାଳିତ ହୋଇଥିଲେ ସେ । ଏହି ଦୁର୍ବିପାକ ସମୟରେ ତାଙ୍କର କନିଷ୍ଠଭ୍ରାତା ଗୁରୁଚରଣ ଥିଲେ ଚାରିମାସର ଶିଶୁ । ପରବର୍ତ୍ତୀ କାଳରେ ଗୁରୁଚରଣ ହେଲେ ଭାରତୀୟ ବାମପନ୍ଥୀ ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର ଏବଂ ପ୍ରଖ୍ୟାତ ସାହିତ୍ୟ ସାଧକ ।

 

ଜମିଦାର ପରିବାର ହେଲେ ହେଁ ଏହି ପରିବାର ସ୍ଵଦେଶୀ ଆନ୍ଦୋଳନର ଥିଲେ ପ୍ରଧାନ ସମର୍ଥକ । ଅନନ୍ତଙ୍କର କୁଟୁମ୍ବ ଜେଜେବାପା ଗୌରାଙ୍ଗଚରଣ ପଟ୍ଟନାୟକ ପୃଷ୍ଠପୋଷତାରେ ଚଣାହାଟରେ ମାଇନର ସ୍କୁଲ ପ୍ରତିଷ୍ଠା ହୋଇଥିଲା । ଏବଂ ମି. ମଧୁସୂଦନ ଦାସଙ୍କ ପ୍ରେରଣାରେ ୧୯୦୫ ମସିହାରେ ଏହି ଗ୍ରାମରେ ସ୍ୱଦେଶୀ ଆନ୍ଦୋଳନଜନିତ ମହାସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ସଭାପତି ହୋଇଥିଲେ ଅନନ୍ତଙ୍କର ଜେଜେ ଚୌଧୁରୀ ଗୌରାଙ୍ଗ ଚରଣ ପଟ୍ଟନାୟକ । ଅନନ୍ତଙ୍କର ଦାଦା ହେଉଛନ୍ତି ପ୍ରସିଦ୍ଧ ଜାତୀୟବାଦୀ କବି କୃଷ୍ଣମୋହନ ପଟ୍ଟନାୟକ । ଶୈଶବର ପିତୃମାତୃହୀନ ଅନନ୍ତ ପରିବାରର ଜାତୀୟବାଦୀ ଚେତନା ଓ ସାରସ୍ଵତ ସାଧନାରେ ଅନୁପ୍ରାଣିତ ହେବା ଥିଲା ଅତ୍ୟନ୍ତ ସ୍ଵାଭାବିକ । ଅନନ୍ତଙ୍କ ପରିବାରରେ ସାହିତ୍ୟ ସାଧନା ଥିଲା ଅବ୍ୟାହତ । ଊନବିଂଶ ଶତାବ୍ଦୀର ଶେଷଭାଗରେ ବାରିପଦାରୁ ପ୍ରକାଶିତ ‘ଉତ୍କଳ ପ୍ରଭା’ ପତ୍ରିକାରେ କବି ଉପେନ୍ଦ୍ରଭଞ୍ଜଙ୍କ ବିରୁଦ୍ଧରେ କଠୋର ସମାଲୋଚନା ପ୍ରକାଶିତ ହେଉଥାଏ । ପ୍ୟାରିମୋହନ ଆଚାର୍ଯ୍ୟ ଓ ବିଶ୍ଵନାଥ କର ପ୍ରମୁଖ ବ୍ରାହ୍ମଧର୍ମୀ ଲେଖକମାନେ ଭଞ୍ଜ ସାହିତ୍ୟର ତୀବ୍ର ସମାଲୋଚନା କରି ତତ୍କାଳୀନ ଆଧୁନିକ କବି ରାଧାନାଥ ରାୟଙ୍କୁ ଉଚ୍ଚପ୍ରଶଂସା କରୁଥାଆନ୍ତି-। ପରିଣତି ହେଲା ପ୍ରାଚୀନ କାବ୍ୟ ସାହିତ୍ୟ ଓ ଆଧୁନିକ ସାହିତ୍ୟକୁ କେନ୍ଦ୍ର କରି ତୀବ୍ର ସଂଘର୍ଷ । ଏହି କାରଣରୁ ଇନ୍ଦ୍ରଧନୁ ଓ ବିଜୁଳି ନାମରେ ଦୁଇଟି ସାମୟିକ ପତ୍ରିକାରେ ବାଦାନୁବାଦ ଆରମ୍ଭ ହେଉଥିଲା । ଇନ୍ଦ୍ରଧନୁ ଥିଲା ଉପେନ୍ଦ୍ରଭଞ୍ଜଙ୍କ ସାହିତ୍ୟର ସମର୍ଥକ । ଏହି ପତ୍ରିକାରେ ଭଞ୍ଜପ୍ରେମୀମାନଙ୍କ ସହିତ ଅନନ୍ତଙ୍କ ଜେଜେ ଚୌଧୁରୀ ହରେକୃଷ୍ଣ ପଟ୍ଟନାୟକ ଭଞ୍ଜ ସାହିତ୍ୟକୁ ସମର୍ଥନ କରି ଲେଖନୀ ଚାଳନା କରୁଥଲେ ।

 

ଅନନ୍ତ ପୁରୀ ଜିଲ୍ଲାସ୍କୁଲରେ ନବମଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ । ଏଠରେ ଛାତ୍ର ଥିଲାବେଳେ ମୁରାରୀ ତ୍ରିପାଠୀଙ୍କ ‘‘ପୁରୀ ସେବା ସମିତି’’ ନେତୃତ୍ଵରେ ପ୍ରସିଦ୍ଧ ରଥଯାତ୍ରାରେ ସେବା କାର୍ଯ୍ୟ କରୁଥିଲେ । ଏହି କୈଶୋର ବୟସରୁ ଜନତାର ସେବା କରିବା ପାଇଁ ଅନନ୍ତଙ୍କ ମନରେ ଆଗ୍ରହ ସୃଷ୍ଟି ହୋଇଥଲା । ଅନନ୍ତ ଆସିଲେ ପୁରୀ ପରିତ୍ୟାଗ କରି କଟକର ରେଭେନ୍ସା କଲିଜିଏଟ ସ୍କୁଲରେ ନବମ ଶ୍ରେଣୀରେ ଅଧ୍ୟୟନ କରିବା ପାଇଁ । ନବମ ଶ୍ରେଣୀରେ ଛାତ୍ର ଥିଲାବେଳେ ଓଡ଼ିଶାର ବିଖ୍ୟାତ ସାହିତ୍ୟ ମାସିକ ‘ସହକାର’ରେ ଅନନ୍ତଙ୍କର କବିତା ପ୍ରକାଶ ପାଇଥିଲା । ସତେଯେପରି ତାଙ୍କର ଭବିଷ୍ୟତ ସାହିତ୍ୟ ସାଧନାର ତାହା. ହିଁ ଥିଲା ଅଋଣୋଦୟ । ସେତେବେଳେ କଲିଜିଏଟ ସ୍କୁଲରେ କୌଣସି ମୁଖପତ୍ର ପ୍ରକାଶ ପାଉ ନଥାଏ । ଛାତ୍ର ଅନନ୍ତଙ୍କ ଉଦ୍ୟମରେ ପ୍ରକାଶିତ ହେଲା ହାତଲେଖା ପତ୍ରିକା ‘ଛାତ୍ରବନ୍ଧୁ’ । ଏହାର ପ୍ରଥମ ଛାତ୍ର ସମ୍ପାଦକ ଥିଲେ ଅନନ୍ତ । ୧୯୩୦ ମସିହାରେ ଅନନ୍ତ ଏହି ଅନୁଷ୍ଠାନର ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ । ଗାନ୍ଧିଜୀଙ୍କ ଡାକରାରେ ଅନନ୍ତ ଅଳ୍ପଦିନ ପାଇଁ ଲବଣ ସତ୍ୟାଗ୍ରହରେ ଯୋଗଦାନ କରିଥିବାରୁ ରେଭେନ୍ସା କଲେଜରେ ନାମ ଲେଖାଇବାରେ ସାହେବ ଅଧ୍ୟକ୍ଷ ଅନୁମତି ଦେଲେ ନାହିଁ-। ମାତ୍ର ୧୯୩୧ରେ ସତ୍ୟାଗ୍ରହ ସ୍ଥଗିତ ରହିବାରୁ ଅନନ୍ତ ରେଭେନ୍ସା କଲେଜରେ ନାମ ଲେଖାଇଲେ । ଏହି ଛାତ୍ର ଅବସ୍ଥାରେ ସେ ନିଜ ଗ୍ରାମ ଚଣାହଟ୍ଟାରେ କଂଗ୍ରେସ ସମ୍ମିଳନୀର ଆୟୋଜନ କରିଥଲେ । କଟକରେ ଛାତ୍ର ଆନ୍ଦୋଳନରେ ନେତୃତ୍ଵ ପ୍ରଦାନ କରି କର୍ତ୍ତୃପକ୍ଷଙ୍କର କ୍ରୋଧର ଶିକାର ହୋଇଥିଲେ । ଦିଲ୍ଲୀ କଂଗ୍ରେସ ଅଧିବେଶନରେ ଯୋଗଦେବା ପାଇଁ ଟ୍ରେନରେ ଯାତ୍ରାକଲାବେଳେ ହାବଡ଼ା ଷ୍ଟେସନର ଗିରଫ ହୋଇ କିଛିକାଳ ଆଲିପୁର ଜେଲରେ ବନ୍ଦୀ ହେଲେ-। ଏଣେ ୟୁରୋପୀୟ ଅଧ୍ୟକ୍ଷ ରେଭେନ୍ସା କଲେଜରୁ ବହିଷ୍କାର କରିଥଲେ । ମାତ୍ର କତିପୟ ଗୁଣଗ୍ରାହୀ ଅଧ୍ୟାପକଙ୍କ ଉଦ୍ୟମରେ ସେ ପୁନର୍ବାର ଛାତ୍ର ଭାବରେ ଗୃହୀତ ହେଲେ । ଏତେବେଳକୁ ଅନନ୍ତ ସୋଭିଏତ ଋଷ ବିପ୍ଳବର ପ୍ରଭାବରେ ସାମ୍ୟବାଦୀ ଆଦର୍ଶ ପ୍ରତି ଆକୃଷ୍ଟ ହୋଇ ପଡ଼ିଥାଆନ୍ତି । ଏହି ଆଦର୍ଶ ପ୍ରଚାର କରୁଥିବା ‘ସାରଥୀ’ ପତ୍ରିକାରେ ଅନନ୍ତଙ୍କର କବିତା ପ୍ରକାଶ ପାଉଥାଏ । ପଣ୍ଡିତ ନୀଳକଣ୍ଠଙ୍କ ସମ୍ପାଦିତ ନବଭାରତରେ ମଧ୍ୟ ତାଙ୍କର କବିତା ସ୍ଥାନିତ ହେଉଥାଏ-। ୧୯୩୫ ସାଲରେ ବି.ଏ. ପରୀକ୍ଷାରେ ଭତ୍ତୀର୍ଣ୍ଣ ହୋଇ ଆଇନ କଲେଜରେ ନାମ ଲେଖାଇଲେ । ଉଦ୍ଦେଶ୍ୟଥାଏ ଛାତ୍ର ଆନ୍ଦୋଳନରେ ନେତୃତ୍ଵ ପ୍ରଦାନ କରିବା ।

 

ଏହି ସମୟରେ ଢେଙ୍କାନାଳ ରାଜ୍ୟରେ ଆରମ୍ଭ ହେଲା ପ୍ରଜା ଆନ୍ଦୋଳନ ରାଜାଙ୍କର ମନମୁଖୀ ଶାସନ ଓ ଅତ୍ୟାଚାର ବିରୁଦ୍ଧରେ । ବାମପନ୍ଥୀ ବନ୍ଧୁମାନଙ୍କ ସହିତ ଅନନ୍ତ ଏହି ଆନ୍ଦୋଳନରେ ଯୋଗଦେଇ ଢେଙ୍କାନାଳ ଜେଲରେ ଅଶେଷ ଯନ୍ତ୍ରଣା ଭାଗ କରିଥିଲେ । ଏହି ଆନ୍ଦୋଳନକୁ ଉତ୍ସାହିତ କରିବା ପାଇଁ ଅନନ୍ତଙ୍କ ଉଦ୍ୟମରେ ପ୍ରକାଶ ପାଇଲା ‘ରଣଭେରୀ’ । ଆନ୍ଦୋଳନକାରୀମାନଙ୍କୁ ଉତ୍ସାହିତ କରିବା ପାଇଁ ଅନନ୍ତ ଲେଖିଲେ ଜ୍ଵାଳାମୟୀ କବିତା । ଏହି କବିତାଗାନ କରି ସତ୍ୟାଗ୍ରହୀମାନେ ରାଜ ଅତ୍ୟାଚାରକୁ ଭ୍ରୂକ୍ଷେପ କରୁ ନଥିଲେ । ଢେଙ୍କାନାଳ ପ୍ରଜାମଣ୍ଡଳ ଆନ୍ଦୋଳନରେ ଅନନ୍ତଙ୍କର ଗୀତ ଥିଲା ଅପୂର୍ବ ପ୍ରେରଣାଦାୟକ । ପ୍ରଜାମଣ୍ଡଳ ଆନ୍ଦୋଳନ, ଶାନ୍ତି ଆନ୍ଦୋଳନ, ଛାତ୍ର ଆନ୍ଦୋଳନ ଓ ସାମ୍ୟବାଦୀ ଆନ୍ଦୋଳନରେ ଅନନ୍ତଙ୍କର ଅଗ୍ନିବର୍ଷି ଲେଖନୀ ଥିଲା ଅତ୍ୟନ୍ତ ପ୍ରଭାବଶାଳୀ ।

 

ବିଖ୍ୟାତ ‘ସମାଜ’ ପତ୍ରିକାର ସହକାରୀ ସମ୍ପାଦକ ଭାବରେ ସେ ସମ୍ପାଦନା କରିଥିଲେ ପାକ୍ଷିକ ସତ୍ୟବାଦୀ ପତ୍ରିକା । ଝିଟିପିଟି କହେ, ଲେଖକ ଅଣାକାର ଛଦ୍ମନାମରେ ତାଙ୍କର ଧାରାବାହିକ ଲେଖା ପାଠକୀୟ ଆଦରଲାଭ କରିଥିଲା । ଦ୍ୱିତୀୟ ମହାଯୁଦ୍ଧ କାଳରେ ବିଦେଶୀ ସରକାରଙ୍କ ଲାଲ ଆଖିକୁ ଏଡ଼ାଇ ଅନନ୍ତଙ୍କର ଛଦ୍ମନାମରେ ଲେଖା ପ୍ରକାଶିତ ହେଉଥଲା ପତ୍ରପତ୍ରିକାରେ । ତାହା ହେଲା ଅତନୁ, ଅଣାକାର, ବୋଧିସତ୍ତ୍ୱ ଓ କୁମାରୀ ଯଶୋଧାରା ।

 

ନବଯୁଗ ସାହିତ୍ୟ ସଂସଦ ଓ ପ୍ରଗତିଧର୍ମୀ ଆନ୍ଦୋଳନ

ବିଂଶ ଶତାବ୍ଦୀର ଦ୍ୱିତୀୟ ଦଶକ ଓ ତୃତୀୟ ଦଶକରେ ଯଥାକ୍ରମେ ସତ୍ୟବାଦୀ ସାହିତ୍ୟ ଆନ୍ଦୋଳନ ଓ ସବୁଜ ସାହିତ୍ୟ ଆନ୍ଦୋଳନ ଓଡ଼ିଆ ସାହିତ୍ୟରେ ଜାତୀୟବାଦୀ ଧାରା ଓ ରୋମାଣ୍ଟିକ ଧାରାର ପ୍ରବାହ କରିଥାଏ । କଟକ ନଗର ହେଉଛି ଓଡ଼ିଶାର ସାଂସ୍କୃତିକ ରାଜଧାନୀ ଓ ଉତ୍କଳ ସାହିତ୍ୟସମାଜ ହେଉଛି ଓଡ଼ିଶାର ପ୍ରାଚୀନତମ ସାରସ୍ଵତ ଅନୁଷ୍ଠାନ । ବିଂଶ ଶତାବ୍ଦୀର ଦ୍ୱିତୀୟ ଓ ତୃତୀୟ ଦଶକ ବେଳକୁ ପୃଥିବୀର ରାଜନୀତି ଓ ସାହିତ୍ୟରେ ବିପୁଳ ପରିବର୍ତ୍ତନ ଦେଖାଦେଇଥାଏ । ଓଡ଼ିଆ ସାହିତ୍ୟରେ ଏହି ପ୍ରଭାବ ଥାଏ ଅତ୍ୟନ୍ତ ମନ୍ଥର । ସାହିତ୍ୟରେ ରକ୍ଷଣଶୀଳତା ରାଜପଣ କରୁଥାଏ । ଏହି ସମୟରେ କେତେଜଣ ପ୍ରଗତିଶୀଳ ଲେଖକ ଚିନ୍ତାକଲେ ସାହିତ୍ୟରେ ଏହି ମନ୍ଥର ଭାବନା ବିରୁଦ୍ଧରେ ଆନ୍ଦୋଳନ କରିବେ । ଏହି ଆନ୍ଦୋଳନରେ ଅନ୍ୟ ବନ୍ଧୁମାନଙ୍କ ସହିତ ଅନନ୍ତ ପ୍ରତ୍ୟକ୍ଷ ଭାବରେ ଅଂଶଗ୍ରହଣ କରିଥିଲେ । ପ୍ରତିଷ୍ଠା ହେଲା ନବଯୁଗ ସାହିତ୍ୟ ସଂସଦ । ରାମଚନ୍ଦ୍ର ଭବନରେ ୧୯୩୫ ମସିହା ନଭେମ୍ବର ୨୯ ତାରିଖଠାରୁ ୧୯୩୫ ସାଲ ଡିସେମ୍ବର ଚାରି ତାରିଖ ପର୍ଯ୍ୟନ୍ତ ଛଅଦିନ ବ୍ୟାପି ସାହିତ୍ୟ ଆଲୋଚନା ସମ୍ମେଳନ ଆରମ୍ଭ ହେଲା । ପଣ୍ଡିତ ନୀଳକଣ୍ଠ ଦାସ ତାଙ୍କର ସମ୍ପାଦିତ ନବଭାରତ ପତ୍ରିକାରେ ‘‘ନବଯୁଗ ସାହିତ୍ୟ ସଂପଦ’’ ଶିରୋନାମାରେ ୧୩୪୨ ସଂଖ୍ୟାରେ ଲେଖିଥିଲେ-

 

ଏହି ନାମରେ ଗୋଟିଏ ସଂସଦ ଗଢ଼ା ହୋଇ ତାର ଉତ୍ସବ ହୋଇଯାଇଛି । xxx ଏହାର କଳ୍ପନା ବିଶାଳତର । ଜାତୀୟ ଜୀବନର ପୁରାଣ ପ୍ରଥା ଉପରେ ନୂତନ ସ୍ତର ଫିଟାଇବା ଏହାର ଉଦ୍ଦେଶ୍ୟ । ଜୀବନର ଚିନ୍ତା ସାହିତ୍ୟରେ ପ୍ରକାଶ ପାଏ ଓ ଚିନ୍ତା ହିଁ କ୍ରିୟାର ମୂଳ । ତେଣୁ ସାହିତ୍ୟରେ ବିପ୍ଳବ ପ୍ରଚାର କରି ଜାତୀୟ ଜୀବନରେ ଚଞ୍ଚଳତାର ସୂଚନା ଦେବା ନିମନ୍ତେ ଏହା କରାଯାଇଥିଲା । ପ୍ରଥମେ ବିଜ୍ଞାପନରେ ଉଦ୍ୟୋକ୍ତାମାନେ କହିଥିଲେ, ‘‘ଜଗତରେ ସବୁଠାରୁ ଚିନ୍ତାଶଳୀ ମନସ୍ଵୀ ଓ ମନିଷୀ ସାହିତ୍ୟକ ଲେଖକମାନେ ମାନବର ଚିରାଚରିତ ନୀତି, ବଦ୍ଧମୂଳ ଧାରଣା, ପୁଞ୍ଜିଭୂତ କୁସଂସ୍କାର ଓ ଚିନ୍ତାଶୂନ୍ୟତା ବିରୁଦ୍ଧରେ ପ୍ରବଳ ଅଭିଯାନ ଆରମ୍ଭ କରିଛନ୍ତି । ଆଇନଷ୍ଟାଇନ୍, ଫ୍ରୟେଡ଼୍‌, ମାର୍କସ, ରସେଲ, ବୀର୍ଣ୍ଣାଡ଼ସ, ରମାରୋଲାଁ, ମାକ୍ସିମ୍‌, ଗର୍କି, ଅଫଟନ୍‌ ସିନ୍‌ କ୍ଲେୟାର, ସିନକ୍ଲେୟାର ଲୁଇ ପ୍ରଭୃତି ସଚେତନ ଓ ମୌଳିକ ବିପ୍ଲବାତ୍ମକ ଭାବରାଶିର ପଟ୍ଟପୁରୋଧାଗଣ ସାଧାରଣରେ ପରିଚିତ । ଆମେ କେବଳ ଆମର ଅତୀତ ପ୍ରୀତିଘେନି ମାନବ ସଭ୍ୟତାର ଗତିଶୀଳତା ପ୍ରତି ଲକ୍ଷ୍ୟ ନ ରଖି ନିଜକୁ କ୍ଷୁଦ୍ର ପରିସରରେ ଆବଦ୍ଧ କରି ରଖିଛୁ । ସ୍ଵାଧୀନ ଚିନ୍ତା ଓ ଉଦାର ମନୋଭାବ ହେଉଛି ଆମର ପ୍ରଧାନ ଅଭାବ ତେଣୁ ଦେଶରେ ନବସଂସ୍କୃତି ଓ ନବସଭ୍ୟତାର ସ୍ରୋତ ଖେଳାଇ ଦେବା ହିଁ ସଂସଦର ଉଦ୍ଦେଶ୍ୟ ।’’

 

ଏହି ସଂସଦର ଆଦ୍ୟ ଉତ୍ସବରେ ‘ଉଦ୍‌ବୋଧନ’ ଗୀତ ଲେଖିଥିଲେ ତରୁଣ କବି ଅନନ୍ତ ପଟ୍ଟନାୟକ । ଗୀତଟି ପାଠ କଲେ ନବଯୁଗ ଆନ୍ଦୋଳନର ଆଭିମୁଖ୍ୟ ସ୍ପଷ୍ଟ ପ୍ରତିଭାତ ହୋଇଥାଏ-।

 

‘‘ନବୀନ ଯୁଗର ତରୁଣ ଜାଗରେ

ଜାଗ ବନ୍ଧନ-ହରା,

ବକ୍ଷ ଶୋଣିତେ ଲକ୍ଷ ଜୀବନେ

ଖେଳାଅ ଆଲୋକଧାରା ।

ଛିନ୍ନ କରରେ ବନ୍ଧନରାଜି

କ୍ରନ୍ଦନ ହେଉ ଶେଷ,

ଲୁପ୍ତ ହେଉରେ ଜାତି ଉପଜାତି

ଖଣ୍ଡିତ ଶତ ଦେଶ ।

ମହାମାନବର ଶଙ୍ଖ ଶବଦେ

ଶମୁରେ ଦୁଃଖଜ୍ୱାଳା,

ଜାଗ ବନ୍ଧନ କାରା (୧)

x      x      x

ଚିରି ଅତୀତରେ ଜୀର୍ଣ୍ଣ-ଜୀବନ

ଜାଗ ଆହେ ଭବିଷ୍ୟତ,

ଚୂର୍ଣ୍ଣ କରୁରେ ସ୍ୟନ୍ଦନ ତବ

ପୀଡ଼ନର ପରବତ,

ଭାଙ୍ଗିପଡ଼ୁ ଆଜି ଅର୍ଗଳ-ରାଜ

ଘେନ ବିଜୟର ମାଳା

ଜାଗ ବନ୍ଧନ-ହରା ।

 

ସୋଭିୟେତ ଋଷର ସାମ୍ୟବାଦୀ ଆନ୍ଦୋଳନ ଓ ଆନ୍ତର୍ଜାତୀୟତା ଥିଲା ଏ ସାହିତ୍ୟର ଆଦର୍ଶ ।

 

ଉକ୍ତ ସମ୍ମିଳନୀରେ ସାହିତ୍ୟ ବିଭାଗରେ ଓପନ୍ୟାସିକ ରାମପ୍ରସାଦ ସିଂହ ଏକ ପ୍ରବନ୍ଧ ପାଠ କରିଥିଲେ ବର୍ତ୍ତମାନ ସାହିତ୍ୟରେ ନୂତନ ଭାବଧାରାର ଆବାହନ ଶୀର୍ଷକରେ । ପ୍ରାବନ୍ଧିକ ଲେଖିଥିଲେ-ମାନବକୁ ତାହାର ବର୍ତ୍ତମାନ ଅବସ୍ଥାରୁ ମୁକ୍ତି ପାଇବାକୁ ହେଲେ ଏକ ସ୍ଵାଧୀନ ସାହିତ୍ୟ ସର୍ବାଦୌ ଆବଶ୍ୟକ । ଏ ସାହିତ୍ୟରେ ‘ଭଗବାନ’ ସହିତ କୌଣସି ସଂପର୍କ ନ ଥିବ, ଧର୍ମ ସହିତ କୌଣସି ସମ୍ବନ୍ଧ ନଥିବ, ମନୁଷ୍ୟ ଭାବରେ ମନୁଷ୍ୟର ସମସ୍ୟାକୁ ଧରି ଏହା ଅଗ୍ରସର ହେବ । ଏହିପରି ଏକ ସାହିତ୍ୟ ଋଷିଆରେ ବର୍ତ୍ତମାନ ସୃଷ୍ଟି ହୋଇଛି । ଓଡ଼ିଆ ସାହିତ୍ୟକୁ ସେହି ଆଦର୍ଶ ଧରିବାକୁ ହେବ ।

 

ଓଡ଼ିଆ ସାହିତ୍ୟ ବର୍ତ୍ତମାନ ପରମୁଖାପେକ୍ଷି-ପରାଙ୍ଗପୁଷ୍ଟ ମଲାଙ୍ଗ ପରି ଏହା ଏକ ବ୍ୟର୍ଥ ଅସ୍ତିତ୍ୱ ଘେନି ବିରାଜିତ । ଧନୀ, ଜମିଦାର, ରାଜା, ରାଜପୁତ୍ର ଘେନି ଏହାର ଅଙ୍ଗ ଗଠିତ । ଏ ସାହିତ୍ୟ ଜନସାଧାରଣଙ୍କର ନୁହଁ କିମ୍ବା ଜନସାଧାରଣଙ୍କ ସହିତ ଏହାର କୌଣସି ସଂପର୍କ ନାହିଁ । ଏଥିରେ ଚିନ୍ତାର ସ୍ୱାଧୀନତା ତ ନାହିଁ, କଳ୍ପନାରେ ମଧ୍ୟ ସାହସ ନାହିଁ, ଭାଷାରେ ବଳ ନାହିଁ, ଭାବରେ ଆନ୍ତରିକତା ନାହିଁ । ଏ ସାହିତ୍ୟ ଘେନି ଜାତିର ଗର୍ବ କରିବାର କିଛି ନାହିଁ, ଏ ସାହିତ୍ୟରେ ଜାତିଗଠନର କିଛି ସାମଗ୍ରୀ ନାହିଁ । (ନବଭାରତ-ଧନୁ-୧୩୪୨) ।

 

ସାହିତ୍ୟରେ ପ୍ରଗତିବାଦୀ ଆନ୍ଦୋଳନ ଥିଲା ଏକ ଯୁଗଧର୍ମ । ୧୯୩୫ ସାଲରେ ଲକ୍ଷ୍ନୌ ସହରରେ ଅନ୍ତରାଷ୍ଟ୍ରୀୟ ପ୍ରଗତିଶୀଳ ସଂଘ ପ୍ରତିଷ୍ଠା ହୁଏ । ୧୯୩୬ ମସିହାରେ ପ୍ରସିଦ୍ଧ ହିନ୍ଦୀ ସାହିତ୍ୟର ଲେଖକ ପ୍ରେମଚାନ୍ଦ ପ୍ରତିଷ୍ଠା କରନ୍ତି ପ୍ରଗତିଶୀଳ ଲେଖକ ସଂଘ । ୧୯୩୫ରେ ଓଡ଼ିଶାରେ ନବଯୁଗ ସାହିତ୍ୟ ସଂସଦ ଜନ୍ମଗ୍ରହଣ କରେ । ଏହି ଅନୁଷ୍ଠାନର ମୁଖପତ୍ର ‘ଆଧୁନିକ’ ପ୍ରକାଶିତ ହୁଏ ଭଗବତୀ ପାଣିଗ୍ରାହୀଙ୍କ ସମ୍ପାଦକତ୍ୱରେ । କବି ଅନନ୍ତ ଥାଆନ୍ତି ସହଯୋଗୀ ।

 

ପ୍ରଗତିଶୀଳ ସାହିତ୍ୟରେ ସମସ୍ତ ପ୍ରକାର ରକ୍ଷଣଶୀଳତା ଓ ଅସମାନତା ବିରୁଦ୍ଧରେ ବିଦ୍ରୋହ ପ୍ରକାଶ ପାଏ । ଅତୀତର ସାହିତ୍ୟ ଥିଲା ସାମନ୍ତବାଦୀ ସାହିତ୍ୟ ଅଥବା ଭୋଗାବଳୀ ସାହିତ୍ୟ । କିନ୍ତୁ ପ୍ରଗତିଶୀଳ ସାହିତ୍ୟରେ ସମାଜର ଯଥାର୍ଥ ଚିତ୍ରଣ ପ୍ରକାଶପାଏ । କଳା ମାଧ୍ୟମରେ ନୂତନ ଲକ୍ଷ୍ୟ ପ୍ରତିଷ୍ଠା ଏ ସାହିତ୍ୟର ପ୍ରଧାନ ଲକ୍ଷ୍ୟ । ଲୋକ କଲ୍ୟାଣ ଓ ସର୍ବହରାର ଚିତ୍ରଣ ପ୍ରଗତିସାହିତ୍ୟର ଆଦର୍ଶ ।

 

ତତ୍‌କାଳୀନ କୃଷକ ଆନ୍ଦୋଳନ ଓ ପ୍ରଜାମଣ୍ଡଳ ଆନ୍ଦୋଳନରେ ଅନନ୍ତଙ୍କର ଲିଖିତ ଗୀତ ସଂଗ୍ରାମୀମାନଙ୍କ ମନରେ ଉନ୍ମାଦନା ସୃଷ୍ଟି କରୁଥିଲା । ୧୯୩୬ ମସିହା ଅକ୍ଟୋବର ମାସରେ ପୁରୀ ସହରର ଶରଧା ବାଲିରେ ରାଜ୍ୟକୃଷକ ସମ୍ମିଳନୀ ଅନୁଷ୍ଠିତ ହୁଏ । ଏହି ସମ୍ମିଳନୀରେ ଅନନ୍ତଙ୍କ କବିତାର ଉଦ୍‌ବୋଧନ ଥିଲା-

 

‘‘ଜୀବନ ଧରି ହେ ଢାଳିଲୁ ରକ୍ତ

ତୋଳିଲୁ ସଉଧମାଳା

ଆମରି ଲାଗିରେ ଶାସନ ଶକ୍ତ

ଆମେଇ ସର୍ବହରା ।

xxx

ପ୍ରାପ୍ୟ ଆମର ନେବୁରେ ମୁକର

ଆମେ ଶ୍ରମିକର ଜାତି

ଫୁଟାଇବୁ ଆଜି ରକ୍ତ ପ୍ରଭାତ ଚିରି ଅନ୍ଧାର ରାତି ।’’

 

ସାରସ୍ଵତ ସାଧନାର ଆଭିମୁଖ୍ୟ

ଅନନ୍ତ ପଟ୍ଟନାୟକ ଥଲେ ବିପ୍ଲବୀ କବି । ପ୍ରଥମ କାଳରେ ସେ ରୋମାଣ୍ଟିକ ଭାବଧାରା ଦ୍ଵାରା ଅନୁପ୍ରାଣିତ ହୋଇଥିଲେ ହେଁ ସାମ୍ୟବାଦୀ ଆନ୍ଦୋଳନର ବୈପ୍ଲବିକ ଆହ୍ୱାନରେ ତାଙ୍କର ଲେଖନୀ ଗତିଶୀଳ ହେବାକୁ ଲାଗିଲା । ଇଂରାଜୀ ଭାଷାରେ ଓଡ଼ିଆ ସାହିତ୍ୟର ଲେଖକ କବି ମାୟାଧର ମାନସିଂହ ଅନନ୍ତଙ୍କ ବିଷୟରେ ଅତ୍ୟନ୍ତ ଅନୁଚିତ ମନ୍ତବ୍ୟ ପ୍ରଦାନ କରି ଲେଖିଥିଲେ- ‘‘Comrade Ananta Patnaik still writes, but writes such jargon that is impossible for us common readers to say what exactly it is all about. A few excellent pieces however on matters not related to intelligible diction do exist to his credit. One such is a moving poem on Bapuji’s death, entitled, Let the blood flow and flow.” (History of Oriya Literature, 1962-P. 256)

 

କବି ଅନନ୍ତ ଆଦୌ ପ୍ରଚାରମୁଖୀ ନ ଥିଲେ । ଦୀର୍ଘକାଳ ସାହିତ୍ୟସାଧନା କରିଥିଲେ ହେଁ ଅନେକ ବିଳମ୍ବରେ ତାଙ୍କର ଲେଖା ପ୍ରକାଶିତ ହୋଇଥିଲା ପୁସ୍ତକ ଆକାରରେ । କବି ମାନସିଂ ଅନନ୍ତଙ୍କ ସାମଗ୍ରୀକ କୃତିର ପରିଚୟ ପାଇପାରିନାହାନ୍ତି । ଅନନ୍ତ ଥିଲେ ଏକାଧାରରେ ଜଣେ ବିପ୍ଲବୀ ଓ ସମାଜ ସଂଚେତନ କବି ନାଟ୍ୟକାର, ପ୍ରାବନ୍ଧିକ, ଶିଶୁ ସାହିତ୍ୟର ଲେଖକ, ସାମ୍ବାଦିକ, ଗାଳ୍ପିକ ଓ ସାର୍ଥକ ଅନୁବାଦକ । ଅନେକ ବିଳମ୍ବରେ ‘ଅବାନ୍ତର’ କବିତା ସଂକଳନ ପାଇଁ ୧୯୮୦ ମସିହାରେ କବି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ନିଜର ବିମୁଖତା ପାଇଁ ଅନେକ ଲେଖା ଆଜି ମଧ୍ୟ ପୁସ୍ତକ ରୂପରେ ପ୍ରକାଶ ପାଇପାରି ନାହିଁ । ତେବେ ପ୍ରକାଶିତ ପୁସ୍ତକଗୁଡ଼ିକର ପରିଚୟ ଏହିପରି- କବିତା-ରକ୍ତଶିଖା, ଶାନ୍ତଶିଖା, କିଞ୍ଚିତ୍‌, ଅଲୋଡ଼ାଲୋଡ଼ା, ଛାଇର ଛିଟା, ଅଋତୁ ଋତୁ, ଅବାନ୍ତର । ତର୍ପଣ କରେ ଆଜି ସୂତାଟିଏ ସୁକୃତିର ।

 

ଶିଶୁ ସାହିତ୍ୟ-ଅଗଡ଼ ବଗଡ଼, ଛବିଟିଏ ଗପଟିଏ, ଗପୁଡ଼ି ମାଇଁକି ଧପୁଡ଼ି ଧାଇ, କୁନିକୁନି, ଭଲପଣ, ଲଢ଼େଇ କରନା ପୁଷି, ଲାଲ ଟକଟକ, ସୂରୁଜଟିଏ ମୋ ପଢ଼ାଭାଇ ।

 

ଅନନ୍ତ ଶିଶୁ ସାହିତ୍ୟ ପ୍ରକାଶନ ସମିତିର ଅନେକ ଦିନ ପର୍ଯ୍ୟନ୍ତ ସଂପାଦକ ଥିଲେ ଏବଂ ସଂପାଦନା କରିଥିଲେ ‘ଶିଶୁଲେଖା’ ।

 

କ୍ଷୁଦ୍ରଗଳ୍ପ- ଚଢ଼ାଉତ୍ତରା, କସରାଘୋଡ଼ା ।

ଅନୁବାଦ- ମା’, ଭାଗ୍ୟରୁ ଖିଏ, ଶିକ୍ଷାନବୀଶ, ସତ୍ୟ ହେଲା ମଣିଷର ସ୍ୱପ୍ନ ।

 

ଅନନ୍ତ ୧୯୮୭ ମସିହା ଜୁନ ମାସ ୨୫ ତାରିଖରେ ମାନବଲୀଳା ସମ୍ବରଣ କଲେ । ୧୯୨୦ ମସିହାରେ କୈଶୋର ଜୀବନର ଶେଷ ନିଃଶ୍ୱାସ ନେବା ପର୍ଯ୍ୟନ୍ତ ତାଙ୍କର ଲେଖନୀ ଚଳଚଞ୍ଚଳ ରହିଥିଲା । ଶୋଷିତ ଓ ଲାଞ୍ଛିତ ଜନସାଧାରଣଙ୍କ ବିକଳ ଚିତ୍ର ତାଙ୍କର କବିତାରେ । ସେ ବିଶ୍ଵାସ କରୁଥିଲେ ଏହି ଯୁଦ୍ଧପାଗଳ ସଂସାରରେ କେବଳ ସମାଜବାଦ ସମାଜକୁ ରକ୍ଷା କରି ପାରିବ । ତାଙ୍କର କବିତାରେ ଶୋଷିତ ଓ ଅତ୍ୟାଚାରିତଙ୍କ ପାଇଁ ବ୍ୟାକୁଳତା ପ୍ରକାଶ ପାଇଛି । ଚାଷୀ ଓ ସର୍ବହରାଙ୍କୁ ସମର୍ଥନ ହେଲା ତାଙ୍କର କବିତାର ପ୍ରାଣଧର୍ମ । ସାରା ଜଗତର ଦୁଃଖରେ କବି ବିଚଳିତ ହୋଇଛନ୍ତି । ଶୋଷିତ ଜନତାଙ୍କ ପାଇଁ ତାଙ୍କର ଲେଖନୀ ଜାଗ୍ରତ ହୋଇଛି । ବାସ୍ତବ ଜୀବନର ଚିତ୍ର ରୂପାୟିତ ହୋଇଛି ତାଙ୍କର କବିତାରେ । କବିତାର ଛତ୍ରେ ଛତ୍ରେ ଜନତାର ଦୁଃଖ ଯନ୍ତ୍ରଣା ପାଇଁ କବି ସହାନୁଭୂତି ପ୍ରକାଶ କରିଛନ୍ତି । ସେ ସ୍ଵପ୍ନ ଦେଖୁଛନ୍ତି ଏପରି ଏକ ସମାଜର ଯେଉଁଠାରେ ଧର୍ମାନ୍ଧତାର ସ୍ଥାନ ନଥିବ, ସାଧାରଣ ଲୋକେ ଶୋଷିତ ଓ ଅତ୍ୟାଚାରିତ ହେଉନଥିବ, ସେମାନଙ୍କର ଅଧିକାରକୁ କେହି ଛଡ଼ାଇ ନେବେ ନାହିଁ । ଦେଶର ସାଂପ୍ରତିକ ଅବସ୍ଥା ପାଇଁ କବିଙ୍କର ବ୍ୟାକୁଳତା ପ୍ରକାଶ ପାଇଛି-

 

‘‘ଆଜିତ ମଣିଷ ଢଳିପଡ଼େ ଭୋକେ

ଆଜିତ ଶିଶୁର ଛାତିରେ ଗୁଳି

ମୁହେଁ ମୁହେଁ ଖାଲି ସାମ୍ୟବାଦ ହେ

ହାତୁଁ ହାତେ ଛୁରୀ ଯାଉଛି ବୁଲି ।’’

(ରକ୍ତ ସାଗରେ ମର୍ମ ଫୁଟେ)

 

ଆଧୁନିକ ପ୍ରଗତିଶୀଳ ସମାଜକୁ ଆହ୍ୱାନ ଜଣାଇ ସୋଭିୟେତ ଲେଖକ ଗର୍କି ‘‘The old man and the new’’ରେ ଲେଖିଥିଲେ ‘‘The aim of the new world is to liberate the working people from the ancient superstitious and prejudices of race, nation, class and religion and to create a worldwide, fraternal society, every member of which will work according to his ability and receive according to his needs.’’

 

ପ୍ରଗତି ସାହିତ୍ୟ ହେଉଛି ଜୀବନର ପ୍ରତିଚ୍ଛବି ଓ ଅଭିବ୍ୟକ୍ତି । ଏହା ଜୀବନଠାରୁ ବିଚ୍ଛିନ୍ନ ହୋଇ ପାରିବ ନାହିଁ । ଏହା କଳ୍ପନାର ବିଳାସ ନୁହେଁ, ବାସ୍ତବତାର ରୂପାୟନ । ଏ ସାହିତ୍ୟ ପରିବର୍ତ୍ତନଶୀଳ ସମାଜ ଓ ଲୋକମାନଙ୍କର ରୂପାନ୍ତରିତ ବିକାଶକୁ ପ୍ରକଟିତ କରିବ । ଜୀବନର ନାନାବିଧ ସମସ୍ୟା ଏ ସାହିତ୍ୟରେ ପ୍ରତିଫଳିତ ହୁଏ । କବି ଅନନ୍ତଙ୍କର ସାହିତ୍ୟିକ ଆଭିମୁଖ୍ୟ ଏହିପରି ଆଦର୍ଶରେ ପ୍ରଭାବିତ ହୋଇଥିବା ଜଣାଯାଏ ।

 

 

ସର୍ବହରାର ଦୁଃଖରେ ବିଚଳିତ କବି ଗାଇଛନ୍ତି-

 

‘‘ସର୍ବହରା ଦଳ !

ଚାଲଚାଲ ଖରତର

ଚୂର ଚୂର, ଜଂଜୀର, କାରାରେ;

କଣ୍ଠେ ଖେଳୁ ହେ ତବ

ବିଦ୍ୟୁତ-ଦ୍ୟୁତି ଦଳ

ବକ୍ଷେ ବିକଶୁ ପ୍ରୀତି-ଧାରାରେ ।’’

(ପ୍ରଳୟର ଆବାହନ)

 

କବି ରକ୍ଷଣଶୀଳ ପ୍ରାଚୀନ ସମାଜର ବଡ଼ପଣ୍ଡାମାନଙ୍କୁ ଆହ୍ୱାନ ଜଣାଇ ଲେଖିଛନ୍ତି-

 

‘‘ବୃଦ୍ଧ ହେ, ତୁମ ଦିବସଯାଇଛି ଚାଲି ।

ନବ ଜୀବନର ଆହ୍ୱାନ ଆସେ ଖରେ,

ଛାଡ଼ିଦିଅ ପଥ, ନବୀନ ଆଲୋକ ଜାଳି

ତରୁଣବାହିନୀ ଛୁଟୁରେ ଦର୍ପଭରେ ।’’

 

ମୁଷ୍ଟିମେୟ ସମାଜପତି ସମଗ୍ର ଜନସମାଜକୁ ଶୋଷଣ କରି ଆଧିପତ୍ୟ ବିସ୍ତାର କରିବା ପାଇଁ ନାନାଫିକର ଅନୁସରଣ କରିଛନ୍ତି । ସରଳ ଜନତା ଏହି ପ୍ରବଞ୍ଚନା ଓ ଶୋଷଣର ଶିକାର ହୋଇ ଯୁଗଯୁଗଧରି ଅତ୍ୟାଚାରିତ ହେଉଅଛନ୍ତି । ଅନନ୍ତଙ୍କର ଆହ୍ୱାନ ହେଲା-

 

‘‘କାହିଁ ଭଗବାନ, କାହିଁ ବା ସ୍ୱର୍ଗ କହ,

କାହାପାଇଁ ବସି ଗଡ଼ାଅ କାଷ୍ଠ ମାଳି ?

ପୃଥିବୀ କା ପାଇଁ କରିଲ ଦେଉଳମୟ ?

ଶ୍ରମିକ ମରେ ଯେ ଶରୀରୁ ରକ୍ତ ଢାଳି ?

xxx

ସମାଜପତି ହେ ! ଧର୍ମର ବାନା ଟେକି

ନରଦେବତାର ମସ୍ତକ ପଦେ ଚାପ,

ଶତ ସଂହିତା ପୁରାଣ ତନ୍ତ୍ର ଲେଖି

ନିଜ ଭୋଗ ଲାଗି ମନ୍ଦିରେ ଦେବ ଥାପି ।’’

(ବୃଦ୍ଧ ତୁମର ଦିବସ ଯାଇଚି ଚାଲି)

 

ସାଂପ୍ରତିକ ଅବକ୍ଷୟୀ ସମାଜର ଚିତ୍ର କବି ଅନନ୍ତଙ୍କୁ ବିକଳ କରିଛି । ଦୀର୍ଘକାଳର ପରାଧୀନତା ଓ ବିଦେଶୀ ଶାସନର ଅତ୍ୟାଚାର ଓ ଉତ୍ପୀଡ଼ନ ସହ୍ୟ କରି ଜନସାଧାରଣ ନିର୍ବେଦ ଓ ନିସ୍ତେଜ ହୋଇ ପଡ଼ିଥିଲେ । ସ୍ଵାଧୀନତା ଲାଭ କଲାପରେ କେତେ ଆଶା କରିଥିଲେ ଜୀବନର ଏ ଅମାରାତି ଅପସରିଯିବ । ସ୍ଵାଧୀନତାର ନୂତନ ପ୍ରଭାତରେ ଜୀବନ ହସି ଉଠିବ । ମାତ୍ର ଏ କଣ ହେଲା ? ଆଜି ମଧ୍ୟ ଏ ଦେଶର ଅର୍ଦ୍ଧାଧିକ ଲୋକ ଦାରିଦ୍ର୍ୟର ସୀମାରେଖା ତଳେ ଏବଂ ଶିକ୍ଷାର ଆଲୋକରୁ ଅନେକ ଦୂରରେ । ଚତୁର୍ଦ୍ଦିଗରେ ଅପରାଧପ୍ରବଣତା ରାଜପଣ କରୁଛି । ଧର୍ମାନ୍ଧତା ଓ ଜାତିଆଣର ବିଦ୍ୱେଷ ଦେଶବାସୀଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଥରହର କରୁଛି । ସହର ବଜାର ଓ ପଲ୍ଲୀ ସଂସାରରେ ଅବିରତ ଲୁଟତରାଜ, ନାରୀଧର୍ଷଣ ଓ ଦାଦାଗିରିର ରାଜପଣ । ଜନତାର ଦୁଃଖରେ ବିଚଳିତ କବି ଅନନ୍ତ ‘‘ରକ୍ତ ସାଗରେ ମର୍ମଫୁଟେ’’ କବିତାରେ ଗାଇଛନ୍ତି –

 

‘‘ଆଜି ତ ମଣିଷ ଢଳିପଡ଼େ ଭୋକେ,

ଆଜିତ ଶିଶୁର ଛାତିରେ ଗୁଳି,

ମୁହେଁ ମୁହେଁ ଖାଲି ସାମ୍ୟବାଦ ହୋ !

ହାତୁଁ ହତେ ଛୁରୀ ଯାଉଚି ବୁଲି !

ଆଜି ତ ଗାଆଁରେ କଙ୍କାଳ ନାଚେ,

ସହରେ ସହରେ ଦୋହଲେ ଜାତି,

ସୁନେଲି ହସରେ ଲୁଣ୍ଠନ ଚାଲେ,

ଫୁଲି ଫୁଲି ଉଠେ ଦସ୍ୟୁ ସାଥୀ !’’

 

ଦିନେ ଦେଶ ଓ ସମାଜ ପାଇଁ ଯେଉଁମାନେ ସର୍ବସ୍ଵତ୍ୟାଗ କରି କାରାବରଣ କରିଥିଲେ, ଇଂରେଜ ପୋଲିସର ଅତ୍ୟାଚାର ସହ୍ୟ କରିଥିଲେ, ଦେଶର ବିକାଶ ପାଇଁ କେତେ ସ୍ଵପ୍ନ ଦେଖୁଥିଲେ, ବର୍ତ୍ତମାନ ସେହି ସତ୍ୟାଗ୍ରହୀ ନେତାମାନେ କ୍ଷମତାର ପୋଷାକ ପିନ୍ଧି ଲୋକକଲ୍ୟାଣର ପତାକା ଉଡ଼ାଇ ଭୋଗାବଳୀ ଐଶ୍ଵର୍ଯ୍ୟରେ ମତୁଆଲା ହୋଇ ପଡ଼ିଛନ୍ତି । ଅଥଚ ଏଣେ ଜନସାଧାରଣଙ୍କ ତୁଣ୍ଡରେ ହାଅନ୍ନ ହାଅନ୍ନ ଚିତ୍କାର, ଶୋଷକମାନଙ୍କ ଅତ୍ୟାଚାରରେ ଅନବରତ ବ୍ୟସ୍ତବିକଳ ।

 

ସେହି କଥାକୁ ସ୍ମରଣ କରାଇ କବି ଅନନ୍ତଙ୍କ ଲେଖନୀରୁ ଝରି ଆସିଛି-

 

‘‘କାଲି ଯେ ଲଢ଼ିଲା, ସହିଲା କଷଣ,

ଆଜି ସେ ମଣିଷ ମଥାରେ ଚଢ଼ି

କେତେ ଟାଉଟରି ଟାହୁଲା ଛୁଟାଇ

ବୁଲୁଚି ସୁନାର ସଉଧ ଗଢ଼ି !

ଓହଳି ପଡ଼ୁଛି ମାଆର ଥନ ହୋ,

ଝୁଣି ଝୁଣି ମରେ କୋଳର ଛୁଆ,

ବଣବିଲେ କାହିଁ ଆଦିବାସିନୀ ହୋ,

ସଡ଼ପ ଛେଲିରେ ଘଷୁଚି ଲୁହା ।’’

(ରକ୍ତସାଗରେ ମର୍ମ ଫୁଟେ)

 

‘‘ଡାକୁଛି ସେ ଯେ ତୋହରି ସାଥୀ’’ କବିତାରେ କବି ଉତ୍କଳମଣି ଗୋପବିନ୍ଧୁଙ୍କୁ ଶ୍ରଦ୍ଧାନିବେଦନ କରି ଏ ଦେଶର ତରୁଣ ସମାଜକୁ ଆହ୍ଵାନ କରିଛନ୍ତି-

 

‘‘ଶପଥ ନିଅ ! ଶପଥ ନିଅ, ତାହାରି ସୁରେ ତରୁଣ ଜାତି

ଆଉ ନ ଝରୁ କାହାରି ଲୁହ, ଆଉ ନ ଆସୁ ପ୍ରଳୟ ରାତି !

ଆଉ ନ ରହୁ ପଶୁର ସାଜ,

ଦୁନିଆଶୋଷୀ ଦସ୍ୟୁରାଜ

ଛଳନାମୟ ହସର ତଳେ ଆଉ ନ ନାଚୁ ହିଂସା-କାତି ।’’

 

କବି ଅନନ୍ତ ଈଶ୍ୱରଙ୍କ ଅସ୍ତିତ୍ୱ ସମ୍ପର୍କରେ ପ୍ରଶ୍ନ କରିଛନ୍ତି । ଈଶ୍ଵରଙ୍କୁ କେନ୍ଦ୍ର କରି ପୃଥିବୀରେ କେତେ ଧର୍ମଯୁଦ୍ଧ ଓ ସଂଘର୍ଷ ଘଟି ଚାଲିଛି । ଈଶ୍ଵରଙ୍କ ଆଳରେ କୋଟିକୋଟି ମନ୍ଦିର, ମସ୍‌ଜିଦ ଓ ଚର୍ଚ୍ଚ ଅନୁଷ୍ଠାନ ମୁଣ୍ଡ ଟେକୁଛି ଏବଂ ତାଙ୍କୁ ମଣ୍ଡନ କରିବା ଛଳରେ ଅସୁମାରୀ ଧନ, ରତ୍ନ, ମଣିମାଣିକ୍ୟ ଖର୍ଚ୍ଚ କରିବା ପାଇଁ କେହି କୁଣ୍ଠିତ ହେଉନାହାନ୍ତି । ଅଥଚ ଏଣେ କୋଟି କୋଟି ଲୋକ ବାସହରା ହୋଇ ରୋଗ ଓ ଉପାସ ଭୋକରେ ଜୀବନ ଅତିବାହିତ କରୁଛନ୍ତି । ସେଥିପାଇଁ କବିଙ୍କର ଆହ୍ୱାନ ହେଲା-

 

‘‘ଝଂଜାଉଠେ ଆକାଶେ ଯେବେ

ବନ୍ୟା ଆସେ ପ୍ରଖରେ ଛୁଟି,

ଗୋଟିକ ପରେ ଗୋଟିଏ ଯେବେ

ସଉଧ ଶିର ପଡ଼ଇ ତୁଟି,

ପ୍ରେୟସୀ ଏଡ଼ି ପ୍ରେମିକ ଦୁଃଖେ

ଶୁଅଇ ଯେବେ ମୃତ୍ୟୁ-ବୁକେ,

ପୁତ୍ରହରା ରମଣୀ ଯେବେ

ଧରଣୀ ତଳେ ପଡ଼େରେ ଲୁଟି,

ଈଶ୍ୱର ତୋ ମଉନେ ରହେ

ଆସଇ ନାହିଁ ଶିଳାରୁ ଉଠି ।’’

– ଦେବତା ନାଇଁ ଭୁବନବନେ

 

କବି ମାୟାଧର ମାନସିଂ ଅନନ୍ତଙ୍କ କବିତାର ଉଚିତ ମୂଲ୍ୟାଙ୍କନ କରିବାକୁ କୁଣ୍ଠିତ ହୋଇଥିଲେ ତାଙ୍କର ଇଂରାଜୀଭାଷାରେ ଲିଖିତ ‘ଓଡ଼ିଆ ସାହିତ୍ୟର ଇତିହାସ’ ଗ୍ରନ୍ଥରେ । ତାଙ୍କର ଅଭିଯୋଗ ଥିଲା ଯେ ଅନନ୍ତଙ୍କର କବିତା ଅବୋଧ୍ୟ, କ୍ଲିଷ୍ଟ ଏବଂ ଭାବାନୁସାରୀ ନୁହେଁ । ଓଡ଼ିଆ ପ୍ରଗତିଶୀଳ ସାହିତ୍ୟକୁ ଅନନ୍ତଙ୍କର ଅବଦାନ ଅତ୍ୟନ୍ତ ଉଲ୍ଲେଖନୀୟ । ସେ ଥିଲେ ଅତ୍ୟନ୍ତ ସମାଜ ସଚେତନ କବି । ମଣିଷର ଦୁଃଖରେ ତାଙ୍କର କବି ହୃଦୟ ସତତ୍‌ ବିଗଳିତ ହେଉଥିଲା । ସେ ନିରବଚ୍ଛିନ୍ନ ଭାବରେ କବିତାରେ ଓ କାର୍ଯ୍ୟରେ ବିଦ୍ରୋହ କରିଥିଲେ । ସେ ବାରମ୍ବାର ଯୁଦ୍ଧଖୋର ପୃଥିବୀ ଓ ସାମାଜିକ ଅସମାନତା ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଛନ୍ତି କବିତାରେ । ପୁଞ୍ଜିପତି ଓ ଶୋଷକମାନଙ୍କ ବିରୁଦ୍ଧରେ ଶୋଷିତ ଓ ଅତ୍ୟାଚାରିତ ଜନତାପାଇଁ ସେ ବ୍ୟାକୁଳ ହୋଇଛନ୍ତି ।

 

କବି ଅନନ୍ତ ଥିଲେ ଶବ୍ଦର ଉପଯୁକ୍ତ ବିନ୍ଧାଣି । ଏକାଧାରରେ ତାଙ୍କର କବିତାର ଆବେଦନ ଥିଲା ବୁଦ୍ଧିଜୀବୀ, ସରଳ ଜନସାଧାରଣ ଓ କିଶୋରମାନଙ୍କ ପାଇଁ । ବାସ୍ତବିକ ସେ ଥିଲେ ଭାଷାର ଯାଦୁକର । ବେଳେବେଳେ ବୌଦ୍ଧିକତାର ପ୍ରଲେପ ଯୋଗୁ ତାଙ୍କର କବିତା ସହଜବୋଧ୍ୟ ହୋଇନଥାଏ । ଏଥିପାଇଁ ପାଠକର ଆବଶ୍ୟକ ହୁଏ ମାନସିକ ଅନ୍ତରଙ୍ଗ ଭାବନା । ପୁନଶ୍ଚ ସେହି ଅନନ୍ତଙ୍କ ଲେଖନୀରୁ ସଂପୂର୍ଣ୍ଣ ଗାଉଁଲି ଭାଷାରେ ଝରିଆସେ ସୁମଧୁର କବିତାର ରାଗିଣୀ । ଏଠାରେ ଗୋଟିଏ ଉଦାହରଣ ପ୍ରଦାନ କରାଯାଉଛି ।

 

‘ମଲା ଚୁଲୀମୁହୀଁ ଛତର ଖାଇର

ଗତର ଗୁମାନ ଦେଖ

ପେଡ଼ି ପୁଟୁଳି ତୁ ଧରିଆ ବୋଇଲେ

ମୋଡ଼ି ଦେଉଅଛି ବେକ ।

କହୁଚି କଣ ନା, ‘ଯାଆ ତୁ ବୋଉଲୋ’,

ଚାଲି ନ ପାରିବି ଆଉ

ମରଣ ହେଉନି, ନିଆଲାଗିଟାକୁ

ଉଭାଇ ଯାଉନି ଦାଉ !’’- ବାତ୍ସଲ୍ୟ

 

କବି ଅନନ୍ତ ଥିଲେ ଗଭୀର ଆମତ୍ମବିଶ୍ୱାସୀ । ନିଜର ଲେଖନୀର ଶକ୍ତି ଉପରେ ତାଙ୍କର ଥିଲା ଅଜସ୍ର ଶ୍ରଦ୍ଧା ଓ ବିଶ୍ଵାସ । ସେ ବିଶ୍ଵାସ କରୁଥିଲେ ଅସୀର ବଳଠାରୁ ମସୀର ବଳ ଅଧିକ ପ୍ରଭାବଶାଳୀ ଓ ଶକ୍ତିଶାଳୀ । ଜଗତର ଇତିହାସରେ ଯେଉଁମାନେ ଅସୀ ବଳରେ ମତୁଆଲା ହୋଇଛନ୍ତି, ଇତିହାସ ସେମାନଙ୍କୁ ସ୍ମରଣ କରିନାହିଁ । ମାତ୍ର ଲେଖନୀର ଯାଦୁକରୀ ଶକ୍ତିରେ ଯେଉଁମାନେ କିଛି ଦାନ କରି ଯାଇଛନ୍ତି, ସେମାନେ ସ୍ମରଣୀୟ ହୋଇ ରହିଯାଇଛନ୍ତି । ଲେଖନୀର ଜୟଜୟକାର ରୂପାୟିତ ହୋଇଛି ‘‘ଅଶ୍ରୁ-ଉଦ୍‌ବୋଧନ’’ କବିତାରେ ଏହିପରି-

 

‘‘ଭସ୍ମ ହେଉ ସକଳ ସଂଶୟ !

ମରିନି କବିତା କେବେ, ମରେନା ସେ,

ମରେନା ସେ, ସେ ଚିର, ଅକ୍ଷୟ ।

xxx

ଉଠ କବି, ଆଣ ବେଗେ କାବ୍ୟର ପାଥେୟ ନୂଆ,

ଅମୃତ ପିପାସୁ ପାଶେ, ଦଳି ପ୍ରତ୍ୟବାୟ !

ଉଦ୍ଧର ଜୀବନ; କବି !

ଝଳିଉଠୁ କବିତାର ଦୀପ୍ତ କରବାଳ

ଛେଦି ଆତ୍ମଛଳନାର ଅଳଙ୍କୃତମୟୀ ରୀତି,

ବିଘ୍ନ ମାଳ ମାଳ !

xxx

 

କବିତାରେ କବିତାରେ ଜଳାଅ ଅନଳ ।’’

 

***

କେନ୍ଦୁଝର କଲୋନୀ, କଟକ-୮

 

ଅନନ୍ୟ ଅନନ୍ତ

ବିଭୂତି ପଟ୍ଟନାୟକ

 

ଅଧୁନା ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅନ୍ତର୍ଗତ ଚଣାହାଟ ଗ୍ରାମରେ ୧୯୧୨ ମସିହାରେ କବି ଅନନ୍ତ ପଟ୍ଟନାୟକଙ୍କ ଜନ୍ମ ଏବଂ ୧୯୮୭ ମସିହାରେ ତାଙ୍କର ପରଲୋକ । ଇତିହାସର ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସେ ଜନ୍ମଲାଭ କରିଥିବା ହେତୁ ତାଙ୍କର ପଚସ୍ତରି ବର୍ଷର ଘଟଣାବହୁଳ ଜୀବନ ବିଶ୍ୱର ଏହି ଯୁଗାନ୍ତକାରୀ ଘଟଣା ଦ୍ଵାରା ପ୍ରଭାବିତ ହେବା ସ୍ଵାଭାବିକ ଥିଲା ।

 

ପ୍ରଥମ ବିଶ୍ୱଯୁଦ୍ଧ ଏବଂ ଇତାଲିରେ ଫାସିବାଦୀ ନେତା ମୁସୋଲିନିଙ୍କ ଅଭ୍ୟୁଦୋୟ, ୧୯୧୭ ମସିହାରେ, ଋଷ୍‌ ଦେଶରେ ଲେନିନ୍‌ଙ୍କ ବଲଶେଭିକ ପାର୍ଟି ନେତୃତ୍ୱରେ ସାମ୍ୟବାଦୀ ସରକାର ପ୍ରତିଷ୍ଠା ଏବଂ ଅତ୍ୟାଚାରୀ ଜାର୍‌ ଶାସନର ପତନ, ତୃତୀୟରେ ଦକ୍ଷିଣ ଆଫ୍ରିକାରୁ ଫେରି ମୋହନ ଦାସ କରମଚାନ୍ଦ ଗାନ୍ଧିଙ୍କ ଜାତୀୟ କଂଗ୍ରେସର ନେତୃତ୍ୱ ଗ୍ରହଣ ଓ ବ୍ରିଟିଶ୍‌ ସରକାରଙ୍କ ବିରୁଦ୍ଧରେ ଅହିଂସା ଅସହଯୋଗ ଆନ୍ଦୋଳନ-ଏହି ତିନି ଐତିହାସିକ ଘଟଣା ନିଃସନ୍ଦେହରେ ସାହିତ୍ୟ ଓ ସାହିତ୍ୟିକମାନଙ୍କୁ ପ୍ରଭାବିତ କରିଥିଲା । ବିଂଶ ଶତାବ୍ଦୀର ଦ୍ୱିତୀୟ ଓ ତୃତୀୟ ଦଶକରେ ମୁସୋଲିନିଙ୍କ ଫାସିବାଦ, ଲେନିନ୍‌ଙ୍କ ମାର୍କ୍ସବାଦ ଏବଂ ଏମ୍‌.କେ.ଗାନ୍ଧିଙ୍କ ଅହିଂସା ଅସହଯୋଗ ଓ ସତ୍ୟାଗ୍ରହ କେବଳ ଇତିହାସର ଦିଗ ପରିବର୍ତ୍ତନ ଘଟାଇ ନ ଥିଲା, ବରଂ ବିଶ୍ଵ ସାହିତ୍ୟର ମଧ୍ୟ ମୋଡ଼ ବଦଳାଇ ନେଇଥିଲା ।

 

ପଶ୍ଚିମୀ ଜଗତର ତିନିଜଣ ବିଶିଷ୍ଟ କବି - ଆମେରିକାର ଏଜରା ପାଉଣ୍ଡ, ଆୟର୍ଲାଣ୍ଡର ଡବଲ୍ୟୁ. ବି. କ୍ଲେଟସ୍‌ ଏବଂ ଇଂଲଣ୍ଡର ଟି.ଏସ୍‌. ଇଲିୟଟ ଊଣା ଅଧିକେ ମୁସୋଲିନିଙ୍କ ଉଗ୍ର ଜାତୀୟତାବାଦୀ ଫାସିବାଦ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ । ପଶ୍ଚିମୀ ଆଧୁନିକ କବିତାର ଦୀକ୍ଷାଗୁରୁ ଏଜରା ପାଉଣ୍ଡ ୧୯୩୦ ବିଶ୍ୱ ଅର୍ଥନୈତିକ ମାନ୍ଦାବସ୍ଥାର ପ୍ରେକ୍ଷାପଟରେ ମୁସୋଲିନିଙ୍କ ଫାସିବାଦ ମୁକ୍ତିର ପଥ ବୋଲି ଖୋଲାଖୋଲି ସମର୍ଥନ ଜଣାଇ ଥିଲେ । ଅପର ପକ୍ଷରେ ୧୯୧୭ ମସିହାରେ ବଲ୍‌ଶେଭିକ ବିପ୍ଲବ ପରେ ଫାସିବାଦର ବିକଳ୍ପ ଭାବରେ ମାର୍କ୍ସବାଦ ଉଭା ହୋଇଥଲା-। କାର୍ଲମାର୍କ୍ସଙ୍କ ଶ୍ରେଣୀ ସଂଘର୍ଷ ତତ୍ତ୍ୱକୁ ଆୟୁଧ କରି ଲେନିନ ବଲଶେଭିକ ବିପ୍ଲବ ଦ୍ଵାରା ଜାର୍‌ ରାଜତନ୍ତ୍ରର ଉଚ୍ଛେଦ କରି ସାମ୍ୟବାଦୀ ସରକାର ପ୍ରତିଷ୍ଠା କରିଥିବା ଯୋଗୁଁ ଭାରତ ଭଳି ବ୍ରିଟିଶ ଉପନିବେଶ ମାର୍କ୍ସବାଦକୁ ଅନେକ ମୁକ୍ତିର ମାର୍ଗ ବୋଲି ଭାବୁ ଥିଲେ । ମାର୍କ୍ସବାଦ ହିଁ ଶିଳ୍ପ ଓ ସାହିତ୍ୟରେ ଆଧୁନିକତା ଭାବରେ ଚିହ୍ନିତ ହୋଇଥିଲା । ମାୟାକୋଭସ୍କିଙ୍କ କବିତା, ବେଥୋଭେନ୍‌ଙ୍କ ସଂଗୀତ ଅଥବା ପିକାଶୋଙ୍କ ଚିତ୍ର - ସବୁଥିରେ ହୀରକ ଦୀପ୍ତିରେ ଝଲସିତ ହୋଇ ଉଠିଥିଲା ମାର୍କ୍ସବାଦୀ ଚିନ୍ତା ଓ ଚେତନା । ଏପରିକି ଏ ଯାବତ୍ ଆମ ଦେଶରେ ସାହିତ୍ୟରେ ନୋବେଲ ପାଇଥିବା କବି ରବୀନ୍ଦ୍ର ନାଥ ଠାକୁର ମଧ୍ୟ ମାର୍କ୍ସବାଦର ପ୍ରଭାବରୁ ମୁକ୍ତ ରହି ନ ପାରି ‘‘ଦୁଇବିଘା ଜମି’’ ପରି କୃଷିଶ୍ରମିକବାଦୀ କବିତା ରଚନା କରିଥିଲେ ।

 

ବିଂଶ ଶତାବ୍ଦୀର ତୃତୀୟ ଦଶକ ଫାସୀବାଦୀ - ମାର୍କ୍ସବାଦୀ - ଏହିପରି ଦୁଇଟି ଶିବିରରେ ବିଭକ୍ତ ହୋଇ ଯାଇ ଥିଲା । ଫାସିବାଦୀମାନେ ମାର୍କ୍ସବାଦୀମାନଙ୍କୁ ନିଜର ଶତ୍ରୁବୋଲି ବିଚାର କରୁଥିଲେ । ଜର୍ମାନର ନାଜିବାଦୀ ନେତା ଆଡ଼ଲଫ୍‌ ହିଟଲର ଯେତେବେଳେ ମୁସୋଲିନିଙ୍କ ଫାସିଷ୍ଟ ପାର୍ଟି ଦ୍ଵାରା ଅନୁପ୍ରାଣିତ ହୋଇ ୧୯୩୩ ମସିହା ମଇମାସ ୧୧ ତାରିଖ ଦିନ ବର୍ଲିନ ସହରର ବିଭିନ୍ନ ଛକରେ ମାର୍କ୍ସବାଦୀ ଲେଖକମାନଙ୍କ ସହ ରବୀନ୍ଦ୍ରନାଥ, ଆନ୍ଦ୍ରେଜିଦ୍‌ଙ୍କ ପରି ମାନବତାବାଦୀ ଲେଖକମାନଙ୍କ ପୁସ୍ତକରେ ଅଗ୍ନିସଂଯୋଗ କଲେ, ଏହି ଫାସିବାଦୀ ବର୍ବରତା ବିରୁଦ୍ଧରେ ସାରା ବିଶ୍ଵର ଶିଳ୍ପୀ, ସାହିତ୍ୟିକମାନଙ୍କ ଉଦାର କଣ୍ଠସ୍ଵର ଉତ୍ତୋଳିତ ହୋଇଥଲା । ଫାସିବାଦର ବିକଳ୍ପ ଭାବରେ ଆରମ୍ଭ ହୋଇଥିଲା ପ୍ରଗତିଶୀଳ ସାହିତ୍ୟ ଆନ୍ଦୋଳନ ।

 

ଭାରତବର୍ଷରେ ସମ୍ଭବତଃ ପ୍ରଥମେ ଓଡ଼ିଶାରେ ହିଁ ପ୍ରଗତି ସାହିତ୍ୟ ଆନ୍ଦୋଳନର ସୂତ୍ରପାତ ହୋଇଥିଲା । ଏହାର ପ୍ରମୁଖ ସୂତ୍ରଧର ଥଲେ ନବଯୁଗ ସାହିତ୍ୟ ସଂସଦର ପ୍ରତିଷ୍ଠାତା ଏବଂ ‘‘ଆଧୁନିକ ସାହିତ୍ୟ ପତ୍ରର ସମ୍ପାଦକ ଭଗବତୀ ଚରଣ ପାଣିଗ୍ରାହୀ । ପ୍ୟାରିସ-ଲଣ୍ଡନ ମହାନଗରୀ ବାଟ ଦେଇ ଫାସିବାଦ ବିରୋଧୀ ପ୍ରଗତି ସାହିତ୍ୟ ସମ୍ମିଳନ ଜାତୀୟ ସ୍ତରରେ ୧୯୩୬ ମସିହା ଏପ୍ରିଲ ଦଶ ତାରିଖରେ ବିଶିଷ୍ଟ ହିନ୍ଦୀ କଥା ସାହିତ୍ୟିକ ମୁନ୍‌ସୀ ପ୍ରେମଚାନ୍ଦଙ୍କ ଅଧ୍ୟକ୍ଷତାରେ ଲକ୍ଷ୍ମୌ ନଗରୀରେ ଆୟୋଜିତ ହୋଇଥିଲା । କିନ୍ତୁ ତାର ପାଞ୍ଚ-ଛଅମାସ ପୂର୍ବରୁ କଟକ ଶ୍ରୀରାମଚନ୍ଦ୍ର ଭବନଠାରେ ନବଯୁଗ ସାହିତ୍ୟ ସଂସଦ ଆନୁକୂଲ୍ୟରେ ୧୯୩୫ ମସିହା ନଭେମ୍ବର ୨୯ ତାରିଖକୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀର ଉଦ୍‌ଘାଟନ ଉତ୍ସବର ଉଦ୍‍ବୋଧନୀ ସଂଗୀତ ରଚନା କରିଥିଲେ କବି ଅନନ୍ତ ପଟ୍ଟନାୟକ । ଗୀତଟି ଗାଇଥିଲେ ସମାଜବାଦୀ ନେତ୍ରୀ ମାଳତୀ ଚୌଧୁରୀ ।

 

‘‘ନବୀନ ଯୁଗର ତରୁଣ ଜାଗରେ ଜାଗ ବନ୍ଧନ ହରା-’’ ଉଦ୍‌ବୋଧନୀ ସଂଗୀତର ଏହି ପ୍ରଥମ ପଙ୍‌କ୍ତିରେ ନବଯୁଗ ସାହିତ୍ୟର ନୂତନ ପ୍ରଗତିଶୀଳ ଆଭିମୁଖ୍ୟକୁ ସ୍ପଷ୍ଟ କରିଥିଲା । କଳ୍ପନା-ବିଳାସୀ ରୋମାଣ୍ଟିକ ଭାବ ପ୍ରବଣତାକୁ ଅତିକ୍ରମ କରି ସମାଜବାଦୀ ବାସ୍ତବତାକୁ ସାହିତ୍ୟରେ ରୂପାୟିତ କରିବା ଥିଲା ନବଯୁଗ ସାହିତ୍ୟରେ ମୂଳ ଲକ୍ଷ୍ୟ । ଭଗବତୀ ପାଣିଗ୍ରାହୀ ଥିଲେ ଏ ନବଯୁଗର କଥାସାହିତ୍ୟିକ ଏବଂ କବି ଅନନ୍ତ ପଟ୍ଟନାୟକ ଥିଲେ ପ୍ରଧାନ କାବ୍ୟଶିଳ୍ପୀ । କବି ଅନନ୍ତ ପଟ୍ଟନାୟକ ଏବଂ ସଚ୍ଚିରାଉତରାୟଙ୍କ ମିଳିତ କବିତା ସଂକଳନ ‘‘ରକ୍ତଶିଖା’’ ୧୯୩୯ ମସିହାରେ ପ୍ରକାଶିତ ହୋଇଥିଲେ । ଏହି କବିତା ସଂକଳନ ପାଠକମାନଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ, ଏଥିରେ ସନ୍ନିବିଷ୍ଟ କବିତାରେ ସାମ୍ରାଜ୍ୟବାଦୀ ବିରୋଧୀ ଯୁଦ୍ଧ ବାଜଣାର ଅନୁରଣନ ଶୁଣା ଯାଉଥିବା ହେତୁ ବ୍ରିଟିଶ ସରକାର ଏହାକୁ ବାଜ୍ୟାପ୍ତି କରିଥିଲେ ।

 

ଗାନ୍ଧିବାଦୀ ଗୋପବନ୍ଧୁ ଥିଲେ ଯେପରି ପ୍ରଥମେ କଂଗ୍ରେସ କର୍ମୀ ଓ ପରେ ଜାତୀୟତାବାଦୀ କବି; ସେହିପରି ମାର୍କ୍ସବାଦୀ ଅନନ୍ତ ପଟ୍ଟନାୟକ ପ୍ରଥମେ ଥିଲେ କମ୍ୟୁନିଷ୍ଟ କର୍ମୀ ଏବଂ ଦ୍ୱିତୀୟରେ ସାମ୍ୟବାଦୀ କବି । ଛାତ୍ର ଆନ୍ଦୋଳନରୁ ଆରମ୍ଭ କରି ଗଡ଼ଜାତ ପ୍ରଜାମଣ୍ଡଳ ଆନ୍ଦୋଳନ ପର୍ଯ୍ୟନ୍ତ-ସବୁ ପ୍ରକାର ଆନ୍ଦୋଳନରେ ଜଣେ ସଚ୍ଚା କମ୍ୟୁନିଷ୍ଟ ଭାବରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ଏବଂ ବର୍ଷ ବର୍ଷ ଧରି ଜେଲଦଣ୍ଡ ଭୋଗ କରିଥିଲେ । ଢେଙ୍କାନାଳ ଜେଲ୍‌ରେ ବନ୍ଦୀ ଥିବାବେଳେ ରାଜାଙ୍କ ହୁକୁମ୍‌ରେ ତାଙ୍କ ଉପରେ ଅକଥନୀୟ ଅତ୍ୟାଚାର ହୋଇଥିଲା । କିନ୍ତୁ ଏହା ତାଙ୍କର ମନବଳ ଭାଙ୍ଗି ଦେବା ବଦଳରେ ଗଡ଼ଜାତ ରାଜାଙ୍କ ହୁଙ୍କାପିଟା ଶାସନ ଓ ଜମିଦାରମାନଙ୍କ ଶୋଷଣ ଅତ୍ୟାଚାର ବିରୁଦ୍ଧରେ ଜୀବନପଣ କରି ଲଢ଼ିବା ପାଇଁ ତାଙ୍କୁ ଅଧିକ ଉତ୍ସାହିତ କରିଥିଲା । କବିତା ଥିଲା ତାଙ୍କ ଲଢ଼େଇର ଶାଣିତ ହତିଆର । ‘ଶାନ୍ତିଶିଖା’, ‘କିଞ୍ଚିତ’, ‘ଲୋଡ଼ା-ଅଲୋଡ଼ା’ ଓ ‘ଅଋତୁ-ଋତୁ’ ପ୍ରଭୃତି କବିତା ସଂକଳନରେ ଅନୁର୍ଭୁକ୍ତ । କବିତାରେ ଉତ୍‌କୀର୍ଣ୍ଣ ହୋଇଥିଲା ତାଙ୍କର ଆପୋଷହୀନ ଶ୍ରେଣୀ ସଂଗ୍ରାମର ଅମ୍ଲାନ ସ୍ଵାକ୍ଷର ।

 

୧୯୪୩ ମସିହାରେ ଭଗବତୀଙ୍କ ଅକାଳ ବିୟୋଗ, ପ୍ରଗତିଶୀଳ କବି ଆନ୍ଦୋଳନରେ ତାଙ୍କର ଅନ୍ୟତମ ସହଯୋଦ୍ଧା ସଚ୍ଚି ରାଉତରାୟଙ୍କ ମାର୍କ୍ସବାଦ ପ୍ରତି ଅନାସ୍ଥା ଅନନ୍ତ ପଟ୍ଟନାୟକଙ୍କୁ ଓଡ଼ିଆ ପ୍ରଗତିଶୀଳ ସାହିତ୍ୟ ଆନ୍ଦୋଳନରେ ତାଙ୍କୁ ଏକ ପ୍ରକାର ନିଃସଙ୍ଗ କରି ଦେଇଥିଲା । କିନ୍ତୁ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସେ ନିଜ ମାର୍କ୍ସବାଦୀ ସମାଜ ଦର୍ଶନରେ ସେ ଅଟଳ, ଅବିଚଳ ଥିଲେ । କବିତା ବ୍ୟତୀତ କ୍ଷୁଦ୍ରଗଳ୍ପ ଓ ପ୍ରବନ୍ଧ ରଚନାରେ ସେ ଥିଲେ ସମାଜବାଦୀ ବାସ୍ତବତାର ଅନନ୍ୟ ରୂପକାର ।

 

୧୯୭୮ ମସିହାରେ ସେ ଓଡ଼ିଆ ଶିଶୁ ସାହିତ୍ୟ ସଂସଦର ସମ୍ପାଦକ ଥିଲାବେଳେ ସଂଦର ସମ୍ପାଦକ ଭାବରେ ଅନନ୍ତ ପଟ୍ଟନାୟକଙ୍କ ସହ ଏକତ୍ର କାମ କରିବାର ସୁଯୋଗ ମତେ ମିଳିଥିଲା । ପ୍ରଥମେ ସ୍କୁଲ ପାଠ୍ୟ ପୁସ୍ତକ ଜାତୀୟକରଣ କାର୍ଯ୍ୟ ସଂପନ୍ନ କରିବା ପାଇଁ ଶିଶୁ ସାହିତ୍ୟ ସଂସଦ ଗଠିତ ହୋଇଥିଲା । ଜାତୀୟ କବି ବୀରକିଶୋର ଦାସ ଏହି ପାଠ୍ୟ ପୁସ୍ତକ ଜାତୀୟକରଣ କମିଟିର ସମ୍ପାଦକ ଏବଂ ଅନନ୍ତ ପଟ୍ଟନାୟକ ସହକାରୀ ସମ୍ପାଦକ ଥିଲେ । ବୀରକିଶୋରଙ୍କ ପରଲୋକ ପରେ ଅନନ୍ତ ପଟ୍ଟନାୟକ ଏହି କମିଟିର ସମ୍ପାଦକ ଭାବରେ ଦାୟିତ୍ୱ ତୁଲାଇ ଥିଲେ । ପ୍ରାଥମିକ ବିଦ୍ୟାଳୟ ପାଇଁ ପାଠ୍ୟ ପୁସ୍ତକ ରଚନାରେ ଅନନ୍ତ ବାବୁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ପାଠ୍ୟପୁସ୍ତକ ଜାତୀୟକରଣ କାର୍ଯ୍ୟ ଶେଷ ହେଲା ପରେ ପିଲାଙ୍କ ପାଇଁ ‘ଶିଶୁଲେଖା’ ନାମରେ ଏକ ପତ୍ରିକା ବାହାର କରିବା ଶିଶୁସାହିତ୍ୟ ସଂସଦର ପ୍ରଧାନ କାମ ଥିଲା । ସରକାରୀ ଟେକ୍‌ସଟ୍‌ ବୁକ୍‌ ପ୍ରେସରେ ଜାତୀୟକରଣ ପାଠ୍ୟପୁସ୍ତକ ସହିତ ‘ଶିଶୁଲେଖା’ ଛପା ହେଉଥିଲା । ପତ୍ରିକାର ସମ୍ପାଦନା ଥିଲା ସେତେବେଳେ ଅନନ୍ତ ବାବୁଙ୍କ ପ୍ରଧାନ କାମ । କିନ୍ତୁ ‘ଶିଶୁଲେଖା’ ପାଇଁ ଲେଖା ଚୟନ କରି ଦେଲେ ତାଙ୍କର କର୍ତ୍ତବ୍ୟ ଶେଷ ହୋଇଗଲା ବୋଲି ସେ ଭାବୁ ନ ଥିଲେ । ପ୍ରେସରୁ ଆସୁଥିବା ଲେଖାର ପ୍ରୁପ୍‌ ସେ ନିକୁଟି ନିକୁଟି ତିନିଥର ଲେଖାଏ ଦେଖୁଥିଲେ । ତାଙ୍କର ଦୃଷ୍ଟି ଶକ୍ତି କମି ଆସୁଥିଲା । ସେଥିପାଇଁ ପ୍ରୁଫ୍‌ ରିଡ଼ିଂ ଲାଗି ସେ ମାଗ୍ନିଫାଇଂ ଗ୍ଲାସ୍‌ ବ୍ୟବହାର କରୁଥିଲେ । ପ୍ରୁଫ୍‌ ଦେଖିବା ପାଇଁ ଆଖିକୁ ଏତେ କଷ୍ଟ ଦେବା ଉଚିତ ନୁହେଁ ବୋଲି ମୁଁ ବାରଣ କଲେ ତାଙ୍କର ଉତ୍ତର ଥିଲା-ପିଲାଙ୍କ ପତ୍ରିକାରେ ଗୋଟିଏ ବର୍ଣ୍ଣାଶୁଦ୍ଧ ରହିଗଲେ, ତାହା ଛାତ୍ରମାନଙ୍କ ମନରେ କଳାଦାଗ ଭଳି ରହିଯିବ । ‘ଶିଶୁଲେଖା’ରେ ଛପା ହୋଇ ଥିଲା ଭୁଲ୍‌ ବନାନକୁ ସେମାନେ ଠିକ୍‌ ବୋଲି ଧରିନେବେ । ବନାନ, ବ୍ୟାକରଣ ଅଶୁଦ୍ଧି ପିଲାଙ୍କ ପାଇଁ ବିଷ ବଟିକା ଭଳି କ୍ଷତି କରିବ ।

 

ପ୍ରୁଫ୍ ରିଡ଼ିଂ ସରକାରୀ ପ୍ରେସର ପ୍ରୁଫ ରିଡ଼ରଙ୍କ କାମ । ସମ୍ପାଦକ କେବଳ ଫାଇନାଲ ପ୍ରୁଫ୍ର ଦେଖିବା କଥା । କିନ୍ତୁ ସମ୍ପାଦକ ଅନନ୍ତ ପଟ୍ଟନାୟକ ‘ଶିଶୁଲେଖା’କୁ ଯଥାସମ୍ଭବ ନିର୍ଭୁଲ କରିବା ପାଇଁ ତିନି ତିନିଥର ପ୍ରୁଫ୍ ଦେଖୁଥିଲେ । ଏହି ପ୍ରୁଫ୍‌ ଦେଖା ଭିତରେ ଲେଖାକୁ ଅଧିକ ପିଲାମାନଙ୍କ ଉପଯୋଗୀ କରିବା ଲାଗି ଲେଖାରେ ମଧ୍ୟ ପରିବର୍ତ୍ତନ କରୁଥିଲେ ।

 

ଦିନେ କଥା ପ୍ରସଙ୍ଗରେ ତାଙ୍କୁ କହିଲି- ଆପଣଙ୍କ ସମସାମୟିକ ବଙ୍ଗଳାର ବାମପନ୍ଥୀ କବି ବିଷ୍ଣୁ ଦେ ଏବଂ ସୁଭାଷ ମୁଖୋପାଧ୍ୟାୟ ଏଥି ମଧ୍ୟରେ ସାହିତ୍ୟ ଅକାଦେମି ପୁରସ୍କାର ପରେ ଜ୍ଞାନପୀଠ ପୁରସ୍କାର ପାଇ ସାରିଲେଣି । ଅଥଚ ଆପଣଙ୍କୁ ଏ ପର୍ଯ୍ୟନ୍ତ ଅକାଦେମି ପୁରସ୍କାରଟିଏ ମିଳିଲା ନାହିଁ ।

 

ଅନନ୍ତ ବାବୁ ସିଗାରେଟରେ ଗୋଟିଏ ଲମ୍ବାଟାଣ ଦେଇଁ କିଛି ସମୟ ଭାବିଲେ । ଏ ପ୍ରଶ୍ନର ଉତ୍ତର ଦେବେ କି ନାହିଁ ମନେ ମନେ ଚିନ୍ତା କଲେ, ତା’ପରେ ମୃଦୁ ହସି କହିଲେ ତମେ ତ ଜାଣ ସଚ୍ଚି ରାଉତରାୟଙ୍କ ‘ବାଜି ରାଉତ’ ଏବଂ ‘ପାଣ୍ଡୁଲିପି’ର ମାର୍କ୍ସବାଦୀ ଭାବଧାରାର କବିତାକୁ ପ୍ରଚାରଧର୍ମୀ ଲୋକପ୍ରିୟ କବିତା ବୋଲି ଇଂରାଜୀ ଅଧ୍ୟାପକମାନେ ଟିପ୍‌ପଣୀ ମାରି ଉଡ଼ାଇ ଦେଇଥିଲେ । କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରର ବିଚାର ପରିସର ମଧ୍ୟକୁ ଏ କବିତା ସଂକଳନ ଆସି ପାରି ନଥିଲା । ବିଚାରୀ ସଚ୍ଚିବାବୁଙ୍କୁ ଏଥିପାଇଁ କାର୍ଲମାର୍କ୍ସଙ୍କ ହାତ ଛାଡ଼ି ଦେଇ ପଶ୍ଚିମୀ ଫାସିବାଦୀ କବି ଗୋଷ୍ଠୀର ଅନୁସରଣ କରିବାକୁ ପଡ଼ିଥିଲା । ଶେଷରେ କବିତା- ୧୯୬୨ ପାଇଲା କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର । ତମେ କ’ଣ ଚାହିଁଛ ମାର୍କ୍ସଙ୍କୁ ଛାଡ଼ି ମୁଁ ଏକାଡେମୀ ପୁରସ୍କାର ପାଇଁ ଫାସିବାଦୀ ମାର୍କିନ କବିଙ୍କ ଧ୍ଵଜା ଧରିବି ।

 

ମୁଁ ବୁଝାଇଥିଲି- ପୁରସ୍କାର ପାଇଁ ବିଶ୍ୱାସ ବଦଳାଇବା ମୁଁ କହୁ ନାହିଁ । ଆପଣଙ୍କ ‘କିଞ୍ଚିତ’, ‘ଅଲୋଡ଼ା ଲୋଡ଼ା’ କବିତାରେ ମାର୍କ୍ସଙ୍କ ଅପେକ୍ଷା ମଣିଷ ହିଁ ଅଧିକା ଜାଗା ମାଡ଼ି ବସୁଛନ୍ତି-। ବଙ୍ଗଳାର ବିଷ୍ଣୁ ଦେ ମଧ୍ୟ ମାର୍କ୍ସବାଦୀ ଭାବନାକୁ ଇଲିୟଟିୟ ଆଙ୍ଗିକରେ ଲେଖି ଅକାଦେମୀ-ଜ୍ଞାନପୀଠ ପାଇଛନ୍ତି । ଆପଣ କାହିଁକି ପାଇବେ ନାହିଁ ।

 

ଅନନ୍ତ ବାବୁ ସତେ ଯେପରି ଏ ପ୍ରଶ୍ନର ଉତ୍ର ସେ ଆଗରୁ ମନେ ମନେ ଭାବି ରଖିଥିଲେ, ସେହିପରି ତତ୍‌କ୍ଷଣାତ ଉତ୍ତର ଦେଇଥିଲେ-ବଙ୍ଗଳାରେ ସାହିତ୍ୟିକମାନେ ସାହିତ୍ୟର ବିଚାର କରନ୍ତି-ସେମାନେ ବାମପନ୍ଥୀ ସାହିତ୍ୟିକ ହୁଅନ୍ତୁ କି ଅନନ୍ଦବଜାରି ଲେଖକ ସଂପ୍ରଦାୟ ହୁଅନ୍ତୁ- କିନ୍ତୁ ଓଡ଼ିଶାରେ ବ୍ୟୁରୋକ୍ରାଟମାନେ ହେଉଛନ୍ତି ଓଡ଼ିଆ ଲେଖକର ଭାଗ୍ୟ ନିୟନ୍ତା, ପୁରସ୍କାର ଦାତା, ବଙ୍ଗଳାରେ ଥରେ ଜଣେ ଆଇ.ପି.ଏସ୍‌ଙ୍କ ପତ୍ନୀ ସେ ଏକାଡେମୀ ପୁରସ୍କାର ପାଇ ଯାଇଥିଲେ ବୋଲି ବଙ୍ଗଳାର ବୁଦ୍ଧିଜୀବୀମାନେ ହୁଲୁସ୍ତୁଲ୍‌ କାଣ୍ଡ କରିଥିଲେ- ଆମ ଓଡ଼ିଶାରେ ତାହା ହୋଇ ପାରି ଥାଆନ୍ତା ।’’

 

ମୁଁ ତାଙ୍କୁ ଚିଡ଼ାଇବା ପାଇଁ କହିଥିଲେ- ଆପଣ ଚାଲି ନ ଜାଣି ବାଟର ଦୋଷ ଦେଉଛନ୍ତି-। ସବୁ ଦୋଷ ବ୍ୟୁରୋକ୍ରାଟମାନଙ୍କର-ଆପଣଙ୍କର କିଛି ତ୍ରୁଟି ନାହିଁ ? ଗତ ପାଞ୍ଚ ବର୍ଷ ମଧ୍ୟରେ ଆପଣଙ୍କର କୌଣସି ନୂଆ କବିତା ବହି ବାହାରି ନାହିଁ- ଆପଣ ନିର୍ଭୁଲ ଶିଶୁଲେଖା ବାହାର କରିବାରେ ବ୍ୟସ୍ତ । ବହି ନ ଥାଇ ଜୁରିମାନେ ଆପଣଙ୍କର କଥା ବିଚାର କରନ୍ତେ କିପରି ?

 

ମୋର ସେଇ କଥାପଦକ ମନ୍ତ୍ର ଭଳି କାମ କରିଥିଲା । ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ ନିଜ କବିତାକୁ ଏକାଠି କରି ସେ ‘ଅବାନ୍ତର’ କବିତା ସଂକଳନର ପାଣ୍ଡୁଲିପି ପ୍ରସ୍ତୁତ କରିଥିଲେ । ୧୯୮୦ ମସିହାରେ ତାଙ୍କର ସେହି କବିତା ସଂକଳନ ସାହିତ୍ୟ ଅକାଦେମି ପୁରସ୍କାର ଲାଭ କରିଥିଲା ।

 

ପୁରସ୍କାର ଏବଂ ପ୍ରଚାର ବିମୁଖ ଓଡ଼ିଆ କବିତାର ବିଶିଷ୍ଟ ବିଶ୍ୱକର୍ମା ଥିଲେ ଅନନ୍ତ ପଟ୍ଟନାୟକ । ଗାନ୍ଧି, ଗୋପବନ୍ଧୁ, ମାର୍କ-ଲେନିନ୍‌ ତାଙ୍କ ଚେତନାକୁ ଆଚ୍ଛନ୍ନ କରି ରଖିଥିଲେ ମଧ୍ୟ ସାଧାରଣ ମଣିଷର ସୁଖ ଦୁଃଖ, ଜୀବନ ସଂଘର୍ଷ ହିଁ ଥିଲା ତାଙ୍କ କବିତାର ପ୍ରାଣ । ସାଧାରଣ ମଣିଷର ଭାଷାକୁ ବ୍ୟବହାର କରି ସେ ରଚନା କରିଥିଲେ ଅସାମାନ୍ୟ କବିତା । ସେହି ଦୃଷ୍ଟିରୁ ଅନନ୍ତ ପଟ୍ଟନାୟକ ଓ ଆଧୁନିକ ଓଡ଼ିଆ ସାହିତ୍ୟରେ ଏକ ଅନନ୍ୟ ବ୍ୟକ୍ତିତ୍ଵ ।

 

୩, ଏଚ୍, ଲୁଇସ୍‌ରୋଡ଼, ଭୁବନେଶ୍ୱର-୧୪

***

 

ଓଡ଼ିଆ ଭାଷା - ସାହିତ୍ୟ ଓ ଅନନ୍ତ ପଟ୍ଟନାୟକ

ବରେନ୍ଦ୍ର କୃଷ୍ଣ ଧଳ

 

ଓଡ଼ିଆ ଭାଷା-ସାହିତ୍ୟ କ୍ଷେତ୍ରରେ ଅନନ୍ତ ପଟ୍ଟନାୟକ ଏକ ସମ୍ମାନିତ ଓ ସ୍ମରଣୀୟ ନାମ । ୧୯୧୨ ଜୁନ ୧୧ରୁ ୧୯୮୭ ଜୁନ ୨୫ ତାରିଖ -ମୋଟ ସମୟ ପଞ୍ଚସ୍ତରୀ ବର୍ଷ । ଏହି ପଞ୍ଚସ୍ତରୀ ବର୍ଷ ମଧ୍ୟରୁ ତାଙ୍କର ଓଡ଼ିଆ ଭାଷା ସାହିତ୍ୟ ପାଇଁ ସେ କାଟିଛନ୍ତି ଛ’ଦଶନ୍ଧି । ଗୋଟିଏ ମାସରେ ତାଙ୍କ ଭଳି ଓଡ଼ିଶାର ଆଉ ତିନିଜଣ ବିଖ୍ୟାତ ସାହିତ୍ୟିକ ଜନ୍ମ ହୋଇ ତିରୋହିତ ହୋଇଛନ୍ତି । ସେମାନେ ହେଲେ ଗୋପାଳ ଛୋଟରାୟ ଜାନୁୟାରୀ ୧ ତାରିଖ ଓ ୨୨ ତାରିଖ - ବାଞ୍ଛାନିଧି ମହାନ୍ତି ଏପ୍ରିଲ- ୨୦ ଓ ୧୯ ତାରିଖ ଏବଂ ବିନୋଦ କାନୁନ୍‌ଗୋ - ଜୁନ ୬ ତାରିଖ ଓ ୨୨ ତାରିଖ । କଥା ଭିତରେ ଲଥା ଭଳି ଆମେ ଏହା କେବଳ ଉଲ୍ଲେଖ କଲୁ ।

 

ବିପ୍ଳବର ଅନ୍ୟ ନାମ ଅନନ୍ତ । ସାମନ୍ତବାଦୀ ପରିବାରରେ ଜନ୍ମହୋଇ ଅନନ୍ତ ଜାତୀୟତାବାଦ, ସ୍ଵାଧୀନତାସଂଗ୍ରାମ ଓ ସମାଜବାଦ ଚିନ୍ତାଧାରାରେ ନିଜକୁ ଉତ୍ସର୍ଗ କଲେ । ୧୯୩୫ରେ ବି.ଏ. ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଗଠନ କଲେ ନବଯୁଗ ସାହିତ୍ୟ ସଂସଦ । ନଭେମ୍ବର ୨୯ ତାରିଖରେ କଟକ ଶ୍ରୀରାମଚନ୍ଦ୍ର ଭବନରେ ପ୍ରଥମ ଅଧବେଶନ । ‘ସଭାପତି- କାଳିନ୍ଦୀ ଚରଣ ପାଣିଗ୍ରାହୀ ଏବଂ ସମ୍ପାଦକ ଅନନ୍ତ ପଟ୍ଟନାୟକ ଓ ବିଶ୍ଵନାଥ ପଶାଏତ । କାର୍ଯ୍ୟ ନିର୍ବାହୀ ସମିତିରେ ଥିଲେ ଅଧ୍ୟାପକ ମୋହିନୀ ମୋହନ ସେନାପତି, ଅଧ୍ୟାପକ ହରିବନ୍ଧୁ ମହାନ୍ତି, ହରିହର ମହାପାତ୍ର, ସଦାଶିବ ମିଶ୍ର । ଭଗବତୀ ଚରଣ ପାଣିଗ୍ରାହୀ ଓ ମାଳତୀ ଚୌଧୁରୀ । ଏହି ସଂସଦର ଉଦ୍‌ଘାଟନ ଉତ୍ସବରେ ଉଦ୍‌ବୋଧନୀ ସଂଗୀତ ଲେଖିଥିଲେ ଅନନ୍ତ ପଟ୍ଟନାୟକ । ଏହାକୁ ଗାନ କରିଥିଲେ ମାଳତୀ ଚୌଧୁରୀ, ଅଶୋକ ରାଓ ଓ ଖୋକନ ଜୋଆରଦାର । ଏ ସଂଗୀତଟି ସେତେବେଳେ ଯୁବପ୍ରାଣକୁ ଉଦ୍‌ବେଳିତ କରିଥିଲା । ସଂଗୀତଟି ଥିଲା-

 

ନବୀନ ଯୁଗର ତରୁଣ ଜାଗରେ

ଜାଗ ବନ୍ଧନ ହରା

ବକ୍ଷଶୋଣିତେ ଲକ୍ଷ ଜୀବନେ ଖେଳାଅ ଆଲୋକ ଧାରା ।

ଛିନ୍ନ କରରେ ବନ୍ଧନ ରାଜି, କ୍ରନ୍ଦନ ହେଉ ଶେଷ

ଲୁପ୍ତ ହେଉରେ ଜାତି, ଉପଜାତି, ଖଣ୍ଡିତ ଶତ ଦେଶ

ମହାମାନବର ଶଙ୍ଖ ଶବଦେ ଶମୁରେ ଦୁଃଖଜ୍ୱାଳା

ଜାଗବନ୍ଧନ ହରା ।

 

କବି ଅନନ୍ତ ପଟ୍ଟନାୟକଙ୍କ ସହ ମୋର ପରିଚୟ ୧୯୬୧ ମସିହାରୁ ମୋ ସାମ୍ବାଦିକତା ଜୀବନ ଆରମ୍ଭରୁ ମୁଁ ତାଙ୍କ ସମ୍ପର୍କରେ ଆସିଥିଲି । ମାତୃଭୂମି ଖବର କାଗଜ ସେତେବେଳେ ବାମପନ୍ଥୀ ଚିନ୍ତାଧାରାର ଥିଲା ଏକ ଖୋଲା ବିଚାରର ସଂସ୍ଥା । ବିଚିତ୍ରାନନ୍ଦ କରଙ୍କ ସହ ଅନନ୍ତବାବୁଙ୍କର ଥିଲା ଘନିଷ୍ଠ ସମ୍ପର୍କ । ଅନନ୍ତବାବୁଙ୍କ ସହ ବିଚିବାବୁ ମୋତେ ପରିଚୟ କରାଇ ଦେବା ପରେ ତାଙ୍କର ଶ୍ରଦ୍ଧା ମୁଁ ଲାଭ କରିଥିଲି । ସେଇ ଦିନୁ ତାଙ୍କ ତିରୋଧାନ ପର୍ଯ୍ୟନ୍ତ ମୋର ତାଙ୍କ ସହ ଘନିଷ୍ଠ ସଂପର୍କ ରହି ଆସିଥିଲା ।

 

ଅନନ୍ତ ବାବୁ ଥିଲେ ଜଣେ ନୀରବ ସାଧକ ଓ ବିପ୍ଳବୀ । ଯୁବ ସମାଜକୁ ସେ ଆହ୍ଵାନ ଦେଇ ଆସିଥିଲେ ଏକ ଉନ୍ନତ ସମାଜଗଠନ ପାଇଁ । ଶୋଷଣ, କଷଣ, ଦୁର୍ନୀତି ଓ ଦରିଦ୍ର ଅସହାୟ ଉପରେ ଅତ୍ୟାଚାରର ବିରୋଧରେ ସେ ଏକ ନୂଆ ଜାତିଗଠନର ଆହ୍ଵାନ ଦେଉଥିଲେ । ପ୍ରତ୍ୟେକ ଲେଖାରେ ତାଙ୍କର ନୂଆ ସ୍ଵଚ୍ଛ, ସରଳ ଜୀବନ ପାଇଁ ଥିଲା ବାର୍ତ୍ତା ।

 

ଅନନ୍ତ ପଟ୍ଟନାୟକ କବି ରୂପେ ସାରା ରାଜ୍ୟରେ ପରିଚିତ ଥିଲେ । ସମ୍ଭବତଃ ମାୟାଧର ମାନସିଂହ, ରାଧାମୋହନ ଗଡ଼ନାୟକ, ସଚ୍ଚି ରାଉତରାୟଙ୍କ ସହ ଗୋଟିଏ ବ୍ରାକେଟରେ ରହିବେ ଅନନ୍ତ ପଟ୍ଟନାୟକ । ତେବେ ସେ କେବଳ କବି ନଥିଲେ; ଥିଲେ ଗାଳ୍ପିକ, ପ୍ରାବନ୍ଧିକ ସମାଜ ଓ ପ୍ରଜାତନ୍ତ୍ର ଖବର କାଗଜର ‘ଝିଟିପିଟି କହେ’ର ଅଣାକାର ଏବଂ ‘ସାହିତ୍ୟ ଓ ସାହିତ୍ୟିକ’ ସଂଜୟ । ଅଦ୍ଭୁତ ସାମଞ୍ଜସ୍ୟ । ତାଙ୍କର ଦୁଇଟି ଗଳ୍ପ ସଂକଳନ ଚଢ଼ାଉତ୍ତରା ଓ ଫଲଗୁଧାରା । ତାଙ୍କ ଲେଖା ସମ୍ପର୍କରେ ତାଙ୍କ ସାନଭାଇ ଓଡ଼ିଶାର ବିଖ୍ୟାତ ଦାର୍ଶନିକ ନେତା ଓ ଲେଖକ ଗୁରୁଚରଣ ପଟ୍ଟନାୟକ କହନ୍ତି- କେତେ ଅଛନ୍ତି ଯାହାଙ୍କର ଉଭା ଅପେକ୍ଷା ପୋତା ଅଧିକ । ତାଙ୍କୁ ଠିକ୍‌ ଠିକ୍‌ କଳିବାକୁ ହେଲେ ଅତୀତକୁ ଖୋଳିବାକୁ ହୁଏ । ସେମାନଙ୍କ ଭିତରେ କବି ଅନନ୍ତ ପଟ୍ଟନାୟକ ଅନ୍ୟତମ । ତାଙ୍କର ପ୍ରକାଶିତ ଲେଖା ତୁଳନାରେ ଅପ୍ରକାଶିତ ସଂଖ୍ୟା ଅଧିକ । ସାହିତ୍ୟରେ ପୁଣି ଏମିତି କୌଣସି କ୍ଷେତ୍ର ନାହିଁ ଯେଉଁଠି କି ତାଙ୍କ ପାଦ ନ ପଡ଼ିଛି । ଯେତେ କ୍ଷୀଣ ହେଲେ ବି ସାହିତ୍ୟର ପ୍ରତ୍ୟେକଟି ତନ୍ତ୍ରୀରେ ତାଙ୍କ ସ୍ଵରର ଝଙ୍କାର ।

 

ଗୁରୁଚରଣଙ୍କ ଭାଷାରେ ‘‘ଅନନ୍ତଙ୍କ ଲେଖାର ଏକ ସାଧାରଣ ତ୍ରୁଟି ହେଲା ସେଥିରେ ସ୍ଥାନ କାଳର ଅଭାବ । କୌଣସିଠାରେ ସନ ତାରିଖର ଉଲ୍ଲେଖ ନାହିଁ । ଏଇଟା କଣ ଇଚ୍ଛାକୃତ ? ସୃଷ୍ଟି ହିଁ ସ୍ରଷ୍ଟାର ଅଭିବ୍ୟକ୍ତି । ଇତିହାସରେ ସୃଷ୍ଟିର ସ୍ଵାକ୍ଷର ସଂଗ୍ରହ ତାର ଧର୍ମ ନୁହେଁ । ତାହା ପ୍ରମାଣ କରେ ଅଲକ୍ଷ୍ୟରେ ଅନନ୍ତଙ୍କ ସହଜାତ ସ୍ଵଭାବକୁ ।

 

ପ୍ରାକ୍‌ ଅନନ୍ତ ସମୟରେ ନବଯୁଗ ସାହିତ୍ୟ ସଂସଦର ମୁଖପତ୍ର ରୂପେ ପ୍ରକାଶ ପାଏ ‘ଆଧୁନିକ’ । ବିଖ୍ୟାତ ବିପ୍ଳବୀ କବି ଓ ସମାଜବାଦର ସାଲିସହୀନ ନେତା ଭଗବତୀ ପାଣିଗ୍ରାହୀଙ୍କ ସଂପାଦକୀୟ । ୧୯୩୬ ମେ ମାସରେ ଏହାର ପ୍ରଥମ ପ୍ରକାଶ । ‘ଆଧୁନିକ’ ପ୍ରକାଶ ପାଇବା ସଙ୍ଗେ ସଙ୍ଗେ ଓଡ଼ିଆ ସାହିତ୍ୟ ଜଗତରେ ମୁଖ୍ୟତଃ ଆକ୍ଷରିକ ଅର୍ଥରେ ଉନ୍ମୋଚିତ ହୁଏ ନୂଆଦିଗ ଓ ଦିଗନ୍ତ ।

 

ଆଧୁନିକର ବିଭିନ୍ନ ସଂଖ୍ୟାରେ ଅତନୁ, ବୋଧିସତ୍ତ୍ୱ, ପ୍ରୀୟଦର୍ଶୀ ଓ କୁମାରୀ ଯଶୋଧାରା ଛଦ୍ମ ନାମରେ ଓ ନିଜ ନାମରେ କବିତା, ଗଳ୍ପ, ପ୍ରବନ୍ଧ, ଅନୁବାଦ ଗଳ୍ପ, ବହି ସମୀକ୍ଷା (ପୋଥି ଖଟୁଲୀ) ସମସାମୟିକ ସାହିତ୍ୟକ, ସାମାଜିକ, ସାଂସ୍କୃତିକ ଓ ରାଜନୀତିକ ଘଟଣା ପ୍ରବାହର ବ୍ୟାଖ୍ୟା ଓ ବିଶ୍ଲେଷଣ (ସମାୟିକୀ) ଓ ବିଜ୍ଞାନର ଅବଦାନ (ଅଭୁତ ଓ ବାସବ) ଇତ୍ୟାଦି ରଚନା କରିଥିଲେ ଅନନ୍ତ ପଟ୍ଟନାୟକ । ଏତେଗୁଡ଼ିଏ ଛଦ୍ମନାମରେ ସେ କାହିଁକି ଲେଖା ଲେଖୁଥିଲେ ଏବଂ ଏହାର ତାତ୍‌ପର୍ଯ୍ୟ କ’ଣ ସେ ସଂପର୍କରେ ମୁଁ ଥରେ ତାଙ୍କୁ ପ୍ରଶ୍ନ କରିଥିଲି । ଅବଶ୍ୟ ପରିଚିତ ହେବାର ଆଠ/ ଦଶ ବର୍ଷ ମଧ୍ୟରେ ଅନନ୍ତ ପଟ୍ଟନାୟକଙ୍କ ଲେଖା ସମ୍ପର୍କରେ ମୋର ଜ୍ଞାନ ନ ଥିଲା । ମୋ ପ୍ରତି ତାଙ୍କର ଶ୍ରଦ୍ଧା ମୋତେ ତାଙ୍କ ସଂପର୍କରେ ଅଧିକ ଜାଣିବାକୁ ବାଧ୍ୟ କରିଥିଲା । ଇୟେ ସମ୍ଭବତଃ ୧୯୭୫/୭୬ ମସିହା କଥା, ସେ ଉତ୍ତର ଦେଇଥିଲେ ଅନେକ ସମୟରେ ଅପ୍ରିୟ ସତ୍ୟ ବା ଅପ୍ରିୟ ତଥ୍ୟ ନିଜ ନାମରେ ଦେବାପାଇଁ ସଙ୍କୋଚ ଲାଗେ । କାରଣ ପ୍ରିୟଲୋକର ସୃଷ୍ଟି ସଦାବେଳେ ଯେ ପ୍ରଶଂସାର ଦାବି ରଖେ ତା ଠିକ୍‌ ନୁହେଁ । ତେଣୁ ଅନେକ ସମୟରେ ନିରପେକ୍ଷ ଓ ଯଥାର୍ଥ ଆଲୋଚନା ପାଇ ଛଦ୍ମନାମ ବ୍ୟବହାର କରିବାକୁ ହୁଏ । ଏଥିରେ କିଛି ଦୋଷ ନାହିଁ ।

 

ଅନନ୍ତ ବାବୁ ଉତ୍କଳ ସାହିତ୍ୟ ସମାଜ ସହ ଓତପ୍ରୋତ ଭାବେ ଜଡ଼ିତ ଥିଲେ । ୧୯୬୪ ମେ ମାସ ୨୭ ତାରିଖରେ ପଣ୍ଡିତ ନେହେରୁଙ୍କ ତିରୋଧାନ ହେଲା । ଭାରତର ପ୍ରଧାନମନ୍ତ୍ରୀ ହିସାବରେ କେବଳ ନୁହନ୍ତି ଭାରତୀୟ ସାହିତ୍ୟର ସେ ଜଣେ ପୁରୋଧା ଥିଲେ । କେନ୍ଦ୍ର ସାହିତ୍ୟ ଏକାଡେମୀ ତାଙ୍କର ସୃଷ୍ଟି । ତାଙ୍କ ବିୟୋଗରେ ଏକ ବଡ଼ ଧରଣ ସ୍ମରଣିକା ପ୍ରକାଶ ପାଇଁ ଅନନ୍ତ ବାବୁ ପ୍ରସ୍ତାବ ଦେଲେ । ସେତେବେଳେ ସାହିତ୍ୟ ସମାଜର ସଭାପତି ଥିଲେ କାଳିନ୍ଦୀଚରଣ ପାଣିଗ୍ରାହୀ । ରାଧାମୋହନ ଗଡ଼ନାୟକ ଉପ ସଭାପତି ଓ ଅନନ୍ତ ପଟ୍ଟନାୟକ ସମ୍ପାଦକ । ଓଡ଼ିଶାର ପ୍ରାୟ ସମସ୍ତ ବିଖ୍ୟାତ ଲେଖକଙ୍କୁ ନେହେରୁଙ୍କ ବିଭିନ୍ନ ଦିଗ ଉପରେ ଗୋଟିଏ ଗୋଟିଏ ନିବନ୍ଧ ଦେବା ପାଇଁ ଅନୁରୋଧ କରାଯାଇଥିଲା । ମୋତେ ଦିନେ ଅନନ୍ତବାବୁ ମାତୃଭୂମି ଅଫିସରେ କହିଲେ ବରେନ୍ଦ୍ର, ନେହେରୁଙ୍କ କ୍ରୀଡ଼ାପ୍ରୀତିକୁ କେନ୍ଦ୍ର କରି ଏକ ନିବନ୍ଧ ଲେଖ । ମୁଁ ଆଶ୍ଚର୍ଯ୍ୟ ହୋଇଥିଲି । ତେବେ ଖୁସି ହୋଇଥିଲି । କାରଣ ଏହି ସ୍ମରଣିକାରେ ଓଡ଼ିଶାର ପ୍ରଖ୍ୟାତ ଲେଖକଙ୍କ ମଧ୍ୟରେ ମୋ ନିବନ୍ଧ ସ୍ଥାନ ପାଇବ ବୋଲି । ୨୧୬ ପୃଷ୍ଠା ବିଶିଷ୍ଟ ଏହି ସ୍ମରଣିକାର ସମ୍ପାଦନା ଦାୟିତ୍ୱରେ ଥିଲେ ଅନନ୍ତ ପଟ୍ଟନାୟକ, ବିଚିତ୍ରାନନ୍ଦ କର ଓ ପଠାଣି ପଟ୍ଟନାୟକ । ଏହି ସ୍ମରଣିକାରେ ୧୩ଟି କବିତା ଓ ୨୦ଟି ପ୍ରବନ୍ଧ ସ୍ଥାନ ପାଇଥିଲା । ମୋର ନିବନ୍ଧର ନାମକରଣ ଅନନ୍ତ ବାବୁ କରିଥିଲେ । ଶିରୋନାମା ଥିଲା ‘ସୁଚପଳ ନେହେରୁ’ । ଅନନ୍ତ ବାବୁଙ୍କ ଯୋଗୁଁ ମୁଁ ସେତେବେଳେ ଏ ରାଜ୍ୟର କୋଡ଼ିଏ ଜଣ ବିଖ୍ୟାତ ଲେଖକଙ୍କ ମଧ୍ୟରେ ସ୍ଥାନ ପାଇଥିଲି । ସେଥିପାଇଁ ତାଙ୍କ ପାଖରେ ମୁଁ ବ୍ୟକ୍ତିଗତ ଭାବେ କୃତଜ୍ଞ । ୧୯୬୬ ଏପ୍ରିଲ ପହିଲାରେ ଏହି ସ୍ମରଣିକା ପ୍ରକାଶ ପାଇଥିଲା । ଓଡ଼ିଆରେ ତାହା ହିଁ ନେହେରୁଙ୍କ ଉପରେ ପ୍ରଥମ ପୂର୍ଣ୍ଣାଙ୍ଗ ସ୍ମରଣିକା-। ଆଉ ତାର ସମସ୍ତ କୃତିତ୍ୱ ଅନନ୍ତ ପଟ୍ଟନାୟକଙ୍କର ।

 

ଅନନ୍ତ ପଟ୍ଟନାୟକଙ୍କର ‘ଅଣାକାର’ ଛଦ୍ମନାମରେ ସମାଜରେ ‘ଝିଟିପିଟି କହେ’ ଶିରୋନାମାରେ ସାମାଜିକ ଦୋଷ- ଦୁର୍ନୀତି ଓ ଦୁର୍ବଳତା ବିରୁଦ୍ଧରେ ଚମତ୍କାର ଆଲୋଚନା କରିଥିଲେ । ତାଙ୍କର ଶାଣିତ ବ୍ୟଙ୍ଗ ଓ ମୁଖରୋଚକ ଆଲୋଚନା ସେତେବେଳେ ସମାଜ ପାଠକମାନଙ୍କୁ ଆନନ୍ଦର ଖୋରାକ ଯୋଗାଇବା ସଙ୍ଗେ ସଙ୍ଗେ ସାମାଜିକ ସଂସ୍କାର ପାଇଁ କାର୍ଯ୍ୟ କରିଥିଲା । ତାଙ୍କର ଲିଖିତ ଗୋଟିଏ ସମାଲୋଚନା ଏଠାରେ ଦେଉଛି ।

 

ସମାଜ- ୨୭।୦୩।୫୮

ଓଡ଼ିଶା ଆସେମ୍ବ୍ଲିରେ ସୁକିନ୍ଦା ଜଙ୍ଗଲ ବ୍ୟକ୍ତିଗତ ଅଧିକାରରେ ରହିଯିବା ସଂକ୍ରାନ୍ତ ଗୋଟିଏ ପ୍ରଶ୍ନର ଉତ୍ତର ଦିଆଯାଇ ମନ୍ତ୍ରୀ ମହଲରୁ ଚମକପ୍ରଦ ମନ୍ତବ୍ୟ ମିଳିଛି । ଏହି ଜଙ୍ଗଲଟି ସରକାରଙ୍କ ଅଧୀନକୁ ଆଣିବାର ପୁରା ଇଚ୍ଛା ଥିଲେ ବି ରେଭିନିଉ ବିଭାଗର ହାତ ସଫେଇ ଯୋଗୁ କୁଆଡ଼େ ବ୍ୟକ୍ତିଗତ ସମ୍ପତ୍ତି ହୋଇ ରହିଗଲା । ମନ୍ତ୍ରୀ ମହଲ ଆଗରୁ ତଗଦା କରି ମଧ୍ୟ କିଛି କରି ପାରିଲେ ନାହିଁ ବୋଲି କୁହାଯାଇଛି । ପ୍ରଶ୍ନର ଉତ୍ତରରେ ଯଥାର୍ଥରେ ମତାମତ ମିଳିଲା- ‘ନିର୍ବାଣ ଦୀପେ କିମୁ ତୈଳ ଦାନ’ ଅର୍ଥାତ୍‌ ବ୍ୟକ୍ତିର ହାତକୁ ଯାହା ଟେକି ଦିଆଗଲା, ସମଷ୍ଟି ହାତରୁ ତାହା ଫେରି ଆସିବା ଲାଗି ଆଉ ବାଟ ନାହିଁ । ମନ୍ତ୍ରୀ ମହଲ ବୋଧହୁଏ ଏଣିକି ବିଚାରିଲେ ଭଲ ହୁଅନ୍ତା ବଳେ ଗତେ କିଂ କ୍ଷମତା-ବିଳାସଃ ?

 

ଅନନ୍ତ ବାବୁ ପ୍ରଜାତନ୍ତ୍ରରେ ଶ୍ରୀ ସଞ୍ଜୟ ଛଦ୍ମନାମରେ ‘ସାହିତ୍ୟ ଓ ସାହିତ୍ୟ’ ଶିରୋନାମାରେ କେତେକ ତୀକ୍ଷ୍ଣ ବ୍ୟଙ୍ଗ ଆଲୋଚନା କରିଥିଲେ । ସେଥିରୁ ଗୋଟିଏ ଆଲୋଚନା ଏଠାରେ ଦେଉଛି । ପ୍ରଜାତନ୍ତ୍ର ୭।୭।୫୮- କେହି ଇର୍ଷା କି ଦୋଷଦର୍ଶୀ ହୋଇ ସ୍ଵୀକାର କରୁ କି ନ କରୁ, ଏହା ନିଧାର୍ଯ୍ୟ ଯେ ଗଲା ବର୍ଷ ସେପ୍ଟେମ୍ବର ମାସରୁ ଓଡ଼ିଶା ସାହିତ୍ୟ ଏକାଡେମୀ ଏକମାତ୍ର ଡକ୍ଟର ମହତାବଙ୍କ ପ୍ରେରଣା ଓ ଉଦ୍ୟମ ବଳରେ ଗଢ଼ାଯାଇଛି ଏବଂ ପ୍ରଶସ୍ତି ପରି ଲାଗିଲେ ମଧ୍ୟ ଏହା ନିଶ୍ଚିତ ଯେ ଡକ୍ଟର ମହତାବଙ୍କ ଦୂରଦୃଷ୍ଟି ଓ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ବ୍ୟାପକ ଅଭାବର ବୋଧହେତୁ ଏହି ‘ସାହିତ୍ୟ ଏକାଡେମୀ’ର ସୂତ୍ରପାତ ହୋଇଛି । କିନ୍ତୁ କ୍ଷୋଭର ସହିତ କୁହାଯାଇପାରେ ଯେ ଏ ପର୍ଯ୍ୟନ୍ତ ଏହି ଏକାଡେମୀ ପକ୍ଷରୁ ଆଖିଦୃଶିଆ ନ ହେଲେ ସୁଦ୍ଧା ଅତି ସାଧାରଣିଆ ଭାବରେ ସରକାରୀ କି ବେସରକାରୀ ସୂତ୍ରରେ କୌଣସି ପ୍ରକାର ସାହିତ୍ୟ ସାଧନାର ବିଶେଷ ଆଭାସ ମିଳିଲା ନାହିଁ । ଅଥଚ ଏହି ଅନୁସନ୍ଧାନ ଲାଗି ସେକ୍ରେଟାରୀ, କିରାଣୀ, ଦପ୍ତରୀ ନିୟୋଗ ଅଫିସ, ଫୋଟ, ଯାଆସ ଆଦି ଦିଗରେ ଏଥି ମଧ୍ୟରେ ନିଶ୍ଚୟ ଅନେକ ଟଙ୍କା ଖର୍ଚ୍ଚ ହୋଇଥିବ ଓ ହେଉଥିବ । ଏହାଛଡ଼ା ଶୁଣାଶୁଣିରୁ ପ୍ରକାଶ ଯେ ଏହି ଅନୁଷ୍ଠାନ କ୍ୟାପିଟାଲରେ ଭୂମିଷ୍ଠ ହେଲା ଦିନରୁ କୁଆଡ଼େ ଏହାର ଜନ୍ମ ପତ୍ରିକାରେ ଅଦୃଶ୍ୟ ଅକ୍ଷରରେ ଲିପିବଦ୍ଧ ହୋଇଗଲା ଯେ ଏହା ସରକାରୀ କର୍ତ୍ତୃତ୍ଵ ଅଧୀନରେ ବେସରକାରୀ ସ୍ତରରେ ଥାଇ ଦୁର୍ଭାଗ୍ୟ । ଓଡ଼ିଶାର ଅନ୍ୟାନ୍ୟ କେତେକ ସାଂସ୍କୃତିକ ଓ ସାହିତ୍ୟିକ ଅନୁଷ୍ଠାନ ଭଳି ବ୍ୟକ୍ତି ଆଶ୍ରୟୀ ଚତୁର କ୍ରୀଡ଼ା କୁଶଳତା ପ୍ରଦର୍ଶନର କ୍ଷେତ୍ର ହେବ । ସାହିତ୍ୟ, ସଙ୍ଗୀତ, ନୃତ୍ୟ, ନାଟ୍ୟ ସହିତ ଏକାବେଳକେ ସମ୍ପର୍କ ଶୂନ୍ୟ ଅର୍ଥାତ୍‌ ସାହିତ୍ୟରେ ଶ୍ରୀୟାମୁଣ୍ଡଳା ବୁଲାଇ ନଥିବା ଅର୍ଥ କିମ୍ବା ସାହିତ୍ୟ, ସଙ୍ଗୀତ ଆଦି ସହିତ ତତ୍ତ୍ୱ ଦିଗରୁ ଅତି ଘନିଷ୍ଠ ଭାବେ ସଂପୃକ୍ତ କ୍ଷମତାଶ୍ରୟୀ ବ୍ୟକ୍ତିଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ମତ ପୋଷଣର ଅବସ୍ତୁ ବସ୍ତୁ ହେବ । ଏଥିପାଇଁ ଏହାର ଜନ୍ମଦାତା ଏବେ ନିରୁତ୍ସାହୀ ଓ ଉଦାସୀନ ହୋଇ ଏଥିପ୍ରତି ଆଉ ଦୃଷ୍ଟି ଦେଉନାହାନ୍ତି ବୋଲି ପ୍ରକାଶ ।

 

ଓଡ଼ିଆ ସାହିତ୍ୟ ସମ୍ପର୍କରେ ସେ ବେଶ୍‌ କିଛି ତୀକ୍ଷ୍ମ ସମାଲୋଚନା କରିଛନ୍ତି । ଏସବୁର ଏବେ ପୁନଃ ପ୍ରକାଶ ହେବା ଆବଶ୍ୟକ । ଆମର ଏବକାର ସାହିତ୍ୟିକମାନେ ଏଥିରୁ ଅନେକ କିଛି ଶିକ୍ଷା ଲାଭ କରି ପାରିବେ ।

 

ଅନନ୍ତ ପଟ୍ଟନାୟକଙ୍କ ଜୀବନୀ ଓଡ଼ିଶା ସାହିତ୍ୟ, ସଂସ୍କୃତି ଓ ସାମାଜିକ ଅବସ୍ଥାର ଏକ ଇତିହାସ । ସେ ଯେତେ ସବୁ ଲେଖି ଯାଇଛନ୍ତି ଓଡ଼ିଆ ସାହିତ୍ୟର ତାହା ଅମୂଲ୍ୟ ସଂପତ୍ତି । ତାଙ୍କର ଅନେକ ଲେଖା ଅପ୍ରକାଶିତ । ତାକୁ ପ୍ରକାଶ କରିବା ଦାୟିତ୍ଵ ଓଡ଼ିଶା ସାହିତ୍ୟ ଏକାଡେମୀ ଗ୍ରହଣ କରିବା ଆବଶ୍ୟକ ।

 

ତାଙ୍କ ଜନ୍ମ ଶତବର୍ଷରେ ମୋର ଆଭୂମି ପ୍ରଣାମ । ଏହି ପ୍ରତିଭାଧର ବିରଳ ପୁରୁଷ ଓଡ଼ିଶାର ଆଉ ଓଡ଼ିଆଙ୍କର ଗର୍ବ । ଆଉ ଅହଙ୍କାର ।

 

ଆଉ ଶେଷରେ ତାଙ୍କର ପ୍ରିୟ କବି ଟେନିସନଙ୍କ ଏକ କବିତାର ଓଡ଼ିଆ କାବ୍ୟରୂପ - ତାଙ୍କରି ଭାଷାରେ ଟେନିସନ୍‌ ଗୋଟିଏ ମୌଳିକ ଚେତନାକୁ ଜୀବନର ଶେଷ ମୁହୂର୍ତ୍ତରେ ଯେପରି ଅତି ସାର୍ଥକ ଭାବେ ନିଜର ବେଷ୍ଟନୀ ଐତିହ୍ୟ, ନିଜ ଦେଶର ଚିନ୍ତା କଳ୍ପନା ଓ ବାସ୍ତବରେ ରସାଣିତ କରି ପ୍ରକାଶ କରିଛନ୍ତି ତାହା ବିସ୍ମୟକର । ସେଇ ଅପୂର୍ବ କବିତାଟି ହେଉଛି-

 

Crossing the can

sunset and evening star

ଢଳିପଡ଼େ ସୂର୍ଯ୍ୟ ଆଉ ସଂଜର ତାରା ଯେ

ଆହ୍ୱାନ ଗୋଟିଏ ଆସେ, ପ୍ରାଞ୍ଜଳ ମୋ ପାଇଁ

ନ ବାଜୁ ବିଳାପ ଚଳେ ଅର୍ଗଳ ରାଜିର

ମୁଁ ଯେବେ ସାଗରେ ଯାଏ, ମୋ ଯାତ୍ରା ବାହି

ଏଭଳି ଜୁଆର କିନ୍ତୁ ବଳିଷ୍ଣୁ ହୋଇ ଯା ଦିନେ

ନିଶୁପ୍ତ ସତେ କି

ଏତେ ପୂର୍ଣ୍ଣତାରେ ପୁଣି, କେତେ ବିଚି କୋଳାହଳ

ଫେନରାଶି ପାଇଁ ତହିଁ ଥାନ କାହିଁ ଥାଏ

ଅସୀମ ସାଗରୁ ଯାହା ଆଣିଥିଲା ଟାଣି ଯେବେ

ଫେରି ପଡ଼ି ପୁନରାୟ ଘରକୁ ମୁହାଁଏ

ଆସେ ମୁହଁ ସଂଜ ଆଉ ସଂଜର ଘଣ୍ଟାର ରୋଳ

ଅନ୍ଧାର ତା ପରେ

ନଲାଗୁ ବିଷାଦ ବ୍ୟଥା ନ ଲାଗୁରେ ବିଦାୟର

ମୁଁ ଯେବେ ସମୁଦ୍ରେ ଚଳେ

ତରୀ ମୋର ଧରେ

ନାଆ ମୋର ଧରେ

ସୀମାରୁ ସୀମାରୁ ଆମ କାଳ ଓ ଦେଶରୁ ଅବା

ବହିନେବ ବନ୍ୟା ଯଦି

ବହିନେବ ମତେ ଯଦି ଦୂରରୁ ଦୂରକୁ

 

ଆଶା ମୋର, ନିରେଖିବି, କର୍ଣ୍ଣଧାରେ ମୁହାଁମୁହିଁ

ପାରି ହୋଇଯିବି ଯେବେ ବାଲି ଅର୍ଗଳକୁ ।

(ପ୍ରକାଶକାଳ, ତା ୦୬।୦୮।୫୯ - ଅନନ୍ତ ପଟ୍ଟନାୟକ)

 

 

ଘ.ନ. ୧୧/୪, ଭି.ଏ. ୟୁନିଟ- ୨

ଭୁବନେଶ୍ୱର- ୯

***

 

କୋଣାର୍କ ୧୬୫ତମ ସଂଖ୍ୟା

ଭବଘୂରା ଶବ୍ଦ ବାଜିକର : କବି ଅନନ୍ତ ପଟ୍ଟନାୟକ

ଫନୀ ମହାନ୍ତି

 

‘‘ନବଯୁଗ ସାହିତ୍ୟ ସଂସଦ’’ର ପ୍ରତିଷ୍ଠାତା କବି ଭଗବତୀ ଚରଣ ପାଣିଗ୍ରାହୀଙ୍କ ଦାର୍ଶନିକ ଚିନ୍ତାଧାରା ଦ୍ୱାରା ପ୍ରଭାବିତ ହୋଇ ଯେଉଁ କତିପୟ କବି କାୟମନୋବାକ୍ୟରେ ଓଡ଼ିଆ କବିତାର ଐତିହ୍ୟମୟ ପରମ୍ପରାକୁ ଅଧିକରୁ ଅଧିକ ସୁଦୃଢ଼ କରି ଗଢ଼ି ତୋଳିବାରେ ଲାଗି ପଡ଼ିଥିଲେ, ସେମାନଙ୍କ ମଧ୍ୟରେ ଥିଲେ ଜଣେ ଆଜୀବନ ବେସାଲିସ୍‌ ବାମପନ୍ଥୀ ଚିନ୍ତାଧାରାର ଉଦାର କବି ଅନନ୍ତ ପଟ୍ଟନାୟକ । ଗଡ଼୍‌ଡ଼ାଳିକା ପ୍ରବାହରେ ଭାସି ନ ଯାଇ ନୂତନ ଶୈଳୀ, ଆଙ୍ଗିକ ଓ ଆତ୍ମିକର ଅଭିନବ ପ୍ରୟୋଗରେ ନିଜର ରଚନାକୁ ରସୋତ୍ତୀର୍ଣ୍ଣ କରି ଓଡ଼ିଆ କାବ୍ୟ ଭଣ୍ଡାରକୁ ପରିଚ୍ଛନ୍ନ ଓ ପରିମାର୍ଜିତ କରିଥିଲେ । ଯେଉଁସବୁ ଐତିହାସିକ ପୃଷ୍ଠଭୂମିରେ ତାଙ୍କ କବିତାର ଆଦ୍ୟ ସ୍ଫୁରଣ ଓ ଉନ୍ମେଷ ଘଟିଥିଲା, ସେଇ ସମୟରେ ସେ ଥିଲେ ଜଣେ ସାର୍ଥକ ସାରଥୀ, ଅନନ୍ୟ ସର୍ଜନଶୀଳ ସ୍ରଷ୍ଟା ତାହା ଅନସ୍ଵୀକୃତ । ବହୁବିଧ ଘାତ ପ୍ରତିଘାତ ଓ ଦୁଃଖଦୁର୍ଦ୍ଦଶା ଭିତରେ କାଉଁରିଆ କାଠି ପରି ଭାଙ୍ଗି ନ ଯାଇ ସେ ଜଣେ ସ୍ଥିର- ନିଶ୍ଚିତ ସହଯୋଗୀ ପରି ନିଜ ସର୍ଜନ ପ୍ରକ୍ରିୟାରେ ତଲ୍ଲୀନ ରହିଥିଲେ । ରୋମାଣ୍ଟିକ୍‌ ଚିନ୍ତାଧାରର କବିମାନଙ୍କ ମତବାଦ ସହିତ ସେ ସହମତ ନଥିଲେ ବି ସମଧର୍ମା ସତୀର୍ଥମାନଙ୍କ ପ୍ରତି ଅସୂୟାଭାବ ପ୍ରଦର୍ଶନ କରିନାହାନ୍ତି । ସେ ଜୀଉଥିବା ଜୀବନର ନିଚ୍ଛକ ପ୍ରତିଛବି ତାଙ୍କ କାବ୍ୟ କବିତାରେ ପ୍ରତିଫଳିତ । ଈର୍ଷା, ଅସୂୟାଠାରୁ ବହୁ ଦୂରରେ ଥାଇ କବି ଅନନ୍ତ ଏକ ନିରୋଳା ସିଦ୍ଧ ଯୋଗୀ ପରି ସାରା ଜୀବନକାଳ ନିଜ ଲକ୍ଷ୍ୟ ଓ ଆଦର୍ଶରେ ବିଚ୍ୟୁତ ନ ହୋଇ ନିଜର କାବ୍ୟ କୋଣାର୍କ ଗଢ଼ି ତୋଳିଛନ୍ତି । ନିଜକୁ ବିଜ୍ଞାପିତ କରିବାର ମୋହ ତାଙ୍କୁ କେବେ ମୋହଗ୍ରସ୍ତ କରିନାହିଁ ।

 

ପୁରସ୍କାର ଉପାୟନ ପାଟ୍ଟକୁଣ୍ଡଳ ପ୍ରତି ସେ ତାଙ୍କ ଜୀବଦ୍ଦଶାରେ କେବେ ଗୁରୁତ୍ୱ ଦେଇ ନାହାନ୍ତି । ଯୁଗସ୍ରଷ୍ଟା ହେବାର ସ୍ଵପ୍ନରେ ସେ ଗୋଷ୍ଠୀ/ ସଂଗୋଷ୍ଠୀ ଗଢ଼ି କେବେ ନିଜର ଯଶବାନା ପରୋକ୍ଷରେ ଉଡ଼େଇବାକୁ ଚେଷ୍ଟା କରିନାହାନ୍ତି । ଆମ ଭାଷା ସାହିତ୍ୟର ପୂର୍ବଜମାନେ, ଧୂରୀଣ ନ୍ୟସ୍ତସ୍ଵାର୍ଥ ସମାଲୋଚକମାନେ, କ୍ଷମତାସୀନ ଆଗଧାଡ଼ିର କବିମାନେ କବି ଅନନ୍ତଙ୍କ ପ୍ରତି ଯେଉଁ ଅନ୍ୟାୟ କରିଛନ୍ତି, ତାହା ଯେ ଅକ୍ଷମଣୀୟ ଏକ ଅପରାଧ, ଏହା କହିବାରେ ମୋର ଦ୍ୱିଧା ନାହିଁ । ତାଙ୍କର ବହୁ ଦୁର୍ଲଭ କାବ୍ୟ ସଂକଳନ ସଂପ୍ରତି ବଜାରରେ ମିଳୁନି । ଜଣେ ଉଚ୍ଚକୋଟୀର ଆବୃତ୍ତିକାର ଭାବେ ତାଙ୍କ କଣ୍ଠସ୍ଵରକୁ ଏ ଜାତି ସଂଗୃହୀତ କରି ରଖିପାରିନି । ପାରମ୍ପରିକ ରୀତିରେ ଆମେ ଶ୍ରଦ୍ଧାସୁମନ ଅର୍ପଣ କରୁଛୁ ତାଙ୍କ ଜନ୍ମତିଥିକି, ଶ୍ରାଦ୍ଧ ବାର୍ଷିକୀରେ । ତାଙ୍କ ସଂଗ୍ରାମୀ ଜୀବନର ଅବିସ୍ମରଣୀୟ ସ୍ମୃତିକୁ ସାଇତି ରଖିବା ପାଇଁ କୌଣସି ଉଦ୍ୟମ ଓଡ଼ିଶା ସାହିତ୍ୟ ଏକାଡେମୀ ଏଯାବତ୍‌ କରି ନାହିଁ । ଏହା ହିଁ ଦୁଃଖଦ ଘଟଣା ।

 

ସ୍ଵାଧୀନତାର ପୂର୍ବ ଓ ପରବର୍ତ୍ତୀ କାଳଖଣ୍ଡରେ ଯେଉଁ କେତେକ କବି ଓ ଲେଖକ ଯୋଗସୂତ୍ରକାରୀ ଭାବେ ନିରବଚ୍ଛିନ୍ନ ନିଜର ଲେଖନୀ ଚାଳନା କରି ଆସୁଥିଲେ, ସେମାନଙ୍କ ମଧ୍ୟରେ ଅନ୍ୟତମ ଅଗ୍ରଣୀ କବି ଥିଲେ ଅନନ୍ତ ପଟ୍ଟନାୟକ । ଭାଷା ଆହରଣ ଓ ତାର ପୂର୍ଣ୍ଣ ବିନିଯୋଗରେ ସେ ଥିଲେ ଅନନ୍ୟ ଓ ଅସାଧାରଣ ।

 

କାବ୍ୟିକ ଶୃଙ୍ଖଳା, ଛନ୍ଦବଦ୍ଧତା ପ୍ରତି ସେ ଯଥେଷ୍ଟ ସତର୍କ ଥାଇ ନିଜର କାବ୍ୟ କୋଣାର୍କ ଗଠନ କରିବାକୁ ପ୍ରୟାସ କରୁଥିଲେ । ସମାଜ ସଚେତନ ଏହି ମାଟି-ମନସ୍କ କବି ଅଖଣ୍ଡ ଆତ୍ମବିଶ୍ଵାସର ସହ ନିଜ କାବ୍ୟିକ ଜୀବନ ବଞ୍ଚିଥିଲେ ସାଲିସ୍‌ହୀନ ଭାବେ । ତାଙ୍କ କବିତାର ଶବ୍ଦ ଚୟନ, ଅଭିନବ ରୂପକ ଓ ଚିତ୍ରକଳ୍ପର ବ୍ୟବହାର କାବ୍ୟିକ ଶୃଙ୍ଖଳତାର ପରିପନ୍ଥୀ । ନିଜ ପ୍ରତି ନିଜ ପାରିପାର୍ଶ୍ଵିକ ପରିବେଶ ପ୍ରତି, ନିଜ ଅନୁଭବ ଓ ଅନୁଭୂତିର ଗଭୀରତା ପ୍ରତି ବିଶ୍ଵସ୍ତ ଥିବା କବି ଅନନ୍ତ ପଟ୍ଟନାକୟ ପଞ୍ଚମ ଓ ଷଷ୍ଠ ଦଶକର ଯେ ଏକ ଅଦ୍ୱିତୀୟ ସଫଳ କବି । ଏହା ଯେ କେହି ସହୃଦୟ ପାଠକ ସ୍ଵୀକାର କରିବେ । ଜୀବନ ଓ ମରଣ କାଳରେ ତାଙ୍କ ପ୍ରତି ଯେତେ ଅନ୍ୟାୟ ଓ ଅବିଚାର ହୋଇଥିଲେ ବି ସେ କାଳଜୟୀ ଭବଘୂରା, ଶବ୍ଦ ବାଜିକର ସଂଗ୍ରାମୀ କବି ଅନନ୍ତ ପଟ୍ଟନାକୟଙ୍କ କାବ୍ୟକୃତି ଚିର ଅମଳିନ ହୋଇ କାଳକାଳ ପାଇଁ ରହିଥିବ ଓ ଅଗଣିତ କାବ୍ୟମୋଦୀ ପାଠକ/ପାଠିକାମାନଙ୍କୁ ପ୍ରଲୁବ୍ଧ କରୁଥିବ । ‘ଆସିଚି ମୁଁ ଆସିଚି’ଠାରୁ ‘ଚାଲିଲି ମୁଁ ଚାଲିଲି’ ପର୍ଯ୍ୟନ୍ତ ଏହି ନାତିଦୀର୍ଘ ଉଠାପକା ଅସଜଡ଼ା ପଥପ୍ରାନ୍ତରେ ବହୁ ସତୀର୍ଥମାନଙ୍କ ଭିଡ଼ କାଳ କାଳାନ୍ତର ପାଇଁ ଯେ ଜମୁଥିବ, ଏହା କହିବା ବାହୁଲ୍ୟ ମାତ୍ର । ସେଇ ମହାନ୍‌ କବିଙ୍କ ଶତବାର୍ଷିକୀ ପାଳନ ଅବସରରେ ମୁଁ ତାଙ୍କର ଅମର ଅମଳିନ ଆତ୍ମା ପ୍ରତି ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି ଓ ଆଶା କରୁଛି ଅନ୍ତହୀନ ଅନନ୍ତଙ୍କ ସର୍ଜନଶୀଳ ଜୀବନର ଧରା ଓ ଧାରା ଉତ୍ତର ପୁରୁଷମାନଙ୍କୁ କାଳକାଳ ପାଇଁ ପ୍ରଲୁବ୍ଧ ଓ ପ୍ରଚ୍ଚୋଦିତ କରୁଥିବ ।

 

ପୁଷ୍ପଧନୁ, ବମିଖାଲ, ଭୁବନେଶ୍ୱର-୧୦

 

***

 

କବି ଅନନ୍ତ ପଟ୍ଟନାୟକଙ୍କ ନାଟ୍ୟରଚନା ଏକ ମୁଗ୍ଧ ଅନୁଭବ

ହରିହର ମିଶ୍ର

 

କବି ଅନନ୍ତ ପଟ୍ଟନାୟକଙ୍କ କବିତା- ମୋ ଆଦ୍ୟଯୌବନରେ କେମିତି ଓ କିଭଳି ପ୍ରଭାବିତ କଲା ତାହା ମୋର ପଚାଶବର୍ଷର ସାହିତ୍ୟ ସାଧନା ଭିତରେ ମୁଁ ବାରମ୍ବାର ଚିନ୍ତାକରି ଆଶ୍ଚର୍ଯ୍ୟାନ୍ୱିତ ହୁଏ । ମୋର ଗୁରୁ କବି ଗୁରୁପ୍ରସାଦ ମହାନ୍ତି ମୋ କବିତାରୁ ଏହା ଠଉରେଇ ପାରି ମତେ ସଚେତନ କରି କହିଥିଲେ- ‘କମ୍ରେଡ଼ ମାମାଙ୍କ ଭଳି ତମ କବିତା’ ତେଣୁ ମୋ କାବ୍ୟ ସରଣୀ ଯେ ଏକ ଦୁର୍ଗମପଥ ସେ ମତେ ଚେତେଇଦେଲା ପରେ ବି ମୁଁ ବୁଝିପାରିନଥିଲି । ଆଜି ଆନନ୍ଦ ଅନୁଭବ କରୁଛି ସେ ଅନ୍ଧାର ଚିରି ବାଟ ଚାଲି, ପାହାନ୍ତା ଆକାଶ ଦେଖି ନିଃଶ୍ୱାସ ମାରିଲାବେଳେ । ଏ ଦୃଷ୍ଟିରୁ ଅନନ୍ତ ପଟ୍ଟନାୟକଙ୍କ ସୃଷ୍ଟି ସମ୍ଭାର ମୋ ଅନୁଭବରେ ମିଶି ଚିନ୍ତନ ପ୍ରକ୍ରିୟାକୁ ସୁଗମ କରିଛି ଆଧୁନିକ ଜୀବନର ଜଟିଳତା ଓ ସମାଜ ସଂସ୍କୃତି ପ୍ରତି ଦାୟବଦ୍ଧ ହେବା ଦିଗରେ ।

 

କିନ୍ତୁ ସୃଜନର ଆଉ ଏକ ଦିଗ ନାଟକ ଓ ଗୀତିକା ସୃଜିବାର ଅଭ୍ୟାସ ହେତୁ ମୁଁ ଦୈବାତ ବାନ୍ଧିହୋଇଗଲି ଗୁରୁଦେବଙ୍କ ନାଟକ, ଚଳଚ୍ଚିତ୍ର, ଗୀତିକାରର ସମନ୍ୱିତ ପ୍ରତିଭା ପାଖରେ-। ଦିନେ ଆକାଶବାଣୀ କଟକର ଚୁକ୍ତିପତ୍ର ପାଇ କଟକ ଯାଇଥିଲି । ତାଙ୍କର ‘ରାବଣ’ ନାଟକଟିରେ ମତେ ରାବଣ ଭୂମିକାରେ ଅଭିନୟ କରିବାକୁ ନିର୍ଦ୍ଦେଶକ ବନ୍ଧୁ ରମାପଦ ନନ୍ଦ କହିଲେ । ସେ ହୁଏତ ରାମଚନ୍ଦ୍ର ଭୂମିକାଟି ପାଇଁ ନିଜକୁ ବାଛିଥିବାରୁ ଏମନି ଦାୟିତ୍ୱ ମତେ ଦେଲେ ବୋଲି ମୁଁ ବିଚାରିଲି । କିନ୍ତୁ ସେ କହିଲେ - ‘ନା ଅନ୍ୟ କଳାକାର ଆମେ ବାଛି ପାରିଥାଆନ୍ତୁ । ଆପଣ ମଧ୍ୟ ଶ୍ରୀରାମ ଭୂମିକାରେ ଅଭିନୟ କରୁଥିଲେ, ଭଲ ହୋଇଥାଆନ୍ତା ମାତ୍ର ତାଙ୍କ ପରିବାରର ସମସ୍ତଙ୍କ ଇଚ୍ଛା ଆପଣ ସେ ଚରିତ୍ରଟିକୁ ବୁଝି ଠିକ୍‌ ଅଭିନୟ କରିପାରିବେ । କୁଂଜରାୟଙ୍କ କାଳାନ୍ତର, ନୀଳାଦ୍ରିଭୂଷଣଙ୍କ ମଧ୍ୟପାତ୍ର ଏପରିକି ବୈଷ୍ଣବ ପାଣି, ଉପେନ୍ଦ୍ରନାୟକଙ୍କ ନାଟକରେ ଓ ଗୋପାଳ ଛୋଟରାୟଙ୍କ ପ୍ରଯୋଜନାରେ ମତେ ଶ୍ରୀକୃଷ୍ଣ ଭୂମିକାରେ ଶ୍ରୋତାମାନେ ଚିହ୍ନଟ କରି ସାରିଥିଲେ । ତେଣୁ ଶ୍ରୀରାମ ଭୂମିକାଟି ଅସୁବିଧା ହୋଇନଥାନ୍ତା । କିନ୍ତୁ ରମାପଦ ନିଜେ ଶ୍ରୀରାମ ଭୂମିକାରେ ଅଭିନୟ କରିବାକୁ ବାଧ୍ୟ ହେଲେ ଓ ମତେ ରାବଣ ଚରିତ୍ରଟିକୁ ଫୁଟାଇବାକୁ ଆଶା ବ୍ୟକ୍ତ କଲେ । ରାବଣ ଏକ ପଞ୍ଚଅଙ୍କ ବିଶିଷ୍ଟ ସେକ୍ସପିୟରୀୟ ଶୈଳୀର ନାଟକ-। ଏହା ଛବିଶଟି ଦୃଶ୍ୟରେ ବିଭକ୍ତ-। ବେତାରନାଟକ ଭାବେ ଏକଘଣ୍ଟାକୁ ସଂକ୍ଷିପ୍ତ ହୋଇଛି-।

 

ମୁଁ ଜାଣେ, ଅନନ୍ତବାବୁ ଚଳଚ୍ଚିତ୍ର, ନାଟକ ଉଭୟ ରଚନାରେ ତତ୍କାଳୀନ ଦୃଶ୍ୟଜଗତର ରୂପକାର । ମୁଁ ମଧ୍ୟ ସୀତାବିବାହ, କେଦାରଗୌରୀ, ଶ୍ରୀଜଗନ୍ନାଥ, ରୋଲଟୁ ଏଇଟ୍‌ ପଛକୁ ‘ସପ୍ତଶଯ୍ୟା’ (୧୯୪୮-୪୯)ର କାହାଣୀ, ଚିତ୍ରନାଟ୍ୟ, ସଂଳାପକାର ଭାବେ ସହ- ନିର୍ଦ୍ଦେଶ ଅନନ୍ତ ପଟ୍ଟନାୟକଙ୍କ ଭଳି ଶ୍ରୀ ଶ୍ରୀ ପତିତପାବନ ଓ ଚିଲିକାତୀରେ ଚଳଚ୍ଚିତ୍ରରେ ଅଂଶ ନେଇଥାଏ । ହୁଏତ କବିତା ଓ ଗୀତ ଲେଖିବାରେ ମତେ ତାଙ୍କର ପଦାନୁସାରୀ ଜାଣି ଏପରି ଅଭିନୟ ଦାୟିତ୍ୱ ଦିଆଯାଇଥିଲା ।

 

‘ରାବଣ’ ଏକ ପ୍ରଗତିଶୀଳ ଚେତନାର ଭିନ୍ନଧର୍ମୀ ପ୍ରତିନିଧିମୂଳକ ନାଟକ । ଅନୁଗୁଳ ଜିଲ୍ଲା ଜେଲ୍‌ରେ ବନ୍ଦୀଜୀବନ କଟାଉଥିବା କାଳରେ ବିପ୍ଳବୀ କବି ଲେଖିଥିଲେ ‘ରାବଣ’ ନାଟକ । (୧୯୪୦-୪୧) ଏହିଭଳି ସାମାଜିକ ଚେତନା ଉଦ୍ରେକକାରୀ ନାଟକ ‘ଭାତ’ ୧୯୪୩ ମସିହାରେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ଓଡ଼ିଶା ଥିଏଟର୍‌ରେ ମଂଚସ୍ଥ କରିଥିଲେ । ଅନନ୍ତ ପଟ୍ଟନାୟକ ଏ ଦିଗରେ ଥିଲେ ପଥପ୍ରଦର୍ଶକ । କାଳୀଚରଣଙ୍କ ପ୍ରୟୋଗାତ୍ମକ ଶୈଳୀ ଥିଲା ଉନ୍ନତମାନର କିନ୍ତୁ ଅନନ୍ତ ପଟ୍ଟନାୟକଙ୍କର ନାଟକର ସାହିତ୍ୟିକ ମୂଲ୍ୟ ଭାରତୀୟ ନାଟ୍ୟ ଆକାଶରେ ଥିଲା ଏକ ବିସ୍ମୟକର ଛାୟାପଥ । ଏପରି ବୈପ୍ଳବିକ ନାଟକ ରଚନାର ପ୍ରେରଣା ହୁଏତ ସେ ୧୮୬୦ ବ୍ରିଟିଶ୍‌ ଅମଳର ‘ନୀଳଦର୍ପଣ’ରୁ ଲାଭ କରିଥିଲେ । ୧୯୫୫ ମସିହା ପ୍ରୟଳଙ୍କରୀ ଦଳେଇଘାଇ ବନ୍ୟାଯୋଗୁ ରିହରର୍ସାଲ ହୋଇ ବି ଇପ୍‌ଟା ଗ୍ରୁପ୍‌ ଦ୍ଵାରା ‘ଚିରି ଅନ୍ଧାର ରାତି’ ମଞ୍ଚସ୍ଥ ହୋଇପାରିଲାନି-। ଏ ନାଟକଟି ୧୯୯୦ ମସିହାରେ ପ୍ରକାଶିତ । ଏହାପରେ ‘ପଞ୍ଚଶୀଳ’ ଏକ କ୍ଷୁଦ୍ର ନାଟକ । ବହୁ ପରିଶ୍ରମ କରି ସଂସ୍କୃତ ଭାଷାରୁ ଶୁଦ୍ରକଙ୍କର ‘ମୃଚ୍ଛକଟିକ’ ନାଟକଟି ‘ମାଟିର ଶଗଡ଼’ ସେ ଅନୁବାଦ କରିଥିଲେ । କର୍ମବହୁଳ ଜୀବନରେ ତା’ର ମଞ୍ଚାୟନ ଏ ଯାବତ୍‌ କେହି କରିଥିଲା ଭଳି ମନେ ହେଉ ନାହିଁ ।

 

ମୋର ସୌଭାଗ୍ୟ ଯେ ‘ରାବଣ’ ଭୂମିକାରେ ଅଭିନୟ କରି ତାହାର ଲୋକପ୍ରିୟତା ମୁଁ ବଜାୟ ରଖିଲି । ଚାରୋଟିଦିନ ରିହରର୍ସାଲ୍‌ରେ ସେତେବେଳେ ବେତାର ନାଟକଗୁଡ଼ିକ ରେକଡ଼ିଙ୍ଗ ଶେଷ ହେଉଥିଲା । ମତେ ସେତିକି ଦିନ ଭିତରେ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା । ମୁଁ ଠିକ୍‌ କଲି ରାବଣକୁ ଗତାନୁଗତିକ ପୌରାଣିକ ଅଭିନୟର ଅତିନାଟକୀୟତାରୁ ମୁକ୍ତ କରି ନାଟକ ଯେଉଁଭଳି ପୁଞ୍ଜିବାଦର ପ୍ରତିଭୂ ଭାବେ ଓ ଗୋଟିଏ ଜଡ଼ବାଦୀ ଚରିତ୍ର ଭାବେ ସେ ରୂପାୟନ କରିଥିଲେ, ମୁଁ ତାହାହିଁ ସ୍ଵାଭାବିକ ଭାବେ ସ୍ଵର ସଂଯୋଗରେ ଫୁଟାଇଥିଲି । ସମସାମୟିକ ଜୀବନ ସହିତ ଅତୀତର ସଂଯୋଗ କରିବା ମୁଁ ‘ନିନ୍ଦିତ ଗଜପତି’ ଓ ‘ଅଦୃଶ୍ୟ ନଟ’ ଲେଖିବାରୁ ସେ ପ୍ରକ୍ରିୟାଟି ସହିତ ପରିଚିତ ଥିଲି । କିନ୍ତୁ ଜାଣି ନଥିଲି ମୋର ଜନ୍ମକାଳରୁ ଏପରି ଗୋଟିଏ ନାଟକ ମୋର ଗୁରୁ ଅନନ୍ତ ପଟ୍ଟନାୟକଙ୍କ ଅକ୍ଷରକୁ ଆଣି ପାରିଥିଲେ । ରାବଣ କିନ୍ତୁ ପ୍ରଥମରୁ ସେତେ ମଦମତ୍ତ ନ ଥିଲା । ସେ ସର୍ବଦା ଲଙ୍କାନଗରୀର ସମୃଦ୍ଧି ଚାହୁଁଥିଲା କିନ୍ତୁ ଲଙ୍କା ସମୃଦ୍ଧ ହେବା ପରିବର୍ତ୍ତେ ସେ ନିଜେ ସୁନାର ସିଂହାସନରେ ବସି ସ୍ଵର୍ଗଜୟ କରି ପରପୀଡ଼ନ କରିବାକୁ ଆରମ୍ଭ କଲା-। ପ୍ରଥମ ଅଙ୍କ ପ୍ରଥମ ଦୃଶ୍ୟରେ ଯାଜ୍ଞିକ ରାବଣ ମନ୍ତ୍ର ପଢ଼ି ଆଦୌ ସ୍ତୁତିଗାନ କରୁନାହିଁ ବରଂ ଭଗବାନଙ୍କ ସୃଷ୍ଟି ଭିତରେ ଥିବା ଦୈବ ଅବିଚାରର ପ୍ରତିବାଦ କରୁଛି ସେ ଅଭିଯୋଗ କରୁଛି ।

 

‘‘ବ୍ରହନ ! କେତେଦିନ ଏଭଳି ଯନ୍ତ୍ରଣା ଦେଉଥିବ ? ସ୍ରଷ୍ଟା ତମେ, କୋଟି କୋଟି ନରନାରୀଙ୍କୁ ନିଜର କେଉଁ ଆନନ୍ଦମୟ ମୁହୂର୍ତ୍ତରେ ସୃଷ୍ଟିକରି କେତେଦିନ ଏପରି ବୁଭୁକ୍ଷୁ, କୀଟାନୁକୀଟ କରି ରଖିଥିବ ଏ କି ନିର୍ଦ୍ଦୟ ଆନନ୍ଦ ତୁମର ? ଜୀବଜଗତରେ ତୁମର ସବୁଠୁ ସୁମହତ ସୃଷ୍ଟି ମାନବକୁ କେତେଦିନ ପଶୁପରି ଚାଳିତ କରୁଥିବ ? ମାନବକୁ ମାନବ କଲ କାହିଁକି ? ପଶୁଜନ୍ମରେ ତୁମ ସୃଷ୍ଟିପ୍ରକ୍ରିୟାର ଚ୍ଛେଦ ପକେଇଲ ନାହିଁ କାହିଁକି ? ଲଙ୍କାର ଏ କୋଟି ଅଧିବାସୀଙ୍କୁ ଯଦି କ୍ଷମତା ନ ଦେଲ, ମନୁଷ୍ୟ ହେବାକୁ ଯଦି ଶକ୍ତି ନ ଦେଲ, ଚତୁଃପାର୍ଶ୍ୱ ଅବସ୍ଥା ବିରୁଦ୍ଧରେ ଛିଡ଼ାହୋଇ ଲଙ୍କାକୁ ସଭ୍ୟତା ଓ ସମ୍ପଦରେ ସମୃଦ୍ଧ କରିବାକୁ, ତେବେ ମତେ କାହିଁକି ତାର ଅଧିପ କରି ମୁକୁଟ ପିନ୍ଧାଇଲ ? ଗୋଟିଏ ମସ୍ତିଷ୍କରେ ଦଶଟା ମସ୍ତିଷ୍କର ବୁଦ୍ଧିଦେଇ ଯଦି ବାହୁରେ ଅପରିମିତ ଶକ୍ତି ନ ଦେଲ, ତେବେ ଏ ଅରଣ୍ୟମୟ ଅନାର୍ଯ ବନମନୁଷ୍ୟ ପୂର୍ଣ୍ଣ ଦ୍ୱୀପକୁ ନୂତନ କରି ଗଢ଼ିବି କିପରି-? ବାଣିଜ୍ୟ ନାହିଁ, ବସତି ନାହିଁ ଯୋଜନବ୍ୟାପୀ ସାଗରବକ୍ଷରେ ଏ କ୍ଷୁଦ୍ରଦ୍ୱୀପର ଲୋକେ ବଞ୍ଚିବେ କିପରି ? ପ୍ରଭୋ, ଆଉ ପାରିବି ନାହିଁ ଆଉ ମୁଁ ସମ୍ଭାଳି ପାରିବି ନାହିଁ ।”

 

ଅଭିଯୋଗ ନା ପ୍ରାର୍ଥନା ?

ପ୍ରାର୍ଥନା ଜଣେ ବିପ୍ଳବୀର । ଯଜ୍ଞ ଜଣେ ପ୍ରଗତିବାଦୀ ଯୁଗପୁରୁଷର । ଅନୁନ୍ନତ ଆଦିମ ଅବସ୍ଥାର ଅନ୍ଧକାରରୁ ବିମୁକ୍ତ ହେବା ପାଇଁ ତ ଯଜ୍ଞ, ଆରାଧନା, ପ୍ରାର୍ଥନା । ଋଷିପୁତ୍ର ରାବଣର ଏ ନୂତନ ଅନୁନୟ ଯୁଗର ଅଭିପ୍‌ସା କେବଳ ନୁହେଁ ଏହା କାଳର ଅଭୀପ୍ସା । ତେଣୁ ରାବଣ ଯଜ୍ଞକୁ କର୍ମ ବୋଲି ନିଷ୍ପତ୍ତି କରିଛି । ପ୍ରାର୍ଥନା ଓ ଯଜ୍ଞ ଅବ୍ୟାହତ ରହିଛି । ସେ ମନ୍ତ୍ରୀ ସୁମନ୍ୟୁଙ୍କୁ କହିଛି ଯେ ସ୍ରଷ୍ଟାଙ୍କ ପାଖରେ ସେ ତା’ ମସ୍ତିଷ୍କର ନଅଭାଗ ଆହୁତି ଦେଇଛି । ଆଉ ଗୋଟିଏ ଭାଗ ଅର୍ଥାତ୍‌ ଶେଷାଂଶ ତ୍ୟାଗ କରିବାକୁ ସେ ପ୍ରସ୍ତୁତ ହୋଇରହିଛି ।

 

କିନ୍ତୁ ଦେବଯାନ ବା ପୁଷ୍ପକବିମାନ ପାଇଲାପରେ ସେ ବୈଦେହୀଙ୍କୁ ଥରେ ବ୍ୟୋମଯାନରେ ଘୂରେଇବା ପାଇଁ କହୁଛି । ‘‘ବନଚାରୀ ଯତି ଆର୍ଯ୍ୟ ସଭ୍ୟତାର ଯେତେ ଜୟଗାନ କରୁ ପଛେ ତମକୁ ଶତଯୁଗ ଆକାଶଯାନ ଯୋଗାଇ ପାରିବ ନାହିଁ । ବିଜ୍ଞାନ କରାୟତ୍ତ ହେଲାପରେ ସେ ଜଣେ ଜଡ଼ବାଦୀ ଚରିତ୍ର ଭାବେ ଚିତ୍ରିତ ହୋଇଛି ।

 

ଏହିଠାରେ ଅଧପତନର ଛନ୍ଦ ଆରମ୍ଭ ହୋଇଛି । ହନୁମାନ ଦେଖିଛନ୍ତି ରାବଣ ବିରୁଦ୍ଧରେ ପ୍ରଜାମାନେ ମୁହଁ ଖୋଲି କିଛି କହିପାରୁ ନାହାନ୍ତି ସତ କିନ୍ତୁ ନିର୍ଯାତିତ ଶୋଷିତ ହୋଇ ଶୁଷ୍କକାଠ ବା କୁଟାକାଠି ଭଳି ବଂଚିଛନ୍ତି । ତେଣୁ ହନୁମାନଙ୍କୁ ଲଙ୍କାରେ ନିଆଁ ଜଳେଇବାକୁ କଷ୍ଟ ସ୍ଵୀକାର କରିବାକୁ ପଡ଼ିନାହିଁ । ରାବଣ ବିଭୀଷଣଙ୍କୁ ବୁଝିବାକୁ ଅକ୍ଷମ । ଧନଲାଭ ଓ ନାରୀମୋହ ତାକୁ ଅନ୍ଧ କରିଦେବା ବିଚିତ୍ର ନୁହେଁ । ସେ ଧୀରେ ଧୀରେ ଅବହେଳିତରୁ ସ୍ଵଚ୍ଛଳତା ଲାଭ କରି ବିଳାସ ପ୍ରମତ୍ତ ହୋଇ ଉଠିଛି । ମନ୍ଦୋଦରୀର ଚେତାବନୀ ସତ୍ତ୍ୱେ ସେ ହୋଇଉଠିଛି ସ୍ୱାର୍ଥପର, ସ୍ଵେଚ୍ଛାଚାରୀ ଯୁଦ୍ଧ ଆଡ଼କୁ ନିରୀହ ପ୍ରଜାଙ୍କୁ ମୁହାଁଇଦେବା ହିଁ ତାର ନୈତିକ ଅପରାଧ । ଅଥଚ ପ୍ରଜାଙ୍କ ସୁଖ କାମନା ତାର ପୂର୍ବଭଳି ରହିବା ସମ୍ଭବ ହେଉନି । ନିର୍ଯାତିତା ସୂପର୍ଣଖାର ପ୍ରତିଶୋଧ ନେଇଛି ସତୀ ସୀତୀଙ୍କ ଉପରେ ସତ କିନ୍ତୁ ପ୍ରତିଶୋଧ ହିଁ ହିଂସାର ପରିଣତି ହୋଇ ଜାଳିବାକୁ ଦେଇଛି ତା ସ୍ଵପ୍ନର ସ୍ଵର୍ଣ୍ଣଲଙ୍କାକୁ ।

 

ରାବଣ ଯୁଦ୍ଧବିରତି ପ୍ରତି ଇଚ୍ଛା କଲାବେଳକୁ ପୁତ୍ର ଇନ୍ଦ୍ରଜିତ କି ଭାଇ କୁମ୍ଭକର୍ଣ୍ଣ କେହି ବର୍ତ୍ତିନାହାନ୍ତି । ମନ୍ଦୋଦରୀ ରାବଣର ଏ କାତରତା ଲକ୍ଷ୍ୟ କରି ଉପହାସ କରିଛନ୍ତି । ଅର୍ଥାତ୍‌ ରାବଣ ସୀତାଙ୍କୁ ଫେରାଇଦେଇ ଯୁଦ୍ଧ ବିରତି ସ୍ଵୀକାର କରିବାକୁ ଇଚ୍ଛା କରିଛି । ମନ୍ଦୋଦରୀ ଏହାକୁ ତିରସ୍କାର କରିଛନ୍ତି । କିନ୍ତୁ ରାବଣ ଜଣେ ବ୍ୟକ୍ତିବାଦୀ ଚରିତ୍ରରେ ରୂପାରନ୍ତିତ ହୋଇଛି ଓ ଉତ୍ତର ଦେଇଛି- ତା ନୁହେଁ ରାଣୀ । ରାବଣ ନିଜ ସାମର୍ଥ୍ୟ ଉପରେ ଯେଉଁ ବିଶ୍ଵାସ ଅଛି । ତାହା ଯେ ବିଡ଼ମ୍ବନା, ଏହା ହିଁ ସୂଚେଇ ଦେଇଛନ୍ତି ରାଣୀ ମନ୍ଦୋଦରୀ । ତେଣୁ ଯୁଦ୍ଧରେ ଯୋଗ ଦେଇ ଆତ୍ମବିସର୍ଜନ କରି କୁଟୁମ୍ବନାଶର ପ୍ରାୟଶ୍ଚିତ କରିବା ଉଚିତ ହେବ ବୋଲି ରାଣୀ ମନ୍ଦୋଦରୀ ପରାମର୍ଶ ଦେଇଛନ୍ତି ।

 

ଠିକ୍‌ ତାହା ହିଁ ହୋଇଛି । ରାବଣର ଅମର ହେବାର ଲାଳସା ବ୍ୟକ୍ତିବାଦର ସ୍ଵାର୍ଥପରତାକୁ ପଦାରେ ପକେଇଦେଇଛି । ଯୁଦ୍ଧରୁ ଓହରିବାକୁ ଚାହୁଁଥିବା ରାବଣ ଜାଣିସାରିଛି ସାରାଟା ଜୀବନ ତାକୁ ନିସଂଗ, ଅସହାୟ ହୋଇ ବଞ୍ଚିବାକୁ ପଡ଼ିବ । ଅମରତ୍ୱ ମୂଲ୍ୟହୀନ ଜୀବନ ତାଠୁ ମୂଲ୍ୟବାନ ଯେହେତୁ ମରଣ ହିଁ ତାକୁ ଗୌରବ ଆଣିଦେବ ।

 

ତଥାପି ରାବଣ ଯେ ଏକ ପ୍ରତିଭା । ସେ ପ୍ରତିଭାର ମୂଲ୍ୟ ପ୍ରଭୁ ଶ୍ରୀରାମଙ୍କ ମୂଲ୍ୟବୋଧ ବିଚାରରେ ଅଯଥାର୍ଥ ନୁହେଁ । ସେ ସୃଷ୍ଟିକୁ ସମୃଦ୍ଧ କରିବାକୁ ଚାହୁଁଥିଲା କିନ୍ତୁ ତା ରାଜ୍ୟର ଧ୍ୱଂସ ପାଇଁ ସେ ଯେ ଏକମାତ୍ର ଦାୟୀ ଏହା ହିଁ ନାଟକର ବିଚାରର କଷଟି ବା ସଂଶ୍ଲେଷଣର ମାପକାଠି (Treatment) ଯୁଦ୍ଧର ଭୟାବହତା “ଗୋଟିଏ ନାରୀର ଲୁହ ପୋଛି ଲଙ୍କାର ଶହଶହ ନାରୀଙ୍କ ଆଖିରେ ଲୁହ ଭରିଦେବାରେ ମୂଲ୍ୟବୋଧ ବ୍ୟର୍ଥ ହୋଇଛି । ରାମଙ୍କ ଆଦର୍ଶ ବାରମ୍ବାର ପରୀକ୍ଷିତ-। ତେଣୁ ଆଦର୍ଶବାଦ ହିଁ ସାରାଜୀବନର ପରୀକ୍ଷା ଓ ପୁନଶ୍ଚ ଅପେକ୍ଷାରେ ପର୍ଯ୍ୟବସିତ । ଭବିଷ୍ୟତର ରାଜା ବିଭୀଷଣ ବି ପ୍ରଜାର ମଙ୍ଗଳ କରିବାକୁ ଅକ୍ଷମ ହେବେ କାରଣ ରାଜାର ବିଲୋପରେ ରାଜ୍ୟ ଓ ପ୍ରଜାର ମଙ୍ଗଳ । ଏହି ଚିନ୍ତା ରାଜାରାଜୁଡ଼ା ଶାସନର ଅବଲୋପ ପାଇଁ ଅଭିପ୍ରେତ । ରାବଣର ମୃତ୍ୟୁ ଚାହିଁ ବି ଚାହିଁ ପାରିନଥିବା ମନ୍ଦୋଦରୀ ପୁନଶ୍ଚ ରାଣୀ ହେବାର ସୌଭାଗ୍ୟ ମଣ୍ଡନ କରିବାକୁ ବିମୁଖ ହୋଇ କାନ୍ଦି ଉଠିଛନ୍ତି ରାବଣର ମୃତ ଶରୀର ଉପରେ ଲୋଟିପଡ଼ି । ନାଟକ ‘ଚିରି ଅନ୍ଧାର ରାତି’ରେ ଜମିରୁ ବିସ୍ଥାପିତ ଗ୍ରାମବାସୀ ଏକଯୁଟ୍‌ ହୋଇଛନ୍ତି ନିଜ ଜମିରେ ଚାଷୀମୂଲିଆ ନିଜର ଫସଲ ଫଳେଇବା ପାଇଁ । ଅନନ୍ତବାବୁ ସେମାନେ ସଶସ୍ତ୍ର ବିପ୍ଳବ କରିବାକୁ ଆହ୍ୱାନ ଦେଇଛନ୍ତି ବଡ଼ ସତର୍କତାର ସହିତ । ମୁଖ୍ୟ ଚରିତ୍ର ସୁଧାକର ‘ଚିରି ଅନ୍ଧାର ରାତି’ ନାଟକରେ କହୁଛି-

 

‘‘ଅଚଳ କରି ନୁହେଁ ଦଖଲ କରି । ଶତ୍ରୁର ଅସ୍ତ୍ରକୁ ଆଗ ଦଖଲ କରିଯାଅ, ହତିଆର ଏକ, ହାତ ଦୁଇ । ସେ କୋଟିର ମଙ୍ଗଳ ପାଇଁ ନା ଗୋଟିଏ ସ୍ୱାର୍ଥ ପାଇଁ ଚାଷୀ ମୂଲିଆର ସ୍ୱାର୍ଥପାଇଁ-- ଦଖଲ କରିଯାଅ - ଯାଅ ଯିଏ ଯୋଉଠି ଅଛି ଯାଅ ଯାଅ ଲମ୍ଫ ଦେଇ - ସାବଧାନ, ଶତ୍ରୁର ଜଣକ ଦେହରେ ଟିପ ନ ବାଜେ ଯେମିତି, ସଖୀ, ମମତା ନାରୀ ବାହିନୀକୁ ଯାଅ । ନାରୀ ସେନା ! ଯାଅ ଛିଡ଼ା ହୋଇଯାଅ । ଦଖଲ କରିନିଅ, ଦଖଲ ଭୂମି ଆଉ ହତିଆର । ଉତ୍ପାଦନର ପ୍ରତ୍ୟେକଟି ଅସ୍ତ୍ର । ଦଖଲ କର ପ୍ରତ୍ୟେକ ଅସ୍ତ୍ର - ଚାଷୀର ମୃତ୍ୟୁ ନାହିଁ । ଚାଷୀ ମୂଲିଆର ଜୟ । ସେଦିନ ଏ ନାଟକ ମଂଚସ୍ଥ ହେବା ପୂବରୁ କଲେକ୍ଟର ପୋଲିସ୍‌ ପଠେଇ ବନ୍ଦ କରିଦେଇଥିଲେ । ଯବନିକା ଉଠିବା ପାଇଁ ବାକି ଥିଲା । ସେକେଣ୍ଡ ବାଜି ସାରିଥିଲା ରଙ୍ଗମଞ୍ଚରେ । ପ୍ରଗତିଶୀଳ ଲେଖକ ସଂଘର ‘ଇପ୍‌ଟା’ ଆନ୍ଦୋଳନ କିଛି ବର୍ଷ ଧରି ବେଶ୍‌ ସକ୍ରିୟ ଥିଲା । ନାରୀ ଆନ୍ଦୋଳନ ପ୍ରତି ଏ ନାଟକରେ ଦ୍ଵାର ଉନ୍ମୁକ୍ତ ଥିଲା । ପୁଞ୍ଜିପତି ତଥା ଶିଳ୍ପପତି ରାଜେନ୍ଦ୍ରର ସହାନୁଭୂତି ପ୍ରତି ସଚେତନ ହଟିଆ ଓ ଅନ୍ୟାନ୍ୟ ଚାଷୀମୂଲିଆ । ରାଜେନ୍ଦ୍ରର ହୃଦୟ ପରିବର୍ତ୍ତନ ପ୍ରତି ଅବିଶ୍ୱାସ ଚାଷୀ ମୂଲିଆ, ଖଟିଖିଆର । ଜୋର୍‌ଦାର ବିପ୍ଳବ ଉପରେ ଗୁରୁତ୍ଵ ପ୍ରଦାନ କରିଛନ୍ତି ନାଟ୍ୟକାର ।

 

ସାହିତ୍ୟର ପ୍ରତ୍ୟେକଟି ବିଭାଗରେ ସମ୍ପର୍କିତ କବି ଅନନ୍ତ ପଟ୍ଟନାୟକ, ତାଙ୍କର ନାଟକ ରାବଣ ଓ ‘ଚିରି ଅନ୍ଧାର ରାତି’ରେ ଅଧିକ ପ୍ରଭାବକ୍ଷମ ହୋଇପାରିଛନ୍ତି । ଦୁଃଖର କଥା ‘ଚିରି ଅନ୍ଧାର ରାତି’ ମଞ୍ଚସ୍ଥ ନ ହେବାରେ ଓ ରାବଣର ମଞ୍ଚାୟନ ନ ହେବା ଫଳରେ ଅଭିନୟୋପଯୋଗୀ କିଛି ସଂଶୋଧନ ହୋଇପାରି ନାହିଁ । କବି ଅନନ୍ତ ପଟ୍ଟନାୟକ ଆକାଶୀସ୍ଵପ୍ନକୁ ମାଟିରେ ଫୁଟେଇ ଯେଉଁ ନୂଆ କାବ୍ୟଭାଷା ସୃଷ୍ଟି କରିଛନ୍ତି, ତାହା ତାଙ୍କ ନାଟକକୁ ମଧ୍ୟ ତଦନୁରୂପ ଜଟିଳତାରେ ଭାରାକ୍ରାନ୍ତ କରିଛି । ତେଣୁ ତା’ର ମଂଚାୟନ ଓ ସଂଶୋଧନ ସୁସମ୍ପାଦିତ ହେବା ଆବଶ୍ୟକ ।

 

ମାର୍କଣ୍ଡେଶ୍ଵର ସାହି, ଷଷ୍ଠ ଭାଗ, ପୁରୀ- ୭୫୨୦୦୧

 

***

 

ଅନନ୍ତ ପଟ୍ଟନାୟକ-ଗଳ୍ପ-ମାନସ : ଭିନ୍ନ ଦୃଷ୍ଟି ଓ ଭିନ୍ନ ଦିଗନ୍ତ

ବୈଷ୍ଣବ ଚରଣ ସାମଲ

 

ସ୍ଵାଧୀନତା ପୂର୍ବ ଓ ସ୍ଵାଧୀନତା ପରବର୍ତ୍ତୀ ପ୍ରାୟ ଦୁଇ ଦଶନ୍ଧି ମଧ୍ୟରେ ପରିବର୍ତ୍ତିତ ସାମାଜିକ ଓ ବ୍ୟକ୍ତି- ଚରିତ୍ରକୁ ଆଧାର କରି ଅନନ୍ତ ପଟ୍ଟନାୟକ ଅଳ୍ପ କେତୋଟି ଗଳ୍ପ ରଚନା କରିଥିଲେ ଯାହା ତାଙ୍କର ଏକମାତ୍ର ଗଳ୍ପ- ସଂକଳନ ଭାବେ ପରିଚିତ । ‘ଚଢ଼ା- ଉତ୍ତରା’ରେ ଗଳ୍ପଗୁଡ଼ିକ ସଂକଳିତ ହୋଇ ଥିଲେହେଁ ତାହା ଥିଲା ସେସମୟର ବିଶିଷ୍ଟ ଗନ୍ଧକାରମାନଙ୍କ ଗଳ୍ପକାରିତାଠାରୁ ଭିନ୍ନ ଉଭୟ ଶୈଳୀ ଓ ଭାବବିନ୍ୟାସ ଦୃଷ୍ଟିରୁ । ଓଡ଼ିଆ କ୍ଷୁଦ୍ରଗଳ୍ପର ଆଦ୍ୟ ଓଁକାର ବ୍ୟାସକବି ଫକୀରମୋହନ ସେନାପତିଙ୍କ ‘ରେବତୀ’ (୧୮୯୮)ଠାରୁ ଗଳ୍ପର ଯେଉଁ ଧରା ଓ ଧାରାଟିଏ ତିଆରି ହୋଇ କଳା-ଜଗତ (World of Art)ରେ ନୂତନ ଭାବବାଦୀ ଦର୍ଶନଟିଏ ସଂଚାର କରିଥିଲା ତାହା ବିଂଶ ଶତାବ୍ଦୀର ତିରିଶି/ ଚାଳିଶ ଦଶନ୍ଧି ପର୍ଯ୍ୟନ୍ତ ବିଭିନ୍ନ କଥାକାରଙ୍କ ସୃଷ୍ଟିରେ ଅକ୍ଷତ ରହିଆସି ସ୍ଵାଧୀନତା ଲାଭ ପରଠାରୁ ବିଂଶ ଶତାବ୍ଦୀ ଶେଷ ତଥା ଏକ ବିଂଶ ଶତାବ୍ଦୀର ପ୍ରଥମ ଦଶନ୍ଧି ପର୍ଯ୍ୟନ୍ତ ପ୍ରଭାବ ବିସ୍ତାର କରି ରହିଥିବା ଉପଲବ୍‌ଧି କରିହୁଏ । ସେହି ଭାବବାଦୀ ଦର୍ଶନରୁ ମୁହଁ ଫେରାଇ ୧୯୩୬ ମସିହାରେ, ଭଗବତୀ ଚରଣ ପାଣିଗ୍ରାହୀ ଓଡ଼ିଆ ସାହିତ୍ୟରେ ପ୍ରଥମ ଥର ପାଇଁ ବୁର୍ଜୁୟା ମୋହ (Bourgeoisi Illusion) ଓ ବୁର୍ଜୁୟା- ମାନସିକତା ସଂଜାତ ସାମନ୍ତବାଦ (Bourgeoisified aristocracy) ବିରୋଧରେ ସ୍ୱର ଉତ୍ତୋଳନ କଲେ ‘ଆଧୁନିକ’ ପତ୍ରିକା ଓ ତାଙ୍କ ରଚିତ ‘ଶିକାର’, ‘ହାତୁଡ଼ି ଓ ଦା’ ଆଦି ଗଳ୍ପ ତଥା ବିବିଧ ପ୍ରବନ୍ଧ ମାଧ୍ୟମରେ । ପ୍ରାୟ ଏହିଠାରୁ କଳା-ଜଗତ ପରିବର୍ତ୍ତେ ବାସ୍ତବ-ଜଗତ (world of reality) ଅଭିମୁଖେ ଗଳ୍ପ, କବିତା, ନାଟକ ଆଦି ଗତି କରିବାକୁ ଲାଗିଲା । ସିନିସିଜିମ୍‌ ହେଲା ଅସ୍ଵୀକୃତ । ରୋମାଣ୍ଟିକ ସ୍ଵପ୍ନ ପ୍ରବଣତା ହେଲା ଗୌଣ । ଧ୍ଵନିତ ହେଲା ଜୀବନ-ବଂଚିବା, ଜୀବନ- ସଂଘର୍ଷ ଓ ଜୀବନବାଦର ତୂର୍ଯ୍ୟନାଦ । ଏହି ସମୟରେ ଯେଉଁ ସାମାଜିକ ପରିବର୍ତ୍ତନର ସୂତ୍ରପାତ ହେଲା ତାହା ବିଶେଷତଃ ମାର୍କସବାଦ/ ଲେନିନବାଦକୁ ନେଇ । ମାର୍କସ ବା ଲେନିନ ଆଉ ବ୍ୟକ୍ତି ବିଶେଷ ନ ହୋଇ ସମାଜ ତତ୍ତ୍ୱରେ ପରିଣତ ହୋଇଗଲେ । ଖ୍ରୀଷ୍ଟଫର କର୍ଡ଼ଓ୍ୱେଲ ଏହି ପରିବର୍ତ୍ତନକୁ ଲକ୍ଷ୍ୟ କରି କହନ୍ତି- ‘High - brow bourgeois art grows class’s freedom. Low-brow proletarian art grows on the proletariats unfreedom and helps, by its message of the starved revolting instincts to maintain that unfreedom is being.’ (Illusion and Reality, p- 90) ବୁର୍ଜୁୟା- ମାୟାରେ କବିତା ବା ସାହିତ୍ୟ ସମାଜ-ବିଶ୍ୱରୁ ବ୍ୟକ୍ତି-ବିଶ୍ୱକୁ ଚାଲିଯାଏ । ଏହା ହୋଇଯାଏ ପୂର୍ଣ୍ଣତଃ ବ୍ୟକ୍ତିଗତ କୌତୁକର ପ୍ରଶ୍ନ । ଏପରି ସାହିତ୍ୟ ବ୍ୟକ୍ତିବାଦ ଉପରେ ଗୁରୁତ୍ୱ ଦିଏ ମାତ୍ର ଯେତେବେଳେ ସାହିତ୍ୟ, ତାହା କବିତା ହେଉ ବା ଗଳ୍ପ ହେଉ, ବ୍ୟକ୍ତି ବା ବ୍ୟଷ୍ଟିକୁ ଗୁରୁତ୍ଵ ନ ଦେଇ ସମାଜକୁ ବା ସମଷ୍ଟିକୁ ଗୁରୁତ୍ଵ ଦିଏ, ଅବହେଳିତ ଦଳିତ ବର୍ଗର ଦୁଃଖ ଯନ୍ତ୍ରଣାକୁ ପ୍ରକାଶ କରି ତାହା ମଧ୍ୟ ଦେଇ ସେହି ବର୍ଗ ଭିତରେ ଜୀବନ-ବଂଚିବାର ସ୍ଵରକୁ ଶାଣିତ କରିଦିଏ ଓ ତା’ ଭିତରେ ଶୋଷକ ଶ୍ରେଣୀ ବିରୋଧରେ ଛିଡ଼ା ହେବାକୁ ଶକ୍ତି ଯୋଗାଇ ଦିଏ ତାହା ହୁଏ ପ୍ରକୃତ ସାହିତ୍ୟ । ଏହି ସାହିତ୍ୟରେ ଥାଏ ସମାଜବାଦୀ ସଚେତନତା, ବୈପ୍ଳବିକ ଇଚ୍ଛା-ଶକ୍ତି, ଜନଗଣଙ୍କର ସର୍ଜନାତ୍ମକ ଉଦ୍ୟମ ଓ ସାମ୍ୟବାଦ ପାଇଁ ସଂଗ୍ରାମ । ଲେନିନ୍‌ଙ୍କ ଦୃଷ୍ଟିରେ ସମାଜବାଦୀ ସମାଜ ଗୋଟିଏ ନୂତନ ସର୍ବହରା ସଂସ୍କୃତିକୁ ଉଦ୍‌ଭାବନ କରେ ନାହିଁ, ଯାହା ଥାଏ, ତା’ରି ଭିତରୁ ସର୍ବହରାର ଜୀବନ ଓ ସଂଗ୍ରାମକୁ ନେଇ ଏକ ସର୍ବୋତ୍ତମ ମଡ଼େଲ ବା ଦୃଷ୍ଟାନ୍ତ ସୃଷ୍ଟି କରିଦିଏ । (Of Human Values, Progress, 1980, p. 39)

 

ଉପରୋକ୍ତ ଆଲୋଚନା ପରିପ୍ରେକ୍ଷୀରେ ଓଡ଼ିଆ ଗଳ୍ପ ଆଉ ଅତୀତର ଭାବବାଦୀ ଶଗଡ଼ ଗୁଳାରେ ଗତି ନ କରି ଏକ ନୂତନ ମାର୍ଗ ଅନ୍ୱେଷଣ କରିବାକୁ ଲାଗିଲା । ଗଳ୍ପରେ ଯେଉଁ ବିମ୍ବ (image) ସୃଷ୍ଟି । ହେଲା ତାହା ବ୍ୟଞ୍ଜିତ କଲା । ଜୀବନର ସମଗ୍ରତାକୁ, ବହିର୍ଜଗତର ସତ୍ୟ ଆଧାର (very image of life expressed in its external truth) ରେ କଳା ଭାବ-ଜଗତର, ଅନ୍ୟ ଅର୍ଥରେ ଅନ୍ତର୍ଜଗତର ଭାଷିକ ଉଚ୍ଚାରଣ ହେଲାବେଳେ ବିଜ୍ଞାନ ହେଲା ପରିବେଶ ଓ ବାହ୍ୟ ଜଗତର ରୂପକାର । ଓଡ଼ିଆ ଗଳ୍ପ ଏ ସମୟକୁ ଏହି ଦୁଇଟି କଥାକୁ ମିଳାଇ ଦେଇ ସାମାଜିକ ସତ୍ୟକୁ ଉନ୍ମୋଚନ କରିବାରେ ହେଲା ବ୍ରତୀ । ମଣିଷ ଜାତିର ଆଦର୍ଶଗତ ବିପଣିରେ ଶବ୍ଦମାନେ ହୋଇଗଲେ ଭାବ ବିନିମୟର ମୁଦ୍ରା ସଦୃଶ । ଏହି ଶବ୍ଦମାନେ ବ୍ୟକ୍ତିଗତ ସ୍ତରରେ ଅନୁଭବକୁ ଓ ନୈବ୍ୟକ୍ତିକ ସ୍ତରରେ ଅବବୋଧ (perception) କୁ ନେଇ ନୂଆ ଶୈଳୀଟିଏ ତିଆରି କରିଦେଲେ । ଏହି ଯେଉଁ ଭାଷା ଗଳ୍ପରେ ବ୍ୟବହୃତ ହେଲା ତାହା ଦୈନନ୍ଦିନ ଯନ୍ତ୍ରଣା ପାଉଥିବା ଓ ମରଣର ସମ୍ମୁଖୀନ ହେଉଥିବା ମଣିଷମାନଙ୍କର ରକ୍ତରେ ହିଁ ଜୀବନ୍ତ ହୋଇଉଠିଲା । ତେଣୁ ଗଳ୍ପ ହେଲା ବିବର୍ତ୍ତନ ଭିତରେ ନୂତନ ଉଦ୍‌ଭାବନୀ ଶକ୍ତିର ପ୍ରଚୋଦକ । ସେଥିରେ ଶବ୍ଦମାନେ । କେବଳ ଶବ୍ଦ ପାଇଁ ନ ହୋଇ, ହେଲେ ନବ ଚେତନାର ବାହକ, ଲୋକ ସାଧାରଣଙ୍କର ପ୍ରତିରୂପ, କ୍ରିୟା ଓ ବସ୍ତୁ ବା ଉପାଦାନର ଅଭିବ୍ୟକ୍ତି । ତେଣୁ ଗଳ୍ପ ସାମାଜିକ ବୈଶିଷ୍ଟ୍ୟ ଉପରେ ଗୁରୁତ୍ଵ ଦେଲା ଓ ଅନ୍ତରଙ୍ଗ ଭାବରେ ଖୋଜିଲା ଏକ ମାର୍ଗ, ଯେଉଁଥିରେ ମଣିଷ ଓ ମାନବିକତାର ବିକାଶ ସହିତ ମାନବିକ, ଆଦର୍ଶକୁ ଉନ୍ନତ କରି ଦେଖାଇ ପାରିବ ଏବଂ ତାହା ହିଁ ବିଚାର କରିପାରିବ ମଣିଷ ହିଁ ସର୍ବୋତ୍ତମ ମୂଲ୍ୟବୋଧର ନିୟମାକ । ଏହି ଯେଉଁ ନୂତନ କଳା ସାହିତ୍ୟର ଉନ୍ମେଷ ଘଟିଲା ତାହା ସାମନ୍ତୀୟ ବା ର୍ଜୁୟା କଳା ବା ସାହିତ୍ୟ ନୁହେଁ । ଏହା ଏପରି ଏକ ନିରବଚ୍ଛିନ୍ନ କଳା, ଯାହା ଲୋକଙ୍କୁ ଉଦ୍‌ବୋଧିତ କରେ, ବିପୁଳ ଜଡ଼ୀଭୂତ ଜନସମାଜକୁ ଉତ୍ତୋଳନ ପାଇଁ ଆହ୍ୱାନ ଦିଏ, ସେମାନଙ୍କର ଯାବତୀୟ ବିପର୍ଯ୍ୟୟ, ସମସ୍ୟା ଓ ସେହି ସମସ୍ୟାଗୁଡ଼ିକର କାରଣ ସମ୍ପର୍କରେ ଚେତେଇ ଦିଏ ଏବଂ ସର୍ବୋପରି ସେମାନଙ୍କ ଭିତରେ ଥିବା ଅମିତ ଶକ୍ତି ଓ ଅଧିକାରବୋଧ ସମ୍ପର୍କରେ ପରିଚିତ କରାଇଦିଏ । ଏପରି ସାହିତ୍ୟ ଲୋକଙ୍କୁ ଅନୁସରଣ କରି ଆପଣାର କାୟାକଳ୍ପ ନିର୍ମାଣ କରେ ନାହିଁ: ବରଂ ଏକ ଅନ୍ତରୀଣ ଓ ସାଂସ୍କୃତିକ ଜୀବନ ଅଭିମୁଖରେ ଆଗେଇ ଯିବାକୁ ପ୍ରେରଣା ଦିଏ । ତେଣୁ ଏହି ସାହିତ୍ୟ ହୁଏ ସମାଜର ନବ ନିର୍ମାଣ ପାଇଁ ଏକ ବଳିଷ୍ଠ ଉପାୟ, ଯାହା ସଂହତିପୂର୍ଣ୍ଣ ବ୍ୟକ୍ତିତ୍ୱ ଗଠନରେ ସହାୟକ ହୁଏ ।

-୨-

ଓଡ଼ିଆ ଗଳ୍ପର ଆଦିପର୍ବରେ ଚନ୍ଦ୍ରଶେଖର ନନ୍ଦ ସର୍ବପ୍ରଥମେ ‘ଗଦା ଡକାଏତ’ (୧୯୦୬) ପରି ଏକ ଗଳ୍ପ ରଚନା କରି ଯେଉଁ ବଳିଷ୍ଠ ସାମାଜିକ ଚେତନାଟିଏ ସୃଷ୍ଟି କରିଥିଲେ ଓ ନୈର୍ବ୍ୟକ୍ତିକ ଭାବରେ ବସ୍ତୁ-ଜଗତ ପ୍ରତି ଯେଉଁ ଦୃଷ୍ଟି ଆକର୍ଷଣ କରିଥିଲେ, ଦଳିତ ଶୋଷିତ ବର୍ଗଙ୍କୁ ସଂଗଠିତ ପ୍ରକ୍ରିୟାରେ ଶୋଷକର ବିନାଶ ପାଇଁ ଯେଉଁ ସଚେତନ ପ୍ରେରଣା ଦେଇଥିଲେ ତାହା ପରବର୍ତ୍ତୀ କାଳରେ ଭାବବାଦୀ ପ୍ରହେଳିକା ଭିତରେ ନିଶ୍ଚିହ୍ନ ହୋଇଗଲା । କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ‘ଅଧିକାର’ (୧୯୨୬) ଗଳ୍ପରେ ଶୋଷିତର ଶୋଷକକୁ ହତ୍ୟା ଏକ ନୂତନ ଚେତନା ସୃଷ୍ଟି କରିଥିଲେ ମଧ୍ୟ ତାହା ସମଷ୍ଟି କୈନ୍ଦ୍ରିକ ହୋଇପାରିଲା ନାହିଁ । ଭଗବତୀ ଚରଣ ପାଣିଗ୍ରାହୀ ଜଣେ ମାର୍କସୀୟ ଚିନ୍ତାନାୟକ ଭାବରେ ଓଡ଼ିଆ ଗଳ୍ପର ନୂତନ କ୍ରାନ୍ତିର ହେଲେ ଜନକ । ତାଙ୍କ ଦ୍ୱାରା ପ୍ରତିଷ୍ଠିତ ‘ନବଯୁଗ ସାହିତ୍ୟ ସଂସଦ’ (୧୯୩୬) ଏହି ନବଚେତନାର ହେଲା ବାହକ । ଏହି ସଂସଦ ସହିତ ଅନନ୍ତ ପଟ୍ଟନାୟକ, ସୁନନ୍ଦ କର, ଗୁରୁଚରଣ ପଟ୍ଟନାୟକ, ରାମପ୍ରସାଦ ସିଂହ, ମନମୋହନ ମିଶ୍ର ପ୍ରମୁଖ କବି ଓ ଲେଖମାନେ ସଂପୃକ୍ତ ହୋଇଗଲେ ଓ ଲେଖିଲେ ମାର୍କସୀୟ ଦୃଷ୍ଟିକୋଣକୁ ନେଇ ଗଳ୍ପ କବିତା ଇତ୍ୟାଦି । ଖୋର୍ଦ୍ଧା ନିକଟବର୍ତ୍ତୀ ଚଣାହାଟର ଶେଷ ଜମିଦାର ଅନନ୍ତ ପଟ୍ଟନାୟକ ଜମିଦାରୀର ମୋହକୁ ତ୍ୟାଗ କରି ଦଳିତ ଶୋଷିତ ଜନଗଣଙ୍କ ମୁକ୍ତି ପାଇଁ ଅଣ୍ଟାଭିଡ଼ି ଛିଡ଼ା ହେଲେ ଓ ତାଙ୍କ ଲେଖନୀରୁ ନିର୍ଗତ ହେଲା ଅଗ୍ନିଗର୍ଭ ଧ୍ଵନି । ଢେଙ୍କାନାଳର ନିର୍ମମ ରାଜ ଅତ୍ୟାଚାରକୁ ବିରୋଧ କରି ପ୍ରଜା ଆନ୍ଦୋଳନରେ ଯୋଗ ଦେଇ କାରାବରଣ କଲେ । ମାର୍କସବାଦୀ ଦର୍ଶନରେ ଅନୁପ୍ରାଣିତ ହୋଇ ନିରବଚ୍ଛିନ୍ନ ଭାବରେ ରଚନା କଲେ ଗଳ୍ପ, କବିତା, ନାଟକ ଓ ପ୍ରବନ୍ଧ ଏବଂ ଦୀର୍ଘ ଅର୍ଦ୍ଧଶତାବ୍ଦୀ (୧୯୩୬- ୧୯୮୭) ଧରି ଓଡ଼ିଆ ସାହିତ୍ୟରେ ପ୍ରଗତିବାଦୀ ଓ ସମାଜବାଦୀ ଚିନ୍ତନକୁ ପ୍ରମୁଖ କରିଦେଲେ । ତାଙ୍କ ଛନ୍ଦୋବଦ୍ଧ କବିତାର ଧରା ଓ ଧାରାରେ ଅନୁପ୍ରାଣିତ ହୋଇ ସେ କାଳରେ ତଥା ସ୍ଵାଧୀନତା ପରବର୍ତ୍ତୀ କାଳରେ କେତେ କବି କବିତା ରଚନା କରି ଓଡ଼ିଆ ସାହିତ୍ୟରେ ପ୍ରଗତିବାଦୀ ବୈପ୍ଳବିକ ଧାରାକୁ ପ୍ରଖର କରିଦେଲେ ।

 

ଅନନ୍ତ ପଟ୍ଟନାୟକ ଶେଷ ଜମିଦାର । ସେ ଲକ୍ଷ୍ୟ କରିଥିଲେ ଜମିଦାରୀ ଇଲାକାମାନଙ୍କରେ କୃଷକ ଶ୍ରମିକମାନଙ୍କର ଦୁଃଖ ଓ ଦୁର୍ଦ୍ଦଶାକୁ, ୧୯୩୬ ମସିହା ପୂର୍ବରୁ ଗାନ୍ଧିଜୀଙ୍କ ଡାକରାରେ ଭାରତର ସ୍ଵାଧୀନତା ପାଇଁ ଅସହଯୋଗ ଆନ୍ଦୋଳନକୁ, ଲବଣ ସତ୍ୟାଗ୍ରହକୁ, ହରିଜନ ଆନ୍ଦୋଳନକୁ । ସେ ମଧ୍ୟ ଲକ୍ଷ୍ୟ କରିଥିଲେ ମାନବତାବାଦୀ ଦରଦୀ ମାଟି ଓ ମଣିଷପ୍ରାଣ ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ, ଯାହା ଫଳରେ ଗୋପବନ୍ଧୁଙ୍କ ପ୍ରତି ଶ୍ରଦ୍ଧା ନିବେଦନ କରି ରଚନା କରିଥିଲେ ‘ତୋହରି ସାଥୀ’ (୧୯୩୨) କବିତା । ସେ ପୁଣି କୁଳବୃଦ୍ଧ ମଧୁସୂଦନ ଦାସଙ୍କର ବ୍ୟକ୍ତିତ୍ୱ, ଜାତୀୟ ସ୍ଵାଭିମାନ, ପ୍ରଜ୍ଞା ଓ ଜାତିଗଠନ ପାଇଁ ତ୍ୟାଗକୁ ଅନୁଭବ କରିଥିଲେ ଓ ସେହି ୧୯୩୨ ମସିହାରେ ଜନୈକ ତରୁଣ କବିଙ୍କର କବିତା ପୁସ୍ତକକୁ ଖେଳାଇ ତାଙ୍କୁ କହିଥିବା ଉକ୍ତି - ‘ସାହିତ୍ୟରେ ଜାତି ବଂଚିବ ନାହିଁ । ଜାତିକୁ ବଂଚିବାକୁ ହେଲେ କଳ୍ପନା ଯଥେଷ୍ଟ ନୁହେଁ । ରୁଟି ଦରକାର, ଭାତ ଦରକାର । ତମ ସାହିତ୍ୟ କ’ଣ ତା’ ଦେଇପାରିବ ? ତମର ଏ ବହିକୁ ଯଦି ଜଣେ ବଣିଆକୁ ଦିଅ, ସେ କ’ଣ କରିବ ଜାଣ ? ସେ କ’ଣ ଏ ବହିରୁ କବିତା ପଢ଼ିବ ଭାବିବ ? ସେ ଏହାର ପତ୍ର ଚିରି ଗ୍ରାହକମାନଙ୍କୁ ଜିନିଷଗୁଡ଼ାଇ ବିକ୍ରୀ କରିବ ? ତମେ କ’ଣ ରାଗିଲ ?’ (ଉତ୍କଳ ଗୌରବ ମଧୁସୂଦନ, ପୃ ୧୮୫) - ଅନନ୍ତଙ୍କ ହୃଦୟରେ ରେଖାପାତ କରିଥିଲା । ଗାନ୍ଧି-ଗୋପବନ୍ଧୁ ମଧୁସୂଦନଙ୍କ ସ୍ଵଦେଶପ୍ରୀତି ଓ ମାନବ ବନ୍ଦନା ଏବଂ ମାର୍କସ- ଲେନିନଙ୍କ ବୈପ୍ଳବିକ ମନ୍ତ୍ର ତାଙ୍କୁ ଏକ ଭିନ୍ନ ମଣିଷରେ ପରିଣତ କରିଦେଲା ଯିଏ ଏକାଧାରରେ ହୋଇଗଲେ ମାନବତାବାଦୀ ଓ ବିପ୍ଳବୀ । ଜମିଦାରୀ ବିଳାସ ଓ ଉପଭୋଗ ଭିତରୁ ମୁକ୍ତ ହୋଇ ସେ ହୋଇଗଲେ ଏକ ନୂତନ କ୍ରାନ୍ତି ସ୍ରଷ୍ଟା । ୧୯୪୫ ମସିହାରେ ତାଙ୍କର ବିବାହ ହେଲା ନୀରଦପ୍ରଭା ପଟ୍ଟନାୟକଙ୍କ ସହିତ ଏବଂ ନୀରଦ ପ୍ରଭା ହୋଇଗଲେ ତାଙ୍କର ମୁଖ୍ୟ ପ୍ରେରଣାଦାତା । ସ୍ଵାଧୀନତା ଲାଭ (୧୯୪୭) ଓ ଗଣତନ୍ତ୍ର ପ୍ରତିଷ୍ଠା (୧୯୫୦) ପୂର୍ବବତ୍ତୀ ଦୀର୍ଘ ପନ୍ଦର/ଷୋହଳ ବର୍ଷ ଧରି ତାଙ୍କ ବ୍ୟକ୍ତିତ୍ଵ ନାନା ସଂକଟ ସଂଘର୍ଷ ଭିତରେ ବିକଶିତ ହୋଇଛି । ସେହି ସମୟରେ ସେ ଲକ୍ଷ୍ୟ କରିଛନ୍ତି ସାରା ଓଡ଼ିଆକୁ । ନିର୍ଯ୍ୟାତିତ ଗାଁ ଲୋକଙ୍କୁ, କୃଷକଙ୍କୁ, ସର୍ବହରା ମଣିଷଙ୍କୁ ସେ ଦେଖିଛନ୍ତି, ସେମାନଙ୍କ ସହିତ ମିଶିଛନ୍ତି । ଭାଗ୍ୟ ଭଗବାନ କମଫଳ ଆଦି ନାନା ବିଶ୍ୱାସ ଭିତରେ ବୁଡ଼ି ରହି ନୀରବରେ ଅତ୍ୟାଚାର ଓ ଶୋଷଣ ସହୁଥିବା ମୂକ ଜନଗଣଙ୍କୁ ସେ ଦେଖିଥିଲେ । ସେ ମଧ୍ୟ ଗଭୀରଭାବରେ ଅନୁଭବି ଥିଲେ ଶାସ୍ତ୍ର, ପୌରହିତ୍ୟ ପ୍ରଥା, ତଥାକଥିତ ଧର୍ମ, ଆଇନ୍‌, ଅଦାଲତ, ପ୍ରଶାସନ ଓ ପୋଲିସର ରାଜା, ଜମିଦାର, ମହାଜନ, ମଠ, ମହନ୍ତ ଓ ବଡ଼ଲୋକଙ୍କର ରକ୍ଷା କବଚ ହୋଇ ନିରୀହ ଲୋକଙ୍କ ଉପରେ ଅମାନୁଷିକ ବ୍ୟବହାର କରୁଥିବା ଘଟଣାକୁ । ସେ ମଧ୍ୟ ଦେଖିଥିଲେ ସ୍ଵରାଜ ଆନ୍ଦୋଳନକୁ, ଅଗଷ୍ଟ ବିପ୍ଳବ (୧୯୪୨)କୁ, ଦ୍ୱିତୀୟ ବିଶ୍ୱଯୁଦ୍ଧର ନାରକୀୟତାର ଓ ନରସଂହାରକୁ, ସାଂପ୍ରଦାୟିକ ଦଙ୍ଗା (୧୯୪୬)କୁ, ଭାରତର ସ୍ୱାଧୀନତା (୧୯୪୭)କୁ, ଗଣତନ୍ତ୍ର ପ୍ରତିଷ୍ଠା (୧୯୫୦)କୁ । ଏହା ଭିତରେ ମଧ୍ୟ ସେ ଦେଖିଥିଲେ ଗାନ୍ଧିଜୀଙ୍କର ଅହିଂସ ଆନ୍ଦୋଳନକୁ ଓ ଗାନ୍ଧିଜୀଙ୍କ ହତ୍ୟା (୧୯୪୮)କୁ । ବିଶ୍ଵଯୁଦ୍ଧ ପରେ ପରେ ଓ ସ୍ୱାଧୀନତା ପରବର୍ତ୍ତୀ କାଳରେ ଭାରତ ବର୍ଷରେ ସୃଷ୍ଟି ହୋଇଥିବା ଗୋଟାଏ ଜାରଜ ସଂସ୍କୃତିକୁ ସେ ଯେପରି ଅନୁଭବି ଥିଲେ ସେହିପରି ସ୍ଵାଧୀନତା ପରେ ଗଣତନ୍ତ୍ରୀ ପୋଷାକରେ ନେତାମାନଙ୍କର କ୍ଷମତା- ତୃଷ୍ଣା ଓ ଉପଭୋଗ ଲାଳସାକୁ ଲକ୍ଷ୍ୟ କରିଥିଲେ । ଏହି ସମୟରେ ନେତାଙ୍କ ବାହୁଛାୟା ତଳେ ରହି ଶିଳ୍ପପତି, ପ୍ରଶାସକ, ପୋଲିସ ଓ ବଣିକ ସମାଜ ଦେଶକୁ ଯେପରି ଲୁଣ୍ଠନ କଲେ, କୃଷି-କୃଷକ ଓ ଶ୍ରମଜୀବୀଙ୍କର ଯେପରି ବିପର୍ଯ୍ୟୟ ସୃଷ୍ଟି ହେଲା, ଅର୍ଥବାଦ ଭିତ୍ତିରେ ନବ ସାମନ୍ତବାଦ ଓ ନବବୁର୍ଜୁୟା ବାଦ ଯେପରି କୁହେଳିକା ସୃଷ୍ଟି କଲା, ଶୋଷକ ଓ ଶୋଷଣର ବିନାଶ ପାଇଁ ନକ୍‌ସାଲବାଦୀମାନେ ଯେପରି ହିଂସାତ୍ମକ ବାତାବରଣ ସୃଷ୍ଟି କଲେ, ଆଇନ ଅଦାଲତ ଯେପରି ନିଷ୍କ୍ରିୟ ହୋଇଗଲା ଇତ୍ୟାଦି ନାନା ଘଟଣାକୁ ସେ ଗଭୀର ଭାବରେ ଅନୁଶୀଳନ କରିଥିଲେ ଓ ତାହାକୁ ପୁଞ୍ଜି କରି ରଚନା କଲେ, କବିତା, ଗଳ୍ପ, ନାଟକ, ପ୍ରବନ୍ଧ ଓ ଶିଶୁ ସାହିତ୍ୟ । ଏହି କ୍ରାନ୍ତିକାରୀ ସାରସ୍ଵତ ସ୍ରଷ୍ଟାଙ୍କର ଗଳ୍ପ ପରିମାଣାତ୍ମକ ଦୃଷ୍ଟିରୁ ସୀମିତ ହୋଇଥିଲେ ମଧ୍ୟ ଗୁଣାତ୍ମକତା ଦୃଷ୍ଟିରୁ ସେସବୁ ହୋଇଗଲେ ଓଡ଼ିଆ ଗଳ୍ପ- ସାହିତ୍ୟର ଇତିହାସରେ ଗୋଟିଏ ଗୋଟିଏ ଅନିର୍ବାଣ ଦୀପଶିଖା ।

-୩-

କଥାକାର ଅନନ୍ତ ପଟ୍ଟନାୟକ ସର୍ବହରା ଓ ଭୂମିହୀନ ପାଲଟି ଯାଉଥିବା ନରନାରୀଙ୍କ ଦୁଃଖ, ଦୁର୍ଦ୍ଦଶା, ଅଶ୍ରୁ, କାରୁଣ୍ୟ ଓ ସମସ୍ୟା ଓ ଏହାର କାରଣ ରୂପେ ଧର୍ମ, ଆଇନ, ଅଦାଲତ ଓ ପୋଲିସକୁ ନେଇ ରଚନା କରିଛନ୍ତି ଗଳ୍ପ, ଯେଉଁଥିରେ ପ୍ରତିଫଳିତ ହୋଇଛି ଉପେକ୍ଷିତ ସର୍ବହରାଙ୍କ ଚିନ୍ତା, ଚେତନା ଓ ଜୀବନ-ବଂଚିବାର ଆକାଙ୍‌କ୍ଷା । ତାଙ୍କ ରଚିତ ଗଳ୍ପମାନଙ୍କ ଭିତରେ ପ୍ରଣିଧାନଯୋଗ୍ୟ ‘ସ୍ଵପ୍ନ ଓ ବାସ୍ତବ’, ‘ମଡ଼ର୍‌ର’, ‘ଫେରିଆ’ , ‘ଚଢ଼ା-ଉତ୍ତରା’, ‘ସଂଗ୍ରାମ’, ‘ଗଳ୍ପ ନୁହେଁ ଆଦୌ’, ‘ବିଡ଼ମ୍ବନା’, ‘ଏ ମନ ପାଞ୍ଚେ ନାହିଁ ଯାହା’, ‘ଘୋଡ଼ ବାଗୁଡ଼ ଗୁଡ଼’, ଆଦି ଗଳ୍ପ । ପ୍ରାୟ ଗଳ୍ପଗୁଡ଼ିକ ସହକାର, ‘ଆଧୁନିକ’, ‘କୋଟି କଣ୍ଠ’, ‘ମୌସୁମୀ’ ଓ ‘ଝଙ୍କାର’ ଆଦି ପତ୍ରିକାରେ ପ୍ରକାଶ ପାଇ ପାଠକୀୟ ଶ୍ରଦ୍ଧା ଅର୍ଜନ କରିଥିଲା । ତାଙ୍କର ଗୋଟିଏ ମାତ୍ର ଗଳ୍ପ-ସଂକଳନ ‘ଚଢ଼ା-ଉତ୍ତରା’ ୧୯୬୭ ମସିହାରେ କଟକ ବିନୋଦବିହାରୀର ପ୍ରକାଶକ ଜଗନ୍ନାଥ ରଥଙ୍କ ଦ୍ଵାରା ପ୍ରକାଶ ପାଇଥିଲା । ଏଥିରେ ସଂକଳିତ ଗଳ୍ପମାନଙ୍କ ମଧ୍ୟରୁ ‘ଫେରିଆ’ ଗଳ୍ପଟି ‘ଝଙ୍କାର’ (୯/୯-୧୯୫୮)ରେ ପ୍ରକାଶ ପାଇଥିଲା । ‘ସଂଗ୍ରାମ’ ଓ ‘ଗଳ୍ପ ନୁହେଁ ଆଦୌ’ ଗଳ୍ପ ଦୁଇଟିକୁ ସେ କଟକ ଆକାଶବାଣୀ କେନ୍ଦ୍ରରୁ ଯଥାକ୍ରମେ ତା ୨୭।୧୨।୧୯୫୭ ଓ ତା ୨୯।୯।୧୯୫୬)ରିଖରେ ପ୍ରଚାର କରିଥିଲେ । ‘ସ୍ଵପ୍ନ ଓ ବାସ୍ତବ’ ଗଳ୍ପ ଏହି ସଂକଳନରେ ସଂକଳିତ ହୋଇ ନ ଥିଲା । ନାଜିବାଦ ବିରୋଧୀ ଏହି ଗଳ୍ପଟି ପ୍ରକାଶ ପାଇଥିଲା ‘ସହକାର’ (୧୯/୧୦) ପତ୍ରିକାରେ-। ‘ଚଢ଼ା-ଉତ୍ତରା’ ଗଳ୍ପ ପୁସ୍ତକର ଲେଖକୀୟ ‘ବକ୍ତବ୍ୟରେ ସେ କହନ୍ତି-’ ଏଗୁଡ଼ିକ ଗଳ୍ପ କି କାହାଣୀ କି ଗଦ୍ୟଗାଥା କି କିଛି ନୁହେଁ, ପ୍ରଗଳ୍‌ଭ ଏକ ଭ୍ରମ - ଏହା ସହୃଦୟ ବା ନିଷ୍କରୁଣ ସମାଲୋଚକଙ୍କର ବିଚାର୍ଯ୍ୟ । ଏଥିରୁ କେତୋଟି ‘ସମ୍ବିତ୍‌ବାହୀ’ ତତ୍ତ୍ୱ ଭଳି ନୂତନ ଆଙ୍ଗିକରେ ଆଶ୍ରୟ ନେବାକୁ ଉଦ୍‌ଯୋଗୀ ହୋଇଛି କି ନାହିଁ, ସେମାନଙ୍କର ହିଁ ଆଲୋଚନୀୟ । ତେବେ ପ୍ରାୟ ପ୍ରତ୍ୟେକ ଲେଖକଙ୍କର ମନ ଭଳି ଏ ଲେଖକର ମନ ମଧ୍ୟ ଉଦ୍‌ବିଗ୍ନ - ଏଥିରୁ କେଉଁଟି କ’ଣ କେବେ କାହାର ହୃଦୟରେ ଟିକେ ସୁର ବେସୁର ଆଘାତ ଦେବ ନାହିଁ ?’ ଏପରି ଗୋଟିଏ ସଂଶୟ ଓ ଜିଜ୍ଞାସା ଲେଖକ ପ୍ରକାଶ କରିଥିଲେ ମଧ୍ୟ ତାଙ୍କ ଗଳ୍ପଗୁଡ଼ିକ ନିଶ୍ଚିତ୍ତ ରୂପେ ସଂବିତ୍‌ବାହୀ ଶୈଳୀର ଗୋଟିଏ ଗୋଟିଏ ସଫଳ ନିଦର୍ଶନ ଓ ନିର୍ଦ୍ଦିଷ୍ଟ ସମାଜବାଦୀ ଆଦର୍ଶର ବାର୍ତ୍ତାବହ । ସ୍ଵାଧୀନତା ପୂର୍ବରୁ ଓ ପରେ ଯେଉଁସବୁ ଗଳ୍ପ ରଚନା କରିଥିଲେ ସେସବୁ ତତ୍‌କାଳୀନ ଗଳ୍ପର ଧରା ଓ ଧାରାଠାରୁ ବ୍ୟତିକ୍ରମ । କେବଳ ମନୋଜ ଦାସଙ୍କ ପ୍ରଥମ ପର୍ଯ୍ୟାୟର ଗଳ୍ପରେ ସମାଜର ସନ୍ତୁଳିତ ରୂପ ପରିଲକ୍ଷିତ ହୁଏ । ଅନନ୍ତ ପଟ୍ଟନାୟକ ମୁଖ୍ୟତଃ ସାମାଜିକ ଥିମ୍‌କୁ ଗଳ୍ପର ଆଧାର କରି ନେଇଛନ୍ତି-। ତାହା ଯେତିକି ବାସ୍ତବ ସେତିକି ମଧ୍ୟ ଜୀବନ୍ତ ଓ ଗତିଶୀଳ । ସେ ଯେଉଁ ଆଙ୍ଗିକ ବା ଶୈଳୀଟିଏ ସୃଷ୍ଟି କରିଦେଇଛନ୍ତି ତାହା ତାଙ୍କ ବ୍ୟକ୍ତିତ୍ଵର ସ୍ଵର ଓ ସଂକଳ୍ପକୁ ଶାଣିତ କରିଦେଇଛି-। ସେହି ଶୈଳୀରେ ଫୁଟି ଉଠିଛି ପରିଚିତ ସମାଜ-ମଣିଷର ଭାଷା । ତଥାପି ତାଙ୍କର ଗଳ୍ପ ଉପରେ ଭରସା ଆସିନାହିଁ । କାରଣ ସେ ଜଣେ ପ୍ରତିଷ୍ଠିତ କବି ହୋଇଥିବାରୁ ଓ କବି ଭାବରେ ତାଙ୍କର ସ୍ଵତନ୍ତ୍ର ମର୍ଯ୍ୟାଦାଥିବାରୁ ତାଙ୍କର ଗଳ୍ପଗୁଡ଼ିକ ଯେ ଗଳ୍ପ ହେଉ ନାହିଁ, କ’ଣ ଗୋଟାଏ ହୋଇଯାଉଛି, ସଂଶୟ ପ୍ରକାଶ ପାଇଛି, ତାଙ୍କର ନାଟକ ‘ରାବଣ’ ଓ ‘ଚିରିଅନ୍ଧାର ରାତି’ ପାଇଁ ମଧ୍ୟ ତାଙ୍କର ଆତ୍ମପ୍ରତ୍ୟୟ ସୃଷ୍ଟି ହୋଇନାହିଁ । କସ୍ତୁରୀ ମୃଗ ନିଜ ନାଭିର ଗନ୍ଧକୁ ନିଜ ଭିତରେ ବାରି ନ ପାରି ବଣସାରା ଖୋଜିଲା ପରି ସେ ନିଜ ଗଳ୍ପ ଓ ନାଟକର ସିଦ୍ଧି ଓ ସାର୍ଥକତାକୁ ହେଜି ନ ପାରି ସଂଶୟ ପ୍ରକାଶ କରିଅଛନ୍ତି । ତେଣୁ ସେ ଗଳ୍ପ ଲେଖାର ନିରବଚ୍ଛିନ୍ନତା ଉପରେ ଗୁରୁତ୍ଵ ଦେଇ ନାହାନ୍ତି ; ନାଟକ ଉପରେ ମଧ୍ୟ ନୁହେଁ ।

 

ପ୍ରକୃତରେ ଲେଖକ ଗଳ୍ପ ଭିତରେ ଝରାଇ ଦେଇଛନ୍ତି କାବ୍ୟିକ ଭାବାବେଗ । ତେଣୁ ଗଳ୍ପ ଓ କବିତା ଏକ ଭାବ ବିନ୍ଦୁରେ ମିଳିଯାଇଛନ୍ତି । ଅବଚେତନର ସଂଗୁପ୍ତ ଭାବରାଜି ଚେତନାପ୍ରବାହୀ ବା ସଂବିତ୍‌ବାହୀ ଶୈଳୀରେ ଆତ୍ମପ୍ରକାଶ କରି ଗଳ୍ପଗୁଡ଼ିକୁ ପ୍ରାଣବନ୍ତ କରିଦେଇଛି -ବ୍ୟକ୍ତି-ମନ ଓ ସମାଜ-ମନ, ବ୍ୟଷ୍ଟି-ମାନସିକତା ଓ ସମଷ୍ଟି- ମାନସିକତାର ହୋଇଛି ରମ୍ୟ ସମନ୍ଵୟ । ବସ୍ତୁ ରୂପ ସହିତ ଭାବ-କଳ୍ପର ହୋଇଛି ମଧୁର ମିଳନ । ସର୍ବତ୍ର ରହିଛି ନାଟକୀୟ ଉତ୍କଣ୍ଠା । ମଝିରେ ମଝିରେ ନାଟକୀୟ ସଂଳାପ ଗଳ୍ପଗୁଡ଼ିକୁ କରି ଦେଇଛି ଆହୁରି ଭାବ ସଂବାହୀ । ଗଳ୍ପର ଉପସଂହାର ବେଳକୁ ରହସ୍ୟର ଗ୍ରନ୍ଥ ଉନ୍ମୋଚିତ ହୋଇଥିଲେ ମଧ୍ୟ ପାଠକ ମନରେ ଅନ୍ତହୀନ ଜିଜ୍ଞାସା ସୃଷ୍ଟି କରିବାରେ ହୋଇଛି ସମର୍ଥ । ଚେତନ ଓ ଅବଚେତନ ମନର ଖଣ୍ଡିତ ଭାବରାଜି ଗଳ୍ପଗୁଡ଼ିକରେ ପ୍ରକାଶ ପାଇ ସାମାଜିକ ଆବେଦନକୁ ବେଶ ସ୍ଵଚ୍ଛ ଓ ସ୍ପଷ୍ଟ କରି ଦେଇଛି-। ଏହା ପାଠକର ମନ ଭିତରେ ସୃଷ୍ଟି କରେ ଆଲୋଡ଼ନ । ଯେପରି ଭାବରେ କଥାକାର ଗଳ୍ପମାନଙ୍କରେ ଶୋଷକ ଓ ଶୋଷିତର ସଂପର୍କକୁ ଦେଖାଇ ଶୋଷଣର କାରଣଗୁଡ଼ିକୁ ସୂଚାଇଛନ୍ତି ଓ ଭଦ୍ରତାର ଆବରଣ ତଳେ ସଂଗୁସ୍ତ ଥିବା ନାରକୀୟତାକୁ ଉଲ୍ଲେଖ କରିଛନ୍ତି ତାହା ତାଙ୍କର ସାମାଜିକ ଓ ମାନବିକ ଦୃଷ୍ଟି କୋଣକୁ ବ୍ୟଞ୍ଜିତ କରିଦିଏ ।

 

-୪-

‘ସ୍ୱପ୍ନ ଓ ବାସ୍ତବ’ ସ୍ଵାଧୀନତା ପୂର୍ବବତ୍ତୀ କାଳରେ ରଚିତ ତାଙ୍କର ପ୍ରଥମ ଗଳ୍ପ । ଏହା ଫାସିବାଦ ବିରୋଧୀ ଏକ ଗଳ୍ପ । ଏଥିରେ ଜଣେ ଧନିକ ଓ ଅନ୍ୟ ଜଣେ କମ୍ୟୁନିଷ୍ଟ ଯୁବକ ମଧ୍ୟରେ ଥିବା ଆଦର୍ଶଗତ ପାର୍ଥକ୍ୟକୁ ଦର୍ଶାଇ ଦିଆଯାଇଛି । ଗଳ୍ପ ନାୟକ ପ୍ରବୀର କମ୍ୟୁନିଷ୍ଟ ଆଦର୍ଶରେ ଅନୁପ୍ରାଣୀତ । ସେ ଜଣେ ସାମ୍ବାଦିକ । ନାଜି ଆକ୍ରମଣରୁ ରକ୍ଷା ପାଇ ସେ ଚାଲିଯାଇଛି ସୁଇଜରଲ୍ୟାଣ୍ଡ ଓ ସେଠାରେ ତାର ସାକ୍ଷାତ ହୋଇଛି ଧନିକ ଯୁବକ ଚିରଞ୍ଜୀବୀ ଓ ଦୁଇଟି ଯୁବତୀ ଅପର୍ଣ୍ଣା ଏବଂ ଅନସୂୟା ସହିତ । ସେ ସେମାନଙ୍କୁ ନାଜିମାନଙ୍କର ବର୍ବରତା, ଇହୁଦୀମାନଙ୍କ ଉପରେ ସେମାନଙ୍କର ନିର୍ଯାତନା, ଜର୍ମାନୀ ଦେଶରେ ସ୍ୱାଧୀନ ଚିନ୍ତାର ଅପମୃତ୍ୟୁ, ଫାସିଜିମ୍‌ର କରାଳ ଗ୍ରାସରେ ସଂସ୍କୃତିର ବିପନ୍ନତା ଓ ଲେଖକମାନଙ୍କ ଅସହାୟତା ବିଷୟରେ କହିଛି । ଘଟଣାକ୍ରମେ ଅପର୍ଣ୍ଣା ପ୍ରବୀର ପ୍ରତି ପ୍ରେମାସକ୍ତା ହୋଇଥିଲେ ମଧ୍ୟ ସେ ବଦଳି ଯାଇଛି ଓ ନିଜେ ସୁଖଭୋଗୀ ହୋଇଥିବାରୁ ଧନୀ ଓ ଉପଭୋଗୀ ଯୁବକ ଚିରଞ୍ଜିବୀ ପାଖକୁ ଚାଲିଯାଇଛି । ଏହି ଗଳ୍ପରେ ଲେଖକ ମାନବପ୍ରେମୀ, ଯୁଦ୍ଧବିରୋଧୀ, କମ୍ୟୁନିଷ୍ଟ ଚରିତ୍ର ସହିତ ବୁର୍ଜୁୟା ମାନସିକତାର ପ୍ରତୀକ ଯୌନ ବିଳାସୀ ଚରିତ୍ରକୁ ତୁଳନାତ୍ମକ ଭାବରେ ଦର୍ଶାଇ ଦେଇ ମାନବତାବାହୀ ଚରିତ୍ର ପ୍ରତି ପାଠକୀୟ ଶ୍ରଦ୍ଧା ଓ ବୁର୍ଜୁୟା ଚରିତ୍ର ପ୍ରତି ଘୃଣା ସୃଷ୍ଟି କରି ଦେଇଛନ୍ତି । ‘ମଡ଼ରର’ ଗଳ୍ପ ତାଙ୍କର ଏକ ଶକ୍ତିଶାଳୀ ସମାଜନିଷ୍ଠ ଗଳ୍ପ । ପୃଷ୍ଠଭୂମି ଦୀର୍ଘ । ଘଟଣା କିନ୍ତୁ କେତୋଟି ମୁହୂର୍ତ୍ତର । ଏଥିରେ ଅଛି ଶୋଷକର ପୈଶାଚିକ ଉଲ୍ଲାସ, ଶୋଷିତର ବୁକୁଫଟା ବିଳାପ ଓ ତାର ଅଶ୍ରୁରୂପକ ଅନଳରେ ଶୋଷକର ବିନାଶ ଓ ଶୋଷକର ରକ୍ଷା କବଚ ଆଇନ୍‌, ଅଦାଲତ ଓ ପୋଲିସ ପ୍ରତି ବିଦ୍ରୁପ । ଶୋଷିତ ଶୋଷକକୁ ହତ୍ୟା କରି କାରାଦଣ୍ଡ ପାଇଛି । ସେହି କାରାଗାରରେ ସେ ଭେଟିଛି କାରାବନ୍ଦୀ ସ୍ଵରାଜସଂଗ୍ରାମୀ, ଗାନ୍ଧିବାଦୀ ଜନୈକ ଶିକ୍ଷିତ ଯୁବକକୁ । ଉଭୟଙ୍କ ଭିତରେ ବଢ଼ି ଉଠିଛି ବନ୍ଧୁତ୍ଵ । ସ୍ଵାଧୀନତା ପରେ ଉଭୟଙ୍କର ହୋଇଛି କାରାମୁକ୍ତି । ଉଭୟଙ୍କର ମାର୍ଗ ହୋଇଛି ଭିନ୍ନ । ଜଣେ ହୋଇଛି ଉପଭୋଗୀ, ଯୌନ ବିଳାସୀ, ସୁଖ ସନ୍ଧାନୀ ଓ ବ୍ୟକ୍ତିବାଦୀ - ସିଏ ସ୍ଵରାଜ ସଂଗ୍ରାମୀ ଯୁବକ । ଅନ୍ୟ ଜଣେ ଯିଏ ହତ୍ୟାକାରୀ ଭାବରେ କାରାଦଣ୍ଡ ଭୋଗିଥିଲା ସେହି ଅପାଠୁଆ ଶୋଷିତ ସର୍ବହରା ଯୁବକଟି ନିର୍ଯ୍ୟାତିତ ମଣିଷର ସେବାରେ ଓ ଉପଭୋଗୀ ମଣିଷକୁ ଠିକଣା ରାସ୍ତାରେ ଆଣିବାରେ ହୋଇଛି ବ୍ରତୀ । ଏହି ଯୁବକଟି ସ୍ଵାଧୀନତାର ଆଲୋକ ଭିତରେ ଦେଖିଛି ଅନ୍ଧାର । ସେ ଅନୁଭବ କରିଛି ସର୍ବହରାର ଭାଗ୍ୟରେ କେବେ ଆଲୋକ ନ ଥିଲା, ଏବେ ମଧ୍ୟ ନାହିଁ । ତା’ ଭାଗ୍ୟରେ ରହିଛି କେବଳ ଅନ୍ଧାର । ସେହି ଅନ୍ଧାରକୁ ଚିରି ତାକୁ ହିଁ ଆଲୋକ ଖେଳାଇବାକୁ ହେବ ।

 

ଉକ୍ତ ଗଳ୍ପରେ ଲେଖକ ସ୍ୱାଧୀନତା ପୂର୍ବର ସାମାଜିକ ଜୀବନର ଆତଙ୍କ ରୂପେ ମଠ ମହନ୍ତ, ମହାଜନ, ଜମିଦାରଙ୍କୁ ଦର୍ଶାଇ ଆଇନ, ଅଦାଲତ, ପୋଲିସ, ଧର୍ମ ଓ ଶାସ୍ତ୍ର କିପରି ସେମାନଙ୍କର ରକ୍ଷାକବଚ ପାଲଟି ଯାଇଥିଲା ତାହା ପ୍ରତି ତିର୍ଯ୍ୟକ୍‌ ଦୃଷ୍ଟିପାତ କରିଛନ୍ତି । ଧର୍ମର ଭେଳିକି ଦେଖାଇ ମହନ୍ତ ଓ ବାବାଜୀମାନେ ନିରୀହ ଗ୍ରାମ୍ୟ ଲୋକଙ୍କୁ ଭୁଲାଇ ସେମାନଙ୍କୁ କରଜ ଦେଇ ଓ ସେମାନଙ୍କ ସଂପତ୍ତିକୁ ବନ୍ଧାରଖି ବଂଶାନୁକ୍ରମେ ସେମାନଙ୍କୁ ଗୋତି ଖଟାଇ ସେମାନଙ୍କ ଝିଅ ବୋହୁଙ୍କ ଇଜ୍ଜତ ନେଉଥିଲେ ତାହାର ବାସ୍ତବ ଚିତ୍ର ଅଙ୍କନ କରିଛନ୍ତି । ଜନଗଣ ଥିଲେ ମୂକ ଓ ନିର୍ବେଦ । କୌଣସି ପ୍ରତିବାଦ ନାହିଁ । ଧର୍ମ ଭୟ ସେମାନଙ୍କୁ ଭୀରୁ କରିଦେଇଥିଲା । ଏପରି ଏକ ସାମାଜିକ ଅନ୍ତର୍ଘାତ ସମ୍ପର୍କରେ ଶ୍ରୀ ପଟ୍ଟନାୟକ ରଚନା କରିଛନ୍ତି ‘ମଡ଼ରର’ ଗଳ୍ପ, ଯାହା ଉଭୟ ତତ୍ତ୍ୱ ଓ ଶୈଳୀଦୃଷ୍ଟିରୁ ଅତିକ୍ରମ କରିଯାଇଛି ଚନ୍ଦ୍ରଶେଖର ନନ୍ଦଙ୍କ ‘ଗଦା ଡାକଏତ’, ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ‘ଅଧିକାର’, ଭଗବତୀ ଚରଣଙ୍କ ‘ଶିକାର’, ‘ହାତୁଡ଼ି ଓ ଦା’, ରାମପ୍ରସାଦ ସିଂହଙ୍କର ‘ଶେଷରାତି’ ଗଳ୍ପକୁ । ପୂର୍ବ ଗଳ୍ପମାନଙ୍କ ପରି ଏଥିରେ ଶୋଷକର ‘ହତ୍ୟା’ ଅଛି । ମାତ୍ର ଏଥିରେ ହତ୍ୟା ପରବର୍ତ୍ତୀ ଘଟଣା ହୋଇଯାଇଛି ମୁଖ୍ୟ ଯାହା ପୂର୍ବର ଗଳ୍ପମାନଙ୍କରେ ନାହିଁ ।

 

‘ମଡ଼ରର’ ଗଳ୍ପର ନାୟକ ନଟିଆ ଓରଫ ନଟବର - ଗାଁର ଜଣେ ଦରିଦ୍ର ଚାଷୀର ପୁଅ-। ଅପାଠୁଆ ଅଥଚ ତା’ ଭିତରେ ସ୍ୱତଃ ପ୍ରକାଶ ପାଇଛି ସାମାଜିକ ଦ୍ୱନ୍ଦ୍ୱ ଯାହା ତାକୁ ପ୍ରତିକ୍ରିୟାଶୀଳ କରି ଦେଇଛି ଶୋଷକ ଓ ଉପଭୋଗୀ ମଣିଷମାନଙ୍କ ବିରୋଧରେ । ତା’ ବାପା ମହନ୍ତପାଖରୁ କରିଥିବା ଟଙ୍କାକୁ ସୁଝିବା ପାଇଁ ତାକୁ ମହନ୍ତ ପାଖରେ ପୋତି ରଖି ଦେଇଥିଲା । ସେଇଠି ସେ ଦେଖିଲା ଧର୍ମର ପୋଷାକ ପିନ୍ଧି ମହନ୍ତର ନାରକୀୟତାକୁ, ଦେଖିଲା ମଧ୍ୟ ତାର ନାରୀ- ବିଳାସକୁ । ତା’ ସାଙ୍ଗ ବଳିଆ ତାକୁ କହିଛି କରଜ ଶୁଝି ନ ପାରିବାରୁ ତା’ ସ୍ତ୍ରୀକୁ ମହନ୍ତ ପାଖରେ ବନ୍ଧା ରଖିଛି । ସେ ମଧ୍ୟ ବଳିଆ ସ୍ତ୍ରୀକୁ ମହନ୍ତ କୋଳରେ ଦେଖି ତାକୁ ହତ୍ୟା କରିଛି ଓ ତା’ ସହିତ ସେଠାରେ ଉପସ୍ଥିତ ଥିବା ସମସ୍ତ ଶୋଷିତ ବର୍ଗ ମହନ୍ତ ଉପରେ ନିଜ ନିଜର ହତିଆର ଚଳାଇ ତାକୁ ଖଣ୍ଡ ଖଣ୍ଡ କରି ଦେଇଛନ୍ତି । ନଟବରର ବିଶ୍ୱାସ ହୋଇଛି ଯେ ଏପରି ସଇତାନମାନଙ୍କର ଏକମାତ୍ର ଶାସ୍ତି ହତ୍ୟା । କୌଣସି ଆଇନ ସେମାନଙ୍କୁ ଶାସ୍ତି ଦେଇପାରିବ ନାହିଁ-। ସେହି ହତ୍ୟା ଅପରାଧରେ ତାକୁ ହୋଇଛି କାରାଦଣ୍ଡ ବଳିଆର ସାକ୍ଷୀକୁ ଭିତ୍ତିକରି । ବଳିଆ ମଧ୍ୟ ଶୋଷିତ ଓ ନିର୍ଯାତିତ । ସେ ନଟବରର ସାହସକୁ ପ୍ରଶଂସା କରିଛି ଓ ସବୁ କଥା ଖୋଲାଖୋଲି କହିଦେଇଛି । କାରାଗାରା ଭିତରେ ନଟବର ଭେଟିଛି ସ୍ଵରାଜ- ସଂଗ୍ରାମୀ ଗାନ୍ଧିବାଦୀ ଶିକ୍ଷିତ ଯୁବକ ଅଜିତକୁ । ଉଭୟଙ୍କର ହୋଇଛି ମିତ୍ରତା । ସ୍ୱାଧୀନତା ପରେ ଉଭୟଙ୍କର ହୋଇଛି କାରାମୁକ୍ତି ମାତ୍ର ସେମାନଙ୍କର ରାସ୍ତା ହୋଇଯାଇଛି ଭିନ୍ନ ଭିନ୍ନ । ନଟବର ଯାଇଛି କଲିକତା ତ ରହିଛି ରାଧୁଆ ନନା ହୋଟେଲରେ । ତାର ମଣିଷପଣିଆ ବିକଶି ଉଠିଛି । ସାହାଯ୍ୟର ହାତ ବଢ଼ାଇ ଦେଇଛି ନିର୍ଯାତିତା ଓ ନିର୍ଯ୍ୟାତିତଙ୍କ ପ୍ରତି । ଅପରପକ୍ଷରେ ଅଜିତ ହୋଇଛି କଣ୍ଟାକ୍ଟର ଓ ପ୍ରଚୁର ଅର୍ଥର ଅଧିକାରୀ । ମଣିଷପଣିଆ ତାର ଲୋପ ପାଇଗଲା ଓ ସେ ହୋଇଛି ନାରୀ-ବିଳାସୀ । ଏହି ଚରିତ୍ର ମାଧ୍ୟମରେ ଲେଖକ ସ୍ୱାଧୀନତା ପରବର୍ତ୍ତୀ ସମୟରେ ପୂର୍ବର ସ୍ଵରାଜ-ସଂଗ୍ରାମୀ ଓ ଗାନ୍ଧିବାଦୀ ଶିକ୍ଷିତ ବ୍ୟକ୍ତିମାନେ ହଠାତ୍‌ ବଦଳିଯାଇ ରାଜନୀତି ଓ ବ୍ୟବସାୟକୁ ଧରି ପେଟି ବୁର୍ଜୁୟା ପାଲଟି ନିରୀହ ଜନଗଣଙ୍କୁ କରନ୍ତି, ସରକାରୀ ଅର୍ଥକୁ ଲୁଣ୍ଠନ କରି ଦେଶ ସେବା ନାମରେ ଆତ୍ମସେବା ଓ ନାରୀଶୋଷଣ ବିଳାସରେ ମତ୍ତ ରହନ୍ତି, ତାହା ପ୍ରତି ତିର୍ଯ୍ୟକ ଦୃଷ୍ଟିପାତ କରିଛନ୍ତି । ଅଜିତ ଏପରି ଚରିତ୍ରରେ ରୂପାନ୍ତରିତ ହୋଇଥିଲାବେଳେ ନଟବର ମାନବିକତାର ଦୀପ୍ତିରେ ହୋଇଛି ଦୀପ୍ତିମନ୍ତ । ନଟବର କଲିକତାରେ ରହି ଜନୈକା ‘ପୁଅ ମା’କୁ ଆଶ୍ରୟ ଦେଇଛି ରାଧୁଆନନା ହୋଟେଲଷର, ଯିଏ ଥିଲା ଅଜିତର ପାପଲାଳସାର କରୁଣ ପରିଣତି । ନଟବର ଖୋଜିଛି ଅଜିତକୁ । ଏକଦା ଅଜିତ୍‌ କଲିକତାର ରାଜରାସ୍ତାରେ ତାର ପ୍ରେୟସୀ ନିକଟକୁ ଯାଇଥିଲାବେଳେ ନଟବର ତା’କୁ ଦେଖି ଖୁସିରେ ‘ବାବୁ’ ବୋଲି ଡାକ ପକାଇଛି-। ଅଜିତ ତାକୁ ନ ଚିହ୍ନିଲା ପରି ଅଭିନୟ କରି ଚାଲିଯିବାକୁ ଉଦ୍ୟମ କରି ବିଡ଼ି ବିଡ଼ି ହୋଇ କହି ଉଠିଛି ଏଇ ମେଳେଚ୍ଛଗୁଡ଼ାକ କେଉଁ ନିପଟ ମଫସଲରୁ ଆସି କଲିକତାରେ ପଲପଲ ହୋଇ ବୁଲି ଭଲ ମଣିଷଙ୍କୁ ଚିହ୍ନା ପକାଇ ଦିଅନ୍ତି । ଏପରି ମଣିଷଗୁଡ଼ାକ ଅସଭ୍ୟ ଓ ବର୍ବର । ସେ ପୁଣି ସଚେତନ ହୋଇଯାଇଛି ଓ ମନକୁ ମନ କହିଛି- ‘ବାବୁମୟ ଫୁଟପାଥ ଉପରେ କୋଉ ବାବୁକୁ କିଏ ଡାକୁଥିବ, ତୁ କାହିଁକି ଛାନିଆ ହେଉଛୁକିରେ ।’ (ଚଢ଼ା-ଉତ୍ତରା, ପୃ ୧) ଊନବିଂଶ ଶତାବ୍ଦୀରୁ ଇଂରେଜ ଶାସନ ଅମଳରେ ଯେଉଁ ବାବୁ ଶ୍ରେଣୀଟି ସୃଷ୍ଟି ହୋଇ କାୟା ବିସ୍ତାର କରି ଆସିଥିଲା ସ୍ଵାଧୀନତା ପରେ ମଧ୍ୟ ସେହି ଶ୍ରେଣୀ ପ୍ରଭାବ ବିସ୍ତାର କରି ରହିଛି । ଅଜିତ୍‌ ଏହି ଶ୍ରେଣୀର ପ୍ରତିନିଧି । ସେ ମେରୁଦଣ୍ଡହୀନ ମାତ୍ର ଉପଭୋଗୀ । ନଟବର ପର ହାତକୁ ଧରି ନେଇ ଆସିଛି ରାଧୁଆ ନନା ହୋଟେଲକୁ । ସେଇଠି ସେ ତାକୁ ଶୁଣେଇଛି ତା’ ଜୀବନର କାହାଣୀ-। କହିଛି ଧର୍ମର ଖୋଳପିନ୍ଧି ଗରିବ ଲୋକଙ୍କ ସଂପତ୍ତି ହରଣ କରି ସେମାନଙ୍କୁ ଗୋତି ପରି ଖଟାଉଥିବା ଓ ସେମାନଙ୍କ ଝିଅ ବୋହୂଙ୍କର ଇଜ୍ଜତ ଲୁଣ୍ଠନ କରୁଥିବା ମହନ୍ତକୁ ହତ୍ୟା କରିବା ଓ ତା’ ସହିତ ଉପସ୍ଥିତ ସମସ୍ତ ସର୍ବହରା ମଣିଷଙ୍କର ମହନ୍ତ ଉପରେ ପାହାର ଉପରେ ପାହାର ପକାଇବାର ବୃତ୍ତାନ୍ତକୁ । ଅଜିତ ସହିତ ନଟବର ପୁଣି ଯାଇଛି ଜନୈକ ଅଭିଜାତ ବ୍ୟକ୍ତିଙ୍କ ଘରକୁ । ସେଇଠି ଅଜିତ ସମସ୍ତଙ୍କ ଆଗରେ ଆଧୁନିକ ଦେହସର୍ବସ୍ୱା ନାରୀକୁ ଚୁମ୍ବନ ଦେଇଛି ନିର୍ଲଜ ଭାବରେ । ଯେଉଁ ପୁଅମାଆକୁ ନଟବର ଆଶ୍ରୟ ଦେଇଥିଲା ତାକୁ ଅଜିତ୍‌ ମଧ୍ୟ ପଚାରି ନାହିଁ । ସେ ମଧ୍ୟ ଅନ୍ୟ ଜଣେ ଯୁବତୀ ରକକୁ ଉପଭୋଗ କରିବା ସହିତ ତାକୁ ଅନ୍ୟ ବିତ୍ତଶାଳୀ ତଥା କ୍ଷମତାଧରଙ୍କୁ ନିକଟରେ ସମର୍ପଣ କରି ଉପରକୁ ଉଠିବାର ଇଚ୍ଛା କରିଥିଲେ ହେଁ ରୁକ ସେଥିରେ ରାଜି ହୋଇନାହିଁ । ସ୍ମିତା ହିଁ ଏପରି ଅପକର୍ମ ସହିତ ନିଜକୁ ମିଶାଇ ଦେଇଛି ଓ ତାରି ମାଧ୍ୟମରେ ଅଜିତ୍‌ ପାଇଛି ବହୁକୋଟି ଟଙ୍କାର କଣ୍ଟ୍ରାକ୍ଟରି । ଅଜିତ ହୋଇଛି ସ୍ଵାଧୀନତା ପରବର୍ତ୍ତୀ ଉପଭୋଗୀ ଓ ପେଟିବୁର୍ଜୁୟା ଶ୍ରେଣୀର ପ୍ରତିନିଧି, ଯାହାଙ୍କ ପାଖରେ କୌଣସି ମୂଲ୍ୟବୋଧ ନାହିଁ; ଅଛି କେବଳ ଅର୍ଥନୀତିର ହିସାବ ନିକାଶ । ଅପରପକ୍ଷରେ ନଟବର ମଡ଼ର୍‌ର ହେଲେ ମଧ୍ୟ ସେଥିପାଇଁ ସେ ଦୁଃଖ କରି ନାହିଁ । ବରଂ ଶୋଷକ ଓ ଅସହାୟା ନାରୀଙ୍କର ଦେହ ଉପଭୋଗୀ ସଇତାନକୁ ହତ୍ୟା କରି ଗର୍ବ ଅନୁଭବ କରିଛି । ବଳିଆର ସ୍ତ୍ରୀକୁ ମହନ୍ତ କୋଳରେ ବସାଇ ଥିଲାବେଳେ ସେ ତାକୁ ହତ୍ୟା କରିଛି ଓ ତା’ ସହିତ ଶୋଷିତ ଶ୍ରେଣୀ ଏକ ହୋଇଯାଇଛନ୍ତି । ଅଥଚ ବଳିଆ ତାର ପ୍ରଶଂସା କରୁ କରୁ ପୋଲିସକୁ କହିଛି ଯେ ନଟିଆର ସାହସ ଯୋଗୁ ମହନ୍ତ ମରିଛି ଓ ସେମାନେ ସମସ୍ତେ ସେଥିପାଇଁ ଆନନ୍ଦିତ । ନଟିଆ ଜେଲ ଯାଇଛି-। ତାର ନାରୀ ସମାଜ ପ୍ରତି ପ୍ରକାଶ ପାଇଛି ସମ୍ମାନବୋଧ । ସେ ମଧ୍ୟ ଉପଲବ୍‌ଧି କରିଛି ଯେ ଶୋଷିତ ସର୍ବହରାଙ୍କର ଆପଣାର ଶକ୍ତିସମ୍ପର୍କରେ ଚେତନା ଜାଗ୍ରତ ହେଲେ କୌଣସି ଶୋଷକ ସେମାନଙ୍କୁ ଶୋଷଣ କରିପାରିବେ ନାହିଁ । ତେଣୁ ନଟବର ଚରିତ୍ର ମାଧ୍ୟମରେ ମାର୍କସୀୟ ଦ୍ଵନ୍ଦ୍ୱ ବଳିଷ୍ଠ ହୋଇଉଠିଛି । ଅଜିତ ପରି ଉପଭୋଗୀ ଓ ଅନ୍ୟର ସମାଧି ଉପରେ ବଡ଼ଲୋକ ହେବାକୁ ଉଦ୍ୟମ କରୁଥିବା ମଣିଷମାନଙ୍କ ପ୍ରତି ଲେଖକ ଯେପରି ଘୃଣା ସୃଷ୍ଟି କରିଦେଇଛନ୍ତି ତାହା ଏକାନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ । ସ୍ଵାଧୀନତା ପରବର୍ତ୍ତୀ ସନ୍ଧିକ୍ଷଣରେ ଏପରି ଗଳ୍ପ ବାସ୍ତବିକ ଅଭିନବ ଓ ମାର୍କସୀୟ ସାମାଜିକ ଦ୍ୱନ୍ଦ୍ୱିକ ଚିନ୍ତା- ସଂଘର୍ଷର ଜୀବନ୍ତ ଆଲେଖ୍ୟ ।

 

‘ଫେରିଆ’ ଗଳ୍ପର ‘ଝଙ୍କାର’ ପତ୍ରିକାରେ ତା ୯।୯।୧୯୫୭ ମସିହାରେ ପ୍ରକାଶ ପାଇ ତତ୍କାଳୀନ ପରିବର୍ତ୍ତିତ ବୁର୍ଜୁୟା ମାନସିକତା ପ୍ରତି ଏକ କଳାତ୍ମକ ବ୍ୟଙ୍ଗାକ୍ତି ପ୍ରକାଶ କରିଅଛି । ନୀଳାଦ୍ର ନାମକ ଯେଉଁ ଯୁବକଟି ଖଦଡ଼ ପୋଷାକ ପିନ୍ଧି ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ଵରାଜ-ସଂଗ୍ରାମରେ ଯାଇ ସ୍ୱାଧୀନତାର ବାର୍ତ୍ତା ପ୍ରଚାର କରୁଥିଲା, ଲାଠି ପ୍ରହାର ଖାଉଥିଲା, ଅଗଷ୍ଟ ବିପ୍ଳରେ ରଣହୁଙ୍କାର ଛାଡ଼ୁଥିଲା ସ୍ଵାଧୀନତା ପରେ ସେ ସଂପୂର୍ଣ୍ଣ ବଦଳିଯାଇଛି । ସାହେବୀ ପୋଷାକ ପିନ୍ଧିଛି, ବୁର୍ଜ‌ୁୟା ବଣିକଙ୍କ ହାତବାରିସୀ ସାଜି ଲକ୍‌ସ ଓ ସନ୍‌ଲାଇଟ୍‌ ସାବୁନର ବିଜ୍ଞାପନ ପ୍ରଚାର କରିଛି । ତାର ଏହି ଅଧୋପତନକୁ ଦେଖୁଛି ଜନୈକା ବୃଦ୍ଧା, ଯିଏ ତାକୁ ନିଜ ଘରେ ରଖି ତାକୁ ଖାଇବାକୁ ଦେଇ ସୁସ୍ଥ ସବଳ କରିଥିଲା, ସିଏ ତାକୁ ନିଜ ଘରକୁ ଡାକି ନେଇ ତାକୁ ଅତୀର ଘଟଣାମାନ ସଂପର୍କରେ ଚେତେଇ ଦେଇଛି । କେଉଁ କାଳରୁ ନିଜ ପାଖରେ ସାଇତି ରଖୁଥିବା ହଳଦିଆ ପଡ଼ିଯାଇଥିବା ଖଣ୍ଡିଏ ଖବର କାଗଜ ନିଳାଦ୍ରି ହାତକୁ ବଢ଼ାଇ ଦେଇଛି, ଯେଉଁଥିରେ ଲେଖାଥିଲା- ‘ଲୁଣ ନୁହେଁ, ଏ ସେ ରକ୍ତର ଛିଟା/ବକ୍‌ସି ରାଜଗୁରୁ ମାଉଁସ ଚକଟା’ ଏହାରି ଭିତରେ ଇଂରେଜମାନଙ୍କ ବିରୋଧରେ ସଂଗ୍ରାମ କରି ମୃତ୍ୟୁବରଣ କରିଥିବା ବୀରପୁରୁଷଙ୍କ ବ୍ୟକ୍ତିତ୍ଵ ଯେପରି ତା’ର ମାନସ ସ୍ତରରେ ଝଙ୍କୃତ ହୋଇଉଠିଲା । ବୁଢ଼ୀର ମୃତ୍ୟୁ ହୋଇଯାଇଛି ମାତ୍ର ତାର ଦେଶପ୍ରେମୀ ବିପ୍ଳବୀ ସତ୍ତା ନୀଳାଦ୍ରିକୁ ଦେଇଛି ପ୍ରେରଣା । ନୀଳାଦ୍ରିର ହୋଇଛି ଆତ୍ମଜାଗରଣ । ତା’ ଭିତରେ ଅତୀତର ସ୍ମୃତି ଜାଗ୍ରତ ହୋଇ ତାକୁ ବ୍ୟଥାୟିତ କରିଦେଇଛି ତାର ଅଧୋପତନ ପାଇଁ-। ଏପରି ଏକ ଗଳ୍ପରେ କଥାକାର ସଚେତନ ଭାବରେ ମାନବୀୟ ସ୍ରୋତରୁ ବିଚ୍ଛିନ୍ନ ହୋଇ ଉପଭୋଗୀ ପାଲଟି ଯାଉଥିବା ଓ ସମଷ୍ଟି ଚେତନାରୁ ବିଚ୍ୟୁତ ହୋଇ ବ୍ୟଷ୍ଟି-ଚେତନାରେ ବଶୀଭୂତ ହୋଇଯାଉଥି‌ବା ମଣିଷମାନଙ୍କ ପ୍ରତି ଯେଉଁ ସକାରାତ୍ମକ ଉଦ୍‌ବୋଧନ ଦେଇଛନ୍ତି ତାହା ତାଙ୍କର ମାର୍କସୀୟ ଶ୍ରେଣୀ- ଦ୍ୱନ୍ଦ୍ୱର ଚମତ୍କାର ଆଲେଖ୍ୟ ପରି ମନେହୁଏ ।

 

‘ଚଢ଼ା- ଉତ୍ତରା’ ଗଳ୍ପ ପରାଧୀନ ଭାରତ ବର୍ଷରେ ବ୍ରିଟିଶ ସୈନିକମାନଙ୍କର ନିର୍ମମ ଗଣହତ୍ୟା, ନାରୀ -ଉପଭୋଗ ଓ ପୈଶାଚିକତାର ଏକ ଜୀବନ୍ତ ଚିତ୍ର । ବିଶିଷ୍ଟ କଥାକାର ମନୋଜଦାସ ଦ୍ୱିତୀୟ । ବିଶ୍ୱଯୁଦ୍ଧ ସମୟର ଏହିପରି ପୈଶାଚିକତାକୁ ନେଇ ରଚନା କରିଥିଲେ ‘ସମୁଦ୍ରର କ୍ଷୁଧା’ ଗଳ୍ପ । ଶୋଭାନାମକ ଜନୈକା ଯୁବତୀ ତାର ଶିଶୁ ପୁତ୍ରକୁ ଛାତିରେ ଯାକି ଜନୈକ ଦଲାଲ ସାହାଯ୍ୟରେ ସମୁଦ୍ର କୂଳରେ ବ୍ରିଟିଶ ସୈନିକଙ୍କ ଛାଉଣିଆଡ଼କୁ ଧାଇଁ ଯାଇଥିଲା କାଳେ ତାର ସୈନିକ ସ୍ଵାମୀ ସେଇ ଛାଉଣି ଭିତରେ ଥିବ ମାତ୍ର ବର୍ବର ସୈନିକମାନେ ତା କୋଳରୁ ଶିଶୁକୁ ଫିଙ୍ଗିଦେଇ ତା’ଉପରେ ପ୍ରମତ୍ତ ଯୌବନକ୍ରୀଡ଼ା ଆରମ୍ଭ କରିଦେଲେ । ଅନନ୍ତ ପଟ୍ଟନାୟକ ଏହିପରି ଏକ ଘଟଣାକୁ ନେଇ ରଚନା କରିଛନ୍ତି ଚଢ଼ା-ଉତ୍ତରା ଗଳ୍ପ । ଏଥିରେ ସେ ଯୁଗପତ ସୃଷ୍ଟି କରିଛନ୍ତି ନିର୍ମମତା ଓ କାରୁଣ୍ୟର ମିଶ୍ର ରାଗ । ଗଳ୍ପନାୟକ ନୟନ ବ୍ରିଟିଶ ସେନାବାହିନୀର ଜଣେ ସୈନିକ-। ଘରେ ତାର ପତ୍ନୀ ଓ ସାନ ଝିଅଟିଏ । ଯେତେବେଳେ ସେ ଘରକୁ ଯାଇଥିଲା ଝିଅକୁ କୋଳରେ ଧରି ଗେଲ କରିଥିଲା । କୁନିଝିଅ ସୁନି ସେଦିନ ତାକୁ କହିଥିଲା ତା ପାଇଁ ବନ୍ଧୁକଟିଏ ଆଣିବା ପାଇଁ-। ଏହା ମଧ୍ୟରେ ବିତିଯାଇଛି ଦୀର୍ଘଦିନ । ବ୍ରିଟିଶ ସୈନ୍ୟ ଗାଁକୁ ଗାଁ ଯାଇ ନିର୍ମମ ଅତ୍ୟାଚାର କରିଛନ୍ତି । କେତେ ଝିଅ ବୋହୂଙ୍କର ଇଜ୍ଜତ ନେଇଛନ୍ତି । କେତେ ଘର ଭାଙ୍ଗି ଦେଇଛନ୍ତି-। ଆହତ ନୟନ ବାରାକ ଭିତରେ ଶୋଇ ଶୋଇ ମନେ ପକାଇଛି ତାର ପତ୍ନୀ ଓ କନ୍ୟା କଥା । ତାର ପିତୃହୃଦୟ ତରଳି ଯାଇଛି । ସାଥୀ ମଦନଠାରୁ ଶୁଣିଲା ବ୍ରିଟିଶ ସୈନ୍ୟମାନେ ସୁଜନପୁର ଗାଁରେ ନିର୍ମମ ଅତ୍ୟାଚାର କରିଛନ୍ତି । ଜନୈକା ସୁନ୍ଦରୀ ତରୁଣୀକୁ ସଂପୂର୍ଣ୍ଣ ଉଲଗ୍ନ କରି ସର୍ଜେଣ୍ଟ ତାକୁ ଉପଭୋଗ କରିଛି ଓ ତାର କନ୍ୟାକୁ ଫିଙ୍ଗି ଦେଇଛି ଦୂରକୁ । ନୟନର ଦେଖାଦେଲା ତୀବ୍ର ମାନସିକ ପ୍ରତିକ୍ରିୟା-। ଅନନ୍ତ କାରୁଣ୍ୟ ଭିତରେ ତାର ମନେପଡ଼ିଯାଇଛି ଆଦରଣୀୟା କନ୍ୟାର କଥା - ‘ମୋ ପାଇଁ ବନ୍ଧୁକଟିଏ ଆଣିବ ବାପା !’ ନୟନର ଅବଚେତନକୁ ଦୋହଲାଇ ତା’ ପାଟିରୁ ବାହାରି ଆସିଛି ‘‘ଆଣିଚି ମା’ ଆଣିଚି, ଏଇ ବନ୍ଧୁକଟାଏ, ଭାରି ବଢ଼ିଆ ।’ ସେ ହରାଇ ଦେଇଛି ତାର ସ୍ଥିତାବସ୍ଥା । ତା’ ହାତରୁ ଫୁଟିଛି ବନ୍ଧୁକର ଗୁଳି । ଡାକ୍ତର ଖଟିଆରେ ଶୋଇ ମନକୁ ମନ ଗପି ଚାଲିଛି - ‘ଖେଲ୍‌ ମା’ ଖେଲ, ତାରି ଗୁଳି ଚୋଟରେ ଟଳି ପଡ଼ିଛି ସୁନି । ସର୍ଜେଣ୍ଟ ମେଜର ତାର ସାହସିକତାକୁ ପ୍ରଶଂସା କରିଛି । ସେ ପର୍ଯ୍ୟନ୍ତ ଜାଣି ପାରି ନାହଁ ତାରି ଗୁଳି ଚୋଟରେ ସୁନି ମରିଯାଇଛି ରକ୍ତ ଜୁଡ଼ୁବୁଡ଼ୁ ହୋଇ । ବନ୍ଧୁ ମଦନଠାରୁ ଜାଣିଲା ପରେ ସେ ଉଠିଯାଇ ଯେଉଁଠି ସୁନିର ରକ୍ତାକ୍ତ ଦେହ ଲୋଟି ପଡ଼ିଥିଲା ସେଇଠି ମୁଠା ମୁଠା ଧୂଳି ତୋଳି ନେଇ ମଥାରେ ଲଗାଇଛି । ସେ ମନେ ମନେ ଭାବିଛି ଆଉ କୌଣସି ଝିଅ ରହିବେ ନାହିଁ ବ୍ରିଟିଶ ସୈନ୍ୟଙ୍କ ପାଶବିକ ଲାଳସାର ଦୃପ୍ତି ପାଇଁ । ସମଗ୍ର ଗଳ୍ପରେ ଲେଖକ ଦର୍ଶାଇ ଦେଇଛନ୍ତି ସ୍ଵାଧୀନତା ସଂଗ୍ରାମ କାଳରେ ବ୍ରିଟିଶ୍‌ ସୈନିକଙ୍କର ବର୍ବରତା ଓ ପାଶବିକତାକୁ, ନିରୀହ ଜନଗଣଙ୍କ ଧନସଂପତ୍ତି ଲୁଟ୍‌ କରି ନେଇଯାଉଥିବା ଘଟଣାକୁ, ପିଟୁଣି ଟିକସ ଲଗାଇ ଲୋକଙ୍କୁ ଶୋଷଣ କରୁଥିବା ନୃଶଂସତାକୁ, ପାଶବିକତାର ଶିକାର ହୋଇ ଝିଅବୋହୂଙ୍କର ବୁକୁଫଟା ବିଳାପକୁ । ଏହା ସହିତ ପିତୃ ହୃଦୟର ‘ବାତ୍ସଲ୍ୟବୋଧ ଓ କାରୁଣ୍ୟ ଗଳ୍ପଟିକୁ ହୃଦୟଗ୍ରାହୀ କରି ଦେଇ ପରୋକ୍ଷରେ ଇଙ୍ଗିତ କରିଛି ବର୍ବରତାକୁ ସମଷ୍ଟିଗତ ଭାବରେ ବିରୋଧ କରିବା ପାଇଁ ।

 

‘ସଂଗ୍ରାମ’ ଗଳ୍ପ କଟକ ଆକାଶ ବାଣୀରେ ପଠିତ ଓ ପ୍ରଚାରିତ (ତା ୨୭୮୧୨।୧୯୫୭) ଏହି ଗଳ୍ପଟି ଗାଁ ମାଟି ଓ କୃଷି ସଂସ୍କୃତି ପ୍ରତି ଏକ ସଶ୍ରଦ୍ଧ ପ୍ରତିବେଦନ । ବୃଦ୍ଧ ସୁଲଭ ପ୍ରଧାନ ଚାଷୀଟିଏ । କୃଷିକୁ ସେ ସମ୍ମାନ ଦିଏ । ଘରେ ତା’ ପୁତ୍ରବଧୂ ମଧ୍ୟ ତା’ ସହିତ ରହେ । ପୁଅ କିନ୍ତୁ ଚାଷ କରିବାକୁ ଭଲ ପାଏ ନାହିଁ । ସେ ବାହାରେ ଟ୍ରକ ଚଳାଏ । ବାପା ତାକୁ ଯେତେ ମନା କଲେ ମଧ୍ୟ ସେ ଶୁଣେ ନାହିଁ । ବୁଢ଼ା କିନ୍ତୁ ଆଦର୍ଶ ମାଟି ସହିତ ମାଟି ହୋଇ ଚାଷ କଲେ ପେଟ ଅପୋଷା ରହିବ ନାହିଁ । ବୁଢ଼ାର କାର୍ଯ୍ୟ କରେ ବିଲବାଡ଼ିରେ । ତାକୁ ସାହାଯ୍ୟ କରନ୍ତି ତା’ ସ୍ତ୍ରୀ ଓ ବୋହୂ । ତା ଗାଁ ପାଖରେ ନଦୀବନ୍ଧ ଯୋଜନା ସରକାର କଲେ । ପାଣିରେ ଗାଁ ବୁଡ଼ିଯିବ । ଆଦେଶନାମା ପ୍ରଚାରିତ ହୋଇଗଲା ସମସ୍ତେ ଗାଁ ଛାଡ଼ି ଚାଲି ଯିବାକୁ । ସୁଲଭ ପ୍ରଧାନ କିନ୍ତୁ ଗାଁକୁ ଛାଡ଼ି ଯିବାକୁ ମନା କରିଦେଲା । ବୋହୂକୁ ସେ ପଠାଇ ଦେଲା ତା’ ବାପା ଘରକୁ । ଏଣେ ପୁଅ ଟ୍ରକ୍‌ ଚଳାଉ ଚଳାଉ ତାର ମନ ଭିତରେ ଚେଇଁ ଉଠିଛି ଘରକଥା, ବାପା ମାଆ ଓ ପତ୍ନୀ କଥା । ଗୋଟାଏ ସ୍ଵାପ୍ନିକ ମାନସିକ ଅବସ୍ଥାରେ ଥାଇ ସେ ଶୁଣିଛି ତା’ ପତ୍ନୀର ଗର୍ଭରୁ ସଦ୍ୟ ଜନ୍ମ ନେଇଥିବା ଶିଶୁ ସନ୍ତାନର କୁଆଁ ଧ୍ଵନି । ଏହି ଗଳ୍ପରେ ଲେଖକ ଦର୍ଶାଇ ଦେଇଛନ୍ତି ଜୀବନରେ ସଂଗ୍ରାମ ସତ୍ୟ । ଏହି ସଂଗ୍ରାମ ଚାଲିଛି ପୁରାତନ ମୂଲ୍ୟବୋଧ ସହିତ ନୂତନ ମୂଲ୍ୟବୋଧର, ଗାଁ ମାଟିକୁ ଜାବୁଡ଼ି ଧରି କୃଷିକୁ ମର୍ଯ୍ୟାଦା ଦେଇଥିବା ମଣିଷମାନଙ୍କ ସହିତ ଗାକୁ ଛାଡ଼ି ବାହାରକୁ ଚାଲିଯାଉଥିବା ଓ ଯନ୍ତ୍ର-ସଭ୍ୟତାକୁ ଆପଣେଇ ନେଉଥିବା ମଣିଷମାନଙ୍କ ସହିତ । ଏଥିରେ ଚେତନ ଓ ଅବଚେତନ ମନର ସଂଘର୍ଷ ବେଶ୍‌ ଜୀବନ୍ତ ହୋଇଉଠିଛି । ଶିଳ୍ପ-ପ୍ରତିଷ୍ଠା ଓ ନଦୀବନ୍ଧ ଯୋଜନାରେ ବିସ୍ଥାପିତ ହେଉଥିବା ମଣିଷମାନଙ୍କର ଜୀବନ-ଯନ୍ତ୍ରଣା ଓ ଅସହାୟତା ଯେପରି ଏହି ଗଳ୍ପରେ ଧ୍ଵନିତ ସେହିପରି ଏଥିରେ ସଂଗ୍ରାମୀ ଚେତନାଟିଏ ପ୍ରକାଶ ପାଇ ଅନାଗତ ଭବିଷ୍ୟତ ପାଇଁ ଦେଇଛି ପ୍ରେରଣା ।

 

‘ଗପ ନୁହେଁ ଆଦୌ’ (ଆକାଶବାଣୀ ତା ୨୮।୯।୧୯୫୬) ଗଳ୍ପରେ ମଧ୍ୟ ଲେଖକ ସ୍ୱରାଜ ସଂଗ୍ରାମକୁ ପୃଷ୍ଠ ଭୂମି କରିନେଇଛନ୍ତି । ଗଣେଶ ନାମକ ଜନୈକ ଯୁବକ ସ୍ଵରାଜ ଆନ୍ଦୋଳନରେ ଯୋଗ ଦେଇ କାରାବରଣ କରିଥିଲା । କାରାମୁକ୍ତି ପରେ ସେ ଆଦର୍ଶରୁ ବିଚ୍ୟୁତ ହୋଇ ନାହଁ । ଜନସେବାକୁ ଜୀବନର ବ୍ରତ କରିନେଇଛି । ଅପର ପକ୍ଷରେ ଏହି ଗଳ୍ପରେ ଜମିଦାର ପୁତ୍ର ଧଡ଼ିର ସ୍ଵେଚ୍ଛାଚାର, ଚରିତ୍ରହୀନତା ଓ କୂଟକପଟତା ବର୍ଣ୍ଣିତ । ଗଣେଶ ତ୍ୟାଗୀ, ଉଦାର ଓ ଜନସେବୀ । ଧଡ଼ି କିନ୍ତୁ ଲମ୍ପଟ ଓ କ୍ରୁର । ଦରିଦ୍ର କନ୍ୟା ଗୌରୀକୁ ପ୍ରଲୋଭନ ଦେଖାଇ ତାର ନାରୀତ୍ୱକୁ ଲୁଣ୍ଠନ କରିଛି ଓ ତାକୁ ଏକ ଅଲୋଡ଼ା ବସ୍ତୁ ଭାବରେ ଫିଙ୍ଗି ଦେଇଛି । ଅଶ୍ରୁ ଓ ଯନ୍ତ୍ରଣା ଭିତରେ ଗୌରୀ ଜୀବନ - ବଞ୍ଚିଥିଲାବେଳେ ଗଣେଶ ତାକୁ ବିବାହ କରି ପତ୍ନୀର ମର୍ଯ୍ୟାଦା ଦେଇଛି-। ଗୌରୀ ମଧ୍ୟ ଗୋଟିଏ ସନ୍ତାନର ଜନନୀ ହୋଇଛି । ଅଥଚ ଏହି ସୁଖୀ ଦମ୍ପତିଙ୍କ ଜୀବନରେ ବିଷ ଭରି ଦେଇଛି ଧଡ଼ି । ସେ ଚାହଁଛି ଗୌରୀକୁ ପୁନର୍ବାର ଉପଭୋଗ କରିବ । ଗଣେଶ ଘରେ ନ ଥିଲାବେଳେ ସେ ଯାଇଛି ଗୌରୀ ପାଖକୁ ଓ ଗଣେଶର ପ୍ରଶଂସା କରିଛି । ଏହି ସମୟରେ ଗଣେଶ ଘରେ ପହଞ୍ଚି ଧଡ଼ିକୁ ଦେଖୁଛି ଓ ଜାଣିଛି ଧଡ଼ିର ଚାଲବାଜିକୁ । ତାର ଘରବାଡ଼ିକୁ ଜମିଦାର ଧଡ଼ିର ମାତା ମହୋଦୟା କ୍ଷେତ୍ରମଣି ଦେଇ ପୁତ୍ରର ପରାମର୍ଶରେ ମିଥ୍ୟା କେଶ୍‌ କରି ନିଲାମ କରି ନେଇଛି । ସେଥିରେ ଉଲ୍ଲେଖ ଥିଲା ଗଣେଶ ବଂଚିଥିଲା ପର୍ଯ୍ୟନ୍ତ ସେହି ଘରେ ରହିବ ମାତ୍ର ତାର ମୃତ୍ୟୁ ପରେ ତା’ ସ୍ତ୍ରୀ ଓ ସନ୍ତାନର ଅଧିକାର ରହିବ ନାହଁ । ଗଣେଶ ତାର ସ୍ତ୍ରୀ ଉଦ୍ଦେଶ୍ୟରେ ଚିଠି ଖଣ୍ଡେ ଲେଖି ଚାଳରେ ଖୋସି ଦେଇ ଚାଲିଯାଇଛି ଓ ପ୍ରାଚୀ ନଦୀରେ ଆତ୍ମବିସର୍ଜନ କରିଛି । ଗୌରୀ ଚିଠିଟି ପଢ଼ି ସମସ୍ତ କଥା ଅବଗତ ହୋଇଛି । ସେ ଜାଣିଛି ଧଡ଼ିର ନାରକୀୟ କୌଶଳକୁ ଓ ନୃଶଂସ ମନୋଭାବକୁ । ତା’ ପ୍ରତି ତାର ଘୃଣା ଜାତ ହୋଇଛି । ଗଣେଶର ବ୍ୟକ୍ତିତ୍ୱ ପ୍ରତି ତାର ସୃଷ୍ଟି ହୋଇଛି ଶ୍ରଦ୍ଧା । ସମୀକ୍ଷାତ୍ମକ ବାସ୍ତବତା ଭିତ୍ତିରେ ଏ ଗଳ୍ପଟି ରଚିତ । ଏହି ଗଳ୍ପରେ ଲେଖକ ଶୋଷଣର କାରଣ ରୂପେ ଅର୍ଥସର୍ବସ୍ଵ କ୍ଷମତାଶାଳୀ ଲୋକଙ୍କ ସର୍ବଗ୍ରାସୀ କ୍ଷୁଧା ଓ ଉପଭୋଗ ଲାଳସାକୁ ଦର୍ଶାଇବା ସହିତ ସେମାନଙ୍କୁ ସାହାଯ୍ୟ କରିଥିବା ଆଇନ ଅଦାଲତକୁ ମଧ୍ୟ ଦାୟୀ କରିଛନ୍ତି । ଶୋଷିତ ଓ ବଂଚିତ ଶ୍ରେଣୀକୁ ପଳାୟନପନ୍ଥୀ ନ ହୋଇ ପରିସ୍ଥିତିକୁ ମୁକାବିଲା କରିବାକୁ ମଧ୍ୟ ଦେଇଛନ୍ତି ଇଙ୍ଗତ ।

 

‘ବିଡ଼ମ୍ବନା’ ଗଳ୍ପ ଶୁଦ୍ଧପ୍ରେମର ଏକ ଆବେଗମୟ ରୂପାୟନ । ଏହି ଗଳ୍ପ ଡାକ୍ତର ପାର୍ଥ ଓ ପ୍ରେମିକା ଲୀଳାର ପାରସ୍ପରିକ ପ୍ରେମ ଓ ତ୍ୟାଗର ପୃଷ୍ଠଭୂମି ଉପରେ ରଚିତ । ଘଟଣା ଚକ୍ରରେ ଲୀଳା ଅନ୍ୟ ଏକ ପୁରୁଷକୁ ବିବାହ କରିଯାଇଥିଲେ ମଧ୍ୟ ପାର୍ଥଙ୍କ ଔରସଜାତ କନ୍ୟା ପ୍ରତିମାକୁ ଦୀର୍ଘ କୋଡ଼ିଏ ବର୍ଷ ପର୍ଯ୍ୟନ୍ତ ଅନ୍ତରର ସ୍ନେହ ଓ ଶ୍ରଦ୍ଧା ଦେଇ ପାଳନ କରିଛି । ପ୍ରିୟତମା ଲୀଳାର ସ୍ମୃତିକୁ ବହନ କରି ଡାକ୍ତର ପାର୍ଥ ଅବିବାହିତ ରହିଛନ୍ତି ଓ ନିର୍ମାଣ କରିଛନ୍ତି ପ୍ରିୟତମାର ସ୍ମୃତିରେ ଭବ୍ୟ ‘ଲୀଳା ନିବାସ’ । ମୃତ୍ୟୁପୂର୍ବରୁ ଲୀଳାପାର୍ଥଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖି ପ୍ରତିମାକୁ ଦେଇଯାଇଛି ଡାକ୍ତର ପାର୍ଥଙ୍କୁ ଦେବା ପାଇଁ । ମାଆର ମୃତ୍ୟୁପରେ ଦୀର୍ଘ କୋଡ଼ି ବର୍ଷ ପରେ ଯୁବତୀ କନା ଲୀଳା ଭେଟିଛି ପାର୍ଥକୁ ଓ ତାକୁ ଦେଇଛି ମାଆର ଚିଠି । ସେହି ଚିଠିରୁ ପାର୍ଥ ଜାଣିଲେ ଲୀଳା ତାଙ୍କର ପ୍ରଥମ ପ୍ରେମର ସ୍ମାରୀକ ଓ ପ୍ରତିମା ଭିତରେ ସେ ଦେଖିଲେ ଲୀଳାକୁ । ଲୀଳା ନାହଁ; ଅଛି କନ୍ୟା ପ୍ରତିମା । ତା’ ନାମରେ ଲୀଳା ନିସାବକୁ ଉଇଲ କରିଦେଇ ମୃତ୍ୟୁବରଣ କରିଛନ୍ତି । ସ୍ଵଚ୍ଛ ପ୍ରେମର ଦ୍ୟୁତି ଏ ଗଳ୍ପକୁ ରସାଣିତ କରିଦେଇଛି । ଅନ୍ୟ ଏକ ଗଳ୍ପ । ‘ଏ ମନ ପାଞ୍ଚେ ଯାହା’ ଆଧୁନିକ ଦୁର୍ନୀତି ବିରୋଧୀ ଚିନ୍ତାଧାରାର ରମ୍ୟ ଭାଷ୍ୟ ଗଳ୍ପ ନାୟକ ରତ୍ନାକର ମାଆ ନିକଟରେ ଦୁର୍ନୀତି ନ କରିବାକୁ ଶପଥ କରିଥିଲେ ହେଁ ବିବାହ ପରେ ପତ୍ନୀର ଅସମ୍ଭବ ବିଳାସ-କାମନାକୁ ଚରିତାର୍ଥ କରିବା ପାଇଁ ବାଧ୍ୟ ହୋଇ ଶପଥ ଭୁଲି ଲାଞ୍ଚ-ମିଛ ଓ ଦୁର୍ନୀତିରେ ବୁଡ଼ି ରହି ପ୍ରଚୁର ଅର୍ଥ ରୋଜଗାର କରିଛି । କିରାଣୀରୁ ଅଫିସର ହୋଇଛି । ରାଜଧାନୀରେ ନିର୍ମାଣ କରିଛି ବିରାଟ ପ୍ରାସାଦ । ଏଣେ ପତ୍ନୀ ଦେହର କ୍ଷୁଧାକୁ ମେଣ୍ଟାଇବା ପାଇଁ ପ୍ରୀତମ୍‌ ସିଂ ସହିତ ମିଶିଛି ଓ ଦେହ ବିନିମୟରେ ତା’ଠାରୁ ପାଇଛି ଫିଆଟ କାର ଓ ଅନ୍ୟାନ୍ୟ ବିଳାସ ସାମଗ୍ରୀ-। ମାନସିକ ଯନ୍ତ୍ରଣାରେ ରତ୍ନାକରର ହୋଇଛି ମୃତ୍ୟୁ । ଲେଖକ ଏହି ଗଳ୍ପରେ ସୂଚାଇ ଦେଇଛନ୍ତି ଯେ ଦୁର୍ନୀତି ଲବ୍ଧ ଅର୍ଥ ମଣିଷକୁ ଶାନ୍ତି ଦେଇପାରେନା । ପାରିବାରିକ ଅଶାନ୍ତି ବୃଦ୍ଧିପାଏ ଓ ପତ୍ନୀ ମଧ୍ୟ ସ୍ଵାମୀଠାରୁ ଦୂରେଇ ଯାଇ ପରପୁରୁଷ ସହିତ ବିଳାସମତ୍ତ ରହେ । ଅସତ୍‌ ଧନ ଯେ ସକଳ ଅଶାନ୍ତି ଓ ଦୁଃଖର କାରଣ ତାହା ଏଥିରେ ସୂଚିତ । ‘ଘେଡ଼ ବାଗୁଡ଼ି ଗୁଡ଼’ ଗ୍ରାମ୍ୟ ଜୀବନର ସାମାନ୍ୟ ସାମାନ୍ୟ କଥାକୁ ନେଇ ସୃଷ୍ଟି ହେଉଥିବା ସଂଘର୍ଷର ଏକ ସ୍ଵାଭାବିକ ରୂପଚିତ୍ର । ଦୁଇଟି ପଡ଼ୋଶୀ ଗାଁର ଯୁବକମାନଙ୍କ ମଧ୍ୟରେ ହେଲା ବାଗୁଡ଼ି ଖେଳର ପ୍ରତିଯୋଗିତା । ଉଭୟ ଗ୍ରାମରେ ବୁଦ୍ଧ ବୃଦ୍ଧା, ନାରୀ ଓ ଯୁବତୀମାନେ ନିଜ ନିଜ ଗ୍ରାମର ଖେଳାଳିମାନଙ୍କୁ ଉତ୍ସାହ ପ୍ରଦାନ କଲେ ଜିତି ଗାଁର ମାନ ରକ୍ଷା କରିବା ପାଇଁ । ମାତ୍ର ଖେଳରେ ବିଳୟୀ ଓ ପରାଜିତ ଦଳଙ୍କ ମଧ୍ୟରେ ସଂଘର୍ଷ ଲାଗି ଉଭୟ ଗ୍ରାମରେ ସୃଷ୍ଟି କଲା ଅଶାନ୍ତ ବାତାବରଣ । ଉଭୟ ଗ୍ରାମରେ ହଇଜା ଲାଗିବାରୁ ଲୋକେ ମଲେ । ଖେଳ ପଡ଼ିଆ ପାଖରେ ଶବଦାହ କରାଯିବାକୁ । କେନ୍ଦ୍ର‌ କରି ଉଭୟ ଗ୍ରାମବାସୀଙ୍କ ଭିତରେ ହେଲା ତୀବ୍ର ସଂଘର୍ଷ । ଗ୍ରାମ୍ୟ ଜାତୀୟତା କିପରି ଗ୍ରାମ ଗ୍ରାମ ଭିତରେ ସଂଘର୍ଷର କାରଣ ହୁଏ ତାହା ଏହି ଗଳ୍ପରେ ବ୍ୟଂଜିତ ।

 

କଥାକାର ଅନନ୍ତ ପଟ୍ଟନାୟକଙ୍କ ଗଳ୍ପଗୁଡ଼ିକୁ ଆଲୋଚନା କଲେ ଜଣାଯାଏ ଯେ ସେହି ସମସ୍ତ ଗଳ୍ପ ଭିତରୁ ଅଳ୍ପକେତୋଟି ସ୍ଵାଧୀନତା ପୂର୍ବରୁ ଓ ଆଉ କେତୋଟି ସ୍ଵାଧୀନତା ପରେ ରଚିତ-। ପ୍ରାୟ ଗଳ୍ପଗୁଡ଼ିକର ପଟ୍ଟଭୂମି ହୋଇଯାଇଛି ସ୍ଵାଧୀନତା ପୂର୍ବର ସ୍ଵରାଜ-ସଂଗ୍ରାମ ଓ ସ୍ଵାଧୀନତା ପରର ପରିବର୍ତ୍ତିତ ସାମାଜିକ ଅବସ୍ଥା । ସର୍ବତ୍ର ପ୍ରକାଶ ପାଇଛି ଆଧୁନିକ ମଣିଷର ପ୍ରତାରଣା ଓ ଛଳନା, ଉପଭୋଗ-ତୃଷ୍ଣା ଓ ବ୍ୟଭିଚାର-ପ୍ରବୃଭି, ସ୍ଵେଚ୍ଛାଚାର ଓ ପ୍ରମତ୍ତତା । କେତୋଟି ଗଳ୍ପରେ ସ୍ଵରାଜ-ସଂଗ୍ରାମ, ଗାନ୍ଧି-ଦର୍ଶନ, ବ୍ରିଟିଶ ସେନାଙ୍କର ନିର୍ମମତା ଓ ଅମାନୁଷିକତା, ସ୍ଵରାଜ-ସଂଗ୍ରାମୀଙ୍କର ବ୍ୟଥା ଓ ବ୍ୟର୍ଥତା, ଉପଭୋଗର ଲାଳସା ରଖି ସ୍ଵରାଜ-ସଂଗ୍ରାମ କରୁଥିବା ସଂଗ୍ରାମୀଙ୍କର ସ୍ୱାଧୀନତା ପରବର୍ତ୍ତୀ କାଳରେ ପରିବର୍ତ୍ତିତ ସାମାଜିକ ସ୍ଥିତିରେ ବ୍ୟଷ୍ଟିବାଦୀ ଦୃଷ୍ଟିକୋଣ ଯେପରି ବର୍ଣ୍ଣିତ ହୋଇଛି ସେହିପରି ଅନ୍ୟ କେତେକ ଗଳ୍ପରେ ପ୍ରକାଶ ପାଇଛି ଆଧୁନିକ ନରନାରୀଙ୍କର ତୀବ୍ର ଯୌନ କ୍ଷୁଧା ଓ ଯୌନ-ଜିଜ୍ଞାସାର ଚିତ୍ର । ସ୍ଵାଧୀନତା ପରେ ଗାଣତନ୍ତ୍ରିକ ଶାସନର ବ୍ୟର୍ଥତା ଓ ଉପଭୋଗୀ ବ୍ୟଷ୍ଟିବାଦୀ ମଣିଷମାନଙ୍କର । ପୈଶାଚିକ ଉଲ୍ଲାସ, ଆଦର୍ଶବାଦର ବିଲୟ ତାଙ୍କ ଗଳ୍ପମାନଙ୍କରେ ଉପଲବ୍‌ଧ । ସମୀକ୍ଷାତ୍ମକ ବାସ୍ତବତା ପ୍ରାୟ ଗଳ୍ପଗୁଡ଼ିକରେ ଶାଣିତ । ମାର୍କସୀୟ ଶ୍ରେଣୀ-ଦ୍ଵନ୍ଦ ଯେପରି ଫୁଟି ଉଠିଛି ସେହିପରି ମଧ୍ୟ ଫୁଟି ଉଠିଛି ସର୍ବହରା ଶ୍ରେଣୀର ଅଶ୍ରୁ ଓ କାରୁଣ୍ୟ । ଶୋଷିତ ଓ ବଂଚିତମାନଙ୍କର ଆର୍ଥନୀତିକ ଅସହାୟତା ଓ ସେହି ସୁଯୋଗରେ ଶୋଷକ ଓ ସୁବିଧାବାଦୀଙ୍କର ଶୋଷଣ, ଦଳିତ ଶୋଷିତ ସର୍ବହରାଙ୍କର ଆତ୍ମଜାଗରଣ ଓ ସମଷ୍ଟିଗତ ଭାବରେ ଶୋଷକର ପ୍ରତିଶୋଧ ନେବା ପାଇଁ ସଂକଳ୍ପ ଶୋଷଣମୁକ୍ତ ସାମ୍ୟ ସମାଜ ପ୍ରତିଷ୍ଠା ପାଇଁ ପ୍ରେରଣା ଇତ୍ୟାଦି ଅନନ୍ତ- ଗଳ୍ପ ମାନସର ବଳିଷ୍ଠ ଆବେଦନ । ତେଣୁ ତାଙ୍କର ଗଳ୍ପଗୁଡ଼ିକ ଓଡ଼ିଆ ପ୍ରଚଳିତ ଗଳ୍ପ ଧାରାରୁ ବ୍ୟତିକ୍ରମ । ଗଳ୍ପଗୁଡ଼ିକରେ ନରନାରୀଙ୍କ ଅବଚେତନର ରହସ୍ୟ ହୋଇଛି ଉନ୍ମୋଚିତ । ତେଣୁ ଅନନ୍ତଙ୍କ ଗଳ୍ପର ଭାଷା ଓ ଶୈଳୀ ହୋଇଯାଇଛି ସ୍ଵତନ୍ତ୍ର ।

-୫-

ଅନନ୍ତ-ଗଳ୍ପ-ପ୍ରବାହ ଅବିଚ୍ଛିନ୍ନ ନୁହେଁ; ବିଚ୍ଛିନ୍ନ । ଗୋଟିଏ ଗୋଟିଏ ବିଶେଷ ମୁହୂର୍ତ୍ତରେ ଯେଉଁ ସାମାଜିକ ଦୃଶ୍ୟପଟ୍ଟଟି ତାଙ୍କ ଭିତରେ ଆଲୋଡ଼ନ ସୃଷ୍ଟି କରିଛି ତାହାକୁ ସେ ଗଳ୍ପରୂପ ଦେଇଛନ୍ତି । ପୁଣି ନୀରବତା ଦୀର୍ଘ ବ୍ୟବଧାନ ପରେ ପୁଣି ଗଳ୍ପ ରଚନା । ଗଳ୍ପ-ରଚନା ଭିତରେ କବିତା କନ୍ତୁ ଅବଚ୍ଛିନ୍ନ ଭାବରେ ରଚିତ ହୋଇଛି । କବିତା ପ୍ରତି ଥିବା ଶ୍ରଦ୍ଧା ଗଳ୍ପ ରଚନା କଲାବେଳେ ସ୍ଵତଃ ତାଙ୍କ ଭିତରେ ପ୍ରକାଶ ପାଇଯିବାରୁ ଗଳ୍ପଗୁଡ଼ିକ ହୋଇଯାଇଛି କାବ୍ୟିକ ଭାବ-ପ୍ରବାହର ମାର୍ମିକ ଚିତ୍ର । ତାଙ୍କ ଗଳ୍ପରେ ତେଣୁ ଅଛି କବିତାର ଅନ୍ତରୀଣ ପ୍ରବାହ । ଗଳ୍ପର ମଝିରେ ମଝିରେ ନାଟକୀୟ ସଂଳାପ ଅଛି, ଉତ୍କଣ୍ଠା ଅଛି; ପରିଣତିରେ ଅଛି ମଧ୍ୟ ଅନ୍ତହୀନ ଜିଜ୍ଞାସା । ସାଧାରଣ ଲୋକମୁଖର ଭାଷା ବ୍ୟବହାର, ଢଗଢମାଳିର ପ୍ରୟୋଗ ଚିତ୍ରକାଳ୍ପିକ ଶବ୍ଦ - ସଂସ୍ଥାନ ମାଧ୍ୟମରେ ପରିସ୍ଥିତି ଓ ପରିବେଶର ସୂକ୍ଷ୍ମ ତର୍କଣା ଇତ୍ୟାଦି ଦୃଷ୍ଟିରୁ ତାଙ୍କର ଗଳ୍ପଗୁଡ଼ିକ ଏକାନ୍ତ ବୈଶିଷ୍ଟ୍ୟପୂର୍ଣ୍ଣ ମନେହୁଏ । ଗଳ୍ପର ଶୈଳୀ ଭିତରେ ସ୍ଵୟଂ ଲେଖକ ମଧ୍ୟ ହୋଇଯାଇଛନ୍ତି ଚରିତ୍ରଟିଏ-। ତାଙ୍କର ବ୍ୟକ୍ତିତ୍ୱ ନୈର୍ବ୍ୟକ୍ତିକ ଭାବରେ ଅନ୍ୟାନ୍ୟ ଚରିତ୍ରମାନଙ୍କ ସହିତ ହୋଇଯାଇଛି ସଂଯୋଗ-ସେତୁ । ତାଙ୍କର ଲେଖକୀୟ, ‘ମୁଁ’ ଟି ଏକାନ୍ତ ବ୍ୟକ୍ତିଗତ ନ ହୋଇ, ହୋଇଯାଇଛି ସମଷ୍ଟିଭୂତ ‘ମୁଁ’ ଅର୍ଥାତ୍‌ ‘ଆମେ’ । ଏହି ଆମେ ଅର୍ଥ ଆମ ଚଳନ୍ତି ସମାଜର ଦଳିତ ଶୋଷିତ ମଣିଷମାନେ : ନାଟକୀୟତା ଓ କାବ୍ୟିକତା ଗୋଟିଏ ଭାବ ବିନ୍ଦୁରେ ମିଶିଯାଇ ସୃଷ୍ଟି କରିଛି ଚମତ୍କାରିତା । ବେଳେବେଳେ ଅବଚେତନକୁ ଦୋହଲାଇ ଶବ୍ଦମାନେ ସାଂଳପିକ ଶୈଳୀରେ କବିତାମୟ ହୋଇ ବାହାରି ଆସି ସେହି ମଣିଷଟିର ହୃଦୟ ଓ ମନକୁ ଏକାକାର କରି ଦେଇଥିବା ଲକ୍ଷ୍ୟ କରାଯାଏ । ‘ଚଢ଼ା-ଉତ୍ତରା’ ଗଳ୍ପରେ ଗଳ୍ପନାୟକ ନୟନବନ୍ଧୁ ନୟନ ଛାତିରେ ରକ୍ତଜୁଡ଼ୁବୁଡ଼ୁ ନିଜର କନ୍ୟା ସୁନିକୁ ଦେଖି କାରୁଣ୍ୟ ମିଶ୍ରିତ ବାତ୍ସଲ୍ୟବୋଧରେ କହି ଉଠିଛି - ‘ଏ, ଏ, ସୁନି ! ସୁନି - କେମିତି ଲାଗିଲା ବନ୍ଧୁକଟି ? ଆ, ଆ-ମା’-! ମନକୁ ପାଇଲା ତ, ଖାସା ଫୁଟିଲା ! ନାହିଁ ? ଦେ, ଦେ, ତାକୁ ଦେ, ମୋ ଝିଅକୁ ଦେ, ମତେ ମଦନ । ସଜେର୍ଣ୍ଟଟା ଦଳି ଦେବ କାଳେ ! ରାକ୍ଷସଗୁଡ଼ାକ ତମେ ଚଢ଼ିଯିବ ତା’ ଉପରେ - ଦେ, ଦେ-!’ (ପୃ. ୫) ଏହା ଅବଚେତନର ଭାଷା ଓ ଏହାର ଶୈଳୀ କାବ୍ୟିକ । ବ୍ରିଟିଶ ସେନା ବାହିନୀରେ ଯୋଗ ଦେଇଥିବା ନୟନର ଅବଚେତନକୁ ବିଦୀର୍ଣ୍ଣ କରି ଦେଇଛି ସର୍ଜେଣ୍ଟର ତା’ ସ୍ତ୍ରୀ ଉପରେ କରିଥିବା ବର୍ବରତାକୁ ନେଇ, ତା’ କନ୍ୟାର ଅସହାୟତାକୁ ନେଇ । ତା’ ମନ ଭିତରେ ବାରମ୍ବାର ଉଙ୍କି ମାରିଛି କନ୍ୟାର ଗୁଲୁଗୁଲୁ କଥା, ତା’ ପାଇଁ ବନ୍ଧୁକ ଆଣିବାର ମିନତି । ବେଶ୍‌ ଜୀବନ୍ତ ହୋଇ ଉଠିଛି ଏହି ଉପସ୍ଥାପନା । ଏହିପରି ନଦୀବନ୍ଧ ଯୋଜନା ପାଇଁ ଗାଁ ଛାଡ଼ି ସମସ୍ତେ ପଳାଇଗଲେ ମଧ୍ୟ ବୃଦ୍ଧ ସୁଲଭ ପ୍ରଧାନ ନ ଯାଇ ଆପଣାର ଘର ଡିହକୁ ଜାବୁଡ଼ି ଧରି ପଡ଼ିରହିଛି । ନିଜ ବୋହୂକୁ ସେ କହିଛି – ‘ତୁ ଯା, ତୋ ବାପ ଆସିଚି, ଯାହା, ମା’ ! ପାଣି ମାଡ଼ି ଆସିବ । ପାଣି ଭିତରେ ଥାଇ ବୁଡ଼ନ୍ତା ଲୋକନାଥଙ୍କ ଭଳି, ମାଆଲୋ ! ଅନେଇଥିବି ତତେ, ଚାହଥିବି ! ତୋ କାଚ ବକ୍ର ହେଉ ମନାସୁଥିବି ଲୋ, ଯାଆ ! ଫୁଲ ବେଲପତ୍ର ନୁହେଁ ଲୋ, ରାଶି ମୁଠାଏ ଦୂବ କେରାଏ, ବରଷକେ ଥରେ ପାଣି ଭିତରକୁ ଛାଟି ଦେଉଥିବୁ ଖାଲି, ଯେଉଁଠିକି ଯାଆ, ଯାହା କର ପଛେ । ଏତିକି ।’ (ସଂଗ୍ରାମ, ଚଢ଼ା- ଉତ୍ତରା- ପୃ. ୭୧) ଏହି ଉକ୍ତି କେତେ ବେଦନାର୍ତ୍ତ ନୁହେଁ ! ! ଓଡ଼ିଶାର ଗ୍ରାମ୍ୟ ଜବନରେ ସାଂସ୍କୃତିକ ଅବବୋଧର କେଉଁ ବାସ୍ତବ ଚିତ୍ର ନୁହେଁ ! ! ପିତୃହୃଦୟ ବାସ୍ତଲ୍ୟବୋଧର କେତେ ମର୍ମସ୍ପର୍ଶୀ ଭାବର ଦ୍ୟୋତକ ନୁହେଁ ! ! ! ମାଟିକୁ ମାଆ ପରି ମନେ କରୁଥିବା ବୃଦ୍ଧ ଚାଷୀଟିର ହୃଦୟର ବିଳାପକୁ କିଏ ବୁଝିଛି ? ନଦୀବନ୍ଧ କରୁଥିବା ଓ ଗାଁକୁ ଭାଙ୍ଗି ଶିଳ୍ପ ତିଆରି କରୁଥିବା ଆତ୍ମମ୍ଭରୀ ମଣିଷମାନେ କ’ଣ ଦରିଦ୍ର ଚାଷୀର ହୃଦୟର ବାଣୀକୁ ବୁଝିପାରନ୍ତି ? ଲେଖକ ଏପରି ଶୈଳ୍ପିକ ଉପସ୍ଥାପନା ଭିତରେ ସଚେତନ ମଣିଷମାନଙ୍କର ଦୃଷ୍ଟି ଆକର୍ଷଣ କରି ଥିବା ଜଣାଯାଏ ।

 

ଆଉ ଗୋଟିଏ ଦୃଷ୍ଟାନ୍ତ ଦିଆଯାଉଛି ‘ଗପ ନୁହେଁ ଆଦୌ’ ଗଳ୍ପରୁ । ଗଳ୍ପନାୟିକା ଦରିଦ୍ର ଅସହାୟା ଯୁବତୀ ଗୌରୀକୁ ଲମ୍ମଟ ଜମିଦାର ଯୁବକ ଧଡ଼ି ଉପଭୋଗ କରି ଚାଲିଯାଇଛି । ତାର ମାନସିକ ଯନ୍ତ୍ରଣା ଭିତରେ ଉଦାର ହୃଦୟ, ସମାଜସେବୀ, ସ୍ୱରାଜ ସଂଗ୍ରାମୀ ଯୁବକ ଗଣେଶ ତାକୁ ବିବାହ କରି ପତ୍ନୀତ୍ଵର ମର୍ଯ୍ୟାଦା ଦେଇଛି । ସେ ହୋଇଛି ଗୋଟିଏ ପୁତ୍ର ସନ୍ତାନର ଜନନୀ । ଧଡ଼ି କିନ୍ତୁ ଗୌରୀକୁ ଭୁଲି ନାହିଁ । କଳେବଳେ କୌଶଳେ ତାକୁ ନିଜର କରିବାକୁ ଚେଷ୍ଟା କରିଛି । ସେଦିନ ଗଣେଶ ଥିଲାବେଳେ ଧଡ଼ି ଆସିଛି ଗୌରୀ ଘରକୁ ଓ ବାହାରେ ଥାଇ ଡାକିଛି - ‘ଗୌରୀ ! ଗୌରୀ ! !’ ଘର ଭିତରେ ଥାଇ ଗୌରୀ ଶୁଣିଲା ଗୋଟିଏ ନୂଆ ପାଟିର ଆବାଜ । ସେ ଚମକି ପଡ଼ି ମନକୁ ମନ କହି ଉଠିଛି-

 

‘ଏଁ, ତ ନୂଆ ପାଟିଲୋ ମା’ ! - କେମିତିକା ଚିହ୍ନା ଚିହ୍ନା, ଶିରିଶିରିଆ ପବନ ଭଳି ଗଳି ଗଲା ଯେ ଦେହରେ ଆଲୋ ! କପାଳରେ ଝାଳ ଜକେଇ ଆସିଲା କାଇଁକି ମ- କେଉଁ ଦିନର ବାମ୍ଫ କୋଉ ଥଣ୍ଡା ପାଇ ଠୋପାକୁ ଠୋପା ପାଣି ପାଲଟି ଯାଉଚି ଯେମିତି । ଗୌରୀ ! ଆରେ ରଃ, ମ-ଧାନ ମାଣିକ ମୋର ପୋଡ଼ିଯାଉଚି, ଅଙ୍ଗାର ହୋଇଯିବ ଯେ ! ବାଉଁଶ ପତର ନିଆଁଟା କି ହୁତ୍ ହୁତ୍‌ ହୋଇ ଜଳୁଚିଲୋ ମା’ !’ (ପୃ. ୮୦) ଏହା ଗୌରୀର ମାନସିକ ଅବସ୍ଥାକୁ ବ୍ୟଂଜିତ କରିଦେଇଛି । ଏହିପରି କାବ୍ୟିକ ଶୈଳୀ ଓ ଅବଚେତନିକ ଭାବ ପ୍ରକାଶ ତାଙ୍କର ନାନା ଗଳ୍ପରୁ ଦେଖା ଯାଇଥାଏ । ତାଙ୍କର ଗଳ୍ପମାନଙ୍କରେ ଶବ୍ଦ-ବିନ୍ୟାସ ବଡ଼ ମାର୍ମିକ ଓ ତାତ୍ପର୍ଯ୍ୟପୂର୍ଣ୍ଣ । କେତୋଟି ଦୃଷ୍ଟାନ୍ତ ପ୍ରଦାନ କରାଯାଉଛି ।

 

ଘୋରତେଇ, ଛାଆଁକୁ ଛାଆଁ, ଥପ୍‌କିନି, ବାଆଁରେଇ, କୁତୁକୁତିଆ, ଟାଆଁଶିଆ, ସଲା ସୁତୁରା, ଆଗିଲା ପିଛିଲା, ଧଡ଼କିନା, ଘାଗଡ଼ାଗଳା, ଗୋଛି କାଟିଲେ, ଛାଏଁ ଛାଏଁ, ଦଣ୍ଡାବାଳୁଙ୍ଗା, ନାଲିଆସିଆ, ନଡ଼ନଡ଼, ଢୋକ ଗିଳିଲା, ମୁରୁକେଇ, ଡୋଳା ଖୋସି ଦେଲେ, କାଚଖଡ଼ୁ ହେଲା ନାହିଁ, ଭିଣଭିଣା (ମଡ଼ର୍‌ର), ଭୁଷୁକିନି, ଖତେଇ ହୋଇ, ଧଇଁସଇଁ, ଝର୍‌କିନା (ଫେରିଆ), ଧୁସୁରୁଧୁମି, ଚାଉଁକିନା, ଭିଡ଼ିମୋଡ଼ି, ମାଇପି ରଙ୍କୁଣା, ଆଇଁଷିଣିଆ, ଧମାଧମ୍‌, ଟାଆଁଶିଆ, ସୁଡ଼ୁକାଏ ହାପୁଡ଼ିଲା, ଲତପତ, ବାଉଳାଚାଉଳା, (ଚଢ଼ା-ଉତ୍ତରା), ସୋରାଏ, ସେମଟି, କୁକୁରଚେକିଆ, ମଳିଛିଆ ଆଲୁଅରେ, ଧକୋଉଚି, ନିଚିପଳ, ଉଉଫୁଲିଆ ହସ, ଚାକୁଚାକୁ, ଚଉହତା ଭେଣ୍ଡିଆ, କଅଁଳ ଗାଧୁଆ ବେଳ, ବାହାପିଆ, ଗୁରାଣ୍ଡି ହେଲା, ହତାଶିଆ ଜଳନ୍ତା ଆଖିରେ, ହାଉଁ ହାଉଁ, ଖାଇଁ ଖାଇଁଆ, ଘେର ଖାଇଲା (ସଂଗ୍ରାମ), ଆବୁରା, ଉଗୁଜାଚଟୁ, ଫୁରୁଫୁରିଆ, କଣ୍ଟାଳିଆ ହସ, ପାଣିଚିଆ ଅନ୍ଧାର, କୁତୁକୁତା (ଗପ ନୁହେଁ ଆଦୌ), ଓଳିଗିଟାଏ, ଥରିକିନା, ମିଞ୍ଜାସିଆ (ବିଡ଼ମ୍ବନା), ଝିନିଝିନିଆ, କୁରୁକୁରେଇ, ନସରପସର, ଚିଇଁ ଚିଇଁଆ, ଖାସୁ ଖାସୁଆ, ତୁଷାଳିଆ (ଏମନ ପାଞ୍ଚେଯାହା), ଛିଆଲୋ ଛିଆ, ତୁହାକୁ ତୁହା, ହେଣ୍ଡିମାରି (ଘେଡ଼ ବାଗୁଡ଼ୁ ଗୁଡ଼ୁ) ଆଦି ଶବ୍ଦ ପ୍ରୟୋଗ ଗଳ୍ପଗୁଡ଼ିକର ପରିବେଶ ଓ ପ୍ରକାଶଭଙ୍ଗୀକୁ ଜୀବନ୍ତ କରିଦେଇଛି-। ଏପରି ଶବ୍ଦ-ବ୍ୟବହାର ଲେଖକଙ୍କର ଲୋକମାନସିକତାକୁ ସୂଚାଇଦିଏ । ଗଳ୍ପମାନଙ୍କରୁ ନିମ୍ନରେ କେତୋଟି ଉପମାବାଚକ ଓ ଚିତ୍ରକାଳ୍ପିକ ବାକ୍ୟ ପ୍ରୟୋଗ କିପରି ଚମତ୍କାରିତା ସୃଷ୍ଟି କରିଛି ତାହାର ଉଦାହରଣ ଦିଆଯାଉଛି ।

 

ମାଘ ମାସର ଓଳିଗଡ଼ା ଫିକା ନାଲି ବୋଇତି କଖାରୁ ପରି

ଜଣେ ବଂଗାଳି ବାବୁରେ ମୁହଁ ।

- ମଡ଼୍‌ରର-

ଫିଟି ଫିଟି ଯାଉଚି କେଉଁ ନଈର ପାଣି ସୋରାଏ ପରି

ବେଣୀଟା ଯେ ! ଇଃ ! ନାଗୁଣୀର ଫଣା ନୁହେଁ ତ !

-ଫେରିଆ –

କି ଓଉଫୁଲିଆ ହସ ତାଙ୍କର ! କରନ୍ତୁ, ଅଏସ କରନ୍ତୁ ଏତିକିବେଳେ

- ସଂଗ୍ରାମ –

ସମୁଦି ଏଥର ହସିଦେଲେ - ସୁଲଭ ଦେହରେ ଛେଲୁଥାଏ

ରଡ଼ନିଆଁ କିଏ ଢାଳି ଦେଲା ।

- ସଂଗ୍ରାମ-

ବୋଉକୁ ଆଣି ଟ୍ରକରେ ଥୋଇଦେବି, ଆଃ ପୁରୁଣା ରେଜେଇଟାଏ ଯେମିତି ।

- ସଂଗ୍ରାମ-

ଝଲକାଏ ରକ୍ତ ବାନ୍ତି କରି ସକାଳର ସୂର୍ଯ୍ୟ ଡେଇଁ

ପଡ଼ିଲା ଯେମିତିକି ଆକାଶକୁ ।

- ଗପ ନୁହେଁ ଆଦୌ-

 

ଏହିପରି ବହୁ ଦୃଷ୍ଟାନ୍ତ ଅନନ୍ତଙ୍କ ଗଳ୍ପରୁ ପ୍ରଦାନ କରାଯାଇ ପାରେ । ପରିମାଣାତ୍ମକ ଦୃଷ୍ଟିରୁ ତାଙ୍କର ଗଳ୍ପ ସୀମିତ ହେଲେ ମଧ୍ୟ ଗୁଣାତ୍ମକ ଦୃଷ୍ଟିରୁ ଓ ସାମାଜିକ ଅବବୋଧ ଦୃଷ୍ଟିରୁ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ।

 

ଆଧୁନିକ ଅଭିଜାତ ମଣିଷର ସ୍ଵରୂପ ଉଦ୍‌ଘାଟନ, ଯୌନତା ଓ ସଂଭୋଗର ବିପଣି ଭିତରେ ସ୍ଵର୍ଗୀୟ ପ୍ରେମର ଦୀପ୍ତି ଆବିଷ୍କାର, ଦଳିତ ଓ ବଂଚିତ ମଣିଷମାନଙ୍କର ଦୁଃଖ ଦୁର୍ଦ୍ଦଶାର ଚିତ୍ର ପ୍ରଦାନ ସହିତ ଶୋଷଣର କାରଣ ନିର୍ଦ୍ଧାରଣ, ଶୋଷକମାନଙ୍କର ପୈଶାଚିକ ଉଲ୍ଲାସ, ମାନବିକ ସମ୍ବେଦନା ଓ ଶୁଦ୍ଧ ଅନାମୟ ଜୀବନ ପ୍ରତିଷ୍ଠା ଇତ୍ୟାଦିର କଳାତ୍ମକ ରୂପାୟନ ଦୃଷ୍ଟିରୁ ଅନନ୍ତ- ଗଳ୍ପ ମାନସ ଯେ ସମକାଳୀନ ଗଳ୍ପକାରମାନଙ୍କଠାରୁ ଭିନ୍ନ ଓ ବୈଶିଷ୍ଟ୍ୟପୂର୍ଣ୍ଣ ତଥା ମାର୍କସୀୟ ନାନ୍ଦନିକ ମୂଲ୍ୟବୋଧ ପ୍ରତି ଉନ୍ମୁଖ ତାହା ଉପଲବ୍‌ଧ ହୋଇଥାଏ ।

 

ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ – ୪

 

***

 

ଅନନ୍ତ କବି-ମାନସ ପ୍ରଗତିକାମୀ ଦରଦୀ ଅଥଚ ବିପ୍ଳବୀ

ମୁରଲୀଧର ସାମଲ

 

ନିପୀଡ଼ିତ ପ୍ରାଣର ଅତି ଆପଣାର ଅନନ୍ତ; ଆନ୍ଦୋଳନ, ଆହ୍ୱାନ, ଆବିଷ୍ଟ ଓ ଆବେଗର ଅନନ୍ୟ ରୂପକାର ଅନନ୍ତ ପଟ୍ଟନାୟକ । ତାଙ୍କ କବି-ମାନସଟି ଅତୀବ ଦରଦୀ ଅଥଚ ବିପ୍ଳବୀ, ସ୍ପର୍ଦ୍ଧିତ ଚେତନାର ସଶ୍ରଦ୍ଧ ସମାହାର ଏବଂ ଶ୍ରଦ୍ଧା, ସ୍ପର୍ଦ୍ଧା ଓ ଯୁଗଚେତନାର ଉତ୍ତୁଙ୍ଗ ବାହକ । କବିତାର ବୌଦ୍ଧିକ ଅର୍ଗଳିରେ ସେ ବାଟବଣା ହୋଇ ନଥିବା କବି । କବିତାର ଭୂମି ଓ ଭୂମାରେ ବିଲ୍ୱବରଣରୁ ହଁ ସେ ସିଦ୍ଧଯୋଗୀ । ଆଭିମୁଖ୍ୟ ଓ ଆଦର୍ଶବୋଧରେ ବିଭିନ୍ନ ଆତ୍ମିକ ଓ ଆଙ୍ଗିକ ପରୀକ୍ଷା ନିରୀକ୍ଷାକରି କାବ୍ୟଶୈଳୀକୁ ଉତ୍ତୀର୍ଣ୍ଣ କରାଇବାରେ ଅନନ୍ତ ହଁ ଜଣେ ସଫଳ ସ୍ରଷ୍ଟା ।

 

ସେ ପଳାୟନପନ୍ଥୀ ନୁହନ୍ତି କି ତାଙ୍କ କବିତା ଶ୍ଳେଥ/ ଶିଥିଳ ନୁହେଁ । ତାଙ୍କ ସୃଷ୍ଟି ଆମ ଆଡ଼କୁ, ଆମରି ମେଳକୁ ମୁହାଁଇଥାଏ । ଦୁଃଖ, ଜଞ୍ଜାଳ ଓ ମହାକାଳର କବ୍‍ଜାରେ ଥାଇ ମଧ୍ୟ ତିଳେ ବିଚଳିତ ନୁହେଁ ତାଙ୍କ କାବ୍ୟ- ମାନସ ବରଂ ମରଣ ସହ ସଂଗ୍ରାମ କରେ । ନିଜ ମାଟିର, ଧୂଳି-ଧୂସର ସଂସାରର ସାରାଂଶ ଯେତେ ପାଂଶୁଳ ବା ମେଳଚ୍ଛା ହେଲେ ମଧ୍ୟ ସେହି କୁତ୍ସିତ ଘୂର୍ଣ୍ଣି ହଟାଇବାକୁ କବି ଆଜୀବନ ଚେଷ୍ଟା କରିଛନ୍ତି । ପରାଶ ପ୍ରାଣରେ ମଲମ ଲେପି ଫୁଲ ଓ ଫଲଗୁ ବିଞ୍ଚିବାକୁ ସେ ଚାହିଁଛନ୍ତି । ମଣିଷର ଅନବଦ୍ୟ ଅବ୍ୟକ୍ତକୁ କୁହାଇଛନ୍ତି କବିତାରେ । ଜୀବନର ସାମୂହିକ ପରିସ୍ଥିତିର ଚରମ ଓ ପରମ ଅଭିବ୍ୟକ୍ତି ଯଦି ଆଧୁନିକ କବିତାରେ ଥାଏ, ଅନନ୍ତଙ୍କ କବିତା ସେଥିରୁ ବାଦ୍‌ପଡ଼ନ୍ତା ବା କେମିତି ? ୱାଲଟ୍‌ ହୁଟ୍‌ମ୍ୟାନଙ୍କ ‘ଲିଭସ୍‌ ଅଫ୍‌ ଗ୍ରାସ’ର ଓଡ଼ିଆ ଅନୁବାଦକ ଅନନ୍ତ ମର୍ମେ ମର୍ମେ ବୁଝିଥିଲେ ତାଙ୍କ ଦର୍ଶନ – ‘comrade, this is no book, If you touch it, you will touch a man.’ ଅନନ୍ତଙ୍କ କବି ମାନସ ପ୍ରଚଣ୍ଡ ପ୍ରଗତିକାମୀ । ତାଙ୍କ କବିତାର ପ୍ରକୃତ ମର୍ମବୋଧ-ଅନୁଭବ, ଯାହା ଅନୁଭୂତିସିଦ୍ଧ, କାଳ୍ପନିକ ନୁହେଁ କଳ୍ପନା-ସୃଷ୍ଟ ସାହିତ୍ୟରେ ଜୀବନ ନ ଥାଏ କି ମୂଲ୍ୟବୋଧ ନ ଥାଏ । ତେଣୁ ସେ ଚିରାୟତ ଧାରା ଛାଡ଼ି, ମନୁବାଦୀ, ଭାଗ୍ୟ ଓ ଭଗବାନବାଦୀଙ୍କୁ ଆଘାତ କରି ମଣିଷ ମନରେ ଆତ୍ମବଳ ସଂଚାର କରାଇଛନ୍ତି କବିତା ମାଧ୍ୟମରେ । ତାଙ୍କ କାବ୍ୟ-ଚେତନାର ଧାରା ଗାନ୍ଧିବାଦରୁ ମାର୍କସବାଦକୁ, ଜାତୀୟ ସଂଗ୍ରାମ ଭିତରେ ଶ୍ରେଣୀ ସଂଗ୍ରାମକୁ, ବାସ୍ତବତାରୁ ସାମ୍ୟବାଦୀ ବାସ୍ତବବାଦକୁ । ପ୍ରଥମ ବିଶ୍ୱଯୁଦ୍ଧ ଅକ୍ଟୋବର ବିପ୍ଳବ, ରୁଷରେ ଶ୍ରମିକ ଶ୍ରେଣୀର କ୍ଷମତା ହାସଲ, ଶୋଷଣହୀନ ସମାଜ ପ୍ରତିଷ୍ଠା ଇତ୍ୟାଦି ପରିବେଶରେ କବିଙ୍କ ମେଧା-ମଞ୍ଜ ସଶକ୍ତ ହୋଇଛି । ଶୋଷଣ ଓ ଦାସତ୍ୱ ବିରୋଧରେ ମୁକ୍ତି ସଂଗ୍ରାମୀଙ୍କୁ ପ୍ରେରଣା ଯୋଗାଇବା ଏବଂ ଶ୍ରମଜୀବୀଙ୍କୁ ଜାଗ୍ରତ ଓ ଉତ୍ସାହିତ କରିବା ହିଁ ତାଙ୍କର ବହୁ କବିତାର ସ୍ପଷ୍ଟ ସ୍ଵର ।

 

ପ୍ରଗତିଶୀଳ ସାହିତ୍ୟରେ ଧର୍ମ କି ଭଗବାନ ସହିତ କୌଣସି ସମ୍ପର୍କ ନାହିଁ । ମଣିଷ-ମଣିଷ ମଧ୍ୟରେ ସମ୍ପର୍କ ଓ ସମସ୍ୟାକୁ ନେଇ ଏହା ଅଗ୍ରସର ହୋଇଛି । ଓଡ଼ିଆ ଯୁବକର ଭାବଜଗତରେ ବିପ୍ଳବ ଆଣିବାକୁ ଚାହିଁଛି ପ୍ରଗତିଶୀଳ ସାହିତ୍ୟ । କଳ୍ପନା ଜଗତରେ ପ୍ରଚଣ୍ଡ ଆଘାତ କରିଛନ୍ତି ପ୍ରଗତିଶୀଳ ଲେଖକମାନେ । ଅନନ୍ତଙ୍କ କବିତା ବି ସେଇକଥା କହିଛି । ‘ଦେବତା ନାଇଁ ଭୁବନ ବନେ’ କବିତାରେ ଭଗବାନଙ୍କୁ ଆହ୍ୱାନ କରିଛନ୍ତି ଅନନ୍ତ ।

 

‘ପୁତ୍ରହରା ରମଣୀ ଯେବେ

ଧରଣୀ ତଳେ ପଡ଼େରେ ଲୁଟି

ଈଶ୍ୱର ତୋ ମଉନ ରହେ

ଆସଇ ନାହିଁ ଶିଳାରୁ ଉଠି ?

x      x      x

ସର୍ବହରା ବିଶ୍ୱେ ତୁ’ରେ

ବଞ୍ଚିତ ତୁ ସକଳ ଧନ

ଖେଜୁରେ ବୃଥା ଜୀବନ କଥା

ଦେଉଳ ତଳେ ଶୂନ୍ୟ ମନେ !’

(ନବଭାରତ, ୧୯୩୪ତମ, ଦ୍ୱାଦଶ ସଂଖ୍ୟା)

 

ଧର୍ମ ନାମରେ ମଣିଷ ମନରେ ଥିବା ଅନ୍ଧବିଶ୍ୱାସ ଓ ପ୍ରତାରଣା ଉପରେ କୁଠାରଘାତ କରିଛନ୍ତି କବି ତାଙ୍କ ‘ଯୁଗମାନବ’ କବିତାରେ । ସମସ୍ୟାର ସମାଧାନ ଭଗବାନଙ୍କ ହାତରେ ନାହିଁ । ଅଛି ମଣିଷ ହାତରେ । ମଣିଷର ଶାଣିତ ଚେତନା ଓ ଆତ୍ମବିଶ୍ଵାସ ଏବଂ ସର୍ବହରା ମଧ୍ୟରେ ଏକତା ହିଁ ସମାଧାନର ମାର୍ଗ ବୋଲି ଅନନ୍ତ ବ୍ୟାଖ୍ୟା କରିଛନ୍ତି ।

 

ଧର୍ମ ନାମେ ମାନବ ଯେବେ ମାନବ ଶିର ଚୂରଇ ବସି

ସର୍ବହରା ଶ୍ରମିକ ଯେବେ ଧନିକ ହାତେ ମରଇ ବସି ।

(ନଭଭାରତ, ୧୯୩୫ ମାର୍ଚ୍ଚ)

 

ଧର୍ମ ଓ ଭଗବାନଙ୍କ ବିରୋଧରେ ଯୁଦ୍ଧଘୋଷଣା କରି ଭଗବାନଙ୍କୁ ବିସର୍ଜନ କରିଛନ୍ତି, ବୃଦ୍ଧଙ୍କୁ ବିଦାୟ ଦେଇଛନ୍ତି, ଶୋଷଣ କଷଣର ବିଲୋପ ପାଇଁ ତରୁଣଙ୍କ ପକ୍ଷରୁ ଆହ୍ୱାନ ଦେଇଛନ୍ତି ସେ । ଏହା ଅନନ୍ତଙ୍କ ଏକ ଆଲୋଡ଼ନ ସୃଷ୍ଟିକାରୀ କବିତା । ‘ବୃଦ୍ଧ ତୁମର ଦିବସ ଯାଇଛି ଚାଲି’ ଶିରୋନାମାରେ ‘ସହକାର’ (୧୯୩୪ ଜୁଲାଇ)ରେ ଏହା ପ୍ରକାଶ ପାଇଥିଲା । ଏହା ତାଙ୍କ ଚିନ୍ତା- ଚେତନା ଓ ପରିବର୍ତ୍ତନର ସୂଚକ ।

 

କାହିଁ ଭଗବାନ କାହିଁ ବା ସ୍ଵର୍ଗ କହ-

କାହା ପାଇଁ ବସି ଗଡ଼ାଅ କାଷ୍ଠ ମାଳି ?

ପୃଥିବୀ କା’ ପାଇଁ କରିଲ ଦେଉଳମୟ

ଶ୍ରମିକ ମରେ ଯେ ଦେହରୁ ରକ୍ତଢାଳି !

x      x      x

ବୃଦ୍ଧ ହେ ତୁମ ଦିବସ ଯାଇଛି ଚାଲି !

ନବ ଜୀବନର ଆହ୍ୱାନ ଆସେ ଖରେ

ଛାଡ଼ିଦିଅ ପଥ ନବୀନ ଆଲୋକ ଜାଳି

ତରୁଣ ବାହିନୀ ଛୁଟୁରେ ଦର୍ପ ଭରେ ।’

 

ଅନନ୍ତଙ୍କ ଭାଷାର ଶକ୍ତି ଅଛି, ଭାବରେ ଆନ୍ତରିକତା ଅଛି, ଅଛି ବି ବିଦ୍ୟୁତର ଝଲକ । ଶ୍ରେଣୀହୀନ ଶୋଷଣମୁକ୍ତ ସମାଜ ଗଢ଼ିବାର ମୂଳଦୂଆକୁ ଭାଙ୍ଗିଦେଉଥିବା ପିଢ଼ି ପାଇଁ ଏହି କବିତାଟି ଥିଲା ଏକ ପ୍ରଭାବଶାଳୀ ଆହ୍ୱାନ । ନବଯୁଗ ଆହ୍ୱାନର ଅନ୍ୟତମ ପୁରୋଧା ଅନନ୍ତଙ୍କ ଏହି କବିତାଟି ଥିଲା-ତାରୁଣ୍ୟର ଜୟଗାନର ମର୍ମବାଣୀ । ତାରୁଣ୍ୟରୁ ହିଁ ବିପ୍ଳବର ସାମ ସଙ୍ଗୀତ ଗାନ କରିଛନ୍ତି ସେ ଏବଂ ଅନୁଭବ କରିଛନ୍ତି ଏହାର ଦୁର୍ବାର ଗତି ।

 

ବୋଧହୀନ କବିତା ତାଙ୍କ ସୃଷ୍ଟିରେ ବିରଳ । ପାଣ୍ଡିତ୍ୟର ଆଧିକ୍ୟ ଶବ୍ଦର ପ୍ରାଚୁର୍ଯ୍ୟ, ତାଙ୍କ କବିତାଝର ସୁସ୍ପଷ୍ଟ ଯାହା ଗୁରୁଚଣ୍ଡାଳ ଦୋଷର ସୂଚନା ଦିଏ । ‘ଶୁକ୍କ ମେଘର ପାରେ’ କବିତାରେ ‘ସଲସଲାଏ ଯଦି ମନ୍ମୟ ମାଳଞ୍ଚକୁ ତୁମର’ - କୁ ଉଦାହରଣ ଭାବେ ନିଆଯାଉ । ବେଳେବେଳେ କିଆଁ କବିତା ଲେଖେ’ରେ ଅନନ୍ତଙ୍କ ଜୀବନ ଦର୍ଶନର ପ୍ରଭାବ ତାଙ୍କ ଚିନ୍ତାଚେତନା ପ୍ରକାଶ କରେ ।

 

‘ନିଭିଯିବି ଯେବେ

ଜଳିବି ନି କିଆଁ

ଜଳିବି ନାଇଁ ?

କଳିବିନି କିଆଁ,

 

ନବଯୁଗ ଗୋଷ୍ଠୀର ସାମାଜିକ-ସାହିତ୍ୟିକ ଆନ୍ଦୋଳନର ଆୟୁଧ ଥିଲା ‘ଆଧୁନିକ’ । ଏହା ଓଡ଼ିଆ ପତ୍ରିକାଜଗତରେ ଯୁଗାନ୍ତର । ଛଅମାସର ଜୀବନକାଳ ଭିତରେ ଏହା ଓଡ଼ିଆ ସାହିତ୍ୟ ଓ ସମାଜରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲା । ଅନନ୍ତ ସମେତ ଯେଉଁ ପ୍ରବୀଣ ସାହିତ୍ୟିକ, ସଂଗ୍ରାମୀ, ସଂସ୍କାରକ ଏହାର ପ୍ରାଣ ପ୍ରତିଷ୍ଠାତା ଥିଲେ, ସେମାନଙ୍କର ନୀତି ଥିଲା - ବାଡ଼ି ଭାଙ୍ଗୁ ପଛେ, ସାପ ମରୁ । ସାପ ମରିବ ନାହିଁ କି ବାଡ଼ି ଭାଙ୍ଗିବ ନାହଁ - ଏହା ସେମାନଙ୍କର ନୀତି ନ ଥିଲା । ଅନନ୍ତ ଲେଖିଥିଲେ-

 

‘‘ମୁହଁ ତ ନୁହେଁ ମୋହରି ପାଇଁ

ସବୁରି ପାଇଁ ମୋହରି ପ୍ରାଣ

ସମତା ପଥେ ପତାକା ବାହି

ଶାନ୍ତିର ମୁଁ ରଚିବି ଗାନ !

ଏଥିରୁ ତାଙ୍କ ନିଜର ପରିଚୟ ଜଣାପଡ଼େ ।’’

 

କବି ଅନନ୍ତ ଥିଲେ ତିନିଟି ଯୁଗର ପ୍ରତିନିଧି । ସବୁଜରୁ ଅତ୍ୟାଧୁନିକ ଯୁଗ ପର୍ଯ୍ୟନ୍ତ ତାଙ୍କର ଅବଦାନ ବିଦ୍ୟମାନ । ବିଭିନ୍ନ ରୂପରେ, ବିଭିନ୍ନ ଛନ୍ଦରେ ଓ ଭାବରେ ସେ ପାଠକଙ୍କୁ ବିମୁଗ୍‌ଧ କରିଛନ୍ତି । ତାଙ୍କ କାବ୍ୟଦର୍ଶନର ଚେତନାବୋଧ, ତାଙ୍କ ଜୀବନ ଦର୍ଶନର ଚେତନାବୋଧ ସହିତ ଅଭିନ୍ନ ଭାବେ ସଂଶ୍ଳିଷ୍ଟ । ପ୍ରଗତିଶୀଳ ସାହିତ୍ୟ ପରମ୍ପରାକୁ କିମ୍ବା ନିଜ ମତାଦର୍ଶରୁ ସେ ବିଚ୍ୟୁତ ହୋଇ ନାହାନ୍ତି । ଉତ୍କଳ ସାହିତ୍ୟ ସମାଜର ହୀରକ ଜୟନ୍ତୀ ଉତ୍ସବରେ ଏହାର ସଭାପତି ଭାବେ ସେ ଯାହା କହିଥିଲେ ତାହା ପ୍ରଣିଧାନଯୋଗ୍ୟ ।

 

‘ସାହିତ୍ୟ ମନୁଷ୍ୟ ପାଇଁ । ମନୁଷ୍ୟ ସାହିତ୍ୟ ପାଇଁ । ସାହିତ୍ୟର ସ୍ରଷ୍ଟା ମନୁଷ୍ୟ - ମନୁଷ୍ୟର ସ୍ରଷ୍ଟା ପୁଣି ସାହିତ୍ୟ ।

***

 

ଅନନ୍ତ ପଟ୍ଟନାୟକଙ୍କ ସହିତ ମୁରଲୀଧର ସାମଲଙ୍କ ସାକ୍ଷାତ୍‌କାର

 

୧୯୮୩ ନଭେମ୍ବର ୨ ତାରିଖ ସନ୍ଧ୍ୟା ଥିଲା କଲକାତାରେ ଥିବା ଓଡ଼ିଆ ଲେଖକଙ୍କ ପାଇଁ ଅବିସ୍ମରଣୀୟ । କେତେକ ନବୀନ ଓ ପ୍ରବୀଣ ଲେଖକଙ୍କ ମେଳରେ ଥାଆନ୍ତି ପ୍ରଗତିଶୀଳ ସାହିତ୍ୟର ଏଇ ଅନନ୍ୟ ପଥିକୃତ କବି ଅନନ୍ତ ପଟ୍ଟନାୟକ । ପ୍ରଗତିଶୀଳ ସାହିତ୍ୟ ଓ ତାଙ୍କ କାବ୍ୟଦୃଷ୍ଟି ସଂକ୍ରାନ୍ତ ମୋର କେତୋଟି ପ୍ରଶ୍ନ ଉପରେ ସେ ଯେଉଁ କାବ୍ୟିକ ଉତ୍ତର ଦେଇଥିଲେ, ସେହି ବାର୍ତ୍ତାଳାପର ଏହା କିୟଦଂଶ ମାତ୍ର ।

 

ପ୍ରଗତିଶୀଳ ସାହିତ୍ୟର ମୁଖ୍ୟ ସ୍ଵର-ଗଣ ଅଭିମୁଖୀ ଅନୁଚିନ୍ତା, ପ୍ରତିକ୍ରିୟାଶୀଳତା ବିରୋଧରେ ବିଦ୍ରୋହ; କିନ୍ତୁ ଅନେକାଂଶରେ ଏହା ମୂଳ ଲକ୍ଷ୍ୟରୁ ସଙ୍କୁଚିତ ହୋଇଯାଇଛି ।

 

ଏହାର ପ୍ରକୃଷ୍ଟ ବୃଦ୍ଧି ନିମନ୍ତେ କି ପାଣିପାଗ ଦରକାର ?

ଅନନ୍ତ : ପ୍ରଗତିଶୀଳ ସାହିତ୍ୟ ଗଣ ଅନୁସାରୀ ନୁହେଁ, କାରଣ ଗଣ ସବୁ ‘କ୍ରିୟା-ପ୍ରକ୍ରିୟା’ର ବ୍ୟଷ୍ଟି ସମଷ୍ଟି ବା ଗୋଷ୍ଠୀର ଆବେଗ-ଆବେଦନ ଘେନି ସାହିତ୍ୟରେ ପ୍ରତିବିମ୍ବିତ ହୁଏ-ସାହିତ୍ୟକୁ ପ୍ରଭାବିତ କରେ । ଏଣୁ ପ୍ରଗତିଶୀଳ ତାହା ହିଁ ଯାହା ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ଯାଏ -ବିଜ୍ଞାନଭିତ୍ତିକ ସାମ୍ୟ ମୈତ୍ରୀ ପ୍ରତିଷ୍ଠା ଦିଗରେ - ଅର୍ଥନୈତିକ, ରାଜନୈତିକ ଓ ସାମାଜିକ ବୈଷମ୍ୟର ବିଲୋପ ଚାହେଁ । ଏଣୁ ପ୍ରକ୍ରିୟା ବିରୋଧରେ ବିଦ୍ରୋହ ।

 

ପ୍ରକ୍ରିୟା ଅତୀତକାଳୀନ ହୋଇପାରେ, ତାହା ଦ୍ୱାରା ପରିପୁଷ୍ଟ ଭବିଷ୍ୟକାଳୀନ ହୋଇପାରେ । ଏଣୁ ପ୍ରତିକ୍ରିୟା ବିରୋଧରେ ବିଦ୍ରୋହ ନୁହେଁ-ସଂଗ୍ରାମ । ତା’ର ଆଧିପତ୍ୟ ଲୋପ ! କାର୍ଯ୍ୟ-ସାମ୍ରାଜ୍ୟବାଦ ଓ ସାମନ୍ତବାଦ ବିରୋଧରେ ପ୍ରତ୍ୟକ୍ଷ ସଂଗ୍ରାମ, ପୁଞ୍ଜିବାଦ ବିରୋଧରେ ମଧ୍ୟ-

 

ପ୍ରତିକ୍ରିୟାପନ୍ଥୀ ମଧ୍ୟ ପ୍ରଗତିଶୀଳ କହି ହୁଏ । ପତ୍ରପତ୍ରିକା ଦ୍ରଷ୍ଟବ୍ୟ । ବିଭ୍ରମ ବା ଭ୍ରାନ୍ତି ଆଣିବାକୁ ଉନ୍ମୁଖ- କିନ୍ତୁ ମୁଖ୍ୟତଃ ଅଜ୍ଞତାପ୍ରସୂତ ।

 

ଜନସାଧାରଣଙ୍କ ଜୀବନ ସହିତ ଯାହା ସମ୍ପର୍କହୀନ ହେବ, ତାହା ସ୍ଵୟଂ ସଙ୍କୁଚିତ ହୋଇଯିବ । ସେହି ଦୃଷ୍ଟିରୁ ଜନସାହିତ୍ୟର ଅର୍ଥ ନୁହେଁ ଯୌନ ସାହିତ୍ୟ । ଏହା ବିଭ୍ରମ ।

 

‘ଗଣ’ କହିଲେ କ’ଣ ବୁଝୁ - ସବୁ ମିଶାମିଶି - ଶ୍ରେଣୀ, ଗୋଷ୍ଠୀ, ସମ୍ପ୍ରଦାୟ । ଗଣ ଅନୁସାରୀ ଭ୍ରମାତ୍ମକ । ଏହା ଅଭ୍ୟୁତ୍‌ଥାନକାରୀ, ଚେତନାଦାୟୀ, ବାସ୍ତବମାର୍ଗୀ କଳ୍ପନା ବହିର୍ଭୂତ ।

 

ସାମନ୍ତବାଦୀ ସମାଜରେ ଗଣ ସାହିତ୍ୟ ତିଷ୍ଠିପାରେ ନାହିଁ କାହିଁକି ? ଓଡ଼ିଆ ସାହିତ୍ୟ ସର୍ବହରା ଓ ଶୋଷିତ ଶ୍ରେଣୀକୁ ଯେମିତି ପ୍ରଭାବିତ କରିବା କଥା କରିପାରିଛି କି ?

 

ଅନନ୍ତ : ସାମନ୍ତବାଦୀ ସମାଜରେ ଶିକ୍ଷାର ଅଭାବ - ନିରକ୍ଷରତା- ଯାନ୍ତ୍ରିକ ସଭ୍ୟତା ନ ଥିଲା । ଏଣୁ ଗଣ ସାହିତ୍ୟର ଲିଖିତ ପ୍ରସାର ନଥିଲା । କିନ୍ତୁ ତା ବୋଲି ଗଣ ସାହିତ୍ୟ ନ ଥିଲା କହିବା ଭ୍ରମାତ୍ମକ । ସାରଳା, ଜଗନ୍ନାଥ କେଉଁ ସାହିତ୍ୟର ପ୍ରତିଷ୍ଠାତା ? ଓଡ଼ିଶାର ତୁଙ୍ଗ ଗୀତିକାର, କବିବୃନ୍ଦ -ଏପରିକି ଉପେନ୍ଦ୍ର ମଧ୍ୟ ଗଣସ୍ତରକୁ ଆସିଛନ୍ତି ।

 

ଗୋଟିଏ ନୂତନ ବଂଶଧର ପାଇଁ ଆପଣ କିଭଳି ସାହିତ୍ୟ ସୃଷ୍ଟି କରିବାକୁ ପ୍ରସ୍ତୁତ ଅଛନ୍ତି ?

 

ଅନନ୍ତ : ପ୍ରଗତିଶୀଳ । ପ୍ରଗତିଶୀଳ ତାହା ହିଁ - ଯାହା ସକଳ ପ୍ରକାର କୁସଂସ୍କାର ଦୂର କରେ ।

 

ସମତା, ପ୍ରୀତି ଓ ମୈତ୍ରୀ ।
ଜୀବନର ନିର୍ମାଣ, ନୂତନ ଦିଗକୁ ଯାତ୍ରା ।
ରଙ୍ଗିନ ସମାଜ ସହିତ ସଂଗ୍ରାମ ।
ପ୍ରକୃତି ସହିତ ନୂତନ ଆଡ଼କୁ ସଂଗ୍ରାମୀ ।
ମନୁଷ୍ୟ ଅଜେୟ ଅପରାଜେୟ ।

 

ମୃତ୍ୟୁ - ବିଜୟୀ ସ୍ରଷ୍ଟା :

ମହାକାଶରେ ଅନୁଭୂତ - ମହାପାତାଳରେ - ପୁଣି ଉପରେ
ଜୀବନର ବର୍ଣ୍ଣନା,
ନାରକୀୟ ସ୍ତରରେ
ସ୍ୱର୍ଗୀୟ ସୁଷମାର ।
ସ୍ୱପ୍ନର ।

 

ଗାଣିତ୍ୟିକ ପର୍ଯ୍ୟାୟରେ ‘ଶୂନ’ରେ ପର୍ଯ୍ୟବସିତ ଥିବା ପ୍ରଗତିଶୀଳ ଐତିହାସିକ ଅନୁଭୂତିରେ ଥିଲା । ସାମ୍ରାଜ୍ୟବାଦ ଓ ଉପନିବେଶବାଦର ବିଲୋପ ।

 

ସକଳ ପ୍ରକାର ଶୋଷଣର ବିଲୋପ
ମାନବିକତାର ପ୍ରତିଷ୍ଠା
ସମତା ଓ ମୈତ୍ରୀଲାଗି ଆହ୍ଵାନ ।
ପ୍ରେରଣାଦାନ ଜୀବନ ।
 

ଆପଣଙ୍କ ମତରେ ଆସନ୍ତାକାଲିର ସାହିତ୍ୟ କିଭଳି ହେବା ଉଚିତ ?

ଅନନ୍ତ : ଏ ବଡ଼ ଦୁରୁହ ପ୍ରଶ୍ନ । ପ୍ରତ୍ୟେକ ମାଟିରେ ଅର୍ଗାନିକ ଡେଭଲପମେଣ୍ଟ ଅଛି, ଏକୋଲଜିକାଲ ଚେଞ୍ଜ ଅଛି ।

 

ପ୍ରଥମ କଥା - ଏହା ଜନଜୀବନ ସହିତ ସଂପୃକ୍ତ ରହିବ । ଏହାର ଅର୍ଥ ଏହାକୁ ଉନ୍ନତରୁ ଉନ୍ନତ ସ୍ତରକୁ ନେବା ।

 

ଦ୍ୱିତୀୟ କଥା - ସବୁ ପ୍ରକାର ସଂକୀର୍ଣ୍ଣତା, ବିଭେଦ ବୈଷମ୍ୟ ଦୂର କରିବା । ନିର୍ମଳ ଆନନ୍ଦରେ ସୁସ୍ଥ ସବଳ ଲୋକେ ବିଚରଣ କରିବେ । ଏଥିପାଇଁ ଗୋଟିଏ ଦିଗରେ ତୀବ୍ର ସମାଲୋଚନା, ବିଶ୍ଳେଷଣ ଓ ଅନ୍ୟ ଦିଗରେ - ଆଦର୍ଶ ଉପରେ ଦୃଷ୍ଟି । ଏହି ଦୁଇଟିର ସମନ୍ଵୟ ରହିବା ଆବଶ୍ୟକ ।

 

କବିତାର ଅଭିବ୍ୟକ୍ତି କିପରି ହେଲେ ତାହା ସର୍ବଜନାଦୃତ ହୋଇପାରିବ ?

ଅନନ୍ତ : କହିବା କଷ୍ଟକର । ଶ୍ରେଣୀ ବିଭକ୍ତ, ଗୋଷ୍ଠୀ ବିଭକ୍ତ ସମାଜ ବିଭିନ୍ନ ରାଗ-ରୂପ-ଛନ୍ଦରେ ସମନ୍ୱିତ । ମୁଖ୍ୟତଃ - ସରଳ, ସ୍ଵଚ୍ଛ, ନିଷ୍କପଟ, ସର୍ବଜନବୋଧ୍ୟ, ଆନନ୍ଦ ପ୍ରଦାୟକ ରୀତିରେ ରଚିତ ହେଉ ।

 

ଏଣୁ ଦୃଷ୍ଟି, ଶ୍ରୁତି, ପଠନ ଓ ଧ୍ୟାନ, ଶ୍ରବଣ ଏବଂ କୀର୍ତ୍ତନ ଆବଶ୍ୟକ ।

 

ଆପଣ କବି ଜୀବନର କିଛି ଅବିସ୍ମରଣୀୟ ସ୍ମୃତି ?

 

ଅନନ୍ତ : କିଭଳି ସ୍ମୃତି ଅବିସ୍ମରଣୀୟ ?

ଯେଉଁମାନେ ପ୍ରାଣ ଦେଇଛନ୍ତି
ଦୁଃଖରେ ଭୋକରେ ଲଢ଼ିଛନ୍ତି
ଏବେ ମଧ୍ୟ ଧନର ମୋହଠାରୁ ଦୂରରେ ରହି ଆସୁଛନ୍ତି
ସେମାନେ ।

 

ଜ୍ୟୋତିବିହାର, ବିଡ଼ାନାସୀ,୨ କଟକ

 

***

 

କୋଣାର୍କ ୧୬୫ତମ ସଂଖ୍ୟା

ବିଶ୍ୱଦୃଷ୍ଟି : ସାମ୍ୟ ଓ ସଂଗ୍ରାମର ଅନନ୍ତ ଅଭୀପ୍‌ସା

ପ୍ରସନ୍ନ କୁମାର ମହାନ୍ତି

 

ଓଡ଼ିଆ ସାହିତ୍ୟର ଇତିହାସରେ ସମୟର ଦୈର୍ଘ୍ୟ ବା ବିସ୍ତୃତି ଦୃଷ୍ଟିରୁ ପ୍ରଗତିଯୁଗ (୧୯୩୫-୧୯୪୭) ହୁଏତ ସବୁଠୁ ସଂକ୍ଷିପ୍ତଯୁଗ, ମାତ୍ର ସାହିତ୍ୟର ଉଭୟ ସ୍ଵର ଓ ଶିଳ୍ପ ଦୃଷ୍ଟିରୁ ଏହି ଯୁଗର ଗୁରୁତ୍ଵ ଯଥେଷ୍ଟ ବେଶି । ଏବଂ ଏହି ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ସାରସ୍ୱତ ଯୁଗର ଅନ୍ୟତମ ମୁଖ୍ୟ ପ୍ରାଣ ପ୍ରତିଷ୍ଠାତା ଅନ୍ୟ କେହି ନୁହନ୍ତି, ସେ ହେଉଛନ୍ତି ସାଲିସ୍‌ବିହୀନ ଅଗ୍ନିବର୍ଷୀ ମହାବିପ୍ଳବୀ ମାନବବାଦୀ କବି ଶ୍ରୀ ଅନନ୍ତ ପଟ୍ଟନାୟକ (୧୯୧୨- ୧୯୮୭) ।

 

ପ୍ରଗତିଯୁଗର ଠିକ ପୂର୍ବବର୍ତ୍ତୀ ଯୁଗଟି ଥିଲା ସବୁଜଯୁଗ (୧୯୨୧-୧୯୩୫ ) ଏବଂ ତତ୍‌ପୂର୍ବବର୍ତ୍ତୀ ଯୁଗଟି ଥିଲା ସତ୍ୟବାଦୀଯୁଗ (୧୯୨୧-୧୯୦୧) । ‘ସବୁଜଯୁଗ’ ନାମକରଣକୁ ନେଇ ଗବେଷକ ଓ ଆଲୋଚକଙ୍କ ମଧ୍ୟରେ ମତାନୈକ୍ୟ ରହିଛି । ସବୁଜ ଏକ ଯୁଗ ନୁହେଁ, ଯୁଗାଭାସ; ଏବଂ ଏହାକୁ ‘‘ସବୁଜ ସାହିତ୍ୟ’’ ଭାବେ ନାମିତ କରାଯିବା ଅଧିକ ଯୁକ୍ତିଯୁକ୍ତ ବୋଲି ଅନେକ ବିଶେଷଜ୍ଞ ମତ ଦିଅନ୍ତି । ତାହା ଅବଶ୍ୟ ଏକ ଭିନ୍ନ ପ୍ରସଙ୍ଗ ।

 

ସବୁଜ ସାହିତ୍ୟର, ବିଶେଷତଃ କବିତାର କଳାତ୍ମକ ଦିଗର ବିଚାରରେ, କୌଣସି ବିଶେଷ ସମସ୍ୟା ନ ଥିଲା । ମାତ୍ର ଏହି ସମୟରେ ରଚିତ କବିତା ସମୂହର ବିଷୟବସ୍ତୁ ବା ବକ୍ତବ୍ୟର ବିଚାର କଲେ ବେଶ୍‌ ଚକିତ ହେବାକୁ ପଡ଼େ । କାରଣ ଓଡ଼ିଶା ସମେତ ସମଗ୍ର ଦେଶରେ ଯେତେବେଳେ ମୁକ୍ତି ଓ ସ୍ଵାଧୀନତାର ଯୁଦ୍ଧ ଆରମ୍ଭ ହୋଇ ବ୍ୟାପକ ଭାବେ ସଂପ୍ରସାରିତ ଓ ତୀବ୍ରତର ହୋଇ ଚାଲିଥିଲା, ସେତେବେଳେ ସବୁଜ କବିମାନେ ସ୍ଵପ୍ନ ଓ କଳ୍ପନାର ରାଜ୍ୟରେ ପ୍ରେମର ପସରା ଧରି ଘୂରି ବୁଲୁଥିଲେ ଏବଂ ଯୁଦ୍ଧଭୂମି ଛାଡ଼ି ପଳାୟନ ଲାଗି ବାଟ ଖୋଜୁଥିଲେ । ପ୍ରେମ ଓ ପ୍ରଣୟର ଗୀତ ଗାଇବା ସହିତ ବାସ୍ତବତା ଆଡ଼କୁ ଯଦି ଏ ସମୟର କବିମାନେ ଯୁଗପତ୍ ନିଘା କରିଥାନ୍ତେ ତାହେଲେ ମଧ୍ୟ ପରିସ୍ଥିତିକୁ ବୁଝିପାରିବା ଏବଂ ଗ୍ରହଣ କରିନେବା ଏତେବେଶି କଷ୍ଟକର ହୋଇନଥାନ୍ତା । ମାତ୍ର ମୁକ୍ତି, ନ୍ୟାୟ ଓ ସାମ୍ୟର ଅଭିବ୍ୟକ୍ତି ଏ ସମୟର କୌଣସି କବି ଉଚ୍ଚାରଣ କରିଥିବା ପ୍ରାୟ ଆଖିରେ ପଡ଼େନାହିଁ ।

 

ସତ୍ୟବାଦୀ ଯୁଗର ସ୍ଵଦେଶପ୍ରେମ, ଜାତୀୟତାବୋଧ ଓ ମାତୃଭୂମି ପ୍ରତି ଉତ୍ସର୍ଗୀକୃତତା ମୁଖ୍ୟତଃ ଥିଲା ଏକ ପ୍ରାଦେଶିକ ଚେତନା ବା ଅନ୍ୟ ଭାଷାରେ କହିଲେ ଏହା ଥିଲା ନିବିଡ଼ ଉତ୍କଳୀୟତାବୋଧ । ଉତ୍କଳ ଜନନୀର ନାନା ଦୁରବସ୍ଥା, ଦାରିଦ୍ର୍ୟ, ଛିନ୍ନବିଚ୍ଛିନ୍ନ ରାଜନୈତିକ ସୀମାରେଖା, ସାଂସ୍କୃତିକ ସ୍ଖଳନ ଓ ଅନଗ୍ରସରତାର ଉର୍ଦ୍ଧ୍ୱକୁ ଉଠିବାକୁ ଗୋପବନ୍ଧୁ- ଗୋଦାବରୀଶ ପ୍ରମୁଖ ସତ୍ୟବାଦୀ ପଂଚସଖା ଦୃଢ଼ ସ୍ଵର ଉତ୍ତୋଳନ କରିଥିଲେ । ସୁପ୍ତ ଓଡ଼ିଆ ଜାତିକୁ ସୁଷୁପ୍ତି ତ୍ୟାଗ କରି ଜାଗ୍ରତ ହେବାକୁ ସେମାନେ ଉଦାତ୍ତ ସ୍ଵରରେ ଉଦ୍‍ବୋଧନ ଦେଇଥିଲେ । ଏହି ପ୍ରାଦେଶିକ ଚେତନା ସହ ମହାତ୍ମାଗାନ୍ଧୀଙ୍କ ନେତୃତ୍ଵରେ ଭାରତର ମୁକ୍ତି ବା ସ୍ୱାଧୀନତା ପାଇଁ ଅହିଂସା-ଯୁଦ୍ଧର ଆହ୍ୱାନରେ ମଧ୍ୟ ସତ୍ୟବାଦୀ ସାହିତ୍ୟିକମାନେ ସ୍ଵର ମିଳାଇଥିଲେ ।

 

କିନ୍ତୁ ସତ୍ୟବାଦୀଯୁଗର ମୁକ୍ତିମନ୍ତ୍ର ନୀରବିଯାଇ ସବୁଜ କବିମାନଙ୍କ ଲେଖନୀରେ ଯେଉଁ ଏକ ଶୂନ୍ୟସ୍ଥାନ ତିଆରି ହେଲା, ଠିକ୍‌ ତା’ପରେପରେ ହିଁ ଓଡ଼ିଆ ସାହିତ୍ୟରେ କବି ଅନନ୍ତ ପଟ୍ଟନାୟକଙ୍କ ବିସ୍ଫୋରକ ଆବିର୍ଭାବ ଘଟେ । ଅନନ୍ତ ପଟ୍ଟନାୟକଙ୍କୁ କେବଳ ଜଣେ ମହାନ ବିପ୍ଳବୀ କବି ବୋଲି କହିଦେଲେ ଆଦୌ ଯଥେଷ୍ଟ ହେବ ନାହିଁ । ଜାତୀୟ ତଥା ପ୍ରାଦେଶିକ ଇତିହାସର ଏକ ଜଟିଳ ସନ୍ଧିକ୍ଷଣରେ ଈଶ୍ୱର-ପ୍ରେରିତ ଭାବେ ଅବତୀର୍ଣ୍ଣ ହୋଇ ସେ ଯେ ଏକ ଅତ୍ୟନ୍ତ ଯୁଗୋପଯୋଗୀ ଐତିହାସିକ ମନ୍ତ୍ରର ମାନ୍ତ୍ରିକ ଭାବେ ଆମ ସମ୍ମୁଖରେ ଦୃଶ୍ୟମାନ ହୋଇଥିଲେ ତାହା ଆମ ସାହିତ୍ୟର ଏକ ଗୁରୁତ୍ଵପୂର୍ଣ୍ଣ ଅଧ୍ୟାୟ ।

 

ସତ୍ୟବାଦୀ କବିମାନେ ଅତ୍ୟନ୍ତ ସମୟୋପଯୋଗୀ ଭାବେ ଆଳସ୍ୟପୀଡ଼ିତ, ନିଶ୍ଚେଷ୍ଟ, ଆତ୍ମବିଶ୍ରାସରହିତ, ଅବକ୍ଷୟ- ଅଭ୍ୟସ୍ତ ଓଡ଼ିଆ ଜାତିକୁ ଦେହରୁ ଧୂଳିଝାଡ଼ି, ଅଣ୍ଟାସଳଖି ଯୁଦ୍ଧ ଲାଗି ପାଗ ଭିଡ଼ିବାକୁ ଆହ୍ୱାନ କରିଥିଲେ । ମାତ୍ର ସେ ଆହ୍ଵାନ ଥିଲା ମୁଖ୍ୟତଃ ଓଡ଼ିଶାକୁ ସ୍ଵତନ୍ତ୍ର ପ୍ରଦେଶ ଭାବେ ଗଢ଼ିବାକୁ ସ୍ଵର ଉତ୍ତୋଳନ କରିବାର ଆହ୍ୱାନ, ଭାରତକୁ ବିଦେଶୀ ଶାସନରୁ ମୁକ୍ତ କରିବାକୁ ସତ୍ୟାଗ୍ରହ ଯୁଦ୍ଧର ଆହ୍ୱାନ, ସମାଜ-ସାଂସ୍କୃତିକ କ୍ଷେତ୍ରରେ ଉତ୍କର୍ଷ ପ୍ରତିଷ୍ଠା ଲାଗି ସାଧନାରତ ହେବାକୁ ଆହ୍ଵାନ । ସଂକ୍ଷେପରେ କହିଲେ ସେ ବାଣୀ ଥିଲା ଓଡ଼ିଶା ଲାଗି ଓ ଓଡ଼ିଆଙ୍କ ସ୍ୱାଭିମାନର ପୁନଃପ୍ରତିଷ୍ଠା ଲାଗି ଉଦାତ୍ତ ଜାଗରଣର ବାଣୀ ।

 

ମାତ୍ର କବି ଅନନ୍ତ ପଟ୍ଟନାୟକ ଯେଉଁ ଉତ୍ତପ୍ତ କାବ୍ୟିକ ଉଦ୍‌ବୋଧନରେ ଆମକୁ ଆହ୍ୱାନ କଲେ ସେଥିରେ କେବଳ ଓଡ଼ିଶା ବା ଭାରତ ପାଇଁ ନୁହେଁ, ସମଗ୍ର ବିଶ୍ଵର ମଣିଷ ଜାତି ଲାଗି ଥିଲା ସମ୍ବୋଧନ । ସମଗ୍ର ମଣିଷ ଜାତିର ପ୍ରତିନିଧିତ୍ଵ ସହିତ ସେ କରିଥିଲେ ଅପ୍ରତିହତ ତୀବ୍ର ସ୍ଵର ଉତ୍ତୋଳନ । ସମଗ୍ର ପୃଥିବୀର ସମସ୍ତ ମଣିଷକୁ ଗୋଟାଏ ସଙ୍ଗଠିତ ଜାତି ଭାବରେ ଦେଖିବା ଏବଂ ସମସ୍ତଙ୍କ ପାଇଁ ସାମ୍ୟ, ସୁବିଚାର, ନ୍ୟାୟ, ନିରାପତ୍ତା, ସମ୍ମାନ, ସୁଖ ଓ ସ୍ୱାଧୀନତା ଦାବୀ କରିବା ମଧ୍ୟରେ ଯେଉଁ ଅସାଧାରଣ ବିଶ୍ୱ-ଦୃଷ୍ଟି ଥିଲା, ତାହା ଥିଲା ଏକାନ୍ତ ଅଭୂତପୂର୍ବ ଓ ଐତିହାସିକ ।

 

ଏହି ବିଶ୍ଵଭ୍ରାତୃତ୍ଵଭାବ ଓ ବିଶ୍ଵମାନବ-ଚେତନା ୧୯୩୫ ମସିହା ବେଳକୁ ଓଡ଼ିଆ ସାହିତ୍ୟରେ ଥିଲା ସମ୍ପୂର୍ଣ୍ଣ ନୂଆ । ଏହାର ଅର୍ଦ୍ଧଶତାବ୍ଦୀରୁ ଉର୍ଦ୍ଧ୍ୱକାଳ ତଳେ ସନ୍ଥକବି ଭୀମଭୋଇ ଯେଉଁ ବିଶ୍ଵକଲ୍ୟାଣର ମହାମନ୍ତ୍ର ଉଚ୍ଚାରଣ କରିଥିଲେ ତାହା ମଧ୍ୟ ଥିଲା ଅତ୍ୟନ୍ତ ବିରଳ ଓ ଅଭୂତପୂର୍ବ, ଏଥିରେ କୌଣସି ସନ୍ଦେହ ନାହିଁ । ମାତ୍ର ଦାବୀ ଯଦି ପ୍ରତ୍ୟାଖ୍ୟାତ ହୋଇଯାଏ ତାହେଲେ ନ୍ୟାୟ ଓ ଅଧିକାର ସାବ୍ୟସ୍ତ ତଥା ହାସଲ କରିବା ଲାଗି ବିପ୍ଳବ ଏବଂ ସଂଗ୍ରାମର ପଥ ଅବଲମ୍ବନ କରିବାର ଦୀକ୍ଷା ଦେଲେ ବିପ୍ଳବୀ କବି ଅନନ୍ତ ।

 

ଅନନ୍ତ ପଟ୍ଟନାୟକଙ୍କ ଏହି ବାମପନ୍ଥୀ, ସାମ୍ୟମାର୍ଗୀ, ମାର୍କ୍ସବାଦୀ କାବ୍ୟଚେତନାରେ ତାଙ୍କ ସହ ସ୍ଵର ମିଳାଇଥିଲେ ଅନ୍ୟତମ ମହାନ୍‌ କବି ସଚ୍ଚି ରାଉତରାୟ ତଥା ଭଗବତୀଚରଣ ପାଣିଗ୍ରାହୀ, ମନମୋହନ ମିଶ୍ର ରଘୁନାଥ ଦାସ ଏବଂ ଏହି ନୂତନସ୍ଵରକୁ ପରବର୍ତ୍ତୀ ସମୟରେ ଆପଣାଇଥିଲେ ସବୁଜକବି କାଳିନ୍ଦୀଚରଣ ପାଣିଗ୍ରାହୀ । ଅବଶ୍ୟ ଏହି ଚେତନାର ଉନ୍ମେଷ ପ୍ରଥମେ ବିଦେଶରେ ଘଟି ସାରିଥିଲା । ୧୯୧୭ ମସିହାର ଋଷ୍‌ବିପ୍ଳବ ପରିପ୍ରେକ୍ଷୀରେ ଋଷୀୟ କବି ଭ୍ଲାଦିମିର୍‌ ମାୟାକୋଭ୍‌ସ୍କି, ମାର୍କିନ୍‌ କବି ୱାଲ୍‌ଟ୍‌ ହ୍ୱିଟ୍‌ମ୍ୟାନ୍‍ ଫରାସୀ କବି ଲୁଇ ଆରାଁ ପ୍ରଭୃତି ଏହି ବାମପନ୍ଥୀ ସାମ୍ୟବାଦୀ ଚେତନାର ଆବାହନୀ ଗାନ କରି ସାରିଥିଲେ । ମାତ୍ର ଓଡ଼ିଆ ସାହିତ୍ୟରେ ଏହି ଐତିହାସିକ ଚେତନାର ଆଦ୍ୟ ରୂପକାର ଯେ ଅନନ୍ତ ପଟ୍ଟନାୟକ ଓ ସଚ୍ଚିରାଉତରାୟ ଥିଲେ ଏଥିରେ ସଂଦେହର ଅବକାଶ ନାହିଁ ।

 

ପୃଥିବୀର କେଉଁ ଅଜଣା କୋଣରେ ସୁଦ୍ଧା ଅତ୍ୟାଚାରିତର ଆଖି‌ରୁ ଝରୁଥିବା ବୁନ୍ଦାଏ ଲୁହ କ୍ରୃଶବିଦ୍ଧ କରୁଥିଲା ଏହି ଦରଦୀ ମାନବବାଦୀ କବିଙ୍କୁ । ଅନ୍ୟାୟ ଓ ଅତ୍ୟାଚାରରେ ନିଷ୍ପେଷିତ ପୀଡ଼ିତ ମଣିଷ କଂଗୋରେ ଥାଉ କିମ୍ବା କୋରିଆରେ, ସେଥିରେ ବ୍ୟଥାତୁର ହୋଇଉଠେ ଏହି ସଂବେଦନଶୀଳ ସ୍ରଷ୍ଟାର କବିପ୍ରାଣ । କବି ଅନନ୍ତ ପଟ୍ଟନାୟକ ବିଶ୍ୱ-ମଣିଷର ହାହାକାର ଓ ଅଧିକାରର କଥାକୁ ପ୍ରଚଣ୍ଡ ବେସାଲିସ୍‌ ଢଙ୍ଗରେ, ତୀବ୍ର ଜ୍ଵାଳାମୁଖୀ ବିସ୍ଫୋରକ ଉଚ୍ଚାରଣରେ, କାଳଜୟୀ କଳାତ୍ମକତାରେ ଅଭିବ୍ୟକ୍ତ କରିଛନ୍ତି । ‘‘ରକ୍ତଶିଖା’’ (୧୯୩୯), ‘‘ତର୍ପଣ କରେ ଆଜି’’ (୧୯୪୯), ‘‘ଶାନ୍ତିଶିଖା’’ (୧୯୫୨), ‘‘କିଂଚିତ୍‌’’ (୧୯୫୯), ‘‘ଅଲୋଡ଼ା ଲୋଡ଼ା’’ (୧୯୬୪), ‘‘ଛାଇର ଛିଟା’’ (୧୯୬୬), ‘‘ଅବାନ୍ତର’’ (୧୯୬୮), ‘‘ଅଋତୁ ଋତୁ’’ (୧୯୮୬) ପ୍ରଭୃତି ତାଙ୍କ କବିତା ସଙ୍କଳନମାନଙ୍କରେ ଅନ୍ତର୍ଭୁକ୍ତ କବିତାରେ ରହିଛି ଅନ୍ୟାୟ ବିରୁଦ୍ଧରେ ପ୍ରତିବାଦ, ଶାନ୍ତିର ବାର୍ତ୍ତା ଏବଂ ନ୍ୟାୟ ଓ ଅଧିକାର ବିଡ଼ମ୍ବିତ ହେଲେ ନିର୍ଭୟ ସଂଗ୍ରାମ କରିବାକୁ ଆହ୍ଵାନ ।

 

ଶବ୍ଦଚୟନ, ଛାନ୍ଦସିକତା, ପ୍ରକାଶଭଙ୍ଗୀ ଏବଂ କଳାତ୍ମକ ରୁଚି ସମ୍ପନ୍ନ ଉଦାର, ଜ୍ଵାଳାମୁଖୀ, ଅଗ୍ନିଗର୍ଭା ବାଙ୍‌‌ମୟତା ତାଙ୍କ କାବ୍ୟିକ ପରିବେଷଣକୁ କେବଳ ହୃଦୟ ଭିତରକୁ ନୁହେଁ, ସିଧା ପାଠକର ପ୍ରାଣ ଓ ରକ୍ତକଣିକା ନିକଟକୁ ସତେ ଯେମିତି ବାଟ କଢ଼େଇନିଏ !

 

‘‘ମୃତ୍ୟୁର ଜଳେ ପହଁରି ପହଁରି ତୋଳେ ଯେ ତୋ ଲାଗି ରକ୍ତକଇଁ

କୃଷ୍ଣ ନାଗର ବଂଶନେ ସେ କି ପଡ଼ିବ ନଇଁରେ ପଡ଼ିବ ନଇଁ ?’’

(‘ଝରରେ ରୁଧିର’ - ‘କିଞ୍ଚିତ୍‌’ ସଂକଳନରୁ)

 

ଏ ‘ମୃତ୍ୟୁ’ ଅନ୍ୟାୟ, ଅନୀତି, ଅବିଚାର, ଅତ୍ୟାଚାର, ଶୋଷଣ, ନିଷ୍ପେଷଣ, ନିର୍ଯ୍ୟାତନା, ଅସାମ୍ୟ ଓ ପରାଧୀନତା ବିରୁଦ୍ଧରେ ଯୁଦ୍ଧକରି ପ୍ରାଣ ବିସର୍ଜନ ଲାଗି ଦୃଢ଼ ପ୍ରତିଜ୍ଞ ମାନବବାଦୀ, ସଂବେଦନଶୀଳ, ଜଗତ୍‌ପ୍ରେମୀ ବିପ୍ଳବୀ ସହିଦ୍‌ର ମୃତ୍ୟୁ । ଏବଂ ସେ ‘ରକ୍ତକଇଁ’ ଉପର୍ଯ୍ୟୁକ୍ତ ସମସ୍ତ ବିଡ଼ମ୍ବନାର ଅନ୍ତପରେ ବିଶ୍ୱରେ ପ୍ରତିଷ୍ଠିତ ହେବାକୁ ଯାଉଥବା ‘ସାମ୍ୟ’ର ରକ୍ତକଇଁ । ଏବଂ ସେ ‘କୃଷ୍ଣନାଗ’ ଅତ୍ୟାଚାରୀ, ଶୋଷକ, ପାଶବିକ, ସ୍ୱାର୍ଥାନ୍ଵେଷୀ, ଅମାନୁଷିକ, ବର୍ବର ବ୍ୟକ୍ତି ଓ ଅନୁଷ୍ଠାନ-। ବିଶ୍ଵ କଲ୍ୟାଣର ମନ୍ତ୍ରରେ ଦୀକ୍ଷିତ, ସମଗ୍ର ମାନବ ଜାତିର ମଙ୍ଗଳ. ଲାଗି ଅଙ୍ଗୀକାରବଦ୍ଧ ବିପ୍ଳବୀର କେବେହେଲେ ମୃତ୍ୟୁ ନାହିଁ । ଗଣମଙ୍ଗଳକାମୀ ସେ ବିପ୍ଳବୀକୁ ମୃତ୍ୟୁର ଭୟ ସ୍ପର୍ଶ କରିପାରେନାହିଁ । ସେ ରକ୍ତବୀର୍ଯ୍ୟ, ମୃତ୍ୟୁଞ୍ଜୟୀ । ଶାରୀରିକ ବା ଭୌତିକ ମୃତ୍ୟୁପରେ ମଧ୍ୟ ତା’ର ତ୍ୟାଗ, ସଂଘର୍ଷ, ସଂଗ୍ରାମ ଓ ଆତ୍ମୋତ୍ସର୍ଗ ତାକୁ ଆୟୁଷ୍ମାନ କରି ରଖିଥାଏ ଚିରକାଳ ।

 

‘ଲଙ୍ଗଳର ପଥରୋଧ କର କିଏ ?

-

ପ୍ରସ୍ତର !

ଶସ୍ୟର ସ୍ମିତରୋଧ କର କିଏ ?

-

ପଙ୍ଗପାଳ !

ଆତ୍ମାର କଂଠରୋଧ କର କିଏ ?

-

ଆତତାୟୀ !’’

(‘ଆସିଚି ମୁଁ ଆସିଛି’ _ ‘ଶାନ୍ତିଶିଖା’, ସଂକଳନ)

 

ପ୍ରସ୍ତର, ପଂଗପାଳ ଓ ଆତତାୟୀ - ଏମାନେ ବର୍ବର ଅତ୍ୟାଚାରୀ ଓ ଶୋଷକର ପ୍ରତୀକ-। ମାନବଜାତିର କଲ୍ୟାଣ ଉଦ୍ଦେଶ୍ୟରେ ପ୍ରତିବନ୍ଧକର ପାହାଡ଼ ରୂପୀ ସମସ୍ତ ବାଧକକୁ ଧ୍ଵଂସ କରିଦେବାକୁ ବିଦ୍ରୋହୀ ପୁରୁଷ ଶପଥବଦ୍ଧ । ସେ ଏକ ଦୁର୍ଦ୍ଦମନୀୟ ଝଡ଼, ଏକ ଅପ୍ରତିହତ ବନ୍ୟା, ଏକ ଅନମନୀୟ ବିସ୍ଫୋରଣ, ଏକ ଅପରାଜେୟ ତରବାରୀ ।

 

‘‘ଜୀବନ ଧରି ହେ ଢାଳିଲୁ ରକ୍ତ ତୋଳିଲୁ ସଉଧ ମାଳା

ଆମରି ଲାଗିରେ ଶାସନଶକ୍ତ ଆମେଇ ସର୍ବହରା ।

x      x      x

ପ୍ରାପ୍ୟ ଆମର ନେବୁରେ ମୁକର ଆମେ ଶ୍ରମିକର ଜାତି

ଫୁଟାଇବୁ ଆଜି ରକ୍ତ ପ୍ରଭାତ ଚିରି ଅନ୍ଧାର ରାତି ।

ନିଃସ୍ଵ ଯେତେକ ବିଶ୍ଵର କୋଳେ ସକଳ ଶ୍ରମିକ ଚାଷୀ

ମିଳିତ ହୁଅରେ ଆମରି ସଂଗେ ଶଂକା ଜଡ଼ତା ନାଶି ।

ଥରୁରେ ଧରଣୀ ଆକାଶ ପବନ ଥରୁରେ ଶୋଷକକୁଳ

ହସିଉଠୁ ଆଜି ସମତା ଜଗତେ ଭାଜୁରେ ପାହାଡ଼ ଚୂଳ ।’’

(‘ସର୍ବହରା’ - ‘ରକ୍ତଶିଖା’ ସଂକଳନରୁ)

 

ନ୍ୟାୟ ଓ ସାମ୍ୟ ଲାଗି, ଶୋଷଣ-ମୁକ୍ତ ସମାଜ ଲାଗି ଏହି ଦୁର୍ଦ୍ଦମନୀୟ ଆହ୍ୱାନରେ ପ୍ରତିବିମ୍ବିତ ବାର୍ତ୍ତାର ବ୍ୟାଖ୍ୟା ଅନାବଶ୍ୟକ ।

 

କେବଳ କବିତା ନୁହେଁ ଗଳ୍ପ, ନାଟକ, ପ୍ରବନ୍ଧ, ସମାଲୋଚନା, ଶିଶୁ-ସାହିତ୍ୟ ପ୍ରଭୃତି ସାହିତ୍ୟର ବିଭିନ୍ନ ବିଭାଗରେ ସକ୍ରିୟ ତାଙ୍କର ପ୍ରବୀଣ ଲେଖନୀ ଜଣେ ସମାଜ ସଚେତନ ପ୍ରାଣବାନ୍‌ ସ୍ରଷ୍ଟାକୁ ହିଁ ଚିହ୍ନାଇଦିଏ ।

 

ଚାଷୀ, ମୂଲିଆ, ଖଟିଖିଆ, ମଜଦୁର୍‌.... ଯେଉଁମାନଙ୍କ ସ୍ଵେଦ ରକ୍ତ ଅର୍ପଣର ପରିଣତିରେ ଏ ପୃଥିବୀ ଦିଶେ ଏଡ଼େ ମନୋରମ, ମଣିଷର ଜୀବନ ହୁଏ ସୁଖ ସଂଭୋଗରେ ପରିପୂର୍ଣ୍ଣ-ତାକୁ ତା’ର ନ୍ୟାଯ୍ୟ ପ୍ରାପ୍ୟ ଦେବା ଯେକୌଣସି ସଭ୍ୟ ଜାତିର ପ୍ରାଥମିକ କର୍ତ୍ତବ୍ୟ । ସଂକ୍ଷେପରେ କହିବାକୁ ଗଲେ ଏହି ମାନବବାଦୀ ଦର୍ଶନ ଯୁଗେ ଯୁଗେ ମଣିଷ ଜାତି କାନରେ ପ୍ରତିଧ୍ୱନିତ ହେଉଥିବ ଏବଂ ସେଇ ବିଶାଳ ମେହନତି ମଣିଷ-ସମୁଦାୟ ଲାଗି ଦାୟବଦ୍ଧତା ଆମ ସାମ୍ନାରେ ବାରମ୍ବାର ଉପସ୍ଥାପିତ କରିଚାଲିଥିବ ।

 

ଅନନ୍ତ ପଟ୍ଟନାୟକ ସେହି ଶାଶ୍ୱତ ମାନବବାଦର ମହାମାନ୍ତ୍ରିକ ଭାବେ ଉଭା ହୋଇଥିଲେ ଆମ ସାହିତ୍ୟରେ । ଓଡ଼ିଆ ସାହିତ୍ୟରେ ତାଙ୍କର ସ୍ଥାନ ଏକ ଉତ୍ତୁଙ୍ଗ ବିନ୍ଦୁରେ ଚିରକାଳ ଉଦ୍ଭାସିତ ହୋଇ ରହିଥିବ ।

 

ନିର୍ଦ୍ଦେଶକ, ଓଡ଼ିଆ ଭାଷା ପ୍ରତିଷ୍ଠାନ, ଭୁବନେଶ୍ୱର-୧

 

***

 

ମରିନାହିଁ ସେତ ମରଣଜୟୀ

ଗିରିବାଳା ମହାନ୍ତି

 

‘ବୃଦ୍ଧ ହେ, ତୁମ ଦିବସ ଯାଇଚି ଚାଲି !

ନବଜୀବନର ଆହ୍ୱାନ ଆସେ ଖରେ,

ଛାଡ଼ିଦିଅ ପଥ, ନବୀନ ଆଲୋକ ଜାଳି

ତରୁଣ ବାହିନୀ ଛୁଟଇ ଦର୍ପଭରେ ।’ (୧)

 

କବି ଅନନ୍ତ ପଟ୍ଟନାୟକ (ଜୁନ୍‌ ୧୯୧୨-ଜୁନ୍‌ ୧୯୮୭) ଥିଲେ ଯୌବନ ଓ ବିପ୍ଳବର ପ୍ରତିନିଧି । ପ୍ରଗତି ପଥର ଆମରଣ ପଥିକ ଏ କବି ସକଳ ପ୍ରାଚୀନ-ପୁରାତନତାକୁ ତ୍ୟାଗକରି ନିରନ୍ତର ଯାତ୍ରା କରିଥିଲେ ସାହିତ୍ୟର ସଂଗ୍ରାମ ସରଣୀରେ । ଯାତ୍ରାର ଲକ୍ଷ୍ୟ ଥିଲା ‘ନୂଆ ଗାଁ ଗଡ଼’ ଛୁଇଁବାର ଦୁର୍ବାର ସାଧନା । ସେ ଯାତ୍ରାପଥରେ ଆଗତ ବାଧାବନ୍ଧନକୁ ଭ୍ରୂକ୍ଷେପ ନ କରି ଅନନ୍ତ ଲକ୍ଷ୍ୟ ସାଧନରେ ଆଗୁସାର ହୋଇଛନ୍ତି । ପରମ୍ପରାର ଅନାକାଂକ୍ଷିତ ଅତ୍ୟାଚାର, ଗୁରୁଜନ-ବୃଦ୍ଧଜନଙ୍କ ମୁରବୀଆନା, ଧର୍ମର ରଖୁଆଳ ସମାଜପତି - କେହି ତାଙ୍କର ପଥରୋଧ କରି ପାରିନାହାନ୍ତି । ଧର୍ମନାମରେ ସମଷ୍ଟିକୁ ଶୋଷଣ କରୁଥିବା ସମାଜ ପତିଙ୍କୁ ସେ ବରଂ ଆହ୍ଵାନ ଦେଇଛନ୍ତି-

 

କାହିଁ ଭଗବାନ, କାହିଁ ବା ଧର୍ମ କହ,

କାହାପାଇଁ ବସି ଗଡ଼ାଅ କାଷ୍ଠମାଳି ?

ପୃଥିବୀ କା ପାଇଁ କରିଲ ଦେଉଳମୟ ?

ଶ୍ରମିକ ମରେ ଯେ ଶରୀରୁ ରକ୍ତଢାଳି । (୨)

 

କହିଛନ୍ତି, ‘ଚାଲିଲ ମୁଁ ଚାଲିଲି,/ଶବର ସଂସାର ପରେ ଶସ୍ୟର ସାଗର ସୃଜି’ । କହିଛନ୍ତି, ‘ବସ୍ତୁର ବିଳାସରେ ପ୍ରାଣର ପ୍ରମାଣ ରଖି’ ଚାଲିଛି ନୂତନ ମଣିଷ, ଚାଲିଛି ତରୁଣ ଜନ, ଚାଲିଛ ଗଢ଼ିବାକୁ ନୂଆ ସମାଜ, ନୂଆ ଦୁନିଆ; ନିଜର ଆତ୍ମ ବିଶ୍ୱାସ, ନିଜର ବାହୁର ଦର୍ପନେଇ, ଅଗଣିତ ସମାଜ ପତିଙ୍କର, ପରମ୍ପରାର ଦୟାର ଦର୍ପକୁ ଭାଙ୍ଗି !

 

ସୌଖୀନ ଶାନ୍ତିର ଭ୍ରାନ୍ତି ଭାଙ୍ଗି କାଳର ପ୍ରାଣରେ କ୍ରାନ୍ତି ଆଣିବାର ଶପଥ ନେଇଥିଲେ ଅନନ୍ତ । କୋଦାଳ, ନିହାଣ, ଦା, ହାତୁଡ଼ି ଲୌହର ଲେଖନୀ ଆଉ କୋଇଲାର ତୂଳୀ ଥିଲା ତେଣୁ ତାଙ୍କର ଆୟୁଧ । ଘୋଷଣା କରିଥିଲେ କ୍ରାନ୍ତିର ଯାତ୍ରା । ପ୍ରତିଜ୍ଞା କରିଥିଲେ ବାରବାଟୀର ‘ପିତୃ ହୃଦୟରେ ପୁତ୍ର ହୃଦୟ’, - ଗତ ଗୌରବର ଉଷରଭୂମି ସହ ଆଗତ ଗୌରବର ଉର୍ବର ଭୂମିକୁ ମିଶାଇ ଏକାକାର କରି ଦେବାକୁ ।

 

ଅନନ୍ତ ଇତିହାସ ସଚେତନ କବି । ସେ ଜାଣିଥିଲେ ସଭ୍ୟତାର ଆଦ୍ୟ ସାମ୍ୟ-ପ୍ରଦୀପ ଦିନେ ଜଳି ଉଠିଥିଲା ଏଇ ଭାରତଭୂମିରେ । ଏଇ ବରୁଣେଇ ଖୋଲ, ଏଇ ମହୋଦଧୀ ସେ ଘଟଣାର ମୂକସାକ୍ଷୀ । ଆଜି ସେ ସବୁ ଘଟଣା ବିସ୍ମୃତ । ପ୍ରାଚୀନ ମହିମା ହରାଇ ଆଜି ମଣିଷ ଆତ୍ମସର୍ବସ୍ଵ ସ୍ୱାର୍ଥପର । ଜୀବନର ବଡ଼ଦାଣ୍ଡରେ ମଣିଷ ଆଜି ଭିକାରୀ, ନିରନ୍ନ ଅଭୁକ୍ତ । ରାଶିରାଶି ଆକାଂକ୍ଷାର ଖପରା ଗହଳରେ ଜୀବନ୍ମୁତ ଆଜି ଦେବଶିଶୁ ମାନବ । ସହାନୁଭୂତିରେ, ଦୟାରେ, କ୍ରୋଧରେ ଫାଟି ପଡ଼ୁଚି କବିର ହୃଦୟ ମଣିଷର ମଣିଷପ୍ରତି ଅବିଚାର ଦେଖି, ଦେଖି ମଣିଷର ସାମାଜିକ ଅସହାୟତା । ସେ ହୃଦୟଙ୍ଗମ କରିଛନ୍ତି ଏକଦା ସଂଗ୍ରାମବିଳାସୀ ଆଦି ଅବସ୍ଥାଚକ୍ରରେ ପଡ଼ି ଭିକାରୀ ସାଜିଛି । ଅଥଚ ଦିନେ ତାରି ହାତ ଗଢ଼ି ଦେଇ ଥିଲା ସଭ୍ୟତାର କବିତାର କୋଣାର୍କ-

 

ନିହାଣେ ନିହାଣେ ତାର

ତୂଳିରେ ତୂଳିରେ

ଜୀଆଇଛି କୋଣାର୍କ ନର୍ତ୍ତକୀ

ଜୀଆଇଛି ମୂକ ଜଗନ୍ନାଥ ।

x      x      x

ଅଭାବେ ନିକଟ ସେ ଯେ ଭାବକୁ ଦୁର୍ଲଭ,

x      x      x

ମରି ମରି ଗାଇଯାଏ ମୋକ୍ଷର ଚୌପଦୀ । (୩)

 

ଅନନ୍ତ ସାମ୍ୟବାଦୀ । ସାମ୍ୟବାଦୀ କବି ବ୍ୟକ୍ତିକୁ ବ୍ୟକ୍ତିତ୍ଵର ମୁକ୍ତି ଦେଇ ସମୂହରେ ଲୀନ କରିବାକୁ ସର୍ବଦା ପ୍ରୟାସ କରିଥାଏ । ଏ ପ୍ରୟାସ ଭିତରେ ସେ ବ୍ୟକ୍ତିତ୍ଵ ହରାଏ ନାହଁ, ବରଂ ହୁଏ ଅଧିକ ଆତ୍ମ ସଚେତନ ଓ ଆତ୍ମବିଶ୍ଵାସୀ । ଚୂନଛଡ଼ା ପାଚେରୀ ଫାଙ୍କରେ ଗଦେଇ ଉଠିଥିବା ଗଦା ପରି ସେ ଜାହିର କରେ ନିଜକୁ, ମରଣ ସହ ଲଢ଼େଇ କରି ମରଣଜୟୀ କରାଏ ନିଜକୁ । ତାର ଏ ବଂଚିରହିବା ମଧ୍ୟରେ ବ୍ୟକ୍ତିଗତ ଜୀଇଁ ରହିବାର ପ୍ରଲୋଭନ ଦାନା ବାନ୍ଧେ ନାହିଁ, ବରଂ ସମୂହର ବିକାଶ ଦିଗରେ ବ୍ୟକ୍ତିକୁ ସମର୍ଥ କରି ରଖିବାର ପ୍ରୟାସ ବଳବତ୍ତର ହୁଏ । କବି ଜାଣେ ମଣିଷର ମୃତ୍ୟୁ ନାହିଁ । ସମୟ ଓ ମଣିଷ ମଧ୍ୟସ୍ଥ ଦ୍ୱନ୍ଦ୍ୱରେ ଜୟ ହୁଏ ମଣିଷର । ଯୁଗେ ଯୁଗେ କାଳର ତମସା ଭେଦ କରି, ଲଂଘନ କରି ମୃତ୍ୟୁର ପାରାବାର ନବଜନ୍ମ ନିଏ ମଣିଷ ! ଯୁଗେ ଯୁଗେ ମଣିଷର ଉଦ୍ଧାର ଘଟେ ମଣିଷ ଦ୍ୱାରା ହିଁ । ମଣିଷକୁ, ଜୀବନକୁ ରୁଦ୍ଧ କରିବାର ଶକ୍ତି ଆଜିପର୍ଯ୍ୟନ୍ତ ଧାରଣ କରିନାହିଁ କୌଣସି ସ୍ୱାର୍ଥପର ଶୋଷକ- କାଳୀୟ-

 

ମୃତ୍ୟୁର ଜଳେ ପହଁରି ପହଁରି ତୋଳେ ଯେ ତୋଲାଗି ରକ୍ତ କଇଁ

କୃଷ୍ଣ ନାଗର ଦଂଶନେ ସେ କି ପଡ଼ିବ ନଇଁରେ ପଡ଼ିବ ନଇଁ !

x      x      x

ଝରରେ ରୁଧିର ଝରରେ ଝର

କରାଳ କାଳର କୃଷ୍ଣ-କପୋଳେ ସ୍ଵପ୍ନ- ତାରକା ଝଳରେ ଝଳ ! (୪)

ଅନନ୍ତ ଆଶାବାଦୀ କବି । ଏହି ଆଶା ହିଁ ତାଙ୍କୁ ‘ସ୍ଵପ୍ନ’ ଦେଖାଇଛି

ସ୍ଵପ୍ନ ଦେଖୁଚି- ହିଂସା ପରଶ ନାହିଁ,

ଜାଣେନା ଜାତି ମୋ ମାଲିକ ମୂଲିଆ କଥା;

ଦସ୍ୟୁବଣିକ ରାଜୁତି ଯାଇଚି କାହିଁ,

ସମାନ ସକଳେ ଉଚ୍ଚ ମଣିଷ ମଥା । (୫)

 

କବି ଅନନ୍ତ ହେଉଛନ୍ତି ବିଂଶ ଶତକର ଦାନ । ଆଜି ସ୍ଵାଧୀନ ଭାରତ ସ୍ଵାଧୀନ ହୋଇ ମଧ୍ୟ ସ୍ଵାଧୀନ ନୁହଁ । ମଣିଷ ତାର ଦୁଃଖ, ଦୈନ୍ୟ, କ୍ଷୁଧା, ଉତ୍ପୀଡ଼ନ, ଅବିଚାର, ଅତ୍ୟାଚାରରୁ ଆଜି ବି ମୁକ୍ତ ନୁହଁ । ଅନନ୍ତ ନିଜ ଜୀବଦ୍ଦଶାରେ ଏ ନାରଖାର ଦେଖି ଯାଇଛନ୍ତି । ତଥାପି ସେ ଯେଉଁ ସମୟରେ ଜନ୍ମ ନେଇ ପୃଥିବୀକୁ, ଭାରତକୁ, ସର୍ବୋପରି ମାତୃଭୂମି ଓଡ଼ିଶାକୁ ଦେଖିଥିଲେ ସେ ସମୟର ପୃଥିବୀର ନିପୀଡ଼ନ ତାଙ୍କୁ କାତର-ଜର୍ଜର, ବିପ୍ଳବମୁଖର କରିଥିଲା । ତେଣୁ ବିଶ୍ୱାୟିତ ହୋଇ ଉଠିଥିଲା ତାଙ୍କର ଦୃଷ୍ଟି ଓ ଚିନ୍ତା । ବିଶ୍ଵର କୋଣ ଅନୁକୋଣରେ ଯେଉଁଠି ମାନବର ଦୁଃଖ-ନାଶୀ-ରବିର ଉଦୟ ଘଟିଛି ଅନନ୍ତ ସେ ଦିଗରେ ଆଶାୟିତ ଦୃଷ୍ଟି ମେଲି ଧରିଛନ୍ତି, ତାହା ତାଙ୍କ କବିତାରେ ସ୍ପଷ୍ଟ । ସେ ଦେଖିଛନ୍ତି, ‘ସୂର୍ଯ୍ୟ ଉଇଁଛି ପଶ୍ଚିମ ପଥେ ।’ (୬) ବୋହି ଆସିଛି ପଶ୍ଚିମରୁ ସାମ୍ୟବାଦର ମନ୍ତ୍ରଧ୍ଵନି । ‘ସନ୍ଧ୍ୟାର ତୀରେ’, ‘ବନ୍ଧ୍ୟା ସ୍ମୃତିର’ ଗଳ୍ପକୁ ବିସର୍ଜନ ଦେଇ ପତାକାକୁ ଉର୍ଦ୍ଧ୍ୱକୁ ତୋଳି ଧରିବାର ସମୟ ଆଗତ । ଜାଗ୍ରତ ହୋଇଛି ବିଶ୍ଵ । ଜାଗ୍ରତ ହୋଇଛି ଓଡ଼ିଶା ଓ ଓଡ଼ିଆ - ଧନ୍ୟ ହୋଇଛି ବାରବାଟୀ ।

 

ମଧୁ - ବନ୍ଧୁ- ଭଗବତୀ (ମଧୁସୂଦନ ଦାସ, ଗୋପବନ୍ଧୁ - ଭଗବତୀଚରଣ) ମୁଣ୍ଡଟେକି ଠିଆ ହୋଇଛନ୍ତି । କବି ସାମିଲ ହୋଇଛନ୍ତି ସେଇ ସମୂହର ଧାରାରେ । ମାନସ ପଟରେ ଦେଖୁଛନ୍ତି ଏଇ ବାଟୀ ଛାତିରେ ଦିନେ ନୂଆ ଜୀବନର ଟିଟ୍ଟିଭ ଯିବ ଉଡ଼ି ।

 

ବିଶ୍ଵମାନର ଯାତ୍ରା ଆରମ୍ଭ ହୋଇଛି । ଆରମ୍ଭ ହୋଇଛି ସାମ୍ୟବାଦର ଯାତ୍ରା । କବି ସ୍ଥିର ହୋଇ ଆପଣା ନିଳୟରେ ରହି ପାରି ନାହିଁ । ମଧୁ-ବନ୍ଧୁ-ଭଗବତୀ ସହ ସାମିଲ ହେବା ପାଇଁ ନିଜେ ଆଗୁସାର ହୋଇଛି - ପ୍ରେୟସୀକୁ ଆହ୍ଵାନ ଦେଇଛି କବି-

 

ସକଳେ ଗଲେ ଗୋ ଯୁଗଳେ ଅମେ କି ରହିବା ?

ଧ୍ୱଂସର ତଳେ ପ୍ରୀତିର କମଳ ବୋହିବା ?

x      x      x

ସଖି, କୋଟିଲାଗି ଆସ ଗୋ ଜିଣିବା ମରଣ ! (୭)

 

ଆରମ୍ଭ ହୋଇଛି ମଣିଷର ଜୟର ଯାତ୍ରା ! ଏ ଯାତ୍ରାର ଅନ୍ୟତମ ଯାତ୍ରୀ ଅନନ୍ତ ଗାୟକ ସାଜିଛନ୍ତି ଶାନ୍ତି ଆଉ ସାମ୍ୟର ମୃତ୍ୟୁର କରାଳ ହାତ ତାଙ୍କୁ ନିଶ୍ଚିହ୍ନ କରିବାର ପ୍ରୟାସୀ ନ ହେଲା ଯାଏଁ ।

 

କିନ୍ତୁ କାହିଁ ମୃତ୍ୟୁ । ଶହେବର୍ଷ ପରେ ମଧ୍ୟ ମରିନାହଁ ସେତ ମରଣଜୟୀ ।’’

 

ପାଦଟୀକା :

୧.

ବୃଦ୍ଧ ହେ ତୁମ ଦିବସ ଯାଇଚି ଚାଲି, ଅଲୋଡ଼ାଲୋଡ଼ା, ଫ୍ରେଣ୍ଡସ୍‌ ପବ୍ଳିଶର୍ସ, କଟକ, ୧୯୬୪, ପୃ. ୪୪-୪୫ ।

୨.

କାବ୍ୟକାର, ଅଲୋଡ଼ା ଲୋଡ଼ା, ପୃ ୨୭-୨୯ ।

୪.

ଝରରେ ରୁଧିର, କିଞ୍ଚିତ୍, ସିଟିବୁକ୍‌ ଡିପୋ, ବାଲୁବଜାର, କଟକ, ୧୯୫୯, ପୃ ୮-୯ ।

୫.

କିଞ୍ଚିତ୍‌, ସ୍ଵପ୍ନଦେଖୁଚି, ପୃ. ୫ ।

୬.

ଅଲୋଡ଼ା ଲୋଡ଼ା, ପୃ. ୫୯ ।

୭.

ଏକି ତାକ ଆଜି, ଶାନ୍ତିଶିଖା, *ଗଡ଼ନାୟକ ।

 

ଡିଅରପାର୍କ, ଶାନ୍ତନିକେତନ - ୭୩୧୨୩୫, ପଶ୍ଚିମବଙ୍ଗ

 

***

 

ଆଲୋଚକ ଅନନ୍ତ ଅନନ୍ତ ଅନ୍ୱେଷଣ : ସାହିତ୍ୟରେ, ଜୀବନରେ

ଶୈଳଜ ରବି

 

ଯଦିଓ ଜୀବନ ମୋ ପାଇଁ ସାହିତ୍ୟ ଅପେକ୍ଷା ବୃହତ୍ତର ଓ ମହତ୍ତର ମୋର ଏହି ପ୍ରବନ୍ଧର ଶୀର୍ଷକରେ ମୁଁ ପ୍ରଥମେ ସାହିତ୍ୟକୁ ଓ ପରେ ଜୀବନକୁ ରଖିଛି । ଏ ଆଲୋଚନା ମୁଁ ଅନନ୍ତଙ୍କ ସାହିତ୍ୟ ତତ୍ତ୍ୱ ଆଲୋଚନାରୁ ଆରମ୍ଭ କରିଛି ଓ ତାଙ୍କ ଜୀବନର ଅନ୍ତିମ ପର୍ଯ୍ୟାୟକୁ ଖିଅ କରି ତାଙ୍କ ଜୀବନର ଏକ ଅନାଲୋଚିତ ଦିଗ ସମ୍ପର୍କରେ ଏକ ଆଭାସଚିତ୍ର ଆଙ୍କିଛି- ଏ ଆଲୋଚନାର ଶେଷ ଭାଗରେ । ଏ ପ୍ରବନ୍ଧରେ ମୁଁ ଅନନ୍ତଙ୍କ ସାହିତ୍ୟ ଅଥବା ଜୀବନର ଆଲୋଚନା କରିବି ନାହିଁ । କାରଣ ଏହି ଉଦ୍‌ଘାଟନୀ ଅଧିବେଶନ ପରେ ଦୁଇଟି ଆଲୋଚନା ଚକ୍ର ମାଧ୍ୟମରେ ତାଙ୍କର ଜୀବନ ଓ ସାହତ୍ୟର ବିଶଦ୍‌ ଆଲୋଚନା କରାଯିବ । ମୁଁ ଏ ପ୍ରବନ୍ଧରେ କେବଳ ଅନନ୍ତଙ୍କ ସାହିତ୍ୟତତ୍ତ୍ୱ ସଂପର୍କୀୟ ଚିନ୍ତାଧାରା ଏବଂ ତାର ଐତିହାସିକ ଏବଂ ସାଂସ୍କୃତିକ ପୃଷ୍ଠଭୂମି ସମ୍ପର୍କରେ ଆଲୋଚନା କରିବି । ଏ ଆଲୋଚନାକୁ ଆପଣମାନେ ପରବର୍ତ୍ତୀ ଦୁଇ ଅଧିବେଶନରେ ହେବାକୁ ଥିବା ଆଲୋଚନାର ଉପୋଦ୍‌ଘାତ ରୂପେ ଧରିନେଇ ପାରନ୍ତି ।

 

ପାଞ୍ଚଭାଗରେ ପ୍ରକାଶିତ ‘ଅନନ୍ତ ପଟ୍ଟନାୟକ ରଚନା ସମଗ୍ର’ରେ ଅନନ୍ତଙ୍କ ସାହିତ୍ୟ ତତ୍ତ୍ୱ ସମ୍ପର୍କୀୟ ଆଲୋଚନା ଚତୁର୍ଥ ଖଣ୍ଡର ଦୁଇଟି ପ୍ରବନ୍ଧରେ ଉପଲବ୍ଧ । ପ୍ରଥମଟିର ଶୀର୍ଷକ ‘ସାହିତ୍ୟରେ ଶ୍ରେଣୀପରତା’ । ଏହା ପ୍ରଥମେ ପ୍ରକାଶିତ ହୋଇଥଲା ସେପ୍ଟେମ୍ବର ୧୯୩୬ରେ ‘ଆଧୁନିକ’ର ୫ମ ସଂଖ୍ୟାରେ । ଦ୍ୱିତୀୟ ପ୍ରବନ୍ଧଟିର ଶୀର୍ଷକ ‘କବିତାର ବିଳାପ’ ? ଶୀର୍ଷକଟିରେ ଗୋଟିଏ ପ୍ରଶ୍ନବାଚକ ଚିହ୍ନ ରହିଛି । ଏହା ପ୍ରଥମେ କେଉଁଠାରେ କେବେ ପ୍ରକାଶ ପାଇଥିଲା କିଛି ଉଲ୍ଲେଖ ନାହିଁ । ମାତ୍ର ଯେଉଁ କ୍ରମରେ ଏହା ଛପାଯାଇଛି ସେଥିରୁ ଧାରଣା କରାଯାଇପାରେ ଯେ ଏ ଉଭୟ ଭିତରୁ ‘ସାହିତ୍ୟରେ ଶ୍ରେଣୀପରତା’ ପ୍ରଥମେ ଲିଖିତ ।

 

ଏକଦା ପାଶ୍ଚାତ୍ୟ ଆଧୁନିକତାବାଦୀ ସମାଲୋଚକମାନେ ମାର୍କ୍ସବାଦୀ କଳାତତ୍ତ୍ୱକୁ ‘extra aesthetic’ ଅର୍ଥାତ୍‌, ଏହା ନାନ୍ଦନିକ ଆଲୋଚନାର ବହିର୍ଭୁତ ଏବଂ କଳାତତ୍ତ୍ଵ ପଦବାଚ୍ୟ ନୁହେଁ ବୋଲି ନାକ ଟେକୁଥିଲେ । ମାତ୍ର ପରବର୍ତ୍ତୀ କାଳରେ ଲୁକାକ୍ସ, ବାଖ୍‌ତିନ୍‌, ବ୍ରେଖଟ୍‌, ସାର୍ତ୍ତେ, ରେମଣ୍ଡ ଉଇଲିୟମସ୍‌ ଅଥବା ଫ୍ରାଙ୍କ୍‌ଫର୍ଟ ଗୋଷ୍ଠୀର ମାର୍କ୍ସବାଦୀ ଆଡ଼ର୍ଣ୍ଣୋ, ଫ୍ରୋମ୍‌ ଅଥବା ବିଭିନ୍ନ ସଂରଚନାବାଦୀ ତଥା ଉତ୍ତର ସଂରଚନାବାଦୀଙ୍କ ମଧ୍ୟରେ ଥିବା ମାର୍କ୍ସବାଦୀ ତତ୍ତ୍ଵବିତ୍‌ ଯଥା, ଆଲ୍‌ଥୁଜର୍‌, ଜେମ୍‌ସନ୍‌ ଇତ୍ୟାଦିଙ୍କ ଅପେକ୍ଷାକୃତ ମୁକ୍ତ ଆଲୋଚନା ଆଜି ପାଶ୍ଚାତ୍ୟ ଜଗତର ସମାଲୋଚନା ସାହିତ୍ୟରେ ମାର୍କ୍ସୀୟ କାବ୍ୟତତ୍ତ୍ଵ ପାଇଁ କେବଳ ଏକ ମର୍ଯ୍ୟାଦାପୂର୍ଣ୍ଣ ଆସନ ସୃଷ୍ଟି କରିନାହିଁ, ଉଭୟ ପାଶ୍ଚାତ୍ୟ ଏବଂ ମାର୍କ୍ସୀୟ କାବ୍ୟତତ୍ତ୍ଵ ମଧ୍ୟରେ ବିଭିନ୍ନ ସ୍ତରରେ ସଂଯୋଗ ସେତୁ ସୃଷ୍ଟି କରିବାକୁ ସକ୍ଷମ ହୋଇଛି ।

 

ତେବେ ଆଲୋଚକ ଅନନ୍ତଙ୍କ ଆଲୋଚନା କ୍ଲାସିକ୍‌ ସୋଭିଏତ୍‌ ଆଲୋଚନା ପଦ୍ଧତି, ଅର୍ଥାତ୍‌, ମୋଟାମୋଟି ଭାବେ ପ୍ଳେଖାନଭ୍‌ ଓ ଲେନିନ୍‍ଙ୍କ ପ୍ରଦର୍ଶିତ ପଦ୍ଧତି ଅବଲମ୍ବନ କରିଛି । ମନେରଖିବାକୁ ହେବ ଯେ ମାର୍କ୍ସ ଓ ଏଙ୍ଗେଲ୍‌ସଙ୍କର ସାହିତ୍ୟ ଓ କଳା ସଂପର୍କୀୟ ବିକ୍ଷିପ୍ତ ଚିନ୍ତାଧାରାକୁ ପ୍ରଥମେ ବିଧିବଦ୍ଧ ରୂପ ପ୍ରଦାନ କରାଯାଇଥିଲା, ସୋଭିଏତ୍‌ ରୁଷିଆରେ ବିଂଶ ଶତାବ୍ଦୀର ୨ୟ ଦଶକରେ ଏବଂ ଏହାର ପ୍ରଥମ ସଂକଳୟିତା ଓ ବ୍ୟାଖ୍ୟାକାର ଥିଲେ ପ୍ଳେଖାନଭ୍‌ ଏବଂ ତା’ପରେ ଲେନିନ୍‌ । ବିଂଶ ଶତାବ୍ଦୀର ୩ୟ ଦଶକରେ, ଅର୍ଥାତ୍‌ ଅନନ୍ତଙ୍କ ଏହି ଲେଖାଟି ପ୍ରକାଶିତ ହେବା ବେଳକୁ ଭାରତର ଅଣମାର୍କ୍ସବାଦୀ ଆଧୁନିକ କବିମାନେ ବରଣ କରିସାରିଲେଣି ଏଲିୟଟ୍‌, ଏଜରାପାଉଣ୍ଡ ଓ ୟେଟ୍‌ସ୍‌ଙ୍କ । ସେତେବେଳେ ସାହିତ୍ୟ ଯୁଦ୍ଧ ଆରମ୍ଭ ହୋଇଛି ଏକ ସ୍ପଷ୍ଟ ଭାବାଦର୍ଶଗତ ଯୁଦ୍ଧରୁ । ନରଦାନବ ହିଟ୍‌ଲର ଓ ମୁସୋଲିନ୍‌ କେବଳ ଇଂରେଜ ସାମ୍ରାଜ୍ୟବାଦୀ ଅଥବା କମ୍ୟୁନିଷ୍ଟମାନଙ୍କର ହୃତ୍‌କମ୍ପ ସୃଷ୍ଟିକରୁ ନଥିଲେ ସେମାନଙ୍କର ନାରକୀୟଲୀଳା ଓ ସାମ୍ରାଜ୍ୟବାଦୀ ଲୋଲୁପତା ସମସ୍ତ ପୃଥିବୀକୁ ଶଂକିତ କରି ରଖିଥିଲା । ମାତ୍ର ଆଶ୍ଚର୍ଯ୍ୟର ବିଷୟ ଆମର ଉପରୋକ୍ତ ତିନି କବି ଏହି ଅପଶକ୍ତି ଦୁହିଁଙ୍କୁ ନୈତିକ ସମର୍ଥନ ଜଣାଇଥିଲେ । ପାଉଣ୍ଡ ଖୋଲାଖୋଲି ଭବେ ହିଟଲର୍‌ ପାଇଁ ପ୍ରଚାର କରୁଥିବାବେଳେ ନିଜକୁ ଗର୍ବର ସହ ରାଜତନ୍ତ୍ରର ଭକ୍ତ ବୋଲି ଘୋଷଣା କରିସାରିଥିବା ତାଙ୍କର ବନ୍ଧୁ ଏଲିୟଟ୍‌ ପରୋକ୍ଷଭାବରେ ହିଟଲର୍‌ଙ୍କୁ ସମର୍ଥନ କରୁଥିଲେ । ଏବଂ ଆମର ‘ଗୀତା’, ତଥା ‘ଗୀତାଞ୍ଜଳି’କୁ ସର୍ବୋଚ୍ଚ ସମ୍ମାନ ଦେଇଥିବା ୟେଟ୍‌ସ ମହୋଦୟ ଫ୍ୟାସିବାଦର ସ୍ରଷ୍ଟା ମୁସୋଲିନୀ ସପକ୍ଷରେ ମତ ପ୍ରକାଶ କରିଥିଲେ । (John R. Harrision, The Reactionaries, Schocken Book, N.Y.1967ରେ ଏହି ତିନି ଲେଖକଙ୍କ ସମ୍ପର୍କରେ ଆଲୋଚନା କରିଥିବା ଏକ, ତିନି ଓ ଚାରି ଅଧ୍ୟାୟ ଦ୍ରଷ୍ଟାବ୍ୟ)

 

ତେଣୁ ଏହିଭଳି ପରିସ୍ଥିତିରେ କମ୍ୟୁନିଷ୍ଟ ଲେଖକକୁଳ ବିଶ୍ୱ କଳାକାର ଲେଖକ ଗୋଷ୍ଠୀଙ୍କୁ ସ୍ପଷ୍ଟଭାବେ ଆହ୍ୱାନ ଜଣାଇଥିଲେ : ‘‘ତୁମେ କାହାପଟେ ? ବାଡ଼ର କେଉଁପଟେ ?” ହିଟଲର୍‌ ଏବଂ ମୁସୋଲିନୀ ହାତ ମିଳାଇ ୨ୟ ମହାଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଥିଲେ ୧୯୩୬ରେ, ଯାହା ଥିଲା ନବଯୁଗ ସାହିତ୍ୟ ସଂସଦର ମୁଖପତ୍ର ‘ଆଧୁନିକ’ର ପ୍ରକାଶନ ବର୍ଷ । ଏଣୁ ସାହିତ୍ୟ ଯେ ଭାବାଦର୍ଶର ଉର୍ଦ୍ଧ୍ୱରେ ନୁହେଁ, ସାହିତ୍ୟିକ ନିଜ ଜାଣତରେ ଅଥବା ଅଜାଣତରେ ଭାବାଦର୍ଶ ଦୃଷ୍ଟିରୁ ପକ୍ଷଭୁକ୍ତ - ଏହା ଦର୍ଶାଯାଇଥିଲା ‘ଆଧୁନିକ’ର ପ୍ରଥମ ସଂଖ୍ୟାର ସଂପାଦକୀୟରେ । ଏବଂ ସାହିତ୍ୟ ମାତ୍ରେ ଶ୍ରେଣୀ ସାହିତ୍ୟ, ନିରୋଳା ସାହିତ୍ୟ ଚର୍ଚ୍ଚା ଏକ ଅସମ୍ଭବ ବ୍ୟାପାର ତାହା ଦର୍ଶାଇବା ପାଇଁ ଅନନ୍ତ ‘ସାହିତ୍ୟରେ ଶ୍ରେଣୀପରତା’ ପ୍ରବନ୍ଧଟି ରଚନା କରିଥିଲେ । ପ୍ରବନ୍ଧଟିରେ ସେ ଇତିହାସର ମାର୍କ୍ସୀୟ ବସ୍ତୁବାଦୀ ବ୍ୟାଖ୍ୟାକୁ ଅବଲମ୍ବନ କରି ଇତିହାସର ବିଭିନ୍ନ ପର୍ଯ୍ୟାୟରେ କିପରି ଶ୍ରେଣୀ ସଂଘର୍ଷ ହୋଇଛି, ଶ୍ରେଣୀବିଭକ୍ତ ସମାଜର ସାହିତ୍ୟ କିପରି ଶ୍ରେଣୀ ସାହିତ୍ୟ, ସମାଜର ଅର୍ଥନୈତିକ ଭିତ୍ତିଭୂମି (Base) କିପରି ତଦୁପରି ଦଣ୍ଡାୟମାନ ଧର୍ମ, ସଂସ୍କୃତି, ରାଜନୀତି, ଆଇନ୍‌, ସାହିତ୍ୟ ଇତ୍ୟାଦିର ହର୍ମ୍ୟ (Superstructure) ର ରୂପରେଖ ନିର୍ଣ୍ଣୟ କରେ ତାହା ଆଲୋଚନା କରିଛନ୍ତି । ଡାଏଲେକ୍‌ଟିକ୍ସର ଅଲଂଘନୀୟ ନିୟମ ଅନୁଯାୟୀ ସାମନ୍ତବାଦୀ ସମାଜ ଓ ସାହିତ୍ୟ ଗର୍ଭରୁ ପୁଞ୍ଜିବାଦୀ ସମାଜ ଓ ସାହିତ୍ୟ ଜନ୍ମ ନେଇଛି ଏବଂ ପୁନଶ୍ଚ ପୁଞ୍ଜିବାଦୀ ସମାଜ ଓ ସାହିତ୍ୟ ଗର୍ଭରୁ ସୋଭିଏତ ସମାଜବାଦୀ ସମାଜ ଓ ସାହିତ୍ୟର ଆବିର୍ଭାବ ହୋଇଛି । ଅନନ୍ତଙ୍କ ମତରେ ସାମାଜିକ ବ୍ୟବସ୍ଥାରେ ଲୁକ୍କାୟିତ ଅବସ୍ଥାରେ ରହିଥିବା ରୁକ୍ଷ ବାସ୍ତବତାକୁ ଫୁଟାଇବା ପାଇଁ ପୁଞ୍ଜିବାଦର ପକ୍ଷଭୁକ୍ତ ସାହିତ୍ୟିକଙ୍କ ଆଗ୍ରହ ଅଥବା ସାହନ ନ ଥାଏ-। ନୈରାଶ୍ୟବାଦ ଏବଂ ସଂଶୟବାଦକୁ ଏକ କମ୍ବଳ ଭଳି ଘୋଡ଼ି ହୋଇଥିବା ଏହି ସାହିତ୍ୟିକମାନଙ୍କୁ ଅନନ୍ତ ‘ରହସ୍ୟବାଦୀ’ ଆଖ୍ୟା ଦିଅନ୍ତି । ଏହି ରହସ୍ୟବାଦର ଉତ୍କଟ ପରିଣତି ଫ୍ୟାସିବାଦ । ‘କଳା ପାଇଁ କଳା ତତ୍ତ୍ୱ ଫ୍ୟାସିବାଦୀ ମାନସିକତାର ଅପ୍ରକଟ ଆଜେଣ୍ଡାରେ ଅନ୍ତର୍ଭୁକ୍ତ-। ସାହିତ୍ୟକୁ ଦିଶାହୀନ ଏବଂ ଆତ୍ମଚେତନାବିହୀନ କରି ଫ୍ୟାସିବାଦୀ ଅବକ୍ଷୟ ଆଡ଼କୁ ଟାଣିନେବା ଏହାର ମୂଳ ଉଦ୍ଦେଶ୍ୟ । ସଂକ୍ଷେପରେ, ‘‘ସାହିତ୍ୟରେ ଶ୍ରେଣୀପରତା’’ର ଏହାହିଁ ଆଲୋଚ୍ୟ ବିଷୟ-।

 

ମାର୍କ୍ସବାଦର ତତ୍ତ୍ୱ ଅଥବା ଆଲୋଚନା ପଦ୍ଧତି ସହିତ ସଂପୂର୍ଣ୍ଣ ଅପରିଚିତ ସେ ସମୟର ଓଡ଼ିଆ ପାଠକଙ୍କୁ ମାର୍କ୍ସବାଦର ଏକାଧି‌କ ସଂପ୍ରତ୍ୟୟ ସମ୍ପର୍କରେ ଏହି ପ୍ରବନ୍ଧର କ୍ଷୁଦ୍ର କଳେବର ଭିତରେ ଅନନ୍ତ ଯେପରି ଠିକେ ଠିକେ ବୁଝାଇ ଦେଇଛନ୍ତି ତାହା ଅବଶ୍ୟ ପ୍ରଶଂସନୀୟ । ମାତ୍ର ସେସବୁ ତତ୍ତ୍ଵର ନିପାତନ, ସୀମା ମର୍ଯ୍ୟାଦା ଇତ୍ୟାଦି ଆଲୋଚନା କରାଯାଇନଥିବାରୁ ପାଠକେ ବିଭ୍ରାନ୍ତ ହେବାର ଆଶଙ୍କା ରହିଛି । ଏପରିକି ମାର୍କ୍ସ ଏଙ୍ଗେଲ୍‌ସଙ୍କୁ ମଧ୍ୟ ଭୁଲ୍‌ ବୁଝିବା ଅସମ୍ଭବ ନୁହେଁ-। ଉଦାହରଣ ସ୍ୱରୂପ, ଅର୍ଥନୈତିକ ଭିତ୍ତିଭୂମି ହିଁ ସାମାଜିକ, ସାଂସ୍କୃତିକ ହର୍ମ୍ୟର ଅନ୍ତିମ ନିର୍ଣ୍ଣାୟକ, ଅର୍ଥାତ୍‌, ସାମାଜିକ ବ୍ୟବସ୍ଥାରେ ଅର୍ଥର ସାର୍ବଭୌମ ଆଧିପତ୍ୟ ମାର୍କ୍ସ ଏଙ୍ଗେଲ୍‌ସ ଘୋଷଣା କରିଛନ୍ତି- ଏଭଳି ଭ୍ରମ ଧାରଣ କେବଳ ସାଧାରଣରେ ନୁହେଁ କମ୍ୟୁନିଷ୍ଟ କର୍ମୀଙ୍କ ମଧ୍ୟରେ ସୁଦ୍ଧା ସୃଷ୍ଟି ହୋଇପାରେ ତାହା ମାର୍କ୍ସ- ଏଙ୍ଗଲ୍‌ସ୍‌ ନିଜ ସମୟରୁ ଆଶଙ୍କା କରିଛନ୍ତି । ଏ ଭ୍ରମ ଧାରଣା ଦୂରକରିବାକୁ ଯୋସେଫ୍‍ ବ୍ଳକ୍‌ଙ୍କୁ ୧୮୯୦ ରେ ଏଙ୍ଗେଲସ୍‌ ଏକ ଚିଠି ଲେଖି କହୁଛନ୍ତି : Marx and I are ourselves partly to blame for the fact that the younger people sometime lay more stress on the economic side than is due to it. We had to emphasise the main principles vis-a-vis and adversaries who denied it and we had not always the time, the place or the opportunit to give their due to the other factors involved in the interaction."ତା’ପରେ ସେ ଏ ସଂପ୍ରତ୍ୟୟର ପ୍ରକୃତ ତାତ୍ପର୍ଯ୍ୟ ବୁଝାଉଛନ୍ତି" The economic situation is the basis, but the various elements of the superstructure... also exercise their influence upon the course of the historical struggles and in many cases determine their form in particular." (Marx and Engels on Art and Literature, Progress Publishers, Moscow, 1978, pp. 57,60)

 

ପୁନଶ୍ଚ Base-Superstructure ତତ୍ତ୍ୱସହିତ Marxଙ୍କର Uneven Character of Historical Development ତତ୍ତ୍ୱକୁ ମିଶାଇ ନ ପଢ଼ିଲେ ମାର୍କ୍ସଙ୍କର ଅର୍ଥନୀତି ଏବଂ ଇତିହାସତତ୍ତ୍ୱ ଏକ ସ୍ଥାଣୁ ଅବ୍ୟାବହାରିକ ଅଚଳାୟତନ ପରି ବୋଧ ହେବ । ରୁଷିଆର ସାମନ୍ତବାଦୀ ଅର୍ଥନୀତି ଭିତରୁ ପୁଷ୍କିନ, ତୁର୍ଗେନିଭ୍‌, ଦସ୍ତୋୟେଭସ୍କି ଇତ୍ୟାଦିଙ୍କର ସାହିତ୍ୟ କିପରି ସମ୍ଭବ ହେଲା, ଏପରିକି ୩୦ ଦଶକରେ ଘୋର ସାମନ୍ତବାଦୀ ଓଡ଼ିଆ ସମାଜ ଭିତରେ ମହାନ୍‌ ପ୍ରତିଭାନ୍ୱିତ ନବଯୁଗ ଗୋଷ୍ଠୀର ଉତ୍ଥାନ କିପରି ସମ୍ଭବ ହେଲା ତାହା ଉପରୋକ୍ତ ଦୁଇ ତତ୍ତ୍ୱକୁ ଦ୍ୱନ୍ଦ୍ୱାତ୍ମକ ପଦ୍ଧତିରେ ନ ବୁଝିଲେ ବିଭ୍ରାନ୍ତିକର ଉପସଂହାରରେ ଉପନୀତ ହେବାକୁ ପଡ଼ିବ । ସାମାଜିକ ବିକାଶ ସ୍ତର ଅନୁନ୍ନତ ଥାଇ ମଧ୍ୟ କିପରି ଗୋଟିଏ ସମାଜରେ କଳା ସାହିତ୍ୟ ଉନ୍ନତିର ସର୍ବୋଚ୍ଚ ସୀମାରେ ପହଁଚି ପାରେ ତାହା ପ୍ରାଚୀନ ଗ୍ରୀସ୍‌ରୁ ଦୃଷ୍ଟାନ୍ତ ଦେଇ କାର୍ଲମାର୍କ୍ସ କହୁଛନ୍ତି ‘‘As regards art it is well known that some of its peaks by no means correspond to the general development of society, nor do they therefore to the material substructure, the skeleton as it were of its organisation. (Marx, Ibid, p. 82)

 

ସେହିପରି ଅନନ୍ତ ‘କଳା ପାଇଁ କଳା ତତ୍ତ୍ୱ’ ସମ୍ପର୍କରେ ଉଠାଇଥିବା ଅଭିଯୋଗ । ଏହି ତତ୍ତ୍ୱ ଏକଦା ଏକ ବୈପ୍ଳବିକ ସ୍ଳୋଗାନ୍‌ ରୂପେ ଜନ୍ମ ନେଇଥିଲା ବୋଲି ପ୍ଲେଖାନଭ୍‌ ଦର୍ଶାଇଛନ୍ତି । ଯେତେବେଳେ ‘କଳା ସମାଜ ପାଇଁ’ ବୋଲି ସ୍ଲୋଗାନ ଦେଇ ରାଷ୍ଟ୍ର ପରୋକ୍ଷଭାବେ କଳା-ସାହିତ୍ୟକୁ କବଳିତ କରିବାକୁ ଚେଷ୍ଟିତ ହୋଇଛି ସେତେବେଳେ ସ୍ୱାଧୀନଚେତ୍ତା କଳାକାର-ସାହିତ୍ୟିକ ‘କଳା ପାଇଁ କଳା’ ସ୍ଲୋଗାନ ଦେଇଛନ୍ତି । ପରିପ୍ରେକ୍ଷିତ ବଦଳିଲେ କିପରି ଏ ସ୍ଲୋଗାନର ତାତ୍ପର୍ଯ୍ୟ ବଦଳିଛି ତା’ର ଏକ କୌତୁହଳପ୍ରଦ ଦୃଷ୍ଟାନ୍ତ ଆମେ ବଦେଲେୟାରଙ୍କ କ୍ଷେତ୍ରରେ ପାଉ । ପାଶ୍ଚାତ୍ୟ ଆଧୁନିକତାବାଦର ଅନ୍ୟତମ ଆଦ୍ୟ ବିନ୍ଧାଣୀ ବଦଲେୟାର୍‌ ‘କଳାପାଇଁ କଳା’ ଦୁଆ ଦେଉଥିଲେ । ମାତ୍ର ୧୮୪୮ର ଫେବୃୟାରୀ ବିପ୍ଳବ ଯେଉଁଥିରେ ସେ କିଛି ସମୟ ପାଇଁ ସାମିଲ ହୋଇଥିଲେ, ତାକୁ ସାହାଯ୍ୟ କରିବାକୁ ଯାଇ ‘କଳା ସମାଜ ପାଇଁ’ ବୋଲି ସ୍ଳୋଗାନ ଦେଲେ ।

 

ହଁ, ଏ ତତ୍ତ୍ୱ କେବେଠାରୁ କେବଳ ସ୍ଲୋଗାନ ସ୍ତରରେ ହିଁ ରହିଛି । ପ୍ରୟୋଗ ଦୃଷ୍ଟିରୁ ଦେଖିଲେ ଏହା ବହୁକାଳରୁ ଅଚଳ । ଭାରତୀୟ ଆଧୁନିକତାବାଦକୁ ସବୁଠାରୁ ଅଧିକ ପ୍ରଭାବିତ କରିଥିବା ଏଲିୟଟ୍‌ ଏହି ତତ୍ତ୍ୱକୁ ‘‘More advertised than practiced’’ ବୋଲି ସ୍ଵୀକାର କରିସାରିଛନ୍ତି । ଏ ତତ୍ତ୍ୱର ପ୍ରକୃତ ତାତ୍ପର୍ଯ୍ୟ ୧୮୯୯ରୁ Norman Hapgoods ବ୍ୟାଖ୍ୟା କରିଯାଇଛନ୍ତି: Yes, we need a message: but we donot need a Moralizer’’ ଲୋକଙ୍କୁ ସମାଜ, ଜୀବନ, ସଂଘର୍ଷ ସମ୍ପର୍କରେ ପ୍ରବଚନ ଦେଉଥିବା ସାହିତ୍ୟିକମାନଙ୍କୁ ଏଙ୍ଗେଲ୍‌ସ ସ୍ପଷ୍ଟ ଭାଷାର ସତର୍କ କରି ଦେଇଯାଇଛନ୍ତି । ସମାଜବାଦୀ କଥାକାର ମାର୍ଗାରେଟ୍‌ ହାର୍କେନ୍ସଙ୍କ City girl ଉପନ୍ୟାସକୁ ପରୋକ୍ଷଭାଵେ ନିକୃଷ୍ଟବୋଲି ଦର୍ଶାଇବାକୁ ଯାଇ ଏଙ୍ଗେଲ୍‌ସ ତାଙ୍କୁ ପରାମର୍ଶ ଦେଇଛନ୍ତି : “The more the opinions of the author remain hidden, the better for the work of art. The realism I allude to may crop out even in spite of the author’s opinions.’’ (Ibid, p. 91) ଏହି ଦୃଷ୍ଟିରୁ ରିପବ୍ଲିକାନ୍‌ ଫ୍ରାନସରେ ବସବାସ କରି ରାଜତନ୍ତ୍ରର ସ୍ତୁତିଗାନ କରୁଥବା, ଜୀବନଚର୍ଯ୍ୟାରେ ଅତ୍ୟନ୍ତ ଉତ୍‍ଶୃଙ୍ଖଳ ଥିବା ବାଲଜାକ୍‌ ସାହିତ୍ୟ କ୍ଷେତ୍ରରେ ସମାଜବାଦୀ ସାହିତ୍ୟିକମାନଙ୍କର ଆଦର୍ଶ ହେବା ଉଚିତ ଏବଂ ସମାଜ ତଥା ଜୀବନ ସମ୍ପର୍କରେ ଉଚ୍ଚସ୍ଵରରେ କୀର୍ତ୍ତନ କରିଥିବା ଜର୍ମାନ ସାହିତ୍ୟିକ ଶ୍ଚିଲର୍‌ଙ୍କ ବଦଳରେ ସେକ୍ସପିୟରଙ୍କୁ ଲେଖକମାନେ ନିଜର ଆଦର୍ଶକରିବା ବିଧେୟ ବୋଲି ମାର୍କ୍ସ-ଏଙ୍ଗେଲସ ଉପଦେଶ ଦେଇଯାଇଛନ୍ତି ।

 

ନିଜର ପ୍ରିୟ ରାଜତନ୍ତ୍ର ଧୂଳିସାତ ହୋଇଯାଉଥିବାର ନିଷ୍ଠୁର ବାସ୍ତବତାକୁ ବାଲ୍‌ଜାକ୍‌ ଯେପରି ନିର୍ଲିପ୍ତ ଓ ନିଷ୍ପକ୍ଷ ଭାବେ ଫୁଟାଇଛନ୍ତି ସେଥିରେ ବିସ୍ମିତ ହୋଇ ଏଙ୍ଗେଲ୍‌ସ ମତ ଦେଉଛନ୍ତି, ‘‘And what boldness ! What a revolutionary dialectic in his poetical justice !’’ (Ibid, p. 314) ଆମର ଫକୀରମୋହନ ବ୍ୟକ୍ତିଗତ ଜୀବନରେ ସାମ୍ରାଜ୍ୟବାଦ ଅଥବା ସାମନ୍ତବାଦର ବିରୋଧି ନ ଥିଲେ । ଅଥଚ ସାମନ୍ତବାଦୀ ଭାବାଦର୍ଶରେ ବିଶ୍ଵାସ କରୁଥିବା ଫକୀରମୋହନ ନିଜର ପ୍ରିୟ ସାମନ୍ତବାଦୀ ସମାଜ ଭୁସୁଡ଼ି ପଡ଼ୁଥିବାର ଦୃଶ୍ୟ ‘ଛଅମାଣ ଆଠଗୁଣ୍ଠ’ରେ ଦେଖାଇଛନ୍ତି । ତାଙ୍କୁ ପ୍ରଗତିଶୀଳ ଅଥବା ପ୍ରତିକ୍ରିୟାଶୀଳ ଖୋପରେ ପୁରାଇ ନ ଦେଇ ତାଙ୍କର ଏହି ବିରୋଧାଭାସର ଦ୍ୱନ୍ଦ୍ୱାତ୍ମକ ତାତ୍ପର୍ଯ୍ୟ ଏ ଆଲୋଚକ ଅନ୍ୟତ୍ର କରିବାକୁ ଚେଷ୍ଟା କରିଛି । (ଶୈଳଜ ରବି, ଅସୁର ଦୀଘି : ଫକୀରମୋହନୀୟ ବ୍ୟଙ୍ଗର ପ୍ରକୃତି ଓ ପ୍ରକାର୍ଯ୍ୟ, ଝଙ୍କାର, ବିଷୁବ ବିଶେଷାଙ୍କ, ୨୦୧୦)

 

ତେବେ ଆଲୋଚକ ଅନନ୍ତ ଉପରୋକ୍ତ ପ୍ରବନ୍ଧଟି ଭିତରେ ଆଲୋଚନା କରିଥିବା ବିଭିନ୍ନ ମାର୍କ୍ସୀୟ ସଂପ୍ରତ୍ୟୟର ସବୁଦିଗ ହୁଏତ ଏହାର କ୍ଷୁଦ୍ର କଳେବର ଭିତରେ ଆଲୋଚନା କରିବା ସମ୍ଭବ ନ ଥିଲା । ହୁଏତ ସେ ବା ତାଙ୍କର ଅନ୍ୟ କେହି ସତୀର୍ଥ ‘ସାରଥି’ ଓ ‘ଆଧୁନିକ’ର ବିଭିନ୍ନ ସଂଖ୍ୟାରେ ସେସବୁ ଆଲୋଚନା କରିଥାଇ ପାରନ୍ତି ଯାହା ଏବେ ଉପଲବ୍ଧ ନୁହେଁ । ମାତ୍ର ଏହିଭଳି ଅସଂପୂର୍ଣ୍ଣ ପ୍ରବନ୍ଧମାନ ପଢ଼ି ଅଥବା ମାର୍କ୍ସ- ଏଙ୍ଗେଲ୍‌ସଙ୍କଠାରୁ ଉଦ୍ଧୃତ କିଛି ଉକ୍ତି ରୁଢ଼ିବାଦୀଙ୍କ ସାହିତ୍ୟରୁ ଉଠାଇ ନେଇ ପରବର୍ତ୍ତୀକାଳର ଖଣ୍ଡିଉଡ଼ା ଦେଉଥିବା, ବିଭିନ୍ନ ହାସ୍ୟାସ୍ପଦ ଗୋଷ୍ଠୀ ଗଢ଼ିଥିବା ତଥାକଥିତ ପ୍ରଗତିଶୀଳମାନେ ନିଛକ ପ୍ରୋପାଗଣ୍ଡାଧର୍ମୀ ସାହିତ୍ୟ ସୃଷ୍ଟି କଲେ । ନିଜର ଛାତିବାଡ଼େଇ ସବୁ ନୀତିବାଣୀ ସବୁ ଉପସଂହାରକୁ ପାଠକ ସାମ୍ନାରେ ଓଗାଳି ଦେଉଥିବା ସାହିତ୍ୟକୁ ଓ ତା’ ଆଢ଼ୁଆଳରେ ରହିଥିବା ମାନସିକତାକୁ ଭଗବତୀ ଚରଣ ‘ଦଦ୍ରୁକ୍ଲିଷ୍ଟ ମସ୍ତିଷ୍କର କଣ୍ଡୁ’ ଓ ସେପରି ସାହିତ୍ୟ ସୃଷ୍ଟି କରୁଥିବା ସାହିତ୍ୟିକଙ୍କୁ ‘ଦଦ୍ରୁମଲମ ବିକ୍ରେତା’ ବୋଲି ବ୍ୟଙ୍ଗ କରିଛନ୍ତି । (‘‘କଥାସାହିତ୍ୟରେ କଳାବୈଚିତ୍ର୍ୟ’’ ପ୍ରବନ୍ଧ, ଭଗବତୀ ପାଣିଗ୍ରାହୀଙ୍କ ଶ୍ରେଷ୍ଠଗଳ୍ପରେ ସଂକଳିତ, ସଂ. ବିଜୟ କୁମାର ପଢ଼ିହାରୀ, ନବଯୁଗ ଗ୍ରନ୍ଥାଳୟ, କଟକ, ୧୯୯୯, ପୃ. ୮ ୪) ଭଗବତୀ, ସଚ୍ଚି ରାଉତରାୟ ସେମାନଙ୍କ କଥା ସାହିତ୍ୟ ମାଧ୍ୟମରେ ଏବଂ ଅନନ୍ତ, ସଚ୍ଚି ରାଉତରାୟ, କାଳିନ୍ଦିଚରଣ ଇତ୍ୟାଦି ସେମାନଙ୍କ କାବ୍ୟକବିତା ମାଧ୍ୟମରେ ପ୍ରଗତିଶୀଳ ସାହିତ୍ୟ ସୃଷ୍ଟି କ୍ଷେତ୍ରରେ ଆବଶ୍ୟକୀୟ ଏକ ନାନ୍ଦନିକ ସଂଯମର ଆଦର୍ଶ ଦେଇଯାଇଛନ୍ତି ।

 

ଅନନ୍ତଙ୍କ ଦ୍ୱିତୀୟ ପ୍ରବନ୍ଧଟିର ବିଷୟବସ୍ତୁ ଆଲୋଚନାପୂର୍ବରୁ ଆଉ ଏକ ଭାବଦର୍ଶଗତ ପ୍ରଶ୍ନ ଯାହା କି ଅନନ୍ତଙ୍କ ସାହିତ୍ୟକର୍ମକୁ ପ୍ରଭାବିତ କରିଥିଲା ତା’ର ମଧ୍ୟ ଆଲୋଚନା ହେବା ଉଚିତ-। ସେ ତାଙ୍କର ଅନେକ ସମସାମୟିକ ମାର୍କ୍ସବାଦୀ ସତୀର୍ଥ : ଯଥା : ଭଗବତୀ ପାଣିଗ୍ରାହୀ, ସଚି ରାଉତରାୟ ବା ମନମୋହନ ମିଶ୍ରଙ୍କ ପରି ଯୁଗପତ୍‍ ଗାନ୍ଧୀ ଏବଂ ଲେନିନ୍‌ଙ୍କ ଆଦର୍ଶର ଜୟଗାନ କରିଛନ୍ତି । ବାସ୍ତବରେ ବିପ୍ଳବୀ ଭଗତ ସିଂହଙ୍କଠାରୁ ଆରମ୍ଭ କରି ଓଡ଼ିଶାର ବହୁ ଜଣାଶୁଣା କମ୍ୟୁନିଷ୍ଟ ଗାନ୍ଧୀ ଆନ୍ଦୋଳନ ଭିତରୁ ହିଁ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ‘୩୦ ଦଶକରେ’ କଂଗ୍ରେସ ସମାଜବାଦୀ ଦଳ ମାଧ୍ୟମରେ ପ୍ରଗତିଶୀଳ ଗାନ୍ଧିବାଦୀ, ସମାଜବାଦୀ ଓ ସାମ୍ୟବାଦୀମାନଙ୍କୁ ଗୋଟିଏ ମଞ୍ଚରେ ଏକଜୁଟ କରାଯାଇଛି । ଅନନ୍ତ ‘ଆଧୁନିକ’ରେ ନେହେରୁଙ୍କ ଆତ୍ମଜୀବନୀ ସମୀକ୍ଷା କରିବାକୁ ଯାଇ ଗାନ୍ଧିଜୀଙ୍କ ମହତ୍ତ୍ୱର ଗୁପ୍ତ ରହସ୍ୟ ଗୋଟିଏ ବାକ୍ୟରେ ପ୍ରକାଶ କରିଛନ୍ତି : ‘‘ଏତେ ଅଳ୍ପସମୟ ଭିତରେ ଅନେକ କାଳରୁ ଆତ୍ମଚେତନାହୀନ ଦୁର୍ବଳ ଜାତିର ପ୍ରାଣରେ ଶକ୍ତି ସଂଚାର କରିପାରିଛନ୍ତି କେବଳ ଗାନ୍ଧିଜୀ ।’’ (ରଚନା ସମଗ୍ର, ଚତୁର୍ଥଭାଗ, ପୃ ୨୭୭) ‘ତର୍ପଣ କରେ ଆଜି’ କବିତା ସଂକଳନରେ କବି ଅନନ୍ତ ବିଭିନ୍ନ ଦୃଷ୍ଟିରୁ ଗାନ୍ଧିଜୀଙ୍କୁ ସମୀକ୍ଷାକରି ତାଙ୍କୁ ସ୍ମୃତିତର୍ପଣ କରିଛନ୍ତି । ପୁଣି ଗାନ୍ଧୀ ଓ ଲେନିନ୍‌ଙ୍କ ଦର୍ଶନରେ ସମନ୍ୱୟର ସ୍ଵପ୍ନ ଦେଖିଛନ୍ତି- ‘ଯୋଡ଼ିଏ ଧାରା ଆମେ’ କବିତାରେ : ‘‘ଗାନ୍ଧୀ ଲେନିନ୍‌ର ଯୋଡ଼ିଏ ଧାରା ଆହା / ଗୋଟିଏ ଲେଖା ଆମେ ଗୋଟିଏ ଆମ ରାହା । /xxx/ଗୋଟିଏ କଥାକହୁ- ମୈତ୍ରୀ ମମତାର/ମରମ ଆକୃତି ଯା’ ନିଖିଳ ଜନତାର ।’’ ଅନନ୍ତଙ୍କ ସ୍ୱପ୍ନ ଯଦି ସଫଳ ହୋଇଥାଆନ୍ତା, ଦାଆ-ହାତୁଡ଼ି ଆଉ ଅରଟର ଯଦି ସମନ୍ଵୟ ଘଟିଥାନ୍ତା ଆଜି ଭାରତରେ ପ୍ରଗତିଶୀଳ ଆନ୍ଦୋଳନ ଓ ସାହିତ୍ୟର ଏପରି ଶୋଚନୀୟ ଦୁର୍ଗତି ହୁଏତ ଘଟି ନ ଥାଆନ୍ତା ।

 

‘କବିତାର ବିଲାପ ?’ ପ୍ରବନ୍ଧ ମଧ୍ୟ ଆରମ୍ଭ ହୋଇଛି କାବ୍ୟକାରିତାର ଏକ ଭାବଦର୍ଶଗତ ଆଲୋଚନାରୁ । ଆଲୋଚକଙ୍କ ମତରେ ଶିଳ୍ପ ବିପ୍ଳବ ପରେ କବିତାର ବିଷୟବସ୍ତୁ କେବଳ ବଦଳିନାହିଁ ମଧ୍ୟଯୁଗୀୟ ସାମନ୍ତବାଦୀ ସାହିତ୍ୟପରି ଏହା ପୁନଶ୍ଚ ବ୍ୟକ୍ତିବାଦୀ ଓ ଆଙ୍ଗିକ ସର୍ବସ୍ଵ ହୋଇଯାଇଛି । ଏହାପରେ ସେ ଆଧୁନିକ କବିତାକୁ ଅବୋଧ୍ୟ ବୋଲି ହେଉଥିବା ଅଭିଯୋଗ ବିରୁଦ୍ଧରେ ମତ ଦିଅନ୍ତି, ‘‘ତଥାପି ଗୋଟିଏ କଥା ନିଧାର୍ଯ୍ୟ ଯାହା ବିଦ୍ୱାନ୍‌ ପାଠକର ହୃଦ୍ୟ, ତାହା ସାଧାରଣ ଶ୍ରୁତିରେ ଦୁବୋଧ୍ୟ, ଯାହା ପ୍ରାଚୀନ ପନ୍ଥୀ ପାଖରେ ଦ୍ଵନ୍ଦମୟ ତାହା ଆଧୁନିକ ପନ୍ଥୀ ପାଖରେ ସ୍ପଷ୍ଟ ଓ ପ୍ରାଞ୍ଜଳ । xxx ଯେଉଁ ଚିତ୍‌ କାଲିରେ ମଗ୍ନ, ଏବର ଅନୁଭୂତିର ଜୀବହୋଇ ସେଇ ଅନୁଭୂତିର ଅଭିଜ୍ଞାନ ପ୍ରତି ଅଶ୍ରଦ୍ଧା ଦେଖାଏ, ସେହି ଚିତ୍ତର ନିକଟରେ ଏବର କବିତା ଅବୋଧ୍ୟ ହିଁ ହୁଏ ।’’ ଅନନ୍ତଙ୍କର ଏହି ବକ୍ତବ୍ୟରୁ ସ୍ପଷ୍ଟ ହୋଇଛି ଯେ ସେତେବେଳେ ପ୍ରାଚୀନପନ୍ଥୀମାନେ କେବଳ ପାଶ୍ଚାତ୍ୟ ଆଧୁନିକବାଦୀ କବିତାକୁ ଅବୋଧ୍ୟ କହୁନଥିଲେ, ଅନନ୍ତଙ୍କ ପ୍ରଗତିଶୀଳ ସତୀର୍ଥମାନଙ୍କ କବିତା ମଧ୍ୟ ସେହି ପ୍ରାଚୀନ ପନ୍ଥୀଙ୍କ ପାଇଁ ଅବୋଧ୍ୟ ବିବେଚିତ ହେଉଥିଲା । ସେମାନଙ୍କୁ ଅନନ୍ତ ଯାହା ପରାମର୍ଶ ଦେଇଛନ୍ତି ଆଧୁନିକ ପରିଭାଷାରେ ପ୍ରକାଶ କଲେ ତା’ର ତାତ୍ପର୍ଯ୍ୟ : ଆଧୁନିକ କବିତାରୂପୀ discourse ଏକ ନିଜସ୍ଵ Universe ଅଛି । ଏକ ନିଜସ୍ଵ ଚଳଣି ଓ ବ୍ୟାକରଣ ଅଛି । ପ୍ରାଚୀନ ହେଉ ଅଥବା ଆଧୁନିକ ହେଉ ଶ୍ରଦ୍ଧାଶୀଳ ଖୋଲା ମନ ରହିଲେ ଓ ସେହି କାଳଖଣ୍ଡର ସାହିତ୍ୟିକ ଚଳଣିର ନିୟମ ଜାଣିବା ପାଇଁ ଇଚ୍ଛା ରହିଲେ କୌଣସି ସାହିତ୍ୟ ଅବୋଧ୍ୟ ହେବ ନାହିଁ ।

 

ତା’ପରେ ବୋଧଗମ୍ୟତା କହିଲେ କ’ଣ ବୁଝାଯିବ ତାହା ଅନନ୍ତ ଅତ୍ୟନ୍ତ ସ୍ଵଳ୍ପ ଭାଷାରେ ଅଥଚ ପ୍ରଭାବଶାଳୀ ଢଙ୍ଗରେ ବୁଝାଇଛନ୍ତି । ସେ କହନ୍ତି, " xxx ଏହା (କବିତା) ସବୁଠାରେ ସବୁରୂପରେ ଜୀବନର ଅନୁଭୂତିର ନିର୍ଯ୍ୟାସ - ଏହା ଉପନ୍ୟାସ ଭଳି ସମୁଦ୍ର ନୁହେଁ । ଏହା ସମୁଦ୍ରର ବୁନ୍ଦାଏ ଜଳ ଯେଉଁଥିରେ ଅନୁଭବ କରି ହୁଏ ତା’ ରସର ସ୍ମୃତି, ମତ୍ସ୍ୟଗନ୍ଧାର ଗନ୍ଧ, କେଉଁ ପୋତର ମାସ୍ତୁଲ, କେତେ ଜଳୀୟ ଉଦ୍‌ଭିଦର କ୍ରୀଡ଼ା, କେତେ ବାସ୍ତବରୁ ଉଦ୍‌ଭୁତ ସ୍ୱପ୍ନର ସଂଯୁକ୍ତି ।

 

‘‘ଆର୍ଥାତ୍‌, ଅତି କ୍ଷୁଦ୍ର ପରିସରରେ, ଯାହା ବିରାଟ ଓ ବିସ୍ତୃତ, ଯାହା ଦିଗନ୍ତପ୍ରସାରୀ ଓ ଅବୋଧ୍ୟ ଏହା ତାହାର ରୂପ ଓ ରସର ସ୍ପର୍ଶ ଦିଏ ।

 

‘‘ଏହାର ସମୁଦାୟ ଗତିବିଜ୍ଞାନ, ରୀତି ବିଧାନ ବାସ୍ତବ ଓ ଦ୍ୱନ୍ଦ୍ୱାତ୍ମକ । ‘ସଂଘର୍ଷ’ ଓ ବିବାଦ ମଧ୍ୟରେ ଆପାତ ସଂସ୍ଥିତିରେ ରହି ଶରତ୍‌ର ଶସ୍ୟ ଶୀର୍ଷରେ ଶିଶିର ବିନ୍ଦୁଭଳି । ପୁନରାୟ ରୂପ ଧରୁଛି କେଉଁ ତୃଷିତ ପ୍ରଜାପତିର ତୃପ୍ତିବିଧାନର ଉପାଦାନ ହୋଇ ।’’ (ଏଜନ, ପୃ ୩୮୮)

 

ତାଙ୍କର ବକ୍ତବ୍ୟର ସାରାଂଶ (୧) ବିନ୍ଦୁରେ ସିନ୍ଧୁ ଦର୍ଶନ କରାଇ ପାରିବାର ସାମର୍ଥ୍ୟ କେବଳ କବିତାର ଅଛି । (୨) ଅଭିଧାଗତ ବା ଆଭିଧାନିକ ଅର୍ଥ ପ୍ରକାଶ କବିତାରେ ମୁଖ୍ୟ ଲକ୍ଷ୍ୟ ନୁହେଁ । ଆଲୋଚ୍ୟ ବିଷୟ ସମ୍ପର୍କରେ ତଥ୍ୟ ପରିବେଷଣ ନୁହେଁ କେବଳ ‘ତାହାର ରୂପ ଓ ରସର ସ୍ପର୍ଶ’ ଦେବା କବିତାର ଅନ୍ତିମ ଉଦ୍ଦେଶ୍ୟ । ଏଣୁ Meaning ନୁହେଁ Feeling ଟିଏ communicate କରିବା କବିତାର ମୂଳ ଲକ୍ଷ୍ୟ ବୋଲି ଅନନ୍ତ କହନ୍ତି । (୩) କବିତାର ରୀତିବିଧାନ ଅର୍ଥାତ୍‌ ଆଙ୍ଗିକ ଗଠନକୁ ଦ୍ୱନ୍ଦ୍ୱାତ୍ମକ ପଦ୍ଧତିରେ ବୁଝିବାକୁ ହେବ । ହିଗେଲଙ୍କ ଭାଷାରେ କହିଲେ From is the from of the content. ପରୀକ୍ଷା ନିରୀକ୍ଷା ନାଁରେ କେବଳ fromକୁ ନେଇ ସର୍କସ ଦେଖାଇବା ଏକ ପ୍ରଦର୍ଶନ-ପ୍ରବଣ ପିଲାଳିଆମି । (୪) କବିତାର ଗତିବିଜ୍ଞାନ ମଧ୍ୟ ଦ୍ୱନ୍ଦ୍ୱାତ୍ମକ । ଏହା ସଂଘର୍ଷ ଓ ସମନ୍ୱୟର ଏକ ଲୁଚକାଳି ଖେଳ । ଗୋଟିଏ ଉଚ୍ଚାଙ୍ଗ କବିତାର ଅନ୍ତର୍ଭୂମିରେ ଶବ୍ଦ ଶବ୍ଦ ଭିତରେ, ଭାବ ଓ ଶବ୍ଦ ଭିତରେ, ଛନ୍ଦ ଓ ଧ୍ଵନୀ ଭିତରେ ଅହରହ ‘ସଂଘର୍ଷ’ ଚାଲିଥାଏ । ଏହି ସମୁଦ୍ର ମନ୍ଥନରୁ କବି କିପରି ଅମୃତ ରସ ବାହାର କରି ପାରିବ ତା’ ଉପରେ କବିତାର ସଫଳତା ନିର୍ଭର କରେ । ପ୍ରକାଶଥାଉକି, ଆଜିର ପାଶ୍ଚାତ୍ୟ ସମାଲୋଚନା ପରିଭାଷାରେ ଯେଉଁ binary opposition କଥା କୁହାଯାଉଛି ତାହା ଦ୍ଵନ୍ଦ୍ୱବାଦର ଏକ ନିକୃଷ୍ଟ, ଅଗଭୀର ପ୍ରତିଧ୍ଵନୀ ମାତ୍ର । (୫) ଶେଷରେ କବିତା କେତେବେଳେ ‘ୟାକ୍‌ଟି ଧାନେର ଶିଶେର ଉପର ୟାକ୍‌ଟି ଶିଶିର ବିନ୍ଦୁ’ ପରି ଅହେତୁକ ଆନନ୍ଦ ଦେଇଥାଏ ତ କେତେବେଳେ ତାହା ସମାଜର ମଙ୍ଗଳ ବିଧାନ ପାଇଁ ଏକ ସାଧନ ହୋଇପାରେ ।

 

ଲକ୍ଷ୍ୟ କରିବାର କଥା ଅନନ୍ତ ପ୍ରାଚୀନ-ଆଧୁନିକ ନିର୍ବିଶେଷରେ ସବୁପ୍ରକାର କବିତାର ଏକ ସାର୍ବଜନୀନ ସଂଜ୍ଞା ଦେବାକୁ ଯେପରି ଚେଷ୍ଟା କରିଛନ୍ତି ସେହିପରି ପାଶ୍ଚାତ୍ୟ ପ୍ରଭାବିତ ଓ ମାର୍କ୍ସବାଦ ପ୍ରଭାବିତ ଆଧୁନିକତା ନିର୍ବିଶେଷରେ ଉଭୟଙ୍କ ବିରୁଦ୍ଧରେ ପ୍ରାଚୀନ ପନ୍ଥୀ ଉଠାଉଥିବା ଅଭିଯୋଗର ମଧ୍ୟ ମୁକାବିଲା କରିଛନ୍ତି ।

 

ଏଇଠି ପ୍ରଶ୍ନ ଉଠିପାରେ ମାର୍କ୍ସବାଦୀମାନଙ୍କୁ ଆଧୁନିକତାବାଦୀ ବୋଲି ଧରାଯାଇପାରିବ କି ? ପାଶ୍ଚାତ୍ୟ ପ୍ରସ୍ତୁତ କିଛି ପୁରୁଣା ମାପକାଠିକୁ ବ୍ୟବହାର କରି ମୋର ଗୁରୁଦେବ ସ୍ଵର୍ଗତ ପ୍ରଫେସର ଯତୀନ୍ଦ୍ରମୋହନ ମହାନ୍ତି ସଚ୍ଚି ରାଉତରାୟଙ୍କ ‘ବାଜି ରାଉତ’କୁ ଏକ ନିକୃଷ୍ଟ କବିତା ବୋଲି ଚିହ୍ନିତ କରିଛନ୍ତି । ଆଉ କିଛି ଇଂରାଜୀ ପ୍ରଫେସର ସଚ୍ଚିବାବୁଙ୍କର ସମାଜ ସଚେତନ କବିତାଗୁଡ଼ିକୁ ‘ପ୍ରଚାରଧର୍ମୀ’, ‘rhetoric’ ଇତ୍ୟାଦି ଆଖ୍ୟା ଦେଇ ତାହା ଆଧୁନିକ ପଦବାଚ୍ୟ ନୁହେଁ ବୋଲି ମତ ଦେଇଛନ୍ତି । ଠିକ୍‌ ସେହି ମାପକାଠି ବ୍ୟବହାର କଲେ କବି ଅନନ୍ତଙ୍କ ସମସ୍ତ କାବ୍ୟକୃତି ନିକୃଷ୍ଟ ପ୍ରଚାରଧର୍ମୀ ପଦ୍ୟ କୁହାଯିବ । ପ୍ରଥମତଃ, ସେହି ପୁରୁଣାକାଳିଆ ପାଠ୍ୟପୁସ୍ତକୀୟ ‘ଆଧୁନିକତା’ର ଅଚଳାୟତନ ମଧ୍ୟ ଆଜି ଅଚଳ ଆଜି ଆଧୁନିକତା ଓ ଆଧୁନିକତାବାଦକୁ ବହୁବଚନରେ ହିଁ ପ୍ରକାଶ କରାଯାଉଛି । Modernity କିମ୍ବା Modernism କଥା କୁହାଯାଉ ନାହିଁ, Modernities ଏବଂ Modernism ର କଥା କୁହାଯାଉଛି । ଏହି ପରିପ୍ରେକ୍ଷୀରେ ଓଡ଼ିଆ ଆଧୁନିକତାବାଦ ଇଉରୋପୀୟ ଆଧୁନିକତାବାଦର ଏକ କାର୍ବନ କପି ହେବାକୁ ବାଧ୍ୟ ନୁହେଁ । ସମୟ ଅଭାବରୁ ଏ ସଂପର୍କରେ ଏଠାରେ ଅଧିକ ଆଲୋଚନା କରୁନାହିଁ । ତେବେ ଏ ଆଲୋଚକ ଓଡ଼ିଆ ଆଧୁନିକତାବାଦର ରୂପରେଖ ସମ୍ପର୍କରେ ଏକ ଦୀର୍ଘ ଆଲୋଚନା ‘କୋଣାର୍କ’ର ସଚ୍ଚିରାଉତରାୟ- ଗୁରୁ ମହାନ୍ତି- କିଶୋରୀ ଦାସ ବିଶେଷାଙ୍କ (ନଭେମ୍ବର- ଜାନୁୟାରୀ ୨୦୦୫ ସଂଖ୍ୟା) ରେ କରିଛି । ଏଠାରେ ଅନନ୍ତଙ୍କ ସାହିତ୍ୟକୁ ଆଖି ଆଗରେ ରଖି ଉପରୋକ୍ତ ଶୁଦ୍ଧ ଆଧୁନିକତାବାଦୀଙ୍କୁ ଦୁଇଟି କଥା କହିବି । ପ୍ରଥମତଃ, ଏଲିୟଟୀୟ ଆଧୁନିକତାବାଦର ବିରୋଧ ତାଙ୍କରି ଘରଭିତରୁ ତାଙ୍କରି ସମୟରେ ହୋଇଛି । ଅକ୍ସଫୋର୍ଡ଼ ମାର୍କ୍ସବାଦୀ ରୂପେ ପରିଚିତ ଅଡ଼େନ୍‌, ସ୍ପେଣ୍ଡରଙ୍କ ଭଳି ମାର୍କ୍ସବାଦୀମାନେ ମଧ୍ୟ ନିଜକୁ ଆଧୁନିକ ବୋଲି ଜାହିର୍‌ କରିଛନ୍ତି । ତାଛଡ଼ା ଯେତେବେଳେ ଆମର ଆଲୋଚକମାନେ ଉତ୍ତର-ଉପନିବେଶବାଦ, ଦେଶୀବାଦ ଇତ୍ୟାଦି ସଂପ୍ରତ୍ୟୟକୁ ନେଇ ଘାଣ୍ଟଚକଟ ଚଳାଇଛନ୍ତି ସେତେବେଳେ ପାଶ୍ଚାତ୍ୟ ଷ୍ଟାଣ୍ଡାର୍ଡ଼ରେ ଆମ ସାହିତ୍ୟକୁ ମାପିବାଟା ଅପରିହାର୍ଯ୍ୟ ଭାବିବା କେବଳ ପାଶ୍ଚାତ୍ୟ ପଦ୍ଧତିରେ programmed ବା ଧୁଲେଇ ହୋଇଥିବା ମସ୍ତିଷ୍କମାନଙ୍କରୁ ଆଶା କରାଯାଇପାରେ । ଏହି ପରିପ୍ରେକ୍ଷୀରେ ମୁଁ ମୋର ଉପରୋକ୍ତ ପ୍ରବନ୍ଧରେ ଉଦ୍ଧାର କରିଥିବା ଦେଶୀବାଦର ପ୍ରମୁଖ ପ୍ରବକ୍ତା ବାଲଚନ୍ଦ୍ର ନେମାଡେଙ୍କୁ ପୁନଶ୍ଚ ଉଦ୍ଧାର କରୁଛି; The greatness of a literary movement or an author is not decided by international standards, it is determined by how many functions ranging from spiritual elevation to linguistic experimentations it serves.’’ (‘Nativism in Literature’, in ‘‘Nativism : Essays in Criticism, ed : M. Paranjape, Delhi, Sahitya Akademy, 1997, P. 235)

 

ନେମାଡ଼େଙ୍କ ବକ୍ତବ୍ୟକୁ ଯଦି ଆକ୍ଷରିକଭାବେ ମଧ୍ୟ ଗ୍ରହଣ କରାଯାଏ ତେବେ ଆଧ୍ୟାତ୍ମିକ ଉତ୍ତରଣଠାରୁ ଆରମ୍ଭ କରି ଭାଷାଗତ ବିଭିନ୍ନ ପରୀକ୍ଷାନିରୀକ୍ଷା ପର୍ଯ୍ୟନ୍ତ ବହୁସ୍ତରରେ ବିପ୍ଳବ ଆଣିଥିଲା ନବଯୁଗ ଗୋଷ୍ଠୀ । ଏହି ଗୋଷ୍ଠୀର ଅନ୍ୟତମ ଭାଙ୍ଗାଡ଼୍‌ ଅନନ୍ତ ପଟ୍ଟନାୟକ ଓଡ଼ିଆ ସମାଜ, ସଂସ୍କୃତି ତଥା ସାହିତ୍ୟ କ୍ଷେତ୍ରରେ ଯେ ନବଯୁଗର ବାହକ ଥିଲେ ତାହା ନିଃସନ୍ଦେହରେ କୁହାଯାଇପାରେ । ସେମାନେ ଆଣିଛନ୍ତି ଆମ ଦୃଷ୍ଟିରେ, ଆମ ସୃଷ୍ଟିରେ ଏବଂ ଆମ କୃଷ୍ଟିରେ ଯୁଗାନ୍ତ ଯାହାକୁ କହିପାରିବା Paradigmal shift । ମାର୍କ୍ସବାଦ ଓ ଫ୍ରୟେଡ଼ବାଦକୁ ଯେତେବେଳେ ଅହିନକୁଳ ରୂପେ ସଜାଯାଉଥିଲା ସେତେବେଳେ ଉଭୟ ଭିତରେ ସମନ୍ଵୟ ସ୍ଥାପନ କରିଥିବା ମାର୍କ୍ସବାଦୀ ମନୋବିଶ୍ଳେଷଣବିତ୍‌ ଏରିକ୍‌ ଫ୍ରୋମ୍‌ଙ୍କ ମତରେ ମତରେ ଫ୍ରଏଡ଼୍‌ ବ୍ୟକ୍ତିର ଅବଚେତନକୁ ବିଶ୍ଳେଷଣ କରିଥିବା ପରି ମାର୍କ୍ସ ସମାଜର ଅବଚେତନକୁ ବିଶ୍ଳେଷଣ କରିଛନ୍ତି ଏବଂ ସମାଜର ବାହ୍ୟ ସଂରଚନାରେ ଭଳି ନ ଯାଇ ତା’ର ଅନ୍ତଃ ସଂରଚନା, ତା’ର deep structure ରେ ଥିବା ପାରସ୍ପରିକ ସଂପର୍କଗୁଡ଼ିକୁ ବୁଝିବା ପାଇଁ ପଦ୍ଧତି ଉଦ୍ଭାବନ କରିଛନ୍ତି । ସେ ପଦ୍ଧତି ସହିତ ଓଡ଼ିଆ କର୍ମୀ ଓ ସାଧାରଣ ପାଠକଙ୍କୁ ଓଡ଼ିଶାରେ ଏହି ମାର୍କ୍ସବାଦୀ ପଥିକୃତ୍‌ମାନେ ହିଁ ପ୍ରଥମେ ପରିଚୟ କରାଇଛନ୍ତି । ଦୁଃଖ, ଦୁଃଖର କାରଣ ଓ ମୁକ୍ତିର ବାଟ ଖୋଜିବାର ନୂଆ ଆଧ୍ୟାତ୍ମିକ ଦୃଷ୍ଟି, ନୂଆ ବୈଜ୍ଞାନିକ ପଦ୍ଧତି ସେହିମାନେ ହିଁ ପ୍ରଥମେ ଏଠାରେ ପ୍ରଚଳନ କରାଇଛନ୍ତି । Boy meets girl ଭଳି ରସାଳ ବିଷୟକୁ ନେଇ ବୈଦିକଯୁଗରୁ ଏଯାବତ୍‌ ଅସଂଖ୍ୟ ସାହିତ୍ୟ ସୃଷ୍ଟି ହୋଇଛି । ମାତ୍ର Boy meets tractor ଭଳି ଶୁଷ୍କ ଗାଦ୍ୟିକ ବିଷୟବସ୍ତୁକୁ ଉପଜୀବ୍ୟ କରି ଯେ ନାନ୍ଦନିକ ଦୃଷ୍ଟିରୁ ସଫଳ ସାହିତ୍ୟ ସୃଷ୍ଟି କରାଯାଇପାରେ, ଗୋଲାପ ଫୁଲ ପରି କଖାରୁ ଫୁଲକୁ ମଧ୍ୟ ନେଇ ଯେ ରସୋତ୍ତୀର୍ଣ୍ଣ କବିତା ଲେଖାଯାଇପାରେ - ଏ ଚାଲେଞ୍ଜ ପ୍ରଥମେ ଏଇ ଗୋଷ୍ଠୀ ହିଁ ଗ୍ରହଣ କରିଛି । ଏଭଳି ବିଷୟ ପାଇଁ ଯଥାଯଥ ଆଙ୍ଗିକ ଖୋଜିବା ଆହୁରି ଦୁରତିକ୍ରମ୍ୟ ଆହ୍ୱାନ । ଏ ଆହ୍ୱାନ ଅନନ୍ତ ଓ ତାଙ୍କ ସାଥିମାନେ ଗ୍ରହଣ କରିଛନ୍ତି । ଓଡ଼ିଆ ସାହିତ୍ୟରେ ଆନ୍ଦୋଳନ- ଉତ୍ତୋଳନ agit-prop ସାହିତ୍ୟର କାବ୍ୟପୁରୁଷ ଜନ୍ମନେଇଛି ସ୍ଵାଧୀନତା ଆନ୍ଦୋଳନ, ଗଡ଼ଜାତ ଆନ୍ଦୋଳନ ତଥା କୃଷକ-ଶ୍ରମିକ ଆନ୍ଦୋଳନମାନଙ୍କର ହୋମାଗ୍ନି ଭିତରୁ - ଗତଶତାବ୍ଦୀର ପ୍ରଥମାର୍ଦ୍ଧରେ । ନୂଆଦୃଷ୍ଟି, ନୂଆ ଭାଷା, ନୂଆଛନ୍ଦ ଓ ନୂଆ ପ୍ରକାଶଭଙ୍ଗୀ ସୃଷ୍ଟି ହୋଇଛି । ୨୦୧୨ ମସିହାର ପାଠକ ପାଇଁ ହୁଏତ ଅନନ୍ତଙ୍କ ଭାବ, ଭାଷା, ରୂପକଳ୍ପ ଘଷରା ଲାଗିପାରେ, ମାତ୍ର ଏକଦା ସେସବୁ କବିତା ପାଠକକୁ ଉଚ୍ଚାଟ କରୁଥିଲା, ଯୁଯୁତ୍ସୁ କରୁଥିଲା ଆଉ ଆତଙ୍କିତ କରୁଥଲା ଏଷ୍ଟାବ୍ଳିସ୍‌ମେଣ୍ଟକୁ ।

 

ମୋ ବଡ଼ପୁଅ ୧୦ ବର୍ଷର ହୋଇଥିବାବେଳେ ତାକୁ ଚାର୍ଲି ଚାପ୍‌ଲିନଙ୍କର The kid ଚଳଚ୍ଚିତ୍ର ଦେଖାଇବାକୁ ନେଇଥିଲି । ସେ ନାକଟେକି କହିଲା ଏଇଟା ମେହମୁଦ୍‌ଙ୍କ ‘କୁଆଁରା ବାପ୍‌’ର ପୁରା କପି- ଯଦିଓ କଥାଟା ଥିଲା ଠିକ୍‌ ଓଲଟା । ଚାପ୍‌ଲିନଙ୍କ ମୂଳ ଚିତ୍ରଟି ଉପରେ ମେହେମୁଦ୍‌ ଦେଇଥିବା ବଲିଉଡ଼ୀୟ ଛୁଙ୍କ ତାକୁ ଚାପ୍‌ଲିନ୍‌ଙ୍କ ସାଦାସିଧା Slap-stick ତୁଳନାରେ ଅଧିକ ଉପଭୋଗ୍ୟ କରୁଥିଲା । ଏଣୁ ଶିଶୁଟିକୁ ‘ଦି କିତ୍‌’, ‘କୁଆଁରା ବାପ’ର ଏକ ହନୁକରଣ ଭଳି ଲାଗୁଥିଲା-। ତଥାପି ଚାପ୍‌ଲିନଙ୍କ ଅପେକ୍ଷା ତାଙ୍କ କାନ୍ଧ ଉପରେ ଠିଆ ହୋଇଥିବା ମେହମୁଦ୍‌ଙ୍କୁ ଅଧିକ ସର୍ଜନଶୀଳ କହିପାରିବା କି ? ଚାପ୍‌ଲିନ୍‌ ଚାପ୍‌ଲିନ୍ । ଅନନ୍ତ ଅନନ୍ତ । The pioneer says the first word, not the last.

 

ଶେଷରେ ଦୁଇପଦ ଅନନ୍ତଙ୍କ ଜୀବନଚର୍ଯ୍ୟାରେ ଅନନ୍ତ ଅନ୍ୱେଷଣର ପ୍ରତିଫଳନକୁ ନେଇ । ଅନନ୍ତଙ୍କ ସୁପୁତ୍ର କବି ଅମରେଶଙ୍କୁ ପଚାରିଥିଲି । ସେ ଅନନ୍ତଙ୍କୁ ବାପ ହିସାବରେ କିପରି ଦେଖନ୍ତି ? ତାଙ୍କଠାରୁ ଜାଣିବାକୁ ପାଇଲି ଯେ ସେ ଅନନ୍ତଙ୍କୁ କେବେ ବି ‘ବାପା’ ବୋଲି ଡାକି ପାରି ନାହାନ୍ତି । ଏହି ଆତ୍ମମଗ୍ନ, ଗମ୍ଭୀର, ସ୍ୱଳ୍ପଭାଷୀ ମଣିଷଟି ସହିତ ଅମରେଶ ସମ୍ଭ୍ରମର ସହିତ ମିଶୁଥିଲେ । ଅଥଚ ଅମରେଶଙ୍କ ବନ୍ଧୁମାନେ ଥିଲେ ଅନନ୍ତଙ୍କର ବନ୍ଧୁ ଯାହାଙ୍କ ସହିତ ଅନନ୍ତଙ୍କର ସିଗାରେଟ୍‌ ଦିଆନିଆ ହେଉଥିଲା । ସେଇଠି ପ୍ରଥମଥର ପାଇଁ ଜାଣିଲି ଯେ ଓଡ଼ିଶାରେ କମ୍ୟୁନିଷ୍ଟ ପାର୍ଟିର ଅନ୍ୟତମ ପ୍ରତିଷ୍ଠାତା ଅନନ୍ତ ଶେଷ ଜୀବନରେ ଜଗନ୍ନାଥ, ସତ୍ୟସାଇ ବାବା ଇତ୍ୟାଦିଙ୍କୁ ପୂଜା କରୁଥିଲେ । ଅଥଚ ସେଦିନ କେବଳ ଅମରେଶଙ୍କଠାରୁ ନୁହେଁ ପୂର୍ବରୁ ବହୁ ବ୍ୟକ୍ତିଙ୍କଠାରୁ ଶୁଣିଛି ଶେଷପର୍ଯ୍ୟନ୍ତ ତାଙ୍କର ମୌଳିକ ମୂଲ୍ୟବୋଧମାନଙ୍କରେ ଅନନ୍ତ ଥିଲେ ଅଟଳ । ଶେଷ ପର୍ଯ୍ୟନ୍ତ ତାଙ୍କ ଜୀବନ ମଞ୍ଚରୁ ମାର୍କ୍ସ, ଗାନ୍ଧି କେହି ବିଦା ହୋଇନାହାନ୍ତି, କେବଳ ଅଧିକ ଯୋଡ଼ା ହୋଇଛନ୍ତି ଜଗନ୍ନାଥ, ସତ୍ୟସାଇ । ଗୋଟିଏ ଗର୍ଭଗୃହରେ ଓ ଗୋଟିଏ ସିଂହାସନ ଉପରେ ଏ ସମସ୍ତଙ୍କର ସହାବସ୍ଥାନ କ’ଣ ସମ୍ଭବ ମୁଁ ନିଜକୁ ପଚାରୁଥିଲି । ଅନନ୍ତଙ୍କର ଅନ୍ୟତମ ଗୁରୁ ନବକୃଷ୍ଣ ଚୌଧୁରୀଙ୍କ ଜୀବନର ଶେଷ ଦୁଇ ଦଶନ୍ଧି ତାଙ୍କୁ ଅତି ନିକଟରୁ ଦେଖିବାର ସୁଯୋଗ ପାଇଥିଲି । ଭାରତରେ ସମାଜବାଦର ଅନ୍ୟତମ ପ୍ରତିଷ୍ଠାତାର ସମ୍ମାନ ପାଉଥିବା ପୁଣି ବହୁପାଠୀ ପଣ୍ଡିତ ଶେଷ ଜୀବନରେ ଯୁଗପତ୍‌ ମାର୍କ୍ସ, ଗାନ୍ଧି, ମାଓ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଏବଂ ଆନନ୍ଦମାର୍ଗକୁ ପ୍ରଶଂସା କରୁଥିଲେ । ଏଭଳି ତୁଙ୍ଗ ଚିନ୍ତକଙ୍କର ଏଭଳି ମାର୍ଗଚ୍ୟୁତି କଣ ମତିଭ୍ରମ ? କଣ ସୁବିଧାବାଦ-? ନବକୃଷ୍ଣ ଅଥବା ଅନନ୍ତଙ୍କୁ କେହି କେବେ ସୁବିଧାବାଦୀ ଆଖ୍ୟା ଦେଇଥିବାର ଅନ୍ତତଃ ଏ କାନ ଶୁଣି ନାହିଁ । ଅଥଚ ତାଙ୍କଠାରୁ କମ୍‌ ଘାଟରେ ପାଣି ପିଇଥିବା; ଶୟନେ, ସ୍ୱପନେ, ଜାଗରଣେ, ଏବେବି ବିପ୍ଳବର ପୁଙ୍ଗା ବଜାଉଥିବା ଅନେକ ତପସ୍ଵୀଙ୍କୁ ଲୋକେ ବକବ୍ରତଚରୋ ଦ୍ୱିଜଃ ମନେକରି ବ୍ୟଙ୍ଗ ଓ ଘୃଣା କରୁଛନ୍ତି । କ’ଣ ଏହାର କାରଣ ? ଏହାର କାରଣ ଖୋଜିବା ଅତି ସହଜ-। ଏହି ଶେଷୋକ୍ତ ସଜ୍ଜନବୃନ୍ଦ ଧନଜନ ଗୋପଲକ୍ଷ୍ମୀ ବଢ଼ାଇବାକୁ, ଗାଦି ସିଂହାସନ ଦଖଲ କରିବାକୁ ଭେକ ବଦଳାଇଛନ୍ତି । ନବକୃଷ୍ଣ ଅଥବା ଅନନ୍ତଙ୍କ କାହାଣୀ ବାରମ୍ବାର ସ୍ଵେଚ୍ଛାରେ ସୁଯୋଗ ହାତଛଡ଼ା କରିବାର କାହାଣୀ । ସତ୍ୟପାଇଁ ଏକ ଅନନ୍ତ ତୃଷ୍ଣାର ଏକ ଅନନ୍ତ ଅନ୍ଵେଷଣର କାହାଣୀ ।

 

ବହୁ ମହାମାନବଙ୍କ ଜୀବନରେ ବହୁପ୍ରକାର ବିରୋଧାଭାସ ଦେଖାଯାଇଥିବା ଇତିହାସରେ ପଞ୍ଜିକୃତ ହୋଇଛି । ସେଗୁଡ଼ିକୁ କ’ଣ ହୁଇଟ୍‍ମ୍ୟାନଙ୍କ ପରି ‘‘Yes, I contain multitude’’ ବୋଲି ଘୋଷଣା କରିଦେଇ ଏଡ଼େଇ ଦେଇହେବ କି ? ନବକୃଷ୍ଣଙ୍କର ଓ ଅନନ୍ତଙ୍କର ସବୁ ଜୀବନୀ ପଢ଼ିଛି । କାହିଁ କେଉଁଠି ଦେଖିନାହିଁ ସେମାନଙ୍କ ଜୀବନର ଏହି ଆପାତ ବିରୋଧାଭାସର ଆଲୋଚନା । ସେମାନଙ୍କ ଶେଷ ଜୀବନର ଏହି ଘଟାନ୍ତରର ଆଲୋଚନା କ’ଣ ସେମାନଙ୍କ ଜୀବନର ଅନାଲୋଚ୍ୟ କୌଣସି ଅଶ୍ଳୀଳ ଦିଗର ଆଲୋଚନା ? ବାସ୍ତବତାରେ ସଂଗୁପ୍ତ ସେହି ବିରୋଧାଭାସର ସମ୍ମୁଖୀନ ହେବାକୁ ଭୟ କରି ସମସ୍ତ ଆଲୋଚକ ଏ ଦିଗରେ ଆଲୋଚନାକୁ ଧୂଳି ପରି କାର୍ପେଟ ତଳକୁ ଠେଲି ଦେଇଛନ୍ତି କି ? ଦ୍ୱନ୍ଦ୍ୱାତ୍ମକ ଦୃଷ୍ଟିରେ ସେମାନଙ୍କ ଜୀବନର ଏହି ତଥାକଥିତ ବିରୋଧାଭାସଗୁଡ଼ିକୁ ଅନୁଶୀଳନ କରାଯାଇପାରେ କି ? ବସ୍ତୁତଃ ଦ୍ୱନ୍ଦ୍ୱାତ୍ମକ ପଦ୍ଧତି (dialectical method) କେବଳ ଆମ ପାଇଁ ଏକ କର୍ଣ୍ଣମଧୁର ଶବ୍ଦ ହୋଇ ରହିଯାଇଛି । ମୋର ଆଶଙ୍କା (dialectical method) ଏଯାଏ ଆମେ ବ୍ୟବହାର କରିନାହୁଁ ଆମ ଚିନ୍ତାରେ, ସାହିତ୍ୟ ସମୀକ୍ଷାରେ ଅଥବା ଜୀବନରେ । ଦ୍ୱନ୍ଦ୍ୱାତ୍ମକ ଦୃଷ୍ଟିରେ ଭଲ ଖରାପ, ଏଭଳି ଦୁଇ ପ୍ରକାର ବ୍ୟକ୍ତିତ୍ଵ ନ ଥାଆନ୍ତି । ଜଣକ ବ୍ୟକ୍ତିର ଧଳା-କଳା ଏପରି ଦୁଇ ପ୍ରକାର ପର୍ଯ୍ୟାୟ ନଥାଏ-। ବ୍ୟକ୍ତିତ୍ଵ ଏକ ଅଖଣ୍ଡ ଚେତନା । ସେଥିରେ ପରିଦୃଷ୍ଟ ବିଭିନ୍ନ ବିରୋଧାଭାସ ଭିତରେ ସମୀକରଣ କରିପାରୁଥିବା ମନସ୍ତାତ୍ତ୍ୱିକ, ସାମାଜିକ ଏବଂ ଐତିହାସିକ ବିନ୍ଦୁଗୁଡ଼ିକୁ ଖୋଜିବା ଦ୍ଵନ୍ଦ୍ୱବାଦୀ ସମୀକ୍ଷକର କାର୍ଯ୍ୟ । ବାଲ୍‌ଜାକ୍‌ଙ୍କୁ ନେଇ ମାର୍କ୍ସ ଏଙ୍ଗେଲ୍‌ସ କରିଥିବା ବିଶ୍ଳେଷଣର ସୂଚନା ପୂର୍ବରୁ ଦେଇଛି । ଏଠାରେ ଟଲ୍‌‌ଷ୍ଟୟଙ୍କ ବ୍ୟକ୍ତିତ୍ଵକୁ ବିଶ୍ଳେଷଣ କରିଥିବା ଲେନିନ୍‌ଙ୍କ ଦ୍ୱନ୍ଦ୍ୱାତ୍ମକ ଦୃଷ୍ଟି ଉପରେ କିଞ୍ଚତ୍‌ ଆଲୋକପାତ କରିବି ।

 

ଅହିଂସା ଆନ୍ଦୋଳନରେ ବିଶ୍ୱାସୀ, ଧର୍ମ ଭୀରୁ, ଏପରିକି ବଲ୍‌ସେଭିକ୍‌ ବିପ୍ଳବକୁ ବିରୋଧକରି ଲଣ୍ଡନର ‘ଟାଇମ୍‌ସ’ ଖବରକାଗଜରେ ଲେଖିଥିବା ଲିଓ ଟଲ୍‌ଷ୍ଟୟଙ୍କ ସମ୍ପର୍କରେ ଲେନିନ୍‌ ଲେଖିଛନ୍ତି ୫ଟି ପ୍ରବନ୍ଧ । ସେଥିରୁ ୩ଟି ପ୍ରସିଦ୍ଧ । ଗୋଟିକର ଶୀର୍ଷକ :Tolstoy, the Mirror of Russian Revolution । ସେଥିରେ ସେ ଦର୍ଶାଇଛନ୍ତି କିପରି ଲିଓ ଟଲ୍‌ଷ୍ଟୟଙ୍କ ଜୀବନର ସମସ୍ତ ମହାନତା ଓ ବିଚ୍ୟୁତିରେ ପ୍ରତିଫଳିତ ହୋଇଛି ରୁଷୀୟ ବିପ୍ଳବ ଓ ରୁଷୀୟ ସମାଜର ସମସ୍ତ ମହାନତା ଓ ବିଚ୍ୟୁତି । (କିନ୍ତୁ ଆମ ବିପ୍ଳବୀଙ୍କ ପାଖରେ ମାତ୍ର ଦୁଇଟି ଶବ୍ଦ ଥାଏ-- ଜଣେ ପ୍ରତିକ୍ରିୟାଶୀଳ ଅଥବା ପ୍ରଗତିଶୀଳ) ଆମେ ଯେତେବେଳେ ଗାନ୍ଧୀଙ୍କୁ ପ୍ରତିକ୍ରିୟାଶୀଳ କହୁଛୁ ସେତେବେଳେ ଗାନ୍ଧୀଙ୍କ ଅନ୍ୟତମ ପ୍ରେରଣା ଟଲ୍‌ଷ୍ଟୟଙ୍କ ମହାନତାକୁ ଝୁରି ହେଉଥିବା ଲେନିନ୍‌ ଗର୍କୀଙ୍କୁ କହୁଛନ୍ତି, ‘‘ସତରେ ଗର୍କୀ, ସେଇ ଜମିଦାରଟା ହିଁ ଥିଲା ଋଷୀୟ ସାହିତ୍ୟର ପ୍ରଥମ ଅସଲ ଚାଷୀ: Before this count there had never been a genuine muzhik in literature. ସେତେବେଳକୁ ମଧ୍ୟ ପୁଞ୍ଜା ପୁଞ୍ଜା ସମାଜବାଦୀ ସାହିତ୍ୟ ସୃଷ୍ଟି କରି ସାରିଲାଣି ରୁଷିଆ ଆଉ ଇଉରୋପ । ସେମାନଙ୍କ ଭିତରେ ପୁଣି ମଉଡ଼ମଣି ରୂପେ ପରିଚିତ ଗର୍କୀ-। ତାଙ୍କୁ ଲେନିନ୍‌ ପଚାରୁଛନ୍ତି- ‘‘Who is there in Europe that can be placed on a level with Tolstoy ?’’ ତାପରେ ସେ ନିଜେ ଉତ୍ତର ଦେଉଛନ୍ତି ‘‘Nobody (Lenin and Problems of Literature - Vladimir Shcherbina, Progress Publ, Moscow, 1974, P. 267) ଆମର ଦୁର୍ଭାଗ୍ୟ ‘ମାର୍କ୍ସ ଜିନ୍ଦାବାଦ’, ‘ଲେନିନ ଜିନ୍ଦାବାଦ’ ସ୍ଲୋଗାନ୍‌ ଦେଇ କିଛି ବିପ୍ଳବୀ କଲିକତା ରାଜରାସ୍ତାରେ ରବୀନ୍ଦ୍ରନାଥଙ୍କ ମୂର୍ତ୍ତୀର ମୁଣ୍ଡକାଟ କରିଥଲେ । (ଭାଗ୍ୟର ବିଡ଼ମ୍ବନା, ଟଲ୍‌ଷ୍ଟୟ ବଲ୍‌ସେଭିକ୍‌ ବିପ୍ଳବ ସମାଲୋଚନା କରିଥିବାବେଳେ ରବୀନ୍ଦ୍ରନାଥ ତାକୁ ସ୍ଵାଗତ କରିଥିଲେ ।)

 

ଅନନ୍ତ ଶୈଶବ ଉଷାକାଳରେ ଏକ ସମୟରେ ହରାଇଛନ୍ତି ବାପ-ମା ଉଭୟଙ୍କୁ । ଜୀବନ ସନ୍ଧ୍ୟା କରିଛି ଅହରହ ବଡ଼ ପୁଅର ଆସନ୍ନ ମୃତ୍ୟୁକୁ ନେଇ ଆଶଙ୍କା ଓ ଉତ୍କଣ୍ଠା ଭିତରେ ଆଉ ନିଜ ଲହୁଲୁହ ଦେଇ ଗଢ଼ା ପାର୍ଟିର ଭାଗଭାଗ ହୋଇ ଭୁଷୁଡ଼ି ପଡ଼ୁଥିବାର ଶବ୍ଦ, ଦୁର୍ଗପତନର ହଂସଗୀତି ଶୁଣିବାକୁ ପଡ଼ିଛି ଜୀବନ ଅପରାହ୍ନରେ ଏହିଭଳି ଆସିଛି ତୁହାକୁ ତୁହା ମରଣାନ୍ତକ ଧକ୍କା ପରେ ଧକ୍କା ତାହା ହିଁ ହୁଏତ ତାଙ୍କୁ କଲେରିଜ୍‌ଙ୍କ ସେଇ ବୃଦ୍ଧ ନାବିକ ପରି sadder and wiser କରି ଦେଇଛି ଜୀବନ, ମୃତ୍ୟୁ, ଭାଗ୍ୟ, ଭଗବାନ, ପାର୍ଟି, ବାଦ୍‌, ବିପ୍ଲବ-ଏ ସମସ୍ତ ଭାବଗତ ତଥା ଭାବାଦର୍ଶଗତ ପରିଚିତ ସଂପ୍ରତ୍ୟୟମାନଙ୍କର ପୁନଃ ବିଶ୍ଳେଷଣ, ପୁନଃ ମୂଲ୍ୟାୟନ ଓ ପୁନଃ ସଂଜ୍ଞାକରଣ ପାଇଁ ତାଙ୍କୁ ହୁଏତ ବାଧ୍ୟ କରିଛି ଜୀବନର ଏଇସବୁ ଘନଘଟା । ଅଉ ହୁଏତ ସେ ନିଜ ଭିତରେ ହୋରାସିଓକୁ ହାମ୍‌ଲେଟ୍‌ ସ୍ଵରରେ ବୁଝାଇଛନ୍ତି; ଆରେ ମୂଢ଼ମତି, ତୋ ଦର୍ଶନ ଭିତରେ ଯେତିକି ରହସ୍ୟ ଧରାଦେଇଛି ଆକାଶ ପାତାଳରେ ଭରି ରହିଛି ତା’ଠାରୁ ଶହସ୍ର ଶହସ୍ର ଗୁଣ ଅଧିକ ରହସ୍ୟ ।

 

ନବକୃଷ୍ଣ ଅଥବା ଅନନ୍ତଙ୍କ ଜୀବନର ସମସ୍ତ ଆରୋହଣ ଓ ଅବରୋହଣ ଭିତରେ, ସମସ୍ତ ‘ଭ୍ରମ’ ଓ ‘ଭ୍ରାନ୍ତି’ ଭିତରେ ଆମେ କେବଳ ସେମାନଙ୍କ ସଂଘର୍ଷମୟ ବ୍ୟକ୍ତିଗତ ଜୀବନର ନୁହେଁ, ଆମ ସମକାଳୀନ ସମାଜର, ସେଥିରେ ଘଟିତ ବିଭିନ୍ନ ପ୍ରଗତିଶୀଳ ଆନ୍ଦୋଳନ ଏବଂ ଭାବାଦର୍ଶଗତ ସଂଘର୍ଷ-ସାଲିସ-ସମନ୍ଵୟର ପ୍ରତିଫଳନ ମଧ୍ୟ ଦେଖିପାରିବା ।

 

ଅନନ୍ତ ଆମର ସହଯାତ୍ରୀ ହୋଇରହନ୍ତୁ ଆମର ଅନନ୍ତ ଅନ୍ୱେଷଣ ପଥରେ : ଜୀବନରେ, ସାହିତ୍ୟରେ ।

 

(ଅନନ୍ତ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ ଉପଲକ୍ଷେ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ଵାରା ୨୦୧୨ ଅଗଷ୍ଟ ୮ ତାରିଖ ଭୁବନେଶ୍ୱରଠାରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଏହି ପ୍ରବନ୍ଧଟି ‘‘ମୂଳ ପ୍ରବନ୍ଧ’’ ରୂପେ ଉପସ୍ଥାପିତ ହୋଇଥିଲା ।)

 

ବନମାଳି ଭବନ, ଖାନ୍‌ନଗର, କଟକ- ୭୫୩୦୧୨

 

***

 

ଅନନ୍ତ ପଟ୍ଟନାୟକଙ୍କ କଥାସାହିତ୍ୟ

କୈଳାସ ପଟ୍ଟନାୟକ

-୧-

କବି ଅନନ୍ତ ପଟ୍ଟନାୟକଙ୍କ (୧୯୧୨-୧୯୮୭) କଥାକାର ରୂପଟି ସାଧାରଣରେ ସ୍ୱଳ୍ପ ପରିଚିତ । କଥା ଜଗତରେ ପ୍ରାୟ ଅପରିଚିତ ଏ କଥାକାରଙ୍କ କଥା-ସାହିତ୍ୟର ପରିଚୟାତ୍ମକ ଉପସ୍ଥାପନା ହିଁ ଏହି ଆଲୋଚନାର ଲକ୍ଷ୍ୟ ।

-୨-

ରଚନାଗତ ସମୟ ମଧ୍ୟରେ ଗଳ୍ପ ନିଜକଥାବସ୍ତୁକୁ ଆବଦ୍ଧ ରଖିପାରେ ନଚେତ୍‌ ‘ଅନ୍ୟ ସମୟର’ ଘଟଣାକୁ ମଧ୍ୟ ଉପାଦାନଭାବେ ଗ୍ରହଣ କରିପାରେ ଅନନ୍ତ ପଟ୍ଟନାୟକଙ୍କ ଗଳ୍ପର ରଚନାକାଳ ମୁଖ୍ୟତଃ ଊଣେଇଶ ଶହ ଛତିଶରୁ ସତଷଠି । ଏଇ ଏକତ୍ରିଶ ବର୍ଷର ଅଭିଜ୍ଞତା-ମଡ଼ା ଗଳ୍ପ ଭିତରେ ପ୍ରାକ୍‌ସ୍ଵାଧୀନତାର ବାୟୁମଣ୍ଡଳ ତୀବ୍ରଭାବେ ଅନୁଭୂତ । ଗଳ୍ପଗୁଡ଼ିକର ଘଟଣା ସ୍ଵାଧୀନତା ପୂର୍ବବର୍ତ୍ତୀ ମର୍ଡ଼ରର, ଫେରିଆ, ଚଢ଼ାଉତ୍ତରା, ଗପ ନୁହେଁ ଆଦୌ ଆଦି ଗଳ୍ପଗୁଡ଼ିକର ଘଟଣା ସଂଘଟନୀ ପୂର୍ଣ୍ଣରୂପେ ପ୍ରାକ-ସ୍ଵାଧୀନତା-ବାୟୁପୁଷ୍ଟ । ଏହି ସମୟର ସଂଗ୍ରାମ ମୁଖର ପରିବେଶ ଗଳ୍ପମାନଙ୍କର ଖୁବ୍‌ ସ୍ପଷ୍ଟ । ଅନ୍ୟାନ୍ୟ ଗଳ୍ପଗୁଡ଼ିକ ‘ରଚନାକାଳଗତ’ ସମୟର ସାମାଜିକ ଅବସ୍ଥାକୁ ଭିତ୍ତିକରିଚି ସେବା, ନିଷ୍ଠା, ଆଦର୍ଶର ପ୍ରାକ୍‌-ସ୍ଵାଧୀନ-ଗୈରିକ ଚିରାଳ ଏଇ ଲେଖକଙ୍କ ଏକମାତ୍ର ଗଳ୍ପ ସଂକଳନ ‘ଚଢ଼ାଉତ୍ତରା’ର (ପ୍ରକାଶକ-ଜଗନ୍ନାଥ ରଥ, କଟକ, ୧୯୬୭, ମୂଲ୍ୟ-ଚାରିଟଙ୍କା) ପ୍ରଥମାର୍ଦ୍ଧ ଦୃଶ୍ୟ ହେବାବେଳେ ଶେଷାର୍ଦ୍ଧରେ ତାହା ପରିଣତ ହୋଇଛି ଦୁର୍ନୀତି, ଚିନ୍ତା, ପ୍ରବଞ୍ଚନାର କୃଷ୍ଣ ପ୍ରତାକାରୂପେ । ଅନନ୍ତ ପଟ୍ଟନାୟକଙ୍କ ଗଳ୍ପସବୁ ତେଣୁ ଏଇ ଦୁଇଟି ବିଶିଷ୍ଟ ଯୁଗର ସୂତ୍ରଧର ।

-୩-

ଲେଖକଙ୍କ ଗଳ୍ପନାୟକମାନେ ସର୍ବତ୍ର ଆଦର୍ଶବ୍ୟୁତ ନଚେତ୍‌ ସ୍ଵପ୍ନାହତ । ଏକ ନିର୍ଦ୍ଦିଷ୍ଟ ଆଦର୍ଶବୋଧରେ ଆପଣାଙ୍କୁ ଚଢ଼ିବାର ବ୍ରତ ନେଇଥିଲେ ବି ପରବର୍ତ୍ତୀ ସମୟରେ ସେମାନେ ହୋଇଛନ୍ତି ଲକ୍ଷ୍ୟଚ୍ୟୁତ । କହିବା କଳ୍ପନାର ସୁମଧୁରତା ଭିତରେ ବଞ୍ଚିବାର ଚେଷ୍ଟା କରୁ କରୁ ହୋଇଛନ୍ତି ପରାଜିତ । ପ୍ରତିଟି ଗଳ୍ପନାୟକ ତେଣୁ ବିଫଳ ମନୋରଥ । ଆପଣାର ବିଫଳତା ଉଦାସୀ ପ୍ରତ୍ୟେକଙ୍କ ଛାତିରେ ଲଦିହୋଇ ସମଗ୍ର ଗଳ୍ପକୁ କରିଦିଏ ସକରୁଣ ।

 

ଗାନ୍ଧୀବାଦୀ ଆଦର୍ଶ ଅନୁପ୍ରାଣିତ ବାନର ସେନାଭୁକ୍ତ ‘ଦେହରେ ଖଣ୍ଡେ ଖଦଡ଼ ଖଦୀ ଆଉ ଚାଦର-ନାଲିଆ ଖଦଡ଼ର ଝୁଲାମୁଣାଟାଏ’ ପକେଇଥିବା ନୀଳାଦ୍ରି ଜୀବନ ସଂଘର୍ଷରେ ପିନ୍ଧିଚି ‘ବକିଙ୍ଗ୍‌ହାମ୍‌ ମିଲ୍‌ସ ସନ୍ନଫ୍ରାଇଜଡ଼ କନାତିଆରି ଟ୍ରାଉଜର’ । ‘ଫେରିଆ’ର ଆହ୍ୱାନ ସେଠି ବିଡ଼ମ୍ବିତ-। ଆଦର୍ଶବାଦୀ ନୟନ ଜୀବନର ‘ଚଢ଼ାଉତ୍ତରା’ ପଥରେ ଆପଣା ଆଦର୍ଶକୁ ପାସୋରିଯାଇ ନିରପରାଧା ଟିକି ଝିଅଟିକୁ ହତ୍ୟାକରି ହୋଇଛି ହାବିଲ୍‌ଦାର । ଗାନ୍ଧୀ ବଚନରେ ଦେଶସେବାରେ ମନପ୍ରାଣ ଢାଳି ଦେଇଥିବା ଧଡ଼ି ଗରିବ ଚାଷୀ ଗଣେଶର ସବୁ ସମ୍ପତ୍ତି ଲୁଟିନେବାର ଚକ୍ରାନ୍ତ ‘ଗପ ନୁହେଁ ଆଦୌ’ । ଦେଶସେବା ସ୍ଵସେବା ମୋହରେ ହୋଇଛି ଲକ୍ଷ୍ୟଭ୍ରଷ୍ଟ । ଲାଞ୍ଚ ନନେବା ପାଇଁ ମା’ର ପରାମର୍ଶ, ରତ୍ନାକର ବାବୁଙ୍କ ପାଖରେ ହୋଇଛି ବିସ୍ମୃତ । ସେ ହୋଇଛନ୍ତି ମହା ଦୁର୍ନୀତିବାନ୍‌-। ‘ଏ ମନ ପାଞ୍ଚେ ନାହିଁ ଯାହା’ ତାହା ହିଁ ଘଟିଛି ତାଙ୍କ ଜୀବନରେ । ଏ ପ୍ରକାର ଚ୍ୟୁତ ଆଦର୍ଶ ଯୋଗୁଁ ନୟନ ବା ଧଡ଼ି ଭଳି କେହି ଆତ୍ମଶ୍ଲାଘାରେ ଉତ୍‌ଫୁଲ୍ଲିତ ହୁଅନ୍ତି । ନଚେତ୍‌ ନୀଳାଦ୍ରି ବା ରତ୍ନାକରବାବୁଙ୍କ ଭଳି କେହିବା ଆତ୍ମଦହନରେ ଉତ୍ପୀଡ଼ିତ ହୁଅନ୍ତି । ଆଦର୍ଶଚ୍ୟୁତିର ପରିଣତି ଏ ଗଳ୍ପଗୁଡ଼ିକରେ ତେଣୁ ଦ୍ୱିବିଧ ।

 

ବ୍ୟକ୍ତି ଜୀବନର ଏ ଆଦର୍ଶହତ ଅବସ୍ଥା ପାଇଁ ମୂଳତଃ ଅର୍ଥହୀନ ହିଁ ଦାୟୀ ବ୍ୟକ୍ତିର ସାମାଜିକ ଜୀବନ ଅର୍ଥନୀତି ନିୟନ୍ତ୍ରିତ । ଏ ନିୟନ୍ତ୍ରଣରୁ ସୃଷ୍ଟ ବୈଷମ୍ୟ ହୋଇଛି ତା’ର ଲକ୍ଷ୍ୟଚ୍ୟୁତିର କାରଣ । ‘ଫେରିଆ’ ଗଳ୍ପର ନାୟକ ନୀଳାଦ୍ରି ମୁହିଁରେ ରହିଛି ଏହାର ସ୍ପଷ୍ଟ ସ୍ଵୀକାରୋକ୍ତି, ‘ବାରବୁଲା ଜୀବନରେ ପେଟ ପୋଷିବା ପାଇଁ କେତେ ଭେକ ଧରିଚି, କେତେ ବେଶ ବଦଳାଇଚି-ଏ ଭେକ ଧରା କି ବେଶ ବଦଳା ଭିତରେ ବାନର ସେନାର ବାନରଟି ତେଣୁ ବକିଙ୍ଗହାମ୍‌ ମିଲ୍‌ର ସନ୍‌ଫ୍ରାଇଜ୍‌ଡ଼ ଟ୍ରାଉଜର ପିନ୍ଧିବା ପାଇଁ ହୋଇଛି ବାଧ୍ୟ । ଖାଦ୍ୟ ଆହରଣ ପାଖରେ ଆଦର୍ଶ ସଂସ୍ଥାପନ ହୋଇଯାଇଚି ଗୌଣ । ‘ଗପ ନୁହେଁ ଆଦୌ’ର ଧଡ଼ିକଥା କିନ୍ତୁ ସ୍ଵତନ୍ତ୍ର-। ଜମିଦାରୀ ପରମ୍ପରାର ଚିନ୍ତାଧାରା ତା’ ଭିତରେ କ୍ରିୟାରତ । ସମ୍ପତ୍ତି ବଢ଼ାଇବା ତା’ର ମୌଳିକ ନୀତି । ଧନତାନ୍ତ୍ରିକ ସମାଜ ନୀତିରେ ଧନ ବଢ଼ାଇବାବେଳେ ଆଦର୍ଶ ଗୌଣ ହୋଇଯିବା ତେଣୁ ଖୁବ୍‌ ସ୍ଵାଭାବିକ ।

 

ସ୍ଵପ୍ନାହତ ନାୟକମାନଙ୍କ ମଧ୍ୟରୁ ସୁଲଭବୁଢ଼ା ବଡ଼ ଭାବପ୍ରବଣ । ମାଟି ପ୍ରତି ଅକୁଣ୍ଠ ମୋହ ଯୋଗୁଁ ସେ ଗ୍ରାମ ଛାଡ଼ିବାର ଆଦେଶପାଇ ମଧ୍ୟ ଯାଇପାରୁନି । ବନ୍ଧ ହେଲେ ସମଗ୍ର ଗାଁ ଯେ ବୁଡ଼ିଯିବ ଅତଳ ଜଳରାଶିରେ ଏକଥା ତା’ର ମାଟି ପ୍ରବଣ ମନ ଠିକ୍‌ ବୁଝିପାରିନି । ବାସ୍ତବତା ଓ ଭାବପ୍ରବଣତାର ଏ ସଂଗ୍ରାମ ଭିତରେ ଖାପ ଖୁଆଇ ଚଳି ନ ପାରିବାର ସଂକଟ ତାକୁ ବିପଦରେ ପକାଇଚି । ଡାକ୍ତରବୁଢ଼ା ମଧ୍ୟ ବଡ଼ କରୁଣ ଚରିତ୍ରଟିଏ । ତା’ର ଏକଦା ପ୍ରେମିକାର ଆଗମନୀ ପାଇଁ ସେ କେତେ ଉତ୍ସାହିତ, ଅଥଚ ବିଧିର କି ବିଚିତ୍ର ‘ବିଡ଼ମ୍ବନା’; ଯିଏ ଆସିଚି ସେ ତା’ର ପ୍ରେମିକା ନୁହଁ-କନ୍ୟା ! କୋଡ଼ିଏ ବର୍ଷ ତଳର ଚିଠିଟିଏ ସାର୍ବିକ ସ୍ୱପ୍ନ ତା’ର ମୁହୂର୍ତ୍ତକେ ଭାଙ୍ଗିଯାଇଚି । ‘ଘେଡ଼ବାଗୁଡ଼ ଗୁଡ଼ୁ’ ଗଳ୍ପର ବିଜେତା ବୁଧିପଡ଼ାର ଆନନ୍ଦ ବିମ୍ବା ବିଜିତ ପଳାଶୁଣୀ ଦଳ ପରବର୍ତ୍ତୀ ଦିନର ଖେଳରେ ଜିଣିବାକୁ ସ୍ଵପ୍ନ ଦେଖୁ ଦେଖୁ ହଇଜା କରିଦେଇଚି ସେମାନଙ୍କୁ ସ୍ଵାନ୍ତ । ଗର୍ବକରିବା କିମ୍ବା ଗର୍ବ ଭାଙ୍ଗିବା ପାଇଁ କାହାରି ବି ରହିଯାଇନି କିଛି ଅବଶିଷ୍ଟ । ସ୍ଵପ୍ନଭଙ୍ଗର ପରିଣତି ଏ ଗଳ୍ପରେ ଖୁବ ତୀବ୍ର ଓ ଧ୍ଵଂସମୟୀ ।

-୪-

ସମାଜ ଓ ଦେଶ କେବଳ ନୁହେଁ ଦେହ ଓ ମନ ମଧ୍ୟ ଅନନ୍ତ ପଟ୍ଟନାୟକଙ୍କ ଗଳ୍ପଗୁଡ଼ିକରେ ଏକ ବିଶିଷ୍ଟ ସ୍ଥାନ ଅଧିକାର କରିଛି । ଦେହ ସହିତ ମନ ସହବସ୍ଥାନ କରିନି, ଦୁହେଁ ବରଂ ସ୍ଵତନ୍ତ୍ର । ମଣିଷର ଏ ଦେହ ଓ ମନର ଦ୍ଵୈତ ଚେତନା ଆସୁଚି-ଆର୍ଥନୀତିକ ପରିସ୍ଥିତିରୁ । ଏହା ହିଁ ଅନନ୍ତ ପଟ୍ଟନାୟକଙ୍କ ଗଳ୍ପଗୁଡ଼ିକର ଏକ ମୌଳିକ ଦିଗ । ଅର୍ଥନୀତି ନିଷ୍ପେଷିତ ‘ମର୍ଡ଼ରର’ ନଟବରର ଭାରିଯା ମୁହିଁରେ ଏଇ ତତ୍ତ୍ୱର ଆଦ୍ୟ ସ୍ଫୁରଣ, ‘ମୁଁ ତମର, ଗୋଟାଯାକ ତମର ଅଜିତ୍‌ । ବିଶ୍ଵାସ କର, ସ୍ଵାମୀ ମୋର କେହି ନୁହେଁ - ଯିଏ ଖାଇବାକୁ ଦିଏ, ଯିଏ ଖଟାଏ, ଦେହର ସେ ମାଲିକ୍‌ ହୋଇପାରେ, ମନରେ ତା’ର ଆସନ ନାହିଁ ଅଜିତ !’ ଏ ସ୍ତ୍ରୀ ଲୋକଟି ପାଖରେ ‘ଦେହ’ ବଡ଼ କଥା ନୁହେଁ, ପେଟ ପୋଷିବା ପାଇଁ ସେଇଟା ସ୍ଵେଚ୍ଛାରେ ସେ ଦେଇପାରେ ମାତ୍ର ତା’ର ସ୍ପଷ୍ଟ ସ୍ଵୀକାରୋକ୍ତି, ମନ ତା’ର ଏକାନ୍ତ ନିଜର । ସେଠି ଯେ କେହି ଅନୁପ୍ରବେଶ କରିପାରିବେନି । ‘ଗପ ନୁହେଁ ଆଦୌ’ରେ ଯେଉଁ ଗୌରୀ ଆପଣା ମନଟି ଧଡ଼ିକୁ ଦେଇସାରିଥିଲା, ସେ ପୁଣି ବାଧ୍ୟ ହୋଇଛି ଗଣେଷକୁ ବାହାହେବାକୁ । ଧଡ଼ିର ସାଆନ୍ତିଆ ମନୋବୃତ୍ତି ଚାପ ପକାଇଚି ଗୌରୀକୁ ବିବାହ ନ କରିବା ପାଇଁ । ପ୍ରେମ ହୋଇଛି ପଣ୍ୟ । ଅର୍ଥନୀତି ନିୟନ୍ତ୍ରଣ କରିଚି ବ୍ୟକ୍ତି ମନକୁ । ଜମିଦାରୀ ପରମ୍ପରାର ପ୍ରତିନିଧି ଧଡ଼ି ଗୌରୀକୁ ବିବାହ କରିନି; ମାତ୍ର ଗୌରୀର ଦେହପାଇଁ ତା’ର ଅଛି ଚିରକାଳ ଆଗ୍ରହ । ଗୌରୀ କିନ୍ତୁ ସ୍ଵାମୀକୁ ଦେହ ଦେଇ ଧଡ଼ି ମନଦେଇଥିବାରୁ ଆପଣା ଆଖିରେ ଆପେ ଛୋଟ ହୋଇଯାଇଚି । ତାର ମନେ ହେଉଚି ସେ ଯେମିତି ଏକ ଦୋଚାରୁଣୀ । ‘ଏଁ ଏବେ କ’ଣ ଦୋଚାରୁଣୀ ନୁହେଁ ମୁଁ ? ଜଣକୁ ଦେହଦେଇ ଆଉ ଜଣକୁ ମନଟା ।’ ଏଇ ଆତ୍ମପୀଡ଼ନ ମଧ ଦେଖାଦେଇଚି ‘ବିଡ଼ମ୍ବନା’ ଗଳ୍ପର ଲୀଳା ଭିତରେ । ‘ତମ ଛଡ଼ା ଜୀବନରେ ଆଉ କାହାକୁ ଭଲ ପାଇନି, ବାହାର ଦେଖାଣିଆରେ ଯାହା ସହିତ ଛନ୍ଦି ହୋଇଥଲି ତାକୁ ଅସୁଖୀ କରିଥିଲେ କ’ଣ ବା ଲାଭ ହୋଇଥାନ୍ତା ?’ ଡାକ୍ତରବୁଡ଼ା ପାଇଁ ଲୀଳାର ଦେହ ଓ ମନର ସ୍ଵାତନ୍ତ୍ର୍ୟ କେତେ ସ୍ପଷ୍ଟ ସତେ ! ଦେହ ଓ ମନର ସ୍ୱାତନ୍ତ୍ର୍ୟ ଭିତରେ ନାୟିକାମାନଙ୍କର ଦୁଃଖୀ ପ୍ରେମିକା ସତ୍ତାଟି ସହିତ ପାଠକର ଘଟେ ସାକ୍ଷାତ୍‌କାର । ଗଳ୍ପର ନାୟକମାନେ ଯେପରି, ନାୟିକାମାନେ ମଧ୍ୟ ସେହିପରି ବିଫଳ ମନୋରଥ ।

-୫-

କାହାଣୀ ଉପସ୍ଥାପନବେଳେ ଏକ ନିର୍ଦ୍ଦିଷ୍ଟ ଶୈଳୀ ଆଲୋଚ୍ୟ ଗଳ୍ପମାନଙ୍କରେ ଲକ୍ଷଣୀୟ-। ପ୍ରତିଟି କଥାବସ୍ତୁ ଏକ ଲକ୍ଷ୍ୟବ୍ୟୁତ ନାୟକ ବା ନାୟିକାକୁ କେନ୍ଦ୍ର କରିଚି । ଏବଂବିଧ କଥାବସ୍ତୁର ସାର୍ଥକ’ ଉପସ୍ଥାପନ ପାଇଁ ଅନେକ ସମୟରେ Flash Back ରୀତି ଗୃହୀତ । ଗଳ୍ପଗୁଡ଼ିକ ତେଣୁ ସମ୍ପୂର୍ଣ୍ଣ ଶେଷ ନ କରିବା ପର୍ଯ୍ୟନ୍ତ ସଠିକ୍‌ ବୁଝି ହୁଏନା । ‘ମର୍ଡ଼ରର’ ଗଳ୍ପଟି ଏହାର ସାର୍ଥକ ଉଦାହରଣ । ନଟବରର ଅଜିତ୍‌ ସହିତ ଦେଖାହେବା, ଉଭୟେ ରାଧୁଆନା ହୋଟେଲ୍‌କୁ ଯିବା, ନଟବରର ସେଠି ହୋଟେଲ୍‌ କାହାଣୀ ବର୍ଣ୍ଣନା ଭିତରେ ଅଜିତ୍‌ ଜୀବନର ବହୁଘଟଣା ଏହି ରୀତିରେ ଉପସ୍ଥାପିତ । ଚଢ଼ାଉତ୍ତରା ଗଳ୍ପରେ ନୟନ ଫୁଲ ତୋଳୁଥିବା ଝିଅକୁ ଦେଖି ତା’ ନିଜ ଝିଅ ଓ ପରିବାର କଥା ମନେପକାଇବା ହିଁ Flash Back ରୀତିଗତ ବର୍ଣ୍ଣନା । ଅନେକ ସମୟରେ ଅଜିତ୍‌ପାଇଁ ନଟବର, ପୁଅର ମା କିମ୍ବା ନୟନ ପାଇଁ ଫୁଲ ତୋଳୁଥିବା ଝିଅ ଆଦି ଏହି Free Association ରୀତିରେ stimuli ଭାବେ ଆବିର୍ଭୂତ ହୋଇଛନ୍ତି, ଯେଉଁମାନେ କି ଚରିତ୍ରର ଚେତନା ପ୍ରବାହକୁ ଭିନ୍ନମୁଖୀ କରି Flash Back ରୀତିରେ ବହୁ ଗୋପନ କଥାର ସନ୍ଧାନ ଦେଇଛନ୍ତି । ପ୍ରତିଟି ଗଳ୍ପରେ ଏ ଶୈଳୀ ଉପଲଭ୍ୟ ।

 

ଗଳ୍ପଗୁଡ଼ିକରେ କଥୋପକଥନ ରୀତିକୁ ଗୁରୁତ୍ଵ ଦିଆଯାଇଛି । ଚରିତ୍ରମାନଙ୍କର ଅତୀତ Flash Back ରୀତିରେ ପ୍ରକାଶିତ ହେବାବେଳେ ସଂଳାପ ହିଁ ହୋଇଛି ମାଧ୍ୟମ । ଲେଖକଙ୍କର କୌଣସି ବର୍ଣ୍ଣନା ସେଠି ନାହିଁ । ଚରିତ୍ରମାନଙ୍କର ସଂଳାପ ହିଁ ସବୁ ବିଶିଷ୍ଟ ଘଟଣାର ସଫଳ ଉପସ୍ଥାପନ କରିପାରୁଚି । ଏତତ୍‌ବ୍ୟତୀତ ବ୍ୟକ୍ତି-ମନସ୍ତତ୍ତ୍ୱର ପ୍ରଦର୍ଶନରେ ମଧ୍ୟ ସଂଳାପର ଭୂମିକା ଅବିକଳ୍ପ । ପ୍ରତ୍ୟେକଟି ମଣିଷର ଚେତନ ସତ୍ତାକୁ ବାଦ୍‌ଦେଇ ଅବଚେନ ଓ ଅବଚେତନ ସଭା ରହିଥାଏ । ଚେତନ ସତ୍ତାର କୌଣସି କ୍ରିୟା କଳାପକୁ ମଝିରେ ମଝିରେ ଅବଚେତନ ସଭାଟି ଅତି ପ୍ରଚ୍ଛନ୍ନଭାବେ ନାପସନ୍ଦ କରିଥାଏ । ଏହି ନାପସନ୍ଦ କ୍ରିୟାଟି ଗଳ୍ପଟିର ସଂଳାପ ମାଧ୍ୟମରେ ପ୍ରଦର୍ଶିତ-। ‘ମର୍ଡ଼ର’ରେ ନଟବରର ସକଳ ଆନ୍ତରିକତା ସତ୍ତ୍ୱେ ଅଜିତ୍‌ର ପୋଷାକୀ କଥାବାର୍ତ୍ତା ଭିତରେ ମଧ୍ୟ ତା’ ଅବଚେତନର ବ୍ୟକ୍ତି ସତ୍ତାଟି ମଝିରେ ମଝିରେ ସଂଳାପ ମାଧ୍ୟମରେ ବିଦ୍ରୋହ ଘୋଷଣା କରୁଚି ନଟବର ବିରୁଦ୍ଧରେ । ସେଭଳି ଦୁର୍ନୀତି ପରାୟଣ ରତ୍ନାକରବାବୁଙ୍କୁ କେହି ଯେମିତି କହୁଚି । ‘ଇରେ-! ଏ କଣ କଲୁ ତୁ ଚଣ୍ଡାଳ ! ବୋଉର ଦେହ ଛୁଇଁ ପ୍ରତିଜ୍ଞା କରିଥିଲୁନା, ପଇସାଟିଏ ନେବୁନି କାହାଠୁଁ-ପ୍ରତିଜ୍ଞା କରିଥିଲୁ କିରାନି ଚାକିରିରେ ମୁକରିତ ହେଲାବେଳେ ପ୍ରଥମେ-ବୋଉର ସେଇ ଚଟାଣଶଯ୍ୟା ପାଖରେ-ନିଃସହାୟ ରାତ୍ରିର ଓଳି ତଳେ ତଳେ !’’ ଲେଖକଙ୍କ ବର୍ଣ୍ଣନା ଅପେକ୍ଷା ସଂଳାପ ହିଁ ଗଳ୍ପର ସଠିକ୍‌ ପ୍ରଭାବ ଆଣିପାରୁଚି । ଚରିତ୍ରର ଯଥାର୍ଥ ମନୋ-ବ୍ୟବଚ୍ଛେଦ ମଧ୍ୟ ଘଟାଇ ପାରୁଚି ।

 

-୬-

ଅନନ୍ତ ପଟ୍ଟନାୟକ ମୂଳତଃ ଜଣେ କବି । କଥାର ଜଗତ ଭିତରକୁ ତାଙ୍କର ଆଗମନ ଖୁବ୍‌ ଅପ୍ରତ୍ୟାଶିତ ପୁଣି ସାମୟିକ । ଗଳ୍ପଗୁଡ଼ିକ ଭିତରେ ତେଣୁ କବିଭାବର ସ୍ପର୍ଶ ପାଠକ ଅନୁଭବ କରିପାରେ । କବିର ସ୍ଵାଭାବିକ ଭାବପ୍ରବଣତା ଓ ସମ୍ବେଦନ ଶୀଳତାର ପ୍ରଭାବରେ ଆଲୋଚ୍ୟ ଗଳ୍ପଗୁଡ଼ିକର ଚରିତ୍ରମାନେ ବଡ଼ ଜୀବନ୍ତ । ସେମାନଙ୍କର କଳ୍ପନା କବି ଅନନ୍ତ ପଟ୍ଟନାୟକ ହିଁ କରିଛନ୍ତି । କଥାକାର ଅନନ୍ତ ପଟ୍ଟନାୟକ କେବଳ ସଜେଇଛନ୍ତି ଶବ୍ଦ । ଲେଖକ ଅନ୍ତସ୍ଥ ଏଇ କବି ସତ୍ତାଟି ପାଇଁ ତ ‘ଚଢ଼ାଉତ୍ତରା’ ଗଳ୍ପର ନଷ୍ଟ ଚରିତ୍ର ମଦନ ମୁହୂର୍ତ୍ତକେ ବଦଳିଯାଇଛି । ତା ଭିତରର ପାପପୁରୁଷଟିର ଘଟିଛି ବିଲୟ । ଯେତେବେଳେ ସର୍ଜେଷ୍ଟ ମେଜର, ନୟନକୁ ହାବିଲଦାର କରିଦେଉଚି ଝିଅଟିକୁ ମାରି ଦେଇଥିବାର ଗୌରବ ଦେଇ, ମୁରୁକେଇ ହସି ବର୍ଦ୍ଦ ଉତ୍ତାରି ଅଲକ୍ଷ୍ୟରେ ଧୀରେ ଧୀରେ ସେତିକିବେଳେ ଠିକ୍‌ ଚିରଦିନ ପାଇଁ ବ୍ୟାରାକ୍‌ସ ଛାଡ଼ି ବାହାରିଗଲା ମଦନ- ‘ଏ ଗଳ୍ପରେ ଚରିତ୍ରର ଏଭଳି ସହସା ପରିବର୍ତ୍ତନ ପାଇଁ କବିଙ୍କ ଅନ୍ତର୍ଦୃଷ୍ଟି ଓ ସମ୍ବେଦନା ହିଁ ମୂଳତଃ ଦାୟୀ । ‘ସଂଗ୍ରାମ’ ଗଳ୍ପର ସୁଲଭ ବୁଢ଼ା ଭିତରେ ମାଟିପାଇଁ ଯେଉଁ ତୀବ୍ର ଭାବପ୍ରବଣତା-ଆପଣା ଜୀବନକୁ ବିସର୍ଜନ ଦେଇଦେବ ପଛେ ଗ୍ରାମଛାଡ଼ି ଯିବନି-ଏଭଳି ତୀବ୍ର ମାଟି-ମୋହଗ୍ରସ୍ଥ-ମନୋବୃତ୍ତି ଜଣେ ଗ୍ରାମ୍ୟ ଚାଷୀର ହେବା ଅପେକ୍ଷା ଗୋଟିଏ କବିର ହେବା ହିଁ ଅଧିକ ସଙ୍ଗତ । କବି ଅନନ୍ତ ପଟ୍ଟନାୟକଙ୍କ ସ୍ଥିତି ସୁଲଭ ବୁଢ଼ାର ମନୋବୃତ୍ତିକୁ ପରିଚାଳିତ କରିଚି । ‘ଗପ ନୁହେଁ ଆଦୌ’ର ଗଣେଶ, ‘ବିଡ଼ମ୍ବନା’ର ଡାକ୍ତର ବୁଢ଼ା, କି ‘ଘେଡ଼ ବାଗୁଡ଼ୁଗୁଡୁ’ ଗଳ୍ପର ଗ୍ରାମବାସୀମାନେ ଯେଭଳି ମୃତ୍ୟୁବରଣ କରିଛନ୍ତି ସେଭଳି ଦୃଶ୍ୟ ଜଣେ କବି ହିଁ କେବଳ ଭାବାଲୋକରେ ଦେଖିପାରେ । କଥାକାର ଯୁକ୍ତି ସେଠି ନାହିଁ । କବିର କଳ୍ପନା ହିଁ ସେଠି କେବଳ ଉଦ୍‌ଭାସିତ ।

 

ଚରିତ୍ର ବା ଦୃଶ୍ୟ ଚିତ୍ରଣ କେବଳ ନୁହେଁ, ତା’ର ଉପସ୍ଥାପନାବେଳେ ମଧ୍ୟ କବି ଅନନ୍ତ ପଟ୍ଟନାୟକଙ୍କର ଘଟିଛି ଗଳ୍ପଗୁଡ଼ିକରେ ଆବିର୍ଭାବ । ଅନେକବର୍ଣ୍ଣନା ଭିତରେ ତେଣୁ ଭାବପ୍ରବଣ, କଳ୍ପନାବିଳାସୀ କବିଟିଏର ଉପସ୍ଥିତି ଲକ୍ଷଣୀୟ । ଯେପରି ନମସ୍କାରଟିଏ ଟେକିଦେଲା ରାତିର କାନି ଭିତରୁ ମୁହିଁ କାଢ଼ି

 

କାଢ଼ି ନଥିବା ସୂର୍ଯ୍ୟକୁ (୬୧) / ଅନ୍ଧାରଟା ଓହଳି ପଡ଼ିଥାଏ (୬୩) /

ଛୋଟ ଗାଁଟିର ଛୋଟ ଜୀବନରେ ଅଶିଣ କୃଷ୍ଣପକ୍ଷ

ତାରାର ଫୁଲପକା କଳାଶାଢ଼ୀ ପିନ୍ଧି ରାତିଟା ଯେପରି ସରିବି

ସରିଲା ନାହିଁ (୭୬)/ପରଝାଡ଼ି ବାଦୁଡ଼ିଗୁଡ଼ାକ ହଳ ହଳ ହୋଇ

ଚେଁ ଚାଁ କରି ଉଡ଼ିଯାଇଥିଲେ ନିଛାଟିଆ ରାତିର ଛାତିକୁ (୮୩) ଇତ୍ୟାଦି ।

-୭-

ବୀପ୍‌ସା-ଶବ୍ଦଗୁଡ଼ିକର ପ୍ରୟୋଗ ପ୍ରାବଲ୍ୟ ଏ ଗଳ୍ପଗୁଡ଼ିକରେ ଲକ୍ଷିତ । ଅନେକତ୍ର ‘ଧ୍ଵନ୍ୟାନୁକାରୀ ଅବ୍ୟୟ’ଗୁଡ଼ିକ ମଧ୍ୟ ଏ ଜାତୀୟ ଶବ୍ଦର ସଂଖ୍ୟା ବୃଦ୍ଧିରେ ସହାୟକ ହୋଇଛି । ବୀପ୍‌ସା ଶବ୍ଦମାନଙ୍କ ପ୍ରତି, ଲେଖକଙ୍କ ଗଭୀରମୋହ ଗଳ୍ପଗୁଡ଼ିକରୁ ସ୍ପଷ୍ଟ ଅନୁମେୟ । ନିମ୍ନମତେ ଗଳ୍ପଗୁଡ଼ିକରୁ ପ୍ରାପ୍ତ ଏ ପ୍ରକାର ଶବ୍ଦଗୁଡ଼ିକର ଏକ ସ୍ଥୂଳ ବିଭାଜନ କରାଯାଇପାରେ ।

 

ବର୍ଣ୍ଣବାଚକ

-

କଳା କଳା, ଧଳା ଧଳା, ନେଳି ନେଳି, ଲାଲ୍‌ ଲାଲ୍‌ ।

ଭାବବାଚକ

-

ସେନେହୀ ସେନେହୀ, ବଡ଼ବଡ଼ୁଆ, ଚିହ୍ନା ଚିହ୍ନା, ଗୁଲୁରୁ ଗୁଲୁରୁ, ଚଙ୍ଗଚଙ୍ଗ, ଥଙ୍ଗଥଙ୍ଗ ।

ପରିବେଶବାଚକ

-

ଗିରିଗିରିଆ, ସୁଲୁସୁଲିଆ, ଛାଇ ଛାଇଆ, ଗୁଳଗୁଳିଆ, ଝାପସା ଝାପସା, ଦିଗବିଦିଗ ।

ରୂପବାଚକ

-

ଝକଝକ, ଲମ୍ବା ଲମ୍ବା, ଦରଦର, ରୂଢ଼ିଆ ରୂଢ଼ିଆ, କନକନ, ମୁଦିଲା ମୁଦିଲା, ଦାଢ଼ିଆ ଦାଢ଼ିଆ, ହୁତୁ ହୁତୁ, କୁଞ୍ଚକୁଞ୍ଚିଆ, ଫୁରୁଫରିଆ, ସଜେଇ ସଜେଇ, ଦାଉ ଦାଉ, ନଡ଼ଉ ନଡ଼, ଜଳ ଜଳ, ମସ୍ତ ମସ୍ତ, ଖାସୁ ଖାସୁଆ, ମୁରୁକେଇ ମୁରୁକେଇ, ନହକା ନହକା, ପାକୁ ପାକୁ, ଫର ଫର (ଧାବ), ଚିଡ଼ି ଚିଡ଼ି, କଣେଇ କଣେଇ ।

ଅବସ୍ଥାବାଚକ

-

ଟାଣୁଆ ଟାଣୁଆ, ଗୁରୁଗୁରୁ, ଛାଏଁ ଛାଏଁ, ସରସର, ଥରଥର, ଶୂନ୍ୟେ ଶୂନ୍ୟେ, ଲାଳୁଆ ଲାଳୁଆ, ସରି ସରି, ଗୋଡ଼େ ଗୋଡ଼େ, ଅଧା ଅଧା, ଆପେ ଆପେ, ନିରିଖି ନିରିଖି, ଝଡ଼ି ଝଡ଼ି, କଣ୍ଟିଲା କଣ୍ଟିଲା, ପୁତୁ ପୁତୁ, କୁତୁକୁତେଇ, କୂଳେ କୂଳେ, ପିଚ୍‌ ପିଚ୍‌, ଟଳ ଟଳ, ପୋତା ପୋତା, ଅଠା ଅଠା, ପଚ୍‌ ପଚ୍‌, ଗରମ ଗରମ, ଓଦା ଓଦା, ଉଷୁମ ଉଷୁମ ।

ପରିମାଣବାଚକ

-

ପେନ୍ଥାକୁ ପେନ୍ଥା, ନଉତା ନଉତା, ତୁହାକୁ ତୁହା, ଘଡ଼ିକି ଘଡ଼ି, ଦିନ ଦିନ, ମାସ ମାସ, ଘଣ୍ଟା ଘଣ୍ଟା ଗୋଟିଏ ଗୋଟିଏ, ପୁରୁଷ ପୁରୁଷ, ଦି’ଦି, ପେଟେ ପେଟେ, ପଲ ପଲ, ପଣେ ପଣେ ।

କ୍ରିୟାବାଚକ

-

ଖାଇ ଖାଇ, ଦଉଡ଼ି ଦଉଡ଼ି, ଥୋଉ ଥୋଉ, ନାଚି ନାଚି, ଝୁଲୁ ଝୁଲୁ, ଗଡ଼ ଗଡ଼, ଗଳି ଗଳି, ଚାଲି ଚାଲି, ମାରି ମାରି, ଆଉଁସି ଆଉଁସି, ଜପି ଜପି, ଠୁକେଇ ଠୁକେଇ, ଗପୁ ଗପୁ, ନଚାଇ ନଚାଇ, ଝୁଣ୍ଟୁ ଝୁଣ୍ଟ, ଆଉଁସୁ ଆଉଁସୁ, ଶୁଙ୍ଘ୍‍ ଶୁଙ୍ଘ୍‍, ଝୁମି ଝୁମି, କାଶିଲା କାଶିଲା, ଚାଟି ଚାଟି, ଫୋଡ଼ି ଫୋଡ଼ି ଥାପଡ଼ଉ ଥାପଡ଼ଉ, କହି କହି, ରଖୁ ରଖୁ, ଆଣୁ ଆଣୁ, କହୁ କହୁ, ବିଞ୍ଚି ବିଞ୍ଚି, ଲାଖି ଲାଖି, ଛୁଇଁ ଛୁଇଁ, ନେଉ ନେଉ, କାନ୍ଦ କାନ୍ଦ, ଶୋଇ ଶୋଇ, କୁଣ୍ଡାଇ କୁଣ୍ଡାଇ, ଲୁଚି ଲୁଚି, ଘୋଷାରି ଘୋଷାରି, ଖସୁ ଖସୁ ।

 

ଗ୍ରାମ୍ୟ ପୃଷ୍ଠଭୂମିରେ ଲେଖକଙ୍କ ଅଧିକାଂଶ ଗଳ୍ପ ରଚିତ । ଚରିତ୍ରମାନେ ଗ୍ରାମ୍ୟ । ଶିକ୍ଷାଦୀକ୍ଷା ସ୍ଵଳ୍ପ । ମୁହିଁର ଭାଷା ତେଣୁ ଗ୍ରାମ୍ୟ ଆବରଣ ଭିତରେ ଉଚ୍ଚାରିତ । ଶିକ୍ଷିତ ଲୋକର ମାର୍ଜିତ ବାର୍ତ୍ତାଳାପ ସେଠି ଅନୁପଲବ୍ଧ । ସଫଳଭାବେ ଗ୍ରାମ୍ୟ ପୃଷ୍ଠଭୂମିକୁ ବିଧୃତ କରିବା ପାଇଁ, ଚରିତ୍ରମାନଙ୍କର ଅବିକଳ ଭାବଚିତ୍ର ପାଠକକୁ ଦେବା ପାଇଁ, ଲେଖକ ତେଣୁ ବହୁ ଗ୍ରାମ୍ୟ ଶବ୍ଦ ଯଥା ଯଥ ଭାବରେ ପ୍ରୟୋଗ କରିଛନ୍ତି । ଗଳ୍ପଗୁଡ଼ିକର ଶବ୍ଦବସାଣରେ ଏହା ତାଙ୍କର ଦ୍ୱିତୀୟ ବୈଶିଷ୍ଟ୍ୟ । ଯେପରି-

 

ମଥାନ, ନିଚିପଳ, ନେଡ଼ି, କରାଟ, ସୋରାଏ , ସୁନ୍ଦୁରା, ମୁଚୁଳା, ଅଏସ, ଚିଆଁମାଡ଼ି, ସେନ୍ତରା ଆମ୍ବଭଳି, ଚିରୁଡ଼ା, ଅଦୌତି, ଟାଙ୍କି ହୋଇଗଲା, ଆୟ ଅରଜନ, ଝଝରା ପଞ୍ଜରାଟା, ଟିକେନାକୁ, ଗଛ ବୁରୁଛ, ଅପଶାଇପ, ବୋଲଣା, ଉଗୁଜା, ଚଟୁଟା, ନେଳିଆସିଆ, ଦି ଘଡ଼ି, ମେଳେଚ୍ଛା, ବାଆଁରେଇ, ଖଜବଜ, ଆଗିଲା ପିଛିଲା, ଖଳବ, ରାହୁଆ, କୋବଲେଇ, ଘୋରତେଇ, ଥପକିନା...... ଇତ୍ୟାଦି ।

-୮-

ଅନନ୍ତ ପଟ୍ଟନାୟକଙ୍କ ଗଳ୍ପଗୁଡ଼ିକରେ ବାକ୍ୟ ବିନ୍ୟାସ ପ୍ରକ୍ରିୟା ତ୍ରିବିଧ । ପ୍ରଥମତଃ, ଗୋଟିଏ ବାକ୍ୟରେ ସମାନ ଶବ୍ଦ ଦୁଇଥର ବ୍ୟବହୃତ ହୋଇଥାଏ । ଫଳରେ ଯେଉଁ ଶବ୍ଦଟି ଦୁଇଥର ବ୍ୟବହୃତ ହୋଇଥାଏ, ବାକ୍ୟର ସେହି ଶବ୍ଦର ଗୁରୁତ୍ୱ ବଢ଼ିବା ସଙ୍ଗେ ସଙ୍ଗେ ତାହା ମଧ୍ୟ ଗଳ୍ପର ସେହି ନିର୍ଦ୍ଦିଷ୍ଟ ଧାଡ଼ିକୁ ଏକ ବିଶେଷ ମହତ୍ୱ ପ୍ରଦାନ କରିଥାଏ । ଏ ପ୍ରକାର ଶବ୍ଦ ବ୍ୟବହାର ବାକ୍ୟର ପ୍ରଥମ ଓ ଶେଷରେ, ନଚେତ୍‌ କେବଳ ପ୍ରଥମେ ହୋଇଥାଏ । ଏ ଜାତୀୟ ବାକ୍ୟ ବିନ୍ୟାସ-

ବରଫ୍‌, ବରଫ୍‌ କାଇଁ ? (ପୃ -୨୪)

ସେଇ ବିଧବା ପ୍ରତି ସନ୍ଦେହ-ହିଁ ସେଇ.... (ପୃ-୩୯)

ଏଇ, ଏଇ ଫୁଲ ଗୋଟେଇ ଝିଅଟି ପରି.... (ପୃ-୫୨)

ଶୋଉ ! କଇଁଫୁଲଟା ଶୁଖି ସେମଟି ଯାଇଚି, ଶୋଉ । (ପୃ-୬୦)

ଭୁଲ୍‌ କରିଥିଲି, ଭୁଲ୍‌! (ପୃ-୭୦)

 

ଦ୍ୱିତୀୟ ଧରଣର ବାକ୍ୟ ବିନ୍ୟାସରେ ବାକ୍ୟର ପ୍ରଥମେ ‘ଭାବକାରକ’ ବା ଆଳଙ୍କାରିକ’ ଅବ୍ୟୟଟିଏ ସଂଯୁକ୍ତ ହୋଇଥାଏ । ସଂଳାପଗୁଡ଼ିକ ଏହା ଫଳରେ ସ୍ଵାଭାବିକ ହେବା ସଙ୍ଗେ ସଙ୍ଗେ ବକ୍ତାର ତାତ୍କାଳିକ ମନୋଭାବର ଇଙ୍ଗିତ ଦିଅନ୍ତି । ଯଥା-

 

ଆଃ, ତମକୁ କଣ କହିଯାଇନି ନା ? (ପୃ-୬୮)

ମ, ଏଠି ଛିଡ଼ା ହୋଇଛୁ, ଶୁଣୁନୁ କେମିତି କିଲୋ । (ପୃ-୭୫)

ଏଃ, ୟା ନାଁ ଖେଳ ! (ପୃ-୧୩୪)

ରଃ, କେଡ଼େ ବହପରେ ତୋର । (ପୃ-୧୩୮)

 

ତୃତୀୟ ଧରଣର ବାକ୍ୟ ବିନ୍ୟାସ ହୁଏ ଏକାଧିକ ବୀପ୍‌ସା-ଶବ୍ଦର ବ୍ୟବହାର ଦ୍ୱାରା । ଯାହା ଫଳରେ ବକ୍ତବ୍ୟ ଅଧିକ ଅର୍ଥବାହୀ ହୁଏ । ଗଳ୍ପଗୁଡ଼ିକର ବାକ୍ୟ ସୃଷ୍ଟିରେ ଏହା ଏକ ବିଶିଷ୍ଟ ଲକ୍ଷଣ-

 

ଜିପ୍‌ଗାଡ଼ିଟା ତେଲ ପୋଡ଼ି ପୋଡ଼ି ବାଟରେ ଶୋଷେଇ ଶୋଷେଇ ଏଠି ସେଠି

ପାଣି ପିଇ ପିଇ ଶଗଡ଼ ସରିରେ ଧକେଇ ଧକେଇ ହୋଇ ଗୋଟାଏ

 

ବଡ଼ ଗାଆଁର ମଝିଦାଣ୍ଡରେ ହାଜର ହୋଇଗଲାବେଳକୁ ସୂର୍ଯ୍ୟ ବୁଡ଼ୁ ବୁଡ଼ୁ । (ପୃ-୩୪) ମେଞ୍ଚାଏ ସଢ଼ା ସଢ଼ା ବାସିଲା ବାସିଲା ବେଲପତ୍ର ଚୋବାଇ ଚୋବାଇ ଫେରିବ, ‘କୃପାସିନ୍ଧୁ ବଦନକରି ଅବଲୋକନ’ - ଗାଇ ଗାଇ । (ପୃ-୬୨)

 

ବାଡ଼ିଗଡ଼ି ଠାରିଲା- ଆଙ୍ଗୁଠି ଗୁଡ଼ାକୁ ଭାଙ୍ଗି ଭାଙ୍ଗି ବଙ୍କେଇ ବଙ୍କେଇ ସଲଖ କରି ଦେଖେଇ ଦେଖେଇ, ଠାରିଲା-ଆଉ-ଗଡ଼ି ଗଡ଼ି ଅନ୍ତଦୁହାଁ ଡାକଟାଏ ମାରିଲା ଜଗୁଆ । (ପୃ-୧୩୮)

-୯-

ଆଲୋଚ୍ୟ ଗଳ୍ପଗୁଡ଼ିକରେ ବକ୍ତବ୍ୟକୁ ବଳିଷ୍ଠ ଓ ଅର୍ଥଗଭୀର କରି ଲେଖକୀୟ ମନୋଭାବର ସଂପୂର୍ଣ୍ଣ ରୂପ ପାଠକ ସମ୍ମୁଖରେ ଥୋଇବା ପାଇଁ ଉପମା ଓ ରୂପକଳ୍ପ ସ୍ଥାନେ ସ୍ଥାନେ ଦୃଶ୍ୟମାନ । ଏହା ପରିମାଣ ଦୃଷ୍ଟିରୁ ସ୍ଵଳ୍ପ । ‘କଟାଶ ପରି ଚାହିଁଚି’, ‘ଚିଲପରି ଝାମ୍ପ ନେଲା’, ‘ମୁଗୁନିର ମୂର୍ତ୍ତିଟିଏ ଭଳି’ ଆଦି ଲୋକ ପ୍ରଚଳିତ ରୂଢ଼ି ବ୍ୟତୀତ ବହୁ ଉପମା, ରୂପକଳ୍ପ ମଧ୍ୟ ଆପଣା ସୌନ୍ଦର୍ଯ୍ୟରେ ଭାସ୍ଵର । ଯେପରି-

 

ଅସୁରିଆ ଟ୍ରକଟାକୁ, ମୂଷୁକାନି ପତରପରି ବକଟେନାକୁ ମଣିଷ ଛୁଆକୁ, ଛୁଞ୍ଚିକନା ପରି ଚିରା ଓଢ଼ଣା, ପିଙ୍ଗପଙ୍ଗ୍‌ ବଲ ଭଳି ରିଷ୍ଟୱାଚଟାଏ, ସୁନାର ସରୁ ସଣ୍ଡୁଆଶି ଭଳି ହାତ ଦିଓଟିରେ, ସାକୀଟିଏ ପରି, ରୋବଟ ପରି, ସାୟେସ୍ରାଖାର ହାତ ଭଳି, ଦୁଃଖର ବର ଅଠାରେ ଇତ୍ୟାଦି ।

 

ଅନେକତ୍ର ସମାନ ଉପମା, ରୂପକଳ୍ପ ମଧ୍ୟ ଏକାଧିକ ବାର ବ୍ୟବହୃତ ହୋଇଛି । ଯହିଁରୁ ନିର୍ଦ୍ଦିଷ୍ଟ ‘ଉପମାନ ପ୍ରତି’ ଲେଖକୀୟ ଆକର୍ଷଣ ସୂଚିତ । ଅନେକ ସମୟରେ କିନ୍ତୁ ଉପମାଟି ବାରମ୍ବାର ସମାନଭାବେ ବ୍ୟବହୃତ ହେବା ଫଳରେ କଥା ବୈଚିତ୍ର୍ୟ ସୃଷ୍ଟିର ଶକ୍ତି ହରାଇ ବସିଛି । ଗଳ୍ପଗୁଡ଼ିକରୁ ପ୍ରାପ୍ତ ଏଭଳି କେତେକ ଉପମା-

 

(କ)

ଗଡ଼େଇ ଦେଇଥାନ୍ତା ହୁଏତ ପୁରୁଣା ନଡ଼ିଆଗଛପରି ଭିତରୁ ପୋଷରା, ତା’ର ଥର ଥର ଦେହଟା । (ପୃ-୪) ଆକାଶ ଛୁଆଁ ନଡ଼ିଆଗଛ ପରି ଉପୁଡ଼ି ଉପୁଡ଼ି ପଡ଼ିଛି, ଓଲଟି ପଡ଼ିଛି, ଉଦିଆ ! (ପୃ-୧୩୬)

(ଖ)

ଯୋଡ଼ାଏ ଦରପାକଲା ସଅଁବାଳୁଆପରି ବହଳିଆ ଭୂରୁ ତଳରେ... (ପୃ-୪)

 

ସେଇ କଳା କଳା ସଁବାଳୁଆ ପରି ଭୂରୁ ହଳକ (ପୃ- ୮୪)

(ଗ)

ହୋଟେଲର ସେ ବଖରାଟା ଯେମିତି ଘୂରିଗଲା - ଲଟୁପରି କଣ୍ଟା ମୁନରେ ଗୋଟାଏ ! (ପୃ-୨୨) ପାପୁଲି ଉପରେ ଘୂର୍ଣ୍ଣାୟମାନ ଲଟୁଭଳି ରହି ମଧ୍ୟ ରହୁନାହିଁ, ଖସି ଖସି ଯାଉଛି । (ପୃ-୩୩)

(ଘ)

ପଡ଼ିରହିଲା ବଳା ନାଲିମାଟିର କାଦୁଅ ପିଣ୍ଡୁଳାଟିଏ ପରି- । (ପୃ-୧୯)

 

ବାଙ୍ଗୁରାଟିଏ ଲୁହାର ପିଣ୍ଡୁଳା ପରି- । (ପୃ.୧୩୪)

-୧୦-

ସାମ୍ୟବାଦୀ ସାହିତ୍ୟିକଭାବେ ଅନନ୍ତ ପଟ୍ଟନାୟକ ପରିଚିତ । ତାଙ୍କର କଥା ସାହିତ୍ୟରେ କିନ୍ତୁ ଗାନ୍ଧିବାଦୀ ଆଦର୍ଶର ପ୍ରତିଫଳନ ସୁସ୍ପଷ୍ଟ । ଭାରତର ସ୍ଵାଧୀନତା ଆନ୍ଦୋଳନ ଓ ସ୍ଵାଧୀନତା ପ୍ରାପ୍ତିକାଳୀନ ଗାନ୍ଧିବାଦୀ ଚେତନା ଏଥିପାଇଁ ଦାୟୀ । କାରଣ ଗଳ୍ପଗୁଡ଼ିକ ମୁଖ୍ୟତଃ ଏଇ ସମୟ ସୀମା ମଧ୍ୟରେ ହିଁ ରଚିତ । ତତ୍‌କାଳୀନ ସାମାଜିକ ପ୍ରଭାବମୁକ୍ତ ହୋଇ ଲେଖକ ଆପଣା ସାମ୍ୟବାଦୀ ଆଦର୍ଶ ବ୍ୟାଖ୍ୟାନ ପାଇଁ ତେଣୁ ସକ୍ଷମ ହୋଇନାହାନ୍ତି । ଅଜିତ୍‌ ନୀଳାଦ୍ରୀ, ଧଡ଼ି, ଗଣେଶ ଆଦି ଗାନ୍ଧିବାଦୀ ଚରିତ୍ର ପରିକଳ୍ପନା ମୂଳରେ ରହିଚି ଏଇ ସାମାଜିକ ବାତାବରଣ ପ୍ରଭାବିତ ସ୍ରଷ୍ଟାମନ । ଏ ଚରିତ୍ରମାନେ କିନ୍ତୁ ଗଳ୍ପର ପରିସମାପ୍ତି ବେଳକୁ ଆପଣା ଆଦର୍ଶ ରକ୍ଷାରେ ଅସଫଳ ହୋଇଛନ୍ତି । ଗଳ୍ପଗୁଡ଼ିକରେ ସର୍ବତ୍ର ଗାନ୍ଧିବାଦୀ ଆଦର୍ଶ-ବିଚ୍ୟୁତିର ସ୍ପଷ୍ଟ ଉପସ୍ଥାପନା । ପରିବର୍ତ୍ତିତ ସାମାଜିକତାରେ ଗାନ୍ଧିବାଦୀ ଆଦର୍ଶ ରକ୍ଷାର କାଠିନ୍ୟ, ଚରିତ୍ରମାନଙ୍କର ଆଦର୍ଶବିଚ୍ୟୁତିର ଏକମାତ୍ର କାରଣ । ଗଳ୍ପଗୁଡ଼ିକରେ ତେଣୁ ଲେଖକଙ୍କ ନିଜସ୍ଵ ଆଦର୍ଶବୋଧ ଅସ୍ପଷ୍ଟତା ମଧ୍ୟରେ ଅବନିହିତ ।

-୧୧-

କଥା ଜଗତରେ ସ୍ଵଳ୍ପ ହେଲେ ବି ଅନନ୍ତ ପଟ୍ଟନାୟକଙ୍କ ଗଳ୍ପଗୁଡ଼ିକ ସେମାନଙ୍କର ସମାଜତାତ୍ତ୍ୱିକ ଆବେଦନପାଇଁ ଗୁରୁତ୍ୱପୂର୍ଣ୍ଣ । ସେ କବି ଦୃଷ୍ଟିରେ ବିଶ୍ୱଜୀବନକୁ ଉପଲବ୍ଧି କରି ତାକୁ ଆପଣା ବାଗରେ ଥୋଇଛନ୍ତି । ଗଳ୍ପଗୁଡ଼ିକ ସେମାନଙ୍କର ବଳିଷ୍ଠ ଆଶୟ (plot) ପାଇଁ ସ୍ଵତନ୍ତ୍ର । ଏତଦ୍‌ବ୍ୟତୀତ ତ ସମସ୍ତ ଗଳ୍ପର ଉପସ୍ଥାପନା ବେଳେ ଯେଉଁ ଶୈଳୀ ଅନନ୍ତ ପଟ୍ଟନାୟକ ପ୍ରୟୋଗ କରିଛନ୍ତି ତାହା ମଧ୍ୟ ଆକର୍ଷକ । ଏ ଶୈଳୀର ସଫଳ ପ୍ରୟୋଗ ତାଙ୍କର ଅନ୍ୟତମ ବୈଶିଷ୍ଟ୍ୟ । ପରିମାଣ ସ୍ଵଳ୍ପ ହେଲେ ହେଁ ଗଳ୍ପଗୁଡ଼ିକର ଅପୂର୍ବ ରସ ବୋଧ କ୍ଷମତା ଓ ରଚନା କୌଶଳ ତାଙ୍କୁ କଥାକାରର ସ୍ୱୀକୃତି ଦିଏ ।

 

 

ଡିୟର ପାର୍କ, ଶାନ୍ତିନିକେତନ-୭୩୧୨୩୫

ଓ୍ୱେଷ୍ଟବେଙ୍ଗଲ

 

***

 

କୋଣାର୍କ ୧୬୫ତମ ସଂଖ୍ୟା

ଅନନ୍ତଙ୍କ ଅନେକ ଅସ୍ମିତା

ଅଭିରାମ ବିଶ୍ୱାଳ

 

ସାହିତ୍ୟ ମତାଦର୍ଶ, ଆନ୍ଦୋଳନ, ମାର୍କ୍ସବାଦ, ଗାନ୍ଧୀବିଚାର ଓ ମାନବବାଦୀ କର୍ମପ୍ରବଣତା ଆଦି ଲୋକଇଲାକାରେ ବେଶ୍‌ ସକ୍ରିୟ ଥିବା ଅନନ୍ତ ପଟ୍ଟନାୟକଙ୍କ (୧୧।୦୬।୧୯୧୨-୨୫।୦୬।୧୯୮୭) ଜୀବନର ଅନେକ ଆୟାମ ବାବଦରେ ଓ ସଂପୃକ୍ତିର ବିଶ୍ଵଦୃଷ୍ଟି ସମ୍ପର୍କରେ ଅତିକମ୍‌ରେ ଦୁଇଗୋଟି ପ୍ରତିନିଧିସ୍ଥାନୀୟ ଉପାଖ୍ୟାନର ଅବତାରଣା କରାଯାଇପାରେ-। ୨୯ ନଭେମ୍ବର ୧୯୩୫ ଦିନ ମାତଳୀ ଚୌଧୁରୀ ପ୍ରମୁଖ ‘ନବଯୁଗ ସାହିତ୍ୟ ସଂସଦ’ର ଉଦ୍‌ଘାଟନୀ ଉତ୍ସବରେ ଯେଉଁ ‘‘ନବୀନ ଯୁଗର ତରୁଣ ଜାଗରେ ଜାଗ ବନ୍ଧନ ହରା....’’ ଗୀତଟି ଗାଇଥିଲେ ତାକୁ ରଚନା କରିଥିଲେ ୨୩ ବର୍ଷର ତରୁଣ ଅନନ୍ତ । ପୁଣି ୧୯୭୨ ମସିହାରେ ଉତ୍କଳ ସାହିତ୍ୟ ସମାଜର ହୀରକ ଜୟନ୍ତି ଅବସରରେ ସଭାପତୀୟ ଅଭିଭାଷଣ ଦେଇ ସାହିତ୍ୟର ଦୁଇ ମୌଳିକ ବିଭବ କଲ୍ୟାଣବୋଧ ଓ ଆନନ୍ଦବୋଧ ଉପରେ ଗୁରୁତ୍ୱ ଦେଇଥିଲେ ୬୦ ବର୍ଷ ବୟସ୍କ ଅନନ୍ତ । ଏସବୁ ପଢ଼ିବାକୁ ଓ ଶୁଣିବାକୁ ମିଳିଥାଏ । ହେଲେ ଅନନ୍ତମାନଙ୍କର ସାମଗ୍ରିକ ସତ୍ତାକୁ ବେଳେବେଳେ ପଢ଼ିବା ଓ ଶୁଣିବା ବାଟଦେଇ ଠିକ୍‌ ଭାବେ ଧରିବା ହୁଏତ ସମ୍ଭବ ହୋଇନପାରେ । କାରଣ ନିଜ ଜୀବନ, ସାହିତ୍ୟ ଓ ମତାଦର୍ଶ ଭଳି ଅନନ୍ତ ଥିଲେ ଅତିକମ୍‌ରେ ଅନ୍ତର୍ଦୃଷ୍ଟି, ଅନ୍ତଃକରଣ ଓ ଅଧ୍ୟବାସୟର ଏକ ମନୋଜ୍ଞ ସଂଗମ । ସିଏ ଥିଲେ ଏଭଳି ଜଣେ ବିଶ୍ଵନାଗରିକ ଯାହାଙ୍କ କ୍ଷେତ୍ରରେ ଏକା ସାଙ୍ଗରେ କର୍ମୀ, ସ୍ରଷ୍ଟା ଓ ଶିଳ୍ପୀ ସୁଲଭ ଅନେକ ଅସ୍ମିତାର ସମବାୟ ଘଟିଥିଲା । ତାଙ୍କ ସାହିତ୍ୟକୁ ତେଣୁ ତାଙ୍କ ରାଜନୀତି, ମତାଦର୍ଶ ଓ ଆନ୍ଦୋଳନଠାରୁ ଅଲଗା କରି ଦେଖିବା ଖାଲି ବୃଥା ପ୍ରୟାସ ନୁହେଁ, ଅସମ୍ଭବ ମଧ୍ୟ । ବିପ୍ଲବ, ବିଜ୍ଞାନ ଓ ନୂଆ ଦୁନିଆର କଥା କହିଥିବା ମାର୍କ୍ସବାଦ ସବୁବେଳେ ବିଭିନ୍ନ ପ୍ରସଙ୍ଗର କ’ଣ କାହିଁକି ଓ କିପରି ଉପରେ ବେଶ୍‌ ଗୁରୁତ୍ଵ ଦେଇଥାଏ । ଅନନ୍ତ ବା ସେସବୁରୁ ବାଦ୍ ପଡ଼ନ୍ତେ କିପରି ? ତାଙ୍କର ରାଶି ରାଶି ଲେଖାର ବ୍ୟାଖ୍ୟା ଓ ଦୃଷ୍ଟିଭଙ୍ଗୀରୁ ତାଙ୍କ ମତାଦର୍ଶଗତ ଆଭିମୁଖ୍ୟ ଓ ଅଙ୍ଗୀକାର ନିହାତି ବାରି ହୋଇପଡ଼େ ।

 

ସବୁ ଭୁଲ ହୋଇଯାଉଥିବା ସତ୍ତ୍ଵେ ଓ ଭୁଲି ଗଲାପରେ ଯାହା ମନେ ରହେ ତାହା ହିଁ ସ୍ମୃତି । ଅନନ୍ତଙ୍କୁ ଆମେ କବି ଭାବେ ମନେ ପକାଉ ନା କମ୍ରେଡ଼୍‌ ଭାବେ ? ଅବଶ୍ୟ ଅନନ୍ତଙ୍କ କବିସତ୍ତା ତାଙ୍କ କମ୍ରେଡ଼୍‌ପଣିଆକୁ ନିଶ୍ଚିହ୍ନ କରି ଦେଇ ନ ଥିଲା କିମ୍ବା ତାଙ୍କ କମ୍ରେଡ଼୍‌ପଣିଆ ତାଙ୍କ କବିସତ୍ତାକୁ ଆତ୍ମସାତ୍‌ କରିପାରିନଥିଲା । ସତ କହିବାକୁ ଗଲେ ସିଏ ଖାଲି କବି ଓ କମ୍ରେଡ଼୍‌ ନ ଥିଲେ । ଥିଲେ ପୁଣି ବିପ୍ଲବୀ, ସାମ୍ୟବାଦୀ, ସ୍ୱାଧୀନତା ସଂଗ୍ରାମୀ, ବାପୁପ୍ରେମୀ, ଶିକ୍ଷକ, ନାଟ୍ୟକାର, କଥାଶିଳ୍ପୀ, ଶିଶୁସାହିତ୍ୟକ, ସାମ୍ବାଦିକ, ପ୍ରାବନ୍ଧିକ, ସମୀକ୍ଷକ, ସ୍ତମ୍ଭକାର, ସମ୍ପାଦକ, ଚଳଚ୍ଚିତ୍ର, ନିର୍ଦ୍ଦେଶକ, ଅନୁବାଦକ, ବୁଦ୍ଧିଜୀବୀ, ପ୍ରଗତିବାଦୀ କର୍ମୀ-ପ୍ରବକ୍ତା ଆଦି । ଜଣେ ଯେ କିଛି ବିରୋଧାଭାସ ସତ୍ତ୍ଵେ ଏକାସାଙ୍ଗରେ ଅନେକ ଅସ୍ମିତାର ଅଧିକାରୀ ହୋଇପାରନ୍ତି, ସେଠି ଗୋଟିଏ ପରିଚିତି ଅନ୍ୟ ଗୋଟିଏ ପରିଚିତର ପ୍ରତିବନ୍ଧକ ନ ସାଜି ପରିପୂରକ ହୋଇପାରେ, ଅଧିକାରୀ ଜଣକ ସବୁ ଆୟାମ ମୋଟାମୋଟି ଠିକ୍‌ ଠାକ୍‍ ତୁଲାଇ ଏକପ୍ରକାରର ସାମୁଦାୟକ ଉତ୍କର୍ଷ ପ୍ରତିପାଦନ କରିପାରନ୍ତି- ତା’ର ନନବଜାଗରଣକାଟର ପ୍ରମାଣ ଓ ପ୍ରତିନିଧି ଥିଲେ ଅନନ୍ତ ପଟ୍ଟନାୟକ । ଅମର୍ତ୍ତ୍ୟସେନ ଏଇ ଅଳ୍ପ କିଛି ବର୍ଷ ତଳେ ହିଁ ବିବିଧ ଅସ୍ମିତାର ସଂଗମ କଥା ଉଠେଇଛନ୍ତି । ହେଲେ କାହିଁ କେତେ ଆଗରୁ ଆମର ଏଠି ଅନେକ ନିଜ ନିଜ ବାଗରେ ସେଭଳି ଅମର୍ତ୍ତ୍ୟ ଉଚ୍ଚାରିତ ପରିଭାଷାର ଜୀବନ୍ତ ଦୃଷ୍ଟାନ୍ତ ଭାବେ ଉଭା ହୋଇସାରିଥିଲେ ।

 

ଏକପଦୀକରଣଗତ ସୁବିଧା କାରଣରୁ କବିତା ଲେଖୁଥିବା ସମସ୍ତଙ୍କୁ କବି କୁହାଯାଏ । ହେଲେ କବିତା ଲେଖା ହେଉଥିବ, ସେ କବିତାରେ କବିତ୍ୱ ନ ଥିବ, ଆଉ ଲେଖୁଥିବା ବ୍ୟକ୍ତିଜଣକ କ୍ରାନ୍ତଦର୍ଶୀ ହୋଇନଥିବେ- ଇଏ ବଡ଼ ବିଷମ ପରିସ୍ଥିତି ! ଅନନ୍ତ ପଟ୍ଟନାୟକଙ୍କ ନାଁ ଉଚ୍ଚାରଣ ମାତ୍ରକେ କବି ଅନନ୍ତ ପଟ୍ଟନାୟକଙ୍କୁ ହିଁ ବୁଝାଏ । ତାଙ୍କୁ ଅନେକ ସମୟରେ ସାମ୍ୟବାଦୀ ଛାଞ୍ଚରେ ସୀମିତ ରଖିବାକୁ ଚେଷ୍ଟା କରାଗଲେ ମଧ୍ୟ ତାଙ୍କ କାବ୍ୟଜୀବନ ଅନେକ ଧାରା ଓ ପର୍ଯ୍ୟାୟ ଦ୍ୱାରା ପରିପୁଷ୍ଟ ହୋଇଛି । ଯେମିତି ସବୁଜ, ସମସାମୟିକ, ରମ୍ୟ, ପ୍ରଗତିବାଦୀ, ମାନବବାଦୀ ଓ ଆଧୁନିକ । ଅବଶ୍ୟ ଏକଥା ସତ ଯେ ତାଙ୍କ କବିତାମାନଙ୍କର ଆଧାରବିନ୍ଦୁ ଓ କେନ୍ଦ୍ରୀୟ ସୂତ୍ର ହେଲା ପ୍ରଗତିବାଦ ବା ସାମ୍ୟବାଦ । ଆତ୍ମାର ଉଲ୍ଲାସ, ଜୀବନର ପ୍ରାଣପ୍ରାଚୁର୍ଯ୍ୟ, ମଣିଷର ବେଦନା, ସମାଜର ସତ୍ୟ, ମାଟିର ଭାଷା, ପ୍ରଗତିକାମୀ ମତାଦର୍ଶର ଆବେଦନ ସାଙ୍ଗକୁ କଳ୍ପନା, ତଥ୍ୟ, ତତ୍ତ୍ୱ, ଅତିକଥା, କାହାଣୀ, ଅନୁଭବ ଓ ଭବିଷ୍ୟତଦୃଷ୍ଟି ମିଶିଲେ ବହି ଜମିଯାଏ । ଆଗାମୀ ଏକ କପୋଳକନଳ୍ପନା ହୋଇରହେନି । କବିତା ବିପ୍ଳବର ଉପରଠାଉରିଆ ଭାଷାକୁ ନେଇ ଖେଳେନି: ସ୍ଳୋଗାନ୍‌ ଓ ପ୍ରୋପାଗଣ୍ଡାର ଧୂଆଁବାଣ ଛାଡ଼େନି । ଆତ୍ମଦର୍ଶନ, ମାଟିବାଣୀ, ଯୁଗଧର୍ମ, ବିଶ୍ୱଚେତନା, ଗଣମାନସ ଓ ଜୀବନରସର ଜୀବସାର ତଥା ସାଂସ୍କୃତିକ କ୍ଷୀରରେ ପୁଷ୍ଟ ଓ ପରିପାଳିତ କବିତାମାନ ଆଉ ପ୍ରେମ ଓ ବିପ୍ଳବ ଭିତରେ ପାର୍ଥକ୍ୟ ଦେଖନ୍ତିନି । କାରଣ ସେ କବିତାମାନେ କହିନ୍ତି- ଜଣେ ଖାଲି ପ୍ରେମରେ ପଡ଼େନି, ପ୍ରେମରେ ଉଠେ । ବିପ୍ଳବକୁ ସୁହାଇଲା ଭଳି ଦରଜୀ-ତିଆରି କବିତା ରଚନା କରାଯାଏନି । ବରଂ କବିତା ବିପ୍ଳବକୁ ତା’ର ଅନ୍ୱେଷାର ଗର୍ଭରୁ ହିଁ ଜନ୍ମଦିଏ । ସେଠି ବିପ୍ଳବ ଯେତିକି ପ୍ରେମ, ପ୍ରେମ ସେତିକି ବିପ୍ଳବ । ଏଇ କେତୋଟି ମର୍ମଭେଦୀ ଶବ୍ଦ କ’ଣ କେବେବି ଭୁଲି ହେବ- ‘‘ମୃତ୍ୟୁର ଜଳେ ପହଁରି ପହଁରି ତୋଳେ ଯେ ତୋ ଲାଗି ରକ୍ତ କଇଁ, / କୁଷ୍ଣ- ନାଗର ଦଂଶନେ ସେ କି ପଡ଼ିବ ନଇଁରେ ପଡ଼ିବ ନଇଁ ?’’ (ଝରରେ ରୁଧିର)

 

ଅନନ୍ତଙ୍କ କବିତା ଲୋକଙ୍କ ମନକୁ ଅଧିକ ଛୁଇଁବାର କେତୋଟି କାରଣ ହେଲା- ସେଗୁଡ଼ିକର ଛନ୍ଦପ୍ରବଣତା, ଅନୁପ୍ରାସଧର୍ମ, ନୂତନ ଶବ୍ଦପ୍ରୟୋଗ ଓ ବିବିଧ ପରୀକ୍ଷାନିରୀକ୍ଷା । ସେସବୁ ସାଙ୍ଗକୁ ତାଙ୍କ କବିତାର ଶ୍ରୁତିମାଧୁର୍ଯ୍ୟ ଓ ସୌନ୍ଦର୍ଯ୍ୟବୋଧ । ଜଣେ କବିଙ୍କର ରଚନା କେତେ ପରିମାଣରେ ଲୋକବଚନକୁ ସମୃଦ୍ଧ କରୁଛି ଓ ସେଥିରେ ବାରମ୍ବାର ସ୍ଥାନ ପାଉଛି ଏବଂ ସମୟର ସାକ୍ଷୀ ଓ ବିବେକ ସାଜୁଛି ତାହା ସେ କବିଙ୍କର ଲୋକପ୍ରିୟତା ଓ ପ୍ରାସଙ୍ଗିକତାକୁ ମଧ୍ୟ ନିର୍ଦ୍ଧାରଣ କରେ । ଏବେ ମଧ୍ୟ ଅନେକ ଗୁଣୁଗୁଣେଇ ହୁଅନ୍ତି, ସଭାସମିତିରେ ଉଦ୍ଧାର କରନ୍ତି ଅନନ୍ତଙ୍କର ଏଇ କେତୋଟି କବିତାଂଶ :

 

(କ)

‘‘କାହିଁ ଭଗବାନ କାହିଁ ବା ସ୍ଵର୍ଗ କହ,

 

କାହା ପାଇଁ ବସି ଗଡ଼ାଅ କାଷ୍ଠ ମାଳି ?

 

ପୃଥିବୀ କା’ ପାଇଁ କରିଲ ଦେଉଳମୟ,

 

ଶ୍ରମିକ ମରେ ଯେ ଦେହରୁ ରକ୍ତ ଢାଳି ?’’

 

(ବୃଦ୍ଧ ତୁମର ଦିବସ ଯାଇଛି ଚାଲି)

 

 

(ଖ)

‘‘ଲଙ୍ଗଳର ପଥ ରୋଧ କର କିଏ ?-ପ୍ରସ୍ତର !

 

ଶସ୍ୟର ସ୍ମିତ ରୋଧ କର କିଏ ? - ପଙ୍ଗପାଳ !

 

ଆତ୍ମାର କଣ୍ଠରୋଧ କର କିଏ ? - ଆତତାୟୀ !’’

 

(ଆସିଚି ମୁଁ ଆସିଚି)

 

ଉଗ୍ର ସମାଲୋଚକମାନେ ଏକଦା କହୁଥିଲେ ଅନନ୍ତ ଆଧୁନିକ ନୁହଁନ୍ତି ! ସିଏ ତ ଅତି ସାମ୍ୟବାଦୀ ହୋଇଗଲେଏ- ଆଧୁନିକ ପରୀକ୍ଷା ନିରୀକ୍ଷା କଲେ ଆଉ କେତେବେଳେ ? ଇଲିଅଟ୍‌ଙ୍କୁ ପଖାଳ ଓ ଶାଗ ଖୁଆଇବା କିମ୍ବା ପବିତ୍ର ପାପ, ନିଃସଙ୍ଗତା, ଭଙ୍ଗୁର ପ୍ରେମ, ଅନ୍ତରୀଣତା, ମୃତ୍ୟୁ ଓ ବିଷାଦର କଥା ତ କହିବା ଖାଲି ଆଧୁନିକତା ନୁହେଁ । ଏଇ କବିତାଂଶ ଦ୍ୱୟର ଆଧୁନିକ ଆଙ୍ଗିକ ଓ ଆତ୍ମିକ ଲକ୍ଷ୍ୟ କରାଯାଉ :

 

(କ)

‘‘ବୈରାଗ୍ୟର ବରପତ୍ରରେ ଭାସୁଛ, ଆହା ଭାସୁଛ !

 

ତୁମେ ତ ମାଟିର ଆତ୍ମା,

 

କୋଇଲାର କୋଇଲା,

 

ଲୁହାର ଲୁହା !

 

ହାତ ବଢ଼ାଏ ମୁଁ, ହାତ ବଢ଼ାଏ ର

 

କେଉଁଠି ତୁମେ କେଉଁଠି ?’’

 

(ହାତ ବଢ଼ାଏ)

(ଖ)

‘‘ଲିମ୍ୱଗଛେ ଡେଣା ଝାଡ଼େ କାଉ

 

ଟେବୁଲରେ ଏ ଘରଚଟିଆ

 

ମହାନଦୀ ହୋଇଛି ଗର୍ଭିଣୀ

 

ବଧିବୁକେ ଜଳୁଥିବ ନିଆଁ !’’

 

(ପ୍ରବାସରେ ବନ୍ୟା)

 

ଏ ଦୁଇଟି କବିତାଂଶର ଛାପ ଓ ପ୍ରତିଧ୍ଵନି ଆଧୁନିକରେ ଗଣା ଅନେକ କବିଙ୍କ କବିତାରେ ଠାବ କରାଗଲେ ଆଶ୍ଚର୍ଯ୍ୟ ହେବାର କିଛି ନାହଁ । କବିଭାବେ ଅନନ୍ତ ନିଜକୁ ବସରରକୀଟ ବୋଲି ଭାବୁହେଲେ । କବିତା ପାଇଁ ନିଜ କବିସତ୍ତାର ବିଲୟକୁ ମଧ୍ୟ ସେ ସ୍ଵୀକାର କରୁଥିଲେ । ଆଉ ଗୋପୀନାଥ ମହାନ୍ତି ଥରେ କହିଥିଲେ- ‘‘ଅନନ୍ତ ତୁଣ୍ଡରେ ଯେମିତିକି ଭାଷାର ଡୁଡୁମା । xxକେତେବେଳେ ଲାଗେ ଇଲିଅଟ୍‌, କେତେବେଳେ ଲାଗେ ସେ ମାୟାକୋଭସ୍କି ।’’

 

କବିଙ୍କ କବିତା ବାବଦରେ ଏତିକି ଥାଉ । ତାଙ୍କୁ ଖାଲି କବି କବି କହି ଚାଲିଲେ ତାଙ୍କ ଅନୁବାଦକ, ଶିଶୁ ସାହିତ୍ୟିକ, ସମୀକ୍ଷକ, ସ୍ତମ୍ଭକାର ଓ ପ୍ରାବନ୍ଧିକ ପରିଚୟମାନ ପ୍ରଚ୍ଛନ୍ନ ରହିଯିବ ଯେ ?

 

ଅନନ୍ତ ପଟ୍ଟନାୟକ ବେଶ୍‌ କିଛି ଅନୁବାଦ କରିଥିଲେ । ଅନେକ ଥିଲା ରୂପାନ୍ତର ଓ ମର୍ମାନୁବାଦ ଧରଣର । ଓଡ଼ିଆରେ ପଢ଼ିଲେ ବି ଲାଗୁଥିଲା ସତେ ଯେମିତି ସେସବୁ ଆରମ୍ଭରୁ ହିଁ ଓଡ଼ିଆରେ ଲେଖା ହୋଇଥିଲା । ଅନନ୍ତଙ୍କ ଅନ୍ୟତମ ସାହିତ୍ୟିକ ଛଦ୍ମନାମ ଥିଲା ‘ପ୍ରିୟଦର୍ଶୀ’ । ସେଇ ନାଁରେ ସେ ଅନେକ ଅନୁବାଦ କରିଛନ୍ତି । ଅନୁବାଦ ପ୍ରକ୍ରିୟାରେ ସିଏ ମୂଳଲେଖାର ଭାଷା, ଭାବ ଓ ସଂସ୍କୃତିଗତ ମୌଳିକସ୍ଵଭାବ ଅକ୍ଷୁର୍ଣ୍ଣ ରଖିବାକୁ ଚେଷ୍ଟା କରୁଥିଲେ । ଅନୁବାଦ କର୍ମରେ ସିଏ ଉଭୟ ବିଶ୍ଵସ୍ତ ଓ ସ୍ଵାଧୀନ ହେବାକୁ ଚାହୁଁଥିଲେ । ତାଙ୍କ ଅନୁବାଦ ଇଂଲିଶ୍‌ ନ୍ୟୁଜ୍‌ ପରେ ହିନ୍ଦୀ ସମାଚାର ଭଳି ନଥିଲା । ଅନୁଦିତ ମୂଳ କୃତିର ପ୍ରାସଙ୍ଗିକତା ଥିଲା ପ୍ରଧାନ ନିର୍ଣ୍ଣାୟକ । ମାଗଣାଟାରେ ସିଏ ଗର୍କି, ଗାନ୍ଧୀ, ସୋଲୋକଭ୍‌ ଲରେନ୍‌ସ, ହୁଇଟ୍‌ମ୍ୟାନ, ହାମ୍‌ଶନ୍‌, ଶୂଦ୍ରକ ଓ ବେଦିଲ୍‌ ଆଦି ଅନୁବାଦ କରି ନ ଥିଲେ | ‘ଗର୍କି’ଙ୍କ ମୂଳଲେଖାର ଅନୁଦିତ କିଛି ଧାଡ଼ି । ଶୀର୍ଷକ - ‘‘ବହି ଖଣ୍ଡେ’’ :

 

‘‘ଗୋଟିଏ ପାର୍କର ବଗିଚା ଘର କାନ ପାଖରେ ଦେଖିଲି ଖଣ୍ଡେ ଶତଚ୍ଛିନ୍ନ ବହି । ଘର ଭିତରେ ଗୋଟାଏ କୋଉ ବଖରାରୁ ଓଳା ହୋଇ ଆସି ପଡ଼ିଥିଲା ଆଉ କେତେ ଅଳିଆ ସାଙ୍ଗରେ ପଡ଼ିଥିଲା, ଯେମିତି ଜଣାଯାଉଥିଲା ଅନେକ ଦିନର ବର୍ଷା ଓ ବରଫମାଡ଼ ଖାଇ । ତା’ର କାଦୁଅଲଗା ପୃଷ୍ଠାଗୁଡ଼ିକ ନିଜ ଉପରେ ସବୁ ଶୁଖିଲା ମଲା ଲତାପତ୍ର ଦେଇ ଶୁଖିଯାଇଥିଲା ବସନ୍ତ କାଳର ଖରାତାପରେ । ଲେଖାଗୁଡ଼ିକ ବି ଆଉ ପଢ଼ି ହେଉ ନଥିଲା ଆଦୌ ।’’ ସାହିତ୍ୟର ଅନ୍ୟତମ ସ୍ଥାୟୀ ଠିକଣା ବହିର ଭାଗ୍ୟକୁ ନେଇ ଏ ଅନୁବାଦଟି ଯେତିକି କରୁଣ ସେତିକି ମନୋରମ ।

 

ଶିଶୁ ସାହିତ୍ୟିକ ଓ ଏକଦା ‘ଶିଶୁଲେଖା’ର ସମ୍ପାଦକ ଥିବା ଅନନ୍ତ ପଟ୍ଟନାୟକ ଶିଶୁ ସାହିତ୍ୟରେ ଅନେକ ଆଲୋଡ଼ନ ସୃଷ୍ଟିକାରୀ ଉଭୟ ଆଲୋକ ଓ ଆନନ୍ଦ ପ୍ରଦାନକାରୀ ପରିବର୍ତ୍ତନ ଆଣିପାରିଥିଲେ । ତାଙ୍କ ପାଇଁ ଶିଶୁ ସାହିତ୍ୟ ପିଲାଳିଆ ସାହିତ୍ୟ ନ ଥିଲା । ସିଏ ଶିଶୁ ସାହିତ୍ୟ କହିଲେ ଲୋଭୀ ସୁରେଶ, କୃପଣ ହରି, କଳିହୁଡ଼ୀ ସୀତାବୁଢ଼ୀ, ସୁକୁମାର ରାଜପୁତ୍ର, ଅତ୍ୟାଚାରୀ ଅସୁର, ଅଦ୍ଭୁତ କୁହୁକପେଡ଼ି, ଅପୂର୍ବ ସୁନ୍ଦରୀ ରାଜକୁମାରୀ ଓ ପରମେଶ୍ୱରଙ୍କ ଲୀଳାଖେଳା ଅର୍ଥରେ ବୁଝୁ ନ ଥିଲେ । ପଟ୍ଟନାୟକ ସେସବୁକୁ କାଟିଲେ ଓ ଟପିଲେ । କାରଣ ସିଏ ନିଶ୍ଚୟ ବୁଝିଥିବେ ଯେ ଶିଶୁ କହିଲେ ଏକ ଛୋଟିଆ ଶରୀରର ସୀମିତ ଶାରିରୀକ ଆକାର ନୁହେଁ, ବରଂ ଉତ୍ସାହ, କୌତୁହଳ ଓ ଅନୁସନ୍ଧିତ୍ସାରେ ପରିପୂର୍ଣ୍ଣ ପରିବ୍ୟାପ୍ତ ମନ ଓ ହୃଦୟ । ସେଇଥିପାଇଁ ସିଏ ଏମିତି ଶିଶୁସାହିତ୍ୟ ସର୍ଜନା କରିଥିଲେ ଯେଉଁଗୁଡ଼ିକୁ ଶୁଣିବାକ୍ଷଣି, ଶବ୍‌ଦର ଉଚ୍ଚାରଣ ସହ ଅର୍ଥର ପରିପ୍ରକାଶ ଘଟିଲା । ଭାଷାର ଦୃଶ୍ୟଜଗତ ଓ ଧ୍ଵନିବୋଧ ସହ ତତକ୍ଷଣାତ ସଂପର୍କ ପ୍ରତିଷ୍ଠିତ ହୋଇପାରୁଥିଲା । ନୈତିକତାର ଉଚ୍ଚାମଞ୍ଚରେ ରହି ଅପହଞ୍ଚ ବୟସ୍କ ବା ପ୍ରୌଢ଼ର ବଡ଼ିମା ନେଇ ପିଲାଙ୍କ ପାଇଁ ଲେଖିଲେ କି ଲାଭ ? ଅନ୍ୟତ୍ର ପ୍ରେମଚାନ୍ଦ ଓ ସୁକୁମାର ରାୟ ପାରୁଥି‌ବେ ଖାଲି ? ଅନନ୍ତଙ୍କର ଏଇ କବିତାଂଶ ଦ୍ୱୟ ଯେତିକି ସୁଖପାଠ୍ୟ, ସେତିକି ପ୍ରଭାବଶାଳୀ ଓ ଆଦର୍ଶବାଦୀ :

 

(କ)

‘‘ସୁଲୁସୁଲିଆ ପତରନାଆ

 

ନାଇଁରେ ତା’ର ଛାତ

 

ଝିଣ୍ଟିକାଟି, ଗୋଡ଼ରେ ତା’ର

 

ମାରୁଚି ବସି କାତ ।’’

 

(ଟୁପୁରୁ ଟୁପୁ)

(ଖ)

‘‘ଚଢ଼େଇରେ ନେଳି ଚଢ଼େଇ

 

ଆଜି କେଉଁ ରାଇଜରୁ ଅଇଲୁ ?

 

ତୋର ନାଲି ଗୁଲୁ ଗୁଲୁ ମୁହଁରେ

 

କାହୁଁ କାଇଁଚି କାକୁଡ଼ି ତୋଳିକି,

 

ତହିଁ କାକର ଟୋପାଏ ବୋଳିକି

 

କେତେ ବୁଲୁ ବୁଲୁ ଗୀତ ଗାଇଲୁ

 

କେଉଁ କୁଲୁ କୁଲୁ କଥା ପାଇଲୁ ?’’

 

(ଚଢ଼େଇରେ ନେଳି ଚଢ଼େଇ)

 

୧୯୩୪ରେ ଥରେ ଶିଶୁ ସାହିତ୍ୟ ପ୍ରସଙ୍ଗରେ ପ୍ରେମଚାନ୍ଦ କହିଥିଲେ ଆଦର୍ଶବାଦ ରହିତ ଶିଶୁସାହିତ୍ୟ ଖାଲି ଆମୋଦପ୍ରମୋଦରେ ସାହାଯ୍ୟ କରେ, ଅଦ୍ଭୁତ ପ୍ରତି ଉଗ୍ର ଲାଳସା ଜାଗ୍ରତ କରେ । ସୁଖର ବିଷୟ ଅନନ୍ତଙ୍କ ଶିଶୁସାହିତ୍ୟ ସେସବୁ ଦୋଷରୁ ମୁକ୍ତ ।

 

ସାମ୍ୟବାଦୀ ଚିନ୍ତାଧାରାର ଅନେକ କର୍ମୀ ଓ ପ୍ରବକ୍ତା କବିତା ସାଙ୍ଗକୁ/ଅପେକ୍ଷା ଗଦ୍ୟ ଆଡ଼କୁ ମନ ବଳାଇ ବେଶ୍‌ ଚମକ ସୃଷ୍ଟି କରିଛନ୍ତି । ଗଦ୍ୟମାନେ ପ୍ରବନ୍ଧ ଆଲୋଚନା, ସ୍ତମ୍ଭ, ସମୀକ୍ଷା ଓ ସ୍ମୃତିଚାରଣ । ଏସବୁ ପ୍ରକରଣରେ ବାସ୍ତବ ଓ ବାସ୍ତବତାର ବିଶ୍ଳେଷଣ କବିତାଠାରୁ ସାଧାରଣତଃ ଅଲଗା ପ୍ରକାରେ ହୁଏ । ବ୍ୟକ୍ତିନିଷ୍ଠ ଓ ବସ୍ତୁନିଷ୍ଠର ଚମତ୍କାର ଭେଟ୍‌ଘାଟ୍‌ ଘଟେ । ଆମେ ଏଇଆ କହି ନଥିଲୁ- ସେଇଆ କହିଥିଲୁ ବାହାନା ନେଇ ଖସି ହୁଏନି । ପକ୍ଷ ନେବାକୁ ପଡ଼େ, ବକ୍ତବ୍ୟ ରଖିବାକୁ ପଡ଼େ, ବାଦ-ବିବାଦ-ସମ୍ବାଦର ସଂସ୍କୃତି କ’ଣ ଜଣେଇବାକୁ ପଡ଼େ । ଅନେକ ଛଦ୍ମ ନାଁରେ ଅନନ୍ତ ପଟ୍ଟନାୟକ ଗଦ୍ୟରାଜି ସୃଷ୍ଟି କରିଛନ୍ତି । କେତୋଟି ଛଦ୍ମ ନାଁ ହେଲା - ଅଣାକାର, ସଂଜୟ, ଅତନୁ, ଯଶୋଧାରା, ବୋଧିସତ୍ତ୍ୱ, ଯୁଗଯାତ୍ରୀ ଘଟୋତ୍କଚ ଓ ପ୍ରିୟଦର୍ଶୀ । ଛଦ୍ନ ନାଁର ଗଦ୍ୟ ଲେଖିଥିବାରୁ ତାଙ୍କ ଗଦ୍ୟ ପ୍ରତିଭା ପଦ୍ୟ ପ୍ରତିଭା ତୁଳନାରେ ଟିକେ ଅଜଣା ରହିଯାଇଛି-।

 

ଅନେକ ସୃଷ୍ଟିର ସମୀକ୍ଷା କରିଥିଲେ ଅନନ୍ତ । ସମୀକ୍ଷା ମାନେ ଖାଲି ପୁସ୍ତକ ପରିଚୟ ନୁହେଁ - ଯଥା : ଏତେ ପୃଷ୍ଠାର, ଦାମ୍‌ ଟିକେ ଅଧିକ ହୋଇଗଲା, ମୁଦ୍ରଣରେ ବହୁତ ଭୁଲ୍‌ଭାଲ୍‌ ଏବଂ ଅବଶ୍ୟ ସଂଗ୍ରହଣୀୟ ଆଦି ଘଷରା ଓ ପାଣିଚିଆ ଶବ୍‌ଦକୁ ନେଇ ଲେଖାହୁଏନି ସମୀକ୍ଷା । ସମୀକ୍ଷାମାନେ ଆଲୋଚ୍ୟ କୃତିଟିର ତର୍ଜ୍ଜମା - ସମାନ୍ତରାଳ ଓ ବିକଳ୍ପ ଉପସ୍ଥାପନା । ଅର୍ଥାତ୍‌ ଖୋଦ ସମୀକ୍ଷକଙ୍କୁ ସେଭଳି ବହିଟିଏ ଲେଖିବାକୁ ଦିଆଯାଇଥିଲେ ସିଏ କେମିତି ଲେଖିଥାଆନ୍ତେ- ପ୍ରଶ୍ନ ଓ ସମସ୍ୟାମାନଙ୍କୁ କେମିତି ପ୍ରସଙ୍ଗରେ ପରିଣତ କରିଥାନ୍ତେ- ତାହା ଦେଖେଇବା । ଏକଦା ସଚ୍ଚି ରାଉତରାୟଙ୍କ ‘‘ଚିତ୍ରଗ୍ରୀବ’’ ପୁସ୍ତକର ସମୀକ୍ଷା କରି ଅନନ୍ତ ଲେଖିଥିଲେ- ଓଡ଼ିଆ ସାହିତ୍ୟ ରାଜ୍ୟରେ ସଚ୍ଚିବାବୁ ଜଣେ ଶକ୍ତିଶାଳୀ ତରୁଣ ଲେଖକ । ତାଙ୍କ ଲେଖାରେ ଫୁଟି ଉଠିଥାଏ ସଦା-ଜାଗ୍ରତ ମନର ସବଳ ମନୋଭାବ । ଦୋଷତ୍ରୁଟି ଯେ ତାଙ୍କର ନାହିଁ- ଏପରି ନୁହେଁ । କିନ୍ତୁ ତାଙ୍କର ସାହିତ୍ୟିକ ସାଧନାକୁ ଲକ୍ଷ୍ୟ କଲେ ସେଗୁଡ଼ିକ ବିଶେଷ ଭାବରେ ଆଖିରେ ପଡ଼େ ନାହିଁ ।

 

ଅନନ୍ତଙ୍କ ସ୍ତମ୍ଭ ବିଷୟରେ ପଦେ ଅଧେ । ସ୍ତମ୍ଭ ସାଧାରଣତଃ ଖବରକାଗଜମାନଙ୍କରେ ଲେଖାହୁଏ । ତେଣୁ ରହସ୍ୟକରି କହି ହେବ- ପରମାୟୁ ଚବିଶ ଘଣ୍ଟାର ! ହେଲେ ସେଇ ସମୟସୀମା ଭିତରେ ସ୍ତମ୍ଭଟି ଗୋରୁ ମହିଷାଣୀଠାରୁ ଥୂଆମୂଳରାମପୁର ଯାଏ ବ୍ୟାପି ଯାଇପାରେ-। ଗୋଟିଏ ଘଟଣା ବା ସମସ୍ୟା ବା ଉପାଖ୍ୟାନକୁ ତା’ର ତାତ୍କାଳିକତା ଭିତର ବାହାର କରି ତାକୁ ଏକ ବୃହତ୍ତର ପୃଷ୍ଠଭୂମି ଓ ଇତିହାସ ସହ ଯୋଡ଼ିବା- ପୁଣି ସବୁ ପ୍ରକାରର ପାଠକପାଠିକାଙ୍କ ରଚିକୁ ମନରେ ରଖି-କିଛି ସହଜ ବ୍ୟାପାର ନୁହେଁ । ୨୨।୦୪।୧୯୫୮ ତାରିଖର ‘ସମାଜ’ ରେ ଅନନ୍ତ ଯାହା ଲେଖିଥିଲେ ତାହା ଏଇ ଭଳି ‘‘ଯଥାର୍ଥରେ ଯାହା ସହିତରେ ଯାଏ ଓ ଥାଏ, ତାହା ସାହିତ୍ୟ ! କିନ୍ତୁ ସହିତର ଗୁଣବାଚକ ସାହିତ୍ୟର ଏହି ସଂଜ୍ଞା ନିରୂପଣ କଲାବେଳେ ପୂର୍ବସୂରୀ, ପଶ୍ଚିମସୂରୀ, ଭୂତସୂରୀ, ଅଦ୍ଭୁତସୂରୀ କେହି କେବେ ସାହିତ୍ୟର ପ୍ରୟୋଗାତ୍ମକ ରୂପ ଦେଖିଥିବେ କି ନାହିଁ ସନ୍ଦେହ ।’’ ପୁଣି, ‘ପ୍ରଜାତନ୍ତ୍ର’ରେ ସିଏ ୬।୦୧।୧୯୫୮ ଲେଖିଥିଲେ - ‘‘ସାହିତ୍ୟ କିଛି ବକ୍ତୃତା ନୁହେଁ ଯେ ଥରେ ଶୁଣାଗଲା ପରେ ତା’ର ଗୁରୁତ୍ଵ ଅନେକାଂଶରେ ହ୍ରାସ ପାଇଯିବ । ସାହିତ୍ୟ କିଛି ଏଭଳି ଅଧ୍ୟାପନାର ବିଷୟ ନୁହେଁ, ଯାହା ବିଭିନ୍ନ ଦୃଷ୍ଟିଭଙ୍ଗୀ ଓ ମତାମତର ଯଥାର୍ଥ ପରିଚୟ ଦେବାକୁ ଅନିଚ୍ଛୁକ ବା ପଶ୍ଚାତ୍‌ପଦ ହେବ ।’’

 

‘‘ସ୍ମୃତିରୁ ଖିଏ’’- ଅନନ୍ତ ରଚିତ ଏକ ଅତ୍ୟନ୍ତ ପ୍ରଭାବଶାଳୀ ଓଡ଼ିଆ ପ୍ରବନ୍ଧ । ଜୀବନୀ, ଇତିତାସ ଚର୍ଚ୍ଚା ଓ ଓଡ଼ିଶା- ଗବେଷଣା କ୍ଷେତ୍ରରେ ତାହା ଏକ ଅଗ୍ରଦୂତ ଲେଖା । ଗବେଷଣାମାନେ ଗୋ+ଏଷଣା । ଗାଈ ଖୋଜା । ଯାହାକୁ କହନ୍ତି ଅମୂଲ୍ୟ ସଂପଦର ଅନ୍ୱେଷଣ । ଲେଖାଟି ତେଣୁ ଖାଲି ଭଗବତୀ ପାଣିଗ୍ରାହୀଙ୍କ ଉପରେ ନୁହେଁ । ପ୍ରାରମ୍ଭିକ କେତୋଟି ବାକ୍ୟ ଅନେକ କଥା ସ୍ପଷ୍ଟ କରିଦିଏ ‘‘ମଧୁସୂଦନ, ଗୋପବନ୍ଧୁ, ଭଗବତୀ - ଓଡ଼ିଶାର ଆଧୁନିକ ଇତିହାସର ଯାତ୍ରା ପଥରେ ତିନି ହେଁ ତିନୋଟି ଆଲୋକର ଉତ୍ସ । ନୂତନ ଓଡ଼ିଶାର ସୁନିର୍ମାଣ ସଂପନ୍ନ ହେବା ପର୍ଯ୍ୟନ୍ତ ନୁହେଁ କେବଳ, ଇତିହାସରେ ବହୁ ଯୁଗ ଯାଏ, ଏହି ତିନୋଟିରୁ ଉତ୍ସାରିତ ହୋଇ ବିଚ୍ଛୁରିତ ହେଉଥିବା, ଜୀବନସଂଚାରୀ ଜ୍ଞାନ ଓ କର୍ମର ରଶ୍ମି ।

 

ଏଣୁ ସୂଚନାକ୍ରମେ ଦେଖିଲେ-

ପ୍ରଥମେ ‘ମଧୁସୂଦନ’ ଥିଲେ - ବ୍ରିଟିଶ ଶାସନରେ ବିପର୍ଯ୍ୟସ୍ତ ଖଣ୍ଡ ବିଖଣ୍ଡିତ ଆତ୍ମବିସ୍ମୃତ ଓଡ଼ିଆ ଜାତିର ଜାତୀୟ ଚେତନାର ଉଦ୍‌ବୋଧକ । ବିଚ୍ଛିନ୍ନ ଓଡ଼ିଆ ଅଞ୍ଚଳର ଏକୀକରଣର ଆୟୋଜନ, ଧନୀ ନିର୍ଦ୍ଧନ ନିର୍ବିଶେଷରେ ‘ଓଡ଼ିଆ’ ଜାତିର ସାମୂହିକ ‘ଆତ୍ମଚେତନା’ର ଦିକ୍‌-ନିର୍ଣ୍ଣାୟ, ଭାରତର ଜାତୀୟ ଚେତନାର ସଙ୍ଗଠନରେ ଓଡ଼ିଶାର ସ୍ଵକୀୟ ପ୍ରତିଭାର ଆଦ୍ୟ ପତାକାବାହୀ ।

 

ଦ୍ୱିତୀୟରେ ‘ଗୋପବନ୍ଧୁ’ ଥିଲେ- ଜନ ଆନ୍ଦୋଳନର ପରବର୍ତ୍ତୀ ସନ୍ତ୍ରାସବାଦୀ ମାର୍ଗରୁ ସମ୍ବିଧାନିକ ମାର୍ଗ ଧରି ଓଡ଼ିଆ ଜାତିର ଜାଗରଣରେ, ଓଡ଼ିଆ ଅଞ୍ଚଳର ମିଶ୍ରଣରେ ଅଗ୍ରଣୀ, ମହାଭାରତୀୟ ମୁକ୍ତି ଆନ୍ଦୋଳନର ସାର୍ଥକ ଉଦ୍‌ଗାତା ଓ ସଂଗଠନକାରୀ, ଦୁଃସ୍ଥ, ଦଳିତ, ନିର୍ଯ୍ୟାତିତ, ବନ୍ୟା- ଦୁର୍ଭିକ୍ଷ ପ୍ରପୀଡ଼ିତଙ୍କର ସେବାରେ ଉତ୍ସର୍ଗୀକୃତ ପ୍ରାଣ । ‘‘ଓଡ଼ିଶାର ସମସ୍ୟା ଭାରତୀୟ ସମସ୍ୟାବଳୀର ଅନ୍ତର୍ଭୁକ୍ତ, ଭାରତର ମୁକ୍ତି ବ୍ୟତୀତ ଓଡ଼ିଶାର ଜୀବନ କାହିଁ, ସଂସ୍କୃତି କାହଁ ?’’ ଏହି ଭାବର ପ୍ରଥମ ପ୍ରବକ୍ତା, ମହାଭାରତୀୟ ଆନ୍ଦୋଳନରେ ଓଡ଼ିଶାର ସଂଯୋଗ - ବିଧାୟୀ ଜନନାୟକ ।

 

ତୃତୀୟରେ ‘ଭଗବତୀ’ ଥିଲେ - ଐତିହାସିକ ବିବର୍ତ୍ତନରେ ଶଙ୍ଖବାଦକ ନୂତନତାର; ମତାଦର୍ଶର ବିକାଶ କ୍ଷେତ୍ରରେ ଆବାହକ । ସମାଜବାଦୀ ଚିନ୍ତା ଓ ଚେତନାର ଜାତୀୟତାବାଦୀ ଭାବରେ ଆକୃଷ୍ଟ, ସନ୍ତ୍ରାସବାଦୀ ଭାବରେ ଆକୃଷ୍ଟ-ପୃଥିବୀର ସୁବିଶାଳ ଶ୍ରମଜୀବୀ ଜନସମଷ୍ଠିର ଅଂଶବିଶେଷ-ଓଡ଼ିଶାର କାହିଁକି ସମଗ୍ର ଭାରତର ଶ୍ରମିକ, କୃଷକ, ବୁଦ୍ଧିଜୀବୀ ଜନସାଧାରଣ-ବିଶ୍ଵର ଦଳିତ ଜନସାଧାରଣଙ୍କ ମୁକ୍ତିରେ ହଁ ସମଗ୍ର ଭାରତର, ଏଣୁ ଓଡ଼ିଶାର ରାଜନୈତିକ ଅର୍ଥନୈତିକ ପରାଧୀନତାରୁ ମୁକ୍ତି - ଏହାର ବାର୍ତ୍ତାବହ ଥିଲେ ସେ । ବୈଜ୍ଞାନିକ ସାମ୍ୟବାଦର ଆଦର୍ଶ ଓ କଳ୍ପନାକୁ ବିପ୍ଳବାତ୍ମକ ରୀତିରେ ବାସ୍ତବାୟିତ କରିବାରେ ପ୍ରଥମ ଅଗ୍ରଗାମୀ ଓଡ଼ିଶାରେ କମ୍ୟୁନିଷ୍ଟ ପାର୍ଟିର ଅନ୍ୟତମ ଆଦ୍ୟ ପ୍ରତିଷ୍ଠାତା ଭାବରେ ଓଡ଼ିଶାର ଇତିହାସକୁ ପ୍ରସାରିତ କରିଥିଲେ ସେ ବିଶ୍ଵ ଇତିହାସର ମହାନ ପରିସରକୁ । ତାଙ୍କ ପୂର୍ବରୁ ଓଡ଼ିଶାରେ କୌଣସି ନେତା କି କର୍ମୀ ବୈଶ୍ୱିକ ଦୃଷ୍ଟି ସହ ମୁକ୍ତି ସଂଗ୍ରାମରେ ଦେଶ ଦେଶ ମଧ୍ୟରେ ସଂଯୋଗ ବିଧାନ ପ୍ରତି ଆଗ୍ରହୀ କି ଉଦ୍ଧଯୋଗୀ ଥିଲେ, ଏହା ନିର୍ବିବାଦରେ କୁହାଯାଇ ନ ପାରେ ।

 

ଆମ ଭାଷାରେ କହିଲେ- ଓଡ଼ିଶାମାନେ ସେଇ ପ୍ରଦେଶ ଯାହା ଦେଶ ଓ ବିଶ୍ଵଯୁକ୍ତ । ଓଡ଼ିଆମାନେ ସ୍ଵାୟତ୍ତତା, ମୁଖ୍ୟସ୍ରୋତ ସହ ଐକ୍ୟ ଓ ବିଶାଳ ବିଶ୍ଵ ସହ ଯୁକ୍ତବିଯୁକ୍ତ ସଂହତି ତଥା ସଂଘର୍ଷ ।

 

ମାର୍କ୍ସବାଦୀ ଭାବେ ଅନନ୍ତଙ୍କ ସାହିତ୍ୟ, ରାଜନୀତି, ମତାଦର୍ଶ ଓ ଆନ୍ଦୋଳନ କଥା କାହାକୁ ବା ଅଛପା ! ଅନେକ ସମୟରେ ଅନନ୍ତଙ୍କର ତୁଳନା ଭଗବତୀ ପାଣିଗ୍ରାହୀ ଓ ସଚ୍ଚି ରାଉତରାୟଙ୍କ ସହ କରାଯାଏ । ବିଶଦ ଆଲୋଚନା ଏକାଧିକ କାରଣରୁ ଅନ୍ୟ ଏକ ଅବସରକୁ ସ୍ଥଗିତ ରଖାଯାଉ । ହେଲେ ଏଠି ଏତିକି ନିଶ୍ଚୟ ଉଲ୍ଲେଖ କରାଯାଇପାରିବ ଯେ ଅନ୍ୟତମ ପ୍ରଭାବଶାଳୀ ପଥପ୍ରଦର୍ଶକ ଭାବେ ଅନନ୍ତ ଅନ୍ୟ ଦୁଇଜଣଙ୍କ ତଳେ ବା ଉପରେ ନ ଥାଇ ବରଂ ସାଙ୍ଗରେ ଥିଲେ । ତାଙ୍କ ପାଇଁ ସାହିତ୍ୟ, ରାଜନୀତି, ମତାଦର୍ଶ ଓ ଆନ୍ଦୋଳନର ସାମ୍ରାଜ୍ୟ କର୍ତ୍ତୃତ୍ଵର ନୁହେଁ ଭ୍ରାତୃତ୍ୱର ସାମ୍ରାଜ୍ୟ ଥିଲା । ସିଏ ଏକ ଆଳାପଧର୍ମୀ, ଧର୍ମନିରପେକ୍ଷ, ପ୍ରଗତିଶୀଳ, ଲୋକପକ୍ଷଭୁକ୍ତ ଓ ସାମ୍ୟବାଦୀ ନୈତିକତାର ବାତାବରଣ ପ୍ରତିଷ୍ଠା ଦିଗରେ ଚେଷ୍ଟା କରୁଥିଲେ । ଯେଉଁଠିକି ଜଣକର ଜ୍ଞାନକୁ ଗଣଙ୍କର କ୍ଷମତାରେ-କ୍ଷମତାସଂପନ୍ନରେ ପରିଣତ କରାଯାଏ । କାରଣ ଅନନ୍ତମାନେ ହୁଁ ବୁଝିଥାନ୍ତି ଯେ ଜଣ ଜଣ ମିଶିଲେ ଯାଇ ଗଣ । ଜଣେ ପ୍ରକୃତ ପ୍ରଗତିବାଦୀ କର୍ମୀ, ଶିଳ୍ପୀ ଓ ପ୍ରବକ୍ତା ଖାଲି ନିଜର ଦାୟିତ୍ଵ ପାଇଁ ଦାୟୀ ନୁହଁନ୍ତି ସିଏ ଅନ୍ୟର ଦାୟିତ୍ୱ ପାଇଁ ମଧ୍ୟ ଦାୟୀ । ସେମାନଙ୍କ କ୍ଷେତ୍ରରେ ତେଣୁ ଅନବରତ ନିଜର ଅନ୍ୟକରଣ ହିଁ ଘଟୁଥାଏ । ଉତ୍ପାଦାନ ପ୍ରକ୍ରିୟାରେ, ନିର୍ମାଣ ବାଟ ଦେଇ ଓ କଳ୍ପନା ବଳରେ । ଦା, ହାତୁଡ଼ି ଓ ତାରା ଜରିଆରେ । ଅନନ୍ତଙ୍କ ଅନେକ ଅସ୍ମିତା ଏ ଜରିଆତ୍ରୟୀ ପ୍ରତି ବେଶ୍‌ ବିଶ୍ଵସ୍ତ ଥିଲେ ।

 

ସହାୟକ ସୂଚୀ

୧.

୨୫।୦୬।୨୦୦୭ ସନ୍ଧ୍ୟାରେ କଟକର ଶ୍ରୀରାମଚନ୍ଦ୍ର ଭବନଠାରେ ଏଇ ଲେଖକଙ୍କ ପ୍ରଦତ୍ତ ଅନନ୍ତ ସ୍ମାରକୀ ବକ୍ତୃତା ।

୨.

ରବୀନ୍ଦ୍ରନାଥ ସାହୁ (ଶୈଳଜ ରବି), ଅମରେଶ ପଟ୍ଟନାୟକ ପ୍ରଫୁଲ୍ଲ ବେହେରା, ଦେବେନ୍ଦ୍ର କୁମାର ଦାଶ, କୁମୁଦ ଦାଶ ଓ ଡଃ ଗୌରାଙ୍ଗ ଦାଶଙ୍କ ସହ ଅନୌପଚାରିକ ଆଳାପ ।

୩.

ଅନନ୍ତ ପଟ୍ଟନାୟକ - ଅନନ୍ତ ବିଚିତ୍ର (କଟକ : କଟକ ଷ୍କୁଡେଣ୍ଟସ୍‌ ଷ୍ଟୋର, ୧୯୯୧) ; ଡଃ ଗୋପୀନାଥ ମହାନ୍ତିଙ୍କ ‘ସେ ମୋର ଅ’ନ୍ତ’ ଭାଷଣଭିତ୍ତିକ ଲେଖାଟି ଏ ସଂକଳନରେ ସ୍ଥାନିତ ।

୪.

ଅନନ୍ତ ପଟ୍ଟନାୟକ ରଚନାସମଗ୍ର (୫ ଖଣ୍ଡରେ) - କଟକ : ଆର୍ଯ୍ୟପ୍ରକାଶନ, ଯଥାକ୍ରମେ ୧୯୯୬, ୧୯୯୯, ୨୦୦୦, ୨୦୦୨ ଓ ୨୦୦୬ରେ ପ୍ରକାଶିତ । ଶେଷ ଚାରିଖଣ୍ଡର ସମ୍ପାଦନା- ଅମରେଶ ପଟ୍ଟନାୟକ ।

୫.

ନିତ୍ୟାନନ୍ଦ ଶତପଥୀ - ସବୁଜରୁ ସାମ୍ପ୍ରତିକ (କଟକ : ଗ୍ରନ୍ଥ ମନ୍ଦିର, ୧୯୯୯)

୬.

ଗିରିବାଳା ମହାନ୍ତି - କାବ୍ୟିକ ସୌନ୍ଦର୍ଯ୍ୟ (କଟକ : କାହାଣୀ, ୧୯୯୮)

୭.

ପ୍ରହରାଜ ସତ୍ୟନାରାୟଣ ନନ୍ଦ - କବି ଅନନ୍ତ ପଟ୍ଟନାୟକ (ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀ, ୨୦୦୩)

୮.

ଅବନୀ କୁମାର ବରାଳ - ଆସିଚି ମୁଁ ଆସିଚି (କଟକ ! ଅନନ୍ତ ଆଲୋକ, ୨୦୦୪)

୯.

ହର ପ୍ରସାଦ ଦାସ - ଆଧୁନିକତାର ପରମ୍ପରା (କଟକ : ଭାରତଭାରତୀ, ୧୯୯୫)

୧୦.

ବିଜୟ କୁମାର ଶତପଥୀ - ଅନନ୍ତ ପଟ୍ଟନାୟକ (ନୂଆଦିଲ୍ଲୀ : ସାହିତ୍ୟ ଅକାଦେମି, ୨୦୦୮)

 

 

ବେହୁରିଆ ଭବନ, ଗୌରୀ ନଗର,

ଭୁବନେଶ୍ୱର-୭୫୧୦୦୨

 

***

 

ଅନନ୍ତ ପଟ୍ଟନାୟକଙ୍କ ନାଟକ ‘ରାବଣ’

ନଟବର ଶତପଥୀ

 

କବି ଅନନ୍ତ ପଟ୍ଟନାୟକ ନାଟ୍ୟକାର ନୁହଁନ୍ତି, କିନ୍ତୁ ନାଟକ ଲେଖିଛନ୍ତି । ନାଟକ ଲେଖିଲେ ତ ନାଟ୍ୟକାର ହେଲେ ନାହିଁ - କାରଣ ଏହା ଯେ ତାଙ୍କ ନାଟକ ମଞ୍ଚରେ ଅଭିନୟ ହୋଇନାହିଁ; ସେ ଯାହା ନାଟକ ଲେଖୁଛନ୍ତି ତାଙ୍କର ଅନ୍ତରଙ୍ଗ ବନ୍ଧୁ, ପରିବାର ବା ଆଙ୍ଗୁଠି ଗଣାରେ କେତେ ଜଣ ଅନନ୍ତ ପ୍ରେମୀ ସାହିତ୍ୟିକ ଜାଣିଥିବେ । ଦ୍ଵିତୀୟତଃ, ନାଟକରେ ବି କବିର ଖୋଲାପଣ - କବିତାର ଝରଣା- ସେଇ ପୁରୁଣା ବାଲ୍ମୀକିୟ ଶୋକୋଚ୍ଛ୍ୱାସ । ନାଟକ ଅପେକ୍ଷା କବିତାର ଆତ୍ମା ଲୀଳାରତ । A dramatist is a half poet ବୋଲି କେହି ଜଣେ କହିଥିଲେ - ତାର ଅର୍ଥଟି ବହୁକୋଟୀକ, ବହୁ ଅର୍ଥାନ୍ତରରେ ଆଲୋଚକଙ୍କ ପାଣ୍ଡିତ୍ୟର ପରୀକ୍ଷା କରାଇପାରେ, ମାତ୍ର କବି ସେ ଅନ୍ଵେଷଣ ବୃତ୍ତିରେ ଅନ୍ତରକୁ ଖୋଲି ରଖେ, ବିଶେଷ କରି ଅନନ୍ତବାବୁଙ୍କ ପରି ଗଣଜୀବନ ଓ ଗଣ ସଂଘର୍ଷ ଭିତରେ କବିତାକୁ ଉନ୍ମୋଚନ କରିପାରୁଥିବା ସ୍ରଷ୍ଟା ନାଟକକୁ କବିତା କରିଦେବା ଅସମ୍ଭବ ନୁହେଁ । ସେହି କବିତାତକ ସଂଳାପ ଆକାରରେ ରହିଲେ ହେଲା ।

 

ଅନନ୍ତ ପଟ୍ଟନାୟକ ନାଟ୍ୟକାର ବା କବିତାକାର - ଯାହା ହେଉନ୍ତୁ - ସବୁଠି ଦୃଷ୍ଟି ସୁଗଭୀର ଦ୍ୱନ୍ଦ୍ୱଶୀଳ । ଏଇ ଦୃଷ୍ଟିଟି ଆଙ୍ଗିକର ଆଭିଧାନିକ ନିୟମବୃତ୍ତର ବହିର୍ଭୁତ । ତେବେ ତାଙ୍କର ପ୍ରଥମ ନାଟକ ଏକ ନାଟକୀୟ ଅବସ୍ଥାରେ ରଚିତ ହୁଏ - ଅନୁଗୁଳ ଜେଲରେ ସମ୍ଭବତଃ ୧୯୪୧ରେ-। ସେଇଟିର ନାମ ‘ରାବଣ’ । ଏ ନାଟକ ରଚନାର ଇତିହାସ ଅବିଦିତ, ପ୍ରଥମେ ‘ଅନନ୍ତ ବିଚିତ୍ରା’ ଗ୍ରନ୍ଥରେ (କଟକ ଷ୍ଟୁଡେଣ୍ଟସ୍‌ ଷ୍ଟୋର - ୧୯୯୧)ରେ ସଂଯୋଜିତ ହୁଏ । ଏହି ବିଚିତ୍ରାର ଶେଷଭାଗରେ ପ୍ରଦତ୍ତ ‘ଅନନ୍ତ ଜୀବନ ବୈଚିତ୍ର୍ୟ’ର କବିଙ୍କ ଜୀବନ ଚିତ୍ର ଓ ଘଟଣାବଳୀର ବିବରଣୀରୁ ଜଣାପଡ଼େ ୧୯୪୦ ଡିସେମ୍ବର ୩ ତାରିଖରୁ ୯ ମାସ ସଶ୍ରମ ଓ ୪ ମାସ ଆଶ୍ରମ କାରାଦଣ୍ଡ କଟକ ଓ ଅନୁଗୁଳ ଜେଲ୍‌ରେ ଭୋଗିଥିଲେ । ୧୩ ମାସ ଜେଲ୍‌ ଜୀବନର ଶେଷବେଳକୁ ‘ରାବଣ’ ରଚନା ହୋଇଛି ।

 

‘ଚିରି ଅନ୍ଧାର ରାତି’ ତାଙ୍କର ଅନ୍ୟ ଏକ ନାଟକ । ରାବଣ ଓ ଏଇଟି ତାଙ୍କ ମୃତ୍ୟୁ (୧୯୮୭ ଜୁନ, ୨୫) ପରେ ପ୍ରକାଶ ପାଇଛି । ‘ଚିରି ଅନ୍ଧାର ରାତି’ (ପ୍ରକାଶ ୧୯୯୦ - ଅନନ୍ତ ଆଲୋକ- ନିଜ ପରିବାର) ନାଟକ ରଚନା ପଛରେ ପ୍ରେରଣା ଅପେକ୍ଷା ବାଧ୍ୟ ବାଧ୍ୟବଧକତା ଅଧିକ-। ଏ ନାଟକର ମୁଖବନ୍ଧରେ ଅବନୀ କୁମାର ବରାଳ ଲେଖୁଛନ୍ତି ଭାରତୀୟ ଗଣନାଟ୍ୟ ସଂଘ-। (IPTA - Indian People’s Theatre Association)ର ଏକ ଶାଖା ୧୯୫୫ରେ କଟକରେ ଗଠିତ ହୋଇ ତିନିଦିନ ବ୍ୟାପୀ ସମାରୋହ ଜନତା ରଙ୍ଗମଂଚରେ ହୋଇଥିଲା । ଏଇଟି ଥିଲା ସର୍ବଭାରତୀୟ ସମ୍ମିଳନୀ । ଓଡ଼ିଶା ଶାଖାର ସଭାପତି ଥିଲେ ଅଶୋକ ରାଓ, କବିଙ୍କର ବାଲ୍ୟବନ୍ଧୁ । ଏହି ସଂସ୍ଥା ପାଇଁ ନାଟକ ଦରକାର ପଡ଼ିଲା । କେତେଜଣ ସାଙ୍ଗ ହୋଇ ଅନନ୍ତବାବୁଙ୍କ ଘର ଚଣାହାଟ ଯାଇ ତାଙ୍କୁ ବାଧ୍ୟ କରି ଘୋଷାରି ଆଣିଲେ - କାଗଜ କଲମ ଧରେଇ କହିଲେ ‘ଲେଖ ନାଟକ’ । ବହୁ ଫିଙ୍ଗା ଫୋପଡ଼ା କାଗଜ ଚିରା ପରେ ‘ଚିରି ଅନ୍ଧାର ରାତି’ (୧୯୫୯) ନାମଟି ତାଙ୍କର ଏକ କବିତାରୁ ଅବନୀ ବାବୁ ସାଉଁଟି ଆଣି ନାଁ ଦେଇ ଚିହ୍ନେଇ ଦେଲେ-। ଏହାର ଅଭିନୟ ପାଇଁ ଆଖଡ଼ା ଚାଲିଥିଲାବେଳେ ସହିତ ଭବନରେ ଏକ ଛୋଟ ନାଟକ ଅଭିନୟର ବରାଦ ଦେଲା । ଅନନ୍ତବାବୁ ଜବାହାରଲାଲଙ୍କ ‘ପଞ୍ଚଶୀଳ’ ନୀତି ଆଧାରିତ ଏକ ଛୋଟ ନାଟକ ପଞ୍ଚଶୀଳ (୧୯୫୯) ସହିଦ ଭବନରେ ଅଭିନୟ ଦିନ ତୃତୀୟ ଶୁସୁରି ବାଜିବା ପୂର୍ବରୁ ପୁଲିସ ବନ୍ଦ କରିଦେଲା-। ହତାଶ କଳାକାରର ରଙ୍ଗମଖା ମୁହଁ ସେଦିନ ଲୁହର ତର୍ପଣରେ ଗୋଟିଏ ନାଟକ ନୁହେଁ ଅନେକ ନାଟକ ଜନ୍ମନେବାର ସମ୍ଭାବନାକୁ ଛି କରି ଚାଲିଗଲା । ଅନନ୍ତଙ୍କ ନାଟକ ଅନ୍ତ ହୋଇଗଲା ।

 

ବିସ୍ମୟ ଏହି ଯେ ୧୯୪୧ରେ ‘ରାବଣ’ ଲେଖିଲେ, ୧୯୪୮- ୪୯ରେ ‘ସପ୍ତଶଯ୍ୟା’ ଚଳଚ୍ଚିତ୍ରର କାହାଣୀ, ସଂଳାପ, ଚିତ୍ରନାଟ୍ୟ, ସଙ୍ଗୀତ ରଚନା କରି ସହନିର୍ଦ୍ଦେଶକର କାମ ତୁଲାଇଲେ-। କିନ୍ତୁ ୧୯୫୯ ବେଳକୁ ମାତ୍ର ଦଶବର୍ଷ ଭିତରେ ସେ ନାଟକ ରଚନା ପ୍ରତି ଅସନ୍ତୋଷ ତୀବ୍ର କୁନ୍ଥୁ କୁନ୍ଥୁ ଭାବ କାହିଁକି ? ବହୁ କାଗଜ ଚିରାଚିରି - ଏହା ବିରକ୍ତିର ନା ନାଟକ ପ୍ରତି ବିତୃଷ୍ଣାର ? ଅବନୀବାବୁ ଠାଏ ଲେଖିଛନ୍ତି - ସେ ଗୋଟିଏ ଲେଖାକୁ ବହୁବାର ମାଠନ୍ତି । ଶେଷ ଲେଖାଟି ମୂଳଲେଖାରୁ ଏକବାର ସ୍ଵତନ୍ତ୍ର ହେଇଯାଏ । ଛାଞ୍ଚ ଓ ମୂର୍ତ୍ତିର ଅନ୍ତିମ ରୂପ ମଧ୍ୟରେ ଫରକର ବିଦ୍ୟା ହୁଁ ଶିଳ୍ପତ୍ୱ ଓ ଶିଳ୍ପୀର ରୀତି ବିଷୟକ ଜ୍ଞାନର ନିଦର୍ଶନ । ଯେଉଁ ଶିଳ୍ପୀ ମାଠଣ ମାଧୁର୍ଯ୍ୟରେ ନିପୁଣ ତାଙ୍କର ଶିଳ୍ପକର୍ମ ଓ କର୍ମର କମତ୍ୱ ସେହି ପରିମାଣରେ ସ୍ଵତନ୍ତ୍ର ।

 

ଅନନ୍ତବାବୁ ସ୍ଵତନ୍ତ୍ର । ସବୁଠି, ଗୀତ, କବିତା, ପ୍ରବନ୍ଧ ବା ନାଟକ ହେଉ- କମର ଆନୁକୂଲ୍ୟତା ପ୍ରତ୍ୟେକ ସ୍ଥଳରେ ଭିନ୍ନ; ଚିନ୍ତା ଓ ସ୍ଵାଦରେ ପ୍ରାଣର ସମର୍ପଣତ୍ୱ ବହୁ ଆତ୍ମମୁଖର - ମୁଁ ଅଛି, ଅଲଗା ହେଇ ଅଛି । ଶବ୍ଦର ଚୟନ ଓ ତାର ସାଥୀ ଶବ୍ଦର ଅନ୍ୱେଷଣ ଯାହାକୁ ଶବ୍ଦ ସଂଯୋଜନ ରୀତି କୁହାଯାଏ - ସେଥିରେ ସେ ଧୂରନ୍ଧର । ଭାବ ଖୋଜେ ଶବ୍ଦ ଓ ଗୋଟିଏ ଶବ୍ଦ ଆସୁ ଆସୁ ତାର ଉପଯୁକ୍ତ ସାଥୀଟିଏ ସେ ମାଙ୍ଗରେ ଧରି ଆସେ-ଭଲ ପାଇ ମନ୍ଦିରରୁ ବାହାହେଇ ବାପମାନଙ୍କ ପାଖରେ ପହଞ୍ଚିବା ପରି, କିମ୍ବା ବାପ (ସ୍ରଷ୍ଟା)କୁ କହେ ମୋ ପାଇଁ ଦରକାର ଯୋଗ୍ୟ ସାଥୀ । ଲେଖକ ଅଛନ୍ତି ସଂସାରର ବାପ ମା ପରି ପୁଅ ପାଇଁ କୌଣସି ମତେ କନ୍ୟାଟିଏ ଛନ୍ଦି ଦେବା । ଅନନ୍ତବାବୁ ସେପରି ବାପ ନୁହଁନ୍ତି ପରା । କବିତାରେ ସେମାନଙ୍କୁ ଖୋଜିବାକୁ ପଡ଼ିବାବେଳେ ନାଟକରେ ସେମାନେ ପାତ୍ର ମୁଖରେ ଆସନ୍ତି ଆପେ । କବି ନାଟ୍ୟକାର କଥାରେ ସେମାନେ ଆସନ୍ତି ନାହିଁ ବା ଦୃଶ୍ୟ ପଟ୍ଟକୁ ଓହ୍ଲାନ୍ତି ନାହିଁ । ଜଣେ କବି ନାଟ୍ୟକାର ହେଲେ ଏଇଠି ସୃଷ୍ଟିହୁଏ ଜଟିଳତା । ପାତ୍ର ମୁଖରେ କବି ନାଟ୍ୟକାର ଯେଉଁ ଭାଷା ଦେବାକୁ ଚାହାଁନ୍ତି, ପାତ୍ର ସେ ଭାଷା ଗ୍ରହଣ କରିବାକୁ ଅନିଚ୍ଛୁକ । ତେବେ ତ ନାଟକ ଅସମ୍ଭବ ।

 

ଅନନ୍ତଙ୍କ ନାଟକ ଭାବନା ଏଇ ଅସମ୍ଭବ ପରିସ୍ଥିତିରୁ ମୁକୁଳିବାକୁ ଚାହିଁଛି । କେତେ ମୁକୁଳିଛି, କେତେ ଚରିତ୍ରୋପଣ ହୋଇଛି ତା’ର ପରୀକ୍ଷା କରାଯାଇପାରେ ।

 

‘ରାବଣ’- ରାମାୟଣ କଥାବସ୍ତୁ ଆଧାରିତ । ପାଞ୍ଚୋଟି ଅଙ୍କ ୨୭ଟି ଦୃଶ୍ୟ ହିମାଇ ୧୧୭ ପୃଷ୍ଠାର ନାଟକ । ସେକାଳରେ ପଞ୍ଚାଙ୍କ ଓ ଗୋଟିଏ ଅଙ୍କରେ ପାଞ୍ଚଟି ଦୃଶ୍ୟ ସଂଯୋଜନ ନିୟମରେ ନାଟକ ରଚନା କରାଯାଉଥିଲା । ବହୁ ଦୃଶ୍ୟର ଆୟୋଜନ ଥିଲା । କଥାବସ୍ତୁର ଦୀର୍ଘତା ଥିଲା ବ୍ୟାପ୍ତ, ଅର୍ଥାତ ନାଟକର ବିଷୟସୀମା ବିସ୍ତୃତ । ଦର୍ଶକ ଖାଇ ପିଇ ଆସି ଚଟେଇ ପକେଇ ସକାଳଯାଏ ବସି ଦେଖୁଥିଲେ । ମଞ୍ଚରେ ପରକୁ ପର କେତେ କେତେ ଦୃଶ୍ୟ- ତା ସାଙ୍ଗକୁ ନାଚ ଗୀତବାଦ୍ୟର ତୈର୍ଯ୍ୟତ୍ରିକ - ନାଟ୍ୟକଳାର ଷଡ଼ାଙ୍ଗ - ମିଶାମିଶି ହୋଇ ଆନନ୍ଦରେ ରାତି ପାହି ଯାଉଥିଲା । ଏକକ ଦୃଶ୍ୟର- ଆରମ୍ଭ ହୋଇନି ସେତେବେଳକୁ; ପରଦାମଞ୍ଚ, ପୁଣି ଦୃଶ୍ୟ ପାଇଁ ଘନ ଘନ ପଟ୍ଟ ପରିବର୍ତ୍ତନ - ଏଇ ରୀତିରେ ନାଟକ ରଚନା ଥିଲା ଦୃଶ୍ୟ ବିଶୃଙ୍ଖଳାକୁ ଶୃଙ୍ଖଳାକୁ ଆଣିବା ପରି କଠିନ କାମ । ଓଡ଼ିଆ ନାଟ୍ୟକାରମାନେ କାଳିଚରଣଙ୍କ ପୂର୍ବରୁ ଶୃଙ୍ଖଳାକୁ ଆସି ପାରି ନଥିଲେ, ସ୍ୱୟଂ କାଳିଚରଣ ମଧ୍ୟ ଆରମ୍ଭରେ । ଏହି ସ୍ଥିତିରେ ରାବଣ ରଚନା ବିଶୃଙ୍ଖଳା ମଧ୍ୟରେ ପରିକଳ୍ପିତ ଦୃଶ୍ୟ ସମ୍ଭାର ଧରି ଉପନୀତ ।

 

ରାବଣ ପୌରାଣିକ ଚରିତ୍ର । ରାବଣ ନାଟକ ରାବଣଙ୍କର ଜୀବନାୟନର କାହାଣୀ । ଏଣୁ ସେ ମୁଖ୍ୟ ଚରିତ୍ର- ନାୟକ, କେନ୍ଦ୍ରସ୍ଥ ଘଟଣାର ପଟ୍ଟୟସୀ ଭୂମିକା ତାଙ୍କର । ପାରମ୍ପରିକ କାହାଣୀର ନାୟକ ଆନୁକୂଲ୍ୟରେ ରାବଣ ହୋଇପାରନ୍ତି ଖଳନାୟକ କିନ୍ତୁ କଥିତ ନାଟକରେ ସେ ନାୟକ, କିନ୍ତୁ ଆଚରଣରେ ପ୍ରତିପକ୍ଷ ଶ୍ରୀରାମ ବିରୋଧି, ଏଣୁ ଖଳତ୍ୱର ସଂଯୋଜନ ଚରିତ୍ରର ସାମଗ୍ରିକ ସତ୍ତାର ପ୍ରତିନିଧିତ୍ୱ ପାଇଁ । ଶ୍ରୀରାମ ପ୍ରତିପକ୍ଷ କିନ୍ତୁ ଗୌଣ, ସେ କଳ୍ପିତ କଥାବସ୍ତୁର ମୁଖ୍ୟ ଦ୍ଵନ୍ଦ୍ୱଟି ସହ ସଂପୃକ୍ତ ନୁହଁନ୍ତି । ଦ୍ଵନ୍ଦ୍ୱଟି ଉତ୍ତୀର୍ଣ୍ଣ ହୋଇଛି ରାବଣଙ୍କୁ ନେଇ । ତାହା ତପସ୍ୟାପ୍ରାପ୍ତ ଫଳର ଦୁରୂପଯୋଗ, ଆତ୍ମଦର୍ପର ଆରୋହଣ ପଦ୍ଧତି ଭିତରେ ଆୟହନନର କାହାଣୀ । ସେଇ କାହାଣୀର ଅନେକ ପର୍ଯ୍ୟାୟ ମଧ୍ୟରୁ ସୀତାହରଣ ହେଉଛି । ଅନ୍ତିମ ପର୍ଯ୍ୟାୟ, ଯେଉଁଥିରେ ମୃତ୍ୟୁ ହେଉଛି ଶେଷ ସମାଧାନ । ‘ରାବଣ’, ନାଟକ ରାମାୟଣ ନୁହେଁ, ରାବଣାୟନ; ରାମ ପରିସ୍ଥିତିକ୍ରମେ ସଂଶ୍ଳିଷ୍ଟ ମାତ୍ର । ଶ୍ରୀରାମ ହସ୍ତରେ ନିହତ ହେବାର ବହୁ ପୂର୍ବରୁ ନିଜର ଭବିତବ୍ୟ ସେ ଆଙ୍କି ସାରିଥିଲେ । ଶ୍ରୀରାମ କେବଳ ମୁଖାଗ୍ନି ଦେବା ପରି ରାବଣଙ୍କ ଶବସ୍ଥାନ ପ୍ରସ୍ତୁତ ସରିଥିଲା ।

 

ବାଲ୍ମୀକି ରାମାୟଣ ରଚନା ବହୁ ପୂର୍ବରୁ ରାମଥ୍‍ (ପୁରାମୌଳ - ମୋକୃତ ଓଡ଼ିଆ ରୂପ) ଏସିଆ ମହାଦେଶର ବିଭିନ୍ନ ଭାଗରେ ପ୍ରଚଳିତ ଥିଲା । ରାବଣ ଏହି ପୁରାମୌଳରେ କୃଷି ନିର୍ଭର ସୁବୁଷ୍ଟି ସ୍ୱରୂପ ‘‘ଶ୍ରାବଣ’’ ବା ନିରନ୍ତର ବୃଷ୍ଟି । ରାବଣ ଶବ୍ଦର ମୂଳ ‘ରବନ’ ଏକ ଅଭେସ୍ତା ଶବ୍ଦ । ସୀତା ହେଉଛନ୍ତି କୃଷି ରୂପକ ଲକ୍ଷ୍ମୀ । ରାବଣରୂପକ ନଦୀପ୍ରୋସ କୃଷିତୁଲ୍ୟ ସୀତାକୁ ଭସେଇ ନେଇଥିଲା । ଆଉ ଏକ ଅର୍ଥ ରାବଣ ଜଳ କ୍ରୀଡ଼ାକାରୀ ଯକ୍ଷ । ବୈଦିକ ଆଖ୍ୟାନର ପୁରାମୌଳରେ ସେ ଜଳଅବରୋଧକ । ସୀତାଙ୍କୁ ସମୁଦ୍ର ମଧ୍ୟରେ ଦ୍ୱୀପରେ ଅବରୋଧ କରିଥଲା-। ଏହି ହେତୁ ରାବଣକୁ ବର୍ଷଣହୀନ ବା ବାଧକ ରୂପେ ଗ୍ରହଣ କରାଯାଏ । କାଳିଦାସଙ୍କ ରଘୁବଂଶର ୧୦ମ ସର୍ଗ ୪୮ ପଦ ଦେଖନ୍ତୁ-

 

ରାବଣାବଗ୍ରହ କ୍ଳାନ୍ତମଇତି ବାଗମୃତେନ ସଃ

ଅଭିଷିତ୍ୟ ମରୁତସସ୍ୟାନ୍‍ କୃଷ୍ଣମେଘସ୍ତିରୋଦଧେ ।

 

(ରାବଣରୂପ ଦୀର୍ଘକାଳ ବୃଷ୍ଟିହୀନତାରେ ଅବସନ୍ନ ଦେବତାରୂପ ଶସ୍ୟକୁ ବାକ୍ୟାମୃତରେ ଅଭିଷିକ୍ତ କରି ଅନ୍ତର୍ହିତ ହେଲେ ।) ପୁରାମୌଳ ପୁରାଣର ଉତ୍ସ ଅର୍ଥାତ୍‌ ମିଥିରୁ ମାଇଥୋଲୋଜି ଏବଂ ଏହି ମାଇଥୋଲୋଜି ବା ପୁରାଣ ଅତିକଳ୍ପନା ବା ଅତିଶୟୋକ୍ତିର ଶୈଳୀ ଗ୍ରହଣ କରେ । ଏଣୁ ମୂଳ ମିଥି ବା ପୁରାମୌଳର ଭିନ୍ନଭିନ୍ନ ପୁରାଣ କାହାଣୀ ରଚନା ହେଲେହେଁ ମିଥ୍‍ର ପରିବର୍ତ୍ତନ ଘଟେ ନାହିଁ ।

 

ଅନନ୍ତବାବୁ ରାବଣଙ୍କୁ ରାମାୟଣରୁ ଆଣିନାହାନ୍ତି । ସେ ମିଥ୍‍ର ଆଶ୍ରୟରେ ଏକ ଭିନ୍ନ ଅର୍ଥଦ୍ୟୁତି ସୃଷ୍ଟି କରି ପୁରାଣର ଅବଶିଷ୍ଟ ଆଖ୍ୟାନ ସହ ମିଶାଇଛନ୍ତି । ପୁରାଣରେ ସେ ଦଶମୁଣ୍ଡ ଓ ବିଂଶବାହୁ । ମଣିଷ/ଅସୁର/ଯକ୍ଷାଦି ଯୋନିଜ ପକ୍ଷେ ଅସମ୍ଭବ ଏକ ଭୀଷଣାବୟବ ଚିତ୍ରବାହୁଲ୍ୟ ଜୀବ । ବିଜ୍ଞାନବାଦୀ ଦୃଷ୍ଟି ପକ୍ଷେ ଏହା ଅଗ୍ରହଣୀୟ । ତେଣୁ ଅନନ୍ତବାବୁ ଇତିହାସର ସାହାଯ୍ୟ ନେଇଛନ୍ତି, ତା ସହିତ ମାର୍କସୀୟ ବିଚାର ଯୋଡ଼ିଛନ୍ତି । ଏହା ଏକ ଦ୍ୱନ୍ଦ୍ରାତ୍ମକ ଦୃଷ୍ଟିଭଙ୍ଗୀ, କବି ବା ମୂଳ ମିଥ୍‍ର ସ୍ରଷ୍ଟା ପ୍ରଥମେ ରୂପକଆଖ୍ୟାନ ସୃଜିଥାନ୍ତି ସେହି ଆଖ୍ୟାନର ଚରିତ୍ରବର୍ଗ ପରବର୍ତ୍ତୀ କାଳକୁ ଦିଶନ୍ତି ଭୀଷଣକାୟ, ଅତିମାନବ । ଏଥିରେ ବୈଚିତ୍ର୍ୟ ହେଉଛି ଇନ୍ଦ୍ରିୟୋତ୍ତର କଳ୍ପନାର ଏକ ପରିବେଶ ସୃଷ୍ଟି । ଅଦେଖା, ଅଶୁଣା, ଅଜଣା ହେଲେ ମନକୁ ଟାଣିପାରେ; ବିସ୍ମୟ, କୌତୁହଳ ସୃଜିପାରେ । ତାହାହିଁ ହୁଏ ଆନନ୍ଦଲାଭର ମାଧ୍ୟମ । ମିଥ୍‌ ଅତିକଳ୍ପନାକୁ ପ୍ରଶୟ. ଦିଏ ନାହିଁ, ତାତ୍‌କାଳିକ ସାମାଜିକ ମାନବିକ/ପ୍ରବୃତ୍ତିଗତ ସମସ୍ୟାକୁ ଏକ ସ୍ଥିର ରୂପ ଦେବାକୁ ଉଦ୍ୟମ କରେ-। ମାତ୍ର ସେଥିରୁ ଆଧେୟ ସ୍ଵରୂପ ସଂଗୃହିତ ତଥ୍ୟ ଆଖ୍ୟାନ ବର୍ଣ୍ଣନା ବେଳେ ଅତିକଳ୍ପନାକୁ ଆହ୍ୱାନ କରେ ।

 

ଦଶଗ୍ରୀବ ବିଂଶବାହୁ ଦଶଟି ଅତିବୁଦ୍ଧି ସମ୍ପନ୍ନ ମଣିଷର ସମାହାର । ଏହି ସମାହାର କାଳକ୍ରମିକ, ଏକ କାଳିକ ବା ଜନ୍ମଗତ ନୁହେଁ । ଅନନ୍ତବାବୁ ଏହା ଦେଖାଇବା ପାଇଁ ନାଟକର ପ୍ରଥମ ଅଙ୍କରେ ରାବଣ ବ୍ରହ୍ମାଙ୍କୁ ତପସ୍ୟା କରିବାର ଚିତ୍ରଟି ଦେଇଛନ୍ତି । କଣ କହୁଛନ୍ତି ରାବଣ-ପିତାମହଙ୍କ ଉଦ୍ଦେଶ୍ୟରେ ?

 

‘‘ଜୀବଜଗତର ସବୁଠାରୁ ସୁମହତ ସୃଷ୍ଟି ମାନବକୁ କେତେଦିନ ପଶୁପରି ଚାଳିତ କରୁଥିବ ? ଲଙ୍କାର ଏ କୋଟି ଅଧିବାସୀଙ୍କୁ ଯଦି କ୍ଷମତା ନ ଦେଲ, ମନୁଷ୍ୟ ହେବାକୁ ଯଦି ଶକ୍ତି ନ ଦେଲ, ଚତୁଃପାର୍ଶ୍ଵର ଅବସ୍ଥା ବିରୁଦ୍ଧରେ ଛିଡ଼ା ହୋଇ ଲଙ୍କାକୁ ସଭ୍ୟତା ଓ ସମ୍ପଦରେ ସମୃଦ୍ଧ କରିବାକୁ, ତେବେ ମତେ କାହିଁକି ତାର ଅଧିପ କରି ମୁକୁଟ ପିନ୍ଧାଇଲ, ଗୋଟାଏ ମସ୍ତିଷ୍କରେ ଦଶଟା ମସ୍ତିଷ୍କର ବୁଦ୍ଧି ଦେଇ ଯଦି ବାହୁରେ ଅପରିମିତ ଶକ୍ତି ନଦେଲ, ତେବେ ଏ ଅରଣ୍ୟମୟ ଅନାର୍ଯ୍ୟ ବଣମଣିଷ ପୂର୍ଣ୍ଣ ଦ୍ଵୀପକୁ ନୂତନ କରି ଗଢ଼ିବି କିପରି - ବାଣିଜ୍ୟ ନାହିଁ, ବସତି ନାହିଁ, ବ୍ୟବସାୟ ନାହିଁ, ଯନ୍ତ୍ରପାତି ନାହଁ, ଯୋଜନବ୍ୟାପି ସାଗରବକ୍ଷରେ ଏ କ୍ଷୁଦ୍ରଦ୍ୱୀପରେ ଲୋକେ କିପରି ବଞ୍ଚିବେ ପ୍ରଭୋ ! (୧ମ ଅଙ୍କ ୧ମ ଦୃଶ୍ୟ, ୧ମ ସଂଳାପ)

 

ବ୍ରହ୍ମାଙ୍କ ଆବିର୍ଭାବ ଓ ଆଶିଷ-

ତୁ ସ୍ଵର୍ଗ ମର୍ତ୍ତ୍ୟ, ପାତାଳରେ ବଳବିକ୍ରମରେ ଅତୁଳନୀୟ ହେବୁ । ତୋର ଦଶ ମସ୍ତିଷ୍କର ବୁଦ୍ଧି ସଙ୍ଗେ ସମତା ରଖିବାକୁ ତୋର ବାହୁରେ ବିଂଶ ବାହୁର ଅପରିମେୟ ଶକ୍ତି ଆସିବ । xx ଆଜିଠାରୁ ଧରଣୀରେ ତୁମେ ଶ୍ରେଷ୍ଠ ବ୍ରାହ୍ମଣ, ଶ୍ରେଷ୍ଠ କ୍ଷତ୍ରିୟ (୧ମ ଅଙ୍କ ୧ମ ଦୃଶ୍ୟ)

 

ଦଶମୁଣ୍ଡ ଓ ବିଂଶବାହୁ ବସ୍ତୁତଃ, ଜନ୍ମପରେ ମଣିଷର କର୍ମବାସନା ଓ ସାଧନାର ତୁଲ୍ୟରେ ଲବ୍ଧ ଏକ ପ୍ରତୀକାତ୍ମକ ଶକ୍ତି । ଇଚ୍ଛାସିଦ୍ଧିର ଫଳଶ୍ରୁତି । ସାଂଖ୍ୟଦର୍ଶନରେ ପୁରୁଷାର୍ଥର ନିଷ୍ପତି, ବା ଯୋଗ ସୂତ୍ରର ଔଷଧସିଦ୍ଧି, ମନ୍ତ୍ରସିଦ୍ଧି, ତପସିଦ୍ଧି (ସଂକଳ୍ପସିଦ୍ଧି) ଏବଂ ସମାଧିସିଦ୍ଧି, ପଞ୍ଚସିଦ୍ଧି ମଧ୍ୟରୁ ରାବଣ ଚାରୋଟି ସିଦ୍ଧିର ଥିଲେ ଅଧିକାରୀ । ଏହା ତାଙ୍କର ପୁରୁଷାର୍ଥର ପରିଚୟ-। ଏକ ଅଙ୍ଗରେ ଦଶଜଣଙ୍କ ବୁଦ୍ଧି ଓ କୋଡ଼ିଏ ଜଣର ପରାକ୍ରମ ଅର୍ଥାତ ଅସମ୍ଭବ ଅପରିମେୟ ବୁଦ୍ଧି ଓ ଯୋଜନାକୁ ବାସ୍ତବ ରୂପ ଦେବାରେ ସମର୍ଥ ବଳ ।

 

ନାଟକରେ ବ୍ୟଞ୍ଜନାଟି ଚମତ୍କାର । ସେଇଟି କଣ ? ବୁଦ୍ଧି ସହ ପରାକ୍ରମ ବା ବିପରୀତ ଜନ୍ମଗତ ବ୍ୟାପାର ନୁହେଁ । ଏ ଦୁଇଟିକୁ ପୃଥକ କରି ପ୍ରକୃତି ଜୀବଜଗତକୁ ନିୟନ୍ତ୍ରଣରେ ରଖିଛି । ଇତିହାସରେ, ଆଦିମ ମଣିଷର ଆସୁରିକ ଶକ୍ତି ତାକୁ ବଞ୍ଚିବାର ସଂଗ୍ରାମରେ ପରାଜିତ କଲା । ଶକ୍ତିର ବାହୁଲ୍ୟ କିନ୍ତୁ ବୁଦ୍ଧିର ଅଭାବ, ଫଳତଃ ନିଜ ଗୋଷ୍ଠି ଭିତରେ ଦ୍ୱନ୍ଦ୍ୱ ସୂତ୍ରପାତ କଲା, ଯାହା ହେଲା ବିନାଶର ମୂଳ ଧର୍ମ । ରାବଣ, ପୁରାଣରେ ମହାବଳଶାଳୀ, ବୁଦ୍ଧିମାନ, ନୂଆ ସୃଜନ ସାମର୍ଥ୍ୟର ଅଧିକାରୀ ମଧ୍ୟ । ପ୍ରଦତ୍ତ ସଂଳାପରୁ ବନ୍ୟ ମଣିଷକୁ ସଂପନ୍ନ ମଣିଷର ଚେତନା ପ୍ରଦାନର ଅନ୍ୟ କଥାରେ ବିକଶିତ ବୌଦ୍ଧିକତାର ଅଧିକାରୀ କରିବାର ସାମର୍ଥ୍ୟ ବ୍ରହ୍ମାଙ୍କଠାରୁ ପାଇବାର ସଙ୍କେତ ରହିଛି । ସଙ୍କେତ ମଧ୍ୟ କହୁଛି ମଣିଷର ରୂପାନ୍ତରଣାର ଏକ ପ୍ରକ୍ରିୟା ବିଷୟରେ-। ଏହି ସଂକେତ ସୃଷ୍ଟିର ଏକ ମିଥ୍ । ବ୍ୟକ୍ତି ମଣିଷ ଯେଉଁ ସୃଜନ ଶକ୍ତିର ଅଧିକାରୀ ତାହାର ଉପଯୋଗ ରହିତ ହେଲେ ବ୍ୟକ୍ତିତ୍ଵ ବିନାଶର ପଥ ନିଜେ ହିଁ ଉନ୍ମୋଚନ କରେ । ଅର୍ଥାତ୍‌ ସୃଜନ ଓ ବିନାଶ ବା ମୃତ୍ୟୁ ଓ ପୁନର୍ଜନ୍ମ ଏ ଦୁଇ ପରସ୍ପର କ୍ରିୟା ସ୍ଵୟଂ ମଣିଷର ଅବଚେତନର ବିଷୟ (You risk damging your personality if you neglect your creative faculity-( dictionary of symbols-Tom Chefword 2nd, P. 107) ରାବଣ ବିଜ୍ଞ କାରଣ ଏହା ସେ ବୁଝନ୍ତି ଓ ସବୁ ବିରୋଧି ପ୍ରତ୍ୟୟଗୁଡ଼ିକୁ ନିଜର ଜ୍ଞାନ ଓ ବାହୁବଳରେ ନିଜ ପକ୍ଷକୁ ଆଣିବାକୁ ଉଦ୍ୟମ କରନ୍ତି । ବ୍ରହ୍ମା ପ୍ରଜାପତି, ଜୀବନର ଆଦିମ ଆର୍କିଟାଇପାଲ ପ୍ରବୃତ୍ତିର ପ୍ରତୀକ, ତାଙ୍କୁ ସନ୍ତୁଷ୍ଟ କରିବା ଏକ ରୂପକମାତ୍ର ।

 

‘ରାବଣ’ ମିଥ୍‍ର ଏହି ଆଦ୍ୟ କ୍ଷଣରେ ଜୀବନସୂତ୍ରର ଏଇ ସତ୍ୟ ସଚେତନ ଜଣେ ବ୍ୟକ୍ତି ପରାକ୍ରମ ଓ ବୁଦ୍ଧିକୁ ସମନ୍ୱୟ କରିବାରେ ସମର୍ଥ ମହାତେଜଶାଳୀ ପୁରୁଷ ବଞ୍ଚିବାର ସୃଜନ କଳା କ୍ଷେତ୍ରରେ ଅଚେତନରୁ ଚେତନସ୍ତରକୁ ଗତି କରିବା ବେଳେ ତନ୍ନ ତନ୍ନ କରି ନୂଆ ଉପାଦାନ ସଂଗ୍ରହର ଆବଶ୍ୟକତା ଥାଏ । ବ୍ୟକ୍ତି କ୍ଷେତ୍ରରେ ଏହି ସତ୍ୟ ମଣିଷ ସମାଜ ପାଇଁ ମଧ୍ୟ ଉପଯୋଗୀ-। କିନ୍ତୁ ଦୂରବର୍ତ୍ତୀ ବ୍ରହ୍ମାଣ୍ଡର ଆଲୋକସ୍ତର ଓ ପରମାଣୁର ବିଘଟନ ସ୍ତରରେ ଶକ୍ତିର ଉତ୍ସ ନିହିତ ଥାଏ । ତାକୁ ପରିମିତ ଶୈଶବ ସ୍ତରରେ ବୁଝିବା ଅସମ୍ଭବ, କିନ୍ତୁ ବିକଶିତ ଓ ସମୃଦ୍ଧ ମନ କେବଳ କଳ୍ପନା ବଳରେ ଉପଲବ୍‌ଧି କରିପାରେ ଓ କଳ୍ପନାକୁ ବାସ୍ତବରେ ପରିଣତ କରିପାରେ । ବିଶ୍ୱସୃଷ୍ଟି, ମଣିଷର ଜନ୍ମ ଓ ଆବିଷ୍କାର ପରସ୍ତର ମଧ୍ୟରେ ସଂଯୁକ୍ତ । ଯାର ଜନ୍ମ ନାହିଁ ତା ପାଇଁ ବିଶ୍ଵସୃଷ୍ଟିର ରହସ୍ୟ ନିରର୍ଥକ । ଯାର ଜନ୍ମ ଅଛି ଅର୍ଥାତ୍‌ ଜନ୍ମିତ ସତ୍ତା ଅଚେତନ ସ୍ତରରୁ ଚେତନ ସ୍ତରକୁ ଗତି କରିବାକୁ ବାଧ୍ୟ । ସେଥିପାଇଁ ବୁଦ୍ଧି ଓ ପରାକ୍ରମର ସମନ୍ଵୟ ଆବଶ୍ୟକ । ରାବଣ ଏପରି ଏକ ମିଥିର ନାୟକ, ଯିଏ ତାଙ୍କ ପାଇଁ ବିବେଚିତ ଏକ ସଂପର୍କର ଦୁନିଆର ସଭ୍ୟ ବୋଲି ବିବେଚିତ, ସେମାନଙ୍କ ପାଇଁ ଜୀବନର ଅର୍ଥ ମୂଲ୍ୟବୋଧ ଓ ପାରସ୍ପରିକ ସମ୍ବନ୍ଧ ନିରୂପଣ ପାଇଁ ତପସ୍ୟାରୂପ ଅନ୍ଵେଷଣରେ ଥିଲେ ଆଗ୍ରହୀ ତଥା ସେଥିରେ ବିଜୟୀ ପରମସତ୍ତା, ଏକ ଆଲୋକମୟ ସତ୍ତା । ସେଥିପାଇଁ ସେ ଶ୍ରେଷ୍ଠ ବ୍ରାହ୍ମଣ ଏବଂ ଶ୍ରେଷ୍ଠକ୍ଷତ୍ରିୟ ଯୁଗ୍‌ପତ । ସେହିଁ ବଣ୍ୟ ପଶୁତୁଲ୍ୟ ମଣିଷକୁ ସ୍ୱର୍ଣ୍ଣପୁରୀ ଲଙ୍କାର ଅତି ସମୃଦ୍ଧ ମଣିଷରେ ପରିଣତ କରିଥିଲେ ।

 

ବସ୍ତୁତ, ଅପରିଚିତ ବସ୍ତୁଜଗତର ଅଣୁ ପରମାଣୁ ଆଲୋକ, ଜଳ, ସ୍ଥଳ, ବାୟୁର ସମନ୍ଵୟକାରୀ ଏକ ମହାଚେତନାମୟ ବିଗ୍ରହ । ସଭ୍ୟତାର ରୂପାନ୍ତରକ୍ଷମ ବୁଦ୍ଧି ଓ ଶକ୍ତିରେ ଉର୍ଜ୍ଜସ୍ଵଳ-। ପୁରାଣରେ ସେ ଇନ୍ଦ୍ର, ବରୁଣ, କୁବେର, ନାରଦ ପରି ଦେବଯୋନିଙ୍କୁ ବନ୍ଦି କରି ରଖିବା ରୂପକ ମଧ୍ୟରେ ତାହା କୁହାଯାଇଛି । ଯାହା ଦେବଭୋଗ୍ୟ ବା ଦେବଲୋକରେ ସୁଲଭ ତାହା ବର୍ତ୍ତମାନ ପାଇଁ ଲଙ୍କାବାସୀଙ୍କର ଅଧିକାରରେ । ଏହାଠାରୁ ବଡ଼ ବିଜୟ ନାହିଁ । ଅପରପକ୍ଷରେ ସଭ୍ୟତାର ଇତିହାସ ହେଉଛି ମଣିଷ ନିଜ ସାମର୍ଥ୍ୟରେ ନୂଆ ନୂଆ ଉତ୍ପାଦନ କୌଶଳ ଆବିଷ୍କାର କରି ତାର କର୍ମଭିତ୍ତିକ ସଂସ୍କୃତି ରଚନା କରେ କର୍ମମୂଳକ ଶ୍ରମ ନିର୍ଭର । ରାବଣ ଏହାର ପ୍ରତିନିଧି । ତେଣୁ ତତ୍‌କାଳିନ ଭୂମଣ୍ଡଳର ସେ ଜଣେ ମାତ୍ର ବନ୍ଦିତ ଶାସକ । ରାମାୟଣର ଆଖ୍ୟାନରେ ସେ ମାନବ ଓ ଦେବତା ବିରୋଧୀ । ମାନବ କହିଲେ ଆର୍ଯ୍ୟଜଗତର ବାସିନ୍ଦା ଏବଂ ଦେବତା କହିଲେ ଯେଉଁମାନେ ବିନା କାୟକ୍ଲେଶରେ ସୁଧାପାନ ସୁବିଧା ପାଇଥାନ୍ତି । ଏହି ଦୁଇ ପ୍ରକାର ଜୀବନ (ଦେବ ଓ ମାନବ) ମଧ୍ୟରେ ସେ ଏକ ମଧ୍ୟସ୍ଥଳ ବିନ୍ଦୁ । ସମନ୍ୱୟକାରୀ ଶକ୍ତି ତୁଲ୍ୟ ।

 

ନାଟ୍ୟକାର ଅନନ୍ତ ପଟ୍ଟନାୟକ ରାବଣଙ୍କୁ ସେହିପର ଏକ ଚରିତ୍ର ବୋଲି ଆଦ୍ୟ ପର୍ଯ୍ୟାୟରେ ବର୍ଣ୍ଣନା କରିଛନ୍ତି । କିନ୍ତୁ ସେ ଶକ୍ତି ରାଜତନ୍ତ୍ରର ପ୍ରତିନିଧି ବା ପ୍ରତୀକ- ବହୁଭୋଗ ଲାଳସାରୁ ନଷ୍ଟଶୀଳ ଅବସ୍ଥାକୁ ଗତି କରିଛନ୍ତି । ରାଜତନ୍ତ୍ରରେ ବ୍ୟକ୍ତିତନ୍ତ୍ରତାର ପ୍ରାଧାନ୍ୟ ରହେ । ଯେଉଁ ସିଂହାସନକୁ ବ୍ୟକ୍ତି ସମୂହର ଶକ୍ତିରୁ ଉତ୍ପନ୍ନ ଓ ସମୂହଉଦ୍ଦିଷ୍ଟ ମନେ କରିଥାଏ ତାହା ଅଚିରେ ବ୍ୟକ୍ତି ଭୋଗ୍ୟ ପଣ୍ୟ ପରି ମହାର୍ଘ ପାଲଟି ଯାଏ । ପ୍ରଜାକୁଳ ଉପେକ୍ଷିତ ହୁଅନ୍ତି ଓ ରାଷ୍ଟ୍ରବିପ୍ଳବ ପାଇଁ ପ୍ରସ୍ତୁତ ହୁଅନ୍ତି । ରାବଣଙ୍କ ଶାସନରେ ତାହା ହିଁ ହୋଇଛି । ରାଜତନ୍ତ୍ର ଚରମ ବିଶୃଙ୍ଖଳାର ବିନ୍ଦୁରେ ରାବଣଙ୍କୁ କରିଛି ଦର୍ପୀ, କାମୁକ, ଆର୍ଯ୍ୟବିରୋଧୀ ପ୍ରଜା ଓ ସ୍ଵଜନ ପ୍ରତି ଦୌର୍ଜନ୍ୟ ଆଚରଣରେ ରୁଗ୍ମତାର ଶିକାର ହୋଇଛି । ବସ୍ତୁତ ପରସ୍ପର ବିରୋଧି ଗୁଣମାନ ରାବଣଙ୍କ ବ୍ୟକ୍ତିସତ୍ତାକୁ କରିଛି ତେଜହୀନ ।

 

ଅନନ୍ତବାବୁ ମାର୍କ୍ସତତ୍ତ୍ୱର ଅବରାହୀ । ଐତିହାସିକ ବସ୍ତୁବାଦୀ ଦର୍ଶନର ଧାରାରେ ରାବଣ ଆଖ୍ୟାନକୁ ନାଟକ ରୂପ ଦେଇଛନ୍ତି । ପ୍ରତ୍ୟେକ ଜୀବ ପ୍ରକୃତିର ଅଂଶ ତେଣୁ ପ୍ରକୃତିର ନିୟମର ଅଧୀନ । ପ୍ରକୃତିକୁ ବା ତାର ତତ୍ତ୍ୱକୁ ବଦଳାଇବାର ସାମର୍ଥ୍ୟ ତାର ନାହିଁ । ସେ କେବଳ ଉତ୍ତରାଧିକାରୀ ସବୁ ତତ୍ତ୍ୱ ଓ ଗୁଣି ଭୋଗ କରେ । ଏଥିପାଇଁ ପ୍ରକୃତିର ବିରୋଧ ଅପେକ୍ଷା ପରିସ୍ଥିତି ପରିବେଶ ଓ ନିଜ ପରିକଳ୍ପନା ମଧ୍ୟରେ ବୁଝାମଣା ଜନିତ ସଂହତ ଆଚରଣ ଆବଶ୍ୟକ । ଏଥିରେ ଆତ୍ମଜାଗରଣ ଘଟେ । ମନନ ଓ କଳ୍ପନାର ଆତ୍ମପ୍ରକାଶ ହୁଏ । ଏଇ ତିନୋଟି ପ୍ରବୃତ୍ତିର ସଂହତି ଫଳରେ ବ୍ୟକ୍ତି ଆକସ୍ମିକ ଭାବେ ଭିନ୍ନପଥଗାମୀ ହୁଏ । ଅର୍ଥାତ୍‌ ପ୍ରଦତ୍ତି ଏକ ପରିସ୍ଥିତିରେ ଅସନ୍ତୋଷ, ବିରକ୍ତି, କ୍ଲାନ୍ତି ତାକୁ ସ୍ୱର୍ଗଚ୍ୟୁତ ଏକ ପ୍ରାଣୀ ବୋଲି ଅନୁଭୂତ ହେଲେ ତାର ବଞ୍ଚିବାର କାରଣ, ପରିସ୍ଥିତିରୁ ମୁକୁଳିବାର ଯୁକ୍ତି ବା ମନନଶୀଳତାର ଅଭିବୃଦ୍ଧି କରିବାକୁ ଉଦ୍ୟମ କରିବ । ଶେଷରେ ସେ ହେବ ପ୍ରକୃତି ବିଜୟୀ ଓ ନିଜଗ ଅନ୍ତର୍ନିହିତ ଗୁଣ ଉପରେ ନିୟନ୍ତ୍ରଣ ସମର୍ଥ । ମାତ୍ର ମନନରୁ ସେ ଗୋଟିଏ ଚିରସ୍ଥାୟୀ ଦ୍ୱନ୍ଦ ସମ୍ମୁଖୀନ ହୁଏ । ତାହା ହେଉଛି ଦ୍ଵୈଧତା (dichotomy) । ଜୀବନ ବୃକ୍ଷ ଯେପରି ଦୁଇଟି ଶାଖାରେ ପଲ୍ଲବିତ, ଗୋଟିଏ ଜନ୍ମ ଓ ଅନ୍ୟଟି ମରଣ । ଏ ଅବସ୍ଥା ଦୁଇଟି ଆକସ୍ମିକ - ଉଭୟ କାଳ ଓ ସ୍ଥାନ ଦୃଷ୍ଟିରୁ । ତାର ଜନ୍ମ ସତ୍ୟ, ମୃତ୍ୟୁ ମଧ୍ୟ । ମାତ୍ର ସେ କେଉଁଠି ଓ କେବେ ଜନ୍ମ ନେବ ତାହା ତାର ବିଚାରଭୁକ୍ତ ନୁହେଁ । ଜନ୍ମପରେ ତାହା ସେ ତାର ଅସ୍ତିତ୍ୱ ଯେଉଁ ଯେଉଁ କାରଣଗୁଡ଼ିକ ଉପରେ ନିର୍ଭର କରି ଗତିର ଇତିହାସ ରଚେ ତାହା ହେଉଛି ତାର ଅନ୍ତର୍ନିହିତ ମନର ଅସ୍ତିତ୍ୱ । ଅନ୍ୟ କଥାରେ, ଅନ୍ତର୍ନିହିତ ମନର ଅସ୍ତିତ୍ଵ ବୋଧଟି ତାର ମନ ପସନ୍ଦର ଦୁନିଆ ତିଆରି କରିବାକୁ, ସ୍ଵଜାତି, ଗୋଷ୍ଠି ସହ ବସବାସ ପାଇଁ ପ୍ରେରଣା ଯୋଗାଏ, କିନ୍ତୁ ଅସନ୍ତୋଷରୁ କ୍ଷାନ୍ତ କରାଇ ପାରେନା । ସେ ଜାଣେ ଅସନ୍ତୋଷ ହିଁ ପ୍ରଗତିର, ନୂଆ ଆବିଷ୍କାର ବା ଉଦ୍‌ଭାବନର କାରଣ । ଏଇଠି, ଏରିକପଂମ କହିଲେ ପ୍ରଗତି ପଥେ ଉଦ୍ୟମରତ ମଣିଷର ଉଦ୍ୟମ ହେଉଛି ପ୍ରକୃତରେ ତାର ଅସ୍ତିତ୍ଵର ବିରୋଧାଭାସ, ଅର୍ଥାତ୍‌ ମୃତ୍ୟୁ ଯେମିତି ବାଟ ଓଗାଳି ବସିଛି, ତାକୁ ସେ ଅତିକ୍ରମ କରିବ (Man for himself-P.41-42) । ସେ ସ୍ଵର୍ଗଭ୍ରଷ୍ଟ, କିଛ ପ୍ରକୃତି ସହ ଗୁନ୍ଥା, ସେ ମୃତ୍ୟୁର ପଥ ଛାଡ଼ି ଚିରଦିନ ଭ୍ରମଣକାରୀ - ଅନୁଯୋଗୀ ପଥର ଆବିଷ୍‌କର୍ତ୍ତା (ମଣିଷର ଇତିହାସରେ ପାଶ୍ଚାତ୍ୟ ମିଥ୍‍ରେ ଅଡ଼ିପସ୍‌, ଓଡ଼ିପସ, ଆବ୍ରାହମ, ପ୍ରାଚ୍ୟ ମିଥିରେ କଂସ, ଦୁର୍ଯ୍ୟୋଧନ ପରି) । ଅଜଣାକୁ ଜାଣିବା ପାଇଁ ନିଜର ଜ୍ଞାନର ଶୂନ୍ୟସ୍ଥାନ ପୂରଣ କରି ସେ ଆଗେଇବ । ସେ ନିଜ ବିଷୟରେ ନିଜକୁ ସୂଚେଇବ, ତାର ଅଭିଯାନକୁ ସଫଳ କରିବାରେ ଅସ୍ତିତ୍ୱବୋଧର ନାନା ପ୍ରଶ୍ନର ସହଜ ବ୍ୟାଖ୍ୟା କରିବ । ନିଜେ ହିଁ ପ୍ରଶ୍ନକର୍ତ୍ତା, ନିଜେ ହିଁ ଉତ୍ତର ଦାତା - ଏପରି ଯେଉଁ ଦୃନ୍ଦ୍ୱାତ୍ମକ ବିଖଣ୍ଡିତ ପ୍ରବୃତ୍ତି, ସର୍ବୋତ୍ତମ ପ୍ରତି ରୋରୁଦ୍ୟମାନ ବିକଳ ଅନ୍ୱେଷା - ଏହା ହିଁ ତାର ନିୟତି । ଜନ୍ମ ଓ ମୃତ୍ୟୁ ଭିତରେ ବ୍ୟବଧାନକୁ ଦୀର୍ଘତର କରିବାର ଏକ ଉଦ୍ୟମ ।

 

ରାବଣ ଜାଣନ୍ତି ମୃତ୍ୟୁ ଚିରନ୍ତନ, ମାତ୍ର ବର ମାଗନ୍ତି ଅମରତ୍ୱର । ସେ ମଧ୍ୟ ଜାଣନ୍ତି ଏହା ଅସମ୍ଭବ । ମାତ୍ର ପିପାସା ସ୍ଵର୍ଣ୍ଣକୁମ୍ଭର ସୁଧା ପରି, ଘଟ ଓ ଘଟାନ୍ତରର ସତ୍ୟକୁ କଳସ ସୁନା ହେଲେ ବି ପରିବର୍ତ୍ତନ କରି ପାରେନା । ସୀତା ପାଇଁ ଆକୁଳତା ବ୍ରହ୍ମବାଦୀ ଚିତ୍ତବୃତ୍ତି ଭିତରେ ଏକ ସାମାନ୍ୟ ଦୁର୍ବଳତା, ତାହା ପୁଣି ତାର ଚିତାର ପ୍ରତିନିଧି । କାହିଁ ବ୍ରହ୍ମତ୍ଵ, କାହିଁ ଇନ୍ଦ୍ରିୟ ନିଗ୍ରହର ଦୁର୍ବାର ବଳିଷ୍ଠ ଶତ୍ରୁଞ୍ଜୟ ପୌରୁଷ - କାହିଁ ସାମାନ୍ୟ ନାରୀର ରୂପଲୁବ୍ଧ ମୋହ । ବିଚିତ୍ର ବିଚାର । ମାତ୍ର ଏହାର ଅନ୍ତରାଳରେ ଦ୍ଵୈଧତା - ଜନୁ ଓ ମୃତ୍ୟୁର ଦ୍ୱନ୍ଦ୍ର ଅସ୍ତିତ୍ୱର ଅନ୍ତର୍ନିହିତ ଗୁଣ - ତାକୁ ସେ କିପରି ଅତିକ୍ରମ କରିବେ ? ପ୍ରକୃତିକୁ ଜୟ କରିବାର ଅର୍ଥ ଭୌତିକ ସୁଖ ପ୍ରାପ୍ତି । ପ୍ରକୃତି କୋଳରୁ ଯାହା ମିଳୁଥିଲା, ପ୍ରକୃତିରୁ ବିଚ୍ଛିନ୍ନ ହେଲେ ତାହାକୁ ସୁଖଲବ୍‌ଧ କରିବା । ପ୍ରକୃତିର ନିୟମକୁ ଅତିକ୍ରମ କରିବା ନୁହେଁ । ରାବଣ ବିଚିତ୍ର ପୁରୁଷ । ପୌରୁଷ ବନ୍ଦି କରିଛି ଦେବତାଙ୍କୁ, ସ୍ଵର୍ଗର ସୁଖକୁ ଟାଣି ଆଣିଛି ଭୂମିକୁ । ଦେବବାଦର ଆଧିପତ୍ୟକୁ ପାଦରେ ଦଳିଛି, କିନ୍ତୁ ଅସ୍ତିତ୍ୱର ଚିତ୍ରପଟ୍ଟରେ ଯେଉଁ ବିରୋଧାଭାସ ତାକୁ ଲିଭାଇବା ସମ୍ଭବ ହୋଇ ନାହିଁ । ଅର୍ଥାତ୍‌ ମୃତ୍ୟୁ ନାନା ବିକଳ ରୂପ ନେଇ ଆତ୍ମଗୋପନ କରଛ ଅନ୍ତରରେ ।

 

ଅନନ୍ତ ବାବୁ ନାଟକରେ ତାହା ଦେଖାଇଛନ୍ତି, ଇତିହାସରୁ ନଜିର ଆଣି, ରାଜତନ୍ତ ସମୟକ୍ରମେ ବ୍ୟକ୍ତିର ଏଇ ଦୁର୍ବଳତାକୁ ଆଧାର କରି ପରସ୍ପର ଆତ୍ମବିରୋଧୀ ଗୁଣଗୁଡ଼ିକୁ ଉତ୍ସାହିତ ଓ ପ୍ରକଟିତ କରେ । ହେଲେହେଁ ଲଙ୍କା ସ୍ଵର୍ଣ୍ଣପୁରୀ ରାଜା ତ ନିଜେ ପଶୁପରି ଚରିତ୍ର ଓ ପ୍ରବୃତ୍ତି ବଦଳାଇ ପାରି ନାହଁ । ପ୍ରଜା କଲ୍ୟାଣକୁ ସେ ଆଡ଼ଦେଖା କରିଛନ୍ତି । ଲକ୍ଷ୍ମଣ କହୁଛନ୍ତି ହନୁମାନକୁ ସୀତା ଖୋଜି ବାହାରିବାର । ପୂର୍ବରୁ ‘‘ଦେଖିବ ରାବଣ ବିରୋଧରେ କଣ ଅଛି, କିଏ ଅଛନ୍ତି, ସେଇମାନଙ୍କୁ ଟିକେ ଉସୁକାଇ ଦେବ ।’’

 

ଅନ୍ତର୍ବିପ୍ଳବ ସବୁଠି ଦୁର୍ବାର । ପାଉଁଶ ତଳର ନିଆଁ ପରି ଛଦ୍ମବେଶୀ ଏକ ଭବିଷ୍ୟ ପ୍ରଳୟ-। ଅନନ୍ତ ବାବୁ ନାଟକୀୟ ଦ୍ୱଦ୍ୱ ପାଇଁ ଏପରି ଏକ ସଙ୍କେତ ନେଇଛନ୍ତି । ବିଭୀଷଣ ବିଷୟ ତ ପୁରାଣର କାହାଣୀ । କୁମ୍ଭକର୍ଣ୍ଣର ଚରିତ୍ର ମଧ୍ୟ । ଉଭୟେ ରାବଣଙ୍କୁ ନାପସନ୍ଦ କରିଛନ୍ତି । କୁମ୍ଭକର୍ଣ୍ଣ ଗୃହଭେଦୀ ହେବା ପରିବର୍ତ୍ତେ ମୃତ୍ୟୁକୁ ବରଣ କରିଛନ୍ତି । ଏଇ ମାତ୍ର ଏକ ଗତାନୁଗତିକ ବିଷୟ । ମାତ୍ର ଅନନ୍ତବାବୁ ଉଦ୍‌ଘାଟନ କରିଛନ୍ତି ରାବଣଙ୍କ ସହ ନିରନ୍ତର ସଂପର୍କରେ ଥିବା ତ୍ରିଜଟା ଓ ପ୍ରଜାକୁଳର ଅସନ୍ତୋଷ । ରାମାୟଣ ବହିର୍ଭୁତ ଆଚରଣର ଉନ୍ନମୋଚନ ତ୍ରିଜଟାର ଆଚଣରେ । ହନୁମାନଙ୍କୁ ବାଟ ଦେଖାଇ ରାବଣଙ୍କର ଦୁଃଖର ବିନ୍ଦୁକୁ ଚିହ୍ନାଇଛି, ପ୍ରଜାକୂଳ ଭିତରେ ଅସନ୍ତୋଷକୁ ବଢ଼ାଇଛି । ରାମଙ୍କ ମୃତ୍ୟୁବାଣ ନିଶାର୍ଦ୍ଧରେ ଅଂଗଦ ଓ ହନୁମାନ ଦ୍ଵାରା ଅପହରଣ କରାଇଛି । ରାବଣ ମନରେ ଆତ୍ମୀୟଜନର ଭାବ ଜଣାଇ ବିଶ୍ଵାସଫୁଲ ଫୁଟାଇଛି । ଅନ୍ତର୍ଘାତର ବିରାଟ ଯୋଜନାର ନାମ ତ୍ରିଜଟା । ସେ ବନ୍ଦିନୀ ସୀତାଙ୍କ ସଖୀପରି, ଆତ୍ମବୋଧନ ସମର୍ଥ । ରାବଣଙ୍କ କୂଟକପଟକୁ ଚିହ୍ନାଇ ସୀତାଙ୍କୁ ଧୈର୍ଯ୍ୟ ଦେବାରେ ନିପୁଣ । ଯୁଦ୍ଧ ଲାଗନ୍ତେ ପ୍ରଜାକୁଳ ରାଜ ବା ଦେଶଭକ୍ତି ବିରତ । ରାବଣ ଶେଷକୁ ନିଃସ୍ଵ, ଏକାକୀ ।

 

ନାଟକରେ ନାଟ୍ୟକାର ଦୁଇଟି ସତ୍ୟର ଗୁରୁତ୍ଵ ସୂଚାଇଛନ୍ତି । ଗୋଟିଏ ଐତିହାସିକ ତଥା ଚିରନ୍ତନ ସମସ୍ୟା । ସେଇଟି ହେଉଛି ସୀତାମୁକ୍ତି ଦ୍ଵାରା ନାରୀଜାତିର ମୁକ୍ତି । ଲକ୍ଷ୍ମଣ ମୁଖରେ ରାମଙ୍କୁ ଚେତାଇଛନ୍ତି । ଅନ୍ୟଟି ରାବଣଙ୍କ ଉପଲବ୍‌ଧରୁ ସେ କହୁଛନ୍ତି - ‘‘ରାବଣ ନିଜ ଅଭିଜ୍ଞତାରୁ ଜାଣେ- ପ୍ରଜାର ଦୁଃଖ ରାଜା ବୁଝିପାରେନା । ରାଜାର ଅବଲୋପ ନ ହେଲେ ପ୍ରଜାର ମଙ୍ଗଳ ନାହଁ-।’’ ମନେହୁଏ ନାଟକର ବକ୍ତବ୍ୟ ହିଁ ଏୟା । ପ୍ରଜାକୁଳର ଉଦୟ, ମାର୍କ୍ସ ଚିନ୍ତନରେ ସର୍ବହରାର ରାଜତ୍ୱ । ରାଜନୀତି ନୁହେଁ ଦର୍ଶନ ପ୍ରତ୍ୟେକ ବ୍ୟକ୍ତିର ଐତିହାସିକ ଉଦ୍ରୋଦୟ ଉପରେ ଗୁରୁତ୍ୱ ଦିଏ-। ରାଜନୀତି ତାହାକୁ ବ୍ୟବସ୍ଥା ବାଛନ୍ଦ ପରି ଅନୁଗୃହୀତ ଏକ ରାଷ୍ଟ୍ରଧର୍ମ ଭାବେ ବୁଝିଥାଏ । ମାର୍କସବାଦର ସର୍ବୋତ୍ତମ ଦାର୍ଶନିକ ସୌନ୍ଦର୍ଯ୍ୟର ପରିଭାଷା ମାନବକୁଳର ଏକତ୍ର ସଂଗ୍ରାମ - ଦେଶଜାତିକାଳ ନିର୍ବିଶେଷରେ ମଣିଷ ଏକ-କାରଣ ତାର ରକ୍ତର ପରିଚୟ ଏକ, ସଂସ୍କୃତି ଏକ -ତାହା ଶ୍ରମ ଓ ସଂଗ୍ରାମର । ନାରୀ ପୁରୁଷ ଭେଦ ଅବାନ୍ତର । ଜଣେ ପିତା ଅନ୍ୟ ଜଣେ ମାତା - ପ୍ରାକୃତିକ ଭେଦମାତ୍ର । ଗୁଣ ଆଚରଣ ସ୍ଵପ୍ନ ଅଭିଳାଷରେ ପାର୍ଥକ୍ୟ ନାହିଁ । ଏଣୁ ସଂଗଠିତ ଉଦ୍ୟମରେ ମଣିଷକୁ ପଣ୍ୟ ପ୍ରାୟ ମନେ କରୁଥିବା ସକଳ ବିରୋଧୀ ଶକ୍ତିର ଅବଲୋପଦ୍ୱାରା ମଣିଷ ସଂସ୍କୃତିର ପ୍ରତିଷ୍ଠା ସମ୍ଭବ । ଗୋଷ୍ଠି ହିଁ ସକଳ ଶକ୍ତିର ଆଧାର ସେ ଗୋଷ୍ଠି ହିଁ ପ୍ରଜାଗୋଷ୍ଠି । ରାଜତନ୍ତ୍ର ବିଲୟ ସହିତ ପ୍ରଜାଶକ୍ତିର ଅଭ୍ୟୁଦୟ; ବ୍ରହ୍ମ ହେଉଛି ତାର ରୂପାନ୍ତର, ଭୂ : ଭୂମି : ଭୂମା ବ୍ରହ୍ମ ତୁଲ୍ୟ ପ୍ରଜା । ଏହା ହିଁ ଇତିହାସର ଶିକ୍ଷା । ବ୍ୟକ୍ତି ପଣ୍ୟ ନୁହେଁ, ତାର ରହିଛି ସାମଗ୍ରିକ ଏକ ଚେତନ ସତ୍ତା । ବହୁ ରୂପାନ୍ତର ପ୍ରକ୍ରିୟା ମଧ୍ୟ ଦେଇ ତାହା ଗତିଶୀଳ ଯାହାକୁ ଐତିହାସିକ ବସ୍ତୁବାଦ ମାଧ୍ୟମରେ ବୁଝିହୁଏ ।

 

ଅନନ୍ତ ପଟ୍ଟନାୟକ ନାଟ୍ୟକାର ନୁହଁନ୍ତି, କିନ୍ତୁ ନାଟକ ଲେଖିଛନ୍ତି ତାହା କାବ୍ୟିକ ରସବୋଧରେ ପରିପୂର୍ଣ୍ଣ, ନାଟକ ଦୃଷ୍ଟିରୁ ଅସଫଳ ହୋଇପାରେ କିନ୍ତୁ ବକ୍ତବ୍ୟ ସ୍ପଷ୍ଟ, ନିର୍ଦ୍ଦିଷ୍ଟ ଏବଂ ମାନବୀୟ ଚେତନାର ରୂପାନ୍ତର ସମର୍ଥ । କବି ଭାବେ ସେ ଯାହା କରି ପାରିନାହାନ୍ତି, ନାଟକ ଭିତରେ ନିଜର ବକ୍ତବ୍ୟକୁ ଅଧିକ ଶାଣିତ କରିଛନ୍ତି । ‘ରାବଣ’ ଓ ‘ଚିରି ଅନ୍ଧାର ରାତି’ ବସ୍ତୁତ ଓଡ଼ିଆ ନାଟକରେ ନୂଆ ବକ୍ତବ୍ୟର ପ୍ରତିନିଧି, କାଳର ଆହ୍ୱାନରେ ଏ କୃତି ଦୁଇଟି ପ୍ରତିଧ୍ଵନି ତିଆରି କରିଛି ଓଡ଼ିଆ ବାଙ୍‌ମୟ ଜଗତରେ ।

 

 

ସି ୧୧୬୭, ସେକ୍ଟର-୬

ସିଡ଼ିଏ, କଟକ - ୧୪

 

***

 

କଥାକାର ଅନନ୍ତ ପଟ୍ଟନାୟକ

ଶକୁନ୍ତଳା ବଳିଆରସିଂହ

 

ଅନନ୍ତ ପଟ୍ଟନାୟକ ଏକାଧାରରେ ଥିଲେ କଥାକାର, ନାଟ୍ୟକାର, ପ୍ରାବନ୍ଧିକ, ଶିଶୁ ସାହିତ୍ୟ ସ୍ରଷ୍ଟା, ଅନୁବାଦକ, ବହୁପାଠୀ ଆଲୋଚକ, କଂଗ୍ରେସ ସମ୍ମିଳନୀର ସଂଗଠକ, ସ୍ୱାଧୀନତା ସଂଗ୍ରାମର ନିର୍ଯ୍ୟାତିତ ବନ୍ଦୀ, ସମାଜବାଦୀଦର୍ଶନର ସମର୍ଥକ, ଗାନ୍ଧିମହାତ୍ମା ଦର୍ଶନର ବାର୍ତ୍ତାବହ, ସ୍ଵାଧୀନତା ସଂଗ୍ରାମକୁ ମାନସିକ ଶକ୍ତି ଯୋଗାଉଥିବା ଜଣେ ଯୋଦ୍ଧା, ଜଣେ ସ୍ୱାଧୀନଚେତା ଦେଶପ୍ରେମୀ ଓ ମାନବତାର ଜୟଗାନ କରୁଥିବା ଯୁଗଯାତ୍ରୀ ଆଉ ଜଣେ ସଫଳ କବି । କବି ରୂପେ ତାଙ୍କ କାବ୍ୟକବିତାର କିଛିଟା ବିସ୍ତୃତ ଆଲୋଚନା ହୋଇଛି, ଯାହା ତଥାପି ଯଥେଷ୍ଟ ନୁହେଁ । ଏହାଠାରୁ ଅଧିକ ଦୁଃଖର ବିଷୟ ହେଉଛି ଅନନ୍ତଙ୍କ ଅପୂର୍ବ କଥାଶିଳ୍ପୀ କାରିଗରୀ ଅନାଲୋଚିତ ରହିଯିବା । ଅନନ୍ତଙ୍କ ସମସାମୟିକ ସଚ୍ଚିଦାନନ୍ଦ ରାଉତରାୟ, ଭଗବତୀ ଚରଣ ପାଣିଗ୍ରାହୀଙ୍କ ଗଳ୍ପମାନଙ୍କର ଆଲୋଚନା ହୋଇଛି, ଅଥଚ ଆଶ୍ଚର୍ଯ୍ୟଜନକ ଭାବରେ ଅନନ୍ତଙ୍କ କଥାଶିଳ୍ପ ବାବଦରେ ଆମେ ଏକଦମ୍‌ ଚୁପ୍‌ ରହିଛୁ କହିଲେ ଅତ୍ୟୁକ୍ତି ହେବ ନାହଁ । ନିଜ ସମୟର ଜଣେ ଅତି ଶକ୍ତିଶାଳୀ ଲେଖକ ଅନନ୍ତ । ଗଳ୍ପର ଚରିତ୍ରମାନଙ୍କର ଚେତନାର ବହୁମୁଖୀନତା ତଥା ଜଟିଳତା ଗୋଟିଏ ସମୟର ମଣିଷର ଅନ୍ତଃସ୍ଵର କୁହାଯାଇପାରେ । ଅଥଚ ଏପରି ସରଳଭାବରେ ଏହା ପ୍ରକାଶିତ ଯେ ଏଗୁଡ଼ିକର ପ୍ରକୃତ ଆଲୋଚନା ହୋଇଥିଲେ ଓଡ଼ିଆ ଗଳ୍ପ ସାହିତ୍ୟର ଦିଗଦର୍ଶନ ସେ ବୋଲାଇ ପାରିଥାଆନ୍ତେ, ଓଡ଼ିଆ ଗଳ୍ପର ଧାରା ମଧ୍ୟ ଭିନ୍ନ ମୋଡ଼ ନେଇଥାନ୍ତା । ବିଶେଷ କରି ସାଧାରଣରୁ ଅତିସାଧାରଣ ମାଟିର ମଣିଷ, ନାରୀମାନଙ୍କର ଜୀବନ ପରିବେଶର ଚାପରେ କିପରି ଛିନଛତ୍ର ହୋଇଯାଉଛି, ତାହାର ଅନେକ ଉଲ୍ଲେଖ ଆମେ ଅନନ୍ତଙ୍କ ଗଳ୍ପରେ ଦେଖିବାକୁ ପାଉ । ବାହାରକୁ ଦେଖାଯାଉନଥିବା ଓ ଭିତରେ ଛପି ରହିଥିବା ଅନ୍ଧାରକୁ ଅନାବରଣ କରିବା ଯେପରି ଲେଖକଙ୍କର ଏକମାତ୍ର ଉଦ୍ଦେଶ୍ୟ । ଗଳ୍ପ ରଚନା ଶୈଳୀ ଏକାଧାରରେ ସରଳ ଆଉ ଜଟିଳ ବି । ଅଥଚ ଏଭଳି ଏକ ମର୍ମସ୍ପର୍ଶୀ କଥାଶୈଳୀର ବିକାଶ ଓଡ଼ିଆ ସାହିତ୍ୟ ଧାରାରେ ପ୍ରବେଶ କରିପାରିଲା ନାହିଁ ।

 

ସେଇଥିପାଇଁ ଅନନ୍ତ- ଲେଖନୀ ନିସୃତ ଗଳ୍ପମାନଙ୍କର ଏହି ଆଲୋଚନା ।

 

ଅନନ୍ତ ଲେଖିଛନ୍ତି ସର୍ବମୋଟ ପନ୍ଦରଟି ଗଳ୍ପ । ୧୯୩୪ରୁ ୧୯୬୮ ମଧ୍ୟରେ ଏଗୁଡ଼ିକ ରଚିତ ଚଢ଼ା ଉତ୍ତରାରେ ଆଠଟି ଓ ଫଲଗୁଧାରାରେ ସାତଟି । ଏହି ପନ୍ଦରଟି ଗଳ୍ପ ଆଲୋଚନାର ପରିସର ଭିତରକୁ ଆସିନାହିଁ କାହିଁକି ? ଏହା ଭିନ୍ନ ସ୍ଵାଦର ଗଳ୍ପ ବୋଲି ? ତଥାକଥିତ ଶୈଳୀରେ ଏହା ରଚିତ ହୋଇନାହିଁ ବୋଲି ? କାହାଣୀର ପ୍ରଚ୍ଛଦରେ ଜୀବନର ବିରାଟ କାନଭାସଟି ଅଛି ବୋଲି-? ଏ କଣ ସେଇ ସ୍ଵଚ୍ଛଦର୍ପଣ; ଯାହା ମଣିଷର ମୁଖା ବୋଲି ତାକୁ ଉଲଗ୍ନ କରି ଦେଖାଏ ? ଏଇଥିପାଇଁ କ’ଣ ଆମେ ସାହସ କରିନୁ ଖୋଲିବାକୁ କାହାଣୀର ଏ ପେଡ଼ି ?

 

କୌଣସି ସାରସ୍ଵତକୃତି ଯେତେବେଳେ ଜୀବନର କଥା କହି ମନୋରମ ରୂପ ନିଏ, ସେତେବେଳେ ମୂକ ଶ୍ରୋତାଟିଏ ବି ବିହ୍ୱଳ ହୁଏ । ଅନନ୍ତଙ୍କ ଗଳ୍ପସମ୍ଭାର ମୋତେ ସେହିପରି ଆହ୍ଲାଦିତ କଲା । ଅନନ୍ତ ଆଉ କ’ଣ କରିଛନ୍ତି କି ? ଜୀବନ- ସରାଗର ଜୟଗାନ ହିଁ କରିଛନ୍ତି ତ ! ଯଦିଓ ଏକାକୀ ।

‘ଚଢ଼ା ଉତ୍ତରା’ର ଆଠଟି ଗଳ୍ପ ହେଉଛି-

ମର୍ଡ଼ରର

ଫେରିଆ

ଚଢ଼ା ଉତ୍ତରା, ସଂଗ୍ରାମ

ଗପ ନୁହେଁ ଆଦୌ

ବିଡ଼ମ୍ବନା

ଘେଡ଼ ବାଗୁଡ଼ୁ ଗୁଡ଼ୁ

ଏ ମନ ପାଞ୍ଚେ ନାହିଁ ଯାହା ।

 

ଏହି ଗଳ୍ପଗୁଡ଼ିକ ୧୯୩୬ରୁ ୧୯୬୭ ମଧ୍ୟରେ ଭିନ୍ନ ଭିନ୍ନ ପତ୍ରିକାରେ ଯଥା : ଆଧୁନିକ, ଉତ୍କଳସାହିତ୍ୟ, ଝଙ୍କାର, କୋଟିକଣ୍ଠ, ମୌସୁମୀ ଆଦିରେ ପ୍ରକାଶିତ ହୋଇଛି । ଲେଖକ ନିଜେ ହିଁ କହିଛନ୍ତି : ଏଗୁଡ଼ିକ ଗଳ୍ପ, କି କାହାଣୀ, କି ଗଦ୍ୟଗାଥା, କି କିଛି ନୁହେଁ, ପ୍ରଗଳ୍‍ଭର ଏକ ଭ୍ରମ-ଏହା -ସହୃଦୟ ବା ନିଷ୍କରୁଣ ସମାଲୋଚକର ବିଚାର୍ଯ୍ୟ ।

 

ଅନନ୍ତଙ୍କ ଗଳ୍ପ ଚିରାଚରିତ ଗଳ୍ପ ବା କାହାଣୀ ରଚନାର ଗୁଳାରେ ପଡ଼େ ନାହିଁ । ଗଳ୍ପଗୁଡ଼ିକ ଏଭଳି ଭାବରେ ଲିଖିତ ଯେପରି ନିଜେ ଲେଖକ ସେଗୁଡ଼ିକୁ ଭୋଗୁଛନ୍ତି ଅବା ନିଜସାଥିରେ ନିଜେ କଥା ହେଉଛନ୍ତି । ଏଇ ଭୋଗିବା ଭିତରେ କେତେକେତେ ଭାବନା ଆପେ ମନ ଭିତରକୁ ଆସିଯାଏନି କି ? ଯାହା ଲେଖକଙ୍କର ହୋଇଛି ବା ଗଳ୍ପନାୟକର, ସେଇ ସମାନ ଅବସ୍ଥା ପାଠକମାନଙ୍କର ବି ।

 

କଲିକତାର ବଦନାମ ଗଳିରେ ଅଜିତ ଭେଟେ ନଟବରକୁ, ଅଜିତ ଗଳ୍ପର ନାୟକ, ନଟବର ହତ୍ୟାକାରୀ, ଉଭୟେ ଥିଲେ ଜେଲ୍‌ରେ, ଜଣେ ଦେଶର ସ୍ୱାଧୀନତା ପାଇ ଆଇନଭଙ୍ଗ କରି, ଆଉ ଜଣେ ନାରୀ ମାଂସ ଲୋଭୀ ମହନ୍ତକୁ ହତ୍ୟା କରି, ସ୍ଵାଧୀନତା ସଂଗ୍ରାମୀ ଜେଲ୍‌ ବାହାରକୁ ଆସି କଣ୍ଟ୍ରାକ୍ଟରୀ କରେ, କେତେ ନାରୀଙ୍କୁ ଘରୁ ଆଣି ଘାଟରେ ବସାଏ, ଆଉ ହତ୍ୟାକାରୀଟି ଘାଟ- ନାରୀଙ୍କୁ ଘରକୁ ଆଣ ସମ୍ଭାଳେ ।

 

ସ୍ଵାଭାବିକ ପ୍ରଶ୍ନ ମନକୁ ଆସେ - କିଏ ଏଠି ମର୍ଡ଼ରର ବା କିଏ ଏଠି ମର୍ଡ଼ରଡ଼ ? କିଏ ସ୍ଵାଧୀନତାର ଜୟଗାନ କରେ ବା କିଏ ପରାଧୀନ ? ଆମେ ସମସ୍ତେ ତ ରହିଚେ ଜେଲ୍‌ରେ, ହିଁ ତାହା ହିଁ ଠିକ୍‌, ଆମେ ସମସ୍ତେ କାରାରୁଦ୍ଧ ଏତିକି ତଫାତ, କେଉଁ କାରାଗାରରେ ଝର୍କା ନାହିଁ, ଆଉ କେଉଁ କାରାଗାରରେ ଝର୍କା ଅଛି ।

 

ଦ୍ୱିତୀୟ ଜୀବନଯନ୍ତ୍ରଣା : ନାରୀକୁ ଭୋଗଡ଼ାଲା ପରି ସଜେଇ ଦେବାକୁ ଆମ ସମାଜରେ କେବେ ଲୋକଙ୍କ ଅଭାବ ଥାଏ କି ? ଏବେ ବି ନାହିଁ, ଆଉ ସେଇ ଭୋଗ ଡାଲାକୁ ନୈବେଦ୍ୟରୂପେ ଚଳୁ କରିବାକୁ ନର-ରୂପୀ ଦେବତା ବୋଲାଇ ହେବା ଲୋକଙ୍କ ଅଭାବ ବି କେବେ ଥିଲା ? ଏବକୁ ତ ମହନ୍ତ ସାଉକୀର, ଜମିଦାର ମିଶ୍ରଣରେ ଧନୀ ଲୋକଙ୍କ ଭିତରେ ଏଭଳି ସ୍ଵନିର୍ମିତ କ୍ଷମତାଶାଳୀ ଦେବତାଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ୁଚି ।

 

ମଣିଷ ନିଜେ ସମାଜ ତିଆରି କରେ, ଗୋଷ୍ଠୀ ଗଢ଼େ । ପୁଣି ସେଇଠି ସମାଜବାଦ, ଜନମଙ୍ଗଳ ନାମରେ ଶ୍ରେଣୀ ବିଭାଜନ କରେ । ମୁଷ୍ଟିମେୟ ସମାଜଚଳାଉଥିବାମାନେ ହୁଅନ୍ତି ଶିକାରୀ ଆଉ ବାକି ସମସ୍ତେ ଶିକାର । ଏହା ହିଁ ବ୍ୟବସ୍ଥାର ନିୟମ । ଏପରି ହେବାକୁ ବାଧ୍ୟ । ଚାଲିଥାଏ ଅନବରତ ଛକା - ପନ୍‌ଝା, ଶିକାରୀ - ଶିକାର ଭିତରେ । ତାହା ହେଉ ଗଣତନ୍ତ୍ର, ରାଜତନ୍ତ୍ର, ସମାଜତନ୍ତ୍ର ବା ଯେଉଁ ତନ୍ତ୍ର ହେଉ, ଏଇ ଶିକାରୀ ଶିକାର ଖେଳରୁ କାହାର ମୁକ୍ତି ନାହଁ । ମଣିଷର ତ ଆଦୌ ନାହିଁ ।

 

ଏ ହେଲା ମାନବସଂଗ୍ରାମର ବାହ୍ୟରୂପ ।

 

ଏବେ ଆସନ୍ତୁ ଏ ସଂଗ୍ରାମର ଅନ୍ତଃରୂପଟିକୁ ଦେଖିବା ।

 

ନଟବରର ସ୍ତ୍ରୀ ହୋଇ କଲିକତାର ଗନେରିଆ - ସିଫିଲିସ୍‌ ଗଳିରେ ଯେଉଁ ଝିଅଟି ଅଛି, ଯାହାକୁ ନଟବର ପୁଅ - ମା’ ନାମରେ ଡାକେ ପୁଅ ନଥାଇବି । ଏକଦା ସେ ମହନ୍ତଙ୍କ ବିଷ୍ଣୁରୁପ କୋଳରେ ଲକ୍ଷ୍ମୀ ପ୍ରତିମା ସାଜି ବସିଥିଲା । ସେ ବଳିଆର ସ୍ତ୍ରୀ । ବଳିଆ କିଏ ? ସେ ପରା ଗଳ୍ପନାୟକ ଓ ହତ୍ୟାକାରୀର ସାଙ୍ଗ । ଯେଉଁଦିନ ନଡ଼ିଆ ବାହୁଙ୍ଗାକଟା କଟୁରୀରେ ନଟବର ଆଗ ପାହାରେ ବସାଇଦେଲା ମହନ୍ତର ବେକମୂଳରେ, ତାପରେ ଅନ୍ୟମାନଙ୍କ ପାହାର, ସେଦିନ ବଦଳିଗଲା ଲକ୍ଷ୍ମୀ ପ୍ରତିମାର ଆତ୍ମା ।

 

ଅନ୍ୟମାନଙ୍କ ପାହାରରେ ମହନ୍ତର ପ୍ରାଣ ଯାଇଥିଲା । ଓକିଲ ମିଛ ତର୍କ କଲେ : ନଟବର କୁଆଡ଼େ ବାହୁଙ୍ଗା ନ କାଟି କଟୁରୀ ପଜଉଥିଲା ! ସାକ୍ଷୀମାନେ ଲୁଚିଲେ । କିଏ କୁଆଡ଼େ ଖସିଗଲେ । ବଳିଆ କିନ୍ତୁ ସାକ୍ଷ ଦେଲା - ସେ କୁଆଡ଼େ ନିଜ ଆଖିରେ ଦେଖିଥିଲା ନଟବର ମହନ୍ତକୁ ମାରିବାର । ବାସ୍‌, ନଟବର ଗଲା ଜେଲ୍‌ ।

 

ଆଉ ଲକ୍ଷ୍ମୀ ପ୍ରତିମା ? ତାର କ’ଣ ହେଲା ? ତା ଦୁନିଆ ଏମିତି କଣ ବଦଳିଗଲା ଯେ ସେ କରି ବସିଲ ଏପରି ଏକ ଶପଥ ? ଆଗ ବାପଘରକୁ ଚାଲିଗଲା । ସେଇଠାରୁ ସେ ଘୋଷଣା କଲା, ଯେତେଦିନ ଯେତେବର୍ଷ ହେଉ ପଛେ ସେ ଅପେକ୍ଷାକରିବ ଆଉ ନଟବର ଜେଲ୍‌ରୁ ଫେରିଲେ ତାକୁ ବିବାହ କରିବ ।

 

ଏ କଣ କଲା ସେ ? କାହିଁକି ଏପରି କଲା ? କିମିତି ଭାବି ପାରିଲା ବିବାହିତ ସ୍ୱାମୀକୁ ଛାଡ଼ି ଗୋଟେ ହତ୍ୟାକାରୀକୁ ବିବାହ କରିବା କଥା ! ଆହା - ଆକାଶଟା ଯାହା ଛିଡ଼ି ନ ପଡ଼ିଲା ଏ ମାଟି ଉପରେ । ନା - ଆକାଶର ଏଠି କିଛି କରିବାର ନ ଥାଏ । ଏସବୁ ଘଟେ ବହୁ ତଳେ, ନାରୀ ମନର ସାତତାଳ ଗଭୀରତାରେ - କିଏ ତାକୁ କଳନା କରିବ ? ସେଇ ଗଭୀର ମନଟି ତ ଜାଣେ ହତ୍ୟାକାରୀ କିଏ ? କିଏ ତାକୁ ଦିନ ଦିନ ଧରି ହତ୍ୟାକରି ଚାଲିଥିଲା ।

 

କାହାକୁ ସେ ଦୋଷୀ କରିବ ? ଯଦିଏ ତାକୁ ଭୋଗଡ଼ାଲା କରି ସଜାଏ ନା ଯିଏ ନୈବେଦ୍ୟଭୋଗୀ ଭଗବାନଙ୍କୁ ଦନ୍ଥରା କଟୁରୀରେ ଚୋଟ ବସାଏ ? କିଏ ତାର କାମ୍ୟ ? କିଏ ସମାଜର ଧର୍ମରକ୍ଷକ ? କାହା ସପକ୍ଷରେ ସେ ଯିବ ? ଆଦିନାରୀ ତ ପ୍ରକୃତି କାହାକୁ ପାଳନ କରିବ-? ତାହା ହିଁ କରିଛି ଲକ୍ଷ୍ମୀ ପ୍ରତିମା ଯାହା ପ୍ରକୃତି କରିଥାନ୍ତା ।

 

ଧର୍ମ ରକ୍ଷାର୍ଥେ କେତେ ମିଛ- ସତର ଖେଳ ! ନୀତି-ନିୟମର କେତେ ତର୍ଜମା ! କେତେ କଳା-ଧଳା, ଅଦଳ- ବଦଳ ! ଏକାର୍ଯ୍ୟରେ ଓକିଲଙ୍କ ସହାୟକ ହୁଅନ୍ତି ମହନ୍ତ ବିରୋଧୀ, ମହନ୍ତର ଚାଟୁକାରଦଳ, କୀର୍ତ୍ତନିଆ ଓଗେର । ଜନତାର ନିଶାପ - ହାଃ ।

 

ଜଣେ ସାରସ୍ଵତସାଧକ ନିଜ ସମକାଳୀନ ଦୋଷତ୍ରୁଟିକୁ ଏହିପରି ଦେଖାଏ । ଗେରୁଆ ପୋଷାକ ହେଉ ବା କଳାଗାଉନ୍‌ - କାହାକୁ ସେ ଖାତିର କରେନି । ସମାଜ ଯଦି ଯଥେଷ୍ଟ ସଚେତନ ଏଇ ତି ବେଖାତିର, ବେମାଲିସ୍‌କୁ ପୁଞ୍ଜିକରି ପୋଛି ଦେଇପାରେ ଏତାଦୃଶ କଳଙ୍କର ଟୀକା ନିଜ କପାଳରୁ । ନ ହେଲେ ପଡ଼ିରହେ ଅଥର୍ବ, କାତରହୋଇ କଳଙ୍କ -କର୍ଦ୍ଦମର ସ୍ତପୀକୃତ ଆବର୍ଜନା ତଳେ । ଆଖି ବୁଜି ପଡ଼ିରହେ, ଉଠିବ ଉଠିବ ଭାବୁ ଭାବୁ ବୋହିଯାଏ କାଳ ନିରବଧି - ଶତାବ୍ଦୀ ବଦଳିଯାଏ, ଲାଗିଯାଏ ସମାଜରେ ଘୂଣ ।

 

ବରଂ ଅନନ୍ତଙ୍କୁ ଅଣଦେଖା କରିହେବ, ତାଙ୍କ ରଚନାବଳୀକୁ ଫିଙ୍ଗିଦେଇ ହେବ ଅଳିଆଗଦାରେ, କିନ୍ତୁ ପାଟି ଖୋଲିବ ଧର୍ମାଧୀଶ, ଓକିଲଙ୍କ ବିରୁଦ୍ଧରେ ! ଏତେ ଦୁଃସାହସ ! ମଣିଷର ସ୍ଵାର୍ଥ ତାହେଲେ ରକ୍ଷା କରିବ କିଏ ?

 

କଣ ଘଟିଥିଲା ସେଦିନ ? ନଟବର କହେ ଏହିପରି : ଝୁଲଣ ମେଢ଼ ଲାଗି ବତାଟାଏ ଚାଞ୍ଛୁଥିଲି ମଣ୍ଡପଠୁ ଦୂରରେ । ନା ବାବୁ, ପଜଉନଥିଲି ଦନ୍ତଡ଼ା କଟୁରୀଟା । ମିଛରେ କୋର୍ଟରେ କୁହାହେଲା ପଜଉଥଲି ବସି । ମହନ୍ତ ଆଉ ଦିଥର ଡାକିଲା, ‘‘ଆରେ ଆଳତି କାଠି ନେ ନଟିଆ, ଦେ ଭକ୍ତଙ୍କୁ ।’’ ଦୌଡ଼ିଗଲି ବାବୁ କି ଭୁତ ଲାଗିଲା ଭଳି ଦୌଡ଼ିଗଲି । ସିଧାସଳଖ କାତିଟାକୁ ବସାଇଦେଲି ମହନ୍ତର ବେକରେ.... ମଠ ଗୋଟାକଯାକ ଲୋକ ଯେମିତି ଲହଡ଼ିପରି ଭାଙ୍ଗି ପଡ଼ିଲେ । ସମସ୍ତେ ଅନ୍ଧ ହୋଇଗଲେ ଆଲୁଅରେ । ଚୋଟ ପରେ ଚୋଟ, କେଞ୍ଚା ପରେ କେଞ୍ଚା ମାରି ମାରି ମିଶି ଆସିଲେ... ଝୁଲଣ ବନ୍ଦ ହେଲା ନାହିଁ । ମହନ୍ତର ସବୁଠୁ ବିଶ୍ଵାସୀ ଖଚୁଆତକ ମହନ୍ତର ଅନ୍ତିଗୁଡ଼ାକ ବେକରେ ଗୁଡ଼ାଇ ହୋଇ ତୀଥୈ ତୀଥୈ ନାଚିଗଲେ । ଅନ୍ତରଙ୍ଗମାନେ ହିଁ ଟିଣକୁ ଟିଣ କିରୋସିନି ଢାଳି ଲାସକୁ ପୋଡ଼ି ପାଉଁଶ କରିଦେଲେ ସେଇଠି ବାବୁ, ଅଗଣାରେ । xxx ବଳିଆ କଣ କହିଲା ଜାଣିଚ ବାବୁ । କହିଲା - ନଟମାରିଚି ମହନ୍ତକୁ । ମଣିଷ ଯାହା ପାଇଁ ଲଢ଼େ, ତାହାରି ହାତରେ ସଢ଼େ ।’’

 

ପଦପଦକରେ କଥାର ଚାବୁକ । ଦନ୍ଥଡ଼ା କଟୁରୀଟା ଥିଲା ଯାଏଁ ଥିଲା ଦ୍ୱନ୍ଦ୍ୱ- କିମିତି ଏ ମନ୍ଦର ମୁକାବିଲା କରିବ ମଣିଷ, ଗୋଟେ ଛାର ଟହଲିଆ । କିନ୍ତୁ ବିବେକର ଭୂତ ଲାଗିଗଲେ ଦ୍ୱନ୍ଦ୍ୱର ସମାଧାନ ହୋଇଯାଏ । ଅନ୍ତତଃ ଛାର ଲୋକଟା ପାଇଁ । ହେଲେ ସମସ୍ତେ ଯେ ଅନ୍ଧ ହୋଇଗଲେ ଆଲୁଅରେ । ଏ ଆଲୁଅ ଆସିଲା କୋଉଠୁ ? ଅଧର୍ମର ମୃତ୍ୟୁରୁ ? ତଥାପି ସମସ୍ତେ ଅନ୍ଧ, ମହନ୍ତର ଅନ୍ତି ବେକରେ ଗୁଡ଼ାଇ ତୀଥୈ ନାଚିବାର ମାନେ କ’ଣ ? ଗୋଟେ ମହନ୍ତ ମରେ,. ଶହେ ମହନ୍ତ ଜନ୍ମ ନିଅନ୍ତି, ପଶୁତ୍ୱରୁ ପଶୁତ୍ୱକୁ ଯାହା କରିଚାର ଦୁର୍ଭାଗ୍ୟ ଧରି ଆସିଥାନ୍ତି କେତେ, ଆଲୋକ ବି ଆଲୋକିତ କରିପାରେ ନାହିଁ ସେମାନଙ୍କୁ । ଆଲୋକର ମଣିଷ ଲଢ଼େ ହେଲେ ଯାହା ପାଇଁ ତାହାରି ହାତରେ ସହେ । ଇତିହାସ ଏହାର ସାକ୍ଷୀ ।

 

ହେଲେ ଓକିଲ ଆଉ ଧର୍ମାଧୀଶଙ୍କ ବିରୁଦ୍ଧରେ କାହିଁକି ଏ ଉଚ୍ଚାରଣ ଅନନ୍ତଙ୍କର ? ବିଶ୍ଵର ଶ୍ରେଷ୍ଠ ଜନନାୟକ, ସତ୍ୟର ପୁଜାରୀ ଗାନ୍ଧିଜୀଙ୍କ ପଟ୍ଟଶିଷ୍ୟ ଅନନ୍ତ । ଖଦଡ଼ ପରିଧାନରେ ବିଶ୍ୱାସୀ, ସ୍ଵରାଜରେ ବିଶ୍ୱାସୀ, ସତ୍ୟାଗ୍ରହରେ ଆଗ୍ରହୀ ଅନନ୍ତ ବାହାରେ ଗୁଡ଼ାଏ ଦେଖେଇ ହୋଇନାହାନ୍ତି, ଲେଖନୀରେ ପ୍ରକାଶ କରିଛନ୍ତି । ସେହି ଯୋଗଜନ୍ମା ମହାତ୍ମାଜୀ ହିନ୍ଦ ସ୍ଵରାଜରେ ଲେଖିଛନ୍ତି -‘‘ଲୋକେ ଓକିଲ ପେସାକୁ ଆସନ୍ତି, ଅସହାୟକୁ ତାର ଅସହାୟ ଅବସ୍ଥାରୁ ଉଦ୍ଧାର କରିବାକୁ ନୁହେଁ, ବରଂ ନିଜକୁ ଧନୀ କରିବାକୁ ସେମାନେ ଭାରି ଖୁସି ହୋଇଯାଆନ୍ତି ଯେତେବେଳେ ଲୋକେ ବାଦାନୁବାଦ ଭିତରେ ପଡ଼ିଯାଆନ୍ତି । ନିକୃଷ୍ଟ ଓକିଲମାନେ ସେଗୁଡ଼ିକୁ ମିଛ-ସତ ଯୋଡ଼ି ତିଆରି କରିଥାନ୍ତି । ଅସଂଖ୍ୟ ଜୋକପରି ଗରିବର ରକ୍ତ ଶୋଷଣ କରନ୍ତି ।’’

 

ଫରାସୀ ଲେଖକ ଭଲଟେୟାର ତାଙ୍କ ‘‘କାଣ୍ଡିଡ଼’ ପୁସ୍ତକରେ ଏକ ଧର୍ମପ୍ରତିଷ୍ଠାନର କର୍ମଚାରୀ ଯୁବକ ଜିରୋଫ୍ଳି ମୁଖରେ କହିଛନ୍ତି : ‘‘ମୁଁ ସବୁବେଳେ ମୋ ଆତ୍ମାଦେଇ ଭାବେ, ସବୁ ଧର୍ମାନୁଷ୍ଠାନର ଯେତେକ ନାଟୁଆ ସବୁ ପୃଥିବୀରୁ ବିଲୁପ୍ତ ହୋଇ ସମୁଦ୍ରତଳେ ପୋତି ହୋଇ ଯାଆନ୍ତେ କି ! ହଜାର ଥର ମୁଁ ମନରେ ଭାବିଛି ସବୁ ଧର୍ମାନୁଷ୍ଠାନରେ ଗୋଟିଏ ରାତିରେ ନିଆଁ ଲଗାଇ ମୁଁ ବିପ୍ଳବୀ ହୋଇଯାଆନ୍ତି ।’’

 

‘‘ଯାହା ସତ୍ୟ ତାହାକୁ ଆବିଷ୍କାର କରିବା ପାଇଁ ଦୁଇଜଣ ଦରକାର : ଜଣେ ଏହାକୁ ଉଚ୍ଚାରଣ କରିବେ ଆଉ ଜଣେ ଏହାକୁ ବୁଝିବେ ।’’ ଖଲିଲ ଜୀବ୍ରାନ ।

 

ମୋହନଦାସଙ୍କ ସ୍ଵରାଜବାର୍ତ୍ତା ଶୁଣି ଆମେ ସ୍ଵରାଜ ଲାଭକଲୁ ।

 

ଦୁଇଶହ ବର୍ଷ ତଳେ ଭଲ୍‌ଟେୟାରଙ୍କ କଥା ଲୋକେ ଶୁଣିଥିଲେ ବୋଲି ଫରାସୀ ବିପ୍ଳବ ସଂଘଟିତ ହୋଇଥିଲା ।

 

ଅନନ୍ତଙ୍କ ଉଚ୍ଚାରଣ ଏହି ମହାମାନବମାନଙ୍କ ଉଚ୍ଚାରଣ ସହ ସମତାଳରେ ଉଚ୍ଚାରିତ ହୋଇଛି । ଆମେ କିନ୍ତୁ ଅନନ୍ତଙ୍କର ଏହି ଅନନ୍ତ ସତ୍ୟକୁ ଶୁଣି ନ ଶୁଣିଲା ପରି ରହିଛେ । ଆମକୁ ଆମରି ଭାଷାରେ ସତ୍ୟ ଉପଲବ୍ଧ କରାଇବା ପାଇଁ ତ ଲେଖକ ପ୍ରୟୋଗ କରିଛନ୍ତି ନୂତନ ଆଙ୍ଗିକ, ସମ୍ୱିତବାହୀ ତତ୍ତ୍ୱ ପ୍ରକାଶ ଯେତିକି ଅପ୍ରକାଶ ତହିଁରୁ କେତେଗୁଣ । ଆଖିକୁ ଦେଖାଯାଏ ଯାହା, ଦୃଷ୍ଟି ଆଢ଼ୁଆଳରେ ରହିଯାଏ ତାଠାରୁ ଅଧିକ । ଆସନ୍ତୁ ଦେଖିବା, ମଣିଷର ସଂକଟରେ ପଡ଼ିଥିବା ଅସ୍ତିତ୍ୱକୁ କେମିତି ଲେଖକ ଧରିପାରିଛନ୍ତି ଆଉ ଆମ ଆଗରେ ଥୋଇଛନ୍ତି । ମାନବର ଚିରନ୍ତନ ସମସ୍ୟା - ଅସ୍ତିତ୍ୱ ଉପରେ ବିପଦ ।

 

‘‘ଓ, ଦିଶୁ ନାହିଁ ନା କ’ଣ ?’’ ବିରକ୍ତି ଆଉ କାତରତାରେ କେମିତି କହିପକାଇ ହଠାତ୍‌ ତରଳିଯାଇ ଛିଡ଼ା ହୋଇଗଲା ଅଜିତ । ଛିଡ଼ା ହୋଇଗଲା ମୁହୂର୍ତ୍ତକପାଇଁ, ତାପରେ ଧାଇଁଲା, ଧାଇଁଥିଲା ଯେମିତି ଅଣନିଃସ୍ୱାସୀ ହୋଇ ଦେହ ମୁହଁର ନିବିଡ଼ ଜଙ୍ଗଲ ମଧ୍ୟରେ xxx ଖାଲି ଗୁମୁରି ହେଲା ଯେମିତି ସାଙ୍ଗେ ସାଙ୍ଗେ କେଉଁ ଆଖିରେ କେଞ୍ଚା ଖାଇ, କାହା ଓଠରେ ଆଞ୍ଚୁଡ଼ି ହୋଇ, କାହା ଡେଣାରେ ପିଟି ହୋଇ ଅଥୟ ଭାବରେ ଠେଲି ହୋଇ... ଚାଲିଚି ।’’ (ମର୍ଡ଼ରର)

 

ଏସବୁ ଗୋଟିଏ ନାୟକର, ସମାଜର ଏକ ଜଣାଶୁଣା, ସ୍ଥିତିବାନ ଲୋକର ବକ୍ତବ୍ୟ, ବିରକ୍ତି ଆଉ କାତରତାରେ ବାରମ୍ବାର ତରଳି ଯେ ଠିଆ ହେଉଛି, ବସୁଚି, ଧାଉଛି । କାହିଁକି ? ଏଇ କଣ ମଣିଷର ଭାଗ୍ୟ ? ନା ମଣିଷ ନିଜ ଉପରକୁ ନିଜେ ଡାକିଆଣିଚି ଏ ଭାଗ୍ୟକୁ ? ଦେହ ମୁହଁ ଲାଗୁଚି ତାକୁ ନିବିଡ଼ ଜଙ୍ଗଲପରି ଆଉ ସେ ଅଣନିଃଶ୍ଵାସୀ ହୋଇ ଧାଉଛି ଏପରି କାହିଁକି ଘଟୁଛି ? ଆସ୍ଥାର ଅଭାବ ? ଆଧୁନିକ ମଣିଷ ଏତେ କୃତ୍ରିମ, ଏତେ ଅସତ୍ୟ ହୋଇଯାଇଛି ଯେ ନିଜ ଉପରେ ଭରସା କରିପାରୁନାହୁଁ । ଭୟର ଜାଲରେ ସେ ଛନ୍ଦି ହୋଇଯାଇଛି । ନିଜ ଦେହ ବି ତା ମନର ଆଶ୍ରୟସ୍ଥଳୀ ହୋଇ ରହି ନାହିଁ । ଅସ୍ତିତ୍ଵ ତାର କାହଁ ? ଅସ୍ଥିର ଅଥୟ, ଠେଲି ହୋଇ ଚାଲିଚି ସେ ପିତୁଳାଟି ପରି ।

 

ଏଥିରୁ ଉଦ୍ଧାର ପାଇବାକୁ ସେ କରେ କ’ଣ ? ଆଉ ଗୋଟିଏ ଉଦ୍ଧୃତି : ‘‘ଆରେ, ଏ କ’ଣ ହେଉଛି, ପଚାଶକ୍ୟାଣ୍ଡଲ ପାୱାର ବଲ୍‌ବଟା ଫାଟିଗଲା ଯେ ! ସେଦିନତ ଏମିତି ଗୋଟିଏ ବଖୁରିରେ କି ବାହୁନା ସେ ଝିଅଟାର -କ’ଣ ତାର ନାଆଁଟି । ମନେ ନାହିଁ ? କ’ଣ ମିଳିବ ତା ନାଆଁରୁ : ରକ୍ଷାକର, ରକ୍ଷାକର ମତେ ମର୍ଡ଼ରର୍‌ ହାତରୁ । ତମର ହେବି, ତମକୁ ସବୁ ଦେବି । ହଁ ହଁ, ସବୁ ଦେବି ମୋର, ଆଉ ତୋ ପାଇଁ ଭିଖାରୀ ହେବି, ବାବାଜୀ ହେବି,’ ତୁ କ’ଣ ଦେଇନୁ ସେତେବେଳେ ସେଇ ମୁହୂର୍ତ୍ତରେ ଯାହା ଥିଲା ତୋର ହୃଦୟରେ, ଯାହା ଥିଲା ପକେଟରେ, ଅଣ୍ଟିରେ ଦେଇନୁ ? ଠିକ ସେଇ ଶସ୍ତା ଅତରର ମହକ ଯେ xxx ରୁଣୁଝୁଣୁ ଆବାଜ ହେଲା କେଉଁଠି ? କାହିଁ କିଏ ?

 

ପୁଣି ନିଜକୁ ନିଜେ ସେ ଭେଟେ କେଉଁ ଝିଅର ବାହୁନା ଭିତରେ । ବାହୁନା ଭିତରୁ ଶକ୍ତି ମିଳେକି ? ବୋଧହୁଏ । ଝିଅର ନାଁ ମନେ ନାହିଁ । ଆସ୍ଥା ଫେରିପାଇବାର ଚେଷ୍ଟାରେ ନାମ ଦରକାର ହୁଏନା । ଅନାମିକା ଡାକିପାର । ଏଇ କ’ଣ ସେହି କାତର ଲୋକଟା ? ନାଁ ତାର ଦ୍ଵୈତ ବ୍ୟକ୍ତିତ୍ଵ ? ଅନାମିକା ପାଇଁ ଭିଖାରୀ ହେବାକୁ, ବାବାଜୀ ହେବାକୁ ପ୍ରସ୍ତୁତ ଏ ଲୋକର ମନରେ ବର୍ତ୍ତମାନ ଭରସା ପ୍ରଚୁର । ଏ ଭରସା ନିଜ ଯୋଗୁ ନା ପକେଟରେ ଥିବା ଖଡ଼ ଖଡ଼ ନୋଟବିଡ଼ା ଯୋଗୁ ? ଏଠାରେ ନାୟକ ଖୋଜେ ତାର ହଜିଥିୁବା ଅଂଶକ, ହରାଇଥିବା ବିଶ୍ୱାସକୁ, ହେଉ ପଛେ ନୋଟ ବଦଳରେ, ଶସ୍ତା ଅତରର ମହକରେ ମୁଗ୍ଧ ହୋଇପାରେ ତାର ଦ୍ଵୈତସଭା । ନିଜଠୁ ନିଜକୁ ଅଲଗା କରି ଦେଖାଇବାର ଏ ପ୍ରୟାସ ବ୍ୟକ୍ତିତ୍ୱକୁ ଭାଙ୍ଗି ଗଢ଼ିବା ପୁଣି ଭାଙ୍ଗିବା ଭଳି ଗୋଟେ ଗୁରୁତ୍ୱପୂର୍ଣ୍ଣ କାମ -deconstruction of personality ଏହାରି ଜରିଆରେ ମଣିଷ ପଣିଆର କ୍ରମାଗତ କ୍ଷୟ, କ୍ଷୟକୁ ନିଜେ ଅବଲୋକନ କରିବା, ଅବଲୋକନ କରି ଦୁଃଖୀ ହେବା ଆଉ ଆଗାମୀ ଧ୍ଵଂସର ଛବି ଆଙ୍କିବା ପାଇଁ ଅନନ୍ତଙ୍କର ନୂତନ ଆଙ୍ଗିକଶୈଳୀ ସହାୟକ ହୋଇନାହିଁ କି ?

 

ଆଉ ଗୋଟିଏ ଶେଷ ଉଦାହରଣ ଦେଖନ୍ତୁ : ଆଙ୍ଗୁଳି ନୁହେଁ ତ କନିଅର କଢ଼ି । ସତେ କେଉଁ ପଲ୍ଲୀର ତୁଠଠାରୁ, କେଉଁ ବାରିର ବାଡ଼ିରୁ ସଜତୋଳା ହସ ଟିକେ, ଚାଲାଣ ହୋଇ ଆସିଛି ଚାଙ୍ଗୁଡ଼ିରେ ଧୋବଫରଫର ଶାଢ଼ୀ ଆଢୁଆଳରେ ।

 

ଏ ହେଲା ସଂପୂର୍ଣ୍ଣ ଧ୍ୱଂସ ଛବି । ପଲ୍ଲୀତୁଠରୁ ସଜତୋଳୀ ହସ ଚାଲାଣ ହେବାର ଭୟଙ୍କର ସ୍ଥିତି, ଯେତେ ଭୟଙ୍କର ହେଲେ ବି, ସଭା ସଂକଟାପନ୍ନ ହେଲାପରର ଏକ ସ୍ଵାଭାବିକ ଘଟଣା । କେବଳ ବ୍ୟକ୍ତିର ନୁହେଁ, ସମାଜର ସତ୍ତା ଯେତେବେଳେ ହୋଇଯାଏ ଧୂଳିସାତ୍‌ ସେତେବେଳେ ବାଡ଼ିରୁ ତୋଳା ସଜହସ ଚାଲାଣ ହୁଏ ଯୋଜନାବଦ୍ଧ ଭାବରେ, ସମସ୍ତଙ୍କ ସ୍ଵୀକୃତିରେ, ଗୋଟେ ଅଲିଖିତ ନିୟମରେ । ମଣିଷ ଏବେ ନିଜ ଛାଇକୁ ବି ଡରେ, ନିଜକୁ ଅଲଗା କରିନିଏ ସବୁରିଠାରୁ, ଅଧଃପତନର ଏ ପର୍ଯ୍ୟାୟରେ ନିଜ ଅଧଃପତନରେ ଗୌରବାନ୍ୱିତ ହେବାକୁ-। ମର୍ଯ୍ୟାଦାହୀନତାକୁ ମର୍ଯ୍ୟାଦାବନ୍ତ କହି ଚାଲାଣ ଚାଙ୍ଗୁଡ଼ିରେ ଅଂଗୁଳିକୁ କନିଅର କଢ଼ି କହିବାର ପ୍ରତାରିତ କଳା ସେ ହାସଲ କରିନିଏ । ଜୀର୍ଣ୍ଣ କାମନା ଭିତରୁ ନିଜକୁ ପୂର୍ଣ୍ଣରୁପେ ପାଇବାର ଏ ବିଫଳ ପ୍ରୟାସବୁ ଯାହା ସେ ପାଏ ତାହା ଖଣ୍ଡିତ ଅବୟବ ମାତ୍ର - ଗୋଟେ କଳଙ୍କିଲଗା କଟାକ୍ଷ ବା ପଦ୍ମପାଖୁଡ଼ାର ପାପୁଲିଟିଏ ।

 

ଏଠି ଯୁଗଯୁଗର ସେଇ ଅନୁତ୍ତରିତ ପ୍ରଶ୍ନ ପୁଣି ଉଙ୍କି ମାରେ : ସ୍ଥୂଳ ଚେତନାର ପାର୍ଥିବ ଚପଳତା ଆଣେ ଯେଉଁ ଧ୍ଵଂସଲୀଳା ତା ସାମ୍ନାରେ ମୁହାଁମୁହିଁ ହେବାର ଦୁର୍ଯୋଗ ଭୋଗିବାର ସାହସ ମଣିଷ କଣ ଠୁଳ କରିପାରିଚି ନିଜ ଭିତରେ ? ଭଙ୍ଗୁର, ଅଳୀକ ଜାଣି ମଧ୍ୟ ନିଜ ଦଦରାନାବରେ ସେ କୁରାଢ଼ୀ ମାରେ କାହିଁକି ? ଏଇ କ’ଣ ଆମର ଫମ୍ପା ମଣିଷ ଯାହାର କପାଳରେ ଲେଖା ହୋଇଛି ଭୟଙ୍କରରୁ ଭୟଙ୍କରକୁ ଯିବାର ଭାଗ୍ୟ ?

 

ମହାତ୍ମାଗାନ୍ଧିଙ୍କ ପଟ୍ଟଶିଷ୍ୟ ରୂପେ ଅନନ୍ତଙ୍କୁ ପୂର୍ବରୁ ଉଲ୍ଲେଖ କରିଥିଲି । କେତେ ନାସିକା, ଭ୍ରୂଲତା କୁଞ୍ଚିତ ହୋଇଗଲା । କିନ୍ତୁ ଏହା ହିଁ ଠିକ୍‌ । ପରାଧୀନତାର ବେଡ଼ି କେମିତି କାଟେ, କେମିତି ଅନ୍ତର କମ୍ପେ ପର ଆଦେଶରେ ନିଜ ଗାଁ ଜାଳିଦେଲାବେଳେ, କେତେ ସ୍ଵାଦ ଥାଏ ପରକାଳରେ ତିଆରି ଧଳା ଲୁଣରେ, ସେକଥା ସେଇ ଜାଣେ ଯିଏ ନିଜ ମାଟିରେ ପରତନ୍ତ୍ର ବ୍ୟବସ୍ଥାର ଅଂଶଟିଏ ହୋଇ ଘାଣ୍ଟି ହେଉଥାଏ । ଆଜି ତାଙ୍କ ମନକଥା ତାଙ୍କରି ମୁହିଁରୁ ଶୁଣିବାର ସୁଯୋଗ ଆମ ପାଖରେ ନାହିଁ, କିନ୍ତୁ ଅଛି ବି । ଅଛି ତାଙ୍କର ‘ଚଢ଼ାଉତ୍ତରା’ ଗଳ୍ପ ।

 

ପରାଧୀନ ଗୋଟିଏ ଦେଶର କଥା । ଦେଶସାରା ଭର୍ତ୍ତି ମିଲିଟାରୀ ବୀରାକ୍ସ । ଇଂରେଜଙ୍କ ତିଆରି ବୀରାକ୍ସ । ବୀରାକ୍ସରେ ରହୁଥିବା ଲୋକେ କିନ୍ତୁ ଦେଶୀ । ସେମାନଙ୍କୁ ବି ଚଇତାଳି ଲାଗେ ଚଗଲି ପରି, ମନ ଉଡ଼େଇ ବୋହିନିଏ ଦୁଉ ହୁଉ ହୋଇ, ଶୁଲମୋହର ଗଛରେ ଝୁଲି ଝୁଲି ଦୋହଲେ ସେଇ ଚଗଲି ଗଭାଗୁଡ଼ିକ, ହଳଦୀ ଗୁରୁଗୁରୁ ଫୁଲର ପେନ୍ଥା ଗୁଡ଼ାକ ।

 

ବୀରାକ୍ସରେ ରହୁଥିବା ହାବଲଦାର, କନେଷ୍ଟବଳଙ୍କ ମନ ଉପରେ କେତେ ପ୍ରକାର ଚାପ-। ଡିଉଟିରେ ଖିଲାପ କଲେ ପିଟୁଣି, ପରିବାର କାହିଁ କେତେ ଦୂରରେ, ମାଆ ପାଇଁ ଖାଦ୍ୟ ଖଣ୍ଡେ କି ଝିଅ ପାଇଁ ଖେଳଣାଟିଏ କିଣିନେବାକୁ ବିତିଯାଏ ବର୍ଷେ, ଏଣେ ସାଙ୍ଗମାନଙ୍କ ବିକଳ ବ୍ୟଭିଚାର ଦୁଇଟା ବାଦୁଡ଼ୀ ବଦଳରେ ଗୋଟାଏ ଶୁଆ କି ହଳଦୀବସନ୍ତ ହାତରେ ଧରିବାର ହିସାବ, ପୁଣି ଗାଁ ଭିତରେ ପଶି ବିଲାତି ସର୍ଜେଣ୍ଟ ମେଜର୍‌ର ‘ଫାୟାର’ ହୁକୁମରେ ଗାଁ ଗଣ୍ଡା ଜାଳିଦେବା ! ସେତିକିରେ ବି ସନ୍ତୁଷ୍ଟ ନୁହନ୍ତି ମେଜର୍‌ । ପୁଣି ଆଦେଶ ଦିଅନ୍ତି, ‘‘ସାବାଡ଼ କର ସଇତାନଗୁଡ଼ାଙ୍କୁ, ବିଦ୍ରୋହୀଙ୍କୁ, ବ୍ରିଟିଶ ସରକାରଙ୍କୁ ନିପାତ କରିବେ ଭାବିଛନ୍ତି ନା ? ଯାଅ, ଚଢ଼ିଯାଅ, ଚଢ଼ିଯାଅ, ଏଇ ଝିଅ ଭୁଆସୁଣୀଙ୍କ ଉପରେ ।

 

ସେନାଙ୍କର ଦେହଟା ତ ଭୋକରେ, ମନଟା ତ ଭୋକରେ । ଦାଉଦାଉ ହୋଇ ଗାଁ ଜଳେ ନିଆଁରେ । ବିଲାତି ସର୍ଜେଣ୍ଟ ପାଟିକରେ ଆସ, ‘ଶରଣ ପଶ ।’ ଛୁଟି ଆସେ ଛୋଟ ଝିଅଟିଏ କେଉଁଠୁ, ବଣର ହରିଣରୁ ଗୋଟିଏ ଯେମିତି.... ପଛେ ପଛେ ମାଆ ତାର, ଜଳନୋ ନିଆଁରେ ତାର ଭୟାତୁରିଆ ମୁହିଁଟା କେମିତି ଡହକୁଥାଏ ସତେ, ସୁନା ଖଣ୍ଡେ କି !

 

ଚଡ଼ଚଡ଼ ହୋଇ ଫୁଟେ ଗାଁଆଟା, ମାଆ ଦେହରେ ଲୁଗା ନ ଥାଏ, ଥିଲେ ଥିବ ଅଣ୍ଟା ପାଖରେ - ଶିକୁଳିରୁ ଫିଟି ଭୋକିଲା ପଶୁ ପରି କୁଦାମାରି ଯାଇ ମାଡ଼ି ବସନ୍ତି ମାଇପିଟିକୁ ।

 

ଆଉ ଝିଅଟା ?

 

ଝିଅଟା ତ କଢ଼ିଟାଏ, ପଚାରେ କିଏ ରେ ? ଫୁଲଟାଏ ତୋଳିଲାବେଳେ ଗୋଟାଏ ଦୁଇଟା କଢ଼ି ମକଚି ହୋଇଗଲେ; କିଏ କେବେ ଚାହେଁ ଭଲା କେଉଁଠି ? ଫେରି ଆସିଲାବେଳେ ଦେଖାଯାଏ ଝିଅଟା ପଡ଼ିଚି ଗୋଟେ ଗୋବର ଖତରେ । ସର୍ଜେଣ୍ଟଟା ତାଙ୍କୁ ଗୋଇଠା ମାରି ଫିଙ୍ଗି ଦେଇଚି ।

 

ସାଙ୍ଗମାନଙ୍କର ଏଇ ଗତକାଲି ଅନୁଭବର, ଦିଗବିଜୟର କାହାଣୀ ନୟନ ହାବଲଦାର ମଥାର ତନ୍ତୁଗୁଡ଼ିକୁ ଛିଣ୍ଡାଇଦିଏ, ସେ ଭାରସାମ୍ୟ ହରାଏ । କାହା ମୁଣ୍ଡ ବି ଠିକ୍‌ ରହିବ ? ନୟନ କହେ : ଚାକିରି କରିଚେ ବୋଲି କଣ ମୁଣ୍ଡ ବିକି ଦେଇଚେ ? ନିଜ ଲୋକଙ୍କୁ ମାରିବା ? ସେମାନେ ଆମକୁ ମାରିବାକୁ ଆସିବେ ତେଣ୍ଟା, ବର୍ଚ୍ଛା ଧରି, ନିଜେ ବାହାରି ଆସିବେ ଆମକୁ ନିପାତ କରିବାକୁ-। ସହିବୁ କେମିତି କହ ? ଆମେ କଣ ବ୍ରିଟିଶ ସରକାର, ନା ଆମେ ଚାହୁଁ ବ୍ରିଟିଶ ସରକାର ରହୁ ?

 

ସେତିକିବେଳେ ଛୋଟ ଝିଅଟିଏ ଆସେ ଗୁଲ୍‌ମୋହର ତୋଳିବାକୁ । ସେ କଣ ସୁନୀ ? ନୟନର ନିଳ ଝିଅ ? ହିଁ ତ, ଇଏ ସୁନୀ. ଗଲାଥର ଭୋଅରୁ ଭୋଅରୁ ପଳାଇ ଆସିଲା ବେଳକୁ ବାରି ବାଉଁଶ ମୂଳରେ ତାର ସେଇ କୁନି କୁନି କଅଁଳ ହାତ ଯୋଡ଼ିକରେ ବାପାର ରୁଢ଼ିଆ ଗାଲ ଦୁଇଟାକୁ ଜାବୁଡ଼ି ଧରି କହିଥିଲା, ‘‘ନା ଛାଡ଼ିବି ନାହିଁ, କାଳେ ତମେ ଆସିବ ନାଇଁ ।’’

 

ବାପ ଲାଞ୍ଚ ଯାଚିଥିଲା ହାତୀ, ଘୋଡ଼ା, କୁକୁର, ବିଲେଇ ପେଁ କାଳି ଆଣି ଫେରିବ ।

 

ଝିଅର ଏକ ଜିଦ - ‘‘ନା, ବନ୍ଧୁକଟାଏ ଆଣିଦେବ ।’’

 

‘‘କାଇଁ, ତୁ କଣ ଯୁଦ୍ଧ କରିବୁ ?’’

 

ଆଜି ସୁନୀ ଗୁଲମୋହର ତୋଳିବାକୁ ତଳୁ ଉପରକୁ ଡେଉଁଛି । ତା ହାତରେ ତ ବନ୍ଧୁକ ନାଇଁ । ନୟନ ମନରେ ଭୟ ପଶିଗଲା । ଏ ସେନାଦଳ ତାକୁ କଣ ଜୀଇବାକୁ ଦେବେ ଗୋବରଗଦାକୁ ଫିଙ୍ଗି ନ ଦେଇ ? ନା-ନା, ଉଠାଇଲା ବନ୍ଧୁକ, ଚିପିଦେଲା ଟ୍ରିଗାର,/ଗୋଟେ ପରାଧୀନ ଦେଶର ଅତ୍ୟାଚାରୀ ଶାସନ ତଳେ ଝିଅର ବାପା କିମିତି ବଞ୍ଚେ ଆତଙ୍କିତ ହୋଇ !

 

ଆମେ ଚାକିରୀ କରୁ - ଖାଇବୁ, ପିଇବୁ, ଅୟସ୍‌ରେ ରହିବୁ । ହେଲେ ବାସ୍ତବତା ? ଅୟସର ଅଜାଣତରେ ଜୀବନ ଡାକି ଆଣିଥାଏ କେତେ ମରଣ, କେତେ ଦୁର୍ବିପାକ । ଦାସତ୍ଵର ପନ୍‌ଝା ତଳେ ମରିଚାଲିଥାଏ ବିବେକ, ମରି ଚାଲିଥାଏ ମାନବିକତା, ମରି ଚାଲିଥାଏ ଜୀବନ ।

 

‘‘ଜୀବନ ତ ଗୋଟେ ଶୋଭାଯାତ୍ରା, ତାଳଦେଇ ଏହା ସାଙ୍ଗେ ଚାଲିବାକୁ ହେବ । ତୁମେ ପାଦ ଶିଥିଳ କରିଦିଅ ଦେଖିବ ଜୀବନ ଜୋର ପାଦ ପକାଇ ବାହାରିଯାଇଛି, ଆଉ ତୁମେ ଜୋର୍‌ ଦୌଡ଼ିଲେ ଦେଖିବ ଜୀବନ ଅତି ମନ୍ଥର ଗତିରେ ଚାଲି ଶୋଭାଯାତ୍ରାରୁ ବାହାରି ଯାଇଛି ।

 

Humanity is a river of light running from ex - eternity to etenity.

 

ମାନବତାର ଏ ପ୍ରବାହ ଜ୍ୟୋତିର ଅଖଣ୍ଡ ପ୍ରବାହ ତୀରରେ ଠିଆ ହୋଇଛନ୍ତି ଅନନ୍ତ, ଏବେ ବି ଝରୁଛି ହୃଦୟରୁ ମାନବୀୟ କରୁଣାର ସ୍ଵଚ୍ଛ କ୍ଷୀର ଧାର ।

 

ମାଆର ସ୍ନେହ ତ ପାଇପାରି ନଥିଲେ, ପିତା-ମାତା ଉଭୟେ ଯାଇଥିଲେ ଗୋଟିଏ ଜୂରରେ । ସେଇଥିପାଇଁ ବୋଧେ ଚାରିବର୍ଷର ଶିଶୁ ଅନନ୍ତ ପ୍ରତିଜ୍ଞା କରିଥିଲେ ମନେ ମନେ-ଏତେ ସ୍ନେହ ଦେବି, ଏତେ ସ୍ନେହ ଦେବି, ମୋ ଦେଶ ଜନନୀକୁ ଯେ ପିତା-ମାତା ଉଭୟର ଅଭାବ ପୂରଣ କରିଦେବି ।

 

ଅଦ୍ଭୁତ ମମତା ପ୍ରତିଟି ପଦରେ, ବାକ୍ୟରେ । ସେଇଥିପାଇଁ ତ ଗାନ୍ଧି ଆହ୍ୱାନରେ ବାହାରି ପଡ଼ିଥିଲେ ଅଗ୍ରଣୀ ହୋଇ ।

 

ଅନନ୍ତଙ୍କ ଜନ୍ମ ଲଗ୍ନ କାଳର ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ । ୧୯୧୨ ମସିହା ଜୁନ ୧୨ ତାରିଖ । ୧୯୧୪ରେ ଜନ୍ମନିଏ ଯୁଦ୍ଧାକ୍ରାନ୍ତ ପୃଥିବୀଟିଏ - ପ୍ରଥମ ବିଶ୍ୱଯୁଦ୍ଧ, ମଣିଷର ବିଶ୍ଵାସ ହନନର ଆରମ୍ଭ, ୧୯୧୫ରେ ଅନନ୍ତଙ୍କ ପିତୃ-ମାତୃ ବିୟୋଗ, ନିଃସଙ୍ଗ ଅନନ୍ତଙ୍କ ଯାତ୍ରାରମ୍ଭ ୧୯୧୯ରେ ପୁରୀଠାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀ ଦେଖିବାର ସୁଯୋଗ ୮ ବର୍ଷ ବୟସରେ, ୧୯୨୧ରେ ଗାନ୍ଧିଜୀଙ୍କ ସତ୍ୟାଗ୍ରହ ଆନ୍ଦୋଳନର ଆରମ୍ଭ, ୧୯୨୪-୨୫ ବେଳକୁ ପୁରୀ ଜିଲ୍ଲା ସ୍କୁଲର ଛାତ୍ର ଭାବରେ ସତ୍ୟବାଦୀ ପଞ୍ଚସଖାଙ୍କ ପ୍ରତ୍ୟକ୍ଷ ସାନିଧ୍ୟ ଲାଭ ଓ ଜାତୀୟତା ଭାବରେ ଅନୁପ୍ରାଣୀତ ଓ ୧୯୩୦ରେ କଟକ, କଲିଜିଏଟ୍‌ ସ୍କୁଲରୁ ମେଟ୍ରିକ୍‌ ପାଶ୍‌, ଯେତେବେଳେ ଲବଣ ସତ୍ୟାଗ୍ରହର ବିଦ୍ୟୁତ ଚମକ ସାରା ବିଶ୍ଵରେ । ୧୯୩୧ରେ କଲେଜଛାତ୍ର ଅବସ୍ଥାରେ ଚଣାହଟ୍ଟା ଗ୍ରାମରେ ନିଜେ ସଂଗଠିତ କରନ୍ତି କଂଗ୍ରେସ ସମ୍ମିଳନୀ - ଅନନ୍ତଙ୍କ ବୟସ ତଥାପି କୋଡ଼ିଏରୁ କମ୍‌-।

 

ଜନ୍ମ ମୁହୂର୍ତ୍ତରୁ ଯେପରି ଧରିତ୍ରୀ ସହ କେତେବାଟରେ ସମ୍ପର୍କିତ ହୋଇ ରହିବାର ପ୍ରୟାସ, ଲୋକଙ୍କ ମେଳରେ ନିଜକୁ ପ୍ରମାଣ କରିବାର ଦୃଢ଼ ଅଭିଳାଷ ବ୍ୟକ୍ତିତ୍ୱକୁ ତାଙ୍କର ପରିଚାଳିତ କରିଛି ।

 

ସେ ନିଜେ ଉଲ୍ଲେଖ କରିଛନ୍ତି - ‘‘ଭାରତର ଆକୁମାରୀ ହିମାଚଳ ପ୍ରତ୍ୟେକ ଅଞ୍ଚଳରେ ସ୍ଵାଧୀନତା ସଂଗ୍ରାମୀ, କଂଗ୍ରେସକର୍ମୀମାନଙ୍କ ମଧ୍ୟରେ, ଅନ୍ୟାନ୍ୟ ବୁଦ୍ଧିଜୀବୀ ମହଲରେ ସମାଜବାଦ ହିଁ ବିଚାରଣୀୟ ଧର୍ମ ହୋଇ ଉଠିଲା । ସେ ନିଜେ ଏହି ବିଚାର ଧାରାକୁ ଗ୍ରହଣ କରିଥିଲେ ।

 

ଜନ୍ମ ଜମିଦାର ପରିବାରରେ, ଯୌବନର ଉତ୍‌କ୍ଷିପ୍ତ କାଳରେ ପାଦ, ବାଗ୍‌ଦେବୀଙ୍କ ଆଶୀର୍ବାଦପ୍ରାପ୍ତ, ସମକାଳୀନ ଭାଷଣ, ସମ୍ବାଦପତ୍ର, ରାଜନୀତିକ ଆନ୍ଦୋଳନ ଓ ବୁଦ୍ଧିଜୀବୀ ଚିନ୍ତାଧାରାସହ ପରିଚିତି ଗଭୀର । ଏତେଗୁଡ଼ିଏ ଅନୁକୂଳତା ଯେତେବେଳେ ବାତାବରଣରେ, ଚମକପ୍ରଦ କିଛି କରି ନିର୍ବେଦ, ଜଡ଼ଜାତିର ଚୈତନ୍ୟକୁ ଚହଲାଇ ଦେବାର ଦୁର୍ବାର ଆକାଂକ୍ଷା ମନକୁ ଆସିବା ସ୍ଵାଭାବିକ । ଆଦର୍ଶର ତରଙ୍ଗ ତାଡ଼ନାରେ ସେ ହୋଇଛନ୍ତି ବିକ୍ଷୁବ୍‌ଧ ।

 

୧୯୩୪ରେ ଯେତେବେଳେ ପ୍ରକାଶିତ ହେଲା ସମାଜବାଦୀ ଆଦର୍ଶଭିତ୍ତିକ ପତ୍ରିକା - ସାରଥୀ, ସେତେବେଳେ ଏହାର ଜଣେ ମୁଖ୍ୟକର୍ମୀ ଅନନ୍ତ । ଉଦ୍ଦେଶ୍ୟ - ସାଧାରଣ ଜନତାଙ୍କୁ ସଚେତନ କରାଇବା, ନିଜ ଦାୟିତ୍ଵ ସଭିଏଁ ନିଜେ ବୁଝିବେ, ନବଯୁଗର ନୂତନ ଭାବରାଶି ଦେଶରେ କିପରି ପ୍ରଚଳିତ ହେବ, ଲୋକେ ଏହାଦ୍ୱାରା ଉଦ୍‌ବୁଦ୍ଧ ହେବେ, ନବଚିନ୍ତାଧାରାର ପୁସ୍ତକ ସହ ପାଠକ ପରିଚିତ ହେବେ । ସେତେବେଳକୁ ନିଜେ ଅନନ୍ତ ବିଶ୍ଵ ଇତିହାସ ସହ ବେଶ୍‌ ପରିଚିତ ଥାଆନ୍ତି ଆଉ ଦେଖି ପାରନ୍ତି ଯେ ଇତିହାସ କଡ଼ ଲେଉଟାଉଛି ।

 

ଏଥିପାଇଁ ତାଙ୍କୁ ବାମପନ୍ଥୀ, ଲେନିନ୍‌ବାଦୀ, ଉଗ୍ରଭାବଧାରୀ କହିବା ବା ରୁଷଦେଶର ତାସକେଣ୍ଟଠାରେ ଆଫ୍ରୋ-ଏସୀୟ କବି ସମ୍ମିଳନୀରେ କବିତା ପଢ଼ିଲେ ବୋଲି ମାର୍କସିଷ୍ଟ କହିବା କେତେଦୂର ଯୁକ୍ତିଯୁକ୍ତ ? ଏହା କଣ ତାଙ୍କ ସାମର୍ଥ୍ୟର, ଚିନ୍ତନର ଅବମୂଲ୍ୟାୟନ ନୁହେଁ ? ଅନନ୍ତଙ୍କ ଉତ୍ତୁଙ୍ଗ ଭାବାନୁସାରୀ ଭାଷାକୁ ଦେଖନ୍ତୁ । ଏହାର ପ୍ରୟୋଗକଳା ଲକ୍ଷ୍ୟ କରନ୍ତୁ । ଏହା କୌଣସି ବାଦ ବା ପନ୍ଥାରୁ ମିଳେ ନାହିଁ । କୌଣସି ମାନିଫେଷ୍ଟୋ ପଢ଼ି ଏହା ହାସଲ ହୁଏନି, ହଁ, ସ୍ପର୍ଶକାତର ହୃଦୟଟି ଏହାର ଗୁରୁ ହୋଇପାରେ ।

 

‘ଛାୟାହୀନ କାୟା’, ପରି ଏ ଭାଷା, ଧରି ବି ଧରି ହୁଏନା । ଏ ଭାଷା ସଂପୂର୍ଣ ଓଡ଼ିଆ ଭାଷା, ମନତଳର ଭାଷା, ଅନୁଭବର ଭାଷା । ଏଥିରେ ଆଡ଼ମ୍ବର ନାହିଁ, ଅଛି ବ୍ୟବହାରିକତାର ସ୍ପର୍ଶ-। ସାଧାରଣ ଆଳାପ ଅଥଚ ନିବିଡ଼ । ଏହା ହିଁ ଏହାର ପରିପାଟୀ । ଇନ୍ଦିୟାନୁଭୂତି ଦ୍ଵାରା ପରିପୁଷ୍ଟ ଏ ଭାଷା । ‘‘ଛିଣ୍ଡା ମଇଳା କନା ଗୁଡ଼େଇ ହୋଇ ଗୋଟିଏ ଯୁବତୀ, ପିଲାଟିକୁ ଦୁଧ ଦେଉଛି... ଆଉ ତା ପାଖରେ ଖଣ୍ଡେ କନାରେ ଭାତ ଆଞ୍ଜୁଳାଏ ହେବ, ଗୋଡ଼ିବାଲି ମିଶା, ପୁଳାଏ ନେଇ ପାଟିରେ ପୁରାଉଚି... ଆଉ ପିଲାଟିକୁ ଦୁଧ କଳେକଳେ ଖୁଆଉଚି । ପିଲାଟା ଶୋଇ ପଡ଼ିଚି ବୋଧହୁଏ । ସ୍ତନଟିକୁ ନିଜ ହାତରେ ଚିପିଦେଇ ମା’ ଡାକିଲା, ‘‘ଏଇ ସୁକୁଟା ନେ, କାନ୍ଦୁଚୁ କାହିଁକି ମ ? ତୋ ପାଇଁ ଟୋପାଏ କ୍ଷୀର ବାହାରିବ ବୋଲି ତ ହେଇ ଖାଉଚି ଭାତ.... ନେ ନେ... ପିଇଦେ-।’’

 

କ’ଣ ଭାତଟା ସାଙ୍ଗେ ସାଙ୍ଗେ ମାତୃକ୍ଷୀରରେ ପରିଣତ ହୁଏ -? ଭାତ ଖାଉଥିବ, ଏଣେ ସେଇ ଭାତ କ୍ଷୀର ହୋଇ ଶିଶୁ ମୁଖରେ ଝରି ପଡ଼ୁଥିବ ?’’ ଏ ଭାଷାରେ କଳ୍ପନାପ୍ରବଣତା ଆଦୌ ନାହିଁ, ଅଛି ଭାଗ୍ୟର ବିପର୍ଯ୍ୟୟକୁ ସମଦର୍ଶୀ ଦୃଷ୍ଟିରେ ଦେଖିବାର ଗୋଟିଏ କଳା । ଭାଗ୍ୟ ତ ବର୍ତ୍ତମାନ । ଆଉ ବର୍ତ୍ତମାନ ହିଁ ବାସ୍ତବ । ମୃତଶିଶୁକୁ କ୍ଷୀର ଖୁଆଇବାର ରଙ୍କୁଣା ବ୍ୟାକୁଳତା....‘‘ସେ କ୍ଷୀର ଖାଉନି । ମୁଁ କ୍ଷୀର କାହାକୁ ଖୁଆଇବି ? ମୋ କ୍ଷୀର ଫାଟି ପଡ଼ୁଚି ।’’ କୋଇଲି ଲେ ଖଣ୍ଡକ୍ଷୀର ଦେବି ମୁଁ କାହାକୁ ? ଏଠାରେ ଇନ୍ଦ୍ରିୟଗ୍ରାହୀ, ଯାହା ବୁଝାଏ ଛିଣ୍ଡା ମଇଲା କନା, ଦାରିଦ୍ର୍ୟ, ଭିଖାରୁଣୀ, ଜାରଜ, ଗୋଡ଼ିବାଲି ମିଶା ଭାତ, ନାରୀର ମାଆ ହେବାର ନିଶ୍ଚିତତା ।

 

ଇନ୍ଦ୍ରିୟାତୀତ ହେଲା ମାତୃତ୍ଵ । ବାୟାଣୀଟା । କେଉଁ ପାର୍ଥିବ ଅଭିଳାଷର ତୃପ୍ତିରେ ବଳିପଡ଼ି ସେ ମାଆ ହେଲା ଜାଣେନି, କିନ୍ତୁ ମାତୃତ୍ୱକୁ ଅନୁଭବ କରେ । କ୍ଷୀର ନ ଖାଇଲେ ଶିଶୁ ମରିଯିବ, କ୍ଷୀର ଛଡ଼ା ଆଉ କିଛି ଖାଇପାରିବ ନାହିଁ । ଗୋଡ଼ିବାଲି ମିଶା ହେଉ ପଛେ, ଭାତ ମୁଠେ ଖାଇଲେ ଟୋପେ କ୍ଷୀର ପୁଅ ପାଇଯିବ ପରା ! ତଥାପି ବି ସନ୍ତାନ ମରିଯାଏ ଆଉ ମାଆର କ୍ଷୀର ଫାଟି ପଡ଼େ, ସେ ପୁଣି ହୋଇଯାଏ ବାୟାଣୀ ।

 

ବାୟାଣୀରୁ ବାୟାଣୀ ହେବାର ଏ ମଝି ସମୟ ‘କାମନାର ଯୂପକାଠରେ ବଳି’ ପଡ଼ିବାର ସମୟ ତାର । ହେଲେ କୌଣସି ବି ଯୂପକାଠ ଏତେ ଶକ୍ତିଶାଳୀ ନୁହେଁ ଛଡ଼ାଇନେବାକୁ ମାଆଠାରୁ ମାତୃତ୍ଵର ଉପଲବ୍‍ଧି । ଏ ଲେଖକ ବାମପନ୍ଥୀ ? ଦକ୍ଷିଣପନ୍ଥୀ ?

 

ମାତୃହରା ଅନନ୍ତ ଦେଖିଛନ୍ତି ସାନଭାଇକୁ ବଢ଼ିବାର ମା’ କ୍ଷୀର ନ ପାଇ । ମାଆକୁ ଚାରିବର୍ଷରେ ହରାଇ ସେ ନିଜେ ଲାଜକୁଳୀ ଲତା ପରି ମୁଜି ହୋଇ ରହିଯାଇଛନ୍ତି ସାରାଜୀବନ ମାତୃକ୍ଷୀରର ଆକର୍ଷଣରେ । ମାତୃହରାର ଏ ହୋଇପାରେ ଅବଶୋଷ, ହୋଇପାରେ ଦୁର୍ବାର ଆବେଗ । ତାଙ୍କ ଚାରିପଟେ ମାଆ କ୍ଷୀରର ଅଳ୍ପ ମିଠା ସୁଗନ୍ଧ । ସେଇ ଆବେଶରେ ସେ ତିଆରି କରିଛନ୍ତି ମନର ଆଖି ଦେଇ ଗୁଡ଼ିଏ ନାରୀମୂର୍ତ୍ତି ।

 

ମୁଁ ତ କହିବି ଅନନ୍ତ ଜଣେ ସନ୍ଥ କଳାକାର । He was a saint. ଅନନ୍ତଃ ଗଳ୍ପମାନଙ୍କରେ ତ ଏ ସନ୍ଥର ସ୍ପଷ୍ଟ ପ୍ରତିଫଳନ ସବୁଆଡ଼େ । ଦେଖନ୍ତୁ, ନାରୀ ପ୍ରତି ତାଙ୍କ ମନତଳର ଆକର୍ଷଣ, ଦୃଷ୍ଟିଭଙ୍ଗୀ, ଶିଶୁକନ୍ୟା, କିଶୋରୀ, ଯୁବତୀ, ପ୍ରୌଢ଼ା, ବୃଦ୍ଧା ସମସ୍ତେ ଆସିଛନ୍ତି ତାଙ୍କ ଗଳ୍ପମାଳାରେ । କି ଅପୂର୍ବ, ପ୍ରୀତିସ୍ନିଗ୍ଧ, ସଜଳ ସ୍ନେହ ବନ୍ଧନରେ ସେମାନଙ୍କୁ ବାନ୍ଧିଛନ୍ତି ଅନନ୍ତ ! ପୁଣି ସବୁ ବନ୍ଧନ ପଛରେ ଅଛି ଦୁଇବୁନ୍ଦା ଲୁହ !

 

ସନ୍ଥ ଜାଣନ୍ତି ନାରୀର ଛୋଟ ଛୋଟ ଦୁର୍ବଳତାକୁ କ୍ଷମା ନ କଲେ ତାର ବଡ଼ ପବିତ୍ରତାକୁ ପାଇ ହେବ ନାହିଁ । ମାଆ ଚାଲିଗଲେ ଇଚ୍ଛା କରି ସ୍ଵାମୀ ସାଥିରେ ଗୋଟିଏ ଜୂଇରେ । ଥରେ ତ ଭାବିଲେନି ପୁଅ ଦୁହିଁଙ୍କର କଣ ହେବ ! କଣ ବି ହେଲା ଜଗତ ଜାଣିଲା ନାହିଁ । ଆଖି ଆଗରେ ଯେତିକି ଆମେ ଦେଖିଚେ ସେତିକି ତ କଦାପି ସବୁ ହୋଇନଥିବ । ତେବେ ଏକଥା ସତ ଯେ ନାରୀ ମାତୃରୂପ କଳ୍ପନାର ଅନନ୍ତ ଇଚ୍ଛାରୁ ନିଜକୁ କେବେ ମୁକୁଳେଇ ପାରିନାହାନ୍ତି ଅନନ୍ତ । କଳ୍ପନାକୁ ଚିରସୁନ୍ଦର, ଚିରଭାସ୍ୱର କରି ରଖିବା ପାଇଁ ମାତାର ଏ ନିର୍ମମତାକୁ ବି ସେ କ୍ଷମା କରିଦେଇଛନ୍ତି । ମାଆ ତ ପଛରେ, ଆଗ ସେ ଯେ ନାରୀ ! ‘ଫଲଗୁ ଧାରା’ର ପ୍ଲାଟଫର୍ମ ଗଳ୍ପଟି ଏହାର ଏକ ତୁଳନୀୟ ଉଦାହରଣ, ଯଦିଓ ବିୟୋଗାନ୍ତକ ।

 

ଅନନ୍ତଙ୍କ ବିଶେଷତ୍ୱ - ସେ ନାରୀକୁ ନାରୀ ରୂପରେ ସସମ୍ମାନେ ଦେଖିଛନ୍ତି । ନାରୀ ଖେଳଣା ନୁହେଁ, ଭୋଗ୍ୟବସ୍ତୁ ସେ ହୋଇ ନ ପାରେ । ପ୍ରକୃତିର ମହାନତା ଯାହାଠାରେ ପ୍ରତିଫଳିତ, ତାକୁ ଭୋଗ୍ୟା ଭାବିଲେ ତ ସମାଜ ଭଷୁଡ଼ି ପଡ଼ିବ । ଭାଂଗିଯିବ ପରିବାର । ଶିଶୁବରଣ କରିବ ଅକାଳମୃତ୍ୟୁ ଟୋପାଏ କ୍ଷୀରର ହାହାକାର ମଧ୍ୟରେ ।

 

ଜନଷ୍ଟେନ୍‌ବକ୍‌ଙ୍କ Grapes of wrath –

ଅନନ୍ତଙ୍କ ଗଳ୍ପ ସମ୍ଭାର ମୁଖ୍ୟତଃ ନାରୀ କୈନ୍ଦ୍ରିକ । ଏମାନେ ପୁରୁଷର ପଥଦ୍ରଷ୍ଟା । ଏହି ଗଳ୍ପମାନଙ୍କରେ କୋଳାହଳ ନାହିଁ । ନାରୀ-ନାରୀ ମଧ୍ୟରେ ଶତ୍ରୁତା ବି ନାହିଁ । ବରଂ ଅଛି ବୁଝାମଣା ଆଉ ଅଛି ଆର୍ତ୍ତନାଦ, ନାରୀର ଆର୍ତ୍ତନାଦ । ବହୁଧା ବିଭକ୍ତ ବସୁଧା ପରି ନାରୀ ଚେଷ୍ଟା କରୁଛି କୋଳେଇନେବାକୁ ସନ୍ତାନକୁ, ସମାଜକୁ, ବନ୍ଧୁବାନ୍ଧବଙ୍କୁ, ସ୍ଵଜନଙ୍କୁ, ସ୍ୱାମୀଙ୍କୁ ବି । ଯେଉଁଠି ପାରୁ ନାହିଁ ସେଠି ମନମାରି ବସୁଚି, ପୁଣି ନିଜ ତୃଟି ସଜାଡ଼ି କ୍ଷମା ମାଗି ଠିଆ ହେଉଛି ଆଉ ଥରେ ସଜାଡ଼ିବାକୁ ଅସଜଡ଼ା ଘରକୁ । ଦାରିଦ୍ର୍ୟ, ଅସହାୟତା, ସମାଜର ଅସହଯୋଗ ଯେଉଁଠି ପ୍ରାଚୀର ହୋଇ ଠିଆ ହେଉଛି ସେଠାରେ ହୁଏତ ସେ ମୃତ୍ୟୁବରଣ କରୁଛି ନଚେତ ବାୟାଣୀ ହୋଇଯାଉଛି - ନିଜ ଇଚ୍ଛା ବିରୁଦ୍ଧରେ ।

 

ସଠିକ୍‌ ଆଲୋଚନା ହେଲେ ଅନନ୍ତଙ୍କୁ ଆମ ସମୟରେ ଜଣେ ଉଚ୍ଚକୋଟୀର ମାନବବାଦୀ, ବାମାବାଦୀ ଲେଖକ କୁହାଯାଇପାରିବ । ଯୁଗ ଯୁଗରୁ ସାଇତା ସମ୍ମାନ ସେ ଯେପରି ଆଞ୍ଜୁଳା ଆଞ୍ଜୁଳା କରି ଅର୍ପି ଦେଇଛନ୍ତି ନାରୀର ପାଦତଳେ । ସେମାନେ ହୋଇପାରନ୍ତି ଗୁଲ୍‌ମୋହର ତୋଳୁଥିବା କୁନିଝିଅ ସୁନୀ, ପ୍ରସବ ବେଦନାରେ କମ୍ପିତା ବୋହୂ ସୁକେଇ, ଡାକ୍ତର ପାର୍ଥଙ୍କୁ ବିବାହ ନ କରି ସାରାଜୀବନ ପ୍ରେମ ଦେଇଥିବା ଲୀଳା ବା ଅନ୍ଧାରର କମ୍ବଳତଳେ ପ୍ଲାଟଫର୍ମରେ ଜୀଉଥିବା ଚାରିସନ୍ତାନର ଜନନୀ କିମ୍ବା ପ୍ରଣୟାନୁଭୂତିର ପଙ୍କକୁ ଘାଣ୍ଟ ପଙ୍କଜ ଖୋଜୁଥିବା ଶୁଭା ।

 

ସମାଜର ଭିନ୍ନ ଭିନ୍ନ ସ୍ତରରୁ ଏମାନେ ଆସିଛନ୍ତି ସତ୍ୟ, ବାତ୍ୟା-ବତାସର ସମ୍ମୁଖୀନ ବି ହୋଇଛନ୍ତି, ହେଲେ ଅନ୍ତରତଳେ ଜଳାଇ ରଖୁଛନ୍ତି ଆସ୍ଥାର ଦୀପାଳିଟିଏ, ମାନବତା ଉପରେ ଏ ଆସ୍ଥା, ସର୍ଜନା ଉପରେ ଆସ୍ଥା । ଏ ଆସ୍ଥା ବାହାରେ ସାଗର, ମେରୁ, ଜୀବଜଗତରେ ନ ଥାଏ, ଥାଏ ମାନସଲୋକରେ । ବିଶେଷଭାବେ ନାରୀର ମାନସପଟରେ । ଈଶ୍ଵର କହି ନଥିଲେ (?) ‘‘ମୁଁ ତ ସବୁବେଳେ ସବୁଠି ରହିପାରିବିନି, ମାଆ ଭିତରେ ମୋତେ ଖୋଜିଲେ ପାଇଯିବ ।’’ ନାରୀର ସେଇ ଆସ୍ଥା ସମାଜରେ ସ୍ଥିରତା ଆଣେ, ମାନବକୁ ବିବର୍ତ୍ତନ ପଥରେ ଆଗେଇନିଏ, ଉଚ୍ଚରୁ ଉଚ୍ଚକୁ-। ଅନନ୍ତଙ୍କ ନାରୀ ଭାରସାମ୍ୟ ହରାଏ ନାହିଁ କାରଣ ପୃଥିବୀର ଭାରସାମ୍ୟ ରହୁ ତାରି ହାତରେ । କିନ୍ତୁ ଅପମାନ, ଲାଞ୍ଛନା ତାକୁ କାଟେ । ମାନ-ଅପମାନର ଡହକ ସେ ବୁଝେ । ପ୍ରତାରଣାକୁ ଘୃଣା କରେ । ସେ ସତର୍କ, ଚିନ୍ତା କରିପାରେ ଆଉ ନିରବରେ ହେଲେ ବି ସମୟ ଓ ଶତ୍ରୁର ମୁକାବିଲା କରିପାରେ ।

 

ଅନନ୍ତଙ୍କ ଭାଷାରେ ଗୋଟେ ଅଦ୍ଭୁତ ଶାଣ ଅଛି । ବିଶେଷ କରି ନାୟକ-କେନ୍ଦ୍ରିତ ଗଳ୍ପଗୁଡ଼ିକରେ ଯେଉଁଥିରେ ପୀଢ଼ି-ପୀଢ଼ିର ଅନ୍ତର୍ଯୁଦ୍ଧର କଥା କୁହାଯାଇଛି । ଏହାକୁ ଆମେ ଜେନେରେସନ୍‌ ଗ୍ୟାପ୍‌, ପୀଢ଼ି ବିଭାଜକ ଧାରଣା କହେ । ଗାଁ ଛାଡ଼ି ବିସ୍ଥାପକଙ୍କ ସହ ନଯିବାକୁ ଜିଦି ଧରି ବସିଥିବା ସୁଲଭ ପ୍ରଧାନର ଶାଣଦିଆ କଥା ଶୁଣନ୍ତୁ : ‘‘ବଢ଼ି-ମରୁଡ଼ି କି ବାଡ଼ି ବୁଢ଼ୀର ପ୍ରକୋପ ନୁହେଁ, ଭୂମିକମ୍ପରେ ନୁହେଁ, ଏଇ ଯିଏ କାଲିସକାଳେ ଜନମିଛ, ଆମ ପେଟରୁ, ତାଙ୍କରି ଅଦୌତିରେ ଚହଲିଯାଉଚି କାଳକାଳର ସୃଷ୍ଟି ଦିନମାନ ।’’

 

ସାମାଜିକ ବ୍ୟବସ୍ଥା ଭିତରେ ଥବା ଅବ୍ୟବସ୍ଥା ଚିତ୍ର ଆଙ୍କିଲାବେଳେ ଅନନ୍ତ ଉଠାଇଛନ୍ତି ଆପତ୍ତିର ସ୍ୱର । ହେଲେ ମଣିଷ ପ୍ରତି ସହାନୁଭୂତି ତାଙ୍କର କମି ନାହିଁ । ସେ ଜାଣନ୍ତି, ଏହା ସମୟର ସଂକଟ, ନିତି ଦେଖା ମଣିଷ ଦୂରେଇ ଯିବେ ଦୂରେଇଗଲା ପରି ନିତିଦେଖା ଆକାଶ, ଗାଁ ଦାଣ୍ଡ, ବିଲ, ମୁଣ୍ଡିଆ, ପାହାଡ଼ । ସେ ଜାଣନ୍ତି, ଯୌବନ ଆଉ ଧୀ-ଶକ୍ତି ଏକାଠି ମିଳିପାରନ୍ତି ନାହିଁ । କାରଣ ଯୌବନ ବ୍ୟସ୍ତ ଥାଏ ସବୁକଥା ଜାଣିବା ନିଶାରେ ଆଉ ବଞ୍ଚିରହିବା ପାଇଁ ଜ୍ଞାନ ବ୍ୟସ୍ତଥାଏ ନିଜକୁ ଖୋଜିବାରେ ।

 

ଅନନ୍ତ ଏକ ବିସ୍ମୟ ପ୍ରତିଭା, ଅସୀମ ଉତ୍ତରଣର ଦୀପ୍ତିରେ ଆଭାମୟ, ଅତ୍ୟନ୍ତ କୋମଳ ଓ ଆବେଗପ୍ରବଣ । ହେଲେ ସତ୍ୟର ହାତ କେବେ ଛାଡ଼ିନାହାନ୍ତି । ଆଧ୍ୟାତ୍ମିକ ଚେତନାରେ ପରିପୂର୍ଣ୍ଣ । ନିଜକୁ ନିଃସ୍ଵ ଭାବି ଅଧିକରୁ ଅଧିକ ଦେଇଚାଲିଛନ୍ତି ବହୁ ମୂଲ୍ୟବାନ ସାମଗ୍ରୀ, ମହାଦାନୀ ସେ, କିନ୍ତୁ ଦେଲାବେଳକୁ ମୁହିଁ ବୁଲେଇ ନେଇଛନ୍ତି ଦୂରକୁ ଯେମିତି ଗ୍ରହୀତାର ଲଜ୍ଜା ସେ ଦେଖିବେ ନାହିଁ ।

 

ଅନନ୍ତ-ସାହିତ୍ୟ ଆଲୋଚନା ଓଡ଼ିଆ ଭାଷା - ସାହିତ୍ୟକୁ ଅଧିକ ରୁଦ୍ଧିମନ୍ତ ଓ ବିକଶିତ କରିବ ବୋଲି ଆଶା କରୁଛୁ ।

 

ଶହୀଦନଗର, ଭୁବନେଶ୍ୱର- ୨

***

 

ଅନନ୍ତ ପଟ୍ଟନାୟକଙ୍କ କାବ୍ୟିକ ଭାଷାର ଭୂଗୋଳ

ସନ୍ତୋଷ ତ୍ରିପାଠୀ

 

ଏକ

 

ଗଣଭାଷା, ଗଣଚେତନା ଓ ଗଣବିଶ୍ୱାସର ସାହିତ୍ୟ ପିଣ୍ଡିଟିଏ ଗଢ଼ି ତା’ ଉପରେ କେତେକ ସମଧର୍ମାଙ୍କୁ ବସାଇ ଗଣ ସ୍ଵାତନ୍ତ୍ରୀର ବୈପ୍ଳବିକ ସମାଜ ବ୍ୟବସ୍ଥାଟିଏ ଅନନ୍ତ ପ୍ରସ୍ତୁତ କରିବାକୁ ଅଣ୍ଟା ଭିଡ଼ିଲାବେଳକୁ ଓଡ଼ିଆ-କବିତା ଗଢ଼ାଳିଏ କଳ୍ପନାର ଦୋଳିରେ ସ୍ୱପ୍ନର କୁହୁକ ଖେଳ ଖେଳୁଛନ୍ତି । କୁହୁକୀ କଳ୍ପନାଦୋଳିର ଗୀତ ପ୍ରେମର କଥା, ଇନ୍ଦ୍ରିୟ-ଉତ୍ତାପୀ କଥା, ଦୂରଦେଶୀ ଭାବପ୍ରବଣତାର କଥାରୁ ଖିଏ ଖିଏ ପୁଲକ-ବିଷାଦ-ଯୌବନବନ୍ଦନା ନାଁରେ ଗାଉଛି । ଗାଇବାର ତରିକା, ବାଗବାଇଶ, ଢଙ୍ଗରଙ୍ଗ ୧୯୨୦-୨୨ ଠାରୁ ୧୯୩୦-୩୨ ମସିହା ମଧ୍ୟରେ ଯେଉଁ ଚାତୁରୀକୁ ନୂଆ ଧର୍ମ ଭାବରେ ବରଣ କରିଛି, ତାହା ଆକୃତି ଓ ପ୍ରକାର ଦିଗରୁ ଓଡ଼ିଆ ଅକ୍ଷର ଓ ଶବ୍ଦସ୍ୱରୂପର ହେଲେ ବି ସେଗୁଡ଼ିକର କୁହୁକ ଖେଳର ଫନ୍ଦିଫିକର ପ୍ରାୟତଃ ଓଡ଼ିଆ ନ ଥିଲା । ଓଡ଼ିଆ କବିଙ୍କ ହାତରେ ଓଡ଼ିଆ ଭାଷାର କାବ୍ୟିକ ଶବ୍ଦମାନେ ପରଧର୍ମ ଗ୍ରହଣ କରି ଭିନ୍ନଭଙ୍ଗୀର ଡଉଲଡାଉଲୀ ହେବାକୁ ପସନ୍ଦ କରି ଏକପ୍ରକାର ଓଡ଼ିଶୀ ଗଣମୁଖର ଭାଷା ଓ ଭାବମାନସର ଅବବୋଧଠାରୁ ନିଆରା ହେବାକୁ ଗୋଡ଼ଟେକି ବସିଥିଲେ । ସେହି ଭାଷାର ଅର୍ଥ ସୌନ୍ଦର୍ଯ୍ୟରେ ନା ଥିଲେ ଗୋପବନ୍ଧୁ, ରାଧାନାଥ, ଭୀମଭୋଇ, କବିସୂର୍ଯ୍ୟ, ଉପେନ୍ଦ୍ର, ଦୀନକୃଷ୍ଣ ନା ଥିଲା ତା’ର ଆବେଦନ, ଶ୍ରୁତିପ୍ରିୟତା, ନାଦଧର୍ମ, ସୌନ୍ଦର୍ଯ୍ୟବୋଧରେ ଜଗନ୍ନାଥ-ବଳରାମ-ସାରଳା ଦାସଙ୍କ ଶବ୍ଦଶକ୍ତିର ଓଡ଼ିଆମି । ସେଥିରେ ଥିଲା ଦେଢ଼ଶହ ବର୍ଷ ତଳର ୟୁରେପୀୟ ରୋମାଣ୍ଟିକ୍‌ ପ୍ରଣୟଚେତନା, ଇନ୍ଦ୍ରିୟ ପ୍ରଲୁବ୍ଧ ଅସାର ପୁଲକ ବିଷାଦକୁ ପିଠିରେ ଲାଉ କରିନେବାର ଏକ ଭାବପ୍ରବଣ ବ୍ୟାକୁଳ ଆଗ୍ରହ । ଆହୁରି ଥିଲା ମାଗିଅଣା ପଡ଼ୋଶୀ ପାକ-ତିଅଣର ସୁଆଦି ପ୍ରଶଂସା ସହିତ ରବୀନ୍ଦ୍ରଙ୍କ ମାତ୍ରାବୃତ୍ତିକ ଛନ୍ଦ ଧର୍ମର ସୁଗନ୍ଧିକା । ବିଶ୍ଵବ୍ୟାପୀ ଭାବୁକଙ୍କ ଚିନ୍ତାବିନ୍ଦୁକୁ ଅସୀମ-ସସୀମ, ଇନ୍ଦ୍ରିୟ-ଇନ୍ଦ୍ରିୟୋତ୍ତର ଭାବକଳ୍ପମାନ ଯୋଗାଇ ଦେଇ କାବ୍ୟିକ-ଚମତ୍କାରିତାର ଉତ୍ତାଳତରଙ୍ଗ ସୃଷ୍ଟି କରିଥିବା ରବୀନ୍ଦ୍ର-ଭାବରଶ୍ମିରେ ସ୍ନାନ କରିବା ଏବଂ ଠାକୁରୀୟ ଭାଷିକ ବ୍ୟବସ୍ଥାର ଅନୁସରଣ କରିବା ଅଥବା କୀଟ୍‌ସ, ଶେଲୀ, ସୁଇନ୍‌ବର୍ଣ୍ଣ, କାଓପୁରଙ୍କ ତୁଲ୍ୟ ଦେହୀ କଳନା ବିରଚିବା ଏକ ଭିନଗୋତ୍ରୀ ହେବାର ନିନ୍ଦୁକ ପ୍ରସଙ୍ଗ ନୁହେଁ; ମାତ୍ର ନିନ୍ଦାର ପାତ୍ର ହେବାର କାରଣଟି ହେଉଛି - ଅନୁସରଣକୁ ନିଜସ୍ଵ ଢଙ୍ଗର କରିନପାରିବା, ଅନୁସୃତ ଉପାଦାନକୁ ଆପଣାର ମାଟିଗନ୍ଧରେ, ସାଂସ୍କୃତିକ ବାସନାରେ, ଭୂଗୋଳ-ଇତିହାସର ଅନୁକୂଳତା ଅନୁସାରେ ଅନୁରୂପ ନ କରିପାରିବା । ସବୁଠାରୁ ନାପସନ୍ଦର ହେତୁଟି ହେଉଛି-ରବୀନ୍ଦ୍ର ଓ ଅନ୍ୟାନ୍ୟ ଅନ୍ୟଭାଷୀ କବିସତ୍ତାଙ୍କ ମୂଳ ସର୍ଜନଶୀଳତାର ଉତ୍ତରଣ ଦୀପ୍ତିକୁ ନିଜ ଭାଷାର କବିତା କଳେବର ମଧ୍ୟରେ ସମତାଳିକ କରି ନ ପାରିବା ଅଥବା ଏପରିକି ତାହାର ପାଖାପାଖି ନ ହୋଇପାରିବା । ସେଥିପାଇଁ ସମକାଳ ଅଥବା ନିକଟ ବ୍ୟବଧାନ ମଧ୍ୟରେ ଓଡ଼ିଆ ରୋମାଣ୍ଟିକ କବିଗୋଷ୍ଠୀଙ୍କୁ ପରଧର୍ମୀଭାଷା ଗୁନ୍ଥାଳୀର ଟାହୁଲି ଶୁଣିବାକୁ ପଡ଼ିଥିଲା । ଶୁଣିବାକୁ ପଡ଼ିଥିଲା ଭାଷା ଓ ଭାବର ବାଣିଜ୍ୟିକ ମୂଲ୍ୟ କରୁ କରୁ ଓଡ଼ିଆ କବିଏ ଜାତିଦେଲେ, ମାତ୍ର ପେଟପୁରା ମହତିଆ ଲାଭଟି ପାଇଲେ ନାହିଁ । ଏ ପ୍ରକାର ସ୍ଥିତିରେ ଓଡ଼ିଆମାନଙ୍କ ଜୀବନଧାରା ଓ ଭାବମାନସକୁ ଆବୋରି ବସିଥିବା ପ୍ରେମ, ବିରହ, ବିଷର୍ଣ୍ଣ, ରହସ୍ୟ, ସୁଖବୋଧ, ସୌନ୍ଦର୍ଯ୍ୟଧାରଣା ଓ ଶ୍ରୁତିପ୍ରିୟ ଅଭ୍ୟାସକୁ ଉଚ୍ଛଳଗୁଣର କରିବାରେ କାବ୍ୟଭାଷାର ଅର୍ଥ ନିଷ୍ପତିଙ୍କର ଶକ୍ତିରେ କେଉଁଠି ନା କେଉଁଠି କେମିତି ହୋଇ ଦୁର୍ବଳତା ରହିଗଲା-। କବିତା ଆବୃତ୍ତିଧର୍ମୀ କିଛିମାତ୍ରାରେ ହେଲେ ବି ଦୃଷ୍ଟାନ୍ତଧର୍ମୀ ହୋଇପାରିଲା ନାହିଁ । ମୋଟ ଉପରେ ରାଧାନାଥଙ୍କ ପରେ ୧୯୩୨ ମସିହା ପୂର୍ବରୁ ଓଡ଼ିଆ କାବ୍ୟିକ ଶବ୍ଦରେ ଓଡ଼ିଶୀ ମାନସିକତାକୁ ଉଦ୍‌ବେଳିତ କରିପାରିବାର ନାନାମୁଖୀ ଅର୍ଥଶକ୍ତିର ସୌନ୍ଦର୍ଯ୍ୟରେ କିପରି ଗୋଟେ ଊଣାଊଣାର ଅଭାବ ଅନୁଭୂତ ହେଉଥିଲା । ଗୋପବନ୍ଧୁଙ୍କ ପରେ ଗଣସମ୍ବେଦନଶୀଳ ଭାବନାକୁ ଗଣଭାଷାରେ ଅଧିକ ରମଣୀୟ, ପ୍ରଭାବପ୍ରସାରୀ ଓ ପ୍ରବୋଧନଗୁଣର କରି ବିନିଯୋଗ କରିବାର ଯଥାର୍ଥ୍ୟକୁ ଓଡ଼ିଆ ପାଠକେ ଅପେକ୍ଷା କରି ରହିଥିଲେ । ଏ ଅପେକ୍ଷାର ଅନ୍ତ ୧୯୩୪ ମସିହା ପରେ ପରେ ‘ସମାଧାନ’ ଓ ‘ଦେବତା ନାହିଁ ଭୁବନବନେ’ (୧) କବିତା ଦୁଇଟି ଲେଖି କବି ଅନନ୍ତ ପଟ୍ଟନାୟକ ହିଁ କରି ପାରିଥିଲେ ।

(ଦୁଇ)

ଅନନ୍ତ ପଟ୍ଟନାୟକଙ୍କ କବିତା ଭିଆଣ ଓ ଲୋକମାନସରେ ତାହାର ସଂଚାରଣ ଦ୍ଵାରା ଵ୍ୟକ୍ତିବାଦୀ କଳ୍ପନା, ବ୍ୟକ୍ତିନିଷ୍ଠ ଆବେଗ, ସ୍ୱପ୍ନ ପ୍ରବଣତା, ଭାବପ୍ରବଣତା, ଅତୀତପ୍ରୀତି, ଇନ୍ଦ୍ରିୟଗ୍ରାହୀ ଆମୁଖତା, ଯୌବନନୀରାଜନା ଓ ପ୍ରଣୟ ବିଦଗ୍ଧ ତାରୁଣ୍ୟକୁ ଓଡ଼ିଆ ସର୍ଜନଶୀଳତା ବିରୋଧ କରିବାକୁ ଆରମ୍ଭ କରିଛି । ଯେଉଁ ନୂଆଭାବ, ନୂଆ ଉପଲବ୍‌ଧି, ନୂଆ ପ୍ରୟୋଗ ଓଡ଼ିଆ କବିତାକୁ ନୂଆ ସ୍ୱାତନ୍ତ୍ର୍ୟରେ ପରିଚିତ କରାଇଛି ତାହା ଅନନ୍ତଙ୍କ କାବ୍ୟାନୁଭୂତିକୁ ମାନକ ରୂପେ ମାନିଛି । ଅନନ୍ତଙ୍କ କବିତା-ସଂରଚନା ଭିତ୍ତିରେ ଯେଉଁ ବିଭାବନଗୁଣର ଆଧୁନିକତାଟି ଆତ୍ମପ୍ରକାଶ କରିଛି ତାହା ବ୍ୟକ୍ତିବାଦୀ, କଳ୍ପନା-ଆବେଗ-ସ୍ଵପ୍ନ-ଇନ୍ଦ୍ରିୟ ପ୍ରଲୁବ୍ଧପୁଲକ ସ୍ଥାନରେ ସାମାଜିକ ଦାୟବଦ୍ଧତା ।

 

(ତିନି)

ରାଧାମୋହନ ଗଡ଼ନାୟକ, ମନମୋହନ ମିଶ୍ର, ରଘୁନାଥ ଦାସ (ଜଟାୟୁ), ଗୋପୀନାଥ, ସୁରେନ୍ଦ୍ର ମହାନ୍ତି ରବି ସିଂ, ରମାକାନ୍ତ ରଥ, ବ୍ରଜନାଥ ରଥ, ସୀତାକାନ୍ତ ମହାପାତ୍ର, ରାଜେନ୍ଦ୍ର କିଶୋର ପଣ୍ଡା, ହରପ୍ରସାଦ ଦାସ, ଶୈଳଜରବି, ନିତ୍ୟାନନ୍ଦ ଶତପଥୀ, ବିଜୟକୁମାର ଶତପଥୀ ଓ ଅଶ୍ଵିନୀ କୁମାର ମିଶ୍ରଙ୍କ ପରି ଅନେକ କବିତାମୋଦୀଙ୍କ ପାଠକୀୟ ସ୍ଵୀକାରୋକ୍ତି ମଧ୍ୟରେ ଅନନ୍ତଙ୍କ କବିତାର ଶାବ୍ଦିକ-ସଂଘଟନାର ବିଭାବନଶୀଳ ପ୍ରଭାବବିସ୍ତାରୀ ପ୍ରଭାବ ଓ ସଂଚାରକୁ ଦେଖି ହୋଇଯାଏ । ଅନନ୍ତଙ୍କ କବିତା ସହିତ ଏମାନେ ଆମୋଦ ରଚିଛନ୍ତି, ସହଚର ଭାବରେ ବାଟ ଚାଲିଛନ୍ତି ଏବଂ ତା’ର ଚାତୁର୍ଯ୍ୟୋକ୍ତିକୁ ଉପଲବ୍‌ଧିସ୍ତରକୁ ଯେପରି ଆଣିଛନ୍ତି, ତାହା ଜଣାଇଦିଏ ଅନନ୍ତଙ୍କ କବିତ୍ୱରେ ପାଠକସମ୍ବେଦୀ ଭାବ କମ୍‌ ନ ଥିଲା । ଅନନ୍ତଙ୍କ କବିତା ପ୍ରତି ସଶ୍ରଦ୍ଧ ଉପର୍ଯ୍ୟୁକ୍ତ ଭାବଗ୍ରାହୀ-ସୁମନସଙ୍କ ମନ୍ତବ୍ୟ, ଧାରଣା ଓ ପଠନାନୁଭୂତିକୁ ଆଧାର କରି ଆମ ସାଧାରଣ ପାଠକୀୟତା ଯଦି କେବେ ବା କେଉଁଠି ଅନନ୍ତଙ୍କ କବିତା ସମଗ୍ର ଅଥବା ଗୋଟେଅଧେ କବିତା ସହିତ ଭାବସମ୍ବନ୍ଧ ରଖିବାର ସୁଯୋଗ ପାଏ ତେବେ ଯେଉଁ ପରିଣାମ ଫଳିବ ତାହା ନିଶ୍ଚିତ ରୂପେ ଏହିପରି ଉପଲବ୍ଧିର ହେବ ହିଁ ହେବ :

 

(କ)

‘ତାଙ୍କ କବିତାର ଭାଷା ଯୋଗୁଁ ଅନନ୍ତ ପଟ୍ଟନାୟକ ଅନନ୍ୟ । ଆଧୁନିକ ବୋଲି ଅଭିହିତ ହେବାକୁ ଇଚ୍ଛୁକ ଅନେକ କବି ପୂର୍ବବର୍ତ୍ତୀ ସାହିତ୍ୟର, ଜନଜୀବନର ଭାଷାଠାରୁ ଦୂରେଇ ରହନ୍ତି । ଅନନ୍ତ ପଟ୍ଟନାୟକଙ୍କ ସେ ଦ୍ୱିଧା ନ ଥିଲା, ପୂର୍ବବର୍ତ୍ତୀ ଭାଷା ସଂଭାରକୁ ସେ ଗୋଟାପଣେ ଆଦରି ନେଇଥିଲେ । ଭାଷାକୁ କବିତାକୁ ଟାଣିଓଟାରି ଅଣାଯାଇ ନାହିଁ ଆଶ୍ଚର୍ଯ୍ୟଜନକ ଶବ୍ଦବିନ୍ୟାସ ଅନନ୍ତ ପଟ୍ଟନାୟକଙ୍କ କାବ୍ୟଶୈଳୀର ଏକ ବିଶିଷ୍ଟ ଗୁଣ । କବିତା ଲେଖି ଅନନ୍ତ ପଟ୍ଟନାୟକଙ୍କର ଲାଭ ନ ହେଲା ନାହିଁ, ଆମର ଖୁବ୍‌ ଲାଭ ହେଲା, କବିତା ସତରେ କ’ଣ ଆମେ ଜାଣିପାରିଲୁ ।’ - ରମାକାନ୍ତ ରଥ ।

(ଖ)

ସ୍ନେହୀ ବିପ୍ଳବୀଟିଏ ସବୁକାଳେ ପ୍ରକୃତ କବି । ସେ ବିପ୍ଲବର ସୂକ୍ଷ୍ମମନ୍ତ୍ର କାନରେ ଫୁଙ୍କିଦିଏ ସରଳତମ ଓଜସ୍ଵିନୀ ଭାଷାରେ । ଭାଷା ହିଁ ହୁଏ ଅଗ୍ନି, ଶବ୍ଦ ହିଁ ହୁଏ ସନ୍ଦୀପନ ।’ - ସୀତାକାନ୍ତ ମହାପାତ୍ର ।

(ଗ)

ଏସବୁ (କାବ୍ୟଭାଷାର ବୈଚିତ୍ର୍ୟ ଓ ପ୍ରୟୋଗର ଗୁଣ) ଅନ୍ତତଃ ତିନୋଟି ଦିଗରୁ ପାରମ୍ପରିକ କାବ୍ୟଭାଷାର ପ୍ରୟୋଗରୁ ଭିନ୍ନ (କ) ଏଠି ଅପରିଚିତ ବସ୍ତୁ ବା ଅନୁଭୂତିମାନଙ୍କୁ ପରସ୍ପର ସହିତ ପରିଚିତି କରାଇବାର ପ୍ରୟାସ ରହିଚି, (ଖ) ଏଠି ପ୍ରତୀକବାଦୀ ପରମ୍ପରାରେ ବିଶ୍ଵନିର୍ମାଣର ଚମକପ୍ରଦ ସୂଚନା ରହିଛି (ଗ) ଏଠି ସାଧାରଣ ଅନୁଭୂତିକୁ ଅସାଧାରଣ ଅନୁଭୂତିରେ ନିବିଷ୍ଟ କରିବାର ଧ୍ୟାନ ରହିଚି ।’ - ହରପ୍ରସାଦ ଦାସ ।

(ଘ)

‘ପୂର୍ବର ଗୀତି ଉଚ୍ଛ୍ୱାସ, ଭାଷାର ଗ୍ରାମୀଣତା, ବିବର୍ଜିତ ଭାଷାର ରସଘନ ସାନ୍ଦ୍ରତା ଖୋଜିବାରେ ଏହି ଶୈଳୀ ମୌଳିକତା ପ୍ରଦର୍ଶନ କରିଛି ।’ - ହରିହର ମିଶ୍ର-।

(ଙ)

‘ତାଙ୍କ କାବ୍ୟରୀତିରେ ପ୍ରଚଳିତ ଶବ୍ଦ ସହ ଅଧୁନା ଅବଲୁପ୍ତ ବହୁ ଶବ୍ଦ, ପୁଣି ସଂସ୍କୃତ ଓ ବୈଦେଶିକ ଶବ୍ଦଗୁଡ଼ିକ ଅପୂର୍ବ ମଧୁର ସିଂଫୋନୀ ନେଇ ଝରିଯାଆନ୍ତି ।’ - ବିଜୟ କୁମାର ଶତପଥୀ ।

(ଚ)

‘ସମୟର ବାଲୁକା ଶଯ୍ୟାରେ ହଜିଯାଇଥିବା ଅଗଣନ ମଣିଷର କଣ୍ଠସ୍ଵରରୁ, ସମାଧି ଲଭିଥିବା ହୃଦୟରୁ ମଣିଷର ପାଂଶୁଳ ବିବର୍ଣ୍ଣ ମୁଖମଣ୍ଡଳରୁ ସେ ସଂଗ୍ରହ କରନ୍ତି ଛନ୍ଦ, ତୋଳି ଆଣନ୍ତି ଶବ୍ଦ, ତାକୁ ରୂପଟିଏ କରିଦିଅନ୍ତି କବିତାରେ ।’ - କୃଷ୍ଣପ୍ରସାଦ ପଟ୍ଟନାୟକ ।

 

ଅନନ୍ତଙ୍କ ପ୍ରଭାବୀ କବିତାର ବିଶ୍ୱସ୍ତ ଗ୍ରାହକ ଓ ଆସକ୍ତ ପାଠକ ହୋଇଥିବା ଅନେକଙ୍କ ମଧ୍ୟରୁ ଏ ମାତ୍ର ଛଅଜଣଙ୍କର ଅନୁଭବ । ଜୀବନର ଜୟଗୀତି ଓ ଗଣକ୍ରାନ୍ତିକୁ ନେଇ କବିତା ନିର୍ମାଣ ଏବଂ କବିତାକୁ ଆଧାର କରି ଜନମାନସିକତାର ପରିବର୍ତ୍ତନ ଆଉ ସମୟର ବାସ୍ତବତାକୁ ଇତିହାସୀକରଣ କରିଥିବା ଅନନ୍ତଙ୍କ କବିତାର ଭାବସତ୍ତା ଅପେକ୍ଷା ଭାବର ଚିତ୍ରପ୍ରଭାବୀ ଉପସ୍ଥାପନାରେ ଶବ୍ଦର ପ୍ରବୋଧିତ ଶକ୍ତିମତ୍ତା ଓ ଅନ୍ତର୍ଛନ୍ଦୀୟ ସ୍ଵବରଲହର ବହୁ ପାଠକଙ୍କୁ ଉପର୍ଯ୍ୟୁକ୍ତ ଛଅଜଣ କଳାସଂଭୋଗୀ ପାଠକଙ୍କ ପରି ଆକର୍ଷଣ କରିଛି । ଶାବ୍ଦିକ ଶୃଙ୍ଖଳାରୁ ଭାବାଭାସଦ୍ୟୋତନା ରଚନାଶୈଳୀ ଭାବରେ ବିଚାରିଥିବା ଅନନ୍ତଙ୍କ କବିସତ୍ତା ଶବ୍ଦରେ ଭାବକଳ୍ପ, ରୂପକଳ୍ପ, ସାଦୃଶ୍ୟବିକଳ୍ପନା, ବିରୋଧାଭାସ, ବୈପରୀତ୍ୟ ସଂଯୁକ୍ତି, ଚିତ୍ରକଳ୍ପନା, ବସ୍ତୁ ଓ ଭାବରେ ବ୍ୟକ୍ତିତ୍ୱାରୋପଣ, ଶ୍ଲେଷାତ୍ମକ ଚାତୁର୍ଯ୍ୟୋକ୍ତି, ବୌଦ୍ଧିକ ବିଦ୍ରୂପ, ପ୍ରତୀକାତ୍ମକ ବିନ୍ୟାସ, ମିଥିକ୍‌ ବିଘଟନା ଓ ଅଭିଜାତ-ଅନାଭିଜାତ ଶବ୍ଦର ଦାମ୍ପତ୍ୟାୟିତ ମିଳନିକାକୁ ମାନିଛି । ଏସବୁ ବିଲକ୍ଷଣ ଗୁଣରେ ସୁଲକ୍ଷଣାୟିତ ଅନନ୍ତୀୟ କାବ୍ୟିକ ଭାଷାର ଭୂଗୋଳରେ ଭାବର ରୂପାତ୍ମକତା ଓ ରୂପକାତ୍ମତା (ଇମେଜେରୀ/ଆଲିଗୋରିକାଲ ଜର୍‌ମିନେସନ) ଯେଉଁ ସ୍ଵର ସଂଗୀତ ସଂଗମ ଘଟିଛି ତାହା ସମକାଳୀନ ଓ ତଦ୍‌ପରବର୍ତ୍ତୀ (୧୯୩୬-୧୯୮୦) ଓଡ଼ିଆ କାବ୍ୟଶୈଳୀକୁ ନାନାମୁଖୀ ଆଧୁନିକତାରେ ବିସ୍ତରି ଯିବାକୁ ଦୀକ୍ଷା ଓ ପ୍ରେରଣା ଦେଇଛି । ଏପରିକି ରାଧାନାଥୀୟ ଉପଧା ଲକ୍ଷଣ ଓ ସବୁଜୀୟ ମାତ୍ରାବୃତ୍ତିକ ଛନ୍ଦଧର୍ମର ଆଭାକୁ ପଛୁଆ ଘୋଷଣା କରି ତାଙ୍କ କବିତାର ଅନ୍ତର୍ଛନ୍ଦୀୟ ବୈଚିତ୍ର୍ୟ ହିଁ ଆବୃତ୍ତିଧର୍ମର ଶବ୍ଦବସାଣକୁ ଆଧୁନିକତାର ନୂଆପ୍ରକାର ବୋଧ ବୋଲି ମାନିନେବାକୁ ସମସାମୟିକ ଓ ଉତ୍ତରପିଢ଼ିଙ୍କୁ ମତେଇଛି, ବାଟ ବି ବତେଇଛି । ରମାକାନ୍ତ-ରାଜେନ୍ଦ୍ରଙ୍କ ପରି ଅନେକ ପରସ୍ଵରୀଙ୍କ ଯୌବନକାଳୀନ ଉଦ୍ଦାମ ସର୍ଜନଶୀଳତା ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ମାନିଛି / ବରିଛି / ଧରିଛି / ଲୋଡ଼ିଛି / କଳ୍ପିଛି / ଚିନ୍ତିଛି / ହେଜିଛି / ତିଆରିଛି ଯେ ଅନନ୍ତୀୟ ଶୈଳୀ ପରି କବିତା ହେବା, ଅଥବା ଅନନ୍ତଙ୍କ ପରି ମାନସିକତା ଧରି ନୂଆନୂଆ ବାଟରେ ଭାବକୁ ଶବ୍ଦମେଳି ଭିତରେ ରଖି ଚଳାଇନେବା ଦ୍ୱାରା ହିଁ କବିତା ଓ କବିତାର ନିର୍ମାଣଚାତୁରୀ ନୂଆ ବିଭାବନର ହୋଇପାରିବ । କବି ଭାବ ବିତରକ ହେବା ପୂର୍ବରୁ ଅନନ୍ତଙ୍କ ପରି ଶବ୍ଦଫଳକ ହେବାକୁ ପଡ଼ିବ ।

(ଚାରି)

ଅନନ୍ତଙ୍କ ଶାବ୍ଦିକ ବିନ୍ୟାସ ଓ ଶବ୍ଦଶୃଙ୍ଖଳାର ଅନ୍ତଃସୌନ୍ଦର୍ଯ୍ୟ କିପରି ଓଡ଼ିଆ କାବ୍ୟଭାଷାର ବିବର୍ତ୍ତନଧାରାରେ ନୂତନ, ତାହାର କେତୋଟି ଲକ୍ଷଣ ନିମ୍ନମତେ ନିରୂପଣ କରାଯାଉଅଛି :

 

ଶବ୍ଦକୁ ମନଶ୍ଚିତ୍ର ଅଙ୍କନର ଶକ୍ତିରେ ବ୍ୟବହାର କରିବା ।

 

ଗଭୀର ଓ ଗମ୍ଭୀର ଚେତନାକୁ ସରଳ ଲୋକାଚାରୀୟ ଶବ୍ଦରେ ଓ ସରଳ କୋମଳ ସମୟୋଚିତ ବାସ୍ତବତା, ବର୍ତ୍ତମାନସର୍ବସ୍ଵ ଜୀବନାନୁଭୂତିକୁ ଗୁରୁତ୍ଵ ଦେଇଛି । ଈଶ୍ଵର, ମନ୍ଦିର, ଧର୍ମ, ଗୋଷ୍ଠୀ, ସଂପ୍ରଦାୟ, ଶାସ୍ତ୍ରଙ୍କୁ ବିରୋଧକରି ପ୍ରତିବାଦୀ ସାମର୍ଥ୍ୟରେ ମାନବ, ମାନବିକତା, ମାଟିମଗ୍ନ ଜୀବନଚର୍ଯ୍ୟା ଓ ଧୂଳିବୋଳା ବଂଚିବା କୌଶଳକୁ ନୂତନ କାବ୍ୟଭାବ ବୋଲି ସମର୍ଥନ କରିଛି । ଏ କାବ୍ୟଭାବ ସାଦୃଶ୍ୟ ରୂପକାତ୍ମକ ଶବ୍ଦକୁ ଆଶ୍ରୟ କରି ପୁଲକ ସୃଷ୍ଟିକାରୀ ଭାବବିମ୍ବ ଅପେକ୍ଷା ଜଗତ ଓ ଜୀବନର ଅବିକଳ ଦୃଶ୍ୟବିକଳ୍ପନା ରୂପେ ସୁଦୃଶ ହୋଇଉଠିଛି । କବିତା ହୋଇଉଠିଛି ମଣିଷର ଓ ସମାଜର କବିତା ଏବଂ କାବ୍ୟଭାଷା ହୋଇପାରିଛି ନିତିଦିନିଆ ଧୂଳିମଖା ବାଟଚଲା ମଣିଷ ତୁଣ୍ଡର ଭାବ ପ୍ରବୋଧ ଭାଷା । ଏ ଭାଷା ମଣିଷର, ସାମାଜିକ ବାସ୍ତବତାଟିକୁ ସାଧନ କରିଛି । କବିତାକୁ ମଣିଷର ଜୀବନ୍ତ ଓ ଚଳନ୍ତି ସମସ୍ୟା, ଘଟଣା, ଅନୁଭୂତି ସହିତ ଯୋଡ଼ିଦେବା ପାଇଁ କାବ୍ୟିକ ଭାଷା ଅନ୍ୟାନ୍ୟ ଆବେଦନ ଅପେକ୍ଷା ମଧ୍ୟସ୍ଥ ହେବାକୁ ଅଧିକ ପସନ୍ଦ ଓ ଉଚିତବୋଧ କରିଛି । କେବଳ କବିତାକୁ ନୁହେଁ ଅଥବା ନିଜର କବିତା ରଚନାର ମାନସିକତାଟିକୁ ନୁହେଁ; ବରଂ ଅନନ୍ତ କବିତାର ଭାଷାକୁ ବି ସାମାଜିକ ଅଙ୍ଗୀକାରବଦ୍ଧତାର ବୃହତ୍ତର ଭୂମିକା ସଂପାଦନ ନିମେନ୍ତ ନିୟୋଜିତ କରିଛନ୍ତି । କବିତାର ଭାଷାରେ ବ୍ୟକ୍ତିତ୍ଵ ଆରୋପଣ କରି ପାଠକକୁ ପ୍ରତ୍ୟେକ ଶବ୍ଦ ଉଦ୍‌ବୋଧିତ, ଜାଗୃତ, ପ୍ରତିବାଦୀ ମାନସିକତାର କରୁ - ଏ ପ୍ରକାର ଏକ ଭିଆଣ ଉଦ୍ଦେଶ୍ୟକୁ ଅନନ୍ତଙ୍କ କବିସତ୍ତା ପ୍ରଚ୍ଛନ୍ନରେ କାର୍ଯ୍ୟକାରୀ କରିଛି ।

 

ରୋମାଣ୍ଟିକ ବ୍ୟକ୍ତିନିଷ୍ଠତାକୁ ଅସାର ଘୋଷଣା କରି ଜୀବନ ବଂଚୁବଂଚୁ ଯେଉଁ ଯେଉଁ ପୁଲକ-ପ୍ରଣୟ-ଇନ୍ଦ୍ରିୟସମ୍ବେଦୀମମତ୍ଵବଭାବମୟ ହୋଇଉଠେ ସେହି ସେହି ରୋମାଞ୍ଚ ଅନୁରାଗଗୁଡ଼ିକ ନିଖୁଣ ଓ ପ୍ରତ୍ୟକ୍ଷ ଭାବରେ ରୂପାୟଣ କରି ଅନନ୍ତ ଓଡ଼ିଆ କବିତାର ସ୍ଵରକୁ ଭୂମିସଲଗ୍ନ-ରୋମାଣ୍ଟିକ ଅବବୋଧରେ ରୂପାନ୍ତରିତ କରି ଆମ ପାଠକୀୟତା ସାମ୍ନାରେ ସର୍ଜନଶୀଳ କଳ୍ପନାକୁ ନୂଆ ସ୍ଵରୂପରେ ଉଭା କରାଇଦେଇଛନ୍ତି । ‘ପ୍ରେମ’ ବିଳାସୀମଣିଷର ଭାବରାଜ୍ୟରେ ଆକାଶୀ ରୋମାଞ୍ଚର ଅନୁଭବ ହୋଇ ରହିଥାଏ-ଏ ପ୍ରକାର ଏକ ପ୍ରଥାସିଦ୍ଧ ରୋମାଣ୍ଟିକ କାବ୍ୟଧାରାକୁ ଅନନ୍ତ ବଦଳାଇ ଦେଇଛନ୍ତି । ପ୍ରେମ-ରୋମାଣ୍ଟିକ-କଳ୍ପନାମାଟିମଖା ଜୀବନଠାରୁ ବି ବିଚ୍ଛିନ୍ନ ନୁହେଁ । ନାଳ, ନର୍ଦ୍ଦମା, କୃଷିକ୍ଷେତର ହିଡ଼, କାରଖାନାର ପାଉଁଶକୁଣ୍ଡଘେରା ବନ୍ଧତଳେ ବି ଆବର୍ଜନା ସଫା କରୁଥିବା ମଣିଷ ଭିତରେ ତାହା ପଦ୍ମକୋରକର ଛନ୍ଦବତ୍‌ ରହିଥାଏ - ଏପରି ଏକ ବିଶ୍ୱାସ ତାଙ୍କ କବିତା ଓଡ଼ିଆ ପାଠକଙ୍କୁ ଜଣାଇ ଦେଇଛି । (୨) ଭାବ ପ୍ରବଣତାର ଭାସମାନ ସ୍ଵପ୍ନବିଳାସୀ ଦୋଳନରେ ନୁହେଁ; ଚାଲିଲା, ବସିଲା, ଉଠିଲା, ଖଟିଲା ଅବକାଶରେ ଭାବବିନିମୟ କରୁଥିବା କୋମଳ-ନରମ-ତରଳ ଇଙ୍ଗିତର ଶବ୍ଦରେ ବି କଳ୍ପନାର ଛାଞ୍ଚଟିଏ ଗଢ଼ି ତହିଁରେ ଖରା-ବର୍ଷା-ଶୀତର ଦାଉକୁ ନେଇଜୀବନ ବଂଚିଥିବା ଜୀଅନ୍ତାଁ ମଣିଷର ସଂଭାବନା ଓ ସ୍ୱାଧୀକାରକୁ ଢାଳି ରୋମାଣ୍ଟିକ-ବାସ୍ତବବାଦୀ ଚେତନାର ମିଶ୍ରଣରେ ନୂତନ କବିତା ଭୂମିଟିଏ ତିଆରି କରାଯାଇପାରେ - ଏପରି ଏକ ଅନଭାବିତ ଓ ଅନକଳ୍ପିତପୂର୍ବ ସର୍ଜନଶୀଳ ଭିଆଣଚାତୁରୀକୁ ଅନନ୍ତ ସତ ବୋଲି ପ୍ରମାଣ କରିଦେଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଅନନ୍ତ ଓଡ଼ିଆ କବିତାକୁ ସାମ୍ୟବାଦୀ ଚିନ୍ତା ଓ ବାମପନ୍ଥୀ ଶ୍ରେଣୀ ଚେତନା ଦ୍ୱାରା ରଦ୍ଧିମନ୍ତ ଓ ବପୁବନ୍ତ କରିଦେଇଛନ୍ତି । ନିମ୍ନସ୍ତରର ନିପୀଡ଼ିତ ମାନବାତ୍ମାର ବ୍ୟଥା-ଦାବୀ-ସଂଘର୍ଷକୁ ବୈପ୍ଲବିକ ମାନସିକତାର ପଟ୍ଟଭୂମିରେ ବଖାଣିଛନ୍ତି । କବିତାର ସ୍ଵର ହୋଇଛି ସର୍ବହରା ମଣିଷଙ୍କୁ ନେଇ ଉଦ୍‌ବୋଧନର ଓ ଆହ୍ଵାନର । ଏ ପ୍ରକାର କବିତାର ସ୍ଵର, ଆଭିମୁଖ୍ୟ ଓ ମନୋଭାବ ରୋମାଣ୍ଟିକ୍‌ ଚିନ୍ତାଧାରାର ସୃଜନଶୀଳତା ସହିତ ନାଗନାଡ଼ି ସଂପର୍କରେ ରହିବାକୁ ଉଚିତବୋଧ କରିଥାଏ । ମାତ୍ର ଅନନ୍ତଙ୍କ କବିତ୍ୱର ସମ୍ମୋହନକୁ ମାନି ଉଭୟ ହାତ ଧରାଧରି ହୋଇ ସମଗୋତ୍ରକ ହୋଇଯାଇଛନ୍ତି । ସମାଜବାଦୀ ଆନ୍ଦୋଳନ, କୃଷକ ଆନ୍ଦୋଳନ, ଗଡ଼ଜାତୀ ପ୍ରଜା ଆନ୍ଦୋଳନ, ସୋସାଲିଷ୍ଟ କଂଗ୍ରେସୀ ଆନ୍ଦୋଳନ, ପ୍ରତିବାଦୀ ଛାତ୍ରାନ୍ଦୋଳନ, ଲବଣ ସତ୍ୟାଗ୍ରହ, ସ୍ଵଦେଶୀ ଆମୁଖତା, ଗାନ୍ଧିବାଦୀ ଅସହଯୋଗିତା ଏବଂ ସାମ୍ରାଜ୍ୟବାଦୀ-ମହାଜନ ବ୍ୟବସ୍ଥା ବିରୋଧୀ ଜନସଚେତନତା ଆଦି ସମକାଳୀନ ସମୂହ ଆବେଗର (କଲେକ୍‌ଟିଭ୍‌ ଇମୋସନ ଡିଡାକ୍ଟିଭ୍‌ ରିଅଲିଜମ୍‌/ଦୃଶ୍ୟମାନ ପ୍ରତ୍ୟକ୍ଷ ବାସ୍ତବତା) ପଟ୍ଟଭୂମିରେ ଅନନ୍ତ ପଟ୍ଟନାୟକଙ୍କ ବୈପ୍ଳବିକ ରାଜନୀତିକ ଆଦର୍ଶ ଓ ସାରସ୍ଵତ ଜୀବନର ଉନ୍ମେଷ ଓ ବିକାଶ ଘଟିଛି । ମାର୍କସ + ଗାନ୍ଧୀ + ଲେନିନ୍‌ + ଗୋପବନ୍ଧୁ + ମାୟାକୋଭସ୍କି + ମାକ୍‌ସିମ୍‌ ଗର୍କି-ଏ ଷଡ଼ପ୍ରବାଦଙ୍କ ଜୀବନଜଗତ ସମ୍ବନ୍ଧିତ ଚିନ୍ତାଧାରାକୁ ଗୋଳିଘାଣ୍ଟ ଦ୍ରବଣ କରି ତହିଁରେ ଓଡ଼ିଆତ୍ୱର ପ୍ରୟୋଜନକୁ ମିଶାଇ ଅନନ୍ତଙ୍କ ସଂଗ୍ରାମୀ ତରୁଣସତ୍ତାଟି ଗଢ଼ି ଉଠିଛି । ପରିଣାମ ସ୍ଵରୂପ ଶ୍ରେଣୀଚେତନାର ବିପ୍ଳବ ଓ ମାନବୀୟ ଦାୟବଦ୍ଧତା ସହିତ ସାମାଜିକ ଅଙ୍ଗୀକାରବଦ୍ଧତାକୁ ନେଇ ବିପ୍ଳବୀ ଅନନ୍ତଙ୍କ ଭିତରେ ଏକ ସାମ୍ୟବାଦୀ ବାସ୍ତବତାର କବିତ୍ୱ ଉଧେଇ ଉଠିଛି । ଏହି କବିତ୍ୱ ଗତାନୁଗତିକ ମୌଳବାଦ ଓ ମାନବମର୍ଯ୍ୟାଦା ବିରୋଧୀ ରକ୍ଷଣଶୀଳ ରୂଢ଼ିବାଦକୁ ବିରୋଧକରିଛି ଏବଂ ମଣିଷ ପ୍ରତି ଏକ ଅନୁରାଗଶୀଳ (ରୋମାଣ୍ଟିକ୍‌) ସହାନୁଭୂତି ଓ ସୌହାର୍ଦ୍ଦ୍ୟକୁ ଯୋଡ଼ି ଦେଇଛି । ଅନନ୍ତଙ୍କ ଅଧିକାଂଶ ପାଠକ ପ୍ରଭାବଶଳୀ କବିତା (ତୃଷ୍ଣା, ଚୈତ୍ରଧାରା, ସ୍ଵପ୍ନ ଦେଖୁଛି, ଝରରେ ରୁଧିର, ଏସିଆର ମର୍ମପଥେ, ଉଡ଼ାଇ ଦେଲି, ନିଜ ବନ୍ଦନା ପଢ଼େ, ମେଘକନ୍ୟା, ଛବିର ଛାଇ ଆରମ୍ଭ ହୋଇଛି ବିରୋଧି ଗଣଚେତନାର ବୈପ୍ଳବିକ ଅନୁଭୂତିରୁ (ଲିଟେରାରୀ ଏକ୍‌ସପେରି ଏନ୍‌ସ ଅଫ୍‌ ଅପୋଜିଟ୍‌) ଏବଂ ଶେଷ ହୋଇଛି ମାନବୀୟ ସହାନୁଭୂତିର ଆବେଗିକ-ଆବେଦନରେ । ପରିଣାମତଃ ଅନନ୍ତଙ୍କ କବିତାର ଅନୁଭୂତିଟି ବାସ୍ତବବାଦୀୟ, ସ୍ଵରଟି ପ୍ରଗତିବାଦୀୟ ଓ ଆବେଦନାତ୍ମକ ଆଭିମୁଖ୍ୟଟି ଆବେଗିକ ହୋଇ ଓଡ଼ିଆ କବିତାର ପ୍ରବହମାନତାରେ ଏକ ଭିନ୍ନ-ସଂଯୁକ୍ତ-ସ୍ଵାଦର (ରୋମାଣ୍ଟିକ୍‌ ବାସ୍ତବବାଦ/ବାସ୍ତବବାଦୀ ଆବେଗବୋଧ ସଂଚାର କରିପାରିଛି । ଏ ଦିଗରୁ ତାଙ୍କ କବିତାର ଶବ୍ଦ ଗଣସ୍ତରରୁ ସଂଗୃହୀତ ଶବ୍ଦ ଏବଂ ଏ ଶବ୍ଦ ଯେତିକି ଉଦ୍‌ବୋଧନାତ୍ମକ ଓ ପ୍ରବୋଧନାତ୍ମକ ସେତିକି ସାରଲ୍ୟଗୁଣରେ ଆବେଗ ସଂଜାତଶୀଳ । ଶବ୍ଦର ମିଳିତ ବସାଣ ଓ ଯୋଡ଼ାଣ ପ୍ରକ୍ରିୟାଟି ଭିତରେ କାବ୍ୟସ୍ଵର ସାମ୍ୟବାଦଟି ବାସ୍ତବବାଦକୁ ଲୋଡ଼ିଛି, ବାସ୍ତବବାଦକୁ ମାନବବାଦୀ ଚେତନା ସହଯୋଗ କରିଛି ଏବଂ ସବୁଗୁଡ଼ିକ ଏକ ଆବେଗିକ ତାରଲ୍ୟରେ ପାଠକର ଚେତନାକୁ ଉଦ୍‌ବୋଧିତ କରିଛି । (୩) ଆଜି ‘ମହାପାର୍ବଣରେ’ ଇତ୍ୟାଦି କବିତା ସହିତ ପଠନବନ୍ଧୁତା ସ୍ଥାପନ କରିପାରନ୍ତି ।)

(ପାଞ୍ଚ)

ସୁଧୀବର୍ଗେ ! ଆସନ୍ତୁ, ଏବେ ଆମେ ତିନିସ୍ତରରେ (କ/ଖ/ଗ) ଅନନ୍ତଙ୍କ ବିପୁଳ କାବ୍ୟ ସଂସାରରୁ କିଛି ଦୃଷ୍ଟାନ୍ତମୂଳକ ପଙ୍‌କ୍ତି ସହିତ ଯୋଗାଯୋଗ ସ୍ଥାପନ କରିବା । ସେସବୁ ସହିତ ମିଶିବା-ମାତ୍ରେ ଆମ ପାଠକୀୟତା ନିକଟରେ ଜଗତ, ଜୀବନ ଓ ସାମାଜିକ ମୂଲ୍ୟବୋଧକୁ ନେଇ ଅନେକ ସ୍ମରଣୀୟ ଚିତ୍ରକଳ୍ପୀ ଦୃଷ୍ଟାନ୍ତ ଠୁଳ ହୋଇଯିବ । ସେସବୁ ମଧ୍ୟରେ ଆମେ ଅନନ୍ତୀୟ ଶବ୍ଦବସାଣ, ସଜାଣ, ଅର୍ଥନିଷ୍ପତ୍ତିକାରକ ଶକ୍ତିମତ୍ତାର ବୈଚିତ୍ର୍ୟକୁ ଅନୁଭବ କରିପାରିବା । ସେଗୁଡ଼ିକରେ ପୂର୍ବ ପର୍ଯ୍ୟାୟରେ (ଭାଗ-୪) ଉଲ୍ଲିଖିତ ୧୫ ଗୋଟି ଶାବ୍ଦିକ ଶୃଙ୍ଖଳାର ବିଶେଷତ୍ୱକୁ ମଧ୍ୟ ପାଇପାରିବା । ଉଦାହରଣଗୁଡ଼ିକ ଏହିପରି :

 

କ-ସ୍ତରର ଦୃଷ୍ଟାନ୍ତ :

ଜୀବନ ଧରି ହେ ଢାଳିଲୁ ରକ୍ତ ତୋଳିଲୁ ସଉଧ ମାଳା ।
ପ୍ରାପ୍ୟ ଆମର ନେବୁରେ ମୁକର ଆମେ ଶ୍ରମିକ ଜାତି ।
ଲୋଡ଼େ ସେ ଆଜିରେ ମୁକୁଳ ପ୍ରାଣର ଶୋଣିତ ପଖଳା ପାଗଳ ଗୀତି ।
ପୁଞ୍ଜିତ ରୋଷେ ବଂଚିତ ଆମେ ଦୀପ୍ତ ଚେତନା ବହି ।
ଶୋଷେ ଆମରକ୍ତ ପୋଷେ ଜମିଦାର ।
ଧସାଇ ଭସାଇ ବିଘ୍ନବିଧାୟୀ ଗ୍ରହ ଉପଗ୍ରହ ଦୃପ୍ତତାରା ।
ମତାଇ ମନ ତତାଇ ଛାତି ଚେତାଇ ତତେ ବିଶ୍ଵବାସୀ ।

ଖ-ସ୍ତରର ଦୃଷ୍ଟାନ୍ତ :

ଆସେମ୍ଲି ଭବନେ ବିକି ବକ୍ତୃତା ଝୁଡ଼ିଏ/ହେଇ ଫେରିଲେ କିଏ ?.... ଆହା ମହର୍ଷିଏ/ଗୋଦାମ ଗୋହିରେ ଝଡ଼େ ସୁନାର ବ୍ରୁ ଚକି !/ ସଚେତ ବିଜ୍ଞାନୀ ଗଡ଼େ ମୁଦ୍ରାର ମୋହର ! ! /ମୁଁ କିରେ ଦଳୁନି ବସି ଦେଶର କପାଳ । (-ଛବି- ଅବାନ୍ତର, ପୃ-୩୪)
ପ୍ରୟୋଗଶାଳେ ଭୀରୁକେ ତିଳେ ଛପି / ସଇତାନିର ତିଆରି କରେ ବୋମା / ଗରଳ ଗ୍ୟାସେ ସଜାଇ ଧୂପଦାନି / ଜଣାଏ ଅରଚନା (- ରଚନାସମଗ୍ର - ପୃ - ୩୪୩/ସମୟର ଛକ ଉପରେ )
ଦିଅଁର ପାଶେ ଅଧୁଆ ପଡ଼ି ଗାନ୍ଧି ଝୁଲି ଧରି / ମଣିଷବେକ ମୋଡ଼ିବା ଲାଗି ମାମଲାମୁଣି ଧରି / କୁଳର ବୋହୂ ମହତ ବିକି ହେବିନି ମହାପାତ୍ର / ଚୁଲିକି ଯାଉ ଜନ୍ମଭୂମି ଥାଉରେ ଚିରରାତ୍ର । (ଏଇ ଯୁଗରେ, ରଚନା ସମଗ୍ର-ପୃ. ୩୫୩)
‘‘ପରଦେଶୀ ଦରବରେ ଘରଦ୍ୱାର ଭରଣୀ, ଭଉଣୀର ରୂପ ସରେ ଭସାଇବା, ହସାଇବା ଓ ଗଣିକାର ତରଣୀ ।’’ ( - ଆହେମହାଗଣକ-ଶାନ୍ତିଶିଖା-ରଚନାସମଗ୍ର- ପୃ. ୭୯)

ଗ - ସ୍ତରର ଦୃଷ୍ଟାନ୍ତ :

ମାଟି ନୁହେଁ ସେତ ମୋ ଛାତି ଗହିର ତହିଁରେ ରୋଉଚି ଗାନ ।
କଅଁଳ କାମନା ପାଚି ପାଚି ଗଲେ କାହିଁରେ ଲୋଟିବେ ଶୁଆ !
କାହିଁ ପାଇଁ ହସର ମୁରୁଜେ ପକାଏ ମୁଁ ଫସଲର ଚିତା ।
ହାଡ଼େ ହାଡ଼େ ବାଜୁ ଯୋଡ଼ି ନାଗରାରେ ଉଡ଼ିଉଡ଼ି ଖେଳୁ ଧୂଳି....।
ଶାନ୍ତିତ ଶସ୍ୟର ଢଳଢଳ ଉଲ୍ଲାସ/ଶାନ୍ତିତ କଳକଳ ଶିଶୁକୁଳ ଉଚ୍ଛ୍ୱାସ :/ଶାନ୍ତିତ ଶୋଣିତାଶା/ପଳାଶ ରୀତିରେ xxx ।
ତୁମରି ପତାକା କୋଟି କୋଟି ହାତେ/ଘାତପ୍ରତିଘାତେ ବ୍ୟାଘାତେ ସଂଘାତେ/ନୂତନ ଉଷାର ଆଶାରଦିଶାର ପ୍ରୀତି ସଂପାତେ xxx ଯାଏ କି ଯାଏ ।
ମୃତ୍ୟୁର ଜଳେ ପହିଁରି ପହିଁରି ତୋଳେ ଯେ ତୋ ପାଇଁ ରକ୍ତକଇଁ ।
ମୁଁ କିରେ ଲୋଡ଼ୁନି ବାହାରେ ଆକାଶ, ଭିତରେ ଆକାଶ ଅନ୍ତନାଡ଼ିର ମଣିପଦ୍ମରେ ଭୃଙ୍ଗର ଅଳପ ନରମ ଉଷୁମ ହାସ ।

 

ଶବ୍ଦର ସଂସାର ପରେ ଶସ୍ୟର ସାଗର ସୃଜି/ଚାଲିଲି ମୁଁ ଚାଲିଲି, ରଶ୍ମିର ତୋଫାନରେ ଭସ୍ମର ଅସ୍ମିତା ଭସାଇ xxx ।

 

ଫିକାଫିକା ଫିରିଙ୍ଗିର ଫାଶୀଦିଆ ଗଛର ପ୍ରଚ୍ଛାୟେ ।

ଆମ ପାଠକମାନସ ଜାଣେ ଅନନ୍ତ ଅତୀତ, କଳ୍ପନା, ଈଶ୍ମର, ଧର୍ମ, ଭାଗ୍ୟ, ଛଦ୍ମତା, ଶୋଷଣ, ଶୋଷକ, ଶ୍ରେଣୀଭେଦ - ଏମିତି ଅନେକ ବିଷୟକୁ ବିରୋଧ କରି ନବଜୀନ, ନବୀନ ମୂଲ୍ୟବୋଧ ଓ ନବସମତାର ସମାଜ ପାଇଁ ଜଣେ ଅଣସୁବିଧାବାଦୀ ମାନବକର୍ମୀ ଭାବରେ ଜୀବନ ଜୀଇଁବ ଥିଲେ ଓ ଅନ୍ୟମାନଙ୍କୁ ନେଇ ଜୀଇଁବାକୁ ଜୀବନ ବୋଲି ମାନିଥିଲେ । ମାନବବାଦୀ ଦରଦୀବୋଧର ସମତାବୋଧ ଥିଲା ତାଙ୍କ କାବ୍ୟସ୍ଵର ଏବଂ ଏହି ସ୍ଵରର ପ୍ରଚାର, ପ୍ରସାର ଓ ପ୍ରବହତା ପାଇଁ ସେ କବିତା ଲେଖିବା ଅପେକ୍ଷା ଚେତନା ପ୍ରାଙ୍ଗଣରେ ଶବ୍ଦକୁ ଖେଳାଇଥିଲେ; ଏପରିକି କ୍ରୀଡ଼ାପ୍ରବଣ ହୋଇ ଶବ୍ଦ ତାଙ୍କ କବିତାରେ ଖେଳିଥିଲା (ଲୁଡ଼ିକ୍‌ ପ୍ଲେ ଅଫ ଡିକ୍‌ସନ୍‌) । ସମାଜ ପରିବର୍ତ୍ତନର ଭାବନା-ଚେତନା-ସଂକଳ୍ପ ତାଙ୍କୁ ବାଛିଥିଲା ତାଙ୍କ ନିରପେକ୍ଷ ଭାବୁକତା ବଳରେ କବିତା ହେବାକୁ । ସେ ବାଛିଥିଲେ ଶବ୍ଦ ସଂକଳ୍ପିତ ଦାୟିତ୍ୱବୋଧକୁ ଖେଳାଇବାକୁ । ଏହି ଖେଳର ପରିଣାମରୁ ଓଡ଼ିଆ କବିତାର ମୋଡ଼ ପରିବର୍ତ୍ତନ ଘଟୁଘଟୁ ଅନନ୍ତଙ୍କ କବିସତ୍ତା ଓଡ଼ିଆ କାବ୍ୟଭାଷାକୁ ତାଙ୍କ ଜ୍ଞାତଅଜ୍ଞାତରେ ବିନିର୍ମାଣ କରିଦେଲେ । ଅବ୍ୟୟ, ବିଶେଷଣ ଓ କ୍ରିୟାଜବିଶେଷ୍ୟ ତଥା କ୍ରିୟାଜବିଶେଷଣ ଓ କ୍ରିୟାନୁସାରୀ ବିଶେଷଣ-ଏ ପାଞ୍ଚପ୍ରକାରର ଶବ୍ଦଭଙ୍ଗୀ ଯେ ଓଡ଼ିଆ କବିତାର ଭାବବିନ୍ୟାସର କେନ୍ଦ୍ରୀୟ ଶବ୍ଦ ହୋଇପାରେ - ତାହା ବଳିଷ୍ଠ ହୋଇଗଲା । ଏମାନେ ପୂର୍ବରୁ ଓଡ଼ିଆ କାବ୍ୟଭାଷାରେ ଥଲେ, ମାତ୍ର ସହଚର, ପାର୍ଶ୍ଵଚର, ଉପକାରକ ଭୂମିକା ନିର୍ବାହ କରୁଥିଲେ । ଉପରୋକ୍ତ ତିନିସ୍ତରର ୨୦ଟି କବିତାର ୩୭ ଗୋଟି ପଙ୍‌କ୍ତିର ଭାବ, ବକ୍ତବ୍ୟ ଓ ପ୍ରତିପାଦ୍ୟ କାବ୍ୟିକସ୍ଵରକୁ ଉଣାଅଧିକେ କ୍ରିୟା, କ୍ରିୟାବାଚକ ବିଶେଷ୍ୟ ଓ ବିଶେଷଣ ପଦ ହିଁ ନିୟନ୍ତ୍ରଣରେ ରଖିଛନ୍ତି (ଢାଳିଲୁ, ତୋଳିଲୁ, ମୁକୁଳା, ପଖଳା, ପୁଞ୍ଜିତ, ବଂଚିତ, ଦୀପ୍ତ, ବହି, ଶୋଷେ, ପୋଷେ, ଧସାଇ, ଭସାଇ, ଦୃପ୍ତ, ମତାଇ, ତତାଇ, ଚେତାଇ, ଦଳୁନି, ବସି, ଛପି, ଜଣାଏ, ଗାନ୍ଧିଝୁଲି, ମୋଡ଼ିବା, ଭସାଇବା, ରୋଉଚି, କଅଁଳା, ନୁତନ, ପ୍ରୀତି, ରକ, ଉଷୁମ, ନରମ... ଇତ୍ୟାଦି) ।

 

ଏବେ ‘କ’ ସ୍ତରର ଦୃଷ୍ଟାନ୍ତଗୁଡ଼ିକୁ ଲକ୍ଷ୍ୟ କରାଯାଉ । ପ୍ରତ୍ୟେକ ପଙ୍‌କ୍ତିରେ ଆଭିଜାତ୍ୟ ପାରମ୍ପରିକ ପ୍ରସିଦ୍ଧିର ଶବ୍ଦ ସହିତ ଗ୍ରାମ୍ୟ ଅଭିଜାତ ଓ ଅନାଭିଜାତ ଶବ୍ଦର ମିଶ୍ରଣରେ ପଙ୍‌କ୍ତିଗୁଡ଼ିକ ଭାବନାକୁ ଆଭିଜାତିକ ଶବ୍ଦରେ ପ୍ରତିଭାସନ ଧର୍ମରେ ଉପସ୍ଥାପନ କରିବା ।

 

ଭାବାନୁସାରୀ ଶବ୍ଦ ନିର୍ବାଚନ ଓ ବସାଣରେ ସମଧ୍ୱନ୍ୟାତ୍ମକ, ସମନାଦିକ ଓ ସମପ୍ରାଣଶକ୍ତିର ଶବ୍ଦକୁ ବାଛି ଖଂଜି ପଦବିନ୍ୟାସରେ ଅନ୍ତର୍ଛନ୍ଦୀୟ ସ୍ଵବରଲହରୀ ଏବଂ ଆରୋହ-ଅବରୋହାତ୍ମକ ଆବୃତ୍ତିସୁଲଭ ଶ୍ରୁତିପ୍ରିୟତା ସୃଷ୍ଟି କରିବା ।

 

ନିର୍ଦ୍ଦିଷ୍ଟ ଅର୍ଥବିନ୍ଦୁରେ ବାନ୍ଧିହୋଇ ରହୁଥବା ଶବ୍ଦ ଅପେକ୍ଷା ଭାବକୁ ସୂକ୍ଷ୍ମରମଣୀୟ କରି ନାନାମୁଖୀ ପ୍ରତୀୟମାନତାରେ ବ୍ୟାପକ କରିଦେଉଥିବା ଶବ୍ଦମେଳି ତିଆରି କରିବା ।

 

ଶବ୍ଦକୁ ଅର୍ଥ ନିଷ୍ପତ୍ତିକାରକ ଭଂଗୀରେ ପ୍ରୟୋଗ ନକରି ଭାବ ଓ ଚେତନା ନିର୍ମାଣକାରୀ ବର୍ଣ୍ଣନାତ୍ମକ ଶକ୍ତିରେ ବ୍ୟବହାର କରିବା । ଭାବସଂଚାରଧର୍ମୀ ଆଭିବ୍ୟକ୍ତିକ ଗୁଣରେ ଶବ୍ଦ ସହିତ ଶବ୍ଦର ସହସମ୍ବନ୍ଧ ନିର୍ମାଣ କରି ପଦସଂଘଟନା କରିବା ।

 

ଭାବକୁ ଆବେଗିକ ଶିଥିଳତା ନ ଦେଇ ପାଠକର ମାନସକ ପ୍ରତିକ୍ରିୟାରେ ରୂପାନ୍ତରିତ କରିପାରୁଥିବା ତାର୍କିକ ଭଙ୍ଗୀର ଶବ୍ଦକୁ କବିତାରଚନାର ମାଧ୍ୟମ କରିବା (ପ୍ରାୟତଃ ଆହ୍ଵାନୀଗୁଣର, ସାମ୍ୟବାଦୀ ଚେତନା ଉଦ୍‌ବୋଧନଶୀଳ ଭାବାଭିବ୍ୟକ୍ତି କାଳରେ ଅନନ୍ତ ଏ ପ୍ରକାର ତାର୍କିକ କାବ୍ୟଭାଷା ଓ କାବ୍ୟିକ ଶବ୍ଦ ବ୍ୟବହାର କରିଛନ୍ତି) ।

 

ଶବ୍ଦକୁ ମୂଳ ଅଭିଧା ଅର୍ଥକେନ୍ଦ୍ରରୁ ବିଚ୍ୟୁତ କରାଇ ପ୍ରତୀକାତ୍ମକତା ଗୁଣରେ ପ୍ରତିନିଧମୂଳକ କରାଇଦେବା । ଅନେକ ନୂତନ ସାମ୍ୟବାଦୀ ଓ ବାସ୍ତବବାଦୀ ଚେତନା ଅନୁକୂଳ ପ୍ରତୀକ (ପୋଏଟିକ୍‌ ସିମ୍ବଲ), ରୂପକ (ଆଲିଗୋରି), ଚିତ୍ରକଳ୍ପ (ଇମେଜ୍‌) ଅନନ୍ତକବିତା ମାଧ୍ୟମରେ ଓଡ଼ିଆ ବାଙ୍‌ମୟ କଳାକ୍ଷେତ୍ରକୁ ଯୋଗାଇ ଦେଇଛନ୍ତି ।

 

ଶବ୍ଦର ଅନୁରଣାତ୍ମକ ଧ୍ଵନ୍ୟାତ୍ମକ ଦ୍ୱିତ୍ୱତା ଓ ପୁନରାବୃତ୍ତି (ପରିସ୍ପନ୍ଦନ ସୃଷ୍ଟିକ୍ଷମ) ମାଧ୍ୟମରେ ଭାବର, ବ୍ୟକ୍ତବ୍ୟର ଓ ପ୍ରତିପାଦ୍ୟ ବସ୍ତୁବୋଧର ଗୁରୁତ୍ଵ ବୃଦ୍ଧି କରିବା ଓ ଗମ୍ଭୀର-ଚେତନାଦ୍ୟୋତକ ବିଷୟଟିକୁ କୋମଳ ଭଙ୍ଗୀରେ କହିବା ।

 

ଅକ୍ଷରମାତ୍ରିକ ବଚନବିନ୍ୟାସ, ମାତ୍ରାବୃତ୍ତିକ ଅକ୍ଷର ବିନ୍ୟାସ, ପଦର ଆଦ୍ୟ, ମଧ୍ୟ ଓ ଅନ୍ତ ସୋପାନରେ ଶାବ୍ଦିକ ଧ୍ଵନିମାଧୁର୍ଯ୍ୟ ନିର୍ମାଣ, ବିଶେଷଣ-ଅବ୍ୟୟ-କ୍ରିୟାଦି ଶବ୍ଦକୁ ପଙ୍‌କ୍ତିର କେନ୍ଦ୍ରୀୟ ଶବ୍ଦ ଭାବରେ ଗ୍ରହଣ ନ କରି କବିତାର ପ୍ରତିପାଦ୍ୟକୁ ଭଙ୍ଗୀବୈଚିତ୍ର୍ୟମୂଳକ କରିଦେବା (ଝରରେ ରୁଧିର, ତର୍ପଣ କରେ ଆଜି, ସର୍ବହରା, ହଟାଅହଟାଅ, ଆସିଚି ମୁଁ ଆସିଚି, ଫୁଟିବି ମୁଁ ଫୁଟିବି, ସ୍ଵପ୍ନଦେଖୁଚି, ମେଘକନ୍ୟା, ତୃଷ୍ଣା, ଏଇ ଶରତର ସକାଳ ଉଖାରି ଦେଲି, ଅସରା ଶ୍ରାବଣର, ଚୈତ୍ର-ଧାରା... ଇତ୍ୟାଦି କବିତାର ଅନେକ ପଙ୍‌କ୍ତି ଏଠାରେ ଉଦାହରଣ ଯୋଗ୍ୟ ।)

 

ଗୋଟିଏ ଗୋଟିଏ କବିତାରେ ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ଅନୁଭବ, ଘଟଣା ଓ ଦୃଶ୍ୟାନୁଭୂତିକୁ କାହାଣୀଧର୍ମୀ କରି ଉପସ୍ଥାପନା କରିବା ଏବଂ ଏଥିନିମନ୍ତେ ପଦ ସହିତ ପଦର ମିଳନ ଘଟାଇ କାହାଣୀଯୋଗ୍ୟ ଭାବାଂଶକୁ ଉକ୍ତି ବୈଚିତ୍ର୍ୟମୂଳକ କରି ପରିବେଷଣ କରିବା । (ଅସରା ଶ୍ରାବଣର, ଶହୀଦ ନୁହେଁ ସୃଷ୍ଟିପଥେ, ଦେଲୋ ମାଆ, ନୂଆବୋହୂଟି ସେ ଅନାଇଥାଏ, ଦଇନି, ବାତ୍ସଲ୍ୟ ଆଦି କବିତା ଏଠାରେ ସ୍ମରଣ ଓ ପଠନଯୋଗ୍ୟ ।)

 

ପ୍ରଥମପୁରୁଷ ବାଚନିକତା ମଧ୍ୟରେ କବିତାର ପ୍ରତିପାଦ୍ୟକୁ ବର୍ଣ୍ଣନା କରିବା; ମାତ୍ର ଆତ୍ମନିଷ୍ଠସ୍ୱୀକାରୋକ୍ତିମୂଳକ ନ ହୋଇ ମୁଁ/ଆମ୍ଭେ ଆଦି ପ୍ରଥମ ପୁରୁଷୀୟ କଥନୀକୁ ସାର୍ବଜନୀନ ଉପଲବ୍ଧି ଓ କଥନୀର ପ୍ରତୀକ କରିଦେବା । ଶବ୍ଦ ବ୍ୟକ୍ତିନିଷ୍ଠ ଆବେଗିକ, ମାତ୍ର ଶବ୍ଦର ଆବେଦନ ସମୂହ ଗଣବୋଧର । ବ୍ୟକ୍ତିବାଚକ ଶବ୍ଦକୁ ତୀର୍ଯ୍ୟକଗୁଣରେ ସମଷ୍ଟିବାଚକ ଅର୍ଥ ନିଷ୍ପତ୍ତିମୂଳକ କରିଦେବା । ଏ କ୍ଷେତ୍ରରେ ତାଙ୍କର ଅନେକ କବିତା ବାହାରୁ ପ୍ରଥମ ପୁରୁଷୀୟ ପ୍ରଣୟାନୁଭବର ମନେହେଉଥିଲେ ବି ତହିଁରେ ବେଶ୍‌ ସୂକ୍ଷ୍ମ ସ୍ଫୁଟକଧର୍ମରେ ନିପୀଡ଼ିତ ମଣିଷ ଆତ୍ମାର, ଇଚ୍ଛାର, ସାମାଜିକ ସ୍ଥିତିର ଓ ବାସ୍ତବ ଅବସ୍ଥାର ଦରଦୀ ଅନୁଭବ ଜଡ଼ିତ ହୋଇ ରହିଥାଏ । (ଏଠାରେ ମୁଁ ଅଛି/ଫୁଟିବି ମୁଁ ଫୁଟିବି/ଆସିଚି ମୁଁ ଆସିଚି/କାହା ଆଗୋ ସାଥି/ଉଡ଼ାଇ ଦେଲି/ସ୍ଵପ୍ନଦେଖୁଚି/ମୁଠିଏ ବୋଲି ହସ/ତୁମକୁ ମୁଁ ଜାଣେ - ଇତ୍ୟାଦି କବିତା ପଠନୀୟ) ।

 

ଶବ୍ଦମାନଙ୍କୁ ଆଞ୍ଚଳିକ ଅନୁଭୂତି ଓ ପାରିପାର୍ଶ୍ୱିକ ଜୀବନପିଣ୍ଡିରୁ ଆଣି ତହିଁରେ ବୃହତ୍ତର ମାନବର ଭାବନାକୁ ସାଦୃଶ୍ୟ-ରୂପାତ୍ମକ ଓ ବୈପରୀତ୍ୟ ଚାତୁର୍ଯ୍ୟୋକ୍ତି ଛଳରେ ଦୃଶ୍ୟଯୋଗ୍ୟ କରିଦେବା ।

 

ଲୋକ ଉପାଦାନ, ରୂଢ଼ିବୈଚିତ୍ର୍ୟ, ଅବ୍ୟୟ ପଦପ୍ରାଧାନ୍ୟ, ଶବ୍ଦର ସମାନ୍ତରାଳ ସ୍ଵରତାନିକ ବସାଣ ସହିତ ଓଡ଼ିଆ ଲୋକଗୀତାନୁସାରୀ ଛନ୍ଦନିପାତନ ବିଧିକୁ ମାନି ବଚନ ବିନ୍ୟାସକ୍ରମ ନିର୍ମାର କରିବା । ଏକାନ୍ତର ମିତ୍ରାକ୍ଷରୀୟ ଛନ୍ଦର ମଦିରମୟ ବିହ୍ୱଳ ଗୁଣରେ ରଚନାବିଧିକୁ ଆବୃତ୍ତିସୁଲଭ ତୀବ୍ରତା ପ୍ରଦାନ କରିବା । ଶବ୍ଦ ଶବ୍ଦ ଭିତରେ ଆନ୍ତର୍ମେଳିକ ଆନୁପ୍ରାସିକତା ସୃଷ୍ଟି କରି ଧ୍ଵନିମାତ୍ରିକ ବାକ୍‌ରୀତି ସମ୍ପାଦନ କରିବା । ଏହାଦ୍ୱାରା କାବ୍ୟିକ ଶବ୍ଦ ପ୍ରଥମେ ଇନ୍ଦ୍ରିୟ ଉପଲବ୍ଧିର (ଶ୍ରୁତିପ୍ରିୟତା) ହୁଏ, ତା’ପରେ ପାଠକର ଆବେଗିକ ମାନସିକତାକୁ ଭାବୋପଲବ୍‌ଧିମୂଳକ କରିଦିଏ ଏବଂ ଶେଷରେ କବିତାର ପ୍ରତିପାଦ୍ୟ ଚିନ୍ତାଧାରାକୁ ଆତ୍ମୋପଲବ୍‌ଧିର କରିଦିଏ ।

 

ଶବ୍ଦକୁ ଏକସାଂଗରେ ଶୀତଳତା, ମଧୁରତା, କୋମଳତା ଓ ଉଷ୍ଣତା ଗୁଣରେ ସଂଯୁକ୍ତ କରିଦେଇ କବିତାକୁ ବିଚିତ୍ରମାର୍ଗୀ କରି ଗଢ଼ି ତୋଳିବା । (ହେ ଧରଣୀ ଉଦୟ ସୂର୍ଯ୍ୟ ଫୁଟେ । କେବେକେବେ କିଆଁ କବିତା ଲେଖେ, ସାରେକି ପରାଣବୁହା, କାଳିସୀ ଲାଗିଲା ମତେ, ଆରେ ଦୁର୍ଭାଗା ଦେଶ, ଛବିର ଛାଇ, ବରଫେ ଧରିଛି ଫୁଲ, ଫୁଲ ହୋଇ ପାଉଁଶର ଇତ୍ୟାଦି କବିତା ଏଠାରେ ଏକ ଏକ ଦୃଷ୍ଟାନ୍ତରୂପେ ଅବଶ୍ୟ ପଠନଯୋଗ୍ୟ)

 

ଶବ୍ଦକୁ ବିଦ୍ରୂପର, ଶାଣିତର, ବ୍ୟଂଜନାର, ଶ୍ଲେଷାତ୍ମକ ବକ୍ରୋକ୍ତିର ଓ ବୌଦ୍ଧିକ ତିର୍ଯ୍ୟକର ଆଶ୍ରୟରେ ବକ୍ତବ୍ୟଟିଏ କହିବା ଓ ତାହାକୁ ମାନବିକ ମୂଲ୍ୟବୋଧ ପ୍ରତି ଛଳାଚରଣ କରୁଥିବା ବିଶିଷ୍ଟାୟିତ ଭାବବର୍ଗୀଙ୍କ କୋଣାର୍କ ଉଦ୍ଦେଶ୍ୟରେ ସୂଚୀଭେଦୀ ଶକ୍ତିମତ୍ତାରେ ଆରୋପିତ କରିବା । ଏଥିସହିତ ପଦବିନ୍ୟାସକୁ ରସପ୍ରଦାନ କରିବା, ପ୍ରତିବାଦୀ ତୀବ୍ରତାଗୁଣର ବିଶେଷତାରେ ରୂପାତ୍ମକ କରିଦେବା ତଥା ଉଲ୍ଲେଖାତ୍ମକ ଲକ୍ଷଣରେ ଚାତୁର୍ଯ୍ୟୋକ୍ତି ସଂପନ୍ନ କରିଦେବା । (ଏ ପ୍ରକାରର ଶାବ୍ଦିକ ବିନ୍ୟାସ ନିମନ୍ତେ ପାଠକେ - ‘‘ଆହେ ମହାଗଣକ, ଛବି, ଛବିରଛାଇ, ମଧ୍ୟାହ୍ନ ରାତିରେ, ସାବାସ୍‌, କଥାଟିଏ ଗାଏ ବସି, ମତେ କି ଚିହ୍ନି ତୁମେ, ସାମୟିକ, ରଚିତ ହୋଇଥିଲେ ବି କୋମଳତା ଅପୂର୍ବ ଶ୍ରୁତି ପ୍ରିୟତା ପ୍ରତ୍ୟେକ ପଙ୍‌କ୍ତିର ଜୀବନଧର୍ମ ହୋଇଛି । ପ୍ରତ୍ୟେକ ପଙ୍‌କ୍ତିରେ ଅନନ୍ତଙ୍କ କବିତା ନିର୍ମାଣର ସର୍ଜନଶୀଳ କ୍ରୀଡ଼ାବୃତ୍ତି ପ୍ରବହମାନ ଅନ୍ତଃଛାନ୍ଦସିକତାର ଆରୋହ-ଅବରୋହାତ୍ମକ ରୀତିକୁ ଗ୍ରହଣ କରିଛି । ପ୍ରତ୍ୟେକ ଦୃଷ୍ଟାନ୍ତରେ ରେଖାଙ୍କିତ ଶବ୍ଦଗୁଡ଼ିକ ମଧ୍ୟରେ ଆରୋହ-ଅବରୋହାତ୍ମକ ତାନିକଗୁଣରେ ସହସମ୍ବନ୍ଧ ରହିଛି । ସମସ୍ପନ୍ଦନ ସୃଷ୍ଟିକାରୀ ଶବ୍ଦଗୁଡ଼ିକ ଛାନ୍ଦସିକ ବିଶେଷଣରେ ରମଣୀୟ ଓ ଆକର୍ଷଣୀୟ କରି ପଙ୍‌କ୍ତି ବିନ୍ୟାସ କରୁଛି । ପ୍ରଥମ ତିନୋଟି ଦୃଷ୍ଟାନ୍ତରେ ପଙ୍‌କ୍ତିର ମଧ୍ୟାବସ୍ଥାରେ କଥନଧର୍ମୀ (ଡିକ୍ଟମ ଷ୍ଟାଇଲ ବା ସେଇଂ ଇଜ୍‌ ପାଓ୍ୱାର ବିଶେଷତ୍ୱରେ କଥିତ) ହୋଇ ଶବ୍ଦ ଶବ୍ଦ ଭିତରେ ନାଦିକ ସମାନ୍ତରାଳ ସୃଷ୍ଟି ହୋଇଚି । ଚାରି ପାଞ୍ଚ ଓ ଛଅ ନମ୍ବର ପଙ୍‌କ୍ତିରେ ଆଦ୍ୟ-ମଧ୍ୟସ୍ଥଳରେ ସମାନ୍ତରାଳିକ ଛନ୍ଦସ୍ପନ୍ଦନ ଓ ଶେଷପଂକ୍ତିରେ ମତାଇ-ତତାଇ-ଚେତାଇ’ କ୍ରିୟାମୂଳକ ପଦର ଧ୍ଵନିମାତ୍ରିକ ସ୍ଵରଲହର ଉପସ୍ଥିତ ରହିଛି । କାବ୍ୟିକ ରୀତି ସହିତ ବାକ୍‍ ରୀତିର ମିଳନରେ (୫) ଏକ ଶ୍ରୁତିପ୍ରିୟ ସାରଲ୍ୟଗୁଣ ପଂଙ୍‌କ୍ତିଗୁଡ଼ିକୁ ଆବୃତ୍ତି ଦିଗରୁ ଯେମିତି କୋମଳ ଓ ଗାମ୍ଭୀର୍ଯ୍ୟର ମିଶ୍ରଣରେ ଚମତ୍କାର ଭାବ ଉତ୍ପାଦନ କରିତୋଳିଛି ସେହିପରି ପ୍ରତିଟି ଶବ୍ଦ ସଂଯୁକ୍ତ ହୋଇ ପ୍ରମାଣ କରିଦେଇଛନ୍ତି - ଭଲ କବିତାର ଭଲ ପଙ୍‌କ୍ତିଗୁଡ଼ିକ ସମାଜଜୀବନ ସମୟକୁ ଅଙ୍ଗୀକାର କରିଥିବା ମାନବୀୟ ଉପଲବ୍ଧିର ଗୋଟିଏ ଗୋଟିଏ ଛନ୍ଦବିନ୍ୟସ୍ତ ଛବିମାତ୍ର । ମାୟାକୋଭସ୍କିଙ୍କ କବିତା ସଂପର୍କରେ ବିଶିଷ୍ଟ ଚିନ୍ତାବିତ୍‌ ଓ୍ୱାଟସ୍‌ଡଟନ୍‌ ଥରେ କହିଥିଲେ - ମୁଁ ମୂଳ ୠଷ୍‌ ଭାଷାରେ ସିଧା ବୁଝିପାରୁ ନଥିଲେ ବି ମୋର ସମର୍ଥ ଇନ୍ଦ୍ରିୟଶକ୍ତି ଖଟାଇ ଜାଣୁଛି ଯେ ମାୟାକୋଭସ୍କଙ୍କ କବିତା ଉଚ୍ଚ ପାଟିରେ ସଦମ୍ଭ ଖାଲି ପ୍ରତିବାଦ କରନ୍ତିନି, କଅଁଳ ବୁଝାଣଧର୍ମରେ ଜୀଅନ୍ତା ମଣିଷର ଇଚ୍ଛିଲା କଥାଗୁଡ଼ିକୁ ଛନ୍ଦପ୍ରଧାନ ଭାଷାରେ ଛବିଟିଏ ପରି ଦେଖାଇ ଦିଅନ୍ତି । ଅନନ୍ତଙ୍କ କବିତା ଠିକ୍‌ ଏହି ମର୍ମରେ ହିଁ ବୁଝାପଡ଼ନ୍ତି । କ’ ସ୍ତରର ଦୃଷ୍ଟାନ୍ତ ପରି ଅନନ୍ତଙ୍କ ଅଧିକାଂଶ କବିତାର ଅନେକ ପଙ୍‌କ୍ତିରେ ଥବା ଅନ୍ତର୍ନିହିତ ତୃପ୍ତିକର ଆଧେୟଟି (କଣ୍ଟେଣ୍ଟ) ଆବେଗିକ ଭାଷିକ ବ୍ୟାଖ୍ୟାନକୁ (ଇମୋଟିଭ୍‌ ଇଣ୍ଟରପ୍ରିଟେସନ୍ନ ଅଫ ଡିକ୍‌ସନ) ଆଧାର କରିଛି । ତାଙ୍କ ପ୍ରତ୍ୟେକ କବିତାର ଭାବସତ୍ତା, ସର୍ଜନାନୁଭୂତି ଓ ବକ୍ତବ୍ୟ ମୁଖ୍ୟତଃ ଧୂଳିମଖା ଜୀବନର, ଜୀଅଁନ୍ତା ସମାଜ ସମସ୍ୟାର । ଏ ପ୍ରକାର ସ୍ଵରରେ ବାସ୍ତବତା, ଶ୍ରେଣୀଚେତନା, ଗାନ୍ଧୀ, ମାର୍କସ, ଗର୍କି, ଟଲଷ୍ଟୟ ସଂପୃକ୍ତ ଅଛନ୍ତି । ତାଙ୍କ କବିତାରେ ପ୍ରଥମେ ଏ ପ୍ରକାର ସ୍ଵର ଶାବ୍ଦିକ ଆବେଗତାକୁ ଧାରଣ କରେ, ତା’ ପରେ କଳନାର ପକ୍ଷରେ ବସେ, ପରେ ପରେ ମସ୍ତିଷ୍କକୁ ଆନ୍ଦୋଳିତ କରେ ଏବଂ ଶେଷରେ ଜୀବନସଂପୃକ୍ତ ପ୍ରସଙ୍ଗଗୁଡ଼ିକୁ ଗ୍ରାହକ ନିକଟରେ ଦୃଶ୍ୟଶୀଳ ଚିତ୍ରାତ୍ମକ ଆକୃତିରେ ରୂପାନ୍ତରିତ କରି ଉଭା କରାଇଦିଏ । ଅନନ୍ତଙ୍କ ସର୍ଜନଶୀଳ ଅନ୍ତଃପୁରୁଷଟି ସ୍ଥିର କରିନେଇଛି-ଭାବର ଉଦ୍‌ବୋଧନୀ ଓ ଆହ୍ୱାନୀଗୁଣ ଅନୁସାରେ ଶବ୍ଦ ନିର୍ବାଚନ କରିବା, ସେସବୁର ଯଥାର୍ଥ ଭାବାର୍ଥ ଉଦ୍ରେକଧର୍ମୀ ବସାଣ ଭିତରେ ଦୃଶ୍ୟବୋଧୀ କରିଦେବା ହିଁ ହେଉଛି ‘କବିତା ରଚନା’ ।

 

ଏବେ ‘ଖ’ ସ୍ତରର ଦୃଷ୍ଟାନ୍ତଗୁଡ଼ିକୁ ବିଚାରକୁ ନେବା । ଏସବୁ ପଙ୍‌କ୍ତିରେ ବ୍ୟବହୃତ ଓ ନିୟୋଜିତ ଭାବାର୍ଥ ଉତ୍ପାଦନଧର୍ମୀ ଶବ୍ଦ ସରଳ-ତରଳ-ଲଳିତ । ଭାବ ସାମ୍ୟବାଦୀ ଚିନ୍ତାବିଶ୍ଵସ୍ତ କବିସତ୍ତାର । କାବ୍ୟାବେଦନର ଅନ୍ତଃରୀଣ ଆଭିମୁଖ୍ୟଟି ପ୍ରତିବାଦୀ ଓ ବିରୋଧି ମାନସିକତାର । ଏ ପ୍ରକାର କାବ୍ୟିକ ଅର୍ଥ ନିଷ୍ପତ୍ତିକାରକ ସାମାଜିକ ଅଙ୍ଗୀକାରବଦ୍ଧତାର ବସ୍ତୁବୋଧକୁ (ଷ୍ଟଫ୍) ପ୍ରବୋଧିତ ଅଭିବ୍ୟକ୍ତି ଦେବା ପାଇଁ ଅନନ୍ତଙ୍କ କବିତ୍ୱ ବ୍ୟଂଜନା, ଶ୍ଲେଷ, ବକ୍ରୋକ୍ତି, ଚାତୁର୍ଯ୍ୟୋକି, ଶାଣିତ ବ୍ୟଙ୍ଗୋକ୍ତିର ସାହଯ୍ୟ ନିଆଯାଇଛି । କାବ୍ୟିକ ଭାଷା ଇଙ୍ଗିତ ଓ ଲାଳିତ୍ୟର ମିଶ୍ରଣକୁ ସଂଙ୍ଖୋଳିଛି । ଏ ପ୍ରକାର ଶାବ୍ଦିକ ଯୋଜନା ଓଡ଼ିଆ କବିତାରେ ନୂଆ ଓ ଚମକପ୍ରଦ ।

 

ଏଥର ‘ଗ’ ସ୍ତରର ନଅଗୋଟି ଦୃଷ୍ଟାନ୍ତକୁ ଲକ୍ଷ୍ୟ କରିବା । ଏଠି କବିତ୍ୱ ଖୁବ୍‌ ସନ୍ତର୍ପଣରେ ରମଣୀୟ ପ୍ରତିପାଦକ ଶବ୍ଦାର୍ଥ ଖେଳ ଖେଳୁଛି । ଖୁବ୍‌ ସୂକ୍ଷ୍ମସ୍ତରରେ କବିସତ୍ତା ସାମ୍ୟବାଦୀ ମାଟିମଗ୍ନ ଇଚ୍ଛାଶକ୍ତି ଓ ସମତାବୋଧ ସମ୍ବେଦୀ ଦାୟବଦ୍ଧ ନିର୍ମାଣାଭିମୁଖ୍ୟକୁ ଜଡ଼େଇ ରଖିଛି । କାବ୍ୟୋପଲବ୍ଧି ରୂପାତ୍ମକ (ଇମେଜେରୀ), ରୂପକାତ୍ମକ (ଆଲିଗୋରିକାଲ୍‌) ସାଦୃଶ୍ୟାତ୍ମକ (ମେଟାଫରିକ୍‌ ), ପ୍ରତୀକାତ୍ମକ (ସିମ୍ବଲିକ୍‌) ଭାଷାପାଟବକୁ ବାହାନା କରି ବିସ୍ତରି ଉଠୁଛି ଓ ସଂଚରିଯାଉଛି । ସୂକ୍ଷ୍ମ ଓ ସାଧାରଣ ଅନୁଭୂତି ସ୍ଥୂଳ ଓ ଚମତ୍କାର ଭାବୋପଲବ୍ଧିରେ ରୂପାନ୍ତରିତ ହୋଇଯାଉଛି । କବିତାର ପଙ୍‌କ୍ତି ଓ ତା’ର ଶବ୍ଦ ସଂହତି କିଛି କହିବା ପୂର୍ବରୁ କିଛି ଦେଖାଇ ଦେଇ କିଛିକୁ ଭିନ୍ନ କରି ସୂଚେଇ (ସଜେଷ୍ଟିଭ୍‌ଲି) ଦେଉଛି । ଏଠି ବା ଏ ପ୍ରକାର କବିତା ପଙ୍‌କ୍ତିକରଣରେ ଗାମ୍ଭୀର୍ଯ୍ୟ ନାହିଁ; ଯଦି ଅଛି ତାହା ତାରଲ୍ୟ ଛନ୍ଦ ଓ ଶବ୍ଦ ପୋଷାକ ଭିତରେ ଛବିଳ ଢଙ୍ଗରେ ରହିଛି; ମାତ୍ର ଓଜନଦାର, ରବପ୍ରଧାନ, ଯୁକ୍ତିନିଷ୍ଠ ଓ ଆସ୍ପର୍ଦ୍ଧାପ୍ରାଣ ହୋଇ ରହିଛି । କାବ୍ୟ ଭାଷାର ଏପରି ବିଚିତ୍ର ସଜାଣ, ଆରୋପଣ ଓ ନିର୍ଣ୍ଣୟାତ୍ମକ ଅଙ୍ଗୀକରଣକୁ ଓଡ଼ିଆ ପାଠକେ ଆଗରୁ ଦେଖି ନ ଥିଲେ - ଏହା ହିଁ ନିର୍ବିବାଦୀୟ ସତ୍ୟ । ମାଟି ଛାତି ଭିତରର ଗହିରରେ ପରିଣତ ହେବ ଏବଂ ସେ ଗହିରରେ ମଣିଷ ସୁହାଗର ସଶ୍ରଦ୍ଧ ଗାନଚାରା ରୋଇ ହୋଇଯିବ, କାମନା କଅଁଳିଆରୁ କ୍ରମଶଃ ପାଚିପାଚି ଯିବ, ହସ ମୁରୁଜପରି ବିଚ୍ଛୁରିତ ହୋଇଯିବ ଏବଂ ତା’ପରେ ଦରଦୀ ଉପଲବ୍ଧିର ନୂଆ ଆଶାର ଫସଲ ଝୋଟିଚିତା ପରି ଦିଶିଯିବ, ହାଡ଼ ଯୋଡ଼ିନାଗରାର ବାଜଣାଶବ୍ଦ ଶୁଣାଇବ, ମନ ଭିତରେ ଆକାଶ ବିସ୍ତରିଯିବ, ଶବର ସଂସାରରେ ନବଜୀବନର ଶସ୍ୟର ସାଗରଶୋଭା ସୃଜି ହୋଇଯିବ-ଏପରି ରୂପାୟଣୀକରଣ ସତରେ କବିର ନାଁ ଶବ୍ଦଖେଳାଳିର, ଅଥବା ଚିତ୍ରକରର.. ଏମିତି ଏମିତି କରି ବୁଝିଲାବେଳକୁ ପ୍ରକୃତ ସତ୍ୟଟି ଏପରି ଭାବରେ ଉଧେଇ ଉଠିବ-ଏ ଆଉ କାହାର ନୁହେଁ; କେବଳ ଅନନ୍ତୀ ଯାଦୁକବିତ୍ଵର । ପୁନଶ୍ଚ ଢଳଢଳ, ଉଡ଼ିଉଡ଼ି, କଳକଳ, ସୋରିସୋରି, ତୋଳୁ ତୋଳୁ, ଥରଥର, ହସହସ, ଧାରଧାର, ହାଡ଼େବାଡ଼େ - ଏପରି ଦ୍ୱିତ୍ୱ‌ ଶବ୍ଦର ଆନୁପ୍ରାସିକତା ଅନନ୍ତଙ୍କ କାବ୍ୟଭାଷାର ଅନ୍ୟତମ ବିଭବ । ‘ଗ’ ସ୍ତରର ଛଅ ସଂଖ୍ୟକ ଦୃଷ୍ଟାନ୍ତକୁ ଅନନ୍ତଙ୍କ କବିତାଜଗତର ଅନ୍ୟତମ ଶୈଳୀତାତ୍ତ୍ୱିକ ନମୁନା ଭାବରେ ଆମେ ଗ୍ରହଣ କରିପାରିବା । ଅକ୍ଷରମାତ୍ରିକ ଧ୍ଵନ୍ୟାତ୍ମକ ଆନୁପ୍ରାସଙ୍ଗିକତାର ଶବ୍ଦନିର୍ବାଚନ କରି ଶ୍ରୁତିମାଧୁର୍ଯ୍ୟ ସୃଷ୍ଟି କରିବା, ଅନ୍ତର୍ଛନ୍ଦୀୟ ସୌନ୍ଦର୍ଯ୍ୟ ପ୍ରସ୍ତୁତ କରିବା ଓ ଶବ୍ଦକୁ ଭାବାନୁସାରୀ ଚମତ୍କାରୀ ଅର୍ଥ ନିଷ୍ପତ୍ତିମୂଳକ କରିପାରିବା - ଏକ ପ୍ରକାର କାଳିସୀ ଲଗା ଯାଦୁ କବିତ୍ୱର କ୍ରୀଡ଼ା ବ୍ୟତୀତ ଆଉ କିଛି ନୁହେଁ ।

 

ପରିଶେଷରେ ଭାବନିର୍ମାଣ ଓ ପ୍ରବୋଧନ ଦିଗରୁ ଅନନ୍ତଙ୍କ କବିତା ଆମ ପାଠକୀୟତାକୁ ସମାଜ ଓ ସମୂହ ସହିତ ଯୋଡ଼ଦିଏ, ମାନବୀୟ ମୂଲ୍ୟବୋଧାନୁସାରେ ସାମାଜିକ ବ୍ୟବସ୍ଥାକୁ ବଦଳାଇଦେବାର ସାମର୍ଥ୍ୟ ଯୋଗାଇ ଦିଏ ଓ ବିବେକକୁ ଯଥାର୍ଥ ପ୍ରତି ଆହ୍ୱାନ କରିଦିଏ । ଏସବୁ ଊର୍ଦ୍ଧ୍ୱରେ ତାଙ୍କ କବିତାର ଅଧିକାଂଶ ପଙ୍‌କ୍ତି ଭାବକୁ ବସ୍ତୁ, ବସ୍ତୁକୁ ବ୍ୟକ୍ତି, ବ୍ୟକ୍ତିକୁ ଦୃଷ୍ଟାନ୍ତଗୁଣର କରିଦେଉ ଦେଉ ପାଠକର ସ୍ମୃତିର ସଂପଦ ହୋଇଯାଏ । ବେଳ ଅବେଳରେ ପାଠକ ଶୁଣୁ ଶୁଣୁ, ସ୍ମରୁ ସ୍ମରୁ, ଗୁଣୁ ଗୁଣୁ ଏହି ସିଦ୍ଧାନ୍ତରେ ପହଞ୍ଚେ ଯେ ଏ ପ୍ରକାର କବିତା ପଙ୍‌କ୍ତି କେବଳ ଅନନ୍ତ ହିଁ ଲେଖିପାରନ୍ତି; ଯାହାକୁ ବିଶ୍ଲେଷୀ ବସିବା ମାତ୍ରେ ପାଠକ କବିଟିଏ ହୋଇଯିବାକୁ ଭିତରେ ଭିତରେ ଛଟପଟ ହୁଏ ।

 

ସଂକେତ ସୂଚୀ

୧.

ସମାଧାନ - ନବଭାରତ, ୧ମ ବର୍ଷ, ୬ଷ୍ଠ ସଂଖ୍ୟା, ନଭେମ୍ବର - ୧୯୩୩ ।

 

ଦେବତା ନାହିଁ ଭୁବନବନେ-ନବଭାରତ, ୧୩୪୨, ବୃଷ, ୧ମ ବର୍ଷ, ୧୨ଶ ସଂଖ୍ୟା ।

 

ଉଦ୍‍ବୋଧନୀ - ନବଭାରତ, ୧୩୪୨-୨ୟ ବର୍ଷ, ଷଷ୍ଠ-ସପ୍ତମ ସଂଖ୍ୟା ।

 

‘ତାଙ୍କର ପ୍ରଶଂସକ ଓ ସମାଲୋଚକ ଉଭୟ ତାଙ୍କୁ ଆଖ୍ୟା ଦିଅନ୍ତି ଶବ୍ଦର ଯାଦୁକର ରୂପେ’ ଅନନ୍ତ ପଟ୍ଟନାୟକ : ଏକ ଗୀତିକାବ୍ୟର ନାମ, କୃଷ ପ୍ରସାଦ ପଟ୍ଟନାୟକ, ନୂଆ ଦୁନିଆଁ, ୧୯୮୭ ।

ସାହିତ୍ୟରେ ଶ୍ରେଣୀ ପରତା’, ଅନନ୍ତ ପଟ୍ଟନାୟକ, ଆଧୁନିକ, ୧୯୩୬, ସେପ୍ଟମ୍ବର, ୫ମ ସଂଖ୍ୟା, ପଠନ ଦ୍ରଷ୍ଟବ୍ୟ ।

୩.

‘କବି ଅନନ୍ତ ବିପ୍ଳବ ଓ ସାମ୍ୟବାଦର ବାର୍ତ୍ତା ଶୁଣାଇଲାବେଳେ ତାଙ୍କର କବିତାଗୁଡ଼ିକରେ ଶବ୍ଦ-ଗୁଂଫନର xxx ଅସାମାନ୍ୟ ବୈଚିତ୍ର୍ୟ xxx ବିପ୍ଳବର ଅଗ୍ନିକଣା, ସହରୀ ଜୀବନର ନୂତନ ସ୍ପନ୍ଦନ ଓ ଗ୍ରାମ୍ୟ ଜୀବନ ଧାରାର ବୈଶିଷ୍ଟ୍ୟ ଓ ମହକ ଏସବୁ ଅଭୂତପୂର୍ବ ସାଙ୍ଗୀତିକ ମହତ୍ତ୍ଵ ନେଇ ତାଙ୍କର କବିତାଗୁଡ଼ିକରେ ପ୍ରକଟ ହୋଇଉଠନ୍ତି ।’ - ବିଜୟ କୁମାର ଶତପଥୀ, ଅନନ୍ତ ପଟ୍ଟନାୟକ, ପୃ-୭୩ ।

୪.

ଅନନ୍ତ ପଟ୍ଟନାୟକ ଆସିଲେ, ରହିବେ : ରମାକାନ୍ତ ରଥ, ଅଳକାନନ୍ଦା, ୫ମ ବର୍ଷ, ୨୦୧୧- ପଠନ ଦ୍ରଷ୍ଟବ୍ୟ ।

୫.

‘ଭାବ ପ୍ରଭାବୀ କବିତ୍ୱ ଅପେକ୍ଷା ତାହା ଶବ୍ଦ ପ୍ରଭାବୀ’ - ପଠନ ଦ୍ରଷ୍ଟବ୍ୟ - କବି ଅନନ୍ତ ପଟ୍ଟନାୟକ, ଦୀପକ ମିଶ୍ର, ଝଙ୍କାର, ୧୯ଶ ବର୍ଷ, ୧୨ଶ ସଂଖ୍ୟା ।

 

 

ପ୍ରାଧ୍ୟାପକ, ଓଡ଼ିଆ ବିଭାଗ

ଉତ୍କଳ ବିଶ୍ଵବଦ୍ୟାଳୟ, ଭୁବନେଶ୍ୱର

 

***

 

କୋଣାର୍କ ୧୬୫ତମ ସଂଖ୍ୟା

ଜୀବନ-ମୁକ୍ତ-ଦରଦୀ ବିପ୍ଳବୀ କବି ଅନନ୍ତ ପଟ୍ଟନାୟକ

ଅପୂର୍ବ ରଂଜନ ରାୟ

 

ଗୋଟିଏ ନିର୍ଦ୍ଦିଷ୍ଟ ଆଦର୍ଶ ନେଇ ବଞ୍ଚି ରହିବା ଯେପରି କଷ୍ଟସାଧ୍ୟ ବ୍ୟାପାର, ଆଦର୍ଶ-ଆଭିମୁଖ୍ୟ ଆଧାରିତ ସାହିତ୍ୟ ସୃଷ୍ଟ ମଧ୍ୟ ସେପରି ସାଧନା ସାପେକ୍ଷ । ଓଡ଼ିଆ ଭାଷା-ସାହିତ୍ୟରେ ମାର୍କସୀୟ ଦର୍ଶନକୁ ତୋଳିଧରିବା ସହିତ, ମାନବବାଦକୁ ପ୍ରାଧାନ୍ୟ ଦେବା ଦିଗରେ ଯେଉଁ କେତେଜଣ ଓଡ଼ିଆ କବି ନିଜ ଲେଖନୀକୁ ଚଳଚଞ୍ଚଳ କରିଛନ୍ତି, ସେମାନଙ୍କ ମଧ୍ୟରେ ପ୍ରଗତିବାଦୀ କବି ଅନନ୍ତ ପଟ୍ଟନାୟକ ସ୍ଵତନ୍ତ୍ର ସ୍ଥାନର ଅଧିକାରୀ । ସଂସ୍କାର ବିହୀନ ଜୀବନ-ଯାତ୍ରାରେ ସଂସ୍କାର ଆଣି, ଶୋଷିତ ତଥା ନିର୍ଯ୍ୟାତିତ ଜୀବନରେ ନୂତନ ପ୍ରାଣ ସଞ୍ଚାର ଲାଗି ତାଙ୍କ ସାହିତ୍ୟ ସଦାତତ୍‌ପର-। ରାଜନୈତିକ ଅକ୍ଟୋପାସ ଭିତରେ ବନ୍ଦୀ ଜୀବନରେ ସାମାଜିକ ଅରାଜକତାର ତୀବ୍ର ବିରୋଧୀ କବିପ୍ରାଣ ବିଦ୍ରୋହ କରିଉଠିଛି । ସାମ୍ୟ ସ୍ଵରର ଉଦ୍‌ଗାତା ରୂପେ ଭ୍ରାତୃତ୍ୱବନ୍ଧନକୁ ଅଧିକ ଦୃଢ଼ୀଭୂତ କରିବା ଲାଗି ସେ ଆହ୍ଵାନ ଦିଅନ୍ତି । ଅପମାନ, ନିନ୍ଦା ଓ ଭୀରୁତା ଆଦିକୁ ଲୋପ କରିବା ଲକ୍ଷ୍ୟ ନେଇ, ନବଯୁଗ ସାହିତ୍ୟ ସଂସଦର ଉଦ୍‌ଘାଟନ ଉତ୍ସବ ଉପଲକ୍ଷେ ୧୯୩୫ ମସିହା ନଭେମ୍ବର ୨୯ ତାରିଖରେ କଟକର ଶ୍ରୀରାମଚନ୍ଦ୍ର ଭବନଠାରେ ଆୟୋଜିତ ଉତ୍ସବରେ କବି ଅନନ୍ତ ଏକ ଉଦ୍‌ବୋଧନୀ ସଂଗୀତ ଲେଖିଥିଲେ । ଏହାର ସ୍ଵର ସଂଯୋଜନା କରିଥିଲେ ବିଶିଷ୍ଟ ସାମ୍ୟବାଦୀ ନେତ୍ରୀ ମାଳତୀ ଚୌଧୁରୀ । ଏହି ଛଅଦିନିଆ ଉତ୍ସବ ୧୯୩୫ ମସିହା ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଉଦ୍‌ଘାଟନ ଦିବସରେ କବି ପଦ୍ମଭୂଷଣ କାଳିନ୍ଦୀ ଚରଣ ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ । ସେଦିନ ସମବେତ କଣ୍ଠସଙ୍ଗୀତ ଉପସ୍ଥିତ ବିଦଗ୍‌ଧ ଶ୍ରୋତାମାନଙ୍କ ମନରେ ଶିହରଣ ଖେଳାଇ ଦେଇଥିଲା । ଏହି ଛଅଦିନ କାଳ, ନବଯୁଗ ସାହିତ୍ୟ ସଂସଦର ଦଳିତ, ନିଷ୍ପେଷିତକୁ ନିର୍ଯାତନାରୁ ମୁକ୍ତ କରିବା ଲାଗି ଆହ୍ୱାନ ଦିଆଯାଇଥିଲା । ଏଥିରେ ଦାର୍ଶନିକ, ଶିକ୍ଷାବିତ୍‌, କବି, ସାହିତ୍ୟିକ, ସମ୍ବାଦଦାତା ପ୍ରମୁଖ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ଉଦ୍‌ଘାଟନ ଦିବସରେ ନେତ୍ରୀ ମାଳତୀ ଚୌଧୁରୀଙ୍କ ନେତୃତ୍ଵରେ, ଅଶୋକ ରାଓ ଓ ଶ୍ରୀ ଖୋକନ ଜୋଆରଦାର ପ୍ରମୁଖ କବି ଅନନ୍ତଙ୍କ ରଚିତ ସଂଗୀତ ଗାନ କରିଥିବା ଗୀତରୁ କେଇପଦ-

 

‘‘ନବୀନ ଯୁଗର ତରୁଣ ଜାଗରେ ଜାଗ ବନ୍ଧନ ହରା,

ବକ୍ଷ ଶୋଣିତ, ଲକ୍ଷ ଜୀବନ ଖେଳାଅ ଆଲୋକ ଧାରା ।

ଛିନ୍ନ କରରେ ବନ୍ଧନ ରାଜି କ୍ରନ୍ଦନ ହେଉ ଶେଷ,

ଲିପ୍ତ ହେଉରେ ଜାତି ଉପଜାତି ଖଣ୍ଡିତ ଶତ ଦେଶ ।

ମରଣ ଦୁଆରେ ଚରଣ ଅରପି ଗାଅରେ ଅମର ଗାନ,

ପୋଛିଦିଅ ଆଜି ମାନବର ଶିରୁଁ ସଞ୍ଚିତ ଅପମାନ ।’’ - ଉଦ୍‌ବୋଧନୀ

 

ସେଦିନ ଏହି ଉଦ୍‌ବୋଧନୀ ସଙ୍ଗୀତ ଥିଲା ଶୋଷିତ ଜନଗଣଙ୍କ ଲାଗି ଜୀଇଁ ରହିବାର ଉତ୍ସ ବଞ୍ଚିବାର ସଂଗ୍ରାମ ଲାଗି ନବ ଉନ୍ମାଦନା - ଅତ୍ୟାଚାରୀ ସମ୍ମୁଖରେ ଛାତି ପତାଇ ସଂଗ୍ରାମୀ ହେବାର ଦୁଃସାହସିକ ପ୍ରେରଣା- ଶକ୍ତି । ଦୃପ୍ତ ପଦପାତରେ ସକଳ ବନ୍ଧନକୁ ଚୂର୍ଣ୍ଣ ବିଚୂର୍ଣ୍ଣ କରି ନିର୍ଭୀକ ରୂପରେ ଅଗ୍ରସର ହେବାର ମନୋବଳ ବିପ୍ଳବୀ କବି ଅନନ୍ତ ଭରି ଦେଇଥିଲେ । ପ୍ରଗତିବାଦୀ କଳା-କୃତିରେ/କବି, ପରବର୍ତ୍ତୀ ପୀଢ଼ି ପାଇଁ ଯେଉଁ ମୁକ୍ତି-ସ୍ୱର ଶୁଣାଇଥିଲେ, ତାହା ବାସ୍ତବରେ ସତ୍ୟ ହେଲା । ଜାତୀୟ ଜୀବନର ପ୍ରାଚୀନ ପରମ୍ପରା ଉପରେ ନବୀନ ପ୍ରସ୍ଥର ଖସଡ଼ା ପ୍ରସ୍ତୁତ ପାଇଁ କବି ଯେଭଳି ଚିନ୍ତାଧାରା ନେଇଥିଲେ, ତାହା ସ୍ମରଣୀୟ ହୋଉ ରହିଛି । ମଣିଷ ଜୀଇଁ ରହିବାର ବ୍ରତ ଭିତରେ ଜୀବନ ଧାରଣ କରିଥାଏ । କବି ଯେତିକି ନିଜକୁ - ମୁକ୍ତାକାଶରେ ବିହଗ ଭାବୁଛନ୍ତି, ସେ ସେତିକି ପୁଣି ଆଘାତପ୍ରାପ୍ତ ହେଉଛନ୍ତି । ତଥାପି ସେ ଭାଙ୍ଗିପଡ଼ି ନାହାନ୍ତି । ଯେଉଁଠି ରହିଲେ ବି, ସେ ଆକର୍ଷଣୀୟ ହୋଇ ଉଠିବେ । ସେ ଟସର କୀଟଟିଏ ହୁଅନ୍ତୁ ପଛେ, ନିଜେ ଏକ ଗୁଟି ନିର୍ମାଣ କରି ସେଥିରେ ନିଜକୁ ଲୁଚାଇ ରଖିଥିବାବେଳେ, ସେହି ଗୁଟିଟି କୌଣସି ବ୍ୟକ୍ତି ସଝାଇଲେ, ସେହି ତନ୍ତୁଟି ହେବ ତା’ ପାଇଁ ଆକର୍ଷଣୀୟ । କାରଣ ତନ୍ତରୁ ନିର୍ମିତ ଚାଦର ଅତ୍ୟନ୍ତ ସୌମ୍ୟ ରୂପରେ ପ୍ରତିଭାତ ହେବ । ତା’ର କମନୀୟ ଶୋଭା, ଲୋଭନୀୟ ହୋଇଉଠିବ । ଏହି ମର୍ମରେ କବି ଅନନ୍ତ ‘ପ୍ରକାଶ’ କବିତାରେ ଲେଖିଛନ୍ତି-

 

ସେଇ କି ମୋହର ସାର୍ଥକ ପ୍ରୀତି ଖିଏ !

ବୁଜି ବୁଜି ହୋଇ ସେଇଥି ପାଇକି ନିଜର ଭିତରେ ଜୀଏଁ ।”

(‘ଛାଇର ଛିଟା’)

 

ମାର୍କସବାଦୀ ସାହିତ୍ୟତତ୍ତ୍ୱର କବି ଅନନ୍ତ ହେଉଛନ୍ତି ଜଣେ ଉପାସକ । କାର୍ଲମାର୍କସ-ଭୟେବାର, ‘ଡାଇମୟେଷ୍ଟେ ପସିସକେ ଚ୍ୟେନ୍-ସ୍ଲ୍ୟୁରିନ୍‌ ଷ୍ଟାକସନ - ମେଗା’ ଗ୍ରନ୍ଥର ୧ମ ଭାଗ ୧ମ ଖଣ୍ଡରେ କହିଛନ୍ତି ‘‘ମଣିଷ ନିଜ, ଆତ୍ମାର ପ୍ରତିଛବି ସେ ଦେଖିବା ଲାଗି ହକ୍‌ଦାର । ଆତ୍ମା ହିଁ ସତ୍ୟ-ସୂର୍ଯ୍ୟର ପ୍ରତିଫଳନ ଯୋଗୁଁ ଶିଶିରବିନ୍ଦୁ ବହୁ ବର୍ଣ୍ଣରେ ଝଲସି ଉଠିଲେ ବି ସୂର୍ଯ୍ୟ ରଙ୍ଗ ଗୋଟିଏ-।’’ ସେହିପରି ବିଭିନ୍ନ ଭାବରେ ମଣିଷକୁ କଳ୍ପନା କରାଗଲେ ହେଁ ଏବଂ ନାନା ରୂପରେ ଚିତ୍ରଣ କରାଯିବା ସତ୍ତ୍ଵେ ସେ ନିଜର ସତ୍ତା ନେଇ ଜୀବିତ ଅଛନ୍ତି । କବି ମଣିଷର ପ୍ରତିନିଧି ରୂପରେ ନିଜକୁ ପ୍ରତିପାଦିତ କରି, ତାଙ୍କ ସ୍ଥିତିର ରୂପ ନିର୍ଣ୍ଣୟ କରିଛନ୍ତି । ତାଙ୍କ ବିପ୍ଳବୀ ଆତ୍ମାକୁ କୌଣସି ଶକ୍ତି ଧ୍ୱଂସକରିପାରିବ ନାହିଁ - ସବୁଠି ସବୁ ସ୍ତରରେ ନିରାସକ୍ତ ଭାବରେ ତାଙ୍କର ଅବସ୍ଥାନ-। ଦୃଶ୍ୟରେ ଅଦୃଶ୍ୟ ଓ ଅଦୃଶ୍ୟରେ ଦୃଶ୍ୟ ହୋଇ ସବୁ ପ୍ରକାରର ରାଗ ରୋଷକୁ ସହ୍ୟ କରି କବି ଦମ୍ଭ ହୃଦୟ ନେଇ ସାହସର ସହିତ ସ୍ଥିତି ଜାହିର କରିଥାଆନ୍ତି । ମଣିମାଣିକ୍ୟର ପ୍ରାସାଦ ଧ୍ଵସ୍ତବିଧ୍ଵସ୍ତ ହୋଇପାରେ, ଧୂଳିରେ କାଲି ହୁଏତ ମିଶିଯିବ, ଯେଉଁମାନେ ସ୍ୱାର୍ଥନେଇ ଚଳପ୍ରଚଳ ହୁଅନ୍ତି, ସେମାନେ କୁଆଡ଼େ ହଜି ଯାଆନ୍ତି, ମାତ୍ର ସ୍ୱାର୍ଥ ବିହୀନ ସମାଜବାଦୀ ମଣିଷଟି ବଞ୍ଚି ରହେ । କବି ଅନନ୍ତଙ୍କ ଭାଷାରେ –

 

‘‘ମୁଁ ଅଛି, ମୁଁ ଅଛି କେବଳ

ସବୁ ଦୁର୍ନୟର ନିରୋଧ,

ମୁଁ ଅଛି !

ଚିତାଗ୍ନିର ଜିହ୍ୱା ଚାଟି ପାରିନି, ଚାଟି ପାରିବନି ମତେ,

କେତେ ସାହାରାର ଶ୍ୟାମ ଦୁର୍ବାଦଳର

ଦୁର୍ବାର ହସ !’’ (‘ମୁଁ ଅଛି’)

 

ବିପ୍ଳବ ମୁଣ୍ଡ ଟେକେ - ବିପ୍ଳବୀ ଜନ୍ମଗ୍ରହଣ କରନ୍ତି ଗୋଟିଏ ଜାତିର ଦିଗ ନିର୍ଣ୍ଣାୟକ ରୂପରେ । ଫରାସୀ ସାହିତ୍ୟରେ ସୁପରିଚିତ ଲେଖକ ଭଲଟେୟାର, ବାଇଜାକ୍‌, ଋଷୋ, ପାଶ୍‌କାଲ ଭିକ୍‌ଟର ହିଗୋ, ଡେକାଟୋ, ମୋତାଏଁ ପ୍ରମୁଖ ଫରାସୀ ବିପ୍ଳବକୁ ଜନ୍ମ ଦେଇଥିଲେ । ଷୋଡ଼ଶ ଶତାବ୍ଦୀରେ ପେରିଗୋତ୍‌, ଫ୍ରାନ୍‌ସର ଚିନ୍ତାଧାରା ଓ ଦର୍ଶନରେ ନବଦିଗନ୍ତର ସନ୍ଧାନୀ ହୋଇପାରିଥିଲେ । ଭିକ୍‌ଟର ହିଗୋଙ୍କ ଲିଖିତ ‘ଲା ମିଜରେଜଲସ’ ସୁପରିଚିତ ବିଶ୍ୱବିଖ୍ୟାତ ଉପନ୍ୟାସ, ପୃଥିବୀର ଜନ-ଜୀବନରେ ଯଥେଷ୍ଟ ପ୍ରଭାବ ପକାଇଥିଲା । ଆଲେକ୍‌ଜାଣ୍ଡାର ଡୁମାଙ୍କ ସହିତ ଭଲଟେୟାର ଆପଣା ସୃଷ୍ଟି ମାଧ୍ୟମରେ ନବଯୁଗର ସୂତ୍ରପାତ କରିପାରିଥିଲେ । ଫ୍ରାନ୍‌ସର ବିରାଟ ଗଣ- ଆନ୍ଦୋଳନ ପଛରେ ଏହିପରି ବହୁ ଚିନ୍ତାନାୟକଙ୍କ ସଂସ୍କାରବାଦୀ ଚିନ୍ତାଧାରା ଦିଗ୍‌ଦର୍ଶକ ହୋଇଥିଲା । ଚୀନ କ୍ଷେତ୍ରରେ ଏହି ପରିସ୍ଥିତି ଦେଖାଯାଇଥିଲା । ସାହିତ୍ୟିକ ହୁସିନ୍‌ ଓ ଚେନ୍‌ ଟୁ ହସିଉ (Hushin & Chen - Tu-Hsiu) ଙ୍କ ରଚିତ ସାହିତ୍ୟ, ଚୀନ ବିପ୍ଳବ ପାଇଁ ପ୍ରେରଣା ଭରି ଦେଇଥିଲା । ଏହା ହେଉଛି ୧୯୧୧ ମସିହାର ଘଟଣା । ଆମେରିକାରେ ୧୮୬୨ ମସିହାରେ ଲେଖିକା ହ୍ୟାରିଏଟ୍‌ ବିରେଷ୍ଟୋଙ୍କ ରଚିତ ‘Uncle Tom's Cabin’ ଦାସତ୍ୱପ୍ରଥା ଲୋପ ପାଇଁ ଯେଉଁ ବିପ୍ଳବର ନିଆଁ ଜାଳି ଦେଇଥିଲା, ତା’ର ପଟାନ୍ତର ନାହିଁ । (ଏହି ପୁସ୍ତକଟି ଭାରତର ବିଭିନ୍ନ ଭାଷାରେ ଅନୁଦିତ ହୋଇଛି । ଓଡ଼ିଶାରେ ସାହିତ୍ୟିକ ଉଦୟନାଥ ଷଡ଼ଙ୍ଗୀ ‘ଟମକକାଙ୍କ କୁଟୀର’ ନାମରେ ଏହାକୁ ଅନୁବାଦ କରିଥିଲେ । ବିଶ୍ଵର ଏପରି ଚିନ୍ତାଧାରାର ପ୍ରଭାବ ଭାରତୀୟ ସାହିତ୍ୟ ଉପରେ ପଡ଼ିଥିଲା । ୧୯୫୧ ମସିହା ଜୁନ୍‌ ମାସ ୫ ତାରିଖ ସଂଖ୍ୟା ‘ନ୍ୟାସନାଲ ଏରା’ ରେ ଯେତେବେଳେ ଅଙ୍କଲ ଟମସ କ୍ୟାବିନ ଉପନ୍ୟାସର ପ୍ରଥମ ଅଂଶ ପ୍ରକାଶ ପାଇଲା, ଦେଶବାସୀମାନଙ୍କୁ ଏହା ଏପରି ଉଦ୍‌ବୁଦ୍ଧ କଲା ଯେ ଦାସତ୍ୱ ପ୍ରଥା ଲୋପ ପାଇଁ ଗୁଳି ଖାଇବାକୁ ଏମାନେ ପଶ୍ଚାତ୍‌ପଦ ହେଲେ ନାହିଁ । ଗୋଟିଏ ପୁସ୍ତକ ଯେପରି ବହୁ ବର୍ଷର ଦାସତ୍ୱ ପ୍ରଥା ବିରୋଧରେ ସ୍ଵର ଉତ୍ତୋଳନ ପାଇଁ ପ୍ରେରଣା ଦେଇଥିଲା, ତା’ର ପ୍ରଭାବ ବିଶ୍ୱର ସବୁ ସାହିତ୍ୟିକଙ୍କୁ ନୂତନ ଦିଗ୍‌ଦର୍ଶନ ଦେଲା । ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ ବଙ୍ଗଳା ସାହିତ୍ୟର ଜଣେ ଅତ୍ୟନ୍ତ ଉଚ୍ଚକୋଟୀର ଲେଖକ । ପ୍ରଗତିଶୀଳ ଚେତନାକୁ ସେ ସାହିତ୍ୟରେ ଉପସ୍ଥାପନ କରି ଯଶସ୍ଵୀ ହୋଇଛନ୍ତି । “ଆନନ୍ଦ ମଠ’’ ଉପନ୍ୟାସ ଏହାର ଉଦାହରଣ । ବ୍ରିଟିଶ ସରକାରଙ୍କ ନିର୍ଯାତନା ନୀତି ଓ ଶୋଷଣ ମନୋଭାବକୁ ସେ ଏଥିରେ ଚିତ୍ରଣ କରିଛନ୍ତି । ବିପ୍ଳବୀ ତଥା ପ୍ରତିବାଦୀ କବି ନଜରୁଲ ଇସ୍‌ଲାମ ପରାଧୀନ ଭାରତ ବର୍ଷରେ ଯେଉଁ ଜ୍ଵାଳାମୟୀ କାବ୍ୟ- ସ୍ଵର ଶୁଣାଇଥିଲେ, ତାହା ପାଠକପ୍ରାଣରେ ଉନ୍ମାଦନା ଓ କମ୍ପନ ଭରି ଦେଉଥିଲା । ଇଂରେଜର ଶାସନ ବିରୁଦ୍ଧରେ ସେ ଲେଖିଥିବା ‘ଦୁଃଶାସନେର ରକ୍ତ ଚାଲ’ କବିତା ବଙ୍ଗଭାଷାର ବିଜୁଳି ପତ୍ରିକାରେ ପ୍ରକାଶ ପାଇ, ଜନଜାଗରଣ ସୃଷ୍ଟି କରିପାରିଥିଲା । ଏହି ସାପ୍ତାହିକୀ ପତ୍ରିକା ଇଂରେଜ ସରକାରଙ୍କ କୋପ ଦୃଷ୍ଟିରେ ପଡ଼ିଥିଲା । ଏହାକୁ ବାଜ୍ୟାପ୍ତ କରିବା ଲାଗି ସରକାର ଚକ୍ରାନ୍ତ କରିବା ସଙ୍ଗେ ସଙ୍ଗେ ରାଜଦ୍ରୋହ ଅପରାଧରେ କବି ନଜରୁଲ୍‌ଙ୍କୁ ଗିରଫ କରିଥିଲା । ଏଥିରେ ସେ ବିଚଳିତ ନ ହୋଇ ଦୁଇବର୍ଷ କାରାବରଣ କରିଥିଲେ । ଯେଉଁଦିନ କଲିକତାସ୍ଥ ବ୍ୟାଙ୍କସାଲ୍‌ ବିଚାରାଳୟରେ ତାଙ୍କ ବିଚାର ହେଉଥାଏ, ସେତେବେଳେ ସେ ବିଚାରପତିଙ୍କ ପ୍ରକୋଷ୍ଠରେ ଠିଆ ହୋଇ କହିଥିଲେ - “ବିଚାରକ ତୋମାୟ ଡାକ୍‌ଛେ ମରଣ କିନ୍ତୁ ଆମାୟ ଡାକ୍‌ଛେ ଅରୁଣ ଉଷାର ଆଶାର ରବି । ଆଜି ଯଦି ଭାରତ ଭାରତ ନାହୟେ ଇଂଲଣ୍ଡ ହତ, ଇଂଲଣ୍ଡ ଆର୍‌ ଭାରତେର ପଦାନତ ହୟେ ଥାକ୍‌ତ, ତବେ ତୁଣି ଭାଲ୍‌ବେସେଛିଲେ ବଲେ ଆମି ତୋମାୟ ଶାସ୍ତି ଦିତାମି ନା । ଆମାର ଓଇ ଉଚ୍ଚାସନ ଥେକେ ନେମେ ଏସେ ତୋମାର ଗଲାୟେ ଜୟମାଲ୍ୟ ପରିଚୟେ ବିତାମ୍‌ ।” ବଙ୍ଗ ମାଟିର ପ୍ରଭାବ ଓଡ଼ିଆ କବିମାନଙ୍କୁ ବହୁ ଭାବରେ ପ୍ରଭାବିତ କରିଥିଲା । କବି ରାଧାନାଥ ରାୟଙ୍କଠାରୁ ଆରମ୍ଭ କରି, ସତ୍ୟବାଦୀର ଲେଖକ ଓ ଅନ୍ୟମାନଙ୍କୁ ଏହା ଅନୁପ୍ରାଣିତ କରିଥିଲା । ବିପ୍ଳବୀ ଭଗବତୀ ଚରଣ ପାଣିଗ୍ରାହୀ ଜାତୀୟ ଚେତନାକୁ ଶାଣିତ କରିବା ଲକ୍ଷ୍ୟ ନେଇ ଶୁଭାରମ୍ଭ କଲେ ପ୍ରଗତିଶୀଳ ରଚନା । ସେ ହେଉଛନ୍ତି ଯଥାର୍ଥରେ ଓଡ଼ିଆ ପ୍ରଗତିବାଦୀ ଯୁଗର ପ୍ରବକ୍ତା । ତାଙ୍କ ପ୍ରବର୍ତ୍ତିତ ମାର୍ଗରେ କବି ସଚ୍ଚିଦାନନ୍ଦ ରାଉତରାୟ, ମନମୋହନ ମିଶ୍ର ଓ ଆଲୋଚ୍ୟ ଅନନ୍ତ ପଟ୍ଟନାୟକ ପ୍ରମୁଖ ଯେଉଁ ପ୍ରଗତିର ସ୍ଵର ଶୁଣାଇଲେ, ତାହା ସାମାଜିକ ଜୀବନର ସ୍ଵର ସ୍ଵାକ୍ଷରରେ ମୁଖରିତ ହେଲା, । ତାଙ୍କ ସାହିତ୍ୟରେ ସମାଜର ଅସମାନତା ଦୂରୀକରଣ, ଶୋଷଣ ଲାଗି ସ୍ଵର ଉତ୍ତୋଳନ ଓ ବଡ଼ପଣ୍ଡାଙ୍କ ଔଦ୍ଧତ୍ୟ ବିରୋଧରେ ବିପ୍ଳବ ଆଦି ଲାଗି ଆହ୍ୱାନ ଦିଆଗଲା । ବିପ୍ଳବୀ ଅନନ୍ତ ପଟ୍ଟନାୟକ ଗାଇ ବସିଲେ-

 

‘‘ଯେ ଯୁଗେ ମାନବ ଉଡ଼ଇ ଆକାଶେ ବୁଡ଼ଇ ସାଗର ଜଳେ,

ସେ ଯୁଗେ ଆମେରେ ହା ଅନ୍ନ ହା ଅନ୍ନ ଡାକି ବୁଲୁ ବତଶିରେ ।

ଭାଗ୍ୟ ଆଦରି ଦେଉଳ ଦୁଆରେ ମୁଣ୍ଡ ପିଟୁରେ ବସି,

କରଭାର ସହି ଦୀନ ଦୁର୍ବଳ ନ ପାରୁ ଜୀବନେ ହସି ।’’

 

ଶ୍ରମଜୀବୀମାନଙ୍କୁ ଆଶ୍ଵାସନା ଦେଇ, ସେମାନଙ୍କ ଭିତରେ ନିର୍ଭୀକତା ଓ ଧୈର୍ଯ୍ୟ ଭରିଦେବା ଲାଗି କବି ଲେଖନୀ ବଜ୍ର ସ୍ଵର ଶୁଣାଇଚି । ଦାବି ହାସଲ ପାଇଁ ଭିନ୍ନ ଚିନ୍ତା ନୁହେଁ - ଅଭିନ୍ନ ହୃଦୟ ଓ ଦୃନ୍ଦ୍ୱ ନୁହେଁ - ସମରପାଇଁ ସମଚିନ୍ତାର ବାହକ ହେବାର କୌଶଳ ଶିଖିବାକୁ ହେବ-। ଶୋଷକର ଶୋଷିତ ଚିନ୍ତାଧାରା ମୂଳରେ କୁଠାରଘାତ କରିବା ଲାଗି ମଣିଷ ଆଗଭର ହୋଇଉଠୁ । ପାଟି ନ ଖୋଲିଲେ ଦାବି ହାସଲ ଅସମ୍ଭବ । ଏହି ପ୍ରଗତିଶୀଳ ଚିନ୍ତାର ପରିକଳ୍ପନାକୁ ସାକାର ରୂପ ଦେବାରେ କବି ଅନନ୍ତଙ୍କ ଭୂମିକା ଅତୁଳନୀୟ । ତାଙ୍କ କବିତାରେ ଆତ୍ମାଭିବ୍ୟକ୍ତିର ସ୍ଵାକ୍ଷର ନିହିତ । ଦୀପ୍ତିମନ୍ତ୍ର ଉଦ୍‌ବେଳନ ଭିତରେ ସାମାଜିକ ଅଙ୍ଗୀକାରବୋଧ ରୂପାୟିତ ହୋଇଉଠିଛି । ସେଥିରେ ଛଳନା ବା ଆତ୍ମପ୍ରବଞ୍ଚନା ଅପେକ୍ଷା ନିଜସ୍ଵ ଉପଲବ୍‌ଧି ଆତ୍ମପ୍ରକାଶ କରିଛି । ସେହି ଅକୃତ୍ରିମ ଭାବ ଭିତରେ ସତ୍ୟଶୀଳତା ଭରି ରହିଥାଏ । ଯେଉଁମାନେ ନିଃସ୍ଵ, ସେମାନଙ୍କ ପାଇଁ ସ୍ଵଚ୍ଛଳ ପ୍ରାଣର ପ୍ରେମ ପ୍ରକାଶ ପାଉ । ସମତା ମନ୍ତ୍ରରେ ସକଳ ଜୀବନ ମନ୍ତ୍ରିତ ହୋଇଉଠୁ । ଏହି ମର୍ମରେ ସେହି ସମତାପ୍ରେମୀ ଓ ପ୍ରେମପାଗଳ ବିପ୍ଳବୀ କବି ଅନନ୍ତଙ୍କ ଲେଖନୀରୁ ଝରି ଆସେ –

 

“ନିଃସ୍ୱ ଯେତେକ ବିଶ୍ୱର କୋଳେ ସକଳ ଶ୍ରମିକ ଚାଷୀ,

ମିଳିତ ହୁଅରେ ଆମରି ସଙ୍ଗେ ଶଙ୍କା ଜଡ଼ତା ନାଶି ।

ଥରୁରେ ଧରଣୀ ଆକାଶ ପବନ ଥରୁରେ ଶୋଷକ କୁଳ

ହସିଉଠୁ ଆଜି ସମତା ଜଗତେ ଭାଜୁରେ ପାହାଡ଼ ଚୂଳ ।” (ସର୍ବହରା)

 

ଅଶ୍ରୁଳ ବିଶ୍ୱଲାଗି ଲୁହ ଢାଳିବାକୁ ହେବ । ଲୁହ ଦ୍ୱାରା ଏହା ରୁଚିପୂର୍ଣ୍ଣ ହୋଇ ପଡ଼ିବ । କଳାର ବକ୍ତବ୍ୟ ଭିତରେ ସମାଜ ଲୁଚି ରହିଥାଏ । କଳାରେ ଆତ୍ମିକ କି ଆଙ୍ଗିକ ଯାହା ଉପରେ କଳାକାର ଗୁରୁତ୍ଵ ଦେଉନା କାହିଁକି, ସାମାଜିକ ସଚେତନତା ପରିପୂର୍ଣ୍ଣ ହୋଇ ରହିଥାଏ । ଏହାକୁ ସାମାଜିକ ବାସ୍ତବତା ଦୃଷ୍ଟିରୁ ସମାଲୋଚକ F.D Klingender ବର୍ଣ୍ଣନା କରିଥାଆନ୍ତି । ତାଙ୍କ ମତରେ ‘‘Art is a form of social consciousness, that is to say, expressing the feeling and aspirations, the outlook on life and reality as a whole of some specific group of individuals.’’ (content and form in art) ଯେଉଁମାନେ ସାମାଜିକ ବାସ୍ତବତାକୁ ସାହିତ୍ୟରେ ଗୁରୁତ୍ୱ ଦିଅନ୍ତି, ସେମାନେ ଆଙ୍ଗିକ କି ଆତ୍ମିକକୁ ଗୁରୁତ୍ୱ ନ ଦେଇ, ଉଭୟ ଉପରେ ଲକ୍ଷ୍ୟ ରଖିଥାଆନ୍ତି । ସେମାନଙ୍କ ଦୃଷ୍ଟିରେ ଦୁଇଟିଯାକ, କଳାରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନର ଅଧିକାରୀ । ସବୁବେଳେ ଦୁହେଁ ଏକ ହୋଇ ରହିଥାଆନ୍ତି । ସେମାନଙ୍କ ଦୃଷ୍ଟିରେ ‘‘Content and form are thus the inseparable poles of a greater unity.” ସାମାଜିକ ବାସ୍ତବତା ନିଶ୍ଚିତ କଳାରେ ସ୍ଥାନ ପାଇବ- ଏହା ଅକୃତ୍ରିମ ହେବ ଏବଂ ଏଥିରେ ମୌଳିକତା ଉଦ୍‌ଭାସିତ ହୋଇଉଠିବ - ଏହାକୁ ପ୍ରଗତିଶୀଳ ଲେଖକମାନେ ଆଦର୍ଶ ମନେ କରନ୍ତି । ଶୋଷିତ ମାନବାତ୍ମା ପାଇଁ ସେମାନେ ବ୍ୟାକୁଳ-ବ୍ୟଥିତ ।

 

କବି ଅନନ୍ତ ଅଳସ ସ୍ୱପ୍ନବିଳାସୀ କବି ନୁହନ୍ତି - କି କୃତ୍ରିମ ରସିକତାରେ ନିଜ ଲେଖନୀକୁ ରସାଳ କରିବାକୁ ଚାହିଁ ନାହାନ୍ତି.- ଏକ ବୈପ୍ଳବିକ ପଥ ଦେଇ ଅଭିଯାତ୍ରୀ ସାଜି ସାମାଜିକ ସଂସ୍କାରର ମାନ୍ତ୍ରିକ ଭୂମିକାରେ ଅବତୀର୍ଣ୍ଣ ହୋଇଥାଆନ୍ତି । ସେଠାରେ ଶୁଣାଯାଏ ତାଙ୍କର ସ୍ପର୍ଦ୍ଧିତ ସ୍ଵର- ସଂକଳ୍ପର ବେସାଲିସ ଇସ୍ତାହାରର ଅନେକ ସଂଳାପ । ସେହି ସଂଳାପରେ ଶୁଣାଯାଏ ନୂତନ ବଜ୍ର ଶବ୍ଦ ଝଙ୍କାର-। ପେଷଣ, କଷଣର, ବୁକୁଫଟା ଆର୍ତ୍ତ ଚିତ୍କାର ପାଇଁ ସେ ଠିଆ ହୋଇଯାଆନ୍ତି । ସେତେବେଳକୁ କବି ଶୋକର ଦୁର୍ଭେଦ୍ୟ ପ୍ରାଚୀରକୁ ଭାଙ୍ଗି ସାରିଥାଆନ୍ତି- କୃମିକୀଟର ଉଲ୍ଲଙ୍ଗ ଉଲ୍ଲାସ ଚିରି ଦିଅନ୍ତି - ଆଗାମୀ ଭବିଷ୍ୟତର ଉତ୍‍କୀର୍ତ୍ତ ଲିପି ଲଲାଟରେ ବୋଳି ପ୍ରାଣର ମାଲିକରୂପୀ ସୂର୍ଯ୍ୟକୁ ଓ ପ୍ରୀତିର ପ୍ରତୀକ ଚନ୍ଦ୍ରକୁ ସାଥୀକରି ସେ ଆସନ୍ତି । ତାଙ୍କର ଶପଥ ଥାଏ ସେ ବସ୍ତ୍ରହୀନା ନାରୀର ଦଗ୍ଧ ଚକ୍ଷୁର ଜାଳାକୁ ଧ୍ୱଂସ କରିବେ - ଆଉ ଶୋକ ସହସ୍ରଧାର, ପରେ ଅଶ୍ରୁର ଏକ ବିନ୍ଦୁ ବର୍ଷିବାର କାମନା ତାଙ୍କୁ ବ୍ୟାକୁଳ କରିଛି । କବିଙ୍କ ଆତ୍ମାର ନିଭୃତ କୋଣରୁ ସ୍ଵତଃ ଭାସି ଆସୁଛି-

 

“ବେକାର ପ୍ରତ୍ୟୁଷର ଚିତ୍କାର ଆଜି ପୋଛ,

କିରାନି ରାତ୍ରିର ପ୍ରଳାପ ଆଜି ପୋଛ

ପଶୁତ୍ୱର ବିବରମୁଖୀ ବନ୍ଧ୍ୟା ପ୍ରୀତିର ଭ୍ରୁଣ

ମୁଁ ଆସିଚି !”

 

ସମାଜରେ ଚାଷୀକୁ ସମ୍ମାନ ମିଳୁ । ସେହି ହେଉଛି ସଂସାର ପାଳକ । ତା’ର ସମସ୍ତ ସ୍ୱାଧୀନତା ହରାଇ ଦେଲାପରେ, ସେ ପୁଣି ଶୋଷିତ ନ ହେଉ । ତା’ ଲଙ୍ଗଳଚାଳନାରେ ତାକୁ ବାଧା ଦିଆ ନ ଯାଉ । କଷ୍ଟଲବ୍‌ଧ ଶସ୍ୟକୁ ନଷ୍ଟ କରିବାର ଉଦ୍ୟମ ବନ୍ଦ ହେଉ -ତା’ ର କଣ୍ଠରୋଧ କରାନଯାଉ । ସେ ହେଉ ସମାଜର ଆକର୍ଷଣୀୟ ମଣିଷ । ମାର୍କ୍ସବାଦର ଆଦର୍ଶରେ ଶ୍ରେଣୀହୀନ ସମାଜର ଆଦର୍ଶ ଉଜ୍ଜ୍ଵଳ ହୋଇଉଠୁ । ଶୋଷଣହୀନ ଓ ସାମ୍ୟବାଦୀ ସମାଜ ପ୍ରତିଷ୍ଠିତ ହେଉ - ଶାଶ୍ୱତ ହୃଦୟର ଆତ୍ମ ପ୍ରତ୍ୟୟକୁ ଆୟୁଧ କରାଯାଉ । ଦଳିତ ଅବହେଳିତର ପ୍ରାଣର ଭାଷା ବୁଝିବାକୁ ପଡ଼ିବ- ସର୍ବହରା ଉଚ୍ଚ ପିଣ୍ଡାରେ ଆସୀନ କରାଇବାକୁ ହେବ । ଆଉ ସିଂହାସନରେ ଶ୍ରେଣୀପ୍ରିୟ ମଣିଷକୁ ବସାଇ ହେବ ନାହିଁ । ସେହି ପ୍ରଗତିଶୀଳ ଚିନ୍ତାର- ମୁକୁଟ ପିନ୍ଧି କବି ଯେତେବେଳେ ପୀଡ଼ିତ ପ୍ରାଣର ଅଶ୍ରୁ ପୋଛନ୍ତି, ସେତେବେଳେ ସେ କହିଉଠନ୍ତି-

 

‘‘ଲଙ୍ଗଳର ପଥ ରୋଧକର କିଏ ? - ପ୍ରସ୍ତର

ଶସ୍ୟର ସ୍ଥିତ ରୋଧ କର କିଏ ? - ପଙ୍ଗପାଳ !

ଆତ୍ମାର କଣ୍ଠରୋଧ କର କିଏ ? - ଆତତାୟୀ !

ଅନିରୁଦ୍ଧ ସ୍ଥିତ ମୋର ଛୁଟେ

ଦିକ୍‌ -ଦିଗନ୍ତ ଛୁଟେ

ପ୍ରାଣର ପ୍ରଣବରେ ଦୂର ହୁଅ

କାତରାଶ୍ରୁର ପ୍ରେତ,

ମାତୃଘାତୀର ପ୍ରୀତି !

ଆସିଚି ମୁଁ ! ଆସିଚି

ହୃତକମ୍ପର ଜ୍ଵଳଦର୍ଚ୍ଚ ବର୍ତ୍ତି ।”

(ଆସିଚି ମୁଁ ଆସିଚି)

 

ପ୍ରଗତିବାଦୀ ଲେଖକ ଫ୍ରେଡ଼ରିକ ଏଙ୍ଗେଲ୍‌ସ ଶ୍ରମଜୀବୀମାନଙ୍କ ଉପରେ ଅଧିକ ଗୁରୁତ୍ଵ ଦେଇଛନ୍ତି । ସେମାନେ ଦେଶର ମେରୁଦଣ୍ଡ । ସେମାନେ କୂପ-ମଣ୍ଡୁକତା ଦୂର କରିବା ଉଚିତ । କୃଷକମାନଙ୍କୁ ସ୍ଵାଧୀନତା ଦିଆଗଲେ, ସେମାନେ ବୁର୍ଜୋୟା ଜଗତଠାରୁ ଦୂରରେ ରହିପାରିବେ । ସେମାନଙ୍କ ଉପରେ ଅଙ୍କୁଶ ରଖା ନଯାଉ, ଏହି ମହାନ୍‌ ଚିନ୍ତାଧାରା ସମଗ୍ର ବିଶ୍ୱପାଇଁ ମଙ୍ଗଳକର । କାର୍ଲମାର୍କ୍ସଙ୍କ ମତରେ ଶୋଷକ ଓ ଶୋଷିତ ଭିତରେ ଯେଉଁ ପାର୍ଥକ୍ୟ, ତାହା କେବଳ ଶ୍ରମିକର ଶ୍ରମକୁ ଯଥାର୍ଥ ମୂଲ୍ୟାଙ୍କନ ନ କରିବା, ଶ୍ରମ ପାଇଁ ବ୍ୟସ୍ତ ରହି ଶ୍ରମିକ ରାଷ୍ଟ୍ର ଓ ସମାଜର ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରୁଛି, ଅଥଚ ତା’ ଉପରେ ପୁଣି ଅଧିକରୁ ଅଧିକତର ପ୍ରଭୁତ୍ୱ ଜାହିର କରାଯିବାର ମନୋଭାବ ଊଣା ହେଉ ନାହିଁ । ଶ୍ରମର ସମବଣ୍ଟନ ପ୍ରତି ସମାଜପତିମାନେ ଆଦୌ ମୁଣ୍ଡ ଖେଳାଉନଥିବା ବେଳେ ଏବଂ ଏହାକୁ ସେମାନେ ନିଜ କାନ୍ଧକୁ ନେବାଲାଗି ଆଗ୍ରହୀ ହେଉନଥିବା ସ୍ଥଳେ, ଶ୍ରମିକ ପାଇଁ ବନ୍ଧନ ନ ରହୁ ଏହା ତାଙ୍କ ତୁଣ୍ଡରୁ ପ୍ରକାଶ ପାଇଥିଲା । ଏହାର ବ୍ୟବହାରିକ ମୂଲ୍ୟବୋଧକୁ ଦୃଷ୍ଟିରେ ରଖି କବି ପଟ୍ଟନାୟକଙ୍କ କଣ୍ଠରେ ମୁଖରି ଉଠିଥିଲା ଏହି ବିପ୍ଳବର ସ୍ଵର । ଏହି ବୈପ୍ଳବିକ ମାନବବାଦ ଭିତରେ ସମାଜ ଗତିକରି - ପାରମ୍ପରିକ ରକ୍ଷଣଶୀଳତାକୁ କୁଠାରଘାତ କରି, ଈଶ୍ୱର ବିଶ୍ଵାସ ଭାଗ୍ୟ - ଭଗବାନ ପାଇଁ ବିରୋଧୀ ସ୍ଵର ମୁଖରି ଉଠୁ କବି ଭାବି ବସନ୍ତି ।

 

ଶତାବ୍ଦୀର ତୃତୀୟ ଦଶକର ମଧ୍ୟ ପର୍ଯ୍ୟାୟ, ସାହିତ୍ୟ ଭୂମିରେ ନବୀନ ଚାରା ରୋପଣ କଲା । ଏଥିପାଇଁ ଦ୍ୱିତୀୟ ବିଶ୍ଵ ମହାସମରର ଭୟଙ୍କର ପ୍ରଭାବକୁ ଏଡ଼ାଯାଇ ନ ପାରେ । ୧୯୪୨ ମସିହାରେ ପରାଧୀନ ଭାରତରେ ଦେଖା ଦେଇଥିଲା ଭାରତଛାଡ଼ ଆନ୍ଦୋଳନ । ମାର୍କସବାଦୀ ଦର୍ଶନତତ୍ତ୍ୱ ଜୀବନଧାରାରେ ପ୍ରଭାବ ପକାଇଲା । ଶ୍ରମିକ ଆନ୍ଦୋଳନ ନୂଆ ଚେତନାକୁ ଜାଗ୍ରତ କଲା-। ସାମ୍ୟବାଦୀ ଚିନ୍ତା ସାମାଜିକ ବିପ୍ଳବ ଲାଗି ଦିଗ୍‌ଦର୍ଶନ ଦେଲା । ଓଡ଼ିଶାରେ ସାମ୍ୟବାଦ ଆଦର୍ଶର ପୂଜାରୀମାନେ ସାମ୍ୟସ୍ଥାପନ ପାଇଁ ଆପ୍ରାଣ ଉଦ୍ୟମ କଲେ । ଲେଖକମାନେ ଏହାଦ୍ୱାରା ଅନୁପ୍ରାଣିତ ହୋଇ ସାମ୍ୟଗୀତି ଗାଇବାକୁ ଆଗ୍ରହୀ ହେଲେ । ସାମ୍ୟବାଦର କବି ପଟ୍ଟନାୟକ ସମସ୍ତ ସାମ୍ୟହୀନ ପରିବେଶକୁ ଧ୍ୱଂସ କରିବା ଲକ୍ଷ୍ୟ ନେଇ, ପ୍ରୀତି ଓ ବନ୍ଧୁତାର ଶାନ୍ତିସୂର୍ଯ୍ୟ ଉଦୟ ଆଶାରେ ଗାଇ ଉଠିଲେ-

 

“ଚୁପ୍‌କର ! ଚୁପ୍‌କର !

ମୋ ବୁଟ୍‌ ବାଜିଲା,

କପାଳେ, କପାଳେ

ଠକ୍‌ ଠକ୍‌ ସେଇ

ସାମ୍ୟର ତାଳେ

ହୃଦୟେ ହୃଦୟେ

ଶାନ୍ତି ଉଦୟେ,

ପ୍ରୀତି- ଉଦ୍‌ବାହେ

ନିର୍ମମ ଥର ଥର !”

(‘ନିଜ ବନ୍ଦନା ପଢ଼େ’)

 

ଏହା ହେଉଛି, ସମାଜରେ ଧର୍ମଧ୍ୱଜାଧାରୀମାନଙ୍କ ଲାଗି, ଏକ, ଆଘାତ - ମୈତ୍ରୀର ଆବାହନସ୍ୱର । ଶକ୍ତିର ମୂଲ୍ୟାଙ୍କନ ଲାଗି ଅଗ୍ନି ପରୀକ୍ଷା ।

 

ମହାତ୍ମାଗାନ୍ଧୀ କେବଳ ଭାରତ ପାଇଁ ନୁହେଁ- ସମଗ୍ର ବିଶ୍ଵ ପାଇଁ ଆଦର୍ଶ । ତାଙ୍କ ଅହିଂସ ଓ ସତ୍ୟର ଉପାସନା ମାନବ ଜାତି ପାଇଁ ଏକ ଆହ୍ୱାନ- ଆଶ୍ୱାସନା । ତେବେ ଭାରତର ସ୍ୱାଧୀନତା ପରେ ଓ ତାଙ୍କ ବିୟୋଗାନ୍ତେ, ଭାରତର ଜନଜୀବନରେ ଆଉ ସେହି ବାପୁଜୀଙ୍କ ବାଣୀ ଝଂକୃତ ହେଉନାହିଁ । କେବଳ ଶଠତା, ଛଳନା ଓ ପ୍ରବଞ୍ଚନା ଭିତରେ ତାଙ୍କୁ ପୂଜା କରାଯାଉଛି । ତାଙ୍କ ଦୀକ୍ଷା ସଂପ୍ରତି ଦୁର୍ବଳ ହୋଇ ପଡ଼ିଛି । ତାଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ- ତର୍ପଣ କେବଳ ଲୋକ ଦେଖାଣିଆ ହୋଇଯାଇଛି । କବି ପଟ୍ଟନାୟକ ଗାନ୍ଧୀଜୀଙ୍କ ଆଶୀର୍ବାଣୀ ହିଁ ମାନବ ସମାଜକୁ ସୁରକ୍ଷା ଦେଇପାରିବ ଏହି ଅଖଣ୍ଡ ବିଶ୍ୱାସରେ ସେ ତାଙ୍କୁ ସ୍ମରଣ କରିଥାଆନ୍ତି । ଆପଣା ରକ୍ତ ଢାଳି ସହିଦ ହୋଇପାରିଲେ, ସତ୍ୟର ପତାକା ଉଡ଼ାଇ ଶାନ୍ତିର ଆଲୋକରେ ବିଶ୍ୱକୁ ଆଲୋକିତ କରିପାରିଲେ । ନିର୍ଭୀକତା ଭିତରେ ହିଂସାକୁ ବିଲୋପ କରିପାରିଲେ, ବାପୁଜୀଙ୍କୁ ସ୍ମରଣ ସାର୍ଥକ ହେବ ବୋଲି ଜାତିପ୍ରେମୀ କବି ପଟ୍ଟନାୟକ ଆଶାୟୀ ହୋଇଛନ୍ତି । ବାପୁଜୀଙ୍କୁ ନେଇ ବହୁ କବିତା ରଚିତ ହୋଇଛି-। ମାତ୍ର ଏହାଙ୍କ ଲେଖନୀରୁ ଝରି ଆସିଛି ମହାତ୍ମାଙ୍କ ବ୍ୟକ୍ତିତ୍ୱର ଆକଳନ ଭିତରେ ବିପ୍ଳବର ମନ୍ତ୍ରଧ୍ଵନି । ଝରି ଆସିଛି ମହାତ୍ମାଙ୍କ ବ୍ୟକ୍ତିତ୍ୱର ଆକଳନ ଭିତରେ ବିପ୍ଳବର ମନ୍ତ୍ରଧ୍ୱନି ।

 

“ଖୋଲୁଚି ଗହୃନ ମନ ଅରଣ୍ୟ ପଥେ

ଶାଶ୍ୱତ ତୁମ ବିପ୍ଳବୀ ପଦରେଖା ।

ସ୍ତମ୍ଭିତ ଏଣୁ ନିଃସ୍ୱ ଜନତା କହେ-

ପ୍ରଣତିରେ ଧୀରେ ଭୀଷ୍ମ ଶପଥ ବହେ,

“ବାପୁଜୀ ! ତୁମର ବିଦ୍ରୋହ ନୋହେ ଶେଷ !’’

ତୁମରି ଚିତାର ଅଗ୍ନି ଆଲୋକେ

ଗୈରିକ ହୁଏ ଦେଶ;

(‘ତର୍ପଣ କରେ ଆଜି’)

 

ଓଡ଼ିଆ ସାହିତ୍ୟରେ ୧୯୧୦ ମସିହାରେ ଆରମ୍ଭ ହୋଇଥିବା ଜାତୀୟତାର ସ୍ଵର ୧୯୩୫ ପର୍ଯ୍ୟନ୍ତ ଲମ୍ବିଯାଇଥିଲା । ଏଥିରେ ଥିଲା ଆଧିଭୌତିକ ଚେତନା ସହିତ ପ୍ରେମାନୁରାଗର ପ୍ରୀତି ସମ୍ଭାଷଣ । ମାତ୍ର ୧୯୩୫ରୁ ଏହା ବିରୋଧରେ ଏକ ବିପ୍ଳବାତ୍ମକ ସ୍ଵର ଉତ୍ତୋଳିତ ହେଲା । ବିଶ୍ଵଜନର ଦଳିତ ପ୍ରାଣର ମୁକ୍ତି କାମନା ନେଇ, ଯେଭଳି ସଂଗ୍ରାମ, ବିଦ୍ରୋହ ଓ ସଂସ୍କାରକର ବାର୍ତ୍ତା ଶୁଣାଗଲା, ତାହା ଥିଲା ଓଡ଼ିଆ ସାହିତ୍ୟ ଜଗତରେ ଭିନ୍ନ ଏକ ପରିକଳ୍ପନା । ଏହି ପ୍ରସଙ୍ଗରେ ଦଳିତ ପ୍ରାଣର ପ୍ରବକ୍ତା ରୂପେ ବିପ୍ଳବୀ ପ୍ରାଣନାଥ ପଟ୍ଟନାୟକ ମତ ଦିଅନ୍ତି । ସାମ୍ରାଜ୍ୟ-ବାଦବିରୋଧୀ ଓ ସ୍ଵାଧୀନତାକର୍ମୀ ଏହି ସମସ୍ତ ଜାତୀୟତାବାଦୀ ସାହିତ୍ୟ ନିଶ୍ଚୟ ଉଚ୍ଚପର୍ଯ୍ୟାୟଭୁକ୍ତ ସାହିତ୍ୟ ଏବଂ ପ୍ରଗତିଶୀଳ ସାହିତ୍ୟ ନାମରେ ନାମିତ ହେବ, ଏଥିରେ ସନ୍ଦେହ ନାହିଁ । ଭବିଷ୍ୟତରେ ବିଗତ ସାହିତ୍ୟର ଏହି ସମସ୍ତ ସ୍ତରଭେଦ ନିର୍ଣ୍ଣୟ କରି ପ୍ରଗତି ଓ ପ୍ରତିକ୍ରିୟାର ମାପକାଠିରେ ମାପି ତାହାକୁ ପର୍ଯ୍ୟାୟଭୁକ୍ତ କଲାବେଳେ କେହି ଯେପରି ମନେ ନକରନ୍ତି ଆସନ୍ତା କାଲିର ସାହିତ୍ୟ-ତରାଜୁରେ ଓଜନ କଲାବେଳେ ଅତୀତର ହଜାର ହଜାର ବର୍ଷର ସାହିତ୍ୟ ଘର ଶୂନ ପଡ଼ିଯିବ ।’’ (ଆସନ୍ତାକାଲିର ସାହିତ୍ୟ-ପୃଷ୍ଠା- ୨୭)

 

ରୁଷର ବିପ୍ଳବୀ କବି ମାୟୋକଭସ୍କି ଉଦାତ୍ତ ଏବଂ ଉତ୍ସର୍ଗୀକୃତ ପ୍ରାଣରେ ଦିନେ କହିଥିଲେ- ‘‘On every single tear that is shed I myself am crucifred.’’ ଆତ୍ମୀୟ ମାନବିକତା ପ୍ରତିଷ୍ଠା ଲାଗି ଏହାଠାରୁ ବଳି ଆଉ କେଉଁ ସ୍ଵର ବା ସହାୟକ ହୁଅନ୍ତା ! ସେହି ଦରଦୀ କଥନର ତୀବ୍ରତା ବିପ୍ଳବୀ କବି ଅନନ୍ତ ଅନୁଭବ କରିଛନ୍ତି । ଏପରିକି ପ୍ରିୟତମାର ଚିଠିର ଭାଷା - ଆବେଗ ଓ ଅନୁଭବ ମନହେଲା ଶବ୍ଦ ତାଙ୍କୁ ସନ୍ତୁଷ୍ଟ କରିପାରି ନାହିଁ । ସେ ସେହି ଚିଠିରେ ପ୍ରୀତିର ସ୍ଵାକ୍ଷର ଅଛି ବୋଲି ଅନୁଭବ ନ କରି, ସମ୍ବେଦନର ଭାବରେ କହିବସନ୍ତି-

 

“ଏକି ଏ ଚିଠି ନୂଆ ଲେଖିଚି ପ୍ରିୟତମା,

ପୂର୍ଣ୍ଣଚ୍ଛେଦ ଖୋଜେ, ଖୋଜେ ମୁଁ ତହିଁ କମା ।

ପାଇନି ବେତନ ଯେ ଅଶିଣୁ ଅଛି ବାକୀ,

ଉପାସେ ଶୁଖି ଶୁଖି ବୁଝିଲା ନିରିମାଖୀ ।

ଲେଖିଛି ଚିଠି, ସତେ ସାରଳା ଭାରତ କି,

ଗାଇବି କେଉଁ ରାଗେ ଜଳାଇ ଝକମକି ।

ଏ ଝୋଲାମରା ଦେହେ ଝୁଲୁଛି ସିନା ଡୋଳା,

ଭୁଷୁଡ଼ା ରସ କୂପ ହୁଏ କି ଆଉ ଖୋଜା ।”

(‘ଚଇତି ଚିଠି ଆଜି’)

 

୧୯୩୧ ମସିହାରେ କବି ଯେତେବେଳେ ରେଭେନ୍‌ସା କଲେଜର ଛାତ୍ର, ସେହି ତରୁଣ ପ୍ରାଣରେ ପ୍ରୀତିର ସ୍ଵପ୍ନ ଉଙ୍କି ମାରିଛି । ପୂର୍ବରୁ ଓଡ଼ିଆ କବିତାରେ ସବୁଜ ଯୁଗର ସବୁଜିମା ଓ ପ୍ରୀତି ପ୍ରଣୟର ସାର୍ଥକ କବି ଡଃ ମାୟାଧର ମାନସିଂହଙ୍କ ‘ଧୂପ’, ‘ହେମଶସ୍ୟ’ ପ୍ରଭୃତି ପ୍ରକାଶ ପାଇ ପ୍ରେମ-ଉଚ୍ଛ୍ୱାସ ଖେଳାଇ ସାରିଲାଣି । ଏହାର ପ୍ରଭାବରୁ ସେ ମୁକ୍ତ ହୋଇପାରି ନାହାନ୍ତି । ବିପ୍ଳବୀ ତରୁଣ କବି ‘ଚୈତ୍ରଧାରା’ କବିତାରେ ପ୍ରୀତିର-ଭାଷା ଖୋଲିଦେଇ ଲେଖନ୍ତି-

 

“ଦୁର ସୁଦୂରର ଆହ୍ୱାନ ଆସି

ଅନ୍ତରେ ଦିଏ କମ୍ପନ ରାଶି,

ବର୍ଷାରାଣୀର ନୂପୁର ଥରିଲା ପ୍ରୀତି ଚଞ୍ଚଳରେ

ଚିରଯୌବନ ବର୍ଷା ନଇଁଲା ନିବିଡ଼ ତରଳରେ...’’

(‘ଅଲୋଡ଼ା ଲୋଡ଼ା’ - ପୃଷ୍ଠା ୯୮)

 

ଏହି ପ୍ରଗତିବାଦୀ କାବ୍ୟ- ଶିଳ୍ପୀଙ୍କ ସହିତ ମୋର ବ୍ୟକ୍ତିଗତ ସମ୍ପର୍କ ତାଙ୍କ ଦେହାନ୍ତ ପର୍ଯ୍ୟନ୍ତ ଅତୁଟ ରହିଥିଲା । ବିଭିନ୍ନ ସାଂସ୍କୃତିକ ଉତ୍ସବରେ ସେ ମୁଖ୍ୟ ଅତିଥିର ଆସନ ମଣ୍ଡନ କରିଥିବା ବେଳେ, ମୁଁ ମୁଖ୍ୟବକ୍ତା ଭାବରେ ଯୋଗଦେବାର ସୁଯୋଗ ପାଇଥିଲି । ଯେଉଁଦିନ ୧୯୮୦ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ତାଙ୍କ ରଚିତ କବିତା ଗ୍ରନ୍ଥ ‘ଅବାନ୍ତର’ ପୁରସ୍କୃତ ହେଲା, ସେତେବେଳେ ମୁଁ କବିଙ୍କ ଫୋନରେ ଅଭିନନ୍ଦନ ଜଣାଇଲି । ମୁଁ ସେତେବେଳେ ‘ମାତୃଭୂମି’ରେ ସହକାରୀ ସମ୍ପାଦକ ଥାଏ । ସେ ଏହାକୁ ଗ୍ରହଣ କରି ଉତ୍ତର ଦେଲେ, ଏପରି ପୁରସ୍କାର ସମ୍ବାଦ ଅବାନ୍ତର ମନେ ହେଉଛି । ଫୋନରେ ହାସ୍ୟରୋଳ ସୃଷ୍ଟି ହେବାମାତ୍ରେ, ସେ ପୁଣି କହିଲେ - “ଏପରି ଅବାନ୍ତର ରଚନାକୁ ଯେଉଁମାନେ ଏମିତି ବିଚାର କଲେ, ସେମାନଙ୍କ ବିଚାର ବି ଅବାନ୍ତର ।” ସେହି ଗ୍ରନ୍ଥ ଖଣ୍ଡିଏ ମୋତେ ଉପହାର ଦେବାମାତ୍ରେ ତାକୁ ପଢ଼ିସାରି ଜଣେ ମୁଗ୍‌ଧ ପାଠକ ଭାବେ, କବିଙ୍କୁ ଅଭିନନ୍ଦନ ଜଣାଇ କହିଲି- “ଅବାନ୍ତର’’ କବିଙ୍କ ପାଇଁ ମୋର ଏ ଅଭିନନ୍ଦନ ଅବାନ୍ତର ନୁହେଁ - ଯଥାର୍ଥ ।” ମୋତେ ତାଙ୍କ ଛନ୍ଦ ସଂଯୋଜନା ଭଲ ଲାଗେ- ଭାଷାର ମାର୍ଜିତ ବ୍ୟବହାର କବିତାକୁ ରସୋଚ୍ଛଳ କରିଦିଏ । ଓଡ଼ିଆ କାବ୍ୟ ସାହିତ୍ୟରେ ଛନ୍ଦୋବଦ୍ଧ କାବ୍ୟ ସାଧକ ଭାବରେ ସେ ସିଦ୍ଧିର ଅଧିକାରୀ । ଶବ୍ଦ ସଂଯୋଜନା ଅନବଦ୍ୟ । ନୂତନ ଶବ୍ଦ ଗଠନ କରି, ଚମକସୃଷ୍ଟି କରିବା ଭିତରେ କବି ଶ୍ରୀ ପଟ୍ଟନାୟକ ହେଉଛନ୍ତି, ଓଡ଼ିଶାର ଅନନ୍ୟ କାବ୍ୟକାର । ତାଙ୍କ ଛନ୍ଦୋବଦ୍ଧ ରଚନାରୁ ପଦଟିଏ –

 

 

“କେତେ ସରାଗରେ କି ଭୋକ ଉପାସେ କିଣା,

ହେଇରେ ଭାଇ ତୋ, ମାଣିକ ଗାମୁଛା ଗୋଟି ।

ଛାଇ- ଚିରା- ଖରା ଅମରୀ ବାଡ଼ରେ ଉଡ଼େ,

ନାଲି ତୋରା ତୋରା ଦେହେ ତୋ ପଡ଼ିଚି ଲୋଟି ।” (ଅବାନ୍ତର)

 

ଏହି କବିତାଟି ପାଠକରିବା ପରେ କବିଙ୍କର ଦୀର୍ଘ ଦିନ ତଳର କେତୋଟି କବିତା ମନକୁ ଛୁଇଁଯାଏ । ସେଥିରେ ରହିଛି ମର୍ମବେଦନାର ଉଚ୍ଛ୍ୱାସ- ବ୍ୟକ୍ତି ସତ୍ତା ଭିତରେ ବିଶ୍ୱଜନୀନତାର ସମନ୍ଵୟ । ସ୍ପର୍ଶାତୁର ଭାବାବେଶର ପ୍ରଲେପ ଚିନ୍ତାର ଦ୍ୟୋତନା ପ୍ରାଣକୁ ନିଜର କରିନେବାର ଅକପଟ ଶବ୍ଦ ସଂଯୋଜନା ।

 

‘‘ଝାଞ୍ଜି ଉଠେ ଆକାଶେ ଯେବେ ବନ୍ୟା ଆସେ ପ୍ରଖରେ ଛୁଟି,

ଗୋଟିକ ପରେ ଗୋଟିଏ ଯେବେ ସଉଧ ଶିର ପଡ଼ଇ ଲୁଟି ।

ପୁତ୍ରହରା ରମଣୀ ଯେବେ ଧରଣୀ ତଳେ ପଡ଼େରେ ଲୁଟି,

ଈଶ୍ଵର ତୋ ମଉନେ ରହେ ଆସଇ ନାହିଁ ଶିଳାରୁ ଉଠି ।’’

 

ଏହା ହେଉଛି ପ୍ରଗତିଶୀଳ ବିପ୍ଳ‌ବର ନୂତନ ଆହ୍ୱାନ ଓ ଆଲୋଡ଼ନ ଲାଗି ପ୍ରତିକ୍ରିୟାଶୀଳ ଶିବିରରୁ ଶୁଭୁଥିବା ବିଦ୍ରୋହୀ ଅଭିଯୋଗ ବିରୋଧୀ ହୁଙ୍କାରର ପ୍ରତିବାଦ । ମଣିଷ ସମାଜକୁ ଶ୍ରଦ୍ଧାଳୁ ଦୃଷ୍ଟିରେ ଦେଖି ତାକୁ ଆଲିଙ୍ଗନ କରିବା ଲାଗି କବି ଚିତ୍ତ ସତତ ଜାଗ୍ରତ । କେଳାରେ ସମାଜର ମୂଲ୍ୟବୋଧକୁ ଅଗ୍ରାଧିକାର ଦେଇ, ଉର୍ଦ୍ଧ୍ୱାୟିତ ସ୍ୱପ୍ନକୁ ବାସ୍ତବରେ ପରିଣତ କରିବା ଲାଗି କବି, ଲେଖନୀକୁ ସଜାଗ କରିଛନ୍ତି । ସାହିତ୍ୟ କେବଳ ଆନନ୍ଦଲାଗି ନୁହେଁ, ସଂଗ୍ରାମଶୀଳ ଭାବଚେତନାକୁ ଅଧିକ ଉଜ୍ଜୀବିତ କରିବା ଲାଗି, କାବ୍ୟର ଗୁରୁଗମ୍ଭୀର ମନ୍ତ୍ରଧ୍ୱନି, ଧ୍ୱନିତ ହେବା ଆବଶ୍ୟକ । ଏହାର ବାସ୍ତବତା ପ୍ରଗତିଶୀଳ କାବ୍ୟକାରଗଣ ପ୍ରତିପାଦନ କରିଥିଲେ-। ଗଣ ଆନ୍ଦୋଳନ ଲାଗି କବିତାର ଉଦ୍‌ବୋଧନ ଯୁଗର ବାର୍ତ୍ତା ବହନ କରି ଘୋଷିତ ହୋଇଛି । ନବ ବିପ୍ଳବର ଶବ୍ଦଲିପି ସ୍ଵାକ୍ଷରିତ ହୋଇଥିଲା ତତ୍କାଳୀନ କବି ମାନସରେ । କବି ଶ୍ରୀ ପଟ୍ଟନାୟକଙ୍କ କଣ୍ଠରୁ ଝଂକୃତ ହୁଏ-

 

‘‘ଜୀବନ ଦେଇରେ ଢାଳିଲୁ ରକ୍ତ ତୋଳିଲୁ ସଉଧ ମାଳା,

ଆମରି ଲାଗିରେ ଶାସନ ଶକ୍ତ ଆମେ ହିଁ ସର୍ବହରା ।

ଝାଞ୍ଚିପବନ ସହିରେ ସଘନ ଗହିରେ ରୋଇଲୁ ଧାନ,

ବରଷା କାଦୁଅ ଚକଟି କେତେରେ କ୍ଷୁର୍ଣ୍ଣ କରିଲୁ ପ୍ରାଣ ।

ପଉଷ ପ୍ରଭାତେ କାଟିଲୁ ଶସ୍ୟ ହସିଲେ ନିଖିଳବାସୀ,

ଅତ୍ୟାଚାରୀର କରାଳ କବଳେ ନେଲାରେ ସକଳ ଗ୍ରାସୀ ।’’

 

କବିଙ୍କ ବିଦ୍ରୋହୀ ପ୍ରାଣର ଉଦ୍‌ଗୀରଣ ଉଷ୍ମତା ସବୁଠି ଅନୁଭୂତ ହୁଏ । କେତେବେଳେ ପ୍ରତ୍ୟକ୍ଷ, ଆଉ କେତେବେଳେ ଅବା ପରୋକ୍ଷ । ଗଣତାନ୍ତ୍ରିକ ଆଦର୍ଶ ଓ ମୂଲ୍ୟବୋଧକୁ ବ୍ୟକ୍ତିତନ୍ତ୍ରର ସ୍ଵାର୍ଥ ସିଦ୍ଧିରେ ହିସାବ ନିକାସ କରାଗଲେ, ସ୍ୱାଧୀନତାର ବ୍ୟର୍ଥ ଗୀତି ଶୁଣିବାକୁ ହୁଏ । ସାମ୍ୟବାଦର ପ୍ରତିଷ୍ଠା ଲାଗି ଆପଣା ପରିଚୟ ପ୍ରଚାରର ଅପଚେଷ୍ଟା, ସାମ୍ୟବାଦୀ ପ୍ରାଣରେ ଆଘାତ ଦିଏ । ସାମ୍ୟବାଦ ଏକ ପ୍ରଚାର ନୁହେଁ- ଏହା ଏକ ସାଧନା । ଜାତି ସହ ନିଜକୁ ଜଡ଼ିତ କରି ନ ପାରିଲେ, ନିଜ ରକ୍ତରେ ଜାତିର ରକ୍ତ ମିଶ୍ରିତ ଭାବଧାରାର ଉନ୍ମେଷରୁ ସାମ୍ୟବାଦ ଚିନ୍ତା ଉଦ୍‌ଭବ ହୁଏ । ମାତ୍ର ଯେଉଁମାନେ ଅତ୍ୟାଚାର, ଲୁଣ୍ଠନ, ରକ୍ତ ଶୋଷକ ଭାବରେ ସାମ୍ୟବାଦର ଧ୍ଵନି ଉଡ଼ାଇବାକୁ ପ୍ରସ୍ତୁତ, ସେମାନେ କେବେ ସାମ୍ୟବାଦର ବାସ୍ତବ ରୂପରେଖ ଜାଣିପାରି ନାହାନ୍ତି ବୋଲି କବିଙ୍କର ବିଶ୍ଵାସ । କବି ପଟ୍ଟନାୟକଙ୍କ ଭାଷାରେ-

 

‘‘କୋଟିକର ଲାଗି ଗୋଟିଏ କହିବ କଥା,

ବହିଥିବୁ ଆମେ ତାହାରି ସ୍ଵର୍ଣ୍ଣ ଛତା ।

ତାହାରି ହାତରେ ଟେକିଦେବୁ ଆମ ମଥା !

ଆମ ଉନ୍ନତ ମଥା ?

ସାମ୍ୟର ନାମେ ବିଭେଦ ହତ୍ୟା ବୁଣି,

ଜାତିର ଛାତିରୁ ମାଂସ ଖାଏ ଯେ ଝୁଣି ।

ସ୍ଵାଧୀନତା ନାମେ ସ୍ଵାଧୀନ ଚିନ୍ତା ସ୍ଵାଧୀନ ବାର୍ତ୍ତା ଜାଳି

ବଜାଇ ବଜାଇ ଗଣତନ୍ତ୍ରର କବର ଉପରେ

ରଣତନ୍ତ୍ରୀର ତାଳି,

ମୁହିଁକି ଦେଉନି ତାହାର ଦର୍ପ ଟାଳି-”

(ଅବାନ୍ତର)

 

କବି ଶ୍ରୀ ପଟ୍ଟନାୟକ ପ୍ରଗତିବାଦ ଆଦର୍ଶରେ ଉଦ୍‌ବୁଦ୍ଧ ହୋଇଥିଲେ । ତାଙ୍କ ଯାତ୍ରାପଥରେ ପ୍ରଗତିବାଦୀର ସ୍ୱପ୍ନଫୁଲ ଫୁଟି ଉଠୁଥିଲା । ସେ ସ୍ୱପ୍ନରେ ବାସ୍ତବତା ଆଣିବା ଲାଗି କବି ଯେପରି ଆପଣା ଲେଖନୀକୁ ପ୍ରଗତିଶୀଳ କରି ତୋଳି ପାରିଛନ୍ତି, ତାହା ତାଙ୍କ ବାସ୍ତବ, ବିପ୍ଳବ ଓ ଉଦ୍‌ବୋଧନର ମହାମନ୍ତ୍ର । ଏକ ଶୋଷଣମୁକ୍ତ ସମାଜ ଗଠନ ପାଇଁ ଜୀବନ- ମୁକ୍ତ, ସ୍ଵାଧୀନ ବିପ୍ଳବର ଗୀତିବନ୍ଦନାର ସେ ହେଉଛନ୍ତି ପ୍ରତିଶ୍ରୁତିବଦ୍ଧ ବେସାଲିସ ଆଚାର୍ଯ୍ୟ ।

 

ସହାୟକ ଗ୍ରନ୍ଥ :

୧.

ଅବାନ୍ତର - ଅନନ୍ତ ପଟ୍ଟନାୟକ

୨.

ସମାଜବାଦୀ ସାହିତ୍ୟର ନାନ୍ଦନିକ ମୂଲ୍ୟବୋଧ- ‘ସାହିତ୍ୟର ଆତ୍ମା ଓ ଅନ୍ୟାନ୍ୟ ନିବନ୍ଧ’- ଆଶିଷ ମହାପାତ୍ର : ପୃଷ୍ଠା-୧୯ ।

୩.

ଅଲୋଡ଼ା ଲୋଡ଼ା - ଅନନ୍ତ ପଟ୍ଟନାୟକ

୪.

କିଞ୍ଚିତ୍‌ - ଅନନ୍ତ ପଟ୍ଟନାୟକ

୫.

Contemporary Indian Literature : Sahitya Academi

୬.

Lenin : Collected Works, Vol-17, Page-341-42.

୭.

Marx-A contribution to the Critic of Political Economy, Page-309-12

୮.

ଆସନ୍ତାକାଲିର ସାହିତ୍ୟ- ପ୍ରାଣନାଥ ପଟ୍ଟନାୟକ, ପୃଷ୍ଠା - ୧୨୯ ।

୯.

B.C. Pal - ‘Memories of my Life and Times’

୧୦.

Capital : Karlmarx - 2nd Vol. Page-645.

୧୧.

Socialism & Literature : Frederic Angles.

୧୨.

ନଭେମ୍ବର ୨୯ ତାରିଖ ୧୯୩୫ ମସିହାରେ ଆୟୋଜିତ ନବଯୁଗ ସାହିତ୍ୟ ସଂସଦର ଉଦ୍‌ଘାଟନୀ ଉତ୍ସବ ବିବରଣୀ ।

 

 

ସମ୍ପାଦକ : ‘ସାଳନ୍ଦୀ ସମାଚାର’

ମଠସାହି, ଭଦ୍ରକ

 

***

 

ଓଡ଼ିଆ ପ୍ରଗତିବାଦୀ ସାହିତ୍ୟର ଜ୍ୱଳମାନ ଅଗ୍ନିଶିଖା ବିପ୍ଳବୀ

କବି ଅନନ୍ତ ପଟ୍ଟନାୟକ

ଶିଶିର ବେହେରା

 

ବିପ୍ଳବର ଅଗ୍ନିଶିଖା ପ୍ରଚଳିତ ବିଧି ବ୍ୟବସ୍ଥାର ଧ୍ୱଂସ ସାଧନ କରି ନୂତନତାର ସଂଚାର ଘଟାଏ । ସାମାଜିକ ଚିନ୍ତା ଚେତନା ହେଉ, ସାଂସ୍କୃତିକ ଭାବାଦର୍ଶ ହେଉ ଅବା ସାହିତ୍ୟିକ ପଟ୍ଟଭୂମି ହେଉ, କୌଣସି କ୍ଷେତ୍ରରେ ଏହି ବିପ୍ଳବର ଧାରା ଆମର ଦୃଷ୍ଟି ଆକର୍ଷଣ କରିଥାଏ । ବିଶେଷତଃ ସ୍ଥିତିଶୀଳ ତଥା ଗତାନୁଗତିକ ବିଧି ବ୍ୟବସ୍ଥାରେ ପରିବର୍ତ୍ତନର ଆବଶ୍ୟକତା ଓ ସେଥିଲାଗି ନବଚେତନାର ଉନ୍ମେଷ ଘଟାଇବାରେ ବିପ୍ଳବର ଭୂମିକା ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ । ସାହିତ୍ୟ କ୍ଷେତ୍ରରେ ଏହି ବିପ୍ଳବ ଭିନ୍ନ ଏକ ରୂପ ଓ ସ୍ଵାଦନେଇ ଅବତୀର୍ଣ୍ଣ ହୋଇଥାଏ । ଯେପରି ଓଡ଼ିଆ ପ୍ରଗତିବାଦୀ ସାହିତ୍ୟରେ ବିପ୍ଳବର ବହୁମୁଖୀ ଧାରା ତତ୍କାଳୀନ କବି ଲେଖକର ରଚନାରେ ବେଶ୍‌ ସାର୍ଥକ ଭାବରେ ରୂପାୟିତ ହୋଇଛି । ଏହି ସମୟର ଜଣେ ବିଶିଷ୍ଟ କବି ହେଉଛନ୍ତି ବିପ୍ଳବୀ ଅନନ୍ତ ପଟ୍ଟନାୟକ, ଯାହାଙ୍କ କାବ୍ୟ ପରିଧିରେ ବୈପ୍ଳବିକ ଭାବାବେଗ କିଭଳି ଭାବରେ ପ୍ରକାଶ ଲଭିଛି ତାହାର ଚର୍ଚ୍ଚା ହିଁ ଉକ୍ତ ଆଲୋଚନାର ଆଲୋଚ୍ୟ ପ୍ରସଙ୍ଗ ।

 

କବି ଅନନ୍ତ ପଟ୍ଟନାୟକ ପ୍ରଗତିବାଦୀ କାବ୍ୟଧାରାର ଜଣେ ପ୍ରମୁଖ ସ୍ରଷ୍ଟା । ସାମ୍ୟବାଦର ପ୍ରବକ୍ତା ହିସାବରେ ତାଙ୍କର ଲେଖନୀ ବଜ୍ରଗମ୍ଭୀର ଓ ପୁଞ୍ଜିବାଦୀ ଗୋଷ୍ଠୀ ବିରୁଦ୍ଧରେ ବିଷୋଦ୍‌ଗାର ଓ ବିଦ୍ରୋହ ଘୋଷଣା । କାରଣ ଜଣେ ଯଥାର୍ଥ ଲେଖକ ହିଁ ସମାଜର ଦୋଷ ଦୁର୍ବଳତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିବା ସହିତ ତହିଁରେ ପରିବର୍ତ୍ତନ ଓ ସଂସ୍କାର ଆଣିପାରେ । ଉପଯୁକ୍ତ କର୍ଣ୍ଣଧାର ସାଜି କବି - ଲେଖକମାନେ ଏହି ଗୁରୁ ଦାୟିତ୍ଵ ସମ୍ପାଦନ କରିଥାନ୍ତି । ବିଶିଷ୍ଟ ଦାର୍ଶନିକ ମାଓ- ସେ-ତୁଙ୍ଗଙ୍କ ଭାଷାରେ- ‘‘Only truely revolutionary artists and writers can correctly solve the problem whether to extol or to expose. The fundamental task of all revolutionary artists and writers is to expose all dark forces which endanger the people and to extol all the revolutionary struggles of the people.” (୧)

 

(୧)

Mao-Tse-Tung - On Literature and Art-1967, P. 100

 

ଓଡ଼ିଆ କାବ୍ୟ ଜଗତରେ ଏହିଭଳି ଜଣେ ବିପ୍ଳବୀ କବି ହେଉଛନ୍ତି ଅନନ୍ତ ପଟ୍ଟନାୟକ । ସାମ୍ୟବାଦ ଚିନ୍ତାଧାରାର ମହାନ୍‌ ପ୍ରବକ୍ତା କମ୍ରେଡ଼୍‍ ଭଗବତୀ ଚରଣ ପାଣିଗ୍ରାହୀଙ୍କ ସତୀର୍ଥ କବି ଅନନ୍ତ ପଟ୍ଟନାୟକଙ୍କ ବୈପ୍ଳବିକ କାବ୍ୟାଦର୍ଶର ପରିଚୟ ମିଳେ ତାଙ୍କ ବାଲ୍ୟ ଜୀବନରୁ । କବି-ବିପ୍ଳବୀ କୃଷ୍ଣମୋହନ ପଟ୍ଟନାୟକ ଥିଲେ ଅନନ୍ତଙ୍କ କକା । ସେହି କାରଣରୁ ଅନନ୍ତଙ୍କ ଉପରେ ବିପ୍ଳବୀ ଭାବନାର ପ୍ରଭାବ ପଡ଼ିବା ସ୍ଵାଭାବିକ । ଅନନ୍ତ ଯେତେବେଳେ ପୁରୀ ଜିଲ୍ଲା ସ୍କୁଲର ଛାତ୍ର, ସେହି ସମୟରୁ ହିଁ ତାଙ୍କଠାରେ ଦେଖାଦେଇଥିଲା ଏହି ବିପ୍ଳବୀର ଆଦ୍ୟ ସ୍ପୁରଶ । ଅଧ୍ୟୟନ କାଳରେ ମହାତ୍ମା ଗୋପବନ୍ଧୁଙ୍କ ସଂଗଲାଭ ଓ ଗାନ୍ଧିଦର୍ଶନ ଦ୍ୱାରା ବିଶେଷ ପ୍ରଭାବିତ ହୁଅନ୍ତି । ସତ୍ୟାଗ୍ରହ ଆନ୍ଦୋଳନ ସମୟରେ ଜାତୀୟବାଦୀ କବିତା ରଚନା କରିବା କାରଣରୁ ଏକମାସ ଲାଗି ଆଲିପୁର ସେଣ୍ଟ୍ରାଲ ଜେଲରେ ବନ୍ଦୀ ହେବାକୁ ପଡ଼େ । ଏହା ହିଁ ଅନନ୍ତଙ୍କ ବିପ୍ଳବୀ ପ୍ରାଣର ପ୍ରାରମ୍ଭିକ ପର୍ଯ୍ୟାୟ । ଏହି ସମୟରେ ତାଙ୍କ ରଚନାରେ ରୋମାଣ୍ଟିକ୍‌ ଓ ଜାତୀୟତାର ମିଶ୍ରରାଗ ଆମର ଶ୍ରୁତିଗୋଚର ହୁଏ । ଯେପରି-

 

“ପ୍ରେମ ସୁଧାରସେ ସିକ୍ତ କରଗୋ, ଅନ୍ତର ମୋର ସଜନୀ !

ଆଜି ଗଭୀର ହେଲାଣି ରଜନୀ ।

ଆକାଶେ ତାରକା ଚିପି ଚିପି ହସେ

ଜୋଛନାର ବାଳା ନିରୋଳେ ବିଳସେ

ମିଛ ଛଳନାରେ କହନା ପ୍ରେୟସୀ, କ୍ରୀଡ଼ା କଉତୁକେ ସଜନୀ

ଆଜି ଗଭୀର ହେଲାଣି ରଜନୀ ।’’(୨)

 

(୨)

‘ତୃଷ୍ଣା’ - ‘କିଞ୍ଚିତ୍‌’, ପୃ- ୯୩, ୨ୟ ସଂସ୍କରଣ, ନବଯୁଗ ଗ୍ରନ୍ଥାଳୟ, ୧୯୬୬ ।

 

ଏହା ତତ୍କାଳୀନ ସବୁଜ ପ୍ରାଣର ଚେତନା ନୁହେଁ, ବରଂ ନୂତନ ପ୍ରତି ଗଭୀର ଆକର୍ଷଣ ଓ ତଦ୍‍ଜନିତ ଇଚ୍ଛାବୋଧରୁ ହିଁ ଏହାର ଆତ୍ମପ୍ରକାଶ । କେବଳ ଏହି ପ୍ରାରମ୍ଭିକ କାବ୍ୟ ‘ଚେତନା’ ନୁହେଁ, ଅନନ୍ତ ପଟ୍ଟନାୟକଙ୍କର ପ୍ରଗତିବାଦୀ ଚିନ୍ତାଧାରାର କବିତାଗୁଡ଼ିକରେ ବିପ୍ଳବ ଓ ସମାଜବାଦୀ ବାସ୍ତବତା ସହ ତାଙ୍କ ରୋମାଣ୍ଟିକ ପ୍ରବଣତା ହାତ ଧରାଧରି ହୋଇ ଚାଲିଛନ୍ତି । ବଡ଼ କୌଶଳର ସହ ସେ ଗୁନ୍ଥିଦେଇ ପାରିଛନ୍ତି ରକ୍ତକଇଁକୁ କିମ୍ବା ରକ୍ତ କରବୀକୁ ଜୁଇ, ଜାଈ ଓ ମାଳତୀ ସହ ଗୋଟିଏ ସୂତ୍ରରେ । ଏହା ଅନନ୍ତ ପଟ୍ଟନାୟକଙ୍କର କାବ୍ୟ ସିଦ୍ଧାନ୍ତର ସବୁଠୁଁ ବଡ଼ ଗୌରବ ।(୩)

 

(୩)

ଓଡ଼ିଆ କବିତାରେ ପ୍ରଗତିବାଦୀ ଧାରା - ଡଃ ବିଜୟ କୁମାର ଶତପଥୀ, ପୃ- ୨୭୬, ଓଡ଼ିଶା ବୁକ ଷ୍ଟୋର - ୧୯୯୫ ।

 

ଏହି ବିପ୍ଳବୀ ଭାବନା ପରିପକ୍ୱ ଲଭେ ଅନନ୍ତଙ୍କ କଲେଜ ଜୀବନରେ । ରେଭେନ୍‌ସା କଲେଜରେ ଅଧ୍ୟୟନ କରିବା ସମୟରେ ତାଙ୍କର ବନ୍ଧୁତ୍ୱ ସ୍ଥାପନ ହୁଏ କମ୍ରେଡ୍‌ ଭଗବତୀ ଚରଣ ପାଣିଗ୍ରାହୀ, ବୈଦ୍ୟନାଥ ରଥ, ବିଶ୍ୱନାଥ ପଶାୟତ୍‌, ଗୁରୁଚରଣ ପଟ୍ଟନାୟକ ଆଦି ସତୀର୍ଥଙ୍କ ସଂଗେ-। ଫଳତଃ ଚର୍ଚ୍ଚା ହୁଏ ମାର୍କ୍ସଙ୍କ ସାମ୍ୟବାଦର, ନବୀନ ଏକ ବିପ୍ଳବ ଆନୟନର । ଏକପକ୍ଷରେ ମହାତ୍ମାଗାନ୍ଧିଙ୍କ ଅହିଂସା ଆନ୍ଦୋଳନ ପ୍ରତି ବିମୁଖତା, ଅନ୍ୟ ପକ୍ଷରେ ମାର୍କ୍ସ, ଏଞ୍ଜଲସ୍‌ କର୍ତ୍ତୃକ ପ୍ରବର୍ତ୍ତିତ ବୈପ୍ଳବିକ ଆଦର୍ଶବୋଧ କ୍ରମେ ଆକର୍ଷିତ କରେ ତରୁଣ ଅନନ୍ତଙ୍କୁ । ପୁନଶ୍ଚ ଏ କ୍ଷେତ୍ରରେ ଅଧିକ ଉତ୍ସାହ ଓ ପ୍ରେରଣା ମିଳେ ନବକୃଷ୍ଣ ଚୌଧୁରୀ ଓ ତାଙ୍କ ପତ୍ନୀ ମାଳତୀ ଚୌଧୁରୀଙ୍କଠାରୁ । ସମ୍ଭାବନାପୂର୍ଣ୍ଣ ଅଙ୍କୁରଟି ଉପଯୁକ୍ତ ବାତାବରଣରେ ପ୍ରକାଶିତ ହେବା ଭଳି ଅନନ୍ତଙ୍କ ବିପ୍ଳବୀ ପ୍ରାଣର ବୀଜାଙ୍କୁର ଏଭଳି ପରିବେଶରେ ବିକଶିତ ହେବାକୁ ଲାଗିଲା । ପରେ ଅନନ୍ତ ‘କଂଗ୍ରେସ ସୋସାଲିଷ୍ଟ ପାର୍ଟି’, ‘ନବଯୁଗ ସାହିତ୍ୟ ସଂସଦ’, ‘ନବଯୁଗ ମଣ୍ଡଳ’, ‘ସାରଥି’ ଓ ‘ଆଧୁନିକ’ ପତ୍ରିକା, କୃଷକ ଆନ୍ଦୋଳନ ଗଡ଼ଜାତ ଆନ୍ଦୋଳନ ଆଦି କ୍ଷେତ୍ରରେ ଭଗବତୀ ଚରଣଙ୍କ ପ୍ରତ୍ୟକ୍ଷ ସହକର୍ମୀ ଓ ସହଯୋଗୀ ହେବାର ସୁଯୋଗ ଲାଭ କରିଥିଲେ । ଯାହା ପରବର୍ତ୍ତୀ କାଳରେ ତାଙ୍କୁ ଜଣେ ବିପ୍ଳବୀ କବି ହେବାରେ ଯଥେଷ୍ଟ ଅନୁପ୍ରେରିତ କରିଥିଲା । ୧୯୩୪-୩୫ ମସିହାରେ ‘ନବଭାରତ’ ପତ୍ରିକାରେ ଅନନ୍ତଙ୍କ ରଚିତ ‘ସମାଧାନ’ ଓ ‘ଦେବତା ନାହିଁ ଭୁବନବନେ’ ଦୁଇଗୋଟି କବିତାରେ ମାର୍କ୍ସୀୟ ଭାବଧାରାର ବିପୁଳ ରୂପ ଦେଖିବାକୁ ମିଳେ । କବିତାମାନଙ୍କରେ ଧର୍ମକୁ ଆଳକରି ଶୋଷଣ ଲୁଣ୍ଠନ କରିବାର ମନୋବୃତ୍ତି, ସ୍ଵାର୍ଥ ସାଧନ ଲାଗି ଅନ୍ଧବିଶ୍ୱାସ ଓ କୁସଂସ୍କାରକୁ ଯାବୋଡ଼ି ଧରିଥିବା କୁଚକ୍ରୀ ମଣିଷ ପ୍ରତି ଥିଲା କଟାକ୍ଷ ଓ ବିରୋଧ-

 

‘‘ଦେବତା ବୋଲି ହେ ନ ପାରିବୁ ଆଉ ଡାକି

ଦେଖିଲୁଣି ପରା ଧର୍ମ ସକଳ ଫାଙ୍କି

ବୁଝିଲୁଣି ଆଜି ନ୍ୟାୟ ନାହିଁ ଧରାତଳେ

ସ୍ଵର୍ଗ ସ୍ଵପନେ ଭସାଇ ପରାଣ ସୁଖେ

ବୁଭୁକ୍ଷୁ ଏଥି ନ ମରିବୁ କ୍ଷାମ-ମୁଖେ

ସମୂହ ମୁକ୍ତି ଲାଗି

ଲୋଡ଼ିବୁ ହରଷେ ଆମର ଜୀବନ

ଜୀବନର ଅନୁରାଗୀ ।’’ (ସମାଧାନ)

 

ତେଣୁ ସ୍ଥାଣୁ ଅଥର୍ବ ଦିଅଁ ଉପରେ ଅଯଥା ବିଶ୍ୱାସ ନ ରଖି ନିଜର ଶକ୍ତି ଓ ସାମର୍ଥ୍ୟ ଉପରେ ବିଶ୍ଵାସ ରଖିବାକୁ କବି ଆହ୍ୱାନ ଜଣାନ୍ତି-

 

“ବାହୁରେ ନାହିଁ ଶକ୍ତି ତୋର, ସ୍ୱାସ୍ଥ୍ୟ ନୋହେ ଦେହରେ ଭରା

ଯୌବନରେ ଦୁର୍ବଳତୁ, ଗ୍ରାସଇ ଆଜି ସହାସେ ଜରା

ରଶ୍ମି ସୁଅ ଖେଳଇ ପାଶେ

ଅନ୍ଧକାରେ ମରୁ ତୁ ତ୍ରାସେ

ରହଇପଡ଼ି ବିଶାଳନଭ ଶସ୍ୟମୟୀ ଶ୍ୟାମଳ ଧରା ।’’

(ଦେବତା ନାହିଁ ଭୁବନ ବନେ)

 

୧୯୩୫ ମସିହା ବେଳକୁ ବ୍ରିଟିଶ ସରକାର ଅଧୀନସ୍ଥ ଗଡ଼ଜାତ ରାଜା ଓ ସ୍ଥାନୀୟ ଜମିଦାରମାନଙ୍କ ପ୍ରଜାପ୍ରତି ଅକଥନୀୟ ଅତ୍ୟାଚାର ମଧ୍ୟରୁ ଜନ୍ମନିଏ ‘ପ୍ରଜା ଆନ୍ଦୋଳନ’ । ନିଷ୍ପେସିତ ଜନପ୍ରାଣରେ ମୁକ୍ତିର ପିପାସା ଓ ବିପ୍ଳବୀଭାବନା ସୃଷ୍ଟି କରିବାରେ ମଧ୍ୟ କବି ଅନନ୍ତ ପଟ୍ଟନାୟକଙ୍କ ଭୂମିକା ଥିଲା ଅନବଦ୍ୟ । କବି ନିଜେ ‘ରକ୍ତଶିଖା’ କବିତା ସଂକଳନର ମୁଖବନ୍ଧରେ ଏହାର ସୂଚନା ଦିଅନ୍ତି- “୧୯୩୫ ବେଳକୁ ଏହିପରି ଜମିଦାରମାନଙ୍କର ଜୁଲୁମ୍‌ ବିରୁଦ୍ଧରେ ‘କୃଷକ ସଭା’ ଓ ତା’ ପଛକୁ ଗଡ଼ଜାତରେ ଚାଲିଥିବା ଅନ୍ଧାରି ଶାସନ ବିରୁଦ୍ଧରେ ‘ପ୍ରଜା-ଆନ୍ଦୋଳନ’ର ସୂତ୍ରପାତ ହୁଏ । ଆଉ ସେ ସମୟକୁ କଂଗ୍ରେସ ପ୍ରଜା-ସୋସାଲିଷ୍ଟ ପାର୍ଟି ଗଠିତ ହୋଇଥାଏ । ତା’ରି ମଧ୍ୟରେ ଜନ୍ମନିଏ କମ୍ୟୁନିଷ୍ଟ ପାର୍ଟିର ପ୍ରଥମ ଅଙ୍କୁର । ସେତେବେଳେ କିନ୍ତୁ କମ୍ୟୁନିଷ୍ଟ ପାର୍ଟି ବେଆଇନ । ତେଣୁ ତାହା ପ୍ରକାଶ୍ୟରେ ସଂଗ୍ରାମ କରିପାରେ ନାହିଁ । କିନ୍ତୁ ଏ ସମୟକୁ ଏସବୁ ଶୋଷଣ ଓ ଜୁଲମ୍‌ ବିରୁଦ୍ଧରେ ଯେ ଏକ ନୂତନ ସୋସାଲିଷ୍ଟଭାବଧାରାର ଅଭ୍ୟୁଦୟ ଘଟି ସାରିଥିଲା, ଏହା ନିଃସନ୍ଦେହ ।” (୪)

 

(୪)

‘ରକ୍ତଶିଖା’- ୧ମ ସଂସ୍କରଣ, ନବଯୁଗ ଗ୍ରନ୍ଥମାଳା, ନଂ. ୧, ୧୯୩୯ ମୁଖବନ୍ଧ ।

 

ପୁନଶ୍ଚ ଏହିକାଳରେ (୧୯୩୫) ସ୍ପେନ୍‍ରେ ତତ୍କାଳୀନ ଫ୍ରାଙ୍କୋ ସରକାର ବିରୁଦ୍ଧରେ କମ୍ୟୁନିଷ୍ଟଙ୍କ ଯୁଦ୍ଧ ଘୋଷଣା, ଜୁନୁ ୨୧ ତାରିଖରେ ପ୍ୟାରିସ୍‌ ସହରର ବିଖ୍ୟାତ ଲେଖକ ମାକ୍ସିମ୍‌ ଗର୍କୀ, ରୋମାରୋ ଲାଁ ପ୍ରଭୃତିଙ୍କ ନେତୃତ୍ୱରେ ଫାସିବାଦ ବିରୋଧୀ ସଭା ଆଦି ଘଟଣାମାନ ସମଗ୍ର ବିଶ୍ୱରେ ଆଲୋଡ଼ନ ସୃଷ୍ଟି କଲା । ଏହି ଭାବନାରେ ପ୍ରଭାବିତ ହୋଇ ଭଗବତୀ ଚରଣ ପାଣିଗ୍ରାହୀଙ୍କ ନେତୃତ୍ୱରେ ୧୯୩୫ ମସିହା ନଭେମ୍ବର ମାସ ୨୯ରୁ ୪ ତାରିଖ ପର୍ଯ୍ୟନ୍ତ କଟକର ଶ୍ରୀରାମଚନ୍ଦ୍ର ଭବନଠାରେ ଅନୁଷ୍ଠିତ ହେଲା “ନବଯୁଗ ସାହିତ୍ୟ ସଂସଦ’’ର ପ୍ରଥମ ଅଧିବେଶନ । ଅଧିବେଶନରେ ଯେଉଁ ଉଦ୍‌ବୋଧନୀ ସଂଗୀତ ମାଳତୀ ଚୌଧୁରୀ ଗାନ କରିଥିଲେ, ତାହାକୁ ରଚନା କରିଥିଲେ ଅନନ୍ତ ପଟ୍ଟନାୟକ, ଯାହା ସେହି ସମୟରେ ବିଶେଷ ପ୍ରଶଂସିତ ଓ ଆଲୋଡ଼ନ ସୃଷ୍ଟି କରିଥିଲା । କବିତାଟି ଥିଲା ଏହିପରି-

“ନବୀନ ଯୁଗର ତରୁଣ ଜାଗରେ ଜାଗ ବନ୍ଧନ ହରା

ବକ୍ଷେ ଶୋଣିତ ଲକ୍ଷେ ଜୀବନ ଖେଳାଅ ଆଲୋକ ଧାରା

ଛିନ୍ନ କରରେ ବନ୍ଧନରାଜି କ୍ରନ୍ଦନ ହେଉ ଶେଷ

ଲୁପ୍ତ ହେଉରେ ଜାତି ଉପଜାତି, ଖଣ୍ଡିତ ଶତଦେଶ

ମହାମାନବର ଶଙ୍ଖ ଶବଦେ ସମୁରେ ଦୁଃଖ ଜ୍ଵାଳା

ଜାଗ ବନ୍ଧନ ହରା ।’’

 

ସର୍ବହରା, ଦଳିତର ମୁକ୍ତି ପାଇଁ ପ୍ରଚଳିତ ପୁଞ୍ଜିବାଦୀ ବ୍ୟବସ୍ଥା ବିରୁଦ୍ଧରେ ସ୍ଵର ଉତ୍ତୋଳନ ଏବଂ ଶୋଷଣମୁକ୍ତ ସମାଜ ପ୍ରତିଷ୍ଠା ନିମନ୍ତେ ତୀବ୍ର ବ୍ୟାକୁଳତା କବି ଲେଖନୀରେ ସୁସ୍ପଷ୍ଟ । ତେଣୁ ଧନତାନ୍ତ୍ରିକ ପୁଞ୍ଜିବାଦର ବିଲୋପଲାଗି ସର୍ବହରା- ଶ୍ରମଜୀବି- ମେହନତି ମଣିଷକୁ ଏଥିଲାଗି ତାଙ୍କର ବଜ୍ର ଆହ୍ୱାନ-

 

“ସର୍ବହରାର ଦଳ ଚାଲ ଚାଲ ଖରତର, ଚୂର ଚୂର ମନ୍ଦିରକାରା,

କଣ୍ଠେ ଖେଳୁ ଏ ମୁଖେ ବିଦ୍ୟୁତ ଦ୍ୟୁତିଦଳ

ବକ୍ଷେ ବହରେ ଦୁଃଖ ଜାଳା

ପୁଂଜିତ ପଥେ ପଥେ ଗ୍ଲାନି ବେଦନା ରାଶି

ବଦ୍ଧ ଦୁଆର କୋଟି ପୁରେ

ମୁକ୍ତ କରରେ ସବୁ ରୁଦ୍ଧ ଜୀବନ ଧାରା

ସଙ୍ଗୀତ ତୋଳ ନବସୁରେ ।”

(ପ୍ରଳୟର ଆବାହନ)

 

ଏଥିଲାଗି ବିଦ୍ରୋହ ହିଁ ଏକାନ୍ତ କାମ୍ୟ । ଯୋଗ୍ୟତାର ମାପକାଠିରେ ସର୍ବହରା ଏବଂ ନିମ୍ନବିତ୍ତ ଶ୍ରେଣୀ ମଧ୍ୟରେ ପାର୍ଥକ୍ୟ ନ ଦେଖି କେବଳ ଏକତା ସୂତ୍ରରେ ବାନ୍ଧି ହୋଇ ଏକ ତୁମୁଳ ପରିବର୍ତ୍ତନ ଆନୟନ କରିବା ହିଁ ସର୍ବହରାର ଜୟଧ୍ଵନି । କେବଳ ଯେ କବିତାରେ ଏ ନାରାବାଜି ସୀମିତ ତାହା ନୁହେଁ, ବରଂ ଏହାକୁ ଚରିତାର୍ଥ କରିବା ସକଳଙ୍କ କାମନା ହେବା ବିଧେୟ । ତେଣୁ ଏହି କବିତାର ବିଦ୍ରୋହ ବୀଣାର ଝଙ୍କାର ମଧ୍ୟ ଗଣକୁ ଉଦ୍‌ବୋଧିତ କରିପାରେ ନାହିଁ । କିନ୍ତୁ ଯେତେବେଳେ ସେହି ନିମ୍ନ ମଧ୍ୟବିତ୍ତ ସଂପୂର୍ଣ୍ଣ ନିଜକୁ ନିମ୍ନବର୍ଗ ସହିତ ସାମିଲ କରିନିଏ, ମାନସ ସ୍ତରରେ ଆଉ ଉଚ୍ଚବର୍ଗର ମୋହ ରହେ ନାହିଁ; ସେତେବେଳେ ସେ ଚାହେଁ ସମାଜର ସଂପୂର୍ଣ୍ଣ ପରିବର୍ତ୍ତନ । ଏହି ପରିବର୍ତ୍ତନ ଆଉ ହୃଦୟ ପରିବର୍ତ୍ତନ ଭିତ୍ତିରେ ନୁହେଁ; ଏକ ସମାଜବାଦୀ ବିପ୍ଳବମାଧ୍ୟମରେ ସମ୍ଭବ । ତେଣୁ କବିତାରେ ପ୍ରକାଶ ପାଏ ଅଗ୍ନିଗର୍ଭ ବାଣୀ । ଏହା ହିଁ ସର୍ବହରା ଗଣର ବାଣୀ । ଏହା ଶୀତଳତାକୁ ଲୋପକରେ, ନିର୍ବେଦତାକୁ ଭାଙ୍ଗିଦିଏ, ଭାଗ୍ୟ ଓ ଭଗବାନଙ୍କର ବ୍ୟାମୋହ ଧ୍ଵଂସ କରିଦିଏ । ଗଣକୁ ଏହା ସଚେତନ କରାଇଦିଏ ତା’ର ଅଧିକାର ସମ୍ପର୍କରେ, ତାକୁ ପତିତ ଓ ବହେଳିତ କରି ରଖିଥିବା ଉପଭୋଗୀ ଗୋଷ୍ଠୀର ଚକ୍ରାନ୍ତ ଓ କୌଶଳ ସମ୍ପର୍କରେ, ରାଜନୀତି ଚାକିରି- ଶିଳ୍ପ ଓ ବ୍ୟବସାୟ ସମ୍ଭୂତ ନୂତନ ଆଭିଜାତ୍ୟ ବିଷୟରେ ଓ ସର୍ବୋପରି ତା’ର ଶକ୍ତି ଓ ସାମର୍ଥ୍ୟ ବିଷୟରେ-।(୫)

 

(୫)

ସାଂପ୍ରତିକ କବିତାରେ ଗଣଚେତନାର ଉନ୍ମେଷ ଓ ଉତ୍ତରଣ- ଡଃ ବୈଷ୍ଣବ ଚରଣ ସାମଲ, କୋଣାର୍କ, - ୧୯୮୬-ପୃ-୯ ।

 

୧୯୩୯ ମସିହାରେ କବି ସଚ୍ଚିଦାନନ୍ଦ ରାୟ ଓ ଅନନ୍ତ ପଟ୍ଟନାୟକଙ୍କ ଯୁଗ୍ମଭଣିତାରେ ‘ରକ୍ତଶିଖା’ କବିତା ସଂକଳନ ପ୍ରକାଶ ପାଏ । ଏହି ସଂକଳନସ୍ଥ ଚାରିଗୋଟି କବିତା ଯଥା - ‘ଆଗେ ଚାଲ’, ‘ମୁକ୍ତି ସଙ୍ଗୀତ’, ‘ସର୍ବହରା’, ‘ଆମେ ମୁଲିଆର ଜାତି ଜାଗିବୁ’ ଆଦି କବିତାମାନଙ୍କରେ ଅନନ୍ତଙ୍କ ଗୁରୁଗମ୍ଭୀର ବୈପ୍ଳବିକ ଧ୍ଵନି ଶୁଣିବାକୁ ମିଳେ । ଏଥିରେ ସିଧାସଳଖ ନିଜର ହକ୍‌ ଓ ଅଧିକାର ପ୍ରତି ଉଦାତ୍ତ ଆହ୍ଵାନ ସାଙ୍ଗକୁ ସଶସ୍ତ୍ର ବିପ୍ଳବର ରଣହୁଙ୍କାର ମଧ୍ୟ ଶୁଣିବାକୁ ମିଳେ । କବିଙ୍କ ଭାଷାରେ-

 

‘‘ଆମେ ମୁଲିଆର ଜାତି ଜାଗିବୁ

ମରୁଛୁ ତ ନିତି ଭୋକ ଉପାସରେ / ଥରେହେଲେ ଶିରତୋଳିବୁ ।

ଆମ ହାଡ଼ମାଂସେ ଯେ ଗଢ଼ିଲେ କୋଠା / ଆମ ଲୁହଶୋଷି ଯେ ବା ହେଲେ ମୋଟା

ସେଇ ଜମିଦାର, ସାହୁକାରକୁଳ / ଆଣ୍ଟପଣ ସବୁ ସାରିବୁ ।

ସଂଗୀନ ମୁନରେ ଏହି ସରକାର / ଶୋଷେ ଆମରକ୍ତ, ଶୋଷେ ଜମିଦାର

ଆମରି ଗୁହାରି, ଆମ ହାହାକାର

ନଶୁଣାଇ ତାକୁ ନାଶିବୁ ।” (୬)

 

(୬)

‘ଆମେ ମୁଲିଆର ଜାତି ଜାଗିବୁ’ - ‘ରକ୍ତଶିଖା’-ପୃ- ୧୧, ପ୍ରଗତି, ୧ମ ବର୍ଷ, ୮ମ ସଂସ୍କରଣ, ୧୯୩୭ ।

 

ବେଳୁଁ ବେଳ ଏହି ଚେତନା କ୍ରମଶଃ ତୀବ୍ର ହୋଇଛି କବି ଲେଖନୀରେ । ମାର୍କ୍ସ ପ୍ରବର୍ତ୍ତିତ ସାମ୍ୟବାଦର ସ୍ଵର ବୈପ୍ଳବାତ୍ମକ ଆଭିମୁଖ୍ୟ ନେଇ କବି ଲେଖନୀରେ ଉତ୍‌କୀର୍ଣ୍ଣ ହୋଇଛି । ତେଣୁ କ୍ଷୟଶୀଳ ପରମ୍ପରା ପୀଡ଼ିତ ସମାଜ- ବ୍ୟବସ୍ଥା ବିରୁଦ୍ଧରେ ତଥା ସମସ୍ତ ପ୍ରଥା ପରମ୍ପରା ବିରୁଦ୍ଧରେ ଏହି ନୂଆ ଧରଣର କବିତାରେ ଥିଲା ଏକ ନିର୍ଦ୍ଦିଷ୍ଟ ଆହ୍ୱାନ । ମଣିଷର ସ୍ପନ୍ଦନ, ତା’ର ଜୀବନ ଯୁଦ୍ଧ, ତା’ର ଜୟ ପରାଜୟ, ସ୍ଵେଦ ଓ ଅଶ୍ରୁ ହେଲା ଏହି ନୂତନ କବିତାର ଅଭିଲିପି ଏବଂ ସମଗ୍ର ଭାବରେ ଏହି କବିତା ଏକ ନୂତନ ସମାଜ-ରାଜନୈତିକ ଦର୍ଶନକୁ ଆମନ୍ତ୍ରଣ କରି ଆଣିଥିଲା- ଯାହାର ନାମ ଥିଲା ସାମ୍ୟବାଦ (Communism) । ସେଥିପାଇଁ ଏହି କାବ୍ୟଚେତନାରେ ହିଂସା ଓ ଧ୍ଵଂସକୁ ମଧ୍ୟ ଯଥେଷ୍ଟ ପ୍ରଶୟ ଦିଆଯାଇଥିଲା । (୭) ସେହି ନ୍ୟାୟରେ ପ୍ରଗତିବାଦୀ କାବ୍ୟଚେତନାରେ ବିପ୍ଳବର ସ୍ଵର ତୀବ୍ର ହେବାକୁ ବାଧ୍ୟ ହୋଇଛି । କବି ଅନନ୍ତ ପଟ୍ଟନାୟକ ସେହି ଭାବଧାରାକୁ ଆହୁରି ଶାଣିତ ଓ ବିପ୍ଳବାତ୍ମକ ଭଙ୍ଗୀରେ ପ୍ରକାଶ କରିଅଛନ୍ତି । ଏହିଭଳି ‘ପ୍ରଳୟ ଆବାହନ’ ଓ ‘ଆରେ ଦୁର୍ଭାଗାଦେଶ’ କବିତାରେ ଏହି ଭାବଚେତନା ପରିସ୍ଫୁଟିତ-

 

(୭)

ସବୁଜରୁ ସାଂପ୍ରତିକ - ଡଃ ନିତ୍ୟାନନ୍ଦ ଶତପଥୀ- ଗ୍ରନ୍ଥମନ୍ଦିର ୫ମ ସଂସ୍କରଣ, ପୃ- ୨୮୬, ୨୦୦୮ ।

 

“ସର୍ବହରାର ଦଳ/ ଚାଲ ଚାଲ ଖରତର/ ଚୂର ଚୂର ଜଞ୍ଜିର କାରାରେ

କଣ୍ଠେ ଖେଳୁ ହେ ତବ/ ବିଦ୍ୟୁତ ଦ୍ୟୁତିନବ/ ବକ୍ଷେ ବିକଶୁ ପ୍ରୀତି ଧାରାରେ

ମତ୍ତ ପାଗଳ ସମ/ହସ ହସ ଅନୁପମ/ ବୈଶାଖୀ ଘୂର୍ଣ୍ଣିର ତୁଲରେ ।’’ (୮)

 

(୮)

ପ୍ରଳୟଆବାହନ- ‘ଅଲୋଡ଼ା ଲୋଡ଼ା’-ପୃ- ୩୬

 

ସେଥିଲାଗି କବି ଅନନ୍ତ ପଟ୍ଟନାୟକ ସାଧାରଣ ସ୍ତରରୁ ହିଁ ବିପ୍ଳବ ଓ ସଚେତନତା କାମନା ରଖନ୍ତି । କାରଣ ଖଟିଖିଆ ଶ୍ରମିକ ହିଁ ଏହି ବିପ୍ଳବର ପ୍ରମୁଖ ନାୟକ । ତା’ର ପରିଶ୍ରମରେ ମାଲିକର ଉତ୍ତୁଙ୍ଗ ପ୍ରାସାଦ ଆଉ ଧନଭତ୍ତି ଅମାରତ । କିନ୍ତୁ ପ୍ରତିବଦଳରେ ତାର ପ୍ରାପ୍ୟ ଅକଥନୀୟ ଅତ୍ୟାଚାର ସାଙ୍ଗକୁ ଦାରୁଣ ଲାଞ୍ଛନା ଓ ଶୋଷଣ । ସତେ ଯେପରି ଏହାହିଁ ତାର ଅଦୃଷ୍ଟ ଭାଗ୍ୟଲିପି । ମାତ୍ର କବି ଅନନ୍ତ ଏ ବ୍ୟବସ୍ଥାକୁ ସ୍ଵୀକାର କରନ୍ତି ନାହିଁ । ନିଜ ଭାଗ୍ୟର ନିର୍ମାତା ମଣିଷ ନିଜେ । କାହାର ଅନୁକମ୍ପାରେ ପରିବର୍ତ୍ତନ ହୋଇ ନ ପାରେ । ତେଣୁ ଅମଡ଼ାମାଡ଼ି, ପ୍ରଚଳିତ ବ୍ୟବସ୍ଥା ବିରୁଦ୍ଧରେ ବିପ୍ଳବ କରି ହିଁ ନିଜର ଭାଗ୍ୟକୁ ନିଜେ ଲେଖିବା ଲାଗି କବି ଉଦାତ୍ତ କଣ୍ଠରେ ଘୋଷଣା କରିଛନ୍ତି ।

 

‘‘ମଜ୍‌ଦୁର ଚାଷୀ ବକ୍ଷରେ ରଚେରେ ଯେହୁ ନାଚ

ତାକୁରେ ଆଜି ବିପ୍ଳବୀ ତୁ ମାରଣ ବିଷ ଯାଚ

ଧ୍ୱଂସ ପାଉ ଶୋଷକକୁଳ ସାମ୍ରାଜ୍ୟ ପିଶାଚ

ମଜଦୁର ଚାଷୀ ରାଜ୍ୟ ହେଉ, ଲଭରେ ଅଧିକାର

ସାମ୍ୟବାଦୀ ଅଗ୍ରଣୀକୁ ହୁଅରେ ଆଗୁ ସାର ।’’ (୯)

 

(୯)

‘ଆଗେ ଚାଲ’ - ରକ୍ତଶିଖା, ପୃ. ୫ ।

 

ପୁନଶ୍ଚ କବି ଅନନ୍ତ ପଟ୍ଟନାୟକଙ୍କ ବିପ୍ଳବର ସ୍ଵର ସମୟାନ୍ତରରେ ପ୍ରତୀକତାକୁ ଗ୍ରହଣ କରିଛି । ଫ୍ରାନ୍ସର କବି ଲୁଇ ଆରାଁଗ ‘‘Red Train’’ କୁ ଯେପରି ସାମ୍ୟବାଦର ପ୍ରତୀକ ଭାବରେ ଗ୍ରହଣ କରିଥିଲେ, ତଦୁପରି କବି ଅନନ୍ତ ମଧ୍ୟ ଏହି ବିପ୍ଳବକୁ ରକ୍ତକଇଁ, ରକ୍ତକରବୀ, ଲାଲ୍‌ସୂର୍ଯ୍ୟ, ରକ୍ତତାରକା ଆଦି ସାଙ୍କେତିକତା ମାଧ୍ୟମରେ ଗ୍ରହଣ କରିଅଛନ୍ତି । ଉଦାହରଣଟିଏ ଏଠାରେ ନିଆଯାଇପାରେ-

 

“ମୃତ୍ୟୁର ଜଳେ ପହଁରି ପହଁରି ତୋଳେ ଯେ ତୋ ଲାଗି ରକ୍ତକଇଁ

କୃଷ୍ଣନାଗର ଦଂଶନେ ସେକି, ପଡ଼ିବ ନଇଁରେ ପଡ଼ିବ ନଇଁ ।

 

ତେଣୁ ବିପ୍ଳବମାଧ୍ୟମରେ ପ୍ରଚଳିତ ପୁଞ୍ଜିବାଦୀ ଶାସନ ବ୍ୟବସ୍ଥାରେ ତୁମୁଳ ପରିବର୍ତ୍ତନ ସଂଗଠନ କରାଇ ଶୋଷକ-ଶୋଷିତ ଶ୍ରେଣୀ ସମାଜର ମୂଳୋତ୍ପାଟନ କରିବା ହିଁ ସାମ୍ୟବାଦର ମୂଳ ଲକ୍ଷ୍ୟ । ତେଣୁ ଓଡ଼ିଆ ପ୍ରଗତିଶୀଳ ସାହିତ୍ୟ ଗଣାଭିମୁଖୀ ଚିନ୍ତାକୁ ନେଇ ଗତିଶୀଳ । କବି ଶ୍ରୀଯୁକ୍ତ ପଟ୍ଟନାୟକ ଏହି ଭାବଚେତନାର ଜଣେ ବିପ୍ଳବୀ କବିଟିଏ । ‘‘The oldman and the new’’ ଶୀର୍ଷକରେ ସୋଭିଏତ୍‌ ଲେଖକ ଗର୍କୀ ଉଲ୍ଲେଖ କରନ୍ତି – ‘‘The aim of new world is to liberate the working people from ancient superistition and prejudices of race. Nation, Class and Religion and to creat a world wide factronal society every member of which will work according to his ability and receive according to his needs.’’ ତେଣୁ ଏହି ପ୍ରଗତିଶୀଳ ସାହିତ୍ୟ ହିଁ ନାନା ଅନ୍ୟାୟ, ଅନ୍ଧବିଶ୍ଵାସ, କୁସଂସ୍କାର ବିରୁଦ୍ଧରେ ଏକ ବିଦ୍ରୋହ ଘୋଷଣା କରିଅଛି ।

 

ପରବର୍ତ୍ତୀ ସମୟରେ କବି ଅନନ୍ତ ପଟ୍ଟନାୟକଙ୍କ କାବ୍ୟସ୍ଵରରେ ବୈପ୍ଳବିକ ଗାମ୍ଭୀର୍ଯ୍ୟ କ୍ରମଶଃ ମନ୍ଥର ହେବାର ଲକ୍ଷ୍ୟ କରାଯାଏ । ଦ୍ୱିତୀୟ ବିଶ୍ୱଯୁଦ୍ଧ (୧୯୩୯-୪୫)ର ଭୟାବହତା ଓ ଧ୍ଵଂସକାରୀ ମୂର୍ତ୍ତି, ଭାରତୀୟ ଆନ୍ଦୋଳନ (୧୯୪୨) ଏବଂ ସର୍ବୋପରି ସତୀର୍ଥ କମ୍ରେଡ଼୍‌ ଭଗବତୀ ଚରଣ ପାଣିଗ୍ରାହୀଙ୍କ ମୃତ୍ୟୁ (୧୯୪୩) ଏଥିଲାଗି ଦାୟୀ । ଯଦିଓ କବିଙ୍କ ରଚନାର ପୂର୍ବ ବିପ୍ଳବର ତେଜ ଶିଥିଳ ହୋଇ ପଡ଼ିଛି, ତଥାପି ସ୍ଥାନେ ସ୍ଥାନେ ଛଦ୍ମ ନାମରେ (ଅତନୁ, ଅଣାକାର, ବୋଧିସତ୍ତ୍ୱ, କୁମାରୀ ଯଶୋଧାରା) ଏହି ବିପ୍ଳବର ଶିଖାକୁ ପ୍ରଜ୍ୱଳିତ କରି ରଖିଛନ୍ତି । ଏହି ସମୟର ରଚନାରେ ଶାନ୍ତି ମନସ୍କ କବି ପ୍ରାଣର ବିକଳ ଆହ୍ଵାନ ଶୁଣିବାକୁ ମିଳେ । ‘ଶାନ୍ତିଶିଖା’ (୧୯୫୧)ର କବିତାଗୁଡ଼ିକ ତେଣୁ ଏହି ଶାନ୍ତିଶିଖାର ଶାନ୍ତିକାମନାରେ ପରିପୂର୍ଣ୍ଣ । ପୁନଶ୍ଚ ତତ୍କାଳୀନ କୋରିଆ - ମାଳୟରେ ଅନୁଷ୍ଠିତ ସାମ୍ରାଜ୍ୟବାଦୀ ବିରୁଦ୍ଧରେ ଜାତୀୟବାଦୀଙ୍କ ବିପ୍ଳବ ପ୍ରାଣଦାନ କବିଚିତ୍ତକୁ ଆହୁରି ବିକ୍ଷିପ୍ତ କରିଛି । ତେଣୁ ଧ୍ଵଂସ, ବିପ୍ଳବରୁ ମୁହଁ ଫେରାଇ ନେଇ ଏକ ଶାନ୍ତିରାଜ୍ୟ କାମନା କରିଛନ୍ତି କବି ପଟ୍ଟନାୟକ । ତେଣୁ ତାଙ୍କ କବିତାରେ ଶାନ୍ତି ପାଇଁ ଆକୁଳତାର ଧ୍ଵନି ଗୁଞ୍ଜରିତ ହୋଇଛି-

 

“ହଟାଅ ହଟାଅ ମୃତ୍ୟୁ ବାହିନୀ ଦୁଆରୁ

କିଏ ଅଛ କାହିଁ ଆରେ ବିଦଳିତ ଜନତା

ପ୍ରାଣ ଦେଇ ଆଣ ଶାନ୍ତି ଓଟାରି ଲୁହରୁ

ଦୈତ୍ୟ କବଳୁଁ ଉଦ୍ଧର ପ୍ରୀତି ମମତା ।’’ (୧୦)

 

(୧୦)

‘ହଟାଅ ହଟାଅ’ - ‘ଶାନ୍ତିଶିଖା’, ପୃ- ୬ । ପୁନଶ୍ଚ

 

‘‘ଶାନ୍ତିର କପୋତ ଉଡ଼େ ହିମାଦ୍ରି ମହୁଡ଼େ

ଆଉଁସାଏ ଆଖି

କହିଯାଏ ଧୀର କଳଭାସେ

ନିଥର ଉଲ୍ଲାସେ

ସହଯାତ୍ରୀ ବୁଦ୍ଧ ଡାକେ ଏଇ

ଆତୁର ଆହ୍ଵାନେ ଯୀଶୁ

ଗାନ୍ଧୀ ଥରେ ରକ୍ତଧାରା ଫେଇ ।

ଶୁଣରେ ମୂର୍ଚ୍ଛିତ ନର ଭସ୍ମାସୁର ସମ

ଅସୀମ ସାଧନା ଲବ୍‌ଧ ଶକ୍ତି ଅନୁପମ

କର ନାହିଁ କ୍ଷୟ ।’’ (୧୧)

 

(୧୧)

ଏସିଆର ମର୍ମପାଖେ - ଶାନ୍ତିଶିଖା, ପୃ- ୧୨ ।

 

ଏହି ପର୍ଯ୍ୟାୟରେ ସେହିଭଳି ‘ସାଇରନ୍‌ ବାଜେ’ କବିତାରେ ମଧ୍ୟ ଏହି ସ୍ଵର ପ୍ରକଟିତ । ତେଣୁ ବିପ୍ଳବ ଓ ଶାନ୍ତିର ମିଶ୍ରରାଗ ତୋଳିଥିବା କବି ପଟ୍ଟନାୟକଙ୍କ ସମ୍ପର୍କର କବି ସୀତାକାନ୍ତଙ୍କ ବକ୍ତବ୍ୟ ଏହିପରି- ‘ବିପ୍ଳବ ଜନ୍ମନିଏ ସ୍ନେହରୁ । ଈର୍ଷା-କ୍ରୋଧ କି ଅସୂୟାରୁ ନୁହେଁ । ବଞ୍ଚିତ୍‌, ଦଳିତ, ମଥିତ, ଅତ୍ୟାଚାରିତ ମଣିଷ ପ୍ରତି ସ୍ଵାଭାବିକ ଅନ୍ତରଙ୍ଗ ସ୍ନେହରୁ ଜନ୍ମନିଏ ପ୍ରକୃଷ୍ଟ ବିପ୍ଳବ । ସେଥିପାଇଁ ବିପ୍ଳବ ଶାନ୍ତି ଚାହେଁ । ଶାନ୍ତିର କପୋତକୁ ଉନ୍ମୁକ୍ତ ଆକାଶକୁ ଉଡ଼ାଇ ଦେବାକୁ ଚାହେଁ । କପୋତର ପକ୍ଷ ଆକାଶକୁ ଛୁଇଁ ଛୁଇଁ ଦୂରରେ ହଜିଯିବା ହିଁ ବିପ୍ଳବର ଅନ୍ତିମ ଲକ୍ଷ୍ୟ ।” (୧୨) ପରେ ଏହି ମିଶ୍ରରାଗ ‘ଅବାନ୍ତର' (୧୯୭୮) କବିତା ସଂକଳନରେ ମଧ୍ୟ ଶୁଣିବାକୁ ମିଳେ ।

 

(୧୨)

ଧୂଳିର ଫୁଲ ମହକ - ଡଃ ସୀତାକାନ୍ତ ମହାପାତ୍ର - କବି ଅନନ୍ତ ପଟ୍ଟନାୟକ ସ୍ମରଣିକା ଓ.ସା.ଏ, ୧୯୮୭ ।

 

ତେଣୁ ଶେଷବେଳକୁ କବି ଲେଖନୀରେ ବିପ୍ଳବର ସ୍ଵର କ୍ରମଶଃ ଶିଥିଳ ହେଲେହେଁ ତାହା ତାଙ୍କର ପୂର୍ବ ଗୌରବକୁ କ୍ଷୁର୍ଣ୍ଣ କରୁ ନାହିଁ । ବରଂ ଚିରକାଳ ଓଡ଼ିଆ ପଗ୍ରତିବାଦୀ ସାହିତ୍ୟ ଜଗତରେ ଅନନ୍ତ ପଟ୍ଟନାୟକ ଏକ ବିପ୍ଳବୀ ଜ୍ଵଳମାନ କବି ହିସାବରେ ପରିଚିତ ହେଉଥିବେ । ଏକ ଛନ୍ଦାୟିତ ଗତିପଥରେ ତାଙ୍କର ସଂଯତ ଚିନ୍ତାଧାରାକୁ ସେ ଏଭଳି ପ୍ରକାଶ କରନ୍ତି ଯେ ବ୍ୟଥା ଓ ବିଦ୍ରୋହର ସ୍ଵର ପାଠକ ମନରେ ଏକ ଦୃଢ଼ ଅନୁଭବ ଭଳି ରହିଯାଏ । ପାଣ୍ଡିତ୍ୟ ତାଙ୍କର ଭାବ ପ୍ରକାଶକୁ ସାଧାରଣ ଚକ୍ଷୁରେ ଏବଂ ତ୍ରସ୍ତ ମନରେ ଦୁର୍ବୋଧ୍ୟତା ପ୍ରଶ୍ନବାଚୀ ଉତ୍ତୋଳନ କରିଥିଲେ ସୁଦ୍ଧା ଜଣେ ଚିନ୍ତାଶୀଳ ଓ ହୃଦୟବାନ୍‌ ପାଠକର ମସ୍ତିଷ୍କରେ ଓ ମନରେ ଏହାର ଗଭୀରତା ସତ୍ୟତା ଯଥେଷ୍ଟ ପ୍ରଭାବ ପକାଇଥାଏ । ତେଣୁ କବି ପଟ୍ଟନାୟକଙ୍କ କବିତାର ପ୍ରକୃତ ମର୍ମବୋଧ ହେଲା ଅନୁଭବ, ଅନୁରଞ୍ଜନ ନୁହେଁ । (୧୩)

 

(୧୩)

‘କବି ଅନନ୍ତ ପଟ୍ଟନାୟକ’ - ଦୀପକ ମିଶ୍ର- ଝଙ୍କାର, ୧୯ଶ ବର୍ଷ ୧୨ଶ ସଂଖ୍ୟା ।

 

କବି ଅନନ୍ତ ପଟ୍ଟନାୟକଙ୍କ ବିପ୍ଳବୀ କାବ୍ୟ- ସତ୍ତା ଚିରକାଳ ଓଡ଼ିଆ ସାହତ୍ୟରେ ଉଦ୍‌ଘୋଷିତ ହେଉଥିବ ଏବଂ ବହୁ ଅଗଣନ ପାଠକ ଅନ୍ତରେ ମଧ୍ୟ ଏକ ନୂତନ ପୁଆରା ଜାଗ୍ରତ କରିବ, ତାହାହିଁ ତାଙ୍କ ରଚନାର ଆଶା ଓ ଭରସା । ଉତ୍କଳର ବାଣୀ କାନନର ଦୀର୍ଘ ପଚାଶ ବର୍ଷରୁ ଉର୍ଦ୍ଧ୍ୱକାଳ ଧରି ସେ ଯେଉଁ ମଧୁରତାନ ଶୁଣାଇଥିଲେ ତାହା ଚିରକାଳ ଅନୁରଣିତ ହେଉଥିବ ଓ ଜଣେ ବିପ୍ଳବୀ କବି ଭାବରେ ତଥା ପ୍ରଗତିବାଦୀର ଜ୍ଵଳମାନ ଶିଖାଭଳି ସାହିତ୍ୟାଙ୍ଗନରେ ଚିର ପ୍ରଜ୍ଜ୍ୱଳିତ ରହିଥିବେ, ଏହା ହିଁ ପାଠକ-ବିବେକୀର ଦୃଢ଼ ଆଶା । ଶେଷରେ ଜଣେ ଆଲୋଚକଙ୍କ ମତକୁ ଏହି କ୍ରମରେ ଗ୍ରହଣ କରାଯାଇପାରେ - ‘‘ସେ ଏଭଳି ଏକ କବିତାର ଛନ୍ଦ, ଯାହାକୁ କି ସମୟ ଓ ଭଗବାନ ଆବୃତ୍ତି କରିପାରି ନାହାନ୍ତି, ମଣିଷ ଓ ସମାଜ ଧରି ରଖି ପାରିନାହାନ୍ତି ନିଜର ଧରାବନ୍ଧା ନୀତି ନିୟମର ପରିଧି ଭିତରେ । ତେଣୁ ତାଙ୍କର ପ୍ରଶଂସକ ଓ ସମାଲୋଚକ ଉଭୟ ତାଙ୍କୁ ଆଖ୍ୟା ଦିଅନ୍ତି ଶବ୍ଦର ଯାଦୁଗର ରୂପେ । ସେ କିନ୍ତୁ କାବ୍ୟିକ ଅଭିଧାନର ଉପବନ ଭିତରେ ବନ୍ଦୀ ନୁହନ୍ତି । ସମୟର ବାଲୁକା ଶଯ୍ୟାରେ ହଜିଯାଇଥିବା ଅଗଣନ ମଣିଷର କିଛି ସ୍ଵରକୁ ସମାଧି ଲଭିଥିବା ହୃଦୟରୁ, ଯୁଗଯୁଗ ଧରି ବନ୍ଦ ହୋଇ ରହିଥିବା ଜଉମୁଦ ଓଠ ତଳେ ଚାପିହୋଇ ରହିଥିବା ଅକୁହାଭାଷାରୁ ଓ ମଣିଷର ପାଂଶୁଳ ବିବର୍ଣ୍ଣ ମୁଖ ମଣ୍ଡଳରୁ ସେ ସଂଗ୍ରହ କରନ୍ତି, ତୋଳି ଆଣନ୍ତି ଶବ୍ଦ, ତାକୁ ରୂପ ଦିଅନ୍ତି କବିତାରେ ।”(୧୪)

 

(୧୪)

ଅନନ୍ତ ପଟ୍ଟନାୟକ - ଏକ ଗୀତିକାବ୍ୟର ନାମ - କୃଷ୍ଣ ପ୍ରସାଦ ପଟ୍ଟନାୟକ, ‘ଭଗବତୀ ବିଶେଷାଙ୍କ’ - ପୃ : ୩୮୧, ‘ନୂଆ ଦୁନିଆ’- ୧୯୮୭ ।

 

ସହାୟକ ଗ୍ରନ୍ଥ ପଞ୍ଜିକା :

(୧)

ଶତପଥୀ ଡଃ ବିଜୟ କୁମାର- ଓଡ଼ିଆ ସାହିତ୍ୟରେ ପ୍ରଗତିବାଦୀ ଧାରା- ଓଡ଼ିଶା ବୁକ୍‌ ଷ୍ଟୋର-୧୯୯୫ ।

(୨)

ଶତପଥୀ ଡଃ ନିତ୍ୟାନନ୍ଦ- ସବୁଜରୁ ସାଂପ୍ରତିକ - ଗ୍ରନ୍ଥମନ୍ଦିର ୨୦୦୮ ।

(୩)

ମାନସିଂହ ଡଃ ମାୟାଧର, ଓଡ଼ିଆ ସାହିତ୍ୟର ଇତିହାସ, ଗ୍ରନ୍ଥମନ୍ଦିର, ୧୯୮୧ ।

(୪)

ପଟ୍ଟନାୟକ ଗୁରୁଚରଣ, ଓଡ଼ିଆ ସାହିତ୍ୟର ମତି ଓ ଗତି, ନବଯୁଗ ଗ୍ରନ୍ଥାଳୟ, ୧୯୬୮-।

(୫)

କବି ଅନନ୍ତ ପଟ୍ଟନାୟକ, ସ୍ମରଣିକା - ଓଡ଼ିଶା ସାହିତ୍ୟ ଏକାଡେମୀ, ୧୯୮୧ ।

 

 

(୬)

ପତ୍ରିକା - କୋଣାର୍କ - ଓଡ଼ିଶା ସାହିତ୍ୟ ଏକାଡେମୀ, ୧୯୮୬ ।

 

 

ଗବେଷକ, ଓଡ଼ିଆ ଭାଷା ସାହିତ୍ୟ ବିଭାଗ

ରେଭେନ୍ସା ବିଶ୍ଵବିଦ୍ୟାଳୟ

କଟକ- ୭୫୩୦୩

 

***

 

କବି ଅନନ୍ତ ପଟ୍ଟନାୟକ

ନିର୍ମଳା କୁମାରୀ ମହାପାତ୍ର

 

ପ୍ରଗତିଶୀଳ ସାମ୍ୟବାଦୀ ଚିନ୍ତାଧାରାର ଅନ୍ୟତମ ପ୍ରବକ୍ତା ଅନନ୍ତ ପଟ୍ଟନାୟକ (ଜନ୍ମ ୧୧-ଜୁନ୍‌ ୧୯୧୨, ତିରୋଧାନ ୨୫-ଜୁନ୍‌ ୧୯୮୭) ଥିଲେ ଏକାଧାରରେ ଜଣେ ବିପ୍ଳବୀକବି, ଗାଳ୍ପିକ, ଅନୁବାଦକ, ନାଟ୍ୟକାର, ଚଳଚ୍ଚିତ୍ରର ରୂପକାର ସ୍ଵାଧୀନତା ସଂଗ୍ରାମୀ, ସାମ୍ବାଦିକ, ଶକ୍ତିଶାଳୀ ସଂଗଠକ ଓ ରାଜନୀତିକ ନେତା । ଶୋଷଣମୁକ୍ତ ଶ୍ରେଣୀହୀନ ସମାଜଗଠନ ଲାଗି ଚିରପ୍ରୟାସୀ କବି ଅନନ୍ତଙ୍କ ରଚନାସମ୍ଭାରରେ ଅନୁରଣିତ ହୁଏ ବିପ୍ଳବର ସ୍ଵର, ଅନୁଭୂତ ହୁଏ ମାନବବାଦର ସୁଗନ୍ଧ ଆଉ ମନଲୋଭା ଶବ୍ଦ- କୋଣାର୍କ । ଥରେ କୁଆଡ଼େ ଗୋପୀବାବୁ (ଜ୍ଞାନପୀଠ ପୁରସ୍କାରପ୍ରାପ୍ତ ଲେଖକ ଗୋପୀନାଥ ମହାନ୍ତି) କହିଥିଲେ-

 

“କବି ଅନନ୍ତଙ୍କ ଲେଖାରେ ଭାଷାର ଡୁଡୁମା ଝରେ ।’’

କି ଶକ୍ତିଶାଳୀ ପ୍ରାଣବନ୍ତ ତାଙ୍କର ଶବ୍ଦ-ସଂଯୋଜନା ସତେ ! ତାଙ୍କର କବିତା ପୁସ୍ତକ ତର୍ପଣ କରେ ଆଜି (୧୯୪୯) ଶାନ୍ତିଶିଖା (୧୯୫୨), ସତ ହେଲା ମଣିଷର ସ୍ୱପ୍ନ (୧୯୬୨) ଅଲୋଡ଼ା ଲୋଡ଼ା (୧୯୬୪) ଛାଇରଛିଟା (୧୯୬୬), କୁନିକୁନି (୧୯୬୭) ଅଋତୁଋତୁ (୧୯୮୪), ଅଗଡ଼ବଗଡ଼, ଅବାନ୍ତର ‘କିଞ୍ଚିତ’ ଆଦିରେ ରହିଛି ନୂତନ ଛନ୍ଦଛଟା, ଭାଷାଶୈଳୀ, ପ୍ରତୀକବାଦ, ସାମାଜିକ ଶୋଷଣ, ପ୍ରଶାସନିକ ଅତ୍ୟାଚାର, ବିଦ୍ୱେଷ ବିରୋଧରେ ଅସ୍ତ୍ର ଉତ୍ତୋଳନ, ମେହେନତି ମଣିଷ ପ୍ରତି ସମ୍ବେଦନଶୀଳତା ଆଦି । ବାମପନ୍ଥୀ କବି ହେଲେ ହେଁ ସୌନ୍ଦର୍ଯ୍ୟ ବିଭୋର ପ୍ରାଣରେ ତାଙ୍କର ସାଙ୍ଗିତିକ ଆବେଦନ । ଯଥା :-

 

“ଆମ୍ର ମୁକୁଳ

ଝରି ଝରି ପଡ଼େ

ପରାଣେ ଲିପ୍ତ ଦେହ ଗୋ !

ଆଜି ମଳୟର ସାଥେ

ବରଷା ଢାଳିଲା

ଅକାତରେ ଏ କି ସ୍ନେହ ଗୋ !’’

ଆଧୁନିକ ଓଡ଼ିଆ କବିତା ସମ୍ଭାର (୧୯୯୮) ପୃଷ୍ଠା ୨୭୬

 

ଗାନ୍ଧିଜୀଙ୍କ ନିଧନରେ କବି ଅନନ୍ତ ଲେଖନ୍ତି- ‘ତର୍ପଣ କରେ ଆଜି । ସେ ସମଗ୍ର ମାନବଜାତି ତରଫରୁ ଅଶ୍ରୁ ନିବେଦନ ପୂର୍ବକ କହନ୍ତି-

 

ପିତୃ ଶୋଣିତେ ଅନ୍ଧ ନୟନ ମାଜି

ତର୍ପଣ କରେ ଆଜି

ପିତୃଘାତୀ ଏ ଆତ୍ମଘାତୀରୁ ଜାତି

ଗଭୀର କୃଷ୍ଣ ଜୀବନ ଯମୁନା ତୁଠେ

ହତାଶ ପ୍ରାଣର ମତ୍ତ ବତାସି ଉଠେ

ଚିତ୍ତ ଥରଇ ପ୍ରଳୟ ଦୁଃଖୁଁ ତାତି

ତର୍ପଣ କରେ ତୁମରି ମନ୍ତ୍ର ଆଣି

ହେ ମହାରାଗିଣୀ ମୃତ୍ୟୁ- ବିନାଶୀ ବାଣୀ ।’’

 

୧୯୩୦-୪୦ ମଧ୍ୟରେ ରଚିତ କବିଙ୍କର ଅଧିକାଂଶ ରଚନା ଅତନୁ, ଅଣାକାର ବୋଧିସତ୍ତ୍ୱ, କୁମାରୀ ଯଶୋଧାରା ଆଦି ଛଦ୍ମ ନାମରେ ପ୍ରକାଶିତ । ସନ ୧୯୪୨ ମସିହାରେ ‘ଉଠ ଜାଗ ଭୋକି- ବନ୍ଦୀ’ ନାମକ କବିତା ସଂକଳନ ପ୍ରକାଶ ପାଇଥିଲା ଯେଉଁଥିରେ ତିନିଜଣ କବି; ଯଥା : କବି ଅନନ୍ତ ପଟ୍ଟନାୟକ, କବି ସଚ୍ଚିଦାନନ୍ଦ ରାଉତରାୟ ଓ ଗଣକବି ବୈଷ୍ଣବପାଣିଙ୍କର ରଚନା ରହିଥିଲା । ଏମାନେ ଥିଲେ ସାମ୍ୟବାଦର ଜୟଗାନକାରୀ, ମାର୍କସୀୟ ଦର୍ଶନରେ ଅନୁବର୍ତ୍ତିତ ।

 

ପ୍ରଗତିବାଦୀ ସାହିତ୍ୟ ଦିନେ ଫ୍ରାନ୍ସ ବିପ୍ଳବର ମୂଳକାରଣ ହୋଇଥିଲା । ଋଷୋ, ଭୋଲଟେୟାର, ମଣ୍ଟେସ୍କ୍ୟୁଙ୍କ ପରି ଅଗ୍ରଣୀ ଦାର୍ଶନିକଗଣଙ୍କ ଭୂମିକା ପରି ନବଯୁଗ ସାହିତ୍ୟ ସଂସଦର ସଦସ୍ୟମାନଙ୍କର ଅବଦାନ ଥିଲା ବେଶ୍‌ ଗୁରୁତ୍ଵପୂର୍ଣ୍ଣ । କବି ଅନନ୍ତଙ୍କର ରାଜନୀତିକ ଚିନ୍ତାଧାରା, ସାମାଜିକ ଦୃଷ୍ଟିକୋଣରେ ବିପ୍ଳବ ଏକାଧାରରେ ପ୍ରଖର ଓ ଗମ୍ଭୀର ହୋଇଉଠିଛି । ‘ଝରରେ ରୁଧିର ଝର’ କବିତାରେ ସେ ବିପ୍ଳବର ରାଗିଣୀ ତୋଳିଛନ୍ତି । ‘ରକ୍ତର ଜବା’ ଫୁଟାଇବା ପାଇଁ ଆହ୍ଵାନ ବି ଦେଇଛନ୍ତି ।

 

ଆଠଗୋଟି ଗୀତକୁ ନେଇ ‘ରକ୍ତଶିଖା’ ପୁସ୍ତକ ୧୯୩୯ ମସିହାରେ ହରନାଥ ପ୍ରେସ୍‌ରୁ ବାମପନ୍ଥୀ ନେତା ତଥା କବି ଅନନ୍ତଙ୍କର ସାନଭାଇ ଗୁରୁଚରଣ ପଟ୍ଟନାୟକ (ଡାକନାମ- ବାଉ)ଙ୍କ ପ୍ରୟାସ କ୍ରମେ ପ୍ରକାଶିତ ହୋଇଥିଲା । ସେଥିରେ ଉଭୟ କବି ଅନନ୍ତ ପଟ୍ଟନାୟକ ଓ ସଚ୍ଚିଦାନନ୍ଦ ରାଉତରାୟଙ୍କର ରଚନା ସନ୍ନିବେଶିତ ହୋଇଥିଲା । ଇଂରେଜ ସରକାର ବହିଟିକୁ ବେଆଇନ ଘୋଷିତ କରି ପ୍ରେସ ମାଲିକଙ୍କୁ ଅର୍ଥଦଣ୍ଡରେ ପକାଇଥିଲେ । ସେଇ ବହିରେ ସ୍ଥାନିତ କବି ଅନନ୍ତଙ୍କ ରଚନା (ଚାରଣଗୀତ)ରୁ କିୟତ୍‌ ନିମ୍ନରେ ପ୍ରଦତ୍ତ ।

 

“ଜୀବନ ଦେଇ ହେ ଢାଳିଲୁ ରକ୍ତ

 

ତୋଳିଲୁ ସୌଧମାଳା

ଆମରି ଲାଗିରେ ଶାସନ ଶକ୍ତ

 

ଆମେ ହିଁ ସର୍ବହରା

ଝାଞ୍ଜି ପବନ ସହିରେ ସଘନ

 

ଗହୀରେ ରୋଇଲୁ ଧାନ

ବରଷା କାଦୁଅ ଚକଟି କେତେରେ

 

ଖିନ୍ନ କରିଲୁ ପ୍ରାଣ

ପୌଷ ପ୍ରଭାତେ କାଟିଲୁ ଶସ୍ୟ

 

ହସିଲେ ନିଖିଳବାସୀ

ଅତ୍ୟାଚାରୀର କରାଳ କବଳେ

 

ନେଲାରେ ସର୍ବଗ୍ରାସୀ ।

ଆମେ ହିଁ ଗଢ଼ିଲୁ ବନ୍ଧୁକ ତୋପ

 

ତରବାରୀ ଆମ ପାଇଁ

ଆମେ ହିଁ ତୋଳୁରେ କାରାର ପ୍ରାଚୀର

 

ବନ୍ଧନ ଗୀତି ଗାଇ

ସମାଜର ଶତ ଶୃଙ୍ଖଳର ଜାଲେ

 

ଛନ୍ଦି ଆପଣା ଛାଏଁ

ଆଲୋକର ପଥ ରୁଦ୍ଧ କରୁରେ

 

ଯୁଗଯୁଗାନ୍ତ ଯାଏ ।

x.....x.....x

 

x x x

ପ୍ରାପ୍ୟ ଆମର ନେବୁରେ ମୁକର

 

ଆମେ ଶ୍ରମିକର ଜାତି

ଫୁଟାଇବୁ ଆଜି ରକ୍ତପ୍ରଭାବ

 

ଚିରି ଅନ୍ଧାର ଛାତି ।

 

କେତେ ଶକ୍ତିଶାଳୀ ଏ ଗୀତ ଯାହାକି ପ୍ରାକ୍‌ ସ୍ୱାଧୀନତା କାଳର ପ୍ରଗତିବାଦୀ ଚିନ୍ତଧାରାକୁ ଉଜ୍ଜୀବିତ କରି ରଖିଥିଲା । ପ୍ରକାଶ ଥାଉ କି ପ୍ରୋକ୍ତ ଗୀତର ଶେଷ ପଦାଂଶ (Phrase/part of the line of the poem) ‘‘ଚିରି ଅନ୍ଧାର ଛାତି’’ ହୋଇଥିଲା ତାଙ୍କ (ଅନନ୍ତ ବାବୁଙ୍କ) ନାଟକର ଶୀର୍ଷକ ଯେଉଁଟିକୁ ସେ ୧୯୫୭ (କେତେକଙ୍କ ମତରେ ୧୯୫୯)ରେ ରଚନା କରିଥିଲେ । ତାହା ୧୯୯୦ ମସିହାରେ ପ୍ରକାଶିତ ହୋଇ ବେଶ୍‌ ଆଦୃତ ହୋଇଥିଲା ।

 

କୃଷକ ଜୀବନର ଦୁଃଖ, ଭାଗଚାଷୀ ଆନ୍ଦୋଳନ, ଜମି ପାଇଁ ଆତୁରତା, ଅଞ୍ଚଳ ଅଧିକାରୀଙ୍କ ପରି ରାଜସ୍ଵ ବିଭାଗର କର୍ମଚାରୀମାନଙ୍କର ଅତ୍ୟାଚାର ବିରୋଧରେ ସଂଗ୍ରାମ ଜାରି ରଖିବା ଥିଲା ନାଟକ- ‘‘ଚିରି ଅନ୍ଧାର ଛାତି’’ର - ମୂଳପ୍ରସଙ୍ଗ । ଶିରୋନାମାଟି ଥିଲା ତାଙ୍କ କବିତାର ସୂତା ଖଣ୍ଡେ, ଏବେ ତାହା ହେଲା ତାଙ୍କ ନାଟକର ଶିରିପା/ ଶିରୋଭୂଷା । ଏଇ ନାଟକଟିରେ ଜମିମାଲିକର ଖାମଖିଆଲଭାବ, ଅମଲାତାନ୍ତ୍ରିକ ନିପୀଡ଼ନ ପ୍ରଶାସକଙ୍କର ସାଧାରଣ ନାଗରିକଙ୍କୁ ମନ୍ଦ ବ୍ୟବହାର ଏପରି ନିଖୁଣ ଭାବେ ଚିତ୍ରିତ ହୋଇଥିଲା ଯେ ଏହାକୁ ତତ୍‌କାଳୀନ ସରକାର ମଞ୍ଚସ୍ଥ କରାଇ ଦେଲେ ନାହିଁ ଯଦିଓ ପାତ୍ରପାତ୍ରୀଗଣ ମୁହିଁରେ ରଙ୍ଗବୋଳି ବେଶଭୂଷାରେ ସଜ୍ଜିତ ହୋଇ ସାରିଥିଲେ ।

 

କବି ଅନନ୍ତଙ୍କର ପ୍ରଥମ ନାଟକ ‘ରାବଣ’ ତାଙ୍କର କାରାବାସ କାଳରେ (୧୯୪୦-୪୧) ଅନୁଗୋଳ ଜେଲଖାନାରେ ରଚିତ ହୋଇଥିଲା । ଏହା ମଂଚସ୍ଥ ହୋଇଥିଲା ଚଣାହାଟ ହାଇସ୍କୁଲରେ ଯେତେବେଳେ କବି ସେଇ ସ୍କୁଲଗଢ଼ି ସେଠାରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ଆକାଶବାଣୀ କଟକ ସୌଜନ୍ୟରେ ମଧ୍ୟ ଏହା ପ୍ରଚାରିତ ହୋଇଥିଲା । ନିରପେକ୍ଷଭାବେ ଚିନ୍ତାକଲେ ସ୍ପଷ୍ଟ ହେବ ଯେ ‘ରାବଣ’ ନାଟକଟି ଓଡ଼ିଆ ଭାଷାରେ ହେବ ପ୍ରଥମ ମନସ୍ତାତ୍ତ୍ୱିକ ନାଟକ । ଏହା ସମ୍ପର୍କରେ ଆଲୋଚକ ଡକ୍ଟର ରମେଶ ପ୍ରସାଦ ପାଣିଗ୍ରାହୀ କହନ୍ତି –

 

‘‘xxx ରାବଣ ହିଁ ହେବ ପ୍ରଥମ ମନସ୍ତାତ୍ତ୍ୱିକ ନାଟକ । ପ୍ରଥମ ସ୍ତରରେ ନାଟ୍ୟକାର ରାବଣ ଚରିତ୍ରକୁ ତା’ର ପୌରାଣିକ ଓ ସାଂସ୍କୃତିକ ରହସ୍ୟ ମଧ୍ୟରୁ ବିଚ୍ଛିନ୍ନ କରି ତାକୁ ଏକ କ୍ଷମତାସୀନ ସାମାଜିକ ଚରିତ୍ର ରୂପେ ଉପସ୍ଥାପନ କରିଛନ୍ତି ।’’

 

ନାଟ୍ୟକାରଙ୍କ ଲେଖନୀରୁ ‘ରାବଣ’ର ଏକ ସଂଳାପ ଏଠାରେ ଉଲ୍ଲେଖ କରାଯାଇପାରେ ।

 

‘‘xxx ଧର୍ମର କିରୀଟି ପିନ୍ଧି ଧର୍ମର ବୈଜୟନ୍ତୀ ଉଡ଼ାଇଲ ? ନାଁ, ତା ନୁହେଁ ନୁହେଁ । xxx ମୁଁ ସୀତାଙ୍କୁ ଅପହରଣ କରି ତମ ମତରେ ତମ ଧର୍ମାନୁଯାୟୀ ପାପ କଲି ? ନାରକୀ ହେଲି-? ନାଁ, ତମେ ମୋର ପ୍ରଣୟଲିପ୍‌ସୁ ଭଗିନୀକୁ ବିକଳାଙ୍ଗ କଲ ? ଗୋଟିଏ ନାରୀ ଲାଗି କୋଟି କୋଟି ନାରୀନେତ୍ରରୁ ଅଶ୍ରୁ ନ ବୁହାଇ ରୁଧିର ବୁହାଇ ଦେଲ; ଏଇ ତମର ଦେବତ୍ୱ ପ୍ରକାଶ-?’’

 

କବିଙ୍କର ଅନ୍ୟତମ ନାଟକ ‘‘ପଞ୍ଚଶୀଳ’’ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କର ପଞ୍ଚଶୀଳ ନୀତି ଉପରେ ଆଧାରିତ । ଏହାକୁ ମଂଚସ୍ଥ କରାଯିବାର ସବୁ ବନ୍ଦୋବସ୍ତ ହୋଇ ସାରିଥିଲେ ହେଁ ପୋଲିସ (ସ୍ଵରାଷ୍ଟ ବିଭାଗ) ଅନୁମତି ନ ଦେବାରୁ ଶେଷ ମୁହୂର୍ତ୍ତରେ ମଞ୍ଚସ୍ଥ ହୋଇ ପାରି ନଥିଲା । କବିଙ୍କ ଜୀବନରେ ନାଟକ ରଚନା ସଂକ୍ରାନ୍ତରେ ଏକ ଆନନ୍ଦର କଥା ଥିଲା ‘‘ସପ୍ତଶଯ୍ୟା’’ ଚଳଚ୍ଚିତ୍ର । ଏହାର କାହାଣୀ, ଚିତ୍ରନାଟ୍ୟ, ସଂଳାପ, ସଂଗୀତ ରଚନାରେ ତାଙ୍କ କଲମର ଯାଦୁକରୀ ସ୍ପର୍ଶ ସର୍ବ ସଫଳତା ଆଣିଥିଲା । ଏଇ ଚଳଚ୍ଚିତ୍ରର ସହ- ନିର୍ଦ୍ଦେଶକ ମଧ୍ୟ ଥିଲେ ସେଇ କବି ଅନନ୍ତ ପଟ୍ଟନାୟକ । ଏହାର ପ୍ରସାରଣ କାଳ ଥିଲା ୧୯୪୮-୪୯ ମସିହା ।

 

ସଂସ୍କୃତ ନାଟକ ‘ମୃଚ୍ଛକଟିକମ୍‌'ଙ୍କୁ ଓଡ଼ିଆରେ ଅନୁବାଦ କରିଥିଲେ କବି ଅନନ୍ତ ପଟ୍ଟନାୟକ । ଏହାର ନାମ ରଖିଥିଲେ ମାଟି ଶଗଡ଼ । ଇଚ୍ଛାକୃତ ଭାବେ ଏଇ ତର୍ଯ୍ୟମାକାର୍ଯ୍ୟ କରିବା ପଛରେ ଥିଲା ମହତ୍‌ ଉଦ୍ଦେଶ୍ୟ । ଏହା ଥିଲା ଏକାଦଶ ଶତାବ୍ଦୀର ଏକ ବସ୍ତୁବାଦୀ ଚିନ୍ତା-ପ୍ରଣୋଦିତ ନାଟକ ଯହିଁରେ ସାମନ୍ତବାଦର ଉତ୍କର୍ଷ ସହ ଶ୍ରମିକ ଶ୍ରେଣୀୟ ମଣିଷର ଚିତ୍ର ରହିଅଛି । ନାୟକ ଚାରୁଦତ୍ତ ଜଣେ ଧନୀକ ଉଦ୍ୟୋଗୀ ଥିଲାବେଳେ ନାୟିକା ବସନ୍ତସେନା ଥିଲେ ଜଣେ ନଟୀ । ନାଟକର ଉପସ୍ଥାପନରେ ନଟୀର ଭୂମିକା ଗୁରୁତ୍ଵପୂର୍ଣ୍ଣ ।

 

ଅନୁବାଦ କଳାଟିରେ କବି ଅନନ୍ତ ପଟ୍ଟନାୟକଙ୍କର ସ୍ଵତନ୍ତ୍ର ଦକ୍ଷତା ଥିଲା । ଗର୍କୀଙ୍କର ‘The mother’କୁ ସେ ଓଡ଼ିଆ ଭାଷାରେ ଅନୁବାଦ କରିଥିଲେ ଯାହାର ନାମ ରଖିଥିଲେ - ମାଆ (୧୯୬୬) ସୋଲେଖରଙ୍କର, ପୁସ୍ତକ FATE OF MAN ର ଅନୁବାଦ କରି ତାହାର ନାମ ରଖିଥିଲେ- ‘ଭାଗ୍ୟରୁ ଖିଏ’ (୧୯୬୭) । ଇଂରାଜୀ କବିତା REVELATIONର ଅନୁବାଦକାର୍ଯ୍ୟ ପାଇଁ ସେ ବହୁମାନିତ ହୋଇଥିଲେ । ପୁରସ୍କାର ସ୍ଵରୂପ ସେ ସୋଭିଏତ ଋଷିଆ ଭ୍ରମଣ କରିବାର ସୁଯୋଗ ପାଇଥିଲେ । ମହାତ୍ମାଗାନ୍ଧୀଙ୍କ ଆତ୍ମଜୀବନୀର ଦ୍ୱିତୀୟଭାଗ ଅନୁବାଦ କରି ତାହାର ନାମ ସେ ରଖିଥିଲେ ‘‘ଶିକ୍ଷାନବୀଶ’’ (୧୯୭୮ ମସିହା) । ତାଙ୍କର ରଚନା ‘‘ଗୀତଟିଏ ରଚିତ ହେଲା କିପରି’’- ମଧ୍ୟ ଏକ ଅନୁବାଦ କାର୍ଯ୍ୟ । Whiteman (ହ୍ୱାଇଟ୍‌ମ୍ୟାନ୍‌)ଙ୍କ କବିତା ‘‘Leaves of grass’’ ର ମଧ୍ୟ ଅନୁବାଦ ସେ କରିଥିଲେ ।

 

ଗାଳ୍ପିକ ଅନନ୍ତ ପଟ୍ଟନାୟକଙ୍କ କଲମରୁ ଝରିଥିବା ରଚନାଗୁଡ଼ିକ ହେଲା - ଫଲ୍‌ଗୁଧାରା, ଫେରିଆ, ମର୍ଡ଼ରର, ଜହ୍ନରାତି, ଛାୟାହୀନ କାୟା, ପ୍ଲାଟଫର୍ମ, ତାରକସିଫୁଲ, ଯାତ୍ରା ଆଦି । ଅଳ୍ପ ସଂଖ୍ୟକ ଗଳ୍ପ ରଚନା କରିଥିଲେ ହେଁ ସେସବୁ ତାତ୍ତ୍ଵିକ ଅନୁଭୂତି ହୁଅନ୍ତି । ‘‘ଫଲ୍‌ଗୁଧାରା’’ ଗଳ୍ପଟି ନବଯୁଗ ସାହିତ୍ୟ ସଂସଦର ମୁଖପତ୍ର ‘‘ଆଧୁନିକ’’ରେ ୧୯୩୬ ମସିହାରେ ସ୍ଥାନ ପାଇଥିଲା । ଏଥିରେ ପାରିବାରିକ ସମସ୍ୟାର ଚିତ୍ର ସୁସ୍ପଷ୍ଟ । ପୁଅବାହା ପାଇଁ ଝିଅଟିଏ ଠାବ କରିବା କଷ୍ଟକର କାମ । ବିବାହ ବନ୍ଧନକୁ ଏଡ଼ାଉଥିବା ପୁଅ କାନ୍ଧରେ ଜୁଆଳି ପକାଇବାକୁ ମାଆର ମନ ବ୍ୟଗ୍ର । ଗଳ୍ପଟି ବେଶ୍‌ କଳାତ୍ମକ । ‘ଜହ୍ନରାତି’ - ଗଳ୍ପରେ ରହିଛନ୍ତି ଦୁଇଟି ମୁଖ୍ୟ ନାରୀଚରିତ୍ର, ଯଥା- ଉମା ଓ ରମା । ସେ ଦୁହିଁଙ୍କର ସ୍ଵାମୀମାନେ ହେଲେ ଯଥାକ୍ରମେ ରଘୁପତି (ପୁଲିସ ଇନିସ୍‌ପେକ୍ଟର ) ଓ ଅରବିନ୍ଦ (ପଦସ୍ଥ ଦେଶସେବୀ) । ଗାଆଁ ଟାଉଟରମାନଙ୍କର ଅର୍ଥକୁ ଅନର୍ଥ କରିବାର ଚିତ୍ରରେ ଗଳ୍ପଟି ହୋଇଛି ବେଶ୍‌ ଉପଭୋଗ୍ୟ । ଜହ୍ନରାତିରେ ଧାଉଁଥିବା ରେଳଗାଡ଼ିର ଜହ୍ନ ଆଲୁଅରେ ଉଦ୍‌ଭାସିତ ଦୃଶ୍ୟରାଜି ପ୍ରତି ନଜର ନାହିଁ । ସେମିତି ସମାଜରେ ଯିଏ ପଦସ୍ଥ ବା ଉପର ସ୍ତରର ମଣିଷ, ସେମାନେ ସାଧାରଣ ମଣିଷକୁ ପାସଙ୍ଗରେ ପକାନ୍ତି ନାହିଁ । ଗଳ୍ପଟିର ନାମକରଣରେ ଲେଖକଙ୍କର ଦୂରଦୃଷ୍ଟିର ପରିଚୟ ମିଳେ । ସେହିପରି ‘‘ପ୍ଲାଟଫର୍ମ’’ ଗଳ୍ପରେ ରେଳଷ୍ଟେସନ୍‌ର ଚିତ୍ର ସହ ଏକ ବାଳୁତ କୋଇଲା- ଗୋଟାଳିର ମନସ୍ତତ୍ତ୍ୱ ପ୍ରତିବିମ୍ବିତ ହୋଇଅଛି ।

 

‘‘ତାରକସିଫୁଲ’’ ଗଳ୍ପରେ ଧାତୁଶିଳ୍ପୀ/ବଣିଆ ଶଙ୍କରର ଚରିତ୍ର ବର୍ଣ୍ଣନା କୁହାଯାଇଛି । ପ୍ରାଥମିକ ସ୍ତରରୁ ପାଠତ୍ୟାଗୀ ଶଙ୍କର ତା’ ବାପାଠାରୁ ଗହଣା ତିଆରିର ତାଲିମ ପାଇଛି । ପ୍ରଚୁର ଆୟ ଆଶାରେ ସୁନାରେ ଖାଦ ମିଶାଇ ଶେଷକୁ ଧରା ପଡ଼ିଛି । ସାଧୁତା ନ ରହିଲେ ବ୍ୟବସାୟ ବୁଡ଼ିଯାଏ ଓ ଅତି ଓ ଲୋଭରୁ ବିପର୍ଯ୍ୟସ୍ତ ଅବସ୍ଥା ଆସି ପହଞ୍ଚେ ଏଇ ବାର୍ତ୍ତା ଦେଇ ଲେଖକ ଗଳ୍ପଟିରେ ଇତିଶ୍ରୀ ଟାଣିଛନ୍ତି । ‘‘ଯାତ୍ରା’’ ଗଳ୍ପରେ ଲେଖକ ରେଳଗାଡ଼ିରେ ଯାତ୍ରା କାଳର ଅନୁଭୂତି ଦେଇଛନ୍ତି । ନୀଳ ପାଇଜାମାପିନ୍ଧା ତରୁଣୀ ଓ ତା’ର ସୁନାରେ ତିଆରି କାନଫୁଲ ଫେରି ପାଇବା, ଦିଲ୍ଲୀ ଗଲେ ତା’ ଘରେ ଅତିଥି ହେବାର ଅନୁରୋଧ ଚିତ୍ରଣରେ ଗଳ୍ପଟି ହୋଇଛି ଋଦ୍ଧିମନ୍ତ ।

 

ଶିଶୁ ସାହିତ୍ୟକାର ଅନନ୍ତ ପଟ୍ଟନାୟକଙ୍କ ଅବଦାନରେ ଯୁଗାନ୍ତକାରୀ ପରିବର୍ତ୍ତନର ଛବି ପରିଦୃଷ୍ଟ ହୁଏ । ଓଡ଼ିଶା ପାଠ୍ୟପୁସ୍ତକ ପ୍ରକାଶନ କମିଟିର ସମ୍ପାଦକ ଭାବେ ସେ ୧୯୬୮-୭୮ ଯାଏ ପ୍ରାୟ ଏଗାରବର୍ଷ ଦାୟିତ୍ୱ ନିର୍ବାହ କରିଥିଲେ । ଏଥି ସହିତ ଓଡ଼ିଶା ସରକାରଙ୍କ ଶିକ୍ଷା ଓ ଯୁବକଲ୍ୟାଣ ବିଭାଗର ‘‘ଶିଶୁଲେଖା’’ ପତ୍ରିକାର ସମ୍ପାଦକ ଥିଲେ ସନ ୧୯୬୮-୭୩ ବର୍ଷ ଯାଏ-। ପ୍ରାୟ ଛଅବର୍ଷ ଧରି ସେ କଟକର ଆଲାମଚାନ୍ଦ ବଜାରରେ ଥିବା ଶିଶୁଲେଖା ଦପ୍ତରଟିକୁ ଏକ ଆକର୍ଷଣୀୟ ଅନୁଷ୍ଠାନରେ ପରିଣତ କରିଥିଲେ । ଶିଶୁମନରେ ସାମାଜିକ ଦାୟିତ୍ଵ, ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ, ନୂତନ ଆବିଷ୍କାର - ଉଦ୍ଭାବନ ପ୍ରତି ଉତ୍ସାହର ଭରିବା ଉଦ୍ଦେଶ୍ୟରେ ସୁନିର୍ବାଚିତ ବିଷୟଗୁଡ଼ିକୁ ନେଇ ସେ ପତ୍ରିକା ସମ୍ପାଦନ କରୁଥିଲେ । ନିର୍ଭୁଲ ମୁଦ୍ରଣ, ଆକର୍ଷଣୀୟ ଚିତ୍ର ଓ ରୁଚିକର ପରିପାଟୀ ଥିଲା ଶିଶୁ- ଲେଖାର ବୈଶିଷ୍ଟ୍ୟ । ତାଙ୍କ ଅବର୍ତ୍ତମାନ (ତା ୨୫- ଜୁନ -୧୯୮୭)ରେ ଶିଶୁଲେଖା ୧୯୮୭ ବର୍ଷ ସେପ୍ଟେମ୍ବର ସଂଖ୍ୟା ତାଙ୍କ ସମ୍ମାନାର୍ଥେ ତାଙ୍କର ଲେଖା ‘‘କଥାଟିଏ କହେ’’କୁ ପ୍ରଥମସ୍ଥାନ (ପୃଷ୍ଠା-୦୨) ଦେଇଥିଲା । ତହିଁର କିୟଦଂଶ ନିମ୍ନରେ ପ୍ରଦତ୍ତ ।

 

‘‘କଥାଟିଏ କହେ ଠୁକୁରୁଠୁକୁ

ନିହଣମୂନ ମୋ’

ପଥର ଝରାଇ

ଟୁକୁରୁଟୁକୁ

ଠେକୁଆ ଠେକୋଇ

ଠୁକୁରୁଠୁକୁ ।

xxx

କଳଘରେ କଳ

ଘୁରୁରୁ ଘୁରୁ

କାହିଁ ଫୁଲଛୁଇଁ ଫୁରୁରୁ ଫୁରୁ

xxxx

ଚାଉଳ ପୋଷକେ

ମୁଢ଼ି ହୁଡ଼ୁମ ମୋ’

ମୁସୁରୁ ମୁସୁ ।’’

 

କବି ଅନନ୍ତ ଅନେକ ସଚ୍ଚିତ୍ର ଶିଶୁ ପୁସ୍ତିକା ରଚନା କରିଥିଲେ । ସେଗୁଡ଼ିକ ମଧ୍ୟରୁ କେତୋଟିର ନାମ ନିମ୍ନରେ ପ୍ରଦତ୍ତ । ଯଥା : - ‘ଛବିଟିକି ଗପଟିଏ’, ‘ଗପୁଡ଼ି ମାଇଁ ଲୋ ଧପୁଡ଼ି ମାଇଁ’, ‘ଲଢ଼େଇ କରନା ପୁଷି’, ‘କଷରା ଘୋଡ଼ା’, ‘ଲାଲଟୁକୁଟୁକୁ ସୂରୁଯଟିଏ’, ‘ଚୂଟିଆମୂଷାର ପାଣିଅଣା’, ‘ଗୀତଟିଏ ରଚିତ ହେଲା କିପରି’ ଇତ୍ୟାଦି । ଶିଶୁମନର କଥା ତାଙ୍କ ଲେଖନୀରେ ଚମତ୍କାର ରୂପ ନିଏ । ଯଥା :

 

‘‘ସୁଲୁସୁଲିଆ ପତରନାଆ

ନାଇଁରେ ତା’ର ଛାତ

ଝିଣ୍ଟିକାଟି ଗୋଡ଼ରେ ତା’ର ।

ମାରୁଚି ବସି କାତ ।’’

 

କବି ଅନନ୍ତଙ୍କର ରଚନା ପ୍ରାଥମିକଠାରୁ ସ୍ନାତକୋତ୍ତର ସ୍ତର ପର୍ଯ୍ୟନ୍ତ- ପ୍ରାୟ ସବୁଠିଁ ପାଠ୍ୟପୁସ୍ତକରେ ଏକ ସମୟରେ ସ୍ଥାନିତ ହୋଇଥିବାର ଅନୁଭବ ହେଉଥିଲା । କବି ନିଜ ଗ୍ରାମ ଚଣାହାଟରେ ଜନ ବିଦ୍ୟାମନ୍ଦିର ନାମରେ ଏକ ହାଇସ୍କୁଲ ପ୍ରତିଷ୍ଠା କରି ତା’ର ପ୍ରଧାନଶିକ୍ଷକ ମଧ୍ୟ ହୋଇଥିଲେ । ଅତଏବ ସମଗ୍ର ଜୀବନ ତାଙ୍କର ସାହିତ୍ୟ ଜରିଆରେ ଶିଶୁ ମନସ୍ତତ୍ତ୍ୱକୁ ବେଶ୍‌ ବୁଝି ପାରିଥିଲା ।

 

ପତ୍ରପତ୍ରିକା ସମ୍ପାଦନା ଓ ସାମ୍ବାଦିକତାରେ କବି ଅନନ୍ତ ଥିଲେ ଜଣେ ସୁଯୋଗ୍ୟ ବ୍ୟକ୍ତିତ୍ଵ । ସେ କମ୍ୟୁନିଷ୍ଟ ଦଳର ମୁଖପତ୍ର ‘ମୁକ୍ତିଯୁଦ୍ଧ’ର ସମ୍ପାଦକ ଥିଲେ । ଅନ୍ୟ ଏକ ପତ୍ରିକା ‘ଆଧୁନିକ’ର ସମ୍ପାଦନାରେ ମଧ୍ୟ ତାଙ୍କର ସଂପୃକ୍ତି ଥିଲା । ଏତଦ୍‌ବ୍ୟତୀତ The Orissa Times ଓ Observer ପତ୍ରିକାର ସମ୍ପାଦନରେ ମଧ୍ୟ ତାଙ୍କର ଅବଦାନ ଥିଲା । ସେ ସୋଭିଏତ ଦେଶ ପତ୍ରିକାର ତଥ୍ୟ ବିଭାଗରେ ସନ ୧୯୬୧-୬୨ରେ କାର୍ଯ୍ୟ କରିଥିଲେ । ପାରିବାରିକ ଅସୁବିଧା ଉପୁଜିବାରୁ ସେଥିରୁ ସେ ଅବ୍ୟାହତି ନେଇଥିଲେ । ‘‘Friends of the Soviet Union’’ ତାଙ୍କର ଅନ୍ୟତମ ରଚନା । ସେ ଭାରତ-ସୋଭିଏତ୍‌ ମୈତ୍ରୀ ସଂଘ ଓ ଓଡ଼ିଶା ଶାନ୍ତି ପରିଷଦର ଥିଲେ ସଭାପତି । ଏହା ଥିଲା ଏକ ବଡ଼ ସାଂଗଠନିକ କାର୍ଯ୍ୟ । କିଛି ଦିନ ସେ ‘ସମାଜ’ର ସମ୍ପାଦକୀୟ ବିଭାଗରେ କାମ କରୁଥିଲେ । ‘‘ଝିଟିପିଟି କହେ..., ଅଣାକାର....’’ ଶୀର୍ଷକ ହେଲା କବି ଅନନ୍ତଙ୍କର ମାନସ- ପ୍ରସୂତ ଶୀର୍ଷକ ।

 

ସ୍ଵାଧୀନତା ସଂଗ୍ରାମ କ୍ଷେତ୍ରରେ କବି ଅନନ୍ତଙ୍କର ବହୁମୁଖୀ ପ୍ରତିଭାର ପରୀକ୍ଷା- ନିରୀକ୍ଷା, ଘଟଣାବହୁଳତା ତାଙ୍କ ଜୀବନକୁ କରିଛି କର୍ମମୁଖର । ତାଙ୍କର ପାରିବାରିକ ସ୍ଥିତି ତାଙ୍କୁ ବିପ୍ଳବୀ କରାଇବାରେ ଅନୁକୂଳ ବାତାବରଣ ଦେଇଛି । ‘କହିବାର ଉଦ୍ଦେଶ୍ୟ ଏହିକି ତାଙ୍କର ଜନ୍ମ ୧୯୧୨ ମସିହା ବେଳକୁ ରାଜ୍ୟ, ଦେଶ ଓ ବିଶ୍ୱରେ ଯୁଦ୍ଧ- ଆନ୍ଦୋଳନର ଘନଘଟା । ବାଳକ ଅନନ୍ତ (ଡାକନାମ ବାବାଜୀ) ମାତ୍ର ଚାରିବର୍ଷର ଓ ସାନଭାଇ ଗୁରୁଚରଣ (ଡାକନାମ ବାଉ) ମାତ୍ର ଛଅମାସର ଶିଶୁ ହୋଇଥିବାବେଳେ ଗୋଟିଏ ଦିନରେ ମାଆ ମହାଦେଈ, ବାପା ଚୌଧୁରୀ ଜୟକୃଷ୍ଣଙ୍କର ଦେହାନ୍ତ ହୋଇଗଲା । ଦୁଇଭାଇ ପରିବାରର ପରିଜନମାନଙ୍କ ପ୍ରଯତ୍ନରେ ବଢ଼ିଲେ । ବାଳକ ଅନନ୍ତ ପିଉସା ସତ୍ୟବାଦୀ ଦାସ ଓ ପିଉସୀ ବସନ୍ତକୁମାରୀଙ୍କ ହେପାଜତରେ ରହି ପୁରୀ ସହରରେ ନବମଶ୍ରେଣୀଯାଏ ଓ କଟକ ରେଭେନ୍‌ସା କଲିଜିଏଟ୍‌ ସ୍କୁଲରେ ଦଶମ-ଏକାଦଶ ଶ୍ରେଣୀଯାଏଁ ପଢ଼ି ୧୯୩୦ ମସିହାରେ ମାଟ୍ରିକ୍ୟୁଲେସନ୍‌ ପରୀକ୍ଷାରେ ପାଶ୍‌ କଲେ । ସ୍କୁଲ ପରୀକ୍ଷାରେ ସ୍ଵାଧୀନତା ସଂପର୍କରେ ସ୍ପଷ୍ଟ ମତାମତ ଦେଇ ଉପରିସ୍ଥ କର୍ମଚାରୀଙ୍କ ବିଷଦୃଷ୍ଟିରେ ରହିଲେ । ସନ ୧୯୩୧ରେ ରେଭେନ୍‌ସା କଲେଜରେ ପଢ଼ିବାବେଳକୁ ସ୍ଵାଧୀନତା ଆନ୍ଦୋଳନ, ଲବଣ ସତ୍ୟାଗ୍ରହ, ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ନିମନ୍ତେ ଛାତ୍ରସଂଘର ଡାକରା ତାଙ୍କୁ ଉଦ୍‌ବେଳିତ କଲା । ସନ ୧୯୩୨ରେ କଂଗ୍ରେସ ଅଧିବେଶନରେ ଯୋଗଦେବା ପାଇଁ ଯାତ୍ରାକାଳରେ ରେଳଗାଡ଼ିରୁ ଧରାହୋଇ ସେ ଆଲିପୁର ଜେଲ୍‌ରେ କାରାଦଣ୍ଡ ଭୋଗିଲେ । ସ୍ଵତନ୍ତ୍ର ପ୍ରଦେଶ ଗଠନ ନିମନ୍ତେ ସଂଘର ସହ-ସଂପାଦକ ଭାବେ ସେ ସୀମା ନିର୍ଦ୍ଧାରଣ କମିଟି ନିକଟରେ ଦାବୀ ଉପସ୍ଥାପନ କଲେ । ସନ ୧୯୩୪ରେ ନବଯୁଗ ମଣ୍ଡଳ ଗଠନ କରି ତହିଁରେ କାର୍ଯ୍ୟ କଲେ-। ପାଠପଢ଼ା ଖଇଚା ହେଲା । ତାଙ୍କର ଖୁଡ଼ୁତା କବି କୃଷ୍ଣମୋହନ ଦୂର-ସମ୍ପର୍କୀୟ ବନ୍ଧୁ ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତି ଓ ଅଧ୍ୟକ୍ଷ ଡକ୍ଟର ପ୍ରାଣକୃଷ୍ଣ ପରିଜାଙ୍କ ସହଯୋଗକ୍ରମେ ସେ ରେଭେନ୍‌ସା କଲେଜରେ ଅଧ୍ୟୟନ କରି ସନ ୧୯୩୫ରେ ସ୍ନାତକ ହୋଇପାରିଲେ । ସନ ୧୯୩୬ରେ କମ୍ୟୁନିଷ୍ଟ ଦଳରେ ସଦସ୍ୟତା, ୧୯୩୭-୩୮ରେ ଢେଙ୍କାନାଳ ପ୍ରଜାମଣ୍ଡଳ ଆନ୍ଦୋଳନରେ ସକ୍ରିୟ ଭୂମିକା ନେବା ଯୋଗୁଁ ତାଙ୍କୁ ଦୁଇବର୍ଷ ସଶ୍ରମ ଓ ୬ ମାସ ଅଶ୍ରମ କାରାଦଣ୍ଡ ଆଦେଶ ହେଲା । ଢେଙ୍କାନାଳ ଓ ମଡ଼ି (ବର୍ତ୍ତମାନର କାମାକ୍ଷାନଗର) ଜେଲ୍‌ରେ ଅକଥନୀୟ ଦଣ୍ଡ ପାଇଲେ-। ୧୯୪୦-୪୧ରେ ଯୁଦ୍ଧ ବିରୋଧରେ ଯୁଦ୍ଧ ଓ ସର୍ବହରାର ପଥ - ଆଦି ବୈପ୍ଳବିକ ଚେତନାର ଲେଖା ପାଇଁ ନଅମାସ ସଶ୍ରମ ଓ ଚାରିମାସ ଅଶ୍ରମ ଜେଲଦଣ୍ଡ ଭୋଗିଲେ । ସେତେବେଳକୁ ତାଙ୍କୁ ଅନୁଗୋଳ ଜେଲ୍‌ରେ ରହିବାକୁ ହେଉଥିଲା । ଏହା ଥିଲା ତାଙ୍କର ସାରସ୍ଵତ ସାଧନାର ଏକ ଅନୁକୂଳ ପରିବେଶ ଥିବା କାରାଗାର ।

 

ସ୍ଵରାଜ ଆନ୍ଦୋଳନ ଓ ପଦଯାତ୍ରା କ୍ରମରେ ଗାନ୍ଧିଜୀ ଅନନ୍ତଙ୍କୁ ଜାଣିଥିଲେ ଓ ତାଙ୍କୁ ଚିଠି ମଧ୍ୟ ଲେଖିଥିଲେ । କୃଷକ ଆନ୍ଦୋଳନରେ ରାଜସ୍ଵ ଅଧିକାରୀମାନଙ୍କର ଦୁର୍ବ୍ୟବହାର, ମନ୍ଦ ଆଚରଣ ପ୍ରତ୍ୟକ୍ଷ କରି କରି ସେ ଚାଷୀ ମୂଲିଆଙ୍କୁ ଏକାଠି କରିବା ପାଇଁ ତାଙ୍କର କବିତା ଓ ନାଟକକୁ ମାଧ୍ୟମ କରିଥିଲେ ।

 

ଇଲାକା ଢେଙ୍କାନାଳ ଜିଲ୍ଲା । ୧୯୩୮ରେ ବ୍ରାହ୍ମଣୀ ନଦୀର ନୀଳକଣ୍ଠପୁର ଘାଟରେ ବାଜିରାଉତ ସହ ଲକ୍ଷ୍ମଣ, ହୁରୁଷି, ଗୁରି, ନଟ ଓ ରଘ- ଏହିପରି ମୋଟ ଛଅଜଣ ଇଂରେଜ ସରକାରଙ୍କ ଫଉଜ ଗୁଳିରେ ସହୀଦ ହେଲେ । ସେମାନଙ୍କୁ ଛଅଟି ଶଗଡ଼ରେ କଟକ ଆଣିଲେ ୬ ଜଣ ଶଗଡ଼ିଆ । ସେଇ ଛଅଜଣ ଶଗଡ଼ିଆ ଥିଲେ- ୧. ଅନନ୍ତ ପଟ୍ଟନାୟକ, ୨. ସଚ୍ଚି ରାଉତରାୟ, ୩. ଗୋବିନ୍ଦ ମହାନ୍ତି, ୪. ବିଶ୍ୱନାଥ ପଶାୟତ୍‌, ୫. ରବିଘୋଷ, ୬. ମୋତିଲାଲ ତ୍ରିପାଠୀ । ରାଜ୍ୟର ତତ୍‌କାଳୀନ ରାଜଧାନୀ କଟକ ନଗରରେ ଆନ୍ଦୋଳନ ଚଲାଇ ରଖିବା ଥିଲା ପ୍ରୋକ୍ତ ବିପ୍ଳବୀ ଓ ସେମାନଙ୍କର ସମଧର୍ମା ଅଗ୍ନିବୀଣାମାନଙ୍କର । ଏହିପରି ଖୋଜି ଗଲେ ଅନନ୍ତ ପଟ୍ଟନାୟକଙ୍କର ଜୀବନ ସାରା ଖାଲି ଚାଷୀ-ମୂଲିଆ-ନିରନ-ବ୍ୟଥିତ-ପ୍ରାଣ ପାଇଁ ସଂଗ୍ରାମ ଜାରି ରଖିବା କଥା ହିଁ ପାଇବା । ସେ କେତେବେଳେ ଅନ୍ତର୍ମୁଖୀ ତ କେତେବେଳେ ବହିର୍ମୁଖୀ । ମାତ୍ର ସବୁବେଳେ ବାସ୍ତବବାଦୀ ।

 

‘‘କୃତଂ ମେ ଦକ୍ଷିଣ ହସ୍ତେ ଜୟୋ ମେ ସବ୍ୟ ଆହିତଃ

ଗୋଜିଦ୍‌ଭୂୟା ସମଶ୍ୱଜିତ୍‌ ଧନଂଞ୍ଜୟ ହିରଣ୍ୟଜିତ୍‍‌ ।’’

ଅଥର୍ବବେଦ - କାଣ୍ଡ ୭ - ସୂକ୍ତ ୫୦ ମନ୍ତ୍ର – ୮

 

ଅର୍ଥାତ୍‌ କର୍ମ/ପୁରୁଷାର୍ଥ ମୋର ଡାହାଣ ହାତରେ ଓ ବିଜୟ ମୋର ବାମ ହାତରେ ରଖାଯାଇଛି । ଫଳରେ ମୁଁ ଆଲୋକ ବିଜେତା, ଶକ୍ତି ବିଜେତା, ଧନ ବିଜେତା ଓ ଆତ୍ମଧନର ବିଜେତା ହୁଏ ।

 

ଉପରେ ଦିଆଯାଇଛି ସୂକ୍ତିର ମର୍ମାର୍ଥ କବି ଅନନ୍ତ ପଟ୍ଟନାୟକଙ୍କର ଜୀବନ- ଦର୍ପଣରେ ପ୍ରତିଫଳିତ । ତାଙ୍କର କୃତକର୍ମ ପାଇଁ ସେ ରାଜ୍ୟ, ଦେଶ ଓ ବିଦେଶରେ ଜଣେ ବହୁମାନିତ ବ୍ୟକ୍ତିତ୍ୱ-। ସାହିତ୍ୟ ସୃଷ୍ଟି ପାଇଁ ସେ ସୋଭିଏତ୍‌ ଦେଶ ପୁରସ୍କାର, ନେହେରୁ ପୁରସ୍କାର, ଅବାନ୍ତର କବିତା ସଂକଳନ ପାଇଁ ୧୯୮୧ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୭ରେ ସାରଳା ପୁରଷ୍କାର ଲାଭ କରିଥିଲେ । ସାହିତ୍ୟ ସଂରଚନାର ସମ୍ମାନ ସ୍ଵରୂପ ବିଦେଶ ଭ୍ରମଣର ସୁଯୋଗ ପାଇଥିଲେ । Afro-Asian Writers Conferenceରେ ଯୋଗ ଦେବାର ନିମନ୍ତ୍ରଣ ରକ୍ଷା କରି ବହୁବିଧ ସମ୍ମାନର ଅଧକାରୀ ହୋଇଥିଲେ । ଏହା ବ୍ୟତୀତ ପ୍ରଜାତନ୍ତ୍ରର ବିଷୁବ ସମ୍ମାନ, ପାଠକ ସଂସଦ ସମ୍ମାନରେ ସେ ବହୁବାର ଅଭିଷିକ୍ତ ହୋଇଥିଲେ ।

 

ପାରିବାରିକ ଜୀବନରେ ପତ୍ନୀ ନିରଦପ୍ରଭା, ପୁତ୍ର ଆଲୋକେଶ, ଅମରେଶ, ଅନୀମେଷ ଓ କନ୍ୟା ମୈତ୍ରେୟୀଙ୍କ ସହ ସାନଭାଇ ଗୁରୁଚରଣ ପଟ୍ଟନାୟକଙ୍କ ପରି ଦୀପ୍ତିମାନ ଲେଖକଙ୍କର ସମାବେଶ ପୂର୍ଣ୍ଣ ଆଶିଷପାତ୍ର ପରି ମନେହୁଏ । କବିତ୍ୱ ପରି ଏକ ଦୁର୍ଲ୍ଲଭ କଳାର ଅଧକାରୀ ଅନନ୍ତ ପଟ୍ଟନାୟକ ତାଙ୍କର ଅନବଦ୍ୟ ସୃଷ୍ଟି ସମ୍ଭାର ପାଇଁ ଜାତିର ଚିରସ୍ମରଣୀୟ ହୋଇ ରହିବେ ।

 

ସହାୟକ ପୁସ୍ତକ :

୧.

ଆଧୁନିକ ଓଡ଼ିଆ କବିତା ସମ୍ଭାର (୧୯୯୮) ସଂକଳନ ଓ ସଂପାଦନା - ପ୍ରଫେସର ଯତୀନ୍ଦ୍ର ମୋହନ ମହାନ୍ତି Sponsored by : Central Institution of India Language, Mysore-6

୨.

ଆସିଚି ମୁଁ ଆସିଚି - କବି ଅନନ୍ତ ପଟ୍ଟନାୟକ (୨୦୦୪) ଲେଖକ - ଅଧ୍ୟାପକ ଅବନୀ କୁମାର ବରାଳ, ଅନନ୍ତ ଆଲୋକ, ଶଙ୍କରପୁର, କଟକ

୩.

କବି ଅନନ୍ତ ପଟ୍ଟନାୟକ (୨୦୦୩), ଲେଖକ - ପ୍ରହରାଜ ସତ୍ୟନାରାୟଣ ନନ୍ଦ ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ଵର ।

୪.

ଶିଶୁଲେଖା ପତ୍ରିକା - ଓଡ଼ିଶା ସରକାର - ଶିକ୍ଷା ଓ ଯୁବକଲ୍ୟାଣ ବିଭାଗ ସେପ୍ଟେମ୍ବର- ୧୯୮୭ ।

 

ସେକ୍ଟର- ୨/୪୨୬, ନୀଳାଦ୍ରିବିହାର

ଭୁବନେଶ୍ୱର- ୨୧

***

 

କୋଣାର୍କ ୧୬୫ତମ ସଂଖ୍ୟା

ରକ୍ତକଇଁ ଓ ଶରତର ଶୁଭ୍ରସକାଳ : ଅନନ୍ତ ପଟ୍ଟନାୟକ କବିତା

ବିଜୟ କୁମାର ଶତପଥୀ

 

ପ୍ରଗତିବାଦୀ ଓଡ଼ିଆ କାବ୍ୟଚେତନାର ଅନ୍ୟତମ ବୈତାଳିକ ଅନନ୍ତ ପଟ୍ଟନାୟକଙ୍କ କାବ୍ୟାଦର୍ଶରେ ବିଦ୍ରୋହ, ସ୍ୱପ୍ନ, ପ୍ରତିଶ୍ରୁତିର ସାର୍ଥକ ସମନ୍ଵୟ ଘଟିଛି । ତାଙ୍କର ସଂଗ୍ରାମୀ କାବ୍ୟପୁରୁଷ ବିଷମ ସମାଜ ବ୍ୟବସ୍ଥା ବିରୁଦ୍ଧରେ ବିଦ୍ରୋହର ସ୍ଵର ତୋଳିଛି ପୁଣି ସ୍ଵପ୍ନ ଦେଖିଛି ମଧ୍ୟ ଏକ ରକ୍ତ ରଂଜିତ ଆଗାମୀ ସକାଳର । ନୂତନ ମୂଲ୍ୟବୋଧର ପ୍ରତିଷ୍ଠା ପାଇଁ ବିଭୋର ଏଇ କବି ମୃତ୍ୟୁର ଜଳରେ ପହଁରି ପହଁରି ଯେମିତି ରକ୍ତ କଇଁ ତୋଳନ୍ତି ସେମିତି ବି ଶରୀର ସାଗର ଉପରେ ସେ ସୃଷ୍ଟି କରିପାରନ୍ତି ଶସ୍ୟର ସମ୍ଭାର, ରଶ୍ମିର ତୋଫାନରେ ଭସ୍ମର ଅସ୍ମିତାକୁ ସେ ଭସେଇ ନେଇପାରନ୍ତି । ଆଣନ୍ତି ନିରନ୍ନ ନିଶିରେ ଅନ୍ନର ଆଶ୍ଳେଷକୁ ଆୟୁଷ୍ମାନ ହୋଇ । ସେ ଆବାହନ କରନ୍ତି ନିଃସ୍ଵର ପୋଷରେ ଲହୁର କଲ୍ୟାଣକୁ, ଥନର କୁନ୍ତରେ ନିରକ୍ତ ଶିଶୁର ନିଃଶ୍ୱାସକୁ ନଚେଇ ସେ ସୃଜିପାରନ୍ତି ନବଜୀବନର ଛନ୍ଦ । ରାତ୍ରିର ନିବିଡ଼ ଅନ୍ଧକାରକୁ ଭେଦ କରି ସେ ଉଖାରି ଆଣନ୍ତି ଶରତର ଶୁଭ ସକାଳକୁ ପୁଣି ସେ ନିଜ ବନ୍ଦନା ବି ପଢ଼ନ୍ତି ମୁଗ୍ଧ କଣ୍ଠରେ ଘୋଷଣା କରନ୍ତି ଆସିଚି.... ମୁଁ ଆସିଚି.... । ପୁରୀ ଜିଲ୍ଲାର ବାଲିପାଟଣା ଥାନା ଅନ୍ତର୍ଗତ ଚଣାହାଟ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଅନନ୍ତ ଓ ତାଙ୍କ ପରିବାର ଥିଲା ଜାତୀୟତାବାଦୀ ଚିନ୍ତା ଚେତନାରେ ଉଦ୍‌ବୁଦ୍ଧ । ଏହାର ପ୍ରଭାବ ପଡ଼ିଥିଲା ଅନନ୍ତ ପଟ୍ଟନାୟକ ଉପରେ । ଶୈଶବରେ ପିତା ଜୟକୃଷ୍ଣ ପଟ୍ଟନାୟକ ଓ ମାତା ମହାଦେଈକୁ ହରାଇଥିଲେ ସେ । ତାଙ୍କ ଲାଳନ ପାଳନର ଭାର ପଡ଼ିଥିଲା ତାଙ୍କ ଆଇମା ଓ ଦାଦାଙ୍କ ଉପରେ । ଜାତୀୟତାବାଦରେ ଉଦ୍‌ବୁଦ୍ଧ ଅନନ୍ତଙ୍କ ପରିବାର ବଂଶ ପରମ୍ପରା ସୂତ୍ରରେ ସାହିତ୍ୟ ଓ ସଂସ୍କୃତିର ଉପାସନା କରି ଆସିଥିଲା । ତାଙ୍କ ପିତାମହ ହରିହର ସେତେବେଳେ ‘ଇନ୍ଦ୍ରଧନୁ’ ଓ ‘ବିଜୁଳି’ ପତ୍ରିକା ପାଇଁ ଲେଖାଲେଖି କରୁଥିଲେ । ଅନନ୍ତଙ୍କ କକେଇ ଥିଲେ ବିଶିଷ୍ଟ ଜାତୀୟବାଦୀ କବି କୃଷ୍ଣମୋହନ ପଟ୍ଟନାୟକ । ପୁରୀ ଜିଲ୍ଲା ସ୍କୁଲରେ ଛାତ୍ରଥିବାବେଳେ ସେ ଯେଉଁ କବିତା ସବୁ ରଚନା କରିଥିଲେ ସେଥିରେ ଥିଲା ଜାତୀୟତାବାଦର ପ୍ରତିଧ୍ୱନି । ଏହିପରି ଅନେକ କବିତା ସେ ନିଜ ପିଉସୀପୁଅ ଭାଇ ରମେଶ ଦାସ ଛଦ୍ମନାମରେ ରଚନା କରିଥିଲେ । ପୁରୀ ଜିଲ୍ଲା ସ୍କୁଲରେ ପାଠ ପଢ଼ୁଥିଲାବେଳେ ସେ ସତ୍ୟାଗ୍ରହରେ ଭାଗ ନେଇଥିଲେ ଓ ଗୋଟିଏ ମାସ ପାଇଁ କାରାବରଣ କରିଥିଲେ ଆଲିପୁର ସେଣ୍ଟ୍ରାଲ ଜେଲରେ । ପରେ ରେଭେନ୍‌ସା କଲେଜରେ ପାଠ ପଢ଼ିଲାବେଳେ ସେ ଭଗବତୀ ପାଣିଗ୍ରାହୀ, ବିଶ୍ଵନାଥ ପଶାୟତ, ବୈଦ୍ୟନାଥ ରଥ ପ୍ରଭୃତିଙ୍କ ସମ୍ପର୍କରେ ଆସିଥିଲେ ଓ ଏହି ସତୀର୍ଥମାନଙ୍କର ସହଯୋଗିତାରେ ଅନନ୍ତଙ୍କ ବୈପ୍ଳବିକ କାର୍ଯ୍ୟପନ୍ଥା ଓ କାବ୍ୟଚେତନା ବିକଶିତ ହୋଇଥିଲା ।

 

ଅନନ୍ତଙ୍କ ଜନ୍ମ ଯେପରି ଇତିହାସର ଏକ ସନ୍ଧିକ୍ଷଣରେ; ଓଡ଼ିଶା ତଥା ଭାରତବର୍ଷର ଚିନ୍ତା ଓ ଚେତନାର ଉଷାକାଳରେ ଠିକ୍‌ ସେମିତି ତାଙ୍କ କର୍ମମୟ ଜୀବନ ଗଢ଼ି ଉଠିଥିଲା ସଂଘର୍ଷ ଓ ବିପ୍ଳବର ପୃଷ୍ଠ ଭୂମିରେ । ସତୀର୍ଥ ଭଗବତୀ ଚରଣ ପାଣିଗ୍ରାହୀଙ୍କ ପରି ସେ ପ୍ରଥମେ ଜାତୀୟତାବାଦୀ ପରେ ହେଲେ ଉଗ୍ର ଜାତୀୟତାବାଦୀ ସଶସ୍ତ୍ର ମୁକ୍ତ ସଂଗ୍ରାମରେ ବିଶ୍ୱାସୀ । ୧୯୨୨ ମସିହାରେ ପଣ୍ଡିତ ଗୋପବନ୍ଧୁଙ୍କ ସହ ତାଙ୍କର ସାକ୍ଷାତ ଓ ପରିଚୟ ଏହି ଜାତୀୟତାବାଦ ରୂପକ ବହ୍ନିଶିଖାକୁ ତାଙ୍କ ପ୍ରାଣରେ ପ୍ରଜ୍ୱଳିତ କରିବାରେ ସହାୟକ ହୋଇଥିଲା । ଗୋପବନ୍ଧୁ ମଧ୍ୟ ସେତେବେଳେ ତାଙ୍କ ଛାତ୍ରାବସ୍ଥାର ଉଗ୍ର ଜାତୀୟତାବାଦକୁ ଭିତ୍ତିକରି ଭାରତବର୍ଷ ସ୍ଵାଧୀନତା ଲାଭ କରିବ ବୋଲି କଳ୍ପନା କରିଥିଲେ ଓ କଲିକତାରୁ ଟ୍ରେନରେ ଆସି ଗୁପ୍ତରେ ପୁରୀଠାରେ ରହୁଥିବା ବଂଗର ସଶସ୍ତ୍ର ମୁକ୍ତି ସଂଗ୍ରାମୀମାନଙ୍କ ସହ ସମ୍ପର୍କ ରକ୍ଷା କରୁଥିଲେ । ଉଦ୍ଦେଶ୍ୟ ଥିଲା ଗୁଳିଗୋଳା, ଅସ୍ତ୍ର ଶସ୍ତ୍ର ସଂଗ୍ରହ କରି ବ୍ରିଟିଶ ବିରୁଦ୍ଧରେ ଲଢ଼ିବା ଓ ପରାଧୀନତାର ନାଗଫାଶ କବଳରୁ ମୁକ୍ତିଲଭିବା । ଅନନ୍ତ ତାଙ୍କର ପୁରୀ ରହଣି କାଳରେ ଏହି ଭାବାଦର୍ଶରେ ହୋଇଥିଲେ ଉଦ୍‌ବୁଦ୍ଧ । ଏହା ସଙ୍ଗକୁ ତାଙ୍କ କକେଇ ବିପ୍ଳବୀ କବି କୃଷ୍ଣମୋହନ କଲିକତାରେ ରହୁଥିବାରୁ ସେ ଅନେକ ବଂଗୀୟ ସଶସ୍ତ୍ର ମୁକ୍ତି ସଂଗ୍ରାମୀଙ୍କ ସମ୍ପର୍କରେ ଆସିଥିଲେ ଓ ସେଇ ବିପ୍ଳବୀମାନଙ୍କର ବୃତ୍ତାନ୍ତ ତାଙ୍କଠାରୁ ଶୁଣି ଅନନ୍ତ ଏହି ଚେତନାରେ ଉଦ୍‌ବୁଦ୍ଧ ହେବା ସ୍ଵାଭାବିକ ଥିଲା । ପରେ ପଣ୍ଡିତ ଗୋପବନ୍ଧୁ ସଶସ୍ତ୍ର ମୁକ୍ତି ସଂଗ୍ରାମର ପନ୍ଥାକୁ ପରିହାର କରି ବରି ନେଇଥିଲେ ଗାନ୍ଧିଜୀଙ୍କର ସତ୍ୟାଗ୍ରହ ଓ ଅହିଂସାର ମାର୍ଗକୁ ଓ ଉତ୍କଳ ଭୂମିରେ ତାଙ୍କ ସମକାଳରେ ସେ ହୋଇଥିଲେ ଏହି ଆଦର୍ଶର କୃତବିଦ୍ୟ ପ୍ରଚାରକ । ଅନନ୍ତଙ୍କ ସଂଗ୍ରାମୀ ଜୀବନାଦର୍ଶ ତାକୁ ମାର୍କ୍ସବାଦ ପ୍ରତି ଆକୃଷ୍ଟ କରାଏ । ଅବଶ୍ୟ ଏହା ୧୯୩୦ ମସିହା ପରବର୍ତ୍ତୀ କାଳର ଘଟଣା । କଲେଜିଏଟ୍‌ ସ୍କୁଲରୁ ମାଟ୍ରିକ୍‌ ପାଶ୍‌ କଲାପରେ ପୂର୍ବରୁ କୁହାଯାଇଥିବା ତାଙ୍କର ପ୍ରିୟବନ୍ଧୁ ଭଗବତୀ, ବୈଦ୍ୟନାଥ, ବିଶ୍ୱନାଥ ପ୍ରଭୃତିଙ୍କ ସହ ସେ ମିଶି ଓଡ଼ିଶାରେ ମାର୍କ୍ସବାଦର ପ୍ରଚାର ପ୍ରସାର ପାଇଁ କାମ କରନ୍ତି । ଅନନ୍ତ ବନ୍ଧୁମାନଙ୍କ ସହ ମିଶି ବିଶିଷ୍ଟ କଂଗ୍ରେସନେତା ଓ ‘ୟଙ୍ଗ ଉତ୍କଳ’ର ସମ୍ପାଦକ ଭୁବନାନନ୍ଦ ଦାସଙ୍କ ଘରୁ ମାନିଫୋଷ୍ଟୋ ଅଫ ଦି କମ୍ୟୁନିଷ୍ଟ ପାର୍ଟି’ ଓ ମିରଟ କନସ୍ପିରାସିକେସ୍‌ର ବିବରଣୀସବୁ ଆଣି ପଢ଼ାପଢ଼ି କରନ୍ତି ଓ ଆକୃଷ୍ଟ ହୁଅନ୍ତି ମାର୍କ୍ସବାଦ ପ୍ରତି । ଉଲ୍ଲେଖଯୋଗ୍ୟ ଯେ ତାଙ୍କ ସାନଭାଇ ଓ ଓଡ଼ିଶାରେ କମ୍ୟୁନିଷ୍ଟ ଆନ୍ଦୋଳନର ପ୍ରବକ୍ତା ଗୁରୁଚରଣ ମଧ୍ୟ ଏ କାଳରେ ତାଙ୍କ ସହ ମିଶି ସଂଗଠନ ଓ ଲେଖାଲେଖି ମାଧ୍ୟମରେ ମାର୍କ୍ସବାଦୀ ଚିନ୍ତାଧାରାର ପ୍ରସାର ପାଇଁ ଲାଗି ପଡ଼ନ୍ତି ।

 

ସ୍ଵତଃସିଦ୍ଧ ଭାବରେ ଅନନ୍ତଙ୍କ କାବ୍ୟ ଚେତନାରେ ବୈପ୍ଳବିକ ଭାବଧାରା ସହିତ ରୋମାଣ୍ଟିକ ପ୍ରବଣତାର ସମନ୍ଵୟ ସାଧିତ ହୋଇଛି । ତାଙ୍କ କବିତାର ଆଲୋଚକଗଣ ଏହାକୁ ଭିତ୍ତିକରି ଯେଉଁ ମନ୍ତବ୍ୟ ଦିଅନ୍ତି ତା ମଧ୍ୟରୁ ସମାଲୋଚକ ପ୍ରଫେସର ନିତ୍ୟାନନ୍ଦ ଶତପଥୀଙ୍କର ମନ୍ତବ୍ୟକୁ ଏଠାରେ ଉଦ୍ଧାର କରାଗଲା । ‘‘ତାଙ୍କର ଏହି ରୋମାଣ୍ଟକ ପ୍ରବଣତାକୁ ସବୁଜ କାବ୍ୟାଦର୍ଶ ବା କବି ମାୟାଧର ମାନସିଂହଙ୍କର ପ୍ରଭାବ ବୋଲି କୁହାଯାଇପାରିବ ନାହିଁ । ସେ କହନ୍ତି ଯେ - ୧୯୩୧ -୩୫ରେ ରେଭେନ୍‌ସା କଲେଜର ଛାତ୍ର ଥିବାବେଳେ ସେ କିଛି କିଛି ରୋମାଣ୍ଟିକ ପ୍ରେମ କବିତା ଯେ ରଚନା ନ କରିଛନ୍ତି ତା’ ନୁହେଁ, କାରଣ ସେତେବେଳେ କଲେଜ ଛାତ୍ରଙ୍କ ଚିନ୍ତା ମାନସରେ ସବୁଜ କାବ୍ୟ ଚେତନାର ତଥା ମାନସିଂହଙ୍କ ଅନୁଭୂତି ଉଚ୍ଛଳ ପ୍ରେମକବିତାର ନିଶ୍ଚିତ ପ୍ରଭାବ ସୃଷ୍ଟି ହୋଇଥିଲା । ଏହିପରି ଅନୁଭୂତିର ପରିପ୍ରକାଶ ତାଙ୍କ ଆଦ୍ୟ ଜୀବନରେ ରଚିତ ଅନେକ କବିତାରେ ସ୍ପଷ୍ଟ ଲକ୍ଷ୍ୟ କରାଯାଇପାରେ ।’’

(ସବୁଜରୁ ସାଂପ୍ରତିକ- ନିତ୍ୟାନନ୍ଦ ଶତପଥୀ, ଗ୍ରନ୍ଥମନ୍ଦିର କଟକ-ପୃ ୩୨୫)

 

ତେବେ ବୈପ୍ଳବିକ ଚିନ୍ତା ଚେତନା ସହ ରୋମାଣ୍ଟିକ ପ୍ରବଣତାର ସମନ୍ଵିତ କାବ୍ୟସ୍ଵର ଅନନ୍ତଙ୍କ କବିତାରେ ସ୍ଵତଃସିଦ୍ଧ ଭାବରେ ଆତ୍ମପ୍ରକାଶ କରିଛି । ଏହା ଏପରି ଫେଣ୍ଟି ହୋଇଯାଇଛି ଯେ ଦୁଇଟିକୁ ପରସ୍ପରଠାରୁ ବିଚ୍ଛିନ୍ନ କରି ହେବ ନାହିଁ । କବି ଜୀବନର ଆଦ୍ୟ ଭାଗରେ ରଚିତ ତାଙ୍କ କବିତାଗୁଡ଼ିକଠାରୁ ଜୀବନର ଶେଷ ପର୍ଯ୍ୟାୟରେ ରଚିତ କବିତାଗୁଡ଼ିକ ପର୍ଯ୍ୟନ୍ତ ଏହି ପ୍ରବୃତ୍ତିକୁ ପ୍ରତ୍ୟେକ ସଚେତନ ପାଠକ ଲକ୍ଷ୍ୟ କରିପାରିବେ । ଏହି କାବ୍ୟ ପ୍ରବୃତ୍ତି ସମ୍ପର୍କରେ ତାଙ୍କ ସହ ଏଇ ଆଲୋଚକର ଥରେ ଚର୍ଚ୍ଚା ହେଲାବେଳେ ସେ ଉତ୍ତର ଦେଇଥିଲେ- ‘‘ଆପଣ ରୋମାଣ୍ଟିକ ବୋଲି କାହାକୁ କହୁଛନ୍ତି ? ମୋଟାମୋଟି ଯାହା ବାସ୍ତବତାଠାରୁ ବିଚ୍ଛିନ୍ନ ଓ କଳ୍ପନାଶ୍ରୟୀ ତାହା ରୋମାଣ୍ଟିକ ବୋଲି ଗୋଟେ ଧାରଣା ରହିଛି । କିନ୍ତୁ ରୋମାଣ୍ଟିକ ଚେତନା ପ୍ରକୃତରେ ଜୀବନଠାରୁ ବିଚ୍ଛିନ୍ନ ନୁହେଁ । ତା’ପରେ ବିପ୍ଳବ କେଉଁଥିପାଇଁ ? କୌଣସି ଆଦର୍ଶ ସୃଷ୍ଟି ଓ ପରିବର୍ତ୍ତନ ପାଇଁ ତ ବିପ୍ଳବ । ନାଳ, ନର୍ଦ୍ଦମା, ପୂତିଗନ୍ଧମୟ ଆବର୍ଜନାକୁ ଧ୍ଵଂସ କରି ପଦ୍ମର ସୌରଭ ତାହା ମଧ୍ୟରେ କଳ୍ପନା କରିବା ଭୁଲ ନୁହେଁ । ଆଜିର ଯାହା କଳ୍ପନା ତାହା ଆସନ୍ତାକାଲି ବାସ୍ତବାୟିତ ହୋଇଥାଏ । ସ୍ଵପ୍ନ ନ ଦେଖିଲେ କିମ୍ବା କଳ୍ପନା ନ କଲେ କାହାର ପ୍ରେରଣାରେ ଆପଣ ନୂତନ ସୃଷ୍ଟିରେ ଉଦ୍‌ଯୋଗୀ ହେବେ ? ଗୋଟିଏ ଭୂମିରେ ଅବସ୍ଥିତ ରହି ମଣିଷ ଆଉ ଏକ ନୂତନ ଭୂମିର କଳ୍ପନା କରେ । କଳ୍ପନା ନ କଲେ ଆଉ ଏକ ନୂତନ ଭୂମିର ନିର୍ମାଣ ହେବ କେମିତି ? କିନ୍ତୁ ଭାବ ପ୍ରବଣତାର ବାହୁଲ୍ୟ ସାହିତ୍ୟରେ ଅନାବଶ୍ୟକ ।’’ (ଅନନ୍ତଙ୍କ ସହ ସାକ୍ଷାତ୍‌କାର-ତା- ୩୦।୧୦।୮୪ )

 

ଅନନ୍ତଙ୍କ କବିମନ ନୂତନତାର ଦିଶାରୀ ହୋଇଛି । ଏହି ନୂତନତାର ଅନ୍ୱେଷଣ ଓ ପ୍ରତିଷ୍ଠା ତାଙ୍କର କାବ୍ୟ ଗୌରବ । ତାଙ୍କର ପ୍ରେମ କବିତାଠାରୁ ଆରମ୍ଭ କରି ଶ୍ରେଣୀ ଚେତନା ଆଧାରିତ ବିପ୍ଳବୀ କବିତା ପର୍ଯ୍ୟନ୍ତ ସର୍ବତ୍ର ଏହି ନୂତନତାର ଆବାହନ । ଉଦାହରଣ ସ୍ଵରୂପ ତାଙ୍କ କବି ଜୀବନର ଆଦ୍ୟ ଭାଗରେ ରଚିତ ଓ ପରେ ‘କିଞ୍ଚିତ’ ସଂକଳନରେ ସ୍ଥାନିତ ‘ଚୈତ୍ରଧାରା’ କବିତାକୁ ନିଆଯାଉ-

 

‘‘ନବ ଜୀବନର ଛନ୍ଦ ବିହରେ

ଶୀର୍ଣ୍ଣା ତଟିନୀ କୂଳେ ଗୋ !

ଆଜି, ଆସିଲା କି ସତେ ପ୍ରାଣର ମିତଣୀ !

ନବ ରାଗିଣୀର ତୁଲେ ଗୋ

ନୂତନର ସ୍ଵରେ ଚିର ପୁରାତନ

ଆଣିଲାକି ପୁଣି ଅଥିର ସ୍ଵପନ

ଚୈତ୍ରର ପଥେ ବର୍ଷାର ହାସ ।

ବିରହେ ଉତ୍‌ଥଳରେ ।

(ଚୈତ୍ରଧାରା- ଅଲୋଡ଼ା ଲୋଡ଼ା)

 

୧୯୩୪-୩୫ ମସିହାବେଳକୁ ଅନନ୍ତ କଂଗ୍ରେସ ସୋସାଲିଷ୍ଟ ପାର୍ଟିର ସଦସ୍ୟ ଓଡ଼ିଶାର ଗଡ଼ଜାତ ଆନ୍ଦୋଳନ, କୃଷକ ଓ ଶ୍ରମିକ ଆନ୍ଦୋଳନର ଜଣେ ପ୍ରମୁଖନେତା । ଏ କାଳରେ ପ୍ରକାଶିତ ତାଙ୍କର ‘ସମାଧାନ’ (ନବଭାରତ, ପ୍ରଥମବର୍ଷ, ଷଷ୍ଠ ସଂଖ୍ୟା, ବିଛା ୧୩୪୧), ‘ଦେବତା ନାହିଁ ଭୁବନ ବନେ’ (ନବଭାରତ, ବୃଷ, ୧୩୪୨) କବିତା ଦୁଇଟି ବିଶ୍ଳେଷଣ କଲେ ତାଙ୍କର କାବ୍ୟସ୍ଵର କିପରି ସଂପୂର୍ଣ୍ଣ ଭାବରେ ମାର୍କ୍ସବାଦକୁ ଗ୍ରହଣ କରିନେଇଛି ତାହା ସହଜରେ ଜଣାପଡ଼ିବ । ଦୁଇଟିଯାକ କବିତାରେ କବି ମଣିଷର ଧର୍ମବିଶ୍ୱାସ ଓ ଅନ୍ଧ ଭାକ୍ତିକତା ମୂଳରେ କୁଠାରଘାତ କରିଛନ୍ତି-। ଧର୍ମଧାରଣା ଓ ଈଶ୍ଵର ବିଶ୍ୱାସ ନାମରେ ଚାଲିଥିବା ବ୍ୟଭିଚାର ଓ ଅନୀତିକୁ କଠୋର ସମାଲୋଚନା କରିଛନ୍ତି ଅନନ୍ତ । ‘ସମାଧାନ’ କବିତାରେ ସେ ଏହାକୁ ଆତ୍ମ ପ୍ରତାରଣା ନାମରେ ଅଭିହିତ କରନ୍ତି । ଜ୍ଞାନର ଖଡ଼ଗରେ ଏହି ପ୍ରତାରଣା ଓ ଅନ୍ଧବିଶ୍ଵାସକୁ ହତ୍ୟା ନ କଲେ ସତ୍ୟର ଆଲୋକ ଉଦ୍‌ଭାସିତ ହେବ ନାହିଁ । ମନଗଢ଼ା ଦିଅଁ ଦେବତା ଅପେକ୍ଷା ରକ୍ତ ମାଂସର ମଣିଷ ହେଉଛି ସତ୍ୟ ଓ ନିତ୍ୟ । ସେ ନିଜେ ତା ଭାଗ୍ୟର ନିୟାମକ । ତେଣୁ ମଣିଷର ଯାବତୀୟ ସମସ୍ୟାର ସମାଧାନ ମଣିଷ ହାତରେ ରହିଛି ଭଗବାନଙ୍କ ହାତରେ ନାହିଁ । ‘ଦେବତା ନାହିଁ ଭୁବନ ବନେ’ କବିତାର ମର୍ମବାଣୀ ଈଶ୍ଵରଙ୍କ ଅସ୍ତିତ୍ୱକୁ ସ୍ଵୀକାର ନ କରିବା ମୂଳରେ ନିହିତ । ଏଠାରେ କବି ମଣିଷକୁ ତାର ଶକ୍ତି ସମ୍ପର୍କରେ ସଚେତନ ହେବା ପାଇଁ ଆହ୍ଵାନ କରିଛନ୍ତି । ଅନ୍ଧକାର ଘେରା ଦେଉଳ ମଧ୍ୟରେ ସିଂହାସନ ଥାପି ଦ୍ୱାରରୁଦ୍ଧ କରି ଓ ନିଜକୁ ନିର୍ବାସିତ କରି ଯେପରି ଦେବତାଙ୍କର ପୂଜା ଅର୍ଚ୍ଚନା କରାଯାଏ ତାହା ନିରର୍ଥକ । ଏହି ମିଥ୍ୟାଚାରକୁ ଲଙ୍ଘି ମଣିଷର ପୂଜା ଆରାଧନା ପାଇଁ ସଂକେତ କବିତା ଦୁଇଟିରେ ସ୍ପଷ୍ଟ । ଦୁଇଟିଯାକ କବିତାରୁ କେତେକ ଧାଡ଼ି ନିମ୍ନରେ ଦିଆଗଲା-

 

(କ)

ଦେବତା ବୋଲି ହେ ନ ପାରିବୁ ଆଉ ଡାକି

 

ଦେଖିଲୁଣି ପରା ଧର୍ମ ସକଳ ଫାଙ୍କି ।

 

ବୁଝିଲୁଣି ଆଜି ନ୍ୟାୟ ନାହିଁ ଧରାତଳେ

 

ସ୍ଵର୍ଗସ୍ୱପନେ ଭସାଇ ପରାଣ ସୁଖେ

 

ବୁଭୁକ୍ଷୁ ଏଥି ନମରିବୁ କ୍ଷାମ -ମୁଖେ

 

ସମୂହ ମୁକ୍ତି ଲାଗି

 

ଲୋଡ଼ିବୁ ହରଷେ ଆମର ଜୀବନ

 

ଜୀବନର ଅନୁରାଗୀ (ସମାଧାନ)

(ଖ)

ବାହୁରେ ନାହିଁ ଶକ୍ତି ତୋର

 

ସ୍ଵାସ୍ଥ୍ୟ ନୋହେ ଦେହରେ ଭରା

 

ଯୌବନରେ ଦୁର୍ବଳତୁ

 

ଗ୍ରାସଇ ଆଜି ମହା ସେ ଜରା

 

ରଶ୍ମିସୁଅ ଖେଳଇ ପାଶେ

 

ଅଂଧକାରେ ମରୁଡୁ ତ୍ରାସେ

 

ରହଇ ପଡ଼ି ବିଶାଳ ନଭ

 

ଶସ୍ୟମୟୀ ଶ୍ୟାମଳ ଧରା

 

(ଦେବତା ନାହିଁ ଭୁବନବନେ)

 

୧୯୩୫ ମସିହା ଡିସେମ୍ବର ମାସରେ ‘ନବଯୁଗ ସାହିତ୍ୟ ସଂସଦ’ ଗଠନ ଓ ୧୯୩୬ ମସିହାରେ ‘ଆଧୁନିକ’ ପତ୍ରିକାର ପ୍ରକାଶନ କ୍ଷେତ୍ରରେ ଭଗବତୀଙ୍କର ଘନିଷ୍ଠ ସହଯୋଗୀ ଥିଲେ କବି ଅନନ୍ତ । ନବଯୁଗ ସାହିତ୍ୟ ସଂସଦର ଯେଉଁ ସପ୍ତାହବ୍ୟାପୀ ଅଧିବେଶନ କଟକର ଶ୍ରୀରାମଚନ୍ଦ୍ର ଭବନରେ ଅନୁଷ୍ଠିତ ହୋଇଥିଲା ତାର ଉଦ୍‌ଘାଟନୀ ଉତ୍ସବରେ ଗାନ କରାଯାଇଥିଲା ଅନନ୍ତଙ୍କର ସଂଗୀତ ମାଳତୀ ଚୌଧୁରୀଙ୍କ କଣ୍ଠରେ । ତାର କିଛି ଅଂଶ ହେଲା-

 

‘‘ନବୀନ ଯୁଗର ତରୁଣ ଜାଗରେ

ଜାଗ ବନ୍ଧନ ହରା

ବକ୍ଷ ଶୋଣିତ ଲକ୍ଷ ଜୀବନ

ଖେଳାଅ ଆଲୋକ ଧାରା

ଛିନ୍ନ କରରେ ବନ୍ଧନ ରାଜି

କ୍ରନ୍ଦନ ହେଉ ଶେଷ

ଲୁପ୍ତ ହେଉରେ ଜାତି ଉପଜାତି

ଖଣ୍ଡିତ ଶତଦେଶ ।’’

 

ତାରୁଣ୍ୟର ସଂକଳ୍ପ ଓ ଅନ୍ୟାୟ ଅନୀତି ତଥା ଶୋଷଣ ବିରୁଦ୍ଧରେ ତାର ସଂଗ୍ରାମ ଯେଉଁ ନୂତନ ଜୀବନ ରୀତିର ବିକାଶ ଘଟାଇବ ସେହି ପ୍ରସଙ୍ଗକୁ ଉପରୋକ୍ତ କବିତାରେ ପ୍ରକାଶ କରିଛନ୍ତି କବି । ଏଥିରେ ସାମ୍ୟବାଦୀ ଚିନ୍ତା ଚେତନାରେ ବିଶ୍ଵାସୀ ସଂଗ୍ରାମଶୀଳ ଓ ଅଂଗୀକାରବଦ୍ଧ ଯୁବଗୋଷ୍ଠୀକୁ ଏକ ସମାଜବିପ୍ଳବ ପାଇଁ କବି ଡାକରା ଦେଇଛନ୍ତି । ଅନନ୍ତଙ୍କ ଉପରୋକ୍ତ କବିତାରେ ପ୍ରକାଶିତ ଚିନ୍ତାଧାରା ଗତିଶୀଳ ହୋଇଛି ୧୯୩୬- ୩୮ ମଧ୍ୟରେ ରଚିତ ହୋଇଥିବା ଓ ‘ଆଧୁନିକ’, ‘ନବଭାରତ’ ପ୍ରଭୃତି ପତ୍ରିକା ଓ ତାଙ୍କର ରକ୍ତଶିଖା ସଂକଳନରେ ପ୍ରକାଶ ପାଇଥିବା କବିତାଗୁଡ଼ିକରେ । ‘ନବଭାରତ’ରେ ପ୍ରକାଶିତ ‘ଆରେ ଦୁର୍ଭାଗା ଦେଶ’ (ମିଥିନ ୧୩୪୩), ‘ଯୁଗମାନବ’ (ମୀନ ୧୩୪୨), ‘ଆଧୁନିକ’ ପତ୍ରିକାରେ ପ୍ରକାଶିତ ‘ଦଳିତର ଜାଗୃତି’ (ଆଧୁନିକ ଅଗଷ୍ଟ- ୧୯୩୬) ‘କୃଷକର ଜାଗୃତି’ (ଆଧୁନିକ ଅକ୍ଟୋବର ୧୯୩୬) ପ୍ରଭୃତି କବିତାଗୁଡ଼ିକ ଏହାର ଦୃଷ୍ଟାନ୍ତ । ‘ରକ୍ତଶିଖା’ ସଂକଳନରେ ସ୍ଥାନ ପାଇଛି ସଚ୍ଚିରାଉତରାୟଙ୍କ କବିତା ସହ ଅନନ୍ତଙ୍କ କବିତାଗୁଡ଼ିକ । ଗଡ଼ଜାତ ଆନ୍ଦୋଳନ ଓ କୃଷକ ଶ୍ରମିକ ଆନ୍ଦୋଳନର ପୃଷ୍ଠଭୂମିରେ ଉପରୋକ୍ତ କବିତାଗୁଡ଼ିକ ରଚିତ । ଏ ସମ୍ପର୍କରେ କୁହାଯାଇଛି- ‘‘କବି ଅନନ୍ତଙ୍କ କାବ୍ୟଚେତନାର ପରିଧିକୁ ଯଦି କୌଣସି ବିଦଗ୍ଧ ପାଠକ ପ୍ରଦକ୍ଷିଣ କରେ ତାହେଲେ ସେ ଦେଖିବ ଯେ ତାଙ୍କ କାବ୍ୟ କବିତାଗୁଡ଼ିକ ତାଙ୍କ ସଂଗ୍ରାମଶୀଳ ଜୀବନର ପ୍ରତ୍ୟେକଟି ମୁହୂର୍ତ୍ତକୁ ଧରି ରଖୁଛି । ‘ରକ୍ତ ଶିଖା’ରେ ସ୍ଥାନ ପାଇଥିବା ‘ମୁକ୍ତି ସଂଗୀତ’, ‘ଆଗେଚାଲ’, ‘ସର୍ବହରା’, ‘ଆଗେ ମୂଲିଆର ଜାତି ଜାଗିବୁ’, ‘ବଜାରେ ପାଇକ ବଜା’ ପ୍ରଭୃତି କବିତାଗୁଡ଼ିକରେ ପ୍ରତିଫଳିତ ବିଦ୍ରୋହ ଓ ଅଙ୍ଗୀକାର ଆମକୁ ତାହା ହିଁ ସ୍ମରଣ କରାଇଦିଏ । ବିପ୍ଳବର ସ୍ଫୁଲିଙ୍ଗ ସଂଗକୁ ଶୋଷକ ଗୋଷ୍ଠୀର ମୂଳୋତ୍ପାଟନ ପାଇଁ ଏଥିରେ ଯେଉଁ ନିର୍ଦ୍ଦେଶ ରହିଛି ତାହା ଲକ୍ଷ୍ୟ କରିବାର କଥା । (ପ୍ରଗତିବାଦୀ କାବ୍ୟ ଚେତନା- ବିଜୟ କୁମାର ଶତପଥୀ, ଓଡ଼ିଶା ବୁକ୍‌ ଷ୍ଟୋର, କଟକ, ପୃ-୫୪୧)

 

ଅନନ୍ତଙ୍କ ବିପ୍ଳବୀ ଜୀବନ ସହିତ ତାଙ୍କ କାବ୍ୟାଦର୍ଶର ରହିଥିଲା ନିବିଡ଼ ସଂଯୋଗ । ଏ ଜୀବନ ଥିଲା କେତେବେଳେ ଅଗ୍ନିସ୍ନାତ, ବହ୍ନିମାନ ପୁଣି କେତେବେଳେ ଘର୍ଘର ପ୍ରପାତପରି ମୁଖରିତ ପୁଣି କେତେବେଳେ କ୍ଷୁଦ୍ର ଏକ ତଟିନୀର ଧାରପରି ଶାନ୍ତ କମନୀୟ ଓ କୋମଳ । ଏହାର ପରିଚୟ ଆମେ ପାଉ ଅନନ୍ତଙ୍କ କବିତା ସଂକଳନ - ‘ଛାଇଛିଟା’ ‘ଅଲୋଡ଼ାଲୋଡ଼ା’, ‘ଶାନ୍ତିଶିଖା’ ଓ ‘ଅବାନ୍ତର’ ପ୍ରଭୃତି ସଂକଳନଗୁଡ଼ିକରେ । ଜୀବନର ପରିବ୍ୟାପ୍ତ ପଟ୍ଟଭୂମି ମଧ୍ୟରେ ସଂଚରଣଶୀଳ ତାଙ୍କ କବିସତ୍ତା । ସେଥିରୁ ଆହୃତ ଉପାଦାନ ସମୂହକୁ ସେ ପ୍ରକାଶ କରିଛନ୍ତି ଅନନ୍ୟ କାବ୍ୟଛଟା ଦେଇ, ଶବ୍ଦର ଅପୂର୍ବ ବର୍ଣ୍ଣବିଭା ସୃଷ୍ଟିକରି । ଲକ୍ଷ୍ୟ କିନ୍ତୁ ନିର୍ଦ୍ଦିଷ୍ଟ ତାଙ୍କର- ଶୋଷଣହୀନ ସମାଜ ବ୍ୟବସ୍ଥା । ଅନନ୍ତଙ୍କୁ କୁହାଯାଇପାରିବ ଯେ ସେ ଏକ ମହାକାବ୍ୟର ଛନ୍ଦ ଯେଉଁ ମହାକାବ୍ୟ ଜୀବନର ଗୀତିଶୁଣାଏ, ବିପ୍ଳବର ଝଙ୍କାର ତୋଳେ ପୁଣି ଯାହାର ଉଦାତ୍ତ ସ୍ଵରଝଙ୍କାର ଜନପଦକୁ, ବନଭୂମିକୁ, ସିକ୍ତତାମଣ୍ଡିତ ବେଳାଭୂମିକୁ ଉଚ୍ଚକିତ କରିପାରେ, ମୂର୍ଚ୍ଛିତ କରିପାରେ । ପ୍ରଥାବଦ୍ଧତାର ନିଗଡ଼କୁ ଭାଙ୍ଗି ଯେଉଁ ସ୍ଵର ଝଙ୍କାର ଗାଉଥାଏ ଜୀବନର ଗାଥା । ଦୀର୍ଘ ପଚାଶବର୍ଷ ଧରି ଅନନ୍ତ ଏଇ ରାଗିଣୀ ଶୁଣାଇ ଆସିଛନ୍ତି ମୁଖରିତ କରିଛନ୍ତି ଆମର ସାରସ୍ଵତ କାନନକୁ । ଅନନ୍ତ ପଟ୍ଟନାୟକଙ୍କୁ ନିବିଡ଼ ଭାବରେ ଚିହ୍ନିଥିବା ତାଙ୍କର ସତୀର୍ଥ କୃଷ୍ଣପ୍ରସାଦ ପଟ୍ଟନାୟକ ଭାଷାରେ- ‘‘ସେ ଏଭଳି ଏକ କବିତାର ଛନ୍ଦ ଯାହାକୁ କି ସମୟ ଓ ଭଗବାନ ଆବୃତ୍ତି କରିପାରିନାହାନ୍ତି, ମଣିଷ ଓ ସମାଜ ଧରି ରଖି ପାରି ନାହାନ୍ତି, ନିଜର ଧରାବନ୍ଧା ନୀତି ନିୟମର ପରିଧି ଭିତରେ । ତେଣୁ ତାଙ୍କର ପ୍ରଶଂସକ ଓ ସମାଲୋଚକ ଉଭୟ ତାଙ୍କୁ ଆଖ୍ୟା ଦିଅନ୍ତି ଶବ୍ଦର ଯାଦୁକର ରୂପେ । ସେ କିନ୍ତୁ କାବ୍ୟିକ ଅଭିଧାନର ଉପବନ ଭିତରେ ବନ୍ଦୀ ନୁହନ୍ତି । ସମୟର ବାଲୁକା ଶଯ୍ୟାରେ, ହଜିଯାଇଥିବା ଅଗଣନ ମଣିଷର କଣ୍ଠସ୍ଵରରୁ, ସମାଧି ଲଭିଥିବା ହୃଦୟରୁ । ଯୁଗଯୁଗ ଧରି ବନ୍ଦ ହୋଇ ରହିଥିବା, ଜଉମୁଦା ଓଠ ତଳେ ଚାପି ହୋଇ ରହିଥିବା ଅକୁହା ଭାଷାରୁ ଓ ମଣିଷର ପାଂଶୁଳ, ବିବର୍ଣ୍ଣ ମୁଖମଣ୍ଡଳରୁ ସେ ସଂଗ୍ରହ କରନ୍ତି, ତୋଳି ଆଣନ୍ତି ଶବ୍ଦ, ତାକୁ ରୂପ ଦିଅନ୍ତି କବିତାରେ ।

 

ପ୍ରକୃତରେ ଆଧୁନିକ ଓଡ଼ିଆ କବିତାର ଇତିହାସରେ ଅନନ୍ତଙ୍କ ଶବ୍ଦ ଖେଳ ଶବ୍ଦ ନୈପୁଣ୍ୟ ଅନନ୍ୟ । ଶବ୍ଦ ବୈଚିତ୍ର୍ୟର ସନ୍ଧାନ ଓ ଅର୍ଥାନ୍ତରର ଗାରିମାକୁ ଧରି ରଖୁଛି ଅନନ୍ତଙ୍କ କବିସତ୍ତା । ତାଙ୍କ କବିତାରେ ଶବ୍ଦମାନେ ଭଳିକି ଭଳି ପୋଷାକ ପିନ୍ଧି ବିଚିତ୍ର ରଙ୍ଗ ମାଖି ହୋଇ ଆସନ୍ତି । ବିଦ୍ରୋହର ଉତ୍ତାପ, ଆଧୁନିକ ମୂଲ୍ୟବୋଧର ଜଟିଳତା ପୁଣି ପଲ୍ଲୀଜୀବନର ମହକକୁ ଅଭୂତପୂର୍ବ ସାଂଗୀତିକ ମହତ୍ତ୍ୱ ଦେଇ ଅନନ୍ତ ପ୍ରକାଶ କରି ପାରୁଥିବାରୁ ତାଙ୍କ ଶବ୍ଦ ବସାଣ ବେଶ୍‌ କୌତୁହଳମଣ୍ଡିତ । ସେଥିପାଇଁ ତାଙ୍କ କବିତା ରାଜ୍ୟକୁ ସେ ଲୋଡ଼ି ଆଣନ୍ତି ବହୁ ପ୍ରଚଳିତ ଶବ୍ଦ ସହ ତଦ୍‌ଭବ, ତତ୍‌ସମ, ବୈଦେଶିକ ଓ ଅଧୁନା ଅବଲୁପ୍ତ ଶବ୍ଦମାନଙ୍କୁ । ‘ଛାଇଛିଟା’ ସଂକଳନରେ ଥିବା ଦୁଇଟି କବିତାକୁ ଉଦାହରଣ ଭାବରେ ନିଆଯାଉ ।

ଓଠର ଟେବୁଲ ପାଖେ

କାଳର କ୍ୟାଟରର ମୁଠାରେ

କୋଟି କୋଟି ସ୍ୱପ୍ନର ଓମେନ୍ୟୁ ରଖି

ବିମୂର୍ତ୍ତ ବାସନା ମୁଁ, ଠାରେ !

ଆଦେଶ ଦିଅ ପ୍ରୀତିର ।

ଅଗ୍ନିମୟୀ ପ୍ରୀତିର !

(କବିତାର କକ୍‌ଟେଲ ପାର୍ଟିରେ - ଛାଇର ଛିଟା ପୃ-୪୨)

 

ବ୍ୟାଗ ପାଇପରେ ଥରି ଉଠେ ରସକୂଲ୍ୟାର

ସେ କି କରୁଣ ରହଣିଆ ବାସନା

ଯୁଗ ଯୁଗର ଚିନ୍ତାର ମଳ ବହି ବହି ଗାଇ ଦିଏ

ଐକାନ୍ତିକୀ, ଯନ୍ତ୍ରଟିଏ ଏବେବି

ହରିଜନ କି ନିଗ୍ରୋର ବଧୂଟି କେଉଁଠି ?

(‘ଅନିସା’-ଛାଇରଛିଟା-ପୃ- ୧୬୬)

 

ସୂକ୍ଷ୍ଣ ଓ ଶକ୍ତିଶାଳୀ ଶବ୍ଦ ସଂଯୋଜନା ସହିତ ପ୍ରତୀକ ଓ ଚିତ୍ରକଳ୍ପର ବ୍ୟଞ୍ଜନା ଅନନ୍ତଙ୍କ କାବ୍ୟାଲୋକକୁ ଏକ ମହତ୍ତର ଆସନରେ ଅଧିଷ୍ଠିତ କରିଛି । ଅନନ୍ତଙ୍କ କାବ୍ୟଚେତନାର ଅନ୍ୟ ଏକ ଦିଗ ହେଲା ଶାନ୍ତିର ମନ୍ତ୍ର ଉଚ୍ଚାରଣ କରି ଯୁଦ୍ଧଧ୍ଵାନ୍ତ ପୃଥିବୀ ବୁକୁରେ ସ୍ନେହ ଓ ମମତାର ବାତାବରଣ ସୃଷ୍ଟି କରିବା । ତେଣୁ ସାମ୍ରାଜ୍ୟବାଦ, ଉପନିବେଶବାଦୀ ଅର୍ଥନୀତି ତଥା ପୁଞ୍ଜିବାଦର ରାକ୍ଷସ ବିରୁଦ୍ଧରେ ଅନନ୍ତଙ୍କ ଶକ୍ତିଶାଳୀ ଲେଖନୀ ଯେପରି ସଂଗ୍ରାମ କରି ଆସିଥିଲା ସେହିପରି ଫାସିବାଦର ଭୟାବହତା ବିରୁଦ୍ଧରେ ମଧ୍ୟ ସ୍ଵର ଉତ୍ତୋଳନ କରିଥିଲା । ହିଟ୍‌ଲର, ମୁସୋଲିନୀ, ଫ୍ରାଙ୍କୋଙ୍କର୍‌ ନରମେଧ ଯଜ୍ଞ, ନାଜିବାଦର ରଣହୁଙ୍କାର ଭୀତତ୍ରସ୍ତ କରି ରଖୁଥିଲା ବିଶ୍ଵକୁ । ଏହି ପରିସ୍ଥିତିରୁ ମୁକୁଳିବା ପାଇଁ ବିଶ୍ଵମାନବ ଉଦ୍ଦେଶ୍ୟରେ ଶାନ୍ତିର ବେଦମନ୍ତ୍ର ଉଚ୍ଚାରଣ କରିଛନ୍ତି ଅନନ୍ତ ପଟ୍ଟନାୟକ-। ତାଙ୍କର ‘ଶାନ୍ତିଶିଖା’ ସଂକଳନରେ ଥିବା କବିତାଗୁଡ଼ିକରେ ଶାନ୍ତିର ଉଚ୍ଚାରଣ ସହ ଫାସିବାଦ ବିରୋଧୀ କାବ୍ୟସ୍ଵର ପରିପ୍ରକାଶ ଘଟିଛି ।

 

‘‘ଶାନ୍ତିର କପୋତ ଉଡ଼େ ହିମାଦ୍ରୀ ମହୁଡ଼େ

ଆଉଁସୀ ଆଖି

ବସିଯାଏ ଧୀରେ କଳ ଭାସେ

ସଥର ଉଲ୍ଲାସେ

ସହଯାତ୍ରୀ ବୁଦ୍ଧ ଡାକେ ଏଇ

ଗାନ୍ଧୀ ଥରେ ରକ୍ତଧାରା ଫେଇ

ଶୁଣରେ ମୂର୍ଚ୍ଛିତ ନର ଭସ୍ମାସୁର ସମ

ଅସୀମ ସାଧନାଲବ୍ଧ ଶାନ୍ତି ଅନୁପମ

କରନାହିଁ କ୍ଷୟ ।’’

‘‘ଆଣ ନୂଆ ରୀତିରେ’’, ‘ଚେତାଇ ତତେ ବିଶ୍ଵବାସୀ’, ‘ଫୁଟିବି ମୁଁ ଫୁଟିବି’ ପ୍ରଭୃତି ‘ଶାନ୍ତିଶିଖା’ ସଂକଳନର କବିତାଗୁଡ଼ିକ ଏହାର ଦୃଷ୍ଟାନ୍ତ ।

 

ଜଣେ ବିପ୍ଳବୀ ଯୁଗେ ଯୁଗେ ସ୍ନେହୀ ମଣିଷଟିଏ ହୋଇଥାଏ । ଈର୍ଷା, ଦ୍ଵେଷ, ଅହଂକାର ମଧ୍ୟରୁ ବିପ୍ଳବ ଆସେ ନାହିଁ । ଏହାର ଜନ୍ମ ସମାଜରେ ସହାବସ୍ଥାନ ପାଇଁ, କୋଟି କୋଟି ମଣିଷର ମୁହଁରେ ହସ ଫୁଟେଇବା ପାଇଁ । ଅନନ୍ତ ସେହିପରି ଜଣେ ବିପ୍ଳବୀ ଯିଏ ଶବ୍ଦର ସାଗର ପରେ ଶସ୍ୟର ସାଗର ସୃଜିପାରନ୍ତି, ମଳୟର ଆବାହନ ରଚି ପାରନ୍ତି ରୁକ୍ଷ ଧରିତ୍ରୀ ବୁକୁରେ, ବାହି ଆଣନ୍ତି ବସନ୍ତର ଉଲ୍ଲାସ ପଲ୍ଲବିତ କରିଦେଇପାରନ୍ତି ଆପଣାର ଶବ୍ଦ ସମ୍ମୋହନରେ ଚତୁର୍ଦ୍ଦିଗକୁ । ଅନନ୍ତ ହିଁ ଅନନ୍ତ ଜୀବନର ରୂପକାର । ତାଙ୍କର କାବ୍ୟ ପୁରୁଷ ସେଇ ଜୀବନର ବନ୍ଦନା ଗୀତିରେ ମୁଖର ।

 

‘‘ଜୀବନ ଚାହୁଁ ଜୀବନ ଆମେ-

କଠିନ ଆଉ କୋମଳ

କୋମଳ ଆଉ କଠିନ

କେଜାଣି କେତେ ପୁଲହାଗ୍ନିର ପଲ୍ଲବରେ

ଚଗଲାମିର ଚୁମାଭଳି କିଶୋରୀର

କିଶୋରର ଓଠରେ ଜୀବନ ।’’

(ଜୀବନ- ଅବାନ୍ତର-ପୃ. ୪୨)

 

ଶରତ ସକାଳର ସଜଫୁଟା ରକ୍ତକଇଁ, ରାତ୍ରିର ଘନଘୋର ଅନ୍ଧକାରକୁ ବିଦୀର୍ଣ୍ଣ କରି, ଚକ୍ରବାଳରେ ଲାଲ ଆଲୋକର ବର୍ଣ୍ଣିଳ ବିଭା ରଚୁଥିବା ଉଦୀୟମାନ ସୂର୍ଯ୍ୟର ବନ୍ଦନା ସେ ଯେମିତି ପାଇପାରନ୍ତି ସେମିତି ବି ସେ ଗାଥା ରଚନ୍ତି ଧୂଳି ଧୂସରିତ ଲହୁ ଲୁହ ଓ ପଙ୍କ କାଦୁଅ ସ୍ଵେଦ ଓ ସ୍ଵାଦରେ ପରିପୂର୍ଣ୍ଣ ଜୀବନର ଗାଥା ।

କଲ୍ୟାଣୀ ନଗର

କଟକ-୭୫୩୦୧୩

 

***

 

ଲୁହାର ଲୁହା, କୋଇଲାର କୋଇଲା

ହରପ୍ରସାଦ ଦାସ

 

‘‘ବୈରାଗ୍ୟର ବରପତ୍ରରେ ଭାସୁଚ, ଆହା ଭାସୁଚ ! ତୁମେ ତ ମାଟିର ଆତ୍ମା, କୋଇଲାର କୋଇଲା, ଲୁହାର ଲୁହା ! ହାତ ବଢ଼ାଏ ମୁଁ ହାତ ବଢ଼ାଏ କେଉଁଠି ତୁମେ କେଉଁଠି ?’’

(ହାତ ବଢ଼ାଏ/ଅନନ୍ତ ପଟ୍ଟନାୟକ)

 

ଆଜି ଅନନ୍ତ ପଟ୍ଟନାୟକଙ୍କର ଶତବାର୍ଷିକୀ - ସଂପାନର ଔପଚାରିକ ଉଦ୍‌ଘାଟନ କରିବା ଅବସରରେ ମୁଁ ପ୍ରଥମେ ଅନ୍ତନ୍ତ ପଟ୍ଟନାୟକଙ୍କୁ ସଲାମ୍‌ କରୁଚି । କିନ୍ତୁ ଏ ସଲାମ୍‌ ଲାଲ-ସଲାମ୍‌ ନୁହେଁ । ଅନନ୍ତ ପଟ୍ଟନାୟକଙ୍କ ସମ୍ମାନରେ ଉଠିଥିବା ମୋର ଏ ହାତର ପାପୁଲିରେ ରକ୍ତର ଲୋହିତ ଯେତିକି, ତାଠାରୁ ଅଧିକ ନୀଳ, ସବୁଜ, ପୀତ, କୃଷ୍ଣ ଓ ଶ୍ଵେତ । ତାଙ୍କର ଆସ୍‌ମାନ୍‌ରେ ମୋର ଏ ସଲାମୀ ହାତ ଆଜି କ୍ଷୁଦ୍ର ଧ୍ଵଜାଟିଏ ହୋଇ ଉଡ଼ୁ । ପ୍ରଣିପାତ ସେ ଗ୍ରହଣ କରିବେ ନାହିଁ, ପ୍ରଣାମ ସେ ଚାହାନ୍ତି ନାହିଁ, କିନ୍ତୁ ସଲାମ୍‌ ସେ ନେବେ । ସଲାମ୍‌ ନେବେ ଏଇ ସର୍ତ୍ତରେ ଯେ ସେ ମୋର କୁଳପୁରୁଷ ନୁହନ୍ତି । ସେ ମୋର ପଥଚଲାର ସାଥି । ମୋଠାରୁ ସାତସାନ କେହି ଜଣେ ତାଙ୍କୁ ସଲାମ୍‌ କଲେ ବି ତାଙ୍କର ସେଇ ସର୍ତ୍ତ । ସେ ରାଜନୈତିକ ଅର୍ଥରେ କମ୍ରେଡ଼୍‌ ହୋଇ ସ୍ମୃତିରେ ରହିଲେ ନାହିଁ ଏଇଥିପାଇଁ ଯେ ତାଙ୍କର ଲାଲ୍‌ ପତାକାରେ ଆସି ମିଶିଥିଲେ ଅନେକ ରଂଗ, ଯେଉଁ ଲାଲିମାର ଦୀପ୍ତି ଆସି ରହିଥିଲା ନୀଳ- ସବୁଜ- ପୀତ- କୃଷ୍ଣ ଶ୍ଵେତରେ ସେ ଲାଲିମା ଥିଲା ଉଦ୍ଦାମ ଯୌବନର । ସେ ଯୌବନରେ ନା ଗାନ୍ଧି ଥିଲେ ନା ମାର୍କସ, ନା ସାମ୍ୟବାଦ ଥିଲା ନା ଗଣତନ୍ତ୍ର । ସେ ଯୌବନରେ ଥିଲା ତୀବ୍ର ହୋଇ ବଂଚିବାର ଓ ବଂଚେଇବାର କ୍ଷିପ୍ର ଅଭିଳାଷ । ସେ ଯୌବନ ଜଣେ ବ୍ୟକ୍ତିର ନ ଥିଲା, ସେ ଯୌବନ ଥିଲା ଗୋଟିଏ ସମୂହର । ସେ କେବେ ଏକୁଟିଆ ଚାଲିବାକୁ ଚାହିଁନଥିଲେ, ସାଥି ମେଳରେ ଚାଲିବାରେ ଥିଲା ତାଙ୍କର ସୁଖ । ତାଙ୍କର ଯୌବନର ତତ୍ତ୍ୱଟି ସେଇ, ଦ୍ରୁତ ପଥଚଲା, ଉଦ୍ଦାମ ପଥଚଲା, ସଖ୍ୟର ପଥଚଲା । ବଂଚିଥିଲେ ଆଜି ସେ ଶହେବର୍ଷର ଯୁବକ ହୋଇ ବସିଥାନ୍ତେ, ତାଙ୍କ କୃତିର ଆଲୋଚନା ହେଲାବେଳେ ସେ ଆଉ କାହା କୃତିର ସ୍ମରଣ କରାଇ ଦେଇଥାନ୍ତେ, ତାଙ୍କର ସାଥିମାନଙ୍କ କଥା କହିଥାନ୍ତେ, ନିଜକୁ ଅପାଂକ୍ତେୟ କରି ଅନ୍ୟ ସାଥିକୁ ମହିମାନ୍ଵିତ କରିଥାନ୍ତେ ।

 

ସଖ୍ୟ ଓ ସମୂହର ଉଦ୍‌ଗାତା ଅନନ୍ତ ପଟ୍ଟନାୟକ । ଗୋଟିଏ ସନ୍ଧିକାଳର କୈତାଳିକ ଅନନ୍ତ ପଟ୍ଟନାୟକ ଯିଏ ଅନନ୍ତ ପଟ୍ଟନାୟକଙ୍କ ଜୀବନ-କାହାଣୀ ପଢ଼ିଚି, ସିଏ ଜାଣିଚି ଯେ ମାତ୍ର ପାଞ୍ଚବର୍ଷ ବୟସରେ ଅନନ୍ତ ବାପା-ମା’ ଛେଉଣ୍ଡ ହୋଇଯାଇଥିଲେ । ଖାନଦାନୀ ଜମିଦାର ପରିବାରର ପିଲା, ପୌତୃକ ପରିବାରର ସୁରକ୍ଷା ପାଇନଥିଲେ । ବହୁ ସ୍ନେହ ପାଇ ପିଇସା-ପିଇସୀଙ୍କ କୋଳରେ ବଢ଼ିଲେ, କିନ୍ତୁ ଗୋଟିଏ ଚିତାରେ ପିତାମାତାଙ୍କ ଶରୀର ଭସ୍ମହୋଇଯିବାର ମର୍ମଦାହୀ ଦୃଶ୍ୟ ଦେଖିଥିବ ଯେଉଁ ଶିଶୁ, ତା ଭିତରୁ ଅରକ୍ଷପଣର ଦୁଃଖ ଦୂର କରିବ କିଏ ? ସାନଭାଇ ଗୁରୁଚରଣ ତ ମାତ୍ର ଛ’ମାସର ଶିଶୁ ! ବଡ଼ଭାଇ ଅନନ୍ତଙ୍କ ସହିତ ଗୁରୁଚରଣ ବଡ଼ ହେଲାପରେ ସେଇ ଅରକ୍ଷପଣର ଶୂନ୍ୟତା ବି ରୋପିଥିବେ । ସେଇ ଶୂନ୍ୟତାରୁ ଆସିଥିବ ନିଜକୁ ଏକୁଟିଆ କରି ଛାଡ଼ି ନ ଦେବାର ଆକୁଳତା । ସେଇ ଆକୁଳତାରୁ ଆସିଥିବ ସାଥି ସହ ପଥଚଲାର ଅଭିଳାଷ, ସମୂହରେ ନିଜକୁ ବାଣ୍ଟିଦେବାର ବ୍ୟଗ୍ରତା । ସେଇଥିରୁ ଆସିଥିବ ସ୍ଵାଭିମାନକୁ ବାଟର କଣ୍ଟା ଭଳି ଉପାଡ଼ି ଦେଇ ଫିଙ୍ଗିଦେବାର ବିଦ୍ରୋହୀ ମାନସିକତା । ସେଇଥିରୁ ଆସିଥିବ ଧ୍ଵଜାଧରି ଆଗରେ ଚାଲିବାର ସୁଯୋଗକୁ ଅକ୍ଲେଶରେ ହାତଛଡ଼ା କରିଦେଇ ପଛରେ ରହି ବୃନ୍ଦଗାନରେ ସ୍ଵର ମିଶାଇବାର ସହଜପଣ । ସେ ବୃନ୍ଦଗାନର ରଚୟିତା ଅନନ୍ତ, କିନ୍ତୁ ସ୍ଵରରେ ସ୍ଵର ମିଶାଇ ଗାଇଲାବେଳେ ଲେଖକୀୟ ସତ୍ତା ଗୋଟିଏ ମହାଗାନରେ ବିଲୁପ୍ତ । ଅନନ୍ତଙ୍କର ଅସଂଖ୍ୟ ଗୀତ ଏହିଭଳି ସେହି ମହାଗାନରେ ବିଲୁପ୍ତ ହୋଇଯାଇଛନ୍ତି । ନିଜର ସତ୍ତାଲୋପ କରି ସମୂହରେ ବିଲୀନ ହେବାର ଏହି ଗୁଣ, ଏହି ବିଶେଷ ମାନସିକତା, ତାକୁ ସାମ୍ୟବାଦର ଆଡ଼ିଓଲୋଜି ସହିତ ବାନ୍ଧି ରଖିଲା, କିନ୍ତୁ ତାଙ୍କୁ ଆତ୍ମସାତ କରିପାରିଲା ନାହିଁ । ସାମ୍ୟବାଦର କୁଣ୍ଢ ଭିତରେ ଆକ୍ତାମାକ୍ତା ହୋଇପଡ଼ିବାବେଳେ କବିତାରୁ ସେ ପାଇଲେ ମୁକ୍ତିର ବାଟ । ସେ ବାଟ, କବିତାରେ ମାନବିକତାର, ମଣିଷପଣିଆର, ସମଦୁଃଖି ଭାବର ବାଟ, ସାମ୍ୟବାଦର ବାଟ ନୁହେଁ । ଅନନ୍ତ ପଟ୍ଟନାୟକଙ୍କ ସାମ୍ୟବାଦକୁ ତେଣୁ ତାଙ୍କର ସୃଜନଶୀଳତାର ଆଲୋକରେ ଦେଖିବାକୁ ହେବ । ସାମ୍ୟବାଦର ଆଲୋକରେ ତାଙ୍କର ସୃଜନଶୀଳତାକୁ ଦେଖିଲେ ସେ ତାଙ୍କର ଅବଦାନ ତୁଳନାରେ କ୍ଷୁଦ୍ର ହୋଇଯିବେ । ଏ ପର୍ଯ୍ୟନ୍ତ ତାହା ହିଁ ହୋଇଚାଲିଚି । ତାହାହିଁ ହୋଇଚାଲିଚି ବୋଲି ଅନନ୍ତ ପଟ୍ଟନାୟକ ଆଧୁନିକ ଓଡ଼ିଆ କବିତାର ଜଣେ ପ୍ରାଣପ୍ରତିଷ୍ଠାତାର ସ୍ଵୀକୃତି ପାଇଲେ ନାହିଁ । ସେ ସ୍ୱୀକୃତି ଗଲା ସଚ୍ଚି ରାଉତରାୟଙ୍କୁକୁ କାରଣ ଆଲୋଚକମାନେ ତାଙ୍କ କବିତାରେ ସାମ୍ୟବାଦର ଚିହ୍ନ ଖୋଜିଲେ ସିନା ସାମ୍ୟବାଦରୁ ତାଙ୍କ କବିତା ବାହାରିଲା ବୋଲି କହିଲେ ନାହିଁ । ଆଉ ଗୋଟିଏ କଥା ଏଇ ଯେ ସଚ୍ଚି ରାଉତରାୟ ତାଙ୍କର ବିପୁଳ ପ୍ରତିଭାର ସୁଚାରୁ ବିନ୍ୟାସ ନିଜେ ସ୍ଥିର କରିଚାଲିଥିଲେ, ଅନନ୍ତ ପଟ୍ଟନାୟକ ତାଙ୍କ ନିଜ ପ୍ରତିଭା ପ୍ରତି ଘୋର ଉଦାସୀନ ଥିଲେ । ତାଙ୍କର ସହଯାତ୍ରୀ ଭଗବତୀଚରଣ ଅଳ୍ପ ବୟସରେ ବି, ଉଭୟ ସାମ୍ୟବାଦ ଓ ଆଧୁନିକ ସାହିତ୍ୟରେ ତାଙ୍କର ପ୍ରାପ୍ୟ ପାଇଗଲେ । ସଚ୍ଚିରାଉତରାୟ ସାମ୍ୟବାଦରୁ ଓହରି ଆସିବି ଦୁଇ ଜଗତର ଲାଭ ପାଇଲେ । ଅନନ୍ତ ପଟ୍ଟନାୟକ ନା ରାଜନୀତିରେ ସାମ୍ୟବାଦୀଙ୍କ ସ୍ଵୀକୃତି ପାଇଲେ ନା ସାହିତ୍ୟରେ ତାଙ୍କର ଅଗ୍ରଗାମୀ ଭୂମିକା ପାଇଁ ସାହିତ୍ୟରେ ଯଥାଯୋଗ୍ୟ ସ୍ଥାନ ପାଇଲେ । ଅନନ୍ତ ପଟ୍ଟନାୟକଙ୍କୁ ପ୍ରଗତିବାଦୀ କାବ୍ୟଧାରାର ଜଣେ ବିଶିଷ୍ଟ କବିର ସ୍ଥାନ ଦିଆଯାଏ, କିନ୍ତୁ ପ୍ରଗତିବାଦୀ ଧାରା ଭିତରେ ଓ ସେ ଧାରା ବାହାରେ ସେ କି ଅବଦାନ ଦେଇଗଲେ ତାର ଆଲୋଚନା ବିଶେଷ ହୁଏ ନାହିଁ । ହୁଏ ନାହିଁ, କାରଣ ଅନନ୍ତ ପଟ୍ଟନାୟକ କାବ୍ୟ ଭାଷାର ବୈଚିତ୍ର୍ୟ ବିଚାର କରିବା ପାଇଁ ତାଙ୍କୁ ପ୍ରଥମେ, ତାଙ୍କର ପ୍ରଗତିବାଦୀ (ସାମ୍ୟବାଦୀ) ନିଗଡ଼ରୁ ମୁକ୍ତ କରିବାକୁ ହେବ । କବି ସେତକ କରିବା ପାଇଁ ତାଙ୍କର ସୃଜନକାଳର ପ୍ରକୃତିକୁ ଚିହ୍ନିବାକୁ ହେବ । ସେ ସୃଜନକ୍ଷମ ଥିବାର କାଳ ଯଦି ତାଙ୍କର ପ୍ରଥମ କବିତା ୧୯୨୮ରେ ‘ସହକାର’ରେ ପ୍ରକାଶିତ ହେବା ସହିତ ଆରମ୍ଭ ହୁଏ, ତେବେ ତାଙ୍କର ତୀବ୍ରତମ ସୃଜନଶୀଳତାର କାଳ ହେବ ୧୯୩୪ (ନବଯୁଗମଣ୍ଡଳର ସ୍ଥାପନ)ରୁ ୧୯୬୭ (ଛାଇର ଛିଟା ଓ ଚଢ଼ାଉତ୍ତରା) ଏଇ ଯେଉଁ ତିରିଶବର୍ଷରୁ ଉର୍ଦ୍ଧ୍ୱକାଳ, ୟା ଭିତରେ ସଚ୍ଚି ରାଉତରାୟଙ୍କ ସହିତ ମିଶି, ଯୁଗ୍ମ ରଚୟିତା ଭାବେ ୧୯୩୯ରେ ‘ରକ୍ତଶିଖା’ ଓ ‘ଉଠ ଜାଗ ଭୋକି ବନ୍ଦୀ’ କବିତା ସଂକଳନ ପ୍ରକାଶିତ ହୋଇ ସାରିଥିଲା । ଗଣକବିତାର ଜଣେ ମୁଖ୍ୟ କବି ଭାବରେ ସେ ସଚ୍ଚି ରାଉତରାୟଙ୍କଠାରୁ ଆଗରେ ଥିଲେ । ୧୯୪୫ରେ ବିଶ୍ୱଯୁଦ୍ଧ ସରିବା ସହିତ ସେ ଦାମ୍ପତ୍ୟରେ ଆବଦ୍ଧ ହେଲେ ଓ ତାଙ୍କ କବିତାରେ ବିପ୍ରବର ସ୍ଵର ବଦଳିବା ଆରମ୍ଭ କଲା । ହିରୋସିମା, ନାଗାସାକିର ପରମାଣୁପ୍ରଳୟ ତାଙ୍କୁ ବିପ୍ଳବରୁ ଶାନ୍ତି ଆଡ଼କୁ ବାଟ କଡ଼ାଇ ଆଣିଲା । ‘ଶାନ୍ତିଶିଖା’ ସହିତ ସେ ତାଙ୍କର ମାନବବାଦୀ, ଶାନ୍ତିକାମୀ, ଉଦାରତାର ପରିଚୟ ଦେଲେ । ୧୯୫୨ରେ ପ୍ରକାଶିତ ଏଇ କବିତାଗ୍ରନ୍ଥରେ ସେ ତାଙ୍କର ରଚନାତ୍ମକ ନୂଆ ଦୃଷ୍ଟିକୋଣର ପରିଚୟ ଦେଲେ । ତା ପୂର୍ବରୁ ୧୯୪୯ରେ ପ୍ରକାଶିତ ‘ତର୍ପଣ କରେ ଆଜି କାବ୍ୟଗ୍ରନ୍ଥରେ ଗାନ୍ଧିଙ୍କ ପାଇଁ ଅଶ୍ରୁତର୍ପଣ କରି ନିଜକୁ ନୂଆ ଭାରରେ ଜଣେ ଶାନ୍ତିକାମୀ, ଅଗ୍ରଗାମୀ ନାଗରିକ ଭାବରେ ଉପସ୍ଥାପିତ କରିସାରିଥିଲେ । ୧୯୫୯ରେ ‘କିଂଚିତ୍’ ପ୍ରକାଶିତ ହେଲାବେଳକୁ ସେ ତାଙ୍କର ନିଜ କାବ୍ୟଶୈଳୀକୁ ଦୃଢ଼ କରିନେଇଥିଲେ । ‘ରକ୍ତଶିଖା’ର କବି ‘କିଂଚିତ୍’ରେ ପହଞ୍ଚିବା ଭିତରେ ଗୋଟିଏ କାଳସନ୍ଧି ଆସି ଯାଇଥିଲା । ସେ କାଳସନ୍ଧିକୁ ଦୁଇଟି ଇଂଗିତରେ ସୂଚାଇ ଦେବା ଉଚିତ ହେବ । ସେ ଇଂଗିତ ଦୁଇଟି ଏହିପରି ।

 

-୧୯୧୭ର ଋଷୀୟ କ୍ରାନ୍ତିର ପ୍ରଭାବରେ ସାହିତ୍ୟ ଭିତରକୁ ଗଣଜୀବନର ରାଜନୈତିକ ଦର୍ଶନର ପ୍ରବେଶ ଓ କବିତାର ଭାଷାରେ ପରିବର୍ତ୍ତନ । ଏ ପରିବର୍ତ୍ତନ ଥିଲା କବିତାକୁ ଅଧିକ ସଂପ୍ରେଷଣକ୍ଷମ, ଛନ୍ଦମୟ ଓ ସିଧାସଳଖ ପ୍ରହାରକ୍ଷମ କରିବାର ଚାତୁରୀ । ମାୟାକୋଭସ୍କିଙ୍କ କବିତାର ‘କ୍ଲାଉଡ଼୍‌ ଇନ଼୍ ଟ୍ରାଉଜର୍ସ’କୁ କଳ୍ପନା କରନ୍ତୁ ଓ ଭାବନ୍ତୁ ଅନନ୍ତ ପଟ୍ଟନାୟକଙ୍କ କବିତାରେ ‘ଶୁକ୍ଳମେଫର ସେଫା’କୁ । କହିବାକୁ ଗଲେ କବିତାରେ ସାମ୍ୟବାଦର ପ୍ରବେଶ କବିତାକୁ ଏକ ନୂଆ ଗତିଶୀଳତା ଦେଇଥିଲା । ସେ ଗତିଶୀଳତା ଗୁଡ଼ାଏ ଧ୍ଵନିରସାଣିତ ଶବ୍ଦ, ଗୁଡ଼ାଏ ବିମ୍ବ, ପ୍ରବଳ ଧାରାପ୍ରବାହୀ ପଠନୀୟତା ଓ ଭାବରେ ତୀବ୍ରତା । ଯେଉଁ ଧାରାକୁ ‘ପ୍ରଗତିବାଦୀ’ ଧାରା ବୋଲି ଆମେ କହୁଛେ ସିଏ ଥିଲା ଏଇ ଗଣକାବ୍ୟଶୈଳୀର ଆବାହନ । ସିଏ ଓଡ଼ିଆ କବିତାର ମୁଖ୍ୟ ସ୍ରୋତରେ ବେଶିଦିନ ରହିଲା ନାହିଁ, କିନ୍ତୁ ଅନନ୍ତ ପଟ୍ଟନାୟକ ଓ ସଚ୍ଚି ରାଉତରାୟଙ୍କ ଭଳି ଦୁଇଜଣ କବିଙ୍କୁ ଭବିଷ୍ୟତ ପାଇଁ ଗଢ଼ିଲା । ‘ପ୍ରଗତିବାଦୀ କାବ୍ୟଧାରା କାହିଁକି ଦୀର୍ଘଜୀବି ହେଲା ନାହିଁ, ତା’ର କାରଣ ଭାରତୀୟ ରାଜନୀତିରେ । ଗାନ୍ଧିଙ୍କ ‘ସତ୍ୟାଗ୍ରହ’, ‘ଅହିଂସା’ ଓ ଅସହଯୋଗ ସହିତ ମାର୍କ୍ସୀୟ ବ୍ୟାଖ୍ୟାନ ଓ କମ୍ୟୁନିଷ୍ଟ ଗଣନାୟକମାନଙ୍କର ଭାବମୂର୍ତ୍ତି ସଂକଟରେ ପଡ଼ିଗଲା । ସ୍ଵାଧୀନତା ଓ ସାମ୍ୟ ଭିତରେ ଗୋଟେ କାଳଶକ୍ତି ପ୍ରବେଶ କରି ଦୁଇତତ୍ତ୍ୱକୁ ଅଲଗା କରିଦେଲା । ଭାରତୀୟ କାବ୍ୟ ପରମ୍ପରାର ସମସ୍ତ ମୁଖ୍ୟ କବି ସ୍ଵାଧୀନତାର ସଂଗ୍ରାମୀ ଭାଷାକୁ ସାମ୍ୟବାଦର ସଂଗ୍ରାମୀ ଭାଷାଠାରୁ ଅଧିକ ଗୁରୁତ୍ଵ ଦେଲେ, କବିତା ଓ କାବ୍ୟଭାଷା ବଦଳିଗଲା । କିନ୍ତୁ ଗୋଟେ ସଂକଟ ରହିଲା । ସେ ସଂକଟ ଏଇ ଯେ ଏସିଆ ତଥା ଭାରତର ଅଂସଖ୍ୟ ଖଟିଖିଆ, କୁଲିମଜୁରିଆ, କୃଷକ ଓ ଦୀନଜନ ଋଷୀୟ କ୍ରାନ୍ତି ଭଳି କ୍ରାନ୍ତିଟିଏ ରଚି ପାରିଲେ ଗଣଶାସନ ସମ୍ଭବ ହେବ, ଗଣଶାସନରୁ ଆସିବ ସାମ୍ୟ, କିନ୍ତୁ ଭାରତରେ ବା ଏସିଆର ଉପନିବେଶଗୁଡ଼ିକର ପ୍ରଥମେ ଲୋଡ଼ା ସ୍ଵାଧୀନତା । ଆଡ଼ିଓଲୋଜି ନୁହେଁ, ସର୍ବହରାର ଥିଓରି ନୁହେଁ, ଦରକାର ସ୍ୱାଧୀନତା । ସ୍ଵାଧୀନତା ନ ଥିଲେ ସର୍ବହରାର ଚିନ୍ତା କଲେ ହେବ କ’ଣ ? ଇଂଗିତଟି ଏହି ଯେ ଏ କାଳସନ୍ଧିରେ ବିପ୍ଳବ ପୂରାଯାଇ ନାହିଁ, ସ୍ଵାଧୀନତା ପୂରା ଆସି ନାହିଁ । ତେଣୁ କାବ୍ୟଭାଷାରେ କିଛି ବିପ୍ଳବ, କିଛି ମୁକ୍ତିର ସ୍ଵପ୍ନ । ଅନ୍ୟ ଭାବରେ କହିଲେ ଏ କାଳ ଥିଲା ବାସ୍ତବତା ଓ ସ୍ଵପ୍ନପ୍ରବଣତାର ଏକ ମିଶ୍ରକାଳ-। ଭାରତ ସ୍ଵାଧୀନ ହେଲା ପରେ, ଗଣତନ୍ତ୍ର ସ୍ଥାପିତ ହେଲାପରେ, ସାମ୍ୟରେ ଆହ୍ଵାନ ଦଳୀୟ ରାଜନୀତିର ଏଜେଣ୍ଡାରେ ରହିଗଲା, ଭାରତୀୟ କବିତାର ମୁଖ୍ୟସ୍ରୋତରେ ସେ ରହିଲା ନାହିଁ ।

 

୧୯୧୩ ରବୀନ୍ଦ୍ରନାଥ ନୋବେଲ ପୁରସ୍କାର ପାଇଲା ପରେ ଭାରତୀୟ କବିତାରେ ଆତ୍ମସମୀକ୍ଷଣର କାଳ ଉପସ୍ଥିତ ହେଲା । ଏ ମଧ୍ୟ ଥିଲା ଏକ ସନ୍ଧିକାଳ । ଯେଉଁ ରହସ୍ୟଘନ ସ୍ଵଚ୍ଛନ୍ଦତା ଓ ଜୀବ-ପରମ ଦ୍ଵୈତର ମିଳନ ଭକ୍ତିକାଳର ମୂଳତତ୍ତ୍ୱ ଥିଲା ଓ ଯାହାକୁ ଶୃଙ୍ଗାରୀ ମଧ୍ୟଯୁଗ ସାମନ୍ତୀ ଅଭିଳାଷର ପ୍ଳାବନରେ ବୁଡ଼ାଇ ଦେଇଥିଲା, ତାର ନବୀନ ପୁନରାବିଷ୍କାର ଭାରତୀୟ କବିତାକୁ ଆପୁତ କରିଦେଲା । ଓଡ଼ିଆ ସାହିତ୍ୟର କ୍ଷୀଣକାୟ ସବୁଜଯୁଗ ସେହି ରାବୀନ୍ଦ୍ରିକ ଗାନର ପ୍ରତିଧ୍ଵନି ମାତ୍ର, ଓଡ଼ିଆ କବିତାର ମୌଳିକ ସ୍ଵର ନୁହେଁ । ସେହିପରି ପ୍ରଗତିବାଦୀ କାବ୍ୟଧାରା ମଧ୍ୟ ମୌଳିକ ଓଡ଼ିଆ ପରମ୍ପରାର ପ୍ରବାହ ନୁହେଁ । ଓଡ଼ିଆ କବିତାରେ ସୀମାନ୍ତରିତ ଓ ଦରିଦ୍ରଙ୍କ ସ୍ଵର ନଥିଲା, ଏପରିକି ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ ଭଳି ଗୋଟିଏ ଦଳିତ ପକ୍ଷଧର ରଚନାରେ ନାରୀ ଓ ଦଳିତଙ୍କ ପ୍ରତିବାଦର ଭାଷା ନ ଥିଲା । ଶ୍ରୀୟା ଚଣ୍ଡାଳୁଣୀର ଶୁଚିତା ଓ ନିଷ୍ଠା ଓ ତା ସହିତ ଲକ୍ଷ୍ମୀଙ୍କ ଧନସୃଜି ପାରିବାର ଦୈବୀଶକ୍ତି, ପ୍ରତିବାଦର ସମ୍ଭାବ୍ୟ ପାଠକୁ କର୍ମକାଣ୍ଡ ବନାଇ ଦେଲା । ଭୀମଭୋଇଙ୍କ ପ୍ରତିବାଦରେ ରହିଲା ବ୍ରାହ୍ମଣ୍ୟ ଶାସ୍ତ୍ରାଧିପତ୍ୟ ବିରୋଧରେ ଖୋଲା ଲଢ଼େଇ । ମୋଟ ଉପରେ ‘ଥିଲାବାଲା’ଙ୍କ ବିପକ୍ଷରେ ‘ନଥିଲାବାଲା’ଙ୍କ ଏକଜୁଟ ହେବାର ସୂତ୍ର ହିଁ ନ ଥିଲା । କୁହାଯାଇପାରେ ଯେ, ବିଶ୍ଵ ସାହିତ୍ୟ ଭିତରକୁ ଏ ଭାଷା ଆସିଲା କମ୍ୟୁନିଷ୍ଟ ତତ୍ତ୍ୱବିଧାନରୁ, ଋଷୀୟ କ୍ରାନ୍ତି ପରେ ପରେ । ଓଡ଼ିଆ କବିତାର ପ୍ରଗତିବାଦୀ ଧାରା ସେହି ପ୍ରକ୍ରିୟାରେ ଆସିଲା, କିନ୍ତୁ ଓଡ଼ିଆ ପ୍ରଗତିବାଦୀଙ୍କ ପାଇଁ ସେ ହେଲା ସନ୍ଧିକାଳର ସମସ୍ୟା । ପୂରା ପ୍ରଗତିବାଦୀ ହେବାର ଭୂମି ନିର୍ମିତ ହୋଇ ନଥିଲା, ସାମ୍ୟବାଦର ଆଡ଼ିଓଲୋଜି ସ୍ଥାପିତ ହୋଇ ନଥିଲା, ସାମନ୍ତ ଜମିଦାର ଓ ପ୍ରଜା ଗୋଟିଏ ସ୍ଥିତିସ୍ଥାପକ ଅବସ୍ଥାରେ ଥିଲେ, ପ୍ରଜାମଣ୍ଡଳ ଆନ୍ଦୋଳନ ସଫଳ ହୋଇନଥିଲା ଓ ଏହିଭଳି ସମୟରେ ଋଷୀୟ କ୍ରାନ୍ତିର ହାୱ୍ୟା ଆସି ପହଞ୍ଚଥିଲା । ଓଡ଼ିଆ କାବ୍ୟଶିଳ୍ପରୁ କଳ୍ପନାବିଳାସ ବାହାର କରି ନୂଆ କରି ଗଢ଼ିବାର ପ୍ରଶ୍ନ ନ ଥିଲା-। ତେଣୁ ପ୍ରଗତିବାଦୀ କବିମାନେ ବିପ୍ଳବର ଗୋଟିଏ ରୋମାଣ୍ଟିକ କଳ୍ପନାକୁ ନେଇ ଉତ୍ତେଜିତ ହେବାଛଡ଼ା ଆଉ କିଛି ସମ୍ଭବ ନଥିଲା । ତେଣୁ ବିପ୍ଳବର ପ୍ରଗତିବାଦୀ କାବ୍ୟ ଭାଷାରେ ଚାଷୀମୁଲିଆ ପ୍ରତୀକ ଦା’ ଓ ଧାନ କେଣ୍ଡା ଖୁବ୍‌ ଶୀଘ୍ର ଜାତୀୟ ସଂଗ୍ରାମ ଓ ବ୍ୟକ୍ତିସ୍ଵାତନ୍ତ୍ରର ଭାଷା ଅକ୍ତିଆର କରିନେଲା ।

 

ଏ ସନ୍ଧିକାଳର ଦୁଇଟି ଇଙ୍ଗିତ ଭିତରେ ଗୁମ୍ଫିତ ହୋଇ ରହିଚନ୍ତି ସେତେବେଳର କାବ୍ୟବୋଧ ପାଇଁ ଅନେକ ଉପାଦାନ । ସେ ଉପାଦାନଗୁଡ଼ିକୁ ଏହିପରି ଚିହ୍ନା ଯାଇପାରେ :

 

-

ଜାତୀୟତାବୋଧର ସ୍ଵରାଜ ଚିନ୍ତା

-

ରହସ୍ୟବାଦର ସନ୍ଦିଗ୍ଧତା

-

ରୋମାଣ୍ଟିସିଜ୍‌ମ୍‌ (ସ୍ଵଚ୍ଛନ୍ଦତାବୋଧ ?)ର କଳ୍ପନାଶୀଳତା

-

ସାମ୍ୟବାଦର ଶ୍ରେଣୀ ସଂଘର୍ଷ

-

ଗାନ୍ଧିବାଦର ଗ୍ରାମ୍ୟ କଥା ଓ ଅହିଂସା

-

ବୋହେମିଆନିଜ୍‌ମ୍‌ର ବେପରଓ୍ୟାପଣ

-

ବାସ୍ତବବାଦର ପ୍ରାମାଣିକତା

 

ଏସବୁ ଏକାଠି ହୋଇ ଅନନ୍ତ ପଟ୍ଟନାୟକଙ୍କ କବିତାକୁ ଆସିଲେ ଗୋଟିଏ ଶକ୍ତିଶାଳୀ ନୂଆ ଶୈଳୀ ଭାବରେ । ଅନନ୍ତ ପଟ୍ଟନାୟକଙ୍କର ଶୈଳୀର ଏହି ମିଶ୍ରରାଗ ହିଁ ତାଙ୍କର କାବ୍ୟବସ୍ତୁ । ୟାକୁ ସ୍ପଷ୍ଟ କରିବା ପାଇଁ କାବ୍ୟ ଜୀବନର ନିର୍ଣ୍ଣିତ ମଧ୍ୟକାଳରୁ ‘କିଂଚିତ’ର ଗୋଟିଏ କ୍ଷୁଦ୍ର କବିତା ଶୁଣାଏଁ :

 

ପ୍ରୀତିର ଫାଙ୍କା ଆବାଜ୍‌ ଭିତରେ

ମୃତ୍ୟୁର ସ୍ଵରାଜ ତମେ ଆସ ନା !

ଡାକୁର ହାତରେ ଚରଖା ଆଜି ଚାଲିଛି, ଚାଲୁ

ଆଜି ମୁଁ ଚାହେଁ ପ୍ରାଣର ପୋଷରେ ମୋର

ରଙ୍ଗିନ ସୁରାର ସ୍ନେହ

ପାଂଶୁଳ ସ୍ମୃତିର ଫେନ ।

ବୁଦ୍ଧର ଦାଣ୍ଡରେ ତୁମର

ଗାନ୍ଧିର ଅଗଣାରେ ତୁମର

ପୁଅ ମୋର ଲୋଟୁଛି, ଲୋଟୁ ।

ଝିଅର କେଶରେ ରକ୍ତର ଛିଟା ।

ଅନାଅ ଆରେ ଅନାଅ !

ଭୋକର ନିବୁଜ ଆଖି ମୋର ଖୋଲା;

ଶରରେ ଶୁକ୍ଳିମାକୁ ଥରାଇ

ହଂସର ହସ ଏଇ ମୃତ୍ୟୁର ଦଶନରେ

ସୁନ୍ଦର ! ଆହା, ସୁନ୍ଦର !

ଆସ ନା, ତୁମେ ଆସ ନା

ବେଶ୍‌ ଅଛି ସ୍ଵସ୍ତିରେ ।

ହାଣ୍ଡିଆର ହାଇରେ

ଡାଲ୍‌ଖାଇର ଡୋଲିରେ ।

ବେଶ୍‌ ଅଛି ଶାନ୍ତିରେ ।

ଆସ ନା, ତୁମେ ଆସ ନା !

(ଆସନା/ଅନନ୍ତ ପଟ୍ଟନାୟକ)

 

‘ପ୍ରୀତିର ଫାଙ୍କା ଆବାଜ୍‌’, ‘ମୃତ୍ୟୁର ସ୍ଵରାଜ’, ‘ଡାକୁର ହାତରେ ଚରଖା’, ‘ବୁଦ୍ଧର ଦାଣ୍ଡ, ଗାନ୍ଧିର ଅଗଣା’, ‘ଭୋକର ନିବୁଜ ଆଖି’, ‘ହଂସର ହସ’, ‘ହାଣ୍ଡିଆର ହାଇ’, ‘ଡାଲଖାଇର ଡୋଲି’- ଏସବୁରେ ଯେଉଁ ଅଭିବ୍ୟକ୍ତି, ତାହା ସ୍ଵାଧୀନତାପରର ଆଧୁନିକ କାବ୍ୟବୋଧର ସମାହିତ ରୂପ । ଅନନ୍ତ ପଟ୍ଟନାୟକଙ୍କ ଛଡ଼ା ଆଉ କେହି କବି ଏ ପ୍ରକାରର ସମାଧାନରେ ପହଞ୍ଚି ନ ଥିଲେ । ସଚ୍ଚି ରାଉତରାୟଙ୍କ କବିତାରେ କାଳଖଣ୍ଡ ଅଛନ୍ତି । ସେହି କବି ଯିଏ ‘ବାଜିରାଉତ’ ବା ‘ପାଣ୍ଡୁଲିପି’ ଲେଖିଥିଲା ସିଏ ତ ‘ସ୍ଵଗତ’ ବି ଲେଖିଲା । ଯିଏ ‘ଛୋଟ ମୋର ଗାଁଟି’ ଲେଖିଥିଲା, ସିଏ ‘ଭାନୁମତୀର ଦେଶ’ ସଂପୂର୍ଣ୍ଣ ଅଲଗା ସ୍ଵରରେ ଲେଖିଲା । ଦେଶ, ଜାତି, ମାନବିକତା, ସମାଜ ଏସବୁ ସଚ୍ଚି ରାଉତରାୟଙ୍କ କବିତାରୁ ‘ପାଣ୍ଠୁଲିପି’ ପରେ ବାହାରି ଯାଇଥିଲେ, କିନ୍ତୁ ଅନନ୍ତ ପଟ୍ଟନାୟକ ଏସବୁକୁ କେବେହେଲେ ଛାଡ଼ିଲେ ନାହିଁ । ଅନନ୍ତ ପଟ୍ଟନାୟକ ଆମର ବହୁମୁଖୀ ଜାତୀୟ ଅସ୍ତିତ୍ୱର ଜଣେ ବ୍ୟଥାତୁର ରୂପକାର । ତାଙ୍କର/ଉଲ୍ଲାସ, ଉତ୍ତେଜନା, ବିଦ୍ରୂପ ଓ ଆତ୍ମପୀଡ଼ା ଓ ମୋହଭଙ୍ଗର ଭାଷା, ସେ ପୁଣି ଆବାହନଧର୍ମୀ ମୁକ୍ତ ଛନ୍ଦରେ, ଓଡ଼ିଆ ଆଧୁନିକ କାବ୍ୟ ପରମ୍ପରାରେ ଅନନ୍ୟ । କବି ଭାବରେ ସେ ତାଙ୍କର ଶ୍ରେୟ ଏଯାଏଁ ପାଇନାହାନ୍ତି ।

 

ଗଳ୍ପରେ ମଧ୍ୟ ସେ ତାଙ୍କର ଶ୍ରେୟ ପାଇନାହାନ୍ତି । ମୁଁ ଭାବେ ଯେ ତାଙ୍କର ‘ଚଢ଼ାଉତ୍ତରା’ ଗଳ୍ପ ଆଧୁନିକ ଓଡ଼ିଆ କଥାସାହିତ୍ୟର ଏକ ପଟ୍ଟ ପରିବର୍ତ୍ତନକାରୀ ଗଳ୍ପ । ହାବିଲଦାର ନୟନ ଓ ହାବିଲଦାର ମଦନଙ୍କୁ ନେଇ ଇଂରେଜ ରାଜତ୍ୱ ବେଳର ପୁଲିସ ଅତ୍ୟାଚାର ପୃଷ୍ଠଭୂମିରେ ରଚିତ ଏ ଗଳ୍ପର ଶେଷ ଭାଗରେ ଗଳ୍ପକଳାର ଏଭଳି କିଛି ସୂଚନା ଅଛି ଯାହା ଭବିଷ୍ୟତର ଗଳ୍ପକଳା ପାଇଁ ପଥ ପ୍ରସ୍ତୁତ କରିଥାନ୍ତା, କିନ୍ତୁ କ୍ଷୋଭର ବିଷୟ ଯେ ବାବସ୍ତବାଦର ତୀବ୍ରତମ ଆବେଦନ ଭିତରୁ ସମ୍ବେଦନା ସୃଷ୍ଟି କରିବାର ଏ ଉଦାହରଣକୁ ଯଥେଷ୍ଟ ପାଠକୀୟ ବା ସମାଲୋଚକୀୟ ସ୍ୱୀକୃତି ମିଳିଲା ନାହିଁ । ଅନନ୍ତ ପଟ୍ଟନାୟକଙ୍କ ଗଳ୍ପଗୁଡ଼ିକର ସାମୂହିକ ମୂଲ୍ୟାୟନ ସମ୍ଭବ ନୁହେଁ ବୋଲି ତାଙ୍କୁ ଓଡ଼ିଆ ଆଧୁନିକ ଗଳ୍ପ ପରମ୍ପରାରେ ରଖାଗଲା ନାହିଁ । ଅନନ୍ତ ପଟ୍ଟନାୟକ ତା ପ୍ରତି ଉଦାସୀନ ଥିଲେ-। ଏବେ କିନ୍ତୁ କହିବାକୁ ହେବ ଯେ ଅନନ୍ତ ପଟ୍ଟନାୟକ ଭଗବତୀ ପାଣିଗ୍ରାହୀଙ୍କଠାରୁ ଅଧିକ ଗୁରୁତ୍ଵପୂର୍ଣ୍ଣ କଥାକାର । ସଚ୍ଚି ରାଉତରାୟ, ଅନନ୍ତ ପଟ୍ଟନାୟକ ଓ ଭଗବତୀ, ଏ ତିନିଜଣ ଅଳ୍ପ କିଛି ଗଳ୍ପ ଲେଖୁଥିଲେ ଓ ୟାଙ୍କ ଭିତରୁ ସଚ୍ଚି ରାଉତରାୟ ତାଙ୍କର ‘ମଶାଣିର ଫୁଲ’ ଓ ଭଗବତୀ ତାଙ୍କର ‘ଶୀକାର’ ଗଳ୍ପପାଇଁ ଓଡ଼ିଆ ସାହିତ୍ୟରେ, ଚର୍ଚ୍ଚିତ ଗାଳ୍ପିକ ହୋଇଗଲେ । କିନ୍ତୁ, ଅନନ୍ତ ପଟ୍ଟନାୟକ ‘ଚଢ଼ାଉତ୍ତରା’ ଭଳି ଗଳ୍ପକୁ ଓଡ଼ିଆ ଚିତ୍ତାକାଶରେ ସ୍ଥାନ ମିଳିଲା ନାହିଁ । ତାର କେତେଗୁଡ଼ିଏ କାରଣ ଏବେ ଅନୁମାନ କରିହେଉଚି । ଗୋଟିଏ କାରଣ ଅନନ୍ତଙ୍କ ପ୍ରତିଭାକୁ ତାଙ୍କ ବନ୍ଧୁମାନେ ଚିହ୍ନିଲେ ନାହିଁ ବା ଜାଣିଶୁଣି ତାଙ୍କୁ ଏଡ଼ାଇଗଲେ ନିଜ ନିଜର ଯଶ ଖୋଜିବା ବାଟରେ । ଅନନ୍ତ ଭଗବତୀଙ୍କ ଉପରେ ଗୋଟିଏ ମାର୍ମିକ ଆଲେଖ୍ୟ ଛାଡ଼ି ଯାଇଛନ୍ତି, ସଚ୍ଚି ରାଉତରାୟଙ୍କ ସହିତ ମିଶି କବିତା ଲେଖିଛନ୍ତି ଓ ରାଉତରାୟଙ୍କୁ ଅଗ୍ରାଧିକାର ଦେଇଛନ୍ତି । ପ୍ରଜାମଣ୍ଡଳ କର୍ମୀଙ୍କ ମୃତଦେହକୁ ଶଗଡ଼ରେ କଟକ ରାସ୍ତାରେ ଆଣିଲାବେଳେ ଅନନ୍ତ ବି ଥିଲେ ଜଣେ ଶଗଡ଼ିଆ କିନ୍ତୁ ଭଗବତୀ ବା ସଚ୍ଚି ରାଉତରା ଅନନ୍ତଙ୍କ ସହିତ ତାଙ୍କର ସାହଚର୍ଯ୍ୟ ଓ ସୌହାର୍ଦ୍ଦ୍ୟର ସମ୍ପର୍କ ବିଷୟରେ କିଛି ବି ଲେଖି ଛାଡ଼ିଯାଇ ନାହାନ୍ତି । ଇଏ ଏକ ବିଡ଼ମ୍ବନା । ଦ୍ୱିତୀୟ କାରଣ ଅନନ୍ତଙ୍କ ନିଜ ସ୍ଵଭାବ । ନିଜ ସ୍ୱାଭିମାନକୁ ପ୍ରତିଷ୍ଠା ଦେବାର କୌଣସି କୌଶଳ ସେ କରି ନଥିଲେ ବା ଚାହିଁ ନଥିଲେ କାହାର ପ୍ରତିଦ୍ୱନ୍ଦ୍ୱୀ ହେବାକୁ । ନିଜକୁ ସୀମାନ୍ତରିତ କରିନେଇ ସେ ଏମିତି ଏକ ଜାଗାରେ ଯାଇ ବସିଥିଲେ ଯେଉଁଠିକି ସ୍ପର୍ଦ୍ଧାର ଆଲୋକ ପହିଁଚୁନଥିଲା । ସେଇ ସ୍ପଦ୍ଧା-ବର୍ଜିତ ସାୟାନ୍ଧକାର ଭିତରେ ସେ ଛାଡ଼ିଗଲେ ରାଶି ରାଶି କବିତା, ଗଳ୍ପ, ନାଟକ, ଅନୁବାଦ ଓ ଶିଶୁଲେଖା । ଗାଳ୍ପିକ ଭାବରେ ତାଙ୍କର ପରିଚୟ ପ୍ରତିଷ୍ଠା କରିବା ପାଇଁ ଏବେ ମଧ୍ୟ ବିଲମ୍ବ ହୋଇନାହିଁ ।

 

ତାଙ୍କର ଗୋଟିଏ ନାଟକ ‘ରାବଣ’ । ଏ ନାଟକ ବିଷୟରେ କେବେ କିଛି ପଢ଼ିଥିବାର ମନେ ପଡ଼ୁନାହିଁ । ଏ ନାଟକ ପଢ଼ି ମୁଁ ଚମତ୍‌କୃତ ହୋଇଗଲି । ଏଥିରୁ ତିନୋଟି ଚିତ୍ର ମାତ୍ର ଦିଏଁ । ପ୍ରଥମଚିତ୍ର ମହାଜ୍ଞାନୀ, ଧର୍ମପାଳକ, ରତ୍ତ୍ୱିକ୍‌ ରାବଣର । କଳ୍ପନା କରନ୍ତୁ ଖଣ୍ଡମଣ୍ଡଳରୁ ସମସ୍ତ ପୂଜକ ଅନ୍ତର୍ହିତ କରାଇଥିବା ରାବଣ, ଶ୍ରୀରାମଙ୍କ ଅନୁରୋଧରେ ରାମେଶ୍ୱର ଲିଙ୍ଗ ପ୍ରତିଷ୍ଠା ପାଇଁ ପୂଜକ ହୋଇ ଆସିବା ଓ କହିବା ‘ଶତ୍ରୁର ମଙ୍ଗଳ ପାଇଁ ଅନାର୍ଘ ନିଜର ଧ୍ଵଂସ ବି ଆହ୍ୱାନ କରିପାରେ’ ଦ୍ୱିତୀୟ ଚିତ୍ର ରାମ-ରାବଣ ଯୁଦ୍ଧରେ ମର୍ଯ୍ୟାଦାର ପ୍ରତୀକ ଭାବରେ ରାବଣର ବ୍ୟକ୍ତିତ୍ଵ । ତୃତୀୟ ଚିତ୍ର ରାମଙ୍କୁ ମନ୍ଦୋଦରୀଙ୍କ ଅଭିଶାପ । ଏ ନାଟକଟିରେ ପୌରାଣିକ ମେଟାଫର ମାଧ୍ୟମରେ ଶ୍ରେଣୀ ସଂଘର୍ଷର ମୂଳକଥା: କହି ପାରିବାର ଦକ୍ଷତା । ପୌରାଣିକ ପ୍ରତିମା ଓ ଧର୍ମୀୟ ଅଚଳାୟତନକୁ ଚହଳାଇ ଦେବାର ଏ ଅବସ୍ଥା ।

 

ଅନନ୍ତ ପଟ୍ଟନାୟକଙ୍କ ଶିଶୁ କବିତା ବହୁଦିଗରୁ ଦେଖିଲେ, ଅନନ୍ତ ପଟ୍ଟନାୟକଙ୍କ ଶ୍ରେଷ୍ଠକୃତିମାନଙ୍କ ଭିତରେ ସ୍ଥାନ ପାଇବ । ବୋଧହୁଏ ଏ ସ୍ତରର ଶିଶୁ କବିତା ଆଉ କେହି ଲେଖିନାହାନ୍ତି । ଗୋଟିଏ ଛୋଟ ଉଦାହରଣ ଦେବି ।

 

ଅସିଆ କାଳର ମସିଆ ବୁଢ଼ା

ବାଡ଼ି ଠୁକ୍‌ ଠୁକ୍‌

କାଖରେ ଜାକି କାହାଣୀ ପୁଡ଼ା

ଆଖି ଜୁକ୍‌ ଜୁକ୍‌

କାହୁଁ ଅଇଲା ?

ବସିପଡ଼ିବାରୁ ଗଛ ନଇଁଲା

ନକହି ନକହି କିସ କହିଲା

ସୁନା କାହାଣୀ କି ରୂପା କାହାଣୀ ?

ଆମ ଭାରତର

ବୀର କାହାଣୀ କି କୀରତି-ବାଣୀ ?

ଏ ! ଚାହୁଁ ଚାହୁଁ ଏ ଯେ ଫୁର୍‌ର୍‌

ହସି ଦେଇ ଟିକେ କୁର୍‌ର୍‌ ।

ବୁଢ଼ା ନୁହେଁ ଏତ ଟିକି ଚଢ଼େଇ !

ଡେଣା ଦୁଇଟିକୁ ଦେଲା ଝଡ଼େଇ

ଟୁପୁରୁ ଟୁପୁ

ଝୁପୁରୁ ଝୁପୁ

ପର ଗୋଟିକରେ

ଗୋଟିଏ ଛବିରେ କୋଟିଏ କଥା

ପଡ଼ୁଚି ଝଡ଼ି ଚାଲିଛି ଉଡ଼ି

ଫୁଲ ଫୁଟିଯାଉ କନକକଢ଼ି

(ଆମ ଭାରତର ସୁନାକାହାଣୀ)

 

ଏଭଳି ଶିଶୁ କବିତା ମୁଁ ପଢ଼ି ନାହଁ । ଅନନ୍ତ ପଟ୍ଟନାୟକଙ୍କର ଅସଂଖ୍ୟ ଶିଶୁ-କବିତା, ଉଦାହରଣ ହୋଇ ରହିଚନ୍ତି । ଏ କ୍ଷେତ୍ରରେ ବି ସେ ଆଧୁନିକ ଶିଶୁକବିତାରେ ଶ୍ରେଷ୍ଠ ସ୍ରଷ୍ଟା (ଅନ୍ୟତମ ନୁହଁନ୍ତି ଅନନ୍ୟ)ର ଅପରିପକ୍ୱ ହାତର ଶିଉଳି ମାଡ଼ିଗଲା । ଏଇ ଶିଶୁ କବିତାଗୁଡ଼ିକ ଅନନ୍ତଙ୍କୁ କାହଁକି ଏକ ବିଶେଷ ପରିଚିତି ଦେବେ, ତାର ଏକମାତ୍ର କାରଣ ତାଙ୍କର ବାକ୍‌ଛନ୍ଦ । ବାକ୍‌ଛନ୍ଦ ଉପରେ ଏ ଦଖଲ, କେବଳ ଜଣେ ପରିପକ୍ୱ ସମ୍ମାନ ପାଇଲେ ନାହିଁ, ତାଙ୍କ ପରେ ଓଡ଼ିଆ ଶିଶୁ କବିତାରେ ହିଁ କରିପାରିବ । ଯିଏ ଭାଷା ବ୍ୟବହାର କରିବାରେ ଅତି ସତର୍କ, ଯିଏ ଜଗି ଜଗି ବାଟ ଚାଲେ, ସିଏ ଯତି-ଶୁଦ୍ଧ ଛନ୍ଦ ତିଆରି କରିପାରେ, କିନ୍ତୁ ସେଥିରେ ପ୍ରାଣ ଆରୋପ କରିପାରେ ନାହିଁ ।

 

ଘୁମ୍‌ ଘୁମାଘୁମ୍‌      ଘୁମୁରା ବାଜେ

ଝାଂଜ ଡାକେ ଝାଁ

ନାଇଁରେ ନାଇଁ      ଜହ୍ନ ନାଇଁ

ଚମକେ ଛାତି      ଚାଇଁ ଚାଇଁ !

ସଂଜତାରା      ସଳିତା ଚାହିଁ

ବାଦଲ କଲା ଫୁଃସ

ଚକ୍‌ ଚକାଚକ୍‌      ରାସ୍ତାପାଣି

ଶଙ୍ଖବାଜେ ଭୁଁ !

 

ଶିଶୁ ମନରେ ବାକ୍ୟର ଛନ୍ଦ ଓ କନଳ୍ପନାବିଳାସ ଭରିଦେବାର ଏ କଳା ଅପୂର୍ବ । ସଂଜତାରା ଚାହିଁଥିଲାବେଳେ ବାଦଲର ଫୁତ୍‌କାରରେ ସଳିତା ଲିଭିଯିବାର ଦୃଶ୍ୟ କାହାକୁ ପ୍ରଭାବିତ ନ କରିବ ?

 

ଅନନ୍ତ ପଟ୍ଟନାୟକ ଓଡ଼ିଆ କାବ୍ୟଭାଷାର ଜଣେ ନିର୍ମାତା, କିନ୍ତୁ ତାଙ୍କର କଳା ଏଭଳି ମୌଳିକ ଯେ ଓଡ଼ିଆଭାଷାର କାବ୍ୟ ପରମ୍ପରାରେ ସେ ଭାଷାକୁ ଗୋଟିଏ ଜଳଛାୟା (ଓ୍ୟାଟରଶେଡ଼୍‌) କୁହାଯାଇପାରିବ । ଏଇଠୁ ବହୁ କାବ୍ୟଭାଷା ଓ କାବ୍ୟସ୍ଵରର ଧାର ବହିଯିବା କଥା, ତାହା ହୋଇନାହିଁ । କବିତାରେ ଅନନ୍ତ ପଟ୍ଟନାୟକଙ୍କ ଭାଷା ବୈଚିତ୍ର୍ୟ ଓ ଛନ୍ଦବୈଚିତ୍ର୍ୟ ଆଉ କେହି ପାଇପାରିଲେ ନାହିଁ । ବେଳେବେଳେ ମନେହୁଏ ତାଙ୍କରି ନିଜ କାଳର ଚକ୍ରାନ୍ତ ତାଙ୍କୁ ମୁଖ୍ୟସ୍ରୋତର ବାହାରେ ଠିଆ କରିଦେଲା । ସଚ୍ଚି ରାଉତରାୟଙ୍କ କାବ୍ୟଭାଷା ଓ କାବ୍ୟରୀତିରେ ବଙ୍ଗଳାର ପ୍ରଭାବ ଅନସ୍ଵୀକାର୍ଯ୍ୟ, ସେ ମୂଳ ବଙ୍ଗଳାରେ ବି କବିତା ଲେଖିଥିଲେ । ତାଙ୍କର କବିତାର ବାକ୍‌ଛନ୍ଦରେ ତତ୍କାଳୀନ ବଙ୍ଗଳା କବିତାର ଛାପ ବି ଥିଲା । ସେ ଏସବୁ ପ୍ରଭାବକୁ ଏଡ଼ାଇଗଲେ ତାଙ୍କର ପ୍ରତିଭାର ବଳରେ ଓ ଓଡ଼ିଆ ଆଧୁନିକ କବିତାର ଯୁଗାରମ୍ଭୀ କବି ହୋଇଗଲେ । କିନ୍ତୁ ଅନନ୍ତଙ୍କ କବିତାରେ ମୁଁ ବଙ୍ଗଳା ପ୍ରଭାବ ଲକ୍ଷ୍ୟ କରିନାହିଁ, ବରଂ ଲକ୍ଷ୍ୟ କରିଚି କିପରି ଓଡ଼ିଆ ବାକ୍‌ଛନ୍ଦ ଓ ଭାଷାର ଅନୁରଣନକୁ ଧରିବା ପାଇଁ ସେ ବ୍ୟାକୁଳ ହୋଇଛନ୍ତି । ତାଙ୍କର ସବୁ କବିତାରେ ସେହି ବ୍ୟାକୁଳତା । ଯେମିତି ତୀବ୍ର ହୋଇ ଫୁଟିଚି :

 

ଆସିଚି ମୁଁ ଆସିଚି

ଦୁଃଖର ଦୁର୍ଭେଦ୍ୟ ପ୍ରାଚୀର ଭାଙ୍ଗି

ମୁଁ ଆସିଚି,

ରକ୍ତର ଦୁସ୍ତର ପାରାବାର ଲଂଘି

ମୁଁ ଆସିଚି,

କୃମିକୀଟର ଉଲ୍ଲଂଗ ଉଲ୍ଲାସ ଚିରି

ମୁଁ ଆସିଚି,

ଲଲାଟରେ ଭବିଷ୍ୟର ଉତ୍‌କୀର୍ଣ୍ଣ ଲିପିଘେନି

ସ୍ଫୁଲିଙ୍ଗର ଚଳୋର୍ମ୍ମି

ମୁଁ ଆସିଚି,

ପ୍ରାଣର ଅଧିପ ମୁଁ ସୂର୍ଯ୍ୟ

ସ୍ନେହର ପ୍ରତିଭୂ ମୁଁ ଚନ୍ଦ୍ର

ପର୍ବତର ସ୍ରୋତ ବିଭାଗ କରି ମୁଁ ଆସିଚି ।

(ଆସିଚି, ମୁଁ ଆସିଚି)

 

ଏ ଯେଉଁ ଛନ୍ଦ, ଏ ଯେଉଁ ଉତ୍ତାପ, ଏ ଯେଉଁ ବ୍ୟାକୁଳତା, ଓଡ଼ିଆ କବିତାରେ ଏକ ନୂଆ ସତ୍ତାର ଆତ୍ମପ୍ରକାଶର ଘୋଷଣା । ଇଏ ସାମ୍ୟବାଦୀ ବିପ୍ଲବର ଭାଷା ଯେତିକି ନୁହେଁ, ତାଠାରୁ ଅହକ ନବୀନର ଭାଷା । ଏଇ ନବୀନର ଭାଷା, ଚିରଯୌବନର ଭାଷା । ଅନନ୍ତ ପଟ୍ଟନାୟକ ସେହି ଚିର ଯୌବନର ଉଦ୍‌ଗାତା ଯୁବକବି । ଶହେବର୍ଷ ବୟସର ଏହି ଯୁବକବିଙ୍କୁ ଆଜି ଯୁବକବିଙ୍କ ସଲାମ୍‌ ହିଁ ହେବ ଶ୍ରଦ୍ଧାଞ୍ଜଳି ।

 

ଅନନ୍ତ ପଟ୍ଟନାୟକଙ୍କ ନିର୍ଭୁଲ୍‌ ଛନ୍ଦପ୍ରବଣତା ଓ ବାକ୍‌ଛନ୍ଦର ଋଜୁତା, ସେ ସାମ୍ୟବାଦୀ ସ୍ଲୋଗାନ୍‌ ଓ ଦାଣ୍ଡିଭାଷାରୁ ପାଇ ନଥିଲେ । ବୋଧହୁଏ ଅନନ୍ତ ପଟ୍ଟନାୟକଙ୍କ ରାଗ-ଆଧାରିତ କବିତା ଅନେକେ ମନେ ରଖିନାହାନ୍ତି ବା ପଢ଼ିନାହାନ୍ତି । ଅନନ୍ତ ପଟ୍ଟନାୟକ ପାରମ୍ପରିକ ଛନ୍ଦରେ ଦକ୍ଷତା ହାସଲ କରି ଆଧୁନିକ ବାକ୍‌ଛନ୍ଦକୁ ଓହ୍ଲାଇଥିଲେ । ମୋ ଜାଣିବାରେ ବାଣୀ ଓ ବୃତ୍ତରେ କବିତା ଅଭ୍ୟାସ କରି ହାତ ପକ୍କା କରିଥିବା ଆଧୁନିକ କାଳରେ ଆଉ କେହି ନାହାନ୍ତି । ସେ ଏ ଅଭ୍ୟାସ-ସିଦ୍ଧିର ନମୁନା ଛାଡ଼ି ଯାଇଚନ୍ତି ଅନୁବାଦରେ । ବେଦିଲ୍‌ ନାମକ ଜଣେ ପ୍ରସିଦ୍ଧ ଉର୍ଦ୍ଦୁ କବିଙ୍କ କାବ୍ୟକୁ ‘କୌମୁଦୀ ଓ ମଦନ’ ନାମରେ ଅନୁବାଦ କରି ସେ ତାଙ୍କ ଚମତ୍କାରୀ ପ୍ରତିଭାର ପରିଚୟ ଦେଇଚନ୍ତି ଓ ପରମ୍ପରାରୁ ଭାଷାର ଛନ୍ଦ ଆହରଣ କରିବାର କି କେବେ ସ୍ଥାପିତ କରିଚନ୍ତି ତାର ଗୋଟିଏ ମାତ୍ର ଉଦାହରଣ ଦେବି ।

 

ରାଗ ‘ଭୂପାଳ’ରେ

ନୂଆ କରି ପୁଣି            ଥରାଏ ଅଧର

ଗାଏ ସେ ଗୀତ କି ? କି ଗୀତ ଗାଏ ?

କି ଗୀତ ଗାଏରେ            ମରମୁଁ ମରମେ

ସ୍ଵପନ କି ସତେ କି ରୂପ ପାଏ ?

ଏ ମର ମରତେ            ତାହାରି ସରିକି

ବିରଚି ଗୀତ କେ ପାରିଚି ଗାଇ ?

ଗୋଟିଏ ସ୍ଵରରେ            କୋଟିଏ ସ୍ଵର ଯେ

କି ରସେ କୋରସ୍‌ ରୀତିରେ ଥାଇ ।

(କୌମୁଦୀ ଓ ମଦନ)

ରାଗ ‘କଳହଂସ କେଦାର’ରେ

ଲିହନ୍ତା ଯଦି ବିହି ମୋ ହାଲ ଦେଶେ

ଦିଅନ୍ତି ମୁରୁଛି ତ ଏ ପ୍ରାଣ ଶେଷେ ।

ଆଶଙ୍କା ଆସେ ମନେ ହେ ଚଳଭୂରୁ

ଏ ମହା ଗଉରବ ଏ କେତେ ଗରୁ ହେ !

(କୌମୁଦୀ ଓ ମଦନ)

 

ୟା ଛଡ଼ା ‘ରାମକେରି’ ଓ ’ବଙ୍ଗଳାଶ୍ରୀ’ ରାଗରେ ରାଧାନାଥ-ଗଙ୍ଗାଧର ପରମ୍ପରାର କବିତାକୁ ଅନନ୍ତ ପଟ୍ଟନାୟକ ଏଇ ଅନୁବାଦରେ ସାଧିଛନ୍ତି । ଯିଏ କାବ୍ୟଭାଷାର ଛନ୍ଦ ପରମ୍ପରାରୁ ପାଇ ନାହିଁ, ସିଏ ସେ ଭାଷାର ଆଧୁନିକ କବି କେବଳ ବୋଲ୍‌ଚାଲ୍‌ର ଭାଷା ବ୍ୟବହାର କରି ହୋଇପାରିବ ନାହିଁ, ତା’ର ବାକ୍‌ଛନ୍ଦରୁ ମୁର୍ଚ୍ଛନା ତୁଟିଯିବ । ଗତିରୁ ଲୟ ବାହାରିଯିବ । ଅନନ୍ତ ପଟ୍ଟନାୟକଙ୍କ ଭଳି ଆଉ ଜଣେ କବି ନାହିଁ, ଯିଏ ଓଡ଼ିଆ କାବ୍ୟଭାଷାର ତ୍ରିକାଳ ସ୍ପର୍ଶ କରିଥିଲା । ‘ଲୁହାର ଲୁହା ଓ କୋଇଲାର କୋଇଲା’ ହେବାରେ ଯେ କବିତ୍ୱର ପରାକାଷ୍ଠା ଥାଇପାରେ ଓ ଏଥିପାଇଁ ମଣିଷକୁ ମାଟିତଳେ ସଢ଼ି, ଜଳି, ରୂପାନ୍ତରିତ ହୋଇ ଲୁହା ହେବାକୁ ପଡ଼େ, କୋଇଲା ହେବାକୁ ପଡ଼େ, ଏ କଥା କିଏ କହିଥିଲା କି ଆଗରୁ ?

 

ଅନନ୍ତ ପଟ୍ଟନାୟକଙ୍କର ସମସ୍ତ ରଚନା ଏବେ ପୁନରାବିଷ୍କାରର ଅପେକ୍ଷାରେ । ମୋର ଏ କ୍ଷୁଦ୍ର ଆଲେଖ୍ୟ ଯଦି ସେ ଦିଗରେ ସହାୟକ ହୁଏ, ତେବେ ମୋର ଆକୁଳତା କୂଳ ପାଇବ ।

 

 

ବାଗର୍ଥ

ଏନ୍‌ ୨/୨୬, ଆଇ.ଆର୍‌.ସି. ଭିଲେଜ୍‌

ଭୁବନେଶ୍ୱର-୧୫

 

***

 

ଅନନ୍ତ ଜୀବନ

ବିଜୟାନନ୍ଦ ସିଂହ

 

ଆମ ସମାଜ, ମଣିଷମାନଙ୍କ ପାଇଁ ସମଗ୍ର ଜୀବନକୁ ନିବେଦିତ କରିଥିବା ସାର୍ଥକ ସଂଗ୍ରାମୀ ଅନନ୍ତ ପଟ୍ଟନାୟକ । ସମାଜ ସୁସ୍ଥ, ସୁନ୍ଦର ହେଉ, ମଣିଷ ଦୁଃଖରୁ ମୁକ୍ତିପାଉ-ସୁଖମୟ ସମାଜ ଗଠିତ ହେଉ-ମଣିଷ ସେଠି ହସୁ-ଏହି ପରି ଅନେକ ପ୍ରଗତିଶୀଳ ଚେତନା ଭିତରେ ଜୀବନ ବଂଚିଥିଲେ କବି ଅନନ୍ତ ପଟ୍ଟନାୟକ । ଜନ୍ମରୁ ହିଁ ସଂଘର୍ଷ-ସମଗ୍ର ଜୀବନ ସଂଘର୍ଷ-ସଂଘର୍ଷ ପୁଣି ତାଙ୍କୁ ସଫଳତାର ଜୟମାଲ୍ୟ ପିନ୍ଧାଇଛି । ସେଥିପାଇଁ ସେ ସ୍ମରଣୀୟ ଓଡ଼ିଆ ଜାତି ଇତିହାସରେ । ଅନନ୍ତ ପଟ୍ଟନାୟକ ଜୀବନ ସତେ ବଡ଼ ବିଚିତ୍ର । ସ୍ଵାଧୀନତା ସଂଗ୍ରାମରେ ସେ ଝାସ ଦେଇଛନ୍ତି-ସାହିତ୍ୟ ଲେଖିଛନ୍ତି-ଶୋଷଣମୁକ୍ତ ସମାଜ ପାଇଁ ଆନ୍ଦୋଳନର ନେତୃତ୍ୱ ନେଇଛନ୍ତି । ‘‘ଅନନ୍ତଙ୍କ ଜୀବନରେ ସାହିତ୍ୟ ଓ ରାଜନୀତି (ଦେଶର ସ୍ୱାଧୀନତା ସଂଗ୍ରାମୀ ଓ ଶୋଷଣମୁକ୍ତ ସମାଜ ଲାଗି ଆନ୍ଦୋଳନ) ଛନ୍ଦାଛନ୍ଦିର ସମାବେଶ । ପୁଣି ଦେଶ ଓ ସମାଜର ବିକାଶ ସହିତ ତାଳଦେଇ ଚାଲିଛି’’ (କିଞ୍ଚିତ-ଗୁରୁଚରଣ ପଟ୍ଟନାୟକ, ଆସିଛି ମୁଁ ଆସିଛି, କବି ଅନନ୍ତ ପଟ୍ଟନାୟକ)

 

ଅନନ୍ତ ପଟ୍ଟନାୟକଙ୍କ ସାଧନାମୟ ଦିଗକୁ ଜାଣିବାକୁ ତାଙ୍କ ଜୀବନୀକୁ ଅନୁଶୀଳନ କରିବା ଆବଶ୍ୟକ । ତାଙ୍କ ସମଗ୍ର ସଂଗ୍ରାମମୟ ଜୀବନ । ଅନନ୍ତଙ୍କ ଜୀବନ ହେଉଚି ଓଡ଼ିଆ ବିପ୍ଲବ ଇତିହାସର କେତେକ ଉଲ୍ଲେଖଯୋଗ୍ୟ ଘଟଣାକ୍ରମ । ‘‘ଅନନ୍ତଙ୍କର Vagrant, gypsy ଜୀବନ ବା ଭବଘୁରା ଜୀବନ ନ ଜାଣିଲେ, ଚଣାହଟ୍ଟା ଗାଁର ସାମନ୍ତ ପରିବାର ଛେଉଣ୍ଡ ପିଲାଟିର କିଭଳି ଓଡ଼ିଶାର ସାମ୍ୟବାଦୀ ଆନ୍ଦୋଳନରେ ପଥୀକୃତଙ୍କ ଭିତରୁ ଜଣେ ହୋଇ, ସାହିତ୍ୟ ଓ କବିତାକୁ, କଲମକୁ ତାଙ୍କର ସଂଗ୍ରାମର ହତିଆର କରିତୋଳିଛନ୍ତି, ତାହା ଜାଣି ହେବ ନାହିଁ । ‘‘ବାଜି, ରଘୁ, ଗୁରି, ହୃଷି, ନଟଙ୍କର ଶବ ବାହକ ହେବା, ଢେଙ୍କାନାଳ ରାଜା ବନ୍ଦୀଶାଳାରେ ନିର୍ଯ୍ୟାତିତ ହେବା ମଣିଷଟି ତାସ୍‌କେଣ୍ଟରେ ଆଫ୍ରୋ-ଏସୀୟ କବି ସମ୍ମିଳନୀରେ କବିତା ପଢ଼ିବା ପର୍ଯ୍ୟନ୍ତ ଜୀବନ ସହିତ ଏକାତ୍ମ ନ ହେଲେ ଭୁଲ୍‌ ବୁଝାମଣା ସ୍ଵାଭାବିକ ।’’ (ଆସିଚି ମୁଁ ଆସିଚି, କବି ଅନନ୍ତ ପଟ୍ଟନାୟକ- ଅବନୀ କୁମାର ବରାଳ)

 

୧୯୧୨ ଜୁନ୍‌ ୧୧ ତାରିଖ, ପହିଲି ରଜରେ ଜନ୍ମଗ୍ରହଣ କରନ୍ତି ଅନନ୍ତ ପଟ୍ଟନାୟକ ଅବିଭକ୍ତ ପୁରୀ ବର୍ତ୍ତମାନର ଖୋର୍ଦ୍ଧାଜିଲ୍ଲାର ଚଣାହଟ୍ଟା ଗ୍ରାମର । ବାଲ୍ୟକାଳରୁ ନାହିଁ ନଥିବା ସମସ୍ୟା- ‘‘ତାଙ୍କୁ ପ୍ରାୟ ସେତେବେଳକୁ ମାତ୍ର ୫ ବର୍ଷ- କନିଷ୍ଠ ଭ୍ରାତା ଗୁରୁଚରଣଙ୍କୁ ବର୍ଷେ ପୁରି ନ ଥାଏ-ପିତା-ଚଉଧୁରୀ ଜୟକୃଷ୍ଣ ପଟ୍ଟନାୟକ, ମାତା-ମହାଦେଈ ଦେବୀଙ୍କର ଏକାଦିନ ଏକା ସମୟ ଚୈତ୍ରକୃଷ୍ଣପକ୍ଷ ଦଶମୀ ୧୯୧୮ ରେ ପରଲୋକ ଘଟେ । ପିତାମହୀ ସୁଲୋଚନା ଦେଈ ଦୁଇ ଶିଶୁ ଅନନ୍ତ ଓ ଗୁରୁଚରଣଙ୍କ ଲାଳନ, ପାଳନ ଦାୟିତ୍ୱ ଗ୍ରହଣ କଲେ । କିଛିଦିନ ମାମୁଘର କୋଣାର୍କ ସନ୍ନିକଟ ଶିରିପୁରରେ ଅଳ୍ପ କିଛିଦିନ ରହିଲା ପରେ ସେମାନେ ଫେରି ଆସିଲେ ଚଣାହଟ୍ଟାସ୍ଥ ନିଜ ବାସଗୃହକୁ । ପିଉସୀ ବସନ୍ତ କୁମାରୀ ଦେବୀ ଓ ପିଇସା ସତ୍ୟବାଦୀ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ହଁ ସେମାନଙ୍କୁ ବିକଶିତ କରାଇବାରେ ସହାୟକ ହେଲା ।

 

ଅନନ୍ତ ପୁରୀରେ ଶିକ୍ଷାଲାଭ କରିବାର ସୁଯୋଗ ପାଇଲେ । ପୁରୀ ଗୁରୁଟ୍ରେନିଙ୍ଗ୍‌ ସ୍କୁଲ ଓ ପୁରୀ ଜିଲ୍ଲା ସ୍କୁଲ ତାଙ୍କର ଶିକ୍ଷା ଗ୍ରହଣର କ୍ଷେତ୍ର । ସେ ମଧ୍ୟଏଠାରେ ସୁଯୋଗ ପାଇଥିଲେ ୧୯୧୯ରେ ଅନୁଷ୍ଠିତ ହେଉଥିବା ଉତ୍କଳ ସମ୍ମିଳନୀକୁ ଦେଖିବା ପାଇଁ । ମହତ୍‌ ମଣିଷମାନଙ୍କ ପାଇଁ ବିପଦ ଆସେ, ସମସ୍ୟା ଆସେ- ତାହା କେତେବେଳେ ତାଙ୍କ ଅଗୋଚରରେ ଭବିଷ୍ୟତ ପ୍ରସ୍ତୁତିର ଭିତ୍ତି ଭୂମି ହୋଇଯାଏ । ଏହି ସମୟରେ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ନେତୃତ୍ଵରେ ଜାତୀୟ ମୁକ୍ତି ସଂଗ୍ରାମର ଅଗ୍ରଗତି ଭାରତବାସୀଙ୍କୁ ଆଶାନ୍ୱିତ କରିଥାଏ । ଏଥିରୁ ବା ଅନନ୍ତ କେମିତି ବାଦ ଯାଆନ୍ତେ ! ୧୯୨୧-ଅସହଯୋଗ ଆନ୍ଦୋଳନରେ ସେ ଅନୁପ୍ରାଣିତ ହୋଇ ଜୀବନସାରା ଖଦଡ଼ ପିନ୍ଧିବାର ବ୍ରତ ଗ୍ରହଣ କରିଥିଲେ ।

 

୧୯୨୧-୧୯୨୨ ଥିଲା ତାଙ୍କ ଆଦ୍ୟ ପ୍ରତିଭାର ପ୍ରସ୍ତୁତି ପର୍ବ ଦିବ୍ୟସିଂହ ପାଣିଗ୍ରାହୀ, ଜଗବନ୍ଧୁ ସିଂହ, ଉତ୍କଳ ଗୌରବ ମଧୁସୂଦନ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ଗୋଦାବରୀଶ ମିଶ୍ର, ଆଚାର୍ଯ୍ୟ ହରିହର ମିଶ୍ରଙ୍କ ବ୍ୟକ୍ତିତ୍ୱ ଓ ଆଦର୍ଶରେ ପ୍ରଭାବିତ ହୋଇ ଅନନ୍ତ ଜୀବନକୁ ନୂଆ ଭାବରେ ଗଢ଼ିବାର ସ୍ଵପ୍ନ ଦେଖନ୍ତି । ସମୟ ହିଁ ସୁଯୋଗକୁ ଅପେକ୍ଷା କରିଥାଏ- ବିପ୍ଲବୀ ଭଗବତୀ ଚରଣ ପାଣିଗ୍ରାହୀଙ୍କ ଘନିଷ୍ଠ ସମ୍ପର୍କ ତାଙ୍କ ମନୋଭାବକୁ ବଢ଼ାଇ ଦେଲା । ପୁରୀ ସେବା ସମିତି, ସ୍ଵାମୀ ପ୍ରଣବାନନ୍ଦଙ୍କ ଆଶ୍ରମରେ ସେ ସଂପୃକ୍ତ ହେଲାପରେ ସେ ଯୋଗ ଦିଅନ୍ତି ପୁରୀଠାରେ ଆୟୋଜିତ କଂଗ୍ରେସ କାର୍ଯ୍ୟକ୍ରମରେ ।

 

୧୯୨୮-୨୯ ଅନନ୍ତଙ୍କ ପ୍ରତିଭା ଦୃଷ୍ଟି ଆକର୍ଷଣ କରେ - ରେଭେନ୍‌ସା କଲିଜିଏଟ୍‌ ସ୍କୁଲର ଟେଷ୍ଟ ପରୀକ୍ଷାରେ ଇଂରାଜୀ ପ୍ରବନ୍ଧରେ ଆହ୍ଵାନ ଦିଅନ୍ତି- ଛାତ୍ର ସମାଜକୁ ତାହା ପୁଣି ତତ୍କାଳୀନ ଶାସକଙ୍କ ବିରୋଧରେ ଜଣେ ଛାତ୍ରଙ୍କ ମନୋଭାବରେ ବିଚଳିତ ହୋଇପଡ଼ିଲେ ତତ୍କାଳୀନ ପ୍ରଧାନ ଶିକ୍ଷକ । ପ୍ରବନ୍ଧରେ ସେ ଲେଖିଥିଲେ ‘‘In the war of independence which is going on..... we students should participqte.’’ ଟ୍ରେନିଙ୍ଗ ସ୍କୁଲର ଅଧ୍ୟକ୍ଷଙ୍କ ହସ୍ତକ୍ଷେପ ହେତୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବନ୍ଦ ହେଲା । ସାହିତ୍ୟ ହଁ ଭାବ ପ୍ରକାଶର ଶ୍ରେଷ୍ଠ ଲିଖିତ ଶବ୍ଦରୂପ । ସାହିତ୍ୟ ହିଁ ମନର ବାର୍ତ୍ତାକୁ ଲିଖିତ ରୂପଦିଏ । ଭବିଷ୍ୟତ ପାଇଁ ସ୍ୱପ୍ନ ଦେଖୁଥିବା ଅନନ୍ତଙ୍କ ସୃଜନ ଜୀବନର ଶୁଭାରମ୍ଭ ହେଲା କବିତାରୁ । ତାହା ପ୍ରକାଶିତ ହେଲା ‘ସହକାର’ ପତ୍ରିକାରେ । ସେତେବେଳେ ସେ ନବମ ଶ୍ରେଣୀର ଛାତ୍ର । ରେଭେନ୍‌ସା କଲିଜିଏଟ୍‌ ସ୍କୁଲର ମୁଖପତ୍ର ‘‘ଛାତ୍ରବନ୍ଧୁ’’ର ଆତ୍ମପ୍ରକାଶ । ଦଶମ ଶ୍ରେଣୀର ଛାତ୍ର ଅନନ୍ତ ଏହାର ପ୍ରଥମ ସମ୍ପାଦକ ହେବାର ଗୌରବ ଲାଭ କଲେ ।

 

୧୯୩୦ରେ ମାଟ୍ରିକ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ । ଐତିହାସିକ ଲବଣ ସତ୍ୟାଗ୍ରହରେ ଅଂଶଗ୍ରହଣ କରି ସେ କାରାବରଣ କଲେ । ଦେଶାତ୍ମବୋଧକ କବିତା ଓ ଗୀତ ରଚନା କରି କଂଗ୍ରେସ ନେତୃମଣ୍ଡଳୀଙ୍କ ଅନନ୍ତ ଦୃଷ୍ଟି ଆକର୍ଷଣ କଲେ । ୧୯୩୧ ନିଜ ଗାଁ ଚଣାହଟ୍ଟାରେ ଅନୁଷ୍ଠିତ ହେଉଥାଏ ଦେଶ ପାଇଁ ସମ୍ମିଳନୀ । ମା ରମାଦେବୀ, ସରଳାଦେବୀ, ନବକୃଷ୍ଣ ଚୌଧୁରୀ, ଭାଗୀରଥି ମହାପାତ୍ର, ରାଜକୃଷ୍ଣ ବୋଷଙ୍କ ସହିତ ଛାତ୍ର ଅନନ୍ତ ସମ୍ମିଳନୀରେ ଯୋଗ ଦେଇଥିଲେ । ଦେଶର ନାନା ଘଟଣାରେ ସେ ସଂପୃକ୍ତ ହୋଇପଡ଼ିଥିଲେ ମଧ୍ୟବିଦ୍ୟାଶିକ୍ଷାକୁ ସେ ଗୁରୁତ୍ଵ ଦେଇଥିଲେ । ୧୯୩୧ରେ ସେ ରେଭେନ୍‌ସା କଲେଜରେ ଶିକ୍ଷା ଅର୍ଜନ ପାଇଁ ନାମ ଲେଖାଇଥିଲେ । ରେଭେନ୍‌ସା କଲେଜ ଥିଲା ତତ୍କାଳୀନ ଓଡ଼ିଶାର ଉଚ୍ଚଶିକ୍ଷା ପାଇଁ ଏକମାତ୍ର ଶ୍ରେଷ୍ଠ ଅନୁଷ୍ଠାନ ।

 

ରେଭେନ୍‌ସା କଲେଜ ଅନନ୍ତଙ୍କ ସାଧନାମୟ ଦିଗକୁ ଆଲୋକିତ କରିବାରେ ସହାୟକ ହେଲା-କେବଳ ଶିକ୍ଷା ଅର୍ଜନ ନୁହେଁ ସାହିତ୍ୟରଚନା ଓ ସଂଗଠନ ପାଇଁ ତାଙ୍କୁ ଏଠାରେ ମିଳିଲା ଅପୂର୍ବ ସୁଯୋଗ । ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତି ଓ ବ୍ରଜସୁନ୍ଦର ଦାସଙ୍କ ସାହଚର୍ଯ୍ୟରେ ଓ ପ୍ରାଚୀ ସମିତି ମାଧ୍ୟମରେ ସାହିତ୍ୟ ଚର୍ଚ୍ଚା, ଆଲୋଚନା ପ୍ରଭୃତି ସେ କଲେ । ସବୁ ସମୟରେ ଅନନ୍ତ ସାହିତ୍ୟ ଓ ଦେଶ ପାଇଁ କାର୍ଯ୍ୟ କରୁଥିଲେ । ସମଧର୍ମୀ ବନ୍ଧୁ ବୈଦ୍ୟନାଥ ରଥ, ବିଶ୍ଵନାଥ ପଶାଏତ, ଗୋକୁଳି ମୋହନ ରାୟ ଚୁଡ଼ାମଣି, ରବିଘୋଷ ଓ ଗଙ୍ଗାଧର ମିଶ୍ର ଚଳାଉଥି‌ବା ସନ୍ତ୍ରାସବାଦୀ ଆନ୍ଦୋଳନ ପାଇଁ ଅନନ୍ତ ଅସ୍ତ୍ର ଶସ୍ତ୍ର ସଂଗ୍ରହରେ ଲାଗି ପଡ଼ିଲେ । ୧୯୩୧-୧୯୩୨ ସ୍ଵତନ୍ତ୍ର ପ୍ରଦେଶ ଛାତ୍ର ସଂଘର ସହ ସମ୍ପାଦକ ଦାୟିତ୍ୱ ଗ୍ରହଣ କରି ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ସୀମା ନିର୍ଦ୍ଧାରଣ କମିଟି ନିକଟରେ ସଂଘ ପକ୍ଷରୁ ସେ ଦୃଢ଼ ଭାବରେ ଦାବୀ ଉପସ୍ଥାପନ କରି ହତଚକିତ କରି ଦେଇଥିଲେ ତତ୍‌କାଳୀନ ନେତୃବର୍ଗଙ୍କୁ ।

 

୧୯୩୨ ଛାତ୍ର ଅନନ୍ତ କଂଗ୍ରେସ ଅଧିବେଶନରେ ଯୋଗ ଦେବା ପାଇ ଟେନ୍‌ଯୋଗେ ଦିଲ୍ଲୀଯାତ୍ରା କରୁଥିଲେ କିନ୍ତୁ ଇଂରେଜ ପୋଲିସଙ୍କ ଦ୍ଵାରା ବାଟରେ ବନ୍ଦୀ ହୋଇ କଲିକତା ଆଲିପୁର ସେଣ୍ଟ୍ରାଲ ଜେଲ୍‌ରେ କାରାରୁଦ୍ଧ ହେଲେ । ବ୍ରିଟିଶ୍‌ ସରକାର ବିରୋଧୀ କାର୍ଯ୍ୟକ୍ରମ ଓ କାରାବରଣ ପାଇଁ ତାଙ୍କୁ ରେଭେନ୍‌ସା କଲେଜରୁ ବହିଷ୍କାର କରାଯାଇଥିଲା । କିନ୍ତୁ ଆର୍ତ୍ତବଲ୍ଲଭ ମହାନ୍ତି ଓ ଡକ୍ଟର ପ୍ରାଣକୃଷ୍ଣ ପରିଜାଙ୍କ ପ୍ରଚେଷ୍ଟାରେ ସେ ପୁଣି ଥରେ ରେଭେନ୍‌ସା କଲେଜରେ ପଢ଼ିବା ପାଇଁ ଡିଉକ୍‌ ସାହେବ ଅନୁମତି ଦେଲେ । ୧୯୩୪ରେ ତାଙ୍କ ଉଦ୍ୟମରେ ଗଠିତ ହୁଏ ‘ନବଯୁଗ ମଣ୍ଡଳ’ । ସମାଜବାଦୀ ଚିନ୍ତାଧାରାର ବିକାଶ ଥିଲା ଏହି ଅନୁଷ୍ଠାନର ମୁଖ୍ୟଲକ୍ଷ୍ୟ । ଏହିବର୍ଷ ମଇ ପହିଲାରୁ ଏହି ମଣ୍ଡଳର ମୁଖପତ୍ର ‘ସାରଥି‌’ରେ ଅନନ୍ତ କବିତା ଛଦ୍ମନାମରେ ପ୍ରକାଶିତ ହୋଇଥିଲା । ଏହି ସମୟରେ ସେ ନିୟମିତ କବିତା ଲେଖୁଥିଲେ ମଧ୍ୟ ସେସବୁ କବିତା ‘ନବଭାରତ’ର ପୃଷ୍ଠାମଣ୍ଡନ କରୁଥଲା । ୧୯୩୪ରେ ଆରମ୍ଭ ହୁଏ ଜାତିର ଜନକ ଗାନ୍ଧିଜୀଙ୍କ ଐତିହାସିକ ପଦଯାତ୍ରା । ଏଥିରେ ଅନନ୍ତ ମଧ୍ୟଯୋଗ ଦିଅନ୍ତି । ଏହି ସମୟରେ କଂଗ୍ରେସ ସାମ୍ୟବାଦୀ କର୍ମୀସଂଘର ସାଂସ୍କୃତିକ ଓ ଛାତ୍ରସାମୁଖ୍ୟର ଦାୟିତ୍ୱ ସେ ଗ୍ରହଣ କରିଥିଲେ । ତାଙ୍କରି ନେତୃତ୍ଵରେ ଆରମ୍ଭ ହୋଇଥଲା ‘ଗୁରୁ ଗଭର୍ଣ୍ଣମେଣ୍ଟ ଗାଡ଼ିୟାନ୍ନ ବିରୋଧୀ’ ଆନ୍ଦୋଳନ । ନିଖିଳ ଭାରତ ଛାତ୍ର ସଂଘର ଜଏଣ୍ଟ ସେକ୍ରେଟେରୀ ଭାବରେ ସେ ଏହି ପୃଷ୍ଠଭୂମିରେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ । ପୁରୀ ଜିଲ୍ଲାର ବନ୍ୟା ଥି‌ଲା ଏହି ସମୟରେ ଅଭୂତପୂର୍ବ । ବନ୍ୟା ପ୍ରପୀଡ଼ିତ ଲୋକଙ୍କୁ ସାହାଯ୍ୟ କରିବାରେ ତାଙ୍କର ଭୂମିକା ଥିଲା ଉଲ୍ଲେଖଯୋଗ୍ୟ ।

 

୧୯୩୫ ମସିହା ଥିଲା ଏକ ସ୍ମରଣୀୟ ବର୍ଷ ଅନନ୍ତଙ୍କ ପାଇଁ । ସେ କୃତିତ୍ୱର ସହ ବି.ଏ. ପାଶ୍‌ କରିଥିଲେ ୨୯।୧୧।୧୯୩୫ରେ କଟକ ଶ୍ରୀରାମଚନ୍ଦ୍ର ଭବନଠାରେ ନବଯୁଗ ସାହିତ୍ୟ ସଂସଦର ପ୍ରଥମ ଅଧିବେଶନ ହୋଇଥିଲା । ଏହା ପରେ ସେ ଏହାର ସମ୍ପାଦକ ଦାୟିତ୍ୱ ନିର୍ବାହ କରିଥିଲେ । ୧୯୩୬ରେ ନବଯୁଗ ସାହିତ୍ୟ ସଂସଦର ମୁଖପତ୍ର ‘ଆଧୁନିକ ପ୍ରକାଶିତ ହୁଏ-। ଅନନ୍ତ ଏହାର ପ୍ରକାଶନ ଓ ସମ୍ପାଦନା ସହ ନିବିଡ଼ ଭାବେ ସଂପୃକ୍ତ ହେବା ସହ ଏଥିରେ ନିଜର ଛନ୍ଦମୟ କବିତା ଓ ପ୍ରବନ୍ଧ ଆଦି ପ୍ରକାଶ କରିବାକୁ ସମର୍ଥ ହେଲେ । ଏହି ସମୟରେ ଆରମ୍ଭ ହୁଏ ଛାତ୍ର, ଯୁବକ ଓ କୃଷ୍ଣକ ଆନ୍ଦୋଳନ । ପ୍ରଥମ କୃଷକ ସମ୍ମିଳନୀରେ ସେ ଅଂଶ ଗ୍ରହଣ କରିଥିଲେ । ସାମ୍ୟବାଦୀ ଆଦର୍ଶରେ ସେ ଅନୁପ୍ରାଣୀତ ହୋଇ କମ୍ୟୁନିଷ୍ଟ ପାର୍ଟୀର ସଦସ୍ୟଭୁକ୍ତ ହେଲେ । ଅନନ୍ତଙ୍କ ଯୋଗଦାନ ଓଡ଼ିଶାରେ ଆରମ୍ଭ ହୋଇଥିବା କମ୍ୟୁନିଷ୍ଟ ଆନ୍ଦୋଳନକୁ ସୁଦୃଢ଼ କଲା ।

 

୧୯୩୭-୩୮ ଖୋର୍ଦ୍ଧା ଗୁରୁ ଜଙ୍ଗରେ ଓଡ଼ିଶାର ପ୍ରଥମ ଯୁବ ସମ୍ମିଳନୀ ଓ ଗଡ଼ଜାତ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଏହି ସମୟରେ ଢେଙ୍କାନାଳ ପ୍ରଜା ଆନ୍ଦୋଳନରେ ବାଜିରାଉତ ସମେତ ଛଅଜଣ କର୍ମୀ ବ୍ରିଟିଶ୍‌ ପୋଲିସ ଗୁଳିରେ ସହୀଦ ହେଲେ । ଏହି ଛଅଜଣ ପ୍ରଜାମଣ୍ଡଳ କର୍ମୀଙ୍କ ଶବ ଟ୍ରେନ୍‍ରେ କଟକ ଆସିଲା । ଛଅଟି ଶଗଡ଼ରେ ଶବଗୁଡ଼ିକ କଟକ ରେଳଷ୍ଟେସନରୁ ଖାନନଗର ଶ୍ମଶାନକୁ ଅଣାଗଲା । ଏହି ଛଅ ଶଗଡ଼ିଆମାନଙ୍କ ମଧ୍ୟରେ ଅନନ୍ତ ଥିଲେ ଅନ୍ୟତମ ଶଗଡ଼ିଆ । ଖାନନଗରଠାରେ ଏହି ବୀରମାନଙ୍କ ଶବଦାହରେ ତାଙ୍କ ଭୂମିକା ଥିଲା ସ୍ମରଣିୟ । ଏହି ସମୟରେ କଟକରୁ ଆତ୍ମପ୍ରକାଶ କଲା ‘ରଣଭେରୀ’ ପତ୍ରିକା । ଅବିଶ୍ରାନ୍ତ ଭାବେ ଦେଶ ପାଇଁ କାମ କରୁଥିବା ଅନନ୍ତ ଢେଙ୍କାନାଳ କୋଲୋଣ୍ଡା ଶିବିରରୁ ସାଇକେଲ୍‌ରେ ଜେନାପୁର ଆସୁଥିବାବେଳେ ‘କବାଟ ବନ୍ଧ’ ନିକଟରେ ପୋଲିସ୍‌ ଦ୍ୱାରା ଧରା ପଡ଼ିଲେ । ଅକଥନୀୟ ଅତ୍ୟାଚାର ସହିବା ପରେ ସେ ଛଅମା‌ସ ବିଚରାଧୀନ ବନ୍ଦୀ ଏବଂ ପରେ ଦୁଇବର୍ଷ ସଶ୍ରମ ଓ ଏକମାସ ଅଶ୍ରମ କାରାଦଣ୍ଡ କାମାକ୍ଷାନଗର ଜେଲ୍‌ରେ ଛଅମାସ ଓ ଢେଙ୍କାନାଳ ଜେଲ୍‌ରେ ଭୋଗିଲେଁ । ୧୯୩୯ରେ କବି ଅନନ୍ତ ପଟ୍ଟନାୟକ ଓ କବି ସଚ୍ଚିରାଉତରାୟଙ୍କ ସମ୍ମିଳିତ ରଚନାରେ ସମୃଦ୍ଧ କବିତା ବହି ‘ରକ୍ତଶିଖା’ ପ୍ରକାଶିତ ହୁଏ ।

 

ସଂଗ୍ରାମୀ ଅନନ୍ତଙ୍କ ଜୀବନ ଥିଲା ସାଲିସବିହୀନ ଜୀବନ । ସଂଗ୍ରାମ ଓ ସଂଘର୍ଷ ଥିଲା ତାଙ୍କର ପରିଚୟ । ୧୨ ସେପ୍ଟେମ୍ବର ୧୯୪୦ରେ କମ୍ୟୁନିଷ୍ଟ ଷଡ଼ଯନ୍ତ୍ର ମକଦ୍ଦମାର ବିଚାର ଓ ଏଥିରେ ‘ଯୁଦ୍ଧ ବିରୁଦ୍ଧରେ ଯୁଦ୍ଧ’, ‘ସର୍ବହରା ପଥ’ ଓ ପ୍ରଗନ୍‌ସ ପ୍ରତି ବିଶ୍ଵାସ ଘାତକତା ପ୍ରଭୃତି ପାଇଁ ୩ ଡିସେମ୍ବର ୧୯୪୦ରୁ ୯ ମାସ ସଶ୍ରମ ଓ ୪ ମାସ ଅଶ୍ରମ ପାଇଁ କାରାଦଣ୍ଡ କଟକ ଓ ଅନୁଗୁଳରେ ସେ ଭୋଗ କରନ୍ତି । ୧୯୪୨ରେ ଅନନ୍ତ ଓ ସଚ୍ଚିଙ୍କ ସମେତ ଅନ୍ୟ କେତେଜଣ ଗଣକବିଙ୍କ କବିତା ରଚନାରେ ସଂକଳିତ ‘ଉଠ ଜାଗ ଭୋକିବାନ୍ଦୀ’ ପୁସ୍ତକ ପ୍ରକାଶିତ ହୋଇଥିଲା । ସେ ମଧ୍ୟ ‘ମୁକ୍ତିଯୁଦ୍ଧ’ର ସଂପାଦନା ଦାୟିତ୍ୱ ଗ୍ରହଣ କରିଥିଲେ । ୧୯୩୦ରୁ ୧୯୪୦ ମଧ୍ୟରେ ସେ ଅତନୁ, ଅଣାକାର, ବୋଧିସତ୍ତ୍ୱ, କୁମାରୀ ଯଶୋଧାରା ପ୍ରଭୃତି ଛଦ୍ନନାମରେ ଲେଖନୀ ଚାଳନା କରୁଥିଲେ । ଓଡ଼ିଆ ପତ୍ରପତ୍ରିକାଙ୍କ ବ୍ୟତୀତ ‘ଓଡ଼ିଶା ଟାଇମ୍‌ସ’ ଓ ଆବଜର୍‌ଭର ପତ୍ରିକାର ସମ୍ପାଦନା ସହ ସଂପୃକ୍ତ ଥି‌ଲେ । ତାଙ୍କ ରଚିତ ‘ରାବଣ’ ନାଟକ ଏହି ସମୟ ମଧ୍ୟରେ ପ୍ରକାଶିତ ହୋଇଥିଲା । ୧୯୪୩ ଓଡ଼ିଶାରେ ଭୟଙ୍କର ଦୁର୍ଭିକ୍ଷ । ବାଲେଶ୍ଵର ଜିଲ୍ଲାରେ ଦୁର୍ଭିକ୍ଷ ଜନିତ ସାହାଯ୍ୟବଣ୍ଟନ ଦାୟିତ୍ୱ ତାକୁ ପ୍ରଦାନ କରାଯାଇଥି‌ଲା । ତାଙ୍କ ପାଇଁ ସବୁଠୁ ଦୁଃଖଦ ସମ୍ବାଦ ଥିଲା ତାଙ୍କର ପ୍ରିୟ ବନ୍ଧୁ ଭଗବତୀ ଚରଣ ପାଣିଗ୍ରାହୀଙ୍କ ଅକାଳ ବିୟୋଗ । ସେ ଏହି ଘଟଣାରେ ମର୍ମାହତ ହୋଇ ପଡ଼ିଲେ ।

 

୧୯୪୫ରେ ଅନନ୍ତଙ୍କ ଶୁଭପରିଣୟ ହୁଏ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ, ଲେଖକ ଦିବ୍ୟସିଂହ ପଟ୍ଟନାୟକ ଓ ଶ୍ରୀମତୀ ରାଧାମଣି ଦେବୀଙ୍କ ଜ୍ୟେଷ୍ଠା କନ୍ୟା ନିରଦ ପ୍ରଭାଙ୍କ ସହିତ । ନୀରଦ ପ୍ରଭା ବାସ୍ତବରେ ଥିଲେ ତାଙ୍କର ସହଯୋଗିନୀ । ନୀରଦପ୍ରଭା ଓଡ଼ିଆ ସାହିତ୍ୟର ଜଣେ ସୁଲେଖିକା ଭାବରେ ପରିଚିତ । ତାଙ୍କ ରଚିତ ଗଳ୍ପ ସଂକଳନ ‘ଆଲୋଡ଼ନ’, ‘ସାଆନ୍ତାଣି’, ‘ମନନିର୍ଝର’, ‘ଭିତରଅଗଣା’ ଓଡ଼ିଆ କଥା ସାହିତ୍ୟକୁ ଋଦ୍ଧିମନ୍ତ କରିଛି । ସେ ମଧ୍ୟ ଜଣେ ଅନୁବାଦିକା । ଉତ୍କଳ ମହିଳା ସମିତିର ସେ ପ୍ରତିଷ୍ଠାତା ସଦସ୍ୟ । ବୁଲଗେରିଆ ମସ୍କୋ ଇତ୍ୟାଦିରେ ଆନ୍ତର୍ଜାତିକ ମହିଳା ସମ୍ମିଳନୀରେ ଯୋଗ ଦେଇ ତାଙ୍କ କର୍ମନିଷ୍ଠାର ପ୍ରମାଣ ଦେଇଛନ୍ତି-। ବିବାହ ପରେ ସେ ଅନନ୍ତଙ୍କ ପାରିବାରିକ ଦାୟିତ୍ୱ ନିର୍ବାହ କରିବା ସହିତ ଅନନ୍ତଙ୍କ ସଂଗ୍ରାମ ଓ ସାହିତ୍ୟ ସାଧନାରେ ନିଷ୍ଠାର ସହ ସହଯୋଗ ଦେଲେ ।

 

୧୯୪୫-୪୮ ନିଜ ଗ୍ରାମ ଚଣାହଟ୍ଟାରେ ପ୍ରତିଷ୍ଠିତ ସ୍କୁଲକୁ ହାଇସ୍କୁଲରେ ପରିଣତ କରିବା ପରେ ଏହାର ପ୍ରଧାନଶିକ୍ଷକ ଦାୟିତ୍ୱ ବହନ କରିଥି‌ଲେ । ସବୁରି କାର୍ଯ୍ୟ ଭିତରେ ସାହିତ୍ୟ ସହ ସମ୍ପର୍କ ଥିଲା ତାଙ୍କର ଅତି ନିବିଡ଼ । ‘ମୁକ୍ତିବୀଣା’ର ସମ୍ପାଦକ ଓ ‘ସମାଜ’, ‘ସତ୍ୟବାଦୀ’ ସମ୍ପାଦକମଣ୍ଡଳୀରେ ସେ ସଂପୃକ୍ତ ହୋଇଥି‌ଲେ । ୧୯୪୮ରେ ତାଙ୍କ କବିତା, ନାଟକଗୁଡ଼ିକର ପ୍ରସାରଣ କାର୍ଯ୍ୟ ଆକାଶବାଣୀରୁ ଆରମ୍ଭ ହୋଇଥିଲା । ଅନନ୍ତଙ୍କ ପ୍ରତିଭା ଥିଲା ବହୁମୁଖୀ । ଏହା ପ୍ରମାଣିତ ହୋଇଥି‌ଲା ଯେତେବେଳେ ସେ ‘ସପ୍ତଶର୍ଯ୍ୟା’ ଚଳଚ୍ଚିତ୍ରର ସହ-ନିର୍ଦ୍ଦେଶକ କାର୍ଯ୍ୟ ସମ୍ପାଦନ କରିଥି‌ଲେ । ଏହି ଚଳଚ୍ଚିତ୍ରରେ କାହାଣୀ, ଚିତ୍ରନାଟ୍ୟ, ସଂଳାପ ଓ ସଂଗୀତର ଲେଖକ ଥିଲେ ସେ । ୧୯୪୯ରେ ‘‘ତର୍ପଣ କରେ ଆଜି’’ ଓ ୧୯୫୨ରେ ‘‘ଶାନ୍ତିଶିଖା’’ ପ୍ରକାଶିତ ହୁଏ । ‘‘ଫ୍ରେଣ୍ଡସ୍‌ ଅଫ୍‌ ଦି ସୋଭିଏତ୍‌ ୟୁନିଅନ୍‌’’ ଓ ‘‘ଗଣନାଟ୍ୟ’’ ସଂଘର ଅନ୍ୟତମ ପ୍ରାଣପ୍ରତିଷ୍ଠାତା ଭାବରେ କାର୍ଯ୍ୟ କରି ତାଙ୍କ ସଫଳ ନେତୃତ୍ଵର ସୂଚନା ଦେଇଥି‌ଲେ । ୧୯୫୨ରେ ଓଡ଼ିଶାରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ସେ ଭୁବନେଶ୍ଵର ବିଧାନସଭା ନିର୍ବାଚନ ମଣ୍ଡଳୀରେ କମ୍ୟୁନିଷ୍ଟ ଦଳପକ୍ଷରୁ ପ୍ରତିଦ୍ୱନ୍ଦିତା କରିଥିଲେ । ୧୯୫୩ରେ ସେ ଚଣାହଟ୍ଟାଠାରେ ପ୍ରଥମ ସମବାୟ ସମିତି ଗଠନରେ ଓ ସେ ଏହାର ସମ୍ପାଦକ ଦାୟିତ୍ଵ ଗ୍ରହଣ କରନ୍ତି । ୧୯୫୮ରେ ଦିଲ୍ଲୀଠାରେ ଆୟୋଜିତ ସର୍ବଭାରତୀୟ ସାଧାରଣତନ୍ତ୍ର ଦିବସର କବି ସମ୍ମିଳନୀରେ ଯୋଗ ଦେଇଥିଲେ । ସୋଭିଏତ୍‌ ୟୁନିଅନ୍‌ରେ ଅନୁଷ୍ଠିତ ଆପ୍ରୋ-ଏସିଆନ୍‌ ରାଇଟର୍ସ କନ୍‌ଫରେନ୍‌ସରେ ମଧ୍ୟ ଅଂଶ ଗ୍ରହଣ କରିଥିଲେ । ଏହି ସମୟରେ ତାଙ୍କର ‘କୌମୁଦୀ’ ଓ ‘ମଦନ’ ପ୍ରକାଶିତ ହୁଏ । ୧୯୫୯ରେ ‘କିଞ୍ଚିତ୍‌’, ଚିର ଅନ୍ଧାର ରାତି’ ଓ ‘ପଞ୍ଚଶୀଳ’ ଇତ୍ୟାଦି ନାଟକ ଆତ୍ମପ୍ରକାଶ କରେ । ଏକାଧିକ ଥର ପ୍ରଜାତନ୍ତ୍ର ବିଷୁବ ପୁରସ୍କାର ସମ୍ମାନ ଗ୍ରହଣ ସହିତ ଓଡ଼ିଶାର ଶାନ୍ତି କମିଟି ଓ ଭାରତ-ସୋଭିଏତ୍‌ ସାଂସ୍କୃତିକ ସଂଘର ଅନ୍ୟତମ ସଦସ୍ୟ ଭାବରେ ପରିଚିତ ହୁଅନ୍ତି । ହୁଇଟ୍‌ମାନ୍‌ଙ୍କ ‘ଲିଭ୍‌ସ ଅଫ୍‌ ଦ ଗ୍ରାସ୍‌’ର ସେ ଅନୁବାଦ ମଧ୍ୟକରିଥିଲେ । ୧୯୬୦ରେ ଶୁଦ୍ରକଙ୍କ ‘ମୃଚ୍ଛକଟିକ’ ସଂସ୍କୃତ ନାଟକର ମଧ୍ୟ ଓଡ଼ିଆ ଅନୁବାଦ କରିଥି‌ଲେ । ୧୯୬୧-୬୨ରେ ସୋଭିଏତ୍‌ ତଥ୍ୟ ବିଭାଗରେ ସେ ନିଯୁକ୍ତି ପାଆନ୍ତି । କେତେଦିନ କାର୍ଯ୍ୟ କରିବା ପରେ ପାରିବାରିକ କାରଣରୁ ସେ ସେଥିରୁ ଅବ୍ୟାହତି ନେଇଥିଲେ । ୧୯୬୧ରେ ତାଙ୍କର କନିଷ୍ଠ ଭ୍ରାତା ତଥା ବିଶିଷ୍ଟ ଲେଖକ, ସଂଗ୍ରାମୀ ଗୁରୁଚରଣ ପଟ୍ଟନାୟକଙ୍କ ବିବାହ ଶ୍ରୀମତୀ ମିନିକାଙ୍କ ସହିତ ହୋଇଥଲା । ୧୯୬୨ରେ ‘‘ସତହେଲା ମଣିଷର ସ୍ଵପ୍ନ’’, ୧୯୬୪ରେ ‘ଅଲୋଡ଼ା-ଲୋଡ଼ା’ ୧୯୬୬ରେ ‘ଛାଇର ଛିଟା’, ମାକ୍‌ସିମ୍‌ ଗର୍କୀଙ୍କ ‘ମଦର’ ଉପନ୍ୟାସର ଓଡ଼ିଆ ଅନୁବାଦ ‘ମା’, ମିଖାଇଲ୍‌ ଶୋଲୋଖଭ୍‌ଙ୍କ ‘‘ଫେଟ୍‌ ଅଫ୍‌ ଏ ମ୍ୟାନ୍‌’’ର ଓଡ଼ିଆ ଅନୁବାଦ ‘‘ଭୋଗ୍ୟରୁ ଖିଏ’’, ୧୯୬୭ରେ ପିଲାମାନଙ୍କ ପାଇଁ ‘‘କୁନୁ-କୁନି’’ ଓ ଗଳ୍ପ ସଂକଳନ ‘ଚଢ଼ାଉତ୍ତରା’ ତାଙ୍କର ପ୍ରକାଶିତ ହୁଏ । ୧୯୬୭ରେ ମଧ୍ୟ ସେ ସୋଭିଏତ୍‌ ଦେଶ୍‌ ନେହେରୁ ପୁରସ୍କାର ସେ ଗ୍ରହଣ କରିଥିଲେ । ଓଡ଼ିଶା ସରକାରଙ୍କ ଦ୍ଵାରା ଗଠିତ ଓଡ଼ିଆ ପାଠ୍ୟପୁସ୍ତକ କମିଟିର ସଦସ୍ୟ ଭାବରେ ସେ ୧୯୬୨ରୁ କାର୍ଯ୍ୟକରିବା ସହ ୧୯୬୮-୭୮ ପର୍ଯ୍ୟନ୍ତ ପାଠ୍ୟପୁସ୍ତକ ପ୍ରକାଶନ କମିଟିର ସମ୍ପାଦକ ଦାୟିତ୍ୱ ନିର୍ବାହ କରିଥିଲେ । ସେହିପରି ୧୯୬୮-୭୩ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଓଡ଼ିଆ ଶିଶୁ ସାହିତ୍ୟ ସମିତିର ସମ୍ପାଦକ ଓ ‘ଶିଶୁଲେଖା’ ପ୍ରତିକାର ସମ୍ପାଦକ ଓ ପ୍ରକାଶନ ଦାୟିତ୍ଵ ସୁଚାରୁରୂପେ ତୁଲାଇଥିଲେ । ଓଡ଼ିଶାର ପ୍ରାଚୀନ ଅନୁଷ୍ଠାନ ‘ଉତ୍କଳ ସାହିତ୍ୟ ସମାଜ’ର ସଭାପତି ଭାବରେ ୧୯୭୧-୭୪ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ୧୯୭୮ରେ ଗର୍କୀଙ୍କ ଆତ୍ମଜୀବନୀର ଦ୍ୱିତୀୟ ଭାଗ ‘ଶିକ୍ଷାନବୀଶ’ର ସେ ଅନୁବାଦ, ‘ଗୀତଟିଏ ରଚିତ ହେଲା କିପରି’ ଅନୁବାଦ ଓ ‘ଅବାନ୍ତର’ ପ୍ରକାଶିତ ହୋଇଥିଲା । ଭାରତୀୟ ଚଳଚ୍ଚିତ୍ର ପୁରସ୍କାର କମିଟିର ବିଚାରକମଣ୍ଡଳୀ ସଦସ୍ୟ ଭାବରେ ସେ କାର୍ଯ୍ୟ କରିଥିଲେ ।

 

୧୯୮୦ ମସିହ୍ୟା ପାଇଁ ତାଙ୍କର କବିତା ଗ୍ରନ୍ଥ ‘ଅବାନ୍ତର’ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା ଓ ସେ ଏହାକୁ ୧୯୮୧ରେ ଗ୍ରହଣ କରିଥିଲେ । ୧୯୮୨ରେ ସୋଭିଏତ୍‌ ଲ୍ୟାଣ୍ଡ୍ ନେହେରୁ ପୁରସ୍କାର ସେ ପ୍ରାପ୍ତ ହୋଇଥିଲେ । ୧୯୮୩ରେ ଇଂରାଜୀରେ ଅନୂଦିତ କବିତା ସଂକଳନ ‘ରିଭିଲେସନ୍‌’ ପ୍ରକାଶିତ ହୁଏ ଓ ପୁରସ୍କାର ବିଜେତା ଭାବେ ସୋଭିଏତ୍‌ ୟୁନିଅନ୍‌ ଭ୍ରମଣ କରିବାର ସୁଯୋଗ ଲାଭ କରିଥିଲେ । ୧୯୮୪ ମସିହାରେ ଭାରତ ସୋଭିଏତ୍‌ ମୈତ୍ରୀ ସଂଘ ଓଡ଼ିଶା ଶାନ୍ତି ପରିଷଦର ଅନ୍ୟତମ ଉପ ସଭାପତି ଭାବରେ କାର୍ଯ୍ୟ କରିଥିଲେ । ୧୯୮୬ରେ ‘ଅଋତୁ ଋତୁ’, ‘ସୂତ୍ରଟିଏ ସ୍ୱୀକୃତିର’ ଓ ‘ଅଗଡ଼ଂ ବଗଡ଼ଂ ପ୍ରକାଶିତ ହୋଇଥଲା ।

 

୧୯୫୦-୬୦ ମଧ୍ୟରେ ଶିଶୁଶ୍ରେଣୀଠାରୁ ସପ୍ତମ ଶ୍ରେଣୀ ଯାଏ ସାହିତ୍ୟ ପାଠ୍ୟପୁସ୍ତକ ସେ ଲେଖିଥିଲେ । ‘ଛବିଟିକି ଗପଟିଏ’, ଲାଲ ଟୁକୁ ଟୁକୁ ସୁରୁଜଟିଏ...., ଭଲ ପଣ, କଷରା ଘୋଡ଼ା, ଲଢ଼େଇ କରନା ପୁଷି, ‘ଗପୁଡ଼ି ମାଇଲୋ ଧପୁଡ଼ି ମାଇଁ’ ଇତ୍ୟାଦି ବହୁ ଶିଶୁ ମନଲାଖି ପୁସ୍ତକର ଛବିଭିତ୍ତିକ ଗୀତ ଅନୁବାଦ ଓ ମୌଳିକ ରଚନା ତାଙ୍କର ପ୍ରକାଶିତ । କୁନୁମୁନି ଛବିଟିକୁ ଗପଟିଏ, ଗପୁଡ଼ି ମାଇଲୋ ଧପୁଡ଼ି ମାଇଁ, ଲାଲ ଟୁକୁଟୁକୁ ସୁରଜଟିଏ ଇତ୍ୟାଦି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ଵାରା ପୁରସ୍କୃତ । ଓଡ଼ିଶାର ବହୁ ଅନୁଷ୍ଠାନ ଯଥା ୧୯୮୬ରେ ଉତ୍କଳ ପାଠକ ସଂସଦ, ପୁରୀ କୁମାର ଉତ୍ସବ ସମିତି, ୧୯୮୭ରେ ସାରଳା କମିଟି ତାଙ୍କୁ ସମ୍ମାନିତ କରି ଗୌରବାନ୍ୱିତ ହୋଇଛନ୍ତି।

 

୨୫ ଜୁନ୍‌ ୧୯୮୭ ଥିଲା ଓଡ଼ିଶା ପାଇଁ ଏକ ଦୁଃଖର ଦିନ । ଏହିଦିନ ଏହି ବିପ୍ଲବୀ, କବି ଅନନ୍ତ ପଟ୍ଟନାୟକଙ୍କ ମହାପ୍ରୟାଣ ଘଟିଥିଲା । ଏହି ସଂଗ୍ରାମୀଙ୍କ ଜୀବନ ଥିଲା ଅନନ୍ତ ଅନନ୍ତଙ୍କ ଜୀବନ ବାସ୍ତବରେ ଅନନ୍ତ-ଯାହାକୁ କଳନା କରିବା ସହଜ ନୁହଁ । ଜନ୍ମରୁ ତିରୋଧାନ ପର୍ଯ୍ୟନ୍ତ ଥିଲା ସଂଘର୍ଷ ଓ ସଂଗ୍ରାମରେ ପରିପୂର୍ଣ୍ଣ । ତାଙ୍କ ଜୀବନର ପ୍ରତିଟି ମୁହୂର୍ତ୍ତ ଯେପରି ଏ ମାତୃଭୂମି ଓ ମାତୃଭାଷା ପାଇଁ ସମର୍ପିତ ଥି‌ଲା ତାହାର ତୁଳନା ନାହିଁ । ଏହିପରି ବୀର, ସାହିତ୍ୟରୁ ସାଧକଙ୍କ ପାଇଁ ଓଡ଼ିଆ ଜାତି ଗୌରବାନ୍ୱିତ । (ସହାୟତା : ଅନନ୍ତ ପଟ୍ଟନାୟକ ରଚନା ସମଗ୍ର ଓ କବି ଅମରେଶ ପଟ୍ଟନାୟକ)

 

ଯଶୁଆପୁର, ମାହାଙ୍ଗା, କଟକ

 

***